ହର୍ଷ ବର୍ଦ୍ଧନ
କେଦାରନାଥ ମହାପାତ୍ର
|
ହର୍ଷବର୍ଦ୍ଧନଙ୍କର ପ୍ରାସାଦର ଭଗ୍ନାବଶେଷ (ୱିକିମିଡିଆ କମନ୍ସ୍) |
ସପ୍ତମ
ଶତାବ୍ଦୀ ବେଳକୁ ଯୁକ୍ତ ପ୍ରଦେଶ [ବର୍ତ୍ତମାନର ଉତ୍ତର ପ୍ରଦେଶ] ର
ଥାନେଶ୍ୱର ନାମକ ସ୍ଥାନରେ ବର୍ଦ୍ଧନ
ବଂଶ କ୍ଷମତାଶାଳୀ ହୋଇ ଉଠିଲେ ।
ଏହି ବଂଶର ପ୍ରଭାକର ବର୍ଦ୍ଧନ
କିଛି କାଳ ରାଜତ୍ୱ କରିବା ପରେ
ତାଙ୍କ ପୁତ୍ର ରାଜ୍ୟ ବର୍ଦ୍ଧନ
ରାଜା ହେଲେ । ସେ ଦୁଇ ବର୍ଷ ମାତ୍ର
ରାଜତ୍ୱ କରିବା ପରେ ଗୌଡ ବା ବଙ୍ଗ
ଦେଶର ରାଜା ଶଶାଙ୍କ ତାଙ୍କୁ ମାରି
ପକାଇଲେ । ତେଣୁ ତାଙ୍କର ସାନ ଭାଇ
ହର୍ଷ ବର୍ଦ୍ଧନ ୬୦୬ ଖ୍ରୀଷ୍ଟାବ୍ଦରେ
ଥାନେଶ୍ୱରର ରାଜା ହେଲେ ଓ ୬୦୬
ଖ୍ରୀଷ୍ଟାବ୍ଦରୁ ହର୍ଷାବ୍ଦ ନାମକ
ଗୋଟିଏ ଅବ୍ଦ ଚଳାଇଲେ ।
ରାଜା ହେବା
ମାତ୍ରେ ସେ ଛଅ ବର୍ଷ କାଳ ଯୁଦ୍ଧ
କରି ଉତ୍ତର ଭାରତର କେତେକ ରାଜ୍ୟ
ଜୟ କରିଥିଲେ ଓ ତାଙ୍କର ଭଉଣୀ
ରାଜ୍ୟଶ୍ରୀଙ୍କୁ ମୃତ୍ୟୁମୁଖରୁ
ରକ୍ଷା କରିଥିଲେ । କାମରୂପ ବା
ଆସାମର ରାଜା ଭାସ୍କର ବର୍ମନଙ୍କ
ସାହାଯ୍ୟରେ ବଙ୍ଗଳାର ରାଜା
ଶଶାଙ୍କଙ୍କୁ ପରାସ୍ତ
କରିଥିଲେ
। ଉତ୍ତର ଭାରତ ଜୟ କରି ସେ ଦକ୍ଷିଣ
ଭାରତ ଜୟ କରିବାକୁ ବାହାରିଲେ ।
ସେତେବେଳେ ଦାକ୍ଷିଣାତ୍ୟରେ
ଚାଲୁକ୍ୟମାନେ ବିଶେଷ ଶକ୍ତିଶାଳୀ
ଥିଲେ । ଚାଲୁକ୍ୟ ରାଜା ଦ୍ୱିତୀୟ
ପୁଲକେଶୀ ହର୍ଷଙ୍କୁ ସମ୍ପୂର୍ଣ୍ଣ ରୂପେ
ପରାସ୍ତ କରିଥିଲେ ଓ ନର୍ମଦା ନଦୀ
ଦୁହିଁଙ୍କ ରାଜ୍ୟର ସୀମା ରୂପେ
ନିର୍ଦ୍ଦିଷ୍ଟ ହେଲା । ରାଜ୍ୟ
ଶାସନର ସୁବିଧା ପାଇଁ ସେ ଥାନେଶ୍ୱରରୁ
କାନ୍ୟକୁବ୍ଜକୁ ରାଜଧାନୀ ଉଠାଇ
ନେଇଥିଲେ । ୬୪୨ ଖ୍ରୀଷ୍ଟାବ୍ଦରେ
ସେ ଓଡ଼ିଶା ଜୟ କରିବାକୁ ଆସିଥିଲେ
। କିନ୍ତୁ ଓଡ଼ିଶା ରାଜା ତାଙ୍କର
ସମ୍ପୂର୍ଣ୍ଣ ଅଧୀନତା ସ୍ୱୀକାର
କରି ନ ଥିଲେ । ସେ ରାଜତ୍ୱର ଶେଷ
ବେଳକୁ ‘ମଗଧ ସମ୍ରାଟ’ ଉପାଧି
ଧାରଣ କରିଥିଲେ । ତାଙ୍କର ରାଜ୍ୟ
ହିମାଳୟଠାରୁ ନର୍ମଦା ନଦୀ ପର୍ଯ୍ୟନ୍ତ
ଏବଂ ବ୍ରାହ୍ମପୁତ୍ରଠାରୁ ଯମୁନା
ଓ ରାଜପୁତନା ପର୍ଯ୍ୟନ୍ତ ବିସ୍ତୃତ
ଥିଲା । ସେ ୬୪୮ ଖ୍ରୀଷ୍ଟାବ୍ଦ
ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ
।
ସେ
ପ୍ରଥମେ ଶୈବ ଥିଲେ,
କିନ୍ତୁ
ପରେ ବୌଦ୍ଧ ହୋଇ ଏହି ଧର୍ମର
ଉନ୍ନତି ପାଇଁ ଚେଷ୍ଟା କରିଥିଲେ
। ସେ ରାଜା ହୋଇ ମଧ୍ୟ ପଣ୍ଡିତ ଓ
ସୁଲେଖକ ଥିଲେ ଓ କେତେଗୁଡିଏ
ଉତ୍କୃଷ୍ଟ ଗ୍ରନ୍ଥ ରଚନା କରିଥିଲେ
। ବାଣ ଭଟ୍ଟ ନାମକ ତାଙ୍କ ସଭାର
ଜଣେ ପ୍ରସିଦ୍ଧ କବି ‘କାଦମ୍ୱରୀ’
ଓ ‘ହର୍ଷଚରିତ’ ନାମକ ଦୁଇଟି ଭଲ
ଗ୍ରନ୍ଥ ଲେଖିଥିଲେ ।
ହର୍ଷଙ୍କ
ରାଜତ୍ୱରେ ଚୀନ ଦେଶରୁ ହୁଏନ୍ସାଂ
ନାମକ ବୌଦ୍ଧ ଭିକ୍ଷୁ ଭାରତକୁ
ଆସିଥିଲେ । ସେ ଫାହିଆନ୍ଙ୍କ
ପରି ଗୋଟିଏ ବିସ୍ତୃତ ଭ୍ରମଣ
ବୃତ୍ତାନ୍ତ ଲେଖିଛନ୍ତି । ଏହା
ତତ୍କାଳୀନ ଇତିହାସର ଗୋଟିଏ
ଭଣ୍ଡାର ପରି ।
ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍ସ୍ ଷ୍ଟୋର୍ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।