Monday, December 17, 2018

  ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଗୁଜୁରାଟ ବିଦ୍ୟାପୀଠରେ ମହାତ୍ମା ଗାନ୍ଧୀଙ୍କର ସମାବର୍ତ୍ତନ ଅଭିଭାଷଣ -୧


ଗୁଜୁରାଟ ବିଦ୍ୟାପୀଠର ପ୍ରବେଶ ଦ୍ୱାର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଗତ ଚାରି ବର୍ଷ ହେଲା ଛାତ୍ର ସଙ୍ଖ୍ୟା କ୍ରମାଗତ ଭାବରେ କମି ଯାଉଛି ବୋଲି ଆପଣମାନେ ମହାମାତ୍ର (ବିଦ୍ୟାପୀଠର ରେଜିଷ୍ଟ୍ରାର)ଙ୍କର ବିବରଣୀରୁ ଜାଣିଲେ । ସାଧାରଣତଃ ଏହା ନିରୁତ୍ସାହର କାରଣ ହୁଅନ୍ତା । ଛାତ୍ରସଙ୍ଖ୍ୟାର ବୃଦ୍ଧିକୁ ସାଧାରଣତଃ ଲୋକେ ପ୍ରଗତି ବୋଲି ଭାବନ୍ତି । ଯଦି ଏହି ସଙ୍ଖ୍ୟା ବଢ଼ି ଥାଆନ୍ତା ତେବେ ମୁଁ ଅବଶ୍ୟ ଆନନ୍ଦିତ ହୋଇଥା'ନ୍ତି । ଏହା ମୁଁ ସ୍ୱୀକାର କଲେ ହେଁ ସଙ୍ଖ୍ୟା ଊଣା ହେବାରେ ମୁଁ ଆଦୌ ନିରୁତ୍ସାହିତ ନୁହେଁ । ଅନୁଷ୍ଠାନର ବର୍ତ୍ତମାନ ପରିସ୍ଥିତିରେ ମୋର ସନୋଷ ଅଛି ବା ମୁଁ ଆନନ୍ଦିତ ଏହା ମୁଁ କହି ପାରେ ନାହିଁ । ମାତ୍ର ମୁଁ ନିରାଶ ବି ନୁହେଁ । 

ଏକଥା ସତ୍ୟ ଯେ ମୁଁ ଓ ଆଉ କେତେକ ଆଶା କରି ଥିଲୁଁ ଯେ ମାତ୍ର ବର୍ଷକ ପାଇଁ ଆମ୍ଭେମାନେ ଏହି ଅନୁଷ୍ଠାନ ଚଲାଇବୁଁ ଏବଂ ସ୍ୱରାଜ ପ୍ରାପ୍ତି ଅନ୍ତେ ଏହି ନିର୍ଦ୍ଦିଷ୍ଟ କାଳ ପରେ ଆପଣମାନେ ନିଜ ନିଜର ସ୍କୁଲ-କଲେଜକୁ ଫେରି ଯିବେଦେଶର ଅହ୍ନାନରେ ଆପଣମାନେ ସେ ସବୁ ଛାଡ଼ି ଥିଲେ । ମାତ୍ର ଚାରି ବର୍ଷ ବିତି ଗଲାଣି । ଆମ୍ଭେମାନେ ଆଉ କେତେ ସମୟ ନିର୍ବାସନରେ ରହିବୁଁ, କହିବା ଅସମ୍ଭବ । ଏହାକୁ ନିର୍ବାସନ କାହିଁକି କହିବୁଁ ? ମୁଁ ଯେପରି ବୁଝୁଛି, ଏହା ଆଦୌ ନିର୍ବସନ ନୁହେଁ । 

ସ୍ୱରାଜ ପାଇବା ପରେ ସୁଦ୍ଧା ଏହି ପରି ଅନେକ ଅନୁଷ୍ଠାନ ସରକାରୀ ସାହାଯ୍ୟ ବ୍ୟତୀତ କାର୍ଯ୍ୟ କରୁ ଥିବେ । ସେତେବେଳେ କେବଳ ଏତିକି ପାର୍ଥକ୍ୟ ରହିବ ଯେ ବର୍ତ୍ତମାନ ପରି ସରକାରୀ ସ୍କୁଲ କଲେଜ ସହ ଆଉ ସହ ଆଉ ପ୍ରତିଯୋଗିତା କରିବାକୁ ପଡ଼ିବ ନାହିଁ ଏବଂ ଶେଷୋକ୍ତଗୁଡ଼ିକ ବିରୁଦ୍ଧ ପକ୍ଷର ଅନୁଷ୍ଠାନ ହେତୁ ଆମର ବର୍ଜନୀୟ ଅଟେ, ଏପରି କେହି ବିଚାରିବେ ନାହିଁ । ତଥାପି ଏପରି ପ୍ରୟୋଗମାନ ଚାଲି ଥିବ ଏବଂ ଆମର ଏହି ଅନୁଷ୍ଠାନ ପରି ସେହି ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ରହି ଥିବ । ତେଣୁ ମୁଁ ଆଶାକରେ ଯେ, ଯେଉଁ ଛାତ୍ରମାନେ ଏଠାରେ ଅଧ୍ୟୟନ କରୁଛନ୍ତି, ସେମାନେ ନିରାଶ ହେବେ ନାହିଁ କିମ୍ୱା ଏଠାରେ ସେମାନଙ୍କର ସମୟ ନଷ୍ଟ ହେଲା ବୋଲି ମନେ କରିବେ ନାହିଁ ।

କୌଣସି ବିଦ୍ୟାଳୟକୁ ରାଷ୍ଟ୍ରୀୟ ବିଦ୍ୟାଳୟ କହିବାକୁ ହେଲେ ତାହା ନିମ୍ନଲିଖିତ ସର୍ତ୍ତଗୁଡ଼ିକ ପାଳନ କରିବା ଆବଶ୍ୟକ:

ଦୈନନ୍ଦିନ କର୍ମସୂଚୀରେ ସୂତାକଟା ପାଇଁ ସ୍ଥାନ ରହିବ । ଛାତ୍ର ଓ ଶିକ୍ଷକମାନେ ପ୍ରତିଦିନ ଅଧଘଣ୍ଟାଏ ସୂତା କାଟିବେ ଏବଂ କେବଳ ଖଦୀ ପିନ୍ଧିବେ । ଶିକ୍ଷାର ମାଧ୍ୟମ ମାତୃଭାଷା ବା ହିନ୍ଦୁସ୍ତାନୀ ହେବ । ବ୍ୟାୟାମକୁ ଅର୍ଥାତ୍ ଶରୀର ଚର୍ଚ୍ଚାକୁ ପୂର୍ଣ୍ଣ ଗୁରୁତ୍ୱ ଦିଆଯିବ ଏବଂ ଆତ୍ମ-ରକ୍ଷାର କୌଶଳ ଏହାର ଅନ୍ତର୍ଗତ ହେବ । ହିନ୍ଦୁ ଓ ମୁସଲମାନମାନଙ୍କର ହୃଦୟର ମିଳନ ପାଇଁ ବିଦ୍ୟାଳୟ ନିଜର ଉପାୟରେ କାର୍ଯ୍ୟ କରିବ । ଅସ୍ଫୁଶ୍ୟମାନଙ୍କ ପାଇଁ ଅନୁଷ୍ଠାନର ଦ୍ୱାରା ବନ୍ଦ ନ କରି ସେମାନଙ୍କୁ ସ୍ୱାଗତ କରିବ । 

କଙ୍ଗ୍ରେସ ଦ୍ୱାରା ରାଷ୍ଟ୍ରୀୟ ବିଦ୍ୟାଳୟର ଏହି ସଂଜ୍ଞା ନିରୂପିତ ହୋଇଛି । ଅତଏବ, ଯେଉଁମାନଙ୍କର ଚରଖାରେ (ଅରଟରେ) ବିଶ୍ୱାସ ନାହିଁ, ସେମାନେ ଏହି ବିଦ୍ୟାପୀଠ ଓ ଏହାର ଅନ୍ତର୍ଭୁକ୍ତ ଅନ୍ୟ ଅନୁଷ୍ଠାନଗୁଡ଼ିକ ଛାଡ଼ି ଚାଲିଯା'ନ୍ତୁ ବୋଲି ମୁଁ କହୁଛି । ମୁଁ ଅନ୍ୟାୟ କରୁଛି ବା କଠୋର ହେଉଅଛି ବୋଲି କେହି ନ ଭାବନ୍ତୁ । କେବଳ ଏହି ବାଟରେ ହିଁ ଆମେ ଅଗ୍ରସର ହୋଇ ପାରିବୁଁ । ଆମେ କେଉଁ ଆଡ଼କୁ ଯାଉଛୁଁ ଏବଂ ଆମ ସହ କେତେ ପୁରୁଷସ୍ତ୍ରୀ ଓ ଛାତ୍ର ଅଛନ୍ତିତାହା ଏଥିରୁ ଜଣା ପଡ଼ିବ ।

1 comment:

  1. This comment has been removed by a blog administrator.

    ReplyDelete