Saturday, September 26, 2020

 ଜ୍ଞାନଲାଭର ପ୍ରକ୍ରିୟା

ଶଶିଭୂଷଣ ରାୟ


ଚିତ୍ର - 'ୟଙ୍ଗ୍ ଗର୍ଲ୍ ରିଡ଼ିଙ୍ଗ୍' 
ଚିତ୍ରକର - ଫେଦେରିକୋ ଜାନ୍ଦୋମେନେଗି (୧୮୪୧-୧୯୧୭)

ଜ୍ଞାତବ୍ୟ ସମସ୍ତ ବିଷୟ ହିଁ ପୁସ୍ତକରେ ମିଳେ । ସୁତରାଂ ଜ୍ଞାନଦାନ ଓ ଜ୍ଞାନଲାଭ ସକାଶେ ପ୍ରଧାନତଃ ପୁସ୍ତକ ଉପରେ ଆମ୍ଭମାନଙ୍କୁ ନିର୍ଭର କରିବାକୁ ହେବ । ଏକ ପକ୍ଷରେ ପୁସ୍ତକପାଠ ଜ୍ଞାନଲାଭର ଅଧମ ଉପାୟ ହେଲେ ହେଁ, ଅପରପକ୍ଷରେ ସର୍ବଶ୍ରେଷ୍ଠ ଉପାୟ । ସ୍ୱୟଂ ପ୍ରତ୍ୟକ୍ଷ କଲେ ଅଥବା ଯେ ନିଜେ ପ୍ରତ୍ୟକ୍ଷ କରିଅଛନ୍ତି, ତାଙ୍କ ମୁହଁର ଶୁଣିଲେ ବିଷୟଗୁଡ଼ିକ ଯେପରି ଭଲ ବୁଝି ହୁଏ, ପୁସ୍ତକରେ ବର୍ଣ୍ଣିତ ବିଷୟସମୂହ ସେଭଳି ବୁଝିବା ଦୁଃସାଧ୍ୟ ସତ୍ୟ; କିନ୍ତୁ ସମସ୍ତ ଜ୍ଞାତବ୍ୟ ବିଷୟ ପୁସ୍ତକରୁ ମିଳିଯାଏ ।

ଶିକ୍ଷାଦାନ ସମ୍ୱନ୍ଧରେ ବିଦ୍ୟାଳୟରେ ପ୍ରଧାନତଃ ପୁସ୍ତକ ଉପରେ ନିର୍ଭର କରିବାକୁ ହେଲେ, ପ୍ରଥମ ଦିଓଟି ଉପାୟ ଯଥା ସମ୍ଭବ ଅବଲମ୍ୱନ କରିବା ବିଧେୟ । ଯେତେ ପରିମାଣରେ ଜ୍ଞାନ ପ୍ରଥମ ଦୁଇ ଉପାୟରେ ଦେବା ସମ୍ଭବ ହୋଇପାରିବ, କାହା ସକାଶେ ପୁସ୍ତକ ଉପରେ ନିର୍ଭର କରିବା ନିଷ୍ପ୍ରୟୋଜନ ମାତ୍ର । ଶିକ୍ଷାର ପ୍ରଥମାଂଶରେ ବିଷୟଜ୍ଞାନ ଦାନ ସକାଶେ ଏକାବେଳକେ ସେହି ପ୍ରଥମ ଉପାୟ ଦିଓଟି ଉପରେ ନିର୍ଭର କରିବା କର୍ତ୍ତବ୍ୟ । ସେତେବେଳେ ପୁସ୍ତକ ପଢ଼ାଇବାକୁ ହେବ ସତ୍ୟ, କିନ୍ତୁ ତାହା ବିଷୟଜ୍ଞାନ ଦାନ ସକାଶେ ନୁହେଁ, ପୁସ୍ତକ ପଢ଼ିବା ଶିଖାଇବା ସକାଶେ । ଅନ୍ୟାନ୍ୟ ବିଷୟ ଭଳି ପୁସ୍ତକର ଲିଖିତ ଭାଷା ମଧ୍ୟ ଗୋଟିଏ ବିଷୟ - ଅତି ପ୍ରୟୋଜନୀୟ ବିଷୟ; କାରଣ, ତାହା ସାହାଯ୍ୟରେ ବହୁ ବିଷୟ ବାଳକମାନେ ଶିଖି ପାରନ୍ତି । ସୁତରାଂ ତାହା ବିଶେଷରୂପେ ଚିହ୍ନିବାକୁ ହେବ - ତାହା ଭଲରୂପେ ପଢ଼ିବା ଓ ଲେଖିବା ଶିଖିବାକୁ ହେବ ।

ଲେଖିବାକୁ ଓ ପଢ଼ିବାକୁ ଶିଖି, ପୁସ୍ତକର ଭାଷା ଚିହ୍ନି, ବାଳକମାନେ ଯେତେବେଳେ ପୁସ୍ତକରୁ ଜ୍ଞାନ ଗ୍ରହଣ କରିବାକୁ ଆରମ୍ଭ କରନ୍ତି, ସେତେବେଳେ ଶିକ୍ଷକମାନଙ୍କର ବିଶେଷଭାବରେ ସ୍ମରଣ ରଖିବା କର୍ତ୍ତବ୍ୟ ଯେ, ପୁସ୍ତକପାଠ ଜ୍ଞାନ ଶିକ୍ଷାର ଗୋଟିଏ ଉପାୟ ମାତ୍ର - ଶିକ୍ଷାର ବିଷୟ ନୁହେଁ । ପୁସ୍ତକର ବର୍ଣ୍ଣିତ ବିଷୟ ସମୂହ ବାଳକକୁ ଶିଖିବାକୁ ହେବ, କେବଳ ପୁସ୍ତକର ଭାଷା ନୁହେ । ପୁସ୍ତକର ଭାଷା ବିଷୟବୋଧ ବ୍ୟତୀତ କେହି ଶିଖିପାରନ୍ତି ନାହିଁ । ବିଷୟ ଓ ଭାଷା ଏହି ଦିଓଟି ପରସ୍ପର ଏଭଳି ଅବିଚ୍ଛିନ୍ନ ସମ୍ୱନ୍ଧରେ ସମ୍ବନ୍ଧ ଯେ, ଗୋଟିଏ ବ୍ୟତୀତ ଅପରର ଶିକ୍ଷା ଅସମ୍ଭବ । ବିଷୟ ଭାଷାରେ ବ୍ୟକ୍ତ ହୁଏ, ଭାଷା ବିଷୟ ବ୍ୟକ୍ତ କରିଥାଏ । ଭାଷା ବ୍ୟତୀତ ବିଷୟ ଦେହହୀନ ପ୍ରାଣ, ବିଷୟ ବ୍ୟତୀତ ଭାଷା ପ୍ରାଣହୀନ ଦେହ । ଦେହ-ପ୍ରାଣର ସଞ୍ଜୋଗରେ ଜୀବ ଭଳି ଭାଷା ଓ ବିଷୟର ସଞ୍ଜୋଗରେ ଜ୍ଞାନ ।

ପୁସ୍ତକର କେଉଁ ଶଦ୍ଦରେ କେଉଁ ବିଷୟ, କେଉଁ ବାକ୍ୟରେ କେଉଁ ବିଷୟର କେଉଁ କ୍ରିୟା, ବିଷୟାନ୍ତର ସଙ୍ଗରେ କେଉଁ ସମ୍ୱନ୍ଧ ବ୍ୟକ୍ତ ହେଉଅଛି, ଏସବୁ ପ୍ରଥମରେ ଶିକ୍ଷକମାନଙ୍କୁ ଭଲକରି ବୁଝି ନେବାକୁ ହେବ । ଏହା ଉତ୍ତାରୁ ତାହା ଶିକ୍ଷାର୍ଥୀ ବାଳକର ପ୍ରତ୍ୟକ୍ଷୀଭୂତ ବିଷୟ, ବିଷୟର କ୍ରିୟା ଓ ପରସ୍ପର ସମ୍ୱନ୍ଧର ଜ୍ଞାନ ତାହା ମନରେ ଯେପରି ପରିସ୍ଫୁଟ, ଯଥାସମ୍ଭବ ସେପରି ପରିସ୍ଫୁଟ କରି ତାହା ସମ୍ମୁଖରେ ରଖିବାକୁ ହେବ । ବାଳକର ଘର ଖଣ୍ଡିକ, ତାହାର ମାଙ୍କ ସ୍ନେହ-ଡାକ, ତାହାର କ୍ଷୁଧାର ଅନ୍ନ, ତୃଷ୍ଣାର ଜଳ, ଗ୍ରୀଷ୍ମର ଉତ୍ତାପ, ଶୀତର ବାୟୁ, ପିତାଙ୍କ ଗାଳି, ଅଜା-ଆଈଙ୍କ ଗେଲ, ଭାଇ-ଭଉଣୀଙ୍କ ସ୍ନେହ, ବଗିଚାର ଫୁଲ, ଆମ୍ୱ ଗଛରେ ପାଚିଲା ଆମ୍ୱ, ଅଗଣାରେ ଦୁବ ଘାସ ଉଠିବା ପ୍ରଭୃତି ତାହା ନିକଟରେ ଯେପରି, ଯଥାସମ୍ଭବ ସେହିପରି ପରିସ୍ଫୁଟ କରି ପୁସ୍ତକର ବିଷୟ, ବିଷୟର କ୍ରିୟା ଓ ସମ୍ୱନ୍ଧସମୂହ ତାହା ସମ୍ମୁଖରେ ଆଣି ଥୋଇବାକୁ ହେବ । ଏଭଳି କେଉଁ ବାଳକ ଅଛି ଯେ, ଏପରି ଭାବରେ ବିଷୟଗୁଡ଼ିକ ସମ୍ମୁଖରେ ଥୋଇଲେ ଯାହାର ଚିତ୍ତ ସେ ଆଡ଼କୁ ଆକୃଷ୍ଟ ହେବ ନାହିଁ; ଚିତ୍ତାକର୍ଷଣରେ ମନଃସଞ୍ଜୋଗ ଘଟିବ ନାହିଁ; ଅଥବା ମନଃସଞ୍ଜୋଗରେ ବିଷୟ ଜ୍ଞାନ ଲାଭ ହେବ ନାହିଁ ?

ଜ୍ଞାନରେ ଜ୍ଞାନ-କ୍ଷୁଧା ବଢ଼ିଯାଏ । ଏଭଳି ଜ୍ଞାନ ଯେତେ ଶିଖିବ, ସେତିକି ତାହାର ଶିଖିବାକୁ ଇଚ୍ଛା ବଳିବ । ବାଳକ ସ୍ୱୟଂ ଖୋଜି ଖୋଜି ପୁସ୍ତକ ପାଠ କରିବ; ଭାଷାର ଅନ୍ତରସ୍ଥ ବିଷୟ ପ୍ରତି ତାହାର ଦୃଷ୍ଟି ସ୍ୱତଃ ଆକୃଷ୍ଟ ହେବ ।

ଏହି ରୂପେ ଶିକ୍ଷକ ଯେବେ ଥରେ ବାଳକ ମନରେ ଜ୍ଞାନ ସୁଧାର ଉଦ୍ରେକ କରାଇପାରନ୍ତି, କି ପ୍ରକାରରେ ପୁସ୍ତକ ଭଣ୍ଡାରରୁ ସେହି କ୍ଷୁଧାର ଆହାର ସଙ୍ଗ୍ରହ କରିବାକୁ ହେବ, ଥରେ ଯେବେ ବାଳକକୁ ସେହି ଉପାୟ ଚିହ୍ନାଇ ଦେଇପାରନ୍ତି, ବାଳକ ଆପେ ଆପେ ଅନେକ ଶିଖିପାରିବ । ସାଧାରଣ ଭାବରେ ଶିକ୍ଷକଙ୍କ ପରିଚାଳନାର ଅଧୀନରେ ରହି ବାଳକ ନିଜ ପଦକ୍ଷେପରେ ସୋପାନ ଅତିକ୍ରମ କରି ଶିକ୍ଷାର ଅତ୍ୟୁଚ୍ଚ ସୌଧଚୂଡ଼ାରେ ଯାଇ ଉପସ୍ଥିତ ହେବ ।

ବି.ଦ୍ର. - ଏହି ଲେଖାଟି ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ବହିଟିର କିୟଦଂଶ । ପୁସ୍ତକଟିର ଆମେ ବ୍ୟବହାର କରିଥିବା ପ୍ରଥମ ସଂସ୍କରଣଟି ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର ।