Saturday, March 31, 2018

ସ୍ତ୍ରୀଶିକ୍ଷା

ଗୋପବନ୍ଧୁ ଦାଶ

ଦିଲ୍ଲୀର ବିଦ୍ୟାଳୟ ଛାତ୍ରୀ (୨୦୧୬ ମସିହାର ଚିତ୍ର)
ୱିକିମିଡିଆ କମନ୍ସ୍

କେତେକ ବର୍ଷ ପୂର୍ବେ ସ୍ତ୍ରୀଶିକ୍ଷା ବିଷୟରେ ଦେଶରେ ନାନା ଆଲୋଚନା ହେଉଥିଲା । ଛାତ୍ର ସମିତିରୁ ଆରମ୍ଭ କରି ଦେଶର ବଡ ବଡ ସଭାମାନଙ୍କରେ ଏ ସମ୍ୱନ୍ଧେ ଆଲୋଚନା ଚାଲିଥିଲା । ଏବେ ଆଉ ତେତେ ଶୁଣାଯାଏ ନାହିଁ । ଏହାର କାରଣ ସ୍ତ୍ରୀଶିକ୍ଷା ପ୍ରତି ଲୋକଙ୍କର ବର୍ତ୍ତମାନ ସେତେ ଆପତ୍ତି ନାହିଁ । ମାତ୍ର ଏହା ଆବଶ୍ୟକ ବୋଲି ବିଶ୍ୱାସ ଜନ୍ମିଅଛି କି ନାହିଁ, ସନ୍ଦେହ । ସରକାରୀ ରିପୋର୍ଟରୁ ଜଣାଯାଏ ଯେ ସମଗ୍ର ଭାରତର ଲୋକସଙ୍ଖ୍ୟା ମଧ୍ୟରୁ ଶତକଡ଼ାର ଦଶମିକ ୯ ଜଣ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଅଛନ୍ତି । ଏହା ୧୯୧୫-୧୬ ମସିହାରେ ହିସାବ । ଲୋକେ କଥାରେ କହନ୍ତି କୋଟିକେ ଗୋଟିଏ ଶହେକେ ପୂରା ଜଣେ ସୁଦ୍ଧା ପଡ଼ୁନାହିଁ । ବମ୍ୱେଇ, ମାନ୍ଦ୍ରାଜ ପ୍ରଭୃତି ଦାକ୍ଷିଣାତ୍ୟ ଅଞ୍ଚଳରେ ସ୍ତ୍ରୀମାନଙ୍କର ଅବରୋଧ ପ୍ରଥା ନାହିଁ । ଉତ୍ତରାଞ୍ଚଳ ଅପେକ୍ଷା ତେଣେ ସ୍ତ୍ରୀ ଶିକ୍ଷାର ପ୍ରସାର ଟିକିଏ ଅଧିକ । ସୁତରାଂ ଶତକଡ଼ା ଯେ ଅନୁପାତ ଧରାଯାଇଛି ଉତ୍ତରାଞ୍ଚଳରେ ତାହାଠାରୁ ବହୁ ଉଣା ହେବ । ସହରମାନଙ୍କରେ ସ୍ତ୍ରୀଶିକ୍ଷା ସମ୍ୱନ୍ଧେ ସାମାନ୍ୟ ଯତ୍ନ ଥିବାର ଦେଖାଯାଏ । ସ୍କୁଲ କଲେଜ ସ୍ଥାପନର ଆୟୋଜନ କୌଣସି କୌଣସି ଠାରେ ହେଉଅଛି । ମାତ୍ର ପଲ୍ଲୀ ଗ୍ରାମରେ ଏ ସମ୍ୱନ୍ଧେ କୌଣସି ଚେଷ୍ଟା ନାହିଁ । ଟଙ୍କା ରୋଜଗାର ଛଡା ପାଠର ଆଉ କିଛି ଉଦ୍ଦେଶ୍ୟ ଅଛି ବୋଲି ଲୋକେ ବୁଝନ୍ତି ନାହିଁ । ବାଳକମାନଙ୍କୁ ମଧ୍ୟ ଏହି ହିସାବରେ ପଢ଼ାନ୍ତି । ଓଡ଼ିଶାରେ ଅନେକ ମଫସଲବାସୀ ଧନୀ ପୁଅମାନଙ୍କୁ ହରି ଗୁଣ ଫେଡ଼ା ମିଶା ଡ଼େଇଁ ଅଧିକ ଦୂର ପଢ଼ାନ୍ତି ନାହିଁ କହନ୍ତି ପୁଅ କଅଣ ଚାକିରି କରି ଟଙ୍କା ରୋଜଗାର କରିବ । ଅନେକ ନିର୍ଦ୍ଧନ ଧନ ଅଭାବରୁ ପଢ଼ାଇ ପାରନ୍ତି ନାହିଁ କହନ୍ତି ଯେ ଅଧିକ ଦୂର ନ ପଢିଲେ ତ ଚାକିରି ମିଳିବ ନାହିଁ ସେତେ ଦୂର ପଢ଼ାଇବାକୁ ବଳ କାହିଁ ? ସୁତରାଂ କଷ୍ଟ ସହି ସାମାନ୍ୟ ପଢ଼ାଇବାରେ କିଛି ଲାଭ ନାହିଁ କଷ୍ଟ ମାତ୍ର ସାର ବୋଲି ସେମାନେ ଆଦୌ ପଢାନ୍ତି ନାହିଁ ବହୁତ ସମସ୍ତଙ୍କରଠାରେ ସେ ଆଶା ଆଦୌ ନାହିଁ। । ବାପଘର... ଯେ କଥା ସେଥିରେ ଲୋକ ସାଧାରଣଙ୍କର ମନ ମାନେ ନାହିଁ । ପୁରୁଷମାନଙ୍କ ସମ୍ୱନ୍ଧେ ଟିକିଏ ବିଶ୍ୱାସ ହୋଇପାରେ ମାତ୍ର ସ୍ତ୍ରୀମାନଙ୍କ ସମ୍ୱନ୍ଧେ ବରଂ ବିପରୀତ ଭାବ ହୁଏ । ଏ ଅବସ୍ଥାରେ ହୁଏ ଦେଶରେ ସ୍ତ୍ରୀଶିକ୍ଷା ବୃଦ୍ଧି ପାଇବ କିପରି ? ପାଠବଳରେ ସ୍ତ୍ରୀଲୋକମାନଙ୍କର ରୋଜଗାର କରିବାର ବାଟ ତିଲେ ଅନେକେ କୌଣସି ଆପତ୍ତି ନ ଉଠାଇ ଝିଅଝିଆରୀମାନଙ୍କୁ ଅବଶ୍ୟ ଖଣ୍ଡଦୂର ପଢ଼ାନ୍ତେ । ପୁଣି ଆଉ ଗୋଟିଏ କଥା ବାଳିକାର ଶାଶୁଘର ତା ଉପାର୍ଜନର ଫଳଭାଗୀ ହେବ, ସେଥିଲାଗି ବ୍ୟୟ ବହିବାକୁ ବାପଘର ପ୍ରସ୍ତୁତ ହେବ କାହିଁକି ? ଝିଅମାନଙ୍କୁ ପଢ଼ାଇବାକୁ କୁହାଗଲେ ଲୋକେ କହନ୍ତି ପଢିକି କାରଣ ? ପରହାଣ୍ତି ଧୋଇ ଖାଇବ, ଚୁଲିମୁଣ୍ଡକୁ ଯୋଗ୍ୟ ନହୋଇ ଦାଣ୍ଡ ହାଟକୁ ଯୋଗ୍ୟ ହେଉଥିଲେ ବାଳିକାମାନଙ୍କୁ ପଢ଼ାଇବା ଲାଗି ଅନେକେ ଯତ୍ନ କରୁଥାନ୍ତେ । ସ୍ଥୂଳେ କଥା ଆମ୍ଭମାନଙ୍କ ଲୋକେ ଯହିଁରେ ପ୍ରତ୍ୟକ୍ଷ ଲାଭ ନ ଦେଖନ୍ତି ହାତେ ହାତେ ଫଳ ପାଇବାର ଆଶା ନ କରନ୍ତି ସେଥିରେ ପଶିବାକୁ ଚାହାନ୍ତି ନାହିଁ । ଧନ ବର୍ତ୍ତମାନ ସକଳ କାର୍ଯ୍ୟରେ ନିୟାମକ ଏବଂ ପ୍ରବର୍ତ୍ତକ ହୋଇଅଛି । ଧର୍ମଶାସ୍ତ୍ରର ଉପଦେଶରେ ଲୋକଙ୍କ ମନ ସହଜରେ ଟଳୁ ନାହିଁ, ସାମାଜିକ ଉପକାରରେ ଆଦୌ ପ୍ରତ୍ୟୟ ଜନ୍ମ ନାହିଁ । ସ୍ତ୍ରୀଶିକ୍ଷା ବିସ୍ତାର ଉଦ୍ୟମରେ ସମାଜର ଏହି ଅବସ୍ଥା ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ।

ସମୟର ଅତ୍ୟନ୍ତ ଶୁଭ ସୂଚନା ଯେ ସ୍ତ୍ରୀଶିକ୍ଷା ସମ୍ୱନ୍ଧେ ବର୍ତ୍ତମାନ ଆଲୋଚନା ଆରମ୍ଭ ହୋଇଛି । ଦେଶର ନାନା ସ୍ଥାନରେ ସାନ ବଡ଼ ଅନେକେ ଏଥିରେ ଧନମନ ଲଗାଉଅଛନ୍ତି । ଟିକାରିର ମହାରାଜାକୁମାରଙ୍କଠାରୁ ଆରମ୍ଭ କରି ପୁରୀ ମହିଳାବନ୍ଧୁ ସମିତିର ସମ୍ପାଦକ ବଳଭଦ୍ର ମିଶ୍ରଙ୍କ ପର୍ଯ୍ୟନ୍ତ ନାନା ଅବସ୍ଥାରେ ଉଦ୍‌ଯୋକ୍ତାମାନଙ୍କର ଉତ୍ସାହ ଓ ସ୍ୱାର୍ଥତ୍ୟାଗ ଏ କ୍ଷେତ୍ରରେ ପ୍ରକାଶ ପାଉଅଛି । ଏହିପରି ଭାବରେ ସ୍ଥାନେ ସ୍ଥାନେ ବ୍ୟକ୍ତିଗତ ଏବଂ ଦଳଗତ ଉଦ୍ୟମ ଚାଲିଲେ ଅଳ୍ପ ସମୟ ମଧ୍ୟରେ ଲୋକଙ୍କ ସଂସ୍କାର ବହୁ ପରିମାଣରେ ବଦଳିଯିବାର ଆଶା ହୁଏ ।

ବିହାର ପ୍ରଦେଶ ଅନ୍ତର୍ଗତ ଟିକାରିର ମହାରାଜାକୁମାର ତାଙ୍କ ସମସ୍ତ ସମ୍ପତ୍ତି ସ୍ତ୍ରୀଶିକ୍ଷା ନିମନ୍ତେ ସମ୍ପ୍ରତି ଦାନ କରିଅଛନ୍ତି । ସମ୍ପତ୍ତି ସାମାନ୍ୟ ନୁହେଁ । ବାର୍ଷିକ ଆୟ ୧୩ ଲକ୍ଷ ଟଙ୍କା ସମସ୍ତ ଖର୍ଚ୍ଚ ଯାଇ ଦଶ ଲକ୍ଷ ଟଙ୍କା ବାର୍ଷିକ ବଳିବ । ଏହି ଟଙ୍କାରେ ପାଟନା ରାଜଧାନୀ ବାଙ୍କିପୁରଠାରେ ସ୍ତ୍ରୀଲୋକମାନଙ୍କ ନିମନ୍ତେ ଏକ କଲେଜ ସ୍ଥାପିତ ହେବ ଏବଂ ଚଳିବ । ଦେଶରେ ଯେଉଁ କାର୍ଯ୍ୟ ନିମନ୍ତେ ଏପରି ସର୍ବସ୍ୱାନ୍ତ ବିପୁଳ ଦାନ ହେଲାଣି ତାହାର ସଫଳତା ଅବଶ୍ୟମ୍ଭାବୀ ।

ମହିଳାବନ୍ଧୁ ସମିତି ପୁରୀର ରକ୍ଷଣଶୀଳ ସେବକମାନଙ୍କ ସମାଜରେ ସ୍ତ୍ରୀଶିକ୍ଷା ପ୍ରଚାରର ଉଦ୍ୟମ କରୁଅଛି । ଏହା ଯତ୍ନରେ ଗୋଟିଏ ପ୍ରାଥମିକ ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଅଛି । ଶିକ୍ଷୟିତ୍ରୀ ହେବାକୁ ଉପଯୁକ୍ତ କରିବା ଲାଗି ବିଧବା କେତେ ଜଣଙ୍କୁ ଶିକ୍ଷା ଦିଆଯାଉଅଛି । କାର୍ଯ୍ୟ ବଡ ନୁହେଁ; ମାତ୍ର ରକ୍ଷଣଶୀଳତା ବିରୁଦ୍ଧରେ ଉଦ୍ୟମ ବୋଲି ଏହାର ଗୌରବ । ପୁରୀର ସୁପରିଚିତ ମହା-ମହୋପାଧ୍ୟାୟ ପଣ୍ଡିତ ଶ୍ରୀ ସଦାଶିବ ମିଶ୍ର,... ନ୍ୟାୟତୀର୍ଥପଣ୍ଡିତ ଶ୍ରୀ ଜଗନ୍ନାଥ ମିଶ୍ର ପ୍ରଭୃତି ପ୍ରାଚୀନ ମତାବଲମ୍ୱୀମାନେ ଏହି ସମିତିର ସଭାପତି ରୂପେ ଅକୁଣ୍ଠିତ ଭାବରେ ସ୍ତ୍ରୀଶିକ୍ଷାର ପକ୍ଷ ସମର୍ଥନ କରିଥିବା ବିଶେଷ ଆଶାର ଚିହ୍ନ । ପଣ୍ଡିତ ଶ୍ରୀ ଜଗନ୍ନାଥ ମିଶ୍ର ମହାଶୟ ତାଙ୍କ ସଭାପତି ବକୃତାରେ କହିଥିଲେ: “ଯେଉଁ ଉପାୟରେ ଚରିତ୍ର ଉଜ୍ଜ୍ୱଳ ରହିବ, ଚିତ୍ତବୃତ୍ତି ପ୍ରଶସ୍ତ ରହିବ, ତାହା ଏକମାତ୍ର ଶିକ୍ଷା । ଶିକ୍ଷାର ସୁବିଧା ନ କରି କେବଳ ମାତ୍ର ଅବରୋଧ ଦଳରେ ଚରିତ୍ରରକ୍ଷାର ପ୍ରତ୍ୟାଶା କରାଯାଇ ନ ପାରେ । କୃଷି ଓ ବୀଜବିପନ ପ୍ରଭୃତି ନ କରି କ୍ଷେତ୍ରରେ ବାଡାବନ୍ଦି କରିଦେଲେ ଶସ୍ୟର ମୁଖଦର୍ଶନ ହୁଏ କି ?”

ସ୍ତ୍ରୀଶିକ୍ଷା ବିରୁଦ୍ଧରେ ପୂର୍ବର ଅମୂଳକ ରକ୍ଷଣଶୀଳ ସଂସ୍କାର କ୍ରମେ କିପରି ଶିଥିଳ ହୋଇ ଆସୁଛି, ଏହା ତହିଁର ପ୍ରମାଣ ।

(ସତ୍ୟବାଦୀ, ୩ୟ ଖଣ୍ଡ, ୫ମ ଓ ୬ଷ୍ଠ ସଂଖ୍ୟା-୧୯୧୮)

Friday, March 30, 2018

ପିଲାଙ୍କ ପାଇଁ କବିତା - 'ପଣ୍ଡିତଙ୍କ ମୁଣ୍ଡ'


ଜଗନ୍ନାଥ ପ୍ରସାଦ ଦାସ


କୌଣବଙ୍ଖି ବଂଶ ରାଜୁତିରେ ବର୍ମାର ବ୍ରାହ୍ମଣ ପୁରୋହିତ
ୱିକିମିଡିଆ କମନ୍ସ୍ 

ଦିନ ରାତି ପାଠ ପଢ଼ି
ପଣ୍ଡିତଙ୍କ ମୁଣ୍ଡ ଭାରୀ
ତାଳ ରଖି ପାରେ ନାହିଁ
ତାଙ୍କ ଅତରଛରେ,
ପଣ୍ଡିତ ଯା'ନ୍ତି ଆଗ
ତର ତର ଡଗ ଡଗ
ମୁଣ୍ଡ ତାଙ୍କ ରହିଥାଏ
ଦୁଇ ଫୁଟ ପଛରେ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Thursday, March 29, 2018

ପିଲାଙ୍କ ପାଇଁ ପହେଳି - ୮

ସଙ୍ଗ୍ରାହକ - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଚିତ୍ର - 'ଅନ୍ଧ ମହିଳା' (୧୬୫୦ ଦଶକରେ ଅଙ୍କିତ)
ଚିତ୍ରକର - ଡିଏଗୋ ଭେଲାଜ୍‌କ୍ୱେଜ୍ (୧୫୯୯-୧୬୬୦)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ପହେଳି - ଅନଳ ନଳ ସବୁ ଖାଏ
ତିନି ମୁଣ୍ଡରେ ଆଟିକା ବହେ ।

ଉତ୍ତର - ଚୁଲି

ପହେଳି - ଅନ୍ଧ ଅଟେ ମୁହିଁ ଭୂଇଁ ବିଦାରେ
ଯାହା ଖାଏ ତାହା ଗାଳେ ବାହାରେ ।

ଉତ୍ତର - ଜିଆ

ପହେଳି - ଅମଞ୍ଜା ମଞ୍ଜା, 
ମଞ୍ଜି ନାହିଁ ତା'ର ଭୂଇଁରୁ ଗଜା ।

ଉତ୍ତର - ଛତୁ

ଉତ୍ସ - ଶ୍ରୀ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଦ୍ୱାରା ସମ୍ପାଦିତ ଓ ଓ ସଙ୍କଳିତ 'ଓଡ଼ିଆ ଶିଶୁ-କିଶୋର ଢଗଢ଼ମାଳି' । ବହିଟିର ପ୍ରଥମ ପ୍ରକାଶ ୨୦୧୭ ମସିହାରେ । ପ୍ରକାଶକ ହେଲେ ନୂଆଦିଲ୍ଲୀସ୍ଥ କେନ୍ଦ୍ରୀୟ ସାହିତ୍ୟ ଅକାଦେମି ।

Wednesday, March 28, 2018

ବାୟୁମଣ୍ଡଳ

ଅନୁବାଦ - ବିଶ୍ୱଜିତ ଆପଟ


ପୃଥିବୀର ବାୟୁମଣ୍ଡଳ (ୱିକିମିଡିଆ କମନ୍ସ୍)


ପୃଥିବୀକୁ ବାୟୁର ଏକ ସ୍ତର ଘୋଡାଇ ରଖିଛି ଯାହାକୁ ବାୟୁମଣ୍ଡଳ କୁହାଯାଏ । ବାୟୁର ଏହି ପତଳା ସ୍ତର ଆମ ଗ୍ରହର ଏକ ଅପରିହାର୍ଯ୍ୟ ଅଙ୍ଗ ଅଟେ । ଏହା ଆମର ଶ୍ୱାସକ୍ରିୟା ପାଇଁ ଆବଶ୍ୟକୀୟ ବାୟୁ ପ୍ରଦାନ କରିଥାଏ ଓ ଆମକୁ ସୂର୍ଯ୍ୟରଶ୍ମିର ହାନିକାରକ ପ୍ରଭାବରୁ ରକ୍ଷା କରେ ।

ବାୟୁମଣ୍ଡଳ ଭୂପୃଷ୍ଠରୁ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ । ବାୟୁମଣ୍ଡଳର ତାପମାତ୍ରା, ଘନତ୍ୱ ଓ ଅନ୍ୟାନ୍ୟ ଆଧାରରେ ବାୟୁମଣ୍ଡଳକୁ ପାଞ୍ଚଟି ସ୍ତରରେ ବିଭକ୍ତ କରାଯାଇଛି । ପୃଥିବୀ ପୃଷ୍ଠରୁ ଉପରକୁ କ୍ରମ ଅନୁସାରେ ସେହି ସ୍ତରଗୁଡିକ ହେଲା : ଟ୍ରପୋସ୍ଫିଅର, ଷ୍ଟ୍ରାଟୋସ୍ଫିଅର, ମେସୋସ୍ଫିଅର, ଥର୍ମୋସ୍ଫିଅର ଓ ଏକ୍ସୋସ୍ଫିଅର ।

ବାୟୁମଣ୍ଡଳରେ ମୁଖ୍ୟତଃ ଅମ୍ଳଜାନ ଓ ଯବକ୍ଷାରଜାନ ରହିଛି ଯାହାର ପରିମାଣ ଶୁଷ୍କ ଓ ସଫା ବାୟୁରେ ପ୍ରାୟ ଶତକଡା ୯୯ ଭାଗ । ଆୟତନ ଅନୁସାରେ ବାୟୁମଣ୍ଡଳରେ ଯବକ୍ଷାରଜାନର ମାତ୍ରା ୭୮ ପ୍ରତିଶତ, ଅମ୍ଳଜାନର ମାତ୍ରା ୨୧ ପ୍ରତିଶତ ତଥା ଅନ୍ୟାନ୍ୟ ଗ୍ୟାସ ଯେପରିକି ଅଙ୍ଗାରକାମ୍ଳ, ଆରଗନ୍ ଇତ୍ୟାଦିର ମାତ୍ରା ୧ ପ୍ରତିଶତ ଅଟେ । ଅମ୍ଳଜାନ ଶ୍ୱାସକ୍ରିୟା ପାଇଁ ଆବଶ୍ୟକ ଓ ଯବକ୍ଷାରଜାନ ଜୀବଜଗତର ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ । ଅଙ୍ଗାରକାମ୍ଳ ଅତି କମ୍ ପରିମାଣରେ ଥିଲେ ମଧ୍ୟ ଏହା ପୃଥିବୀ ବିକିରଣ କରୁଥିବା ତାପକୁ ଗ୍ରହଣ କରି ପୃଥିବୀର ଉଷ୍ଣତା ରକ୍ଷା କରିବାରେ ସାହାଯ୍ୟ କରେ । ଏହା ଉଦ୍ଭିଦ ଜଗତର ଅଭିବୃଦ୍ଧି ପାଇଁ ମଧ୍ୟ ବିଶେଷ ଆବଶ୍ୟକ ।

ଉଚ୍ଚତା ଅନୁସାରେ ବାୟୁମଣ୍ଡଳର ଘନତ୍ୱ ଭିନ୍ନ ଭିନ୍ନ ହୁଏ । ସମୁଦ୍ରପତ୍ତନରେ ଘନତ୍ୱ ସବୁଠାରୁ ବେଶୀ ଓ ଆମେ ଯେମିତି ଉପରକୁ ଯିବା ଏହା ତୀବ୍ର ଗତିରେ ହ୍ରାସ ପାଇବ । ଏହି ଘନତ୍ୱ ହ୍ରାସ ଯୋଗୁଁ ପର୍ବତ ଆରୋହଣକାରୀମାନଙ୍କ ପାଇଁ ଶ୍ୱାସକ୍ରିୟା କଷ୍ଟ ହୁଏ । ଉଚ୍ଚ ପର୍ବତରେ ପ୍ରଶ୍ୱାସ ନେବା ପାଇଁ ସେମାନଙ୍କୁ ସାଥିରେ ଅମ୍ଳଜାନପୂର୍ଣ୍ଣ ଥଳୀ ନେବାକୁ ପଡେ । ଉଚ୍ଚତା ବଢିବା ସହିତ ତାପମାତ୍ରା ମଧ୍ୟ ହ୍ରାସ ପାଇଥାଏ । ବାୟୁମଣ୍ଡଳ ଭୂପୃଷ୍ଠ ଉପରେ ଚାପ ପକାଇଥାଏ । ଏହା ମଧ୍ୟ ବିଭିନ୍ନ ସ୍ଥାନରେ ଭିନ୍ନ ହୋଇଥାଏ । କେତେକ ଅଞ୍ଚଳରେ ବାୟୁର ଚାପ ଅଧିକ ଥାଏ ଓ ଆଉ କେତେକ ଅଞ୍ଚଳରେ ଚାପ କମ୍ ଥାଏ । ବାୟୁଚାପ ଅଧିକ ଥିବା ସ୍ଥାନରୁ ବାୟୁଚାପ କମ୍ ଥିବା ସ୍ଥାନକୁ ବାୟୁ ପ୍ରବାହିତ ହୁଏ । ପ୍ରବାହିତ ହେଉଥିବା ବାୟୁକୁ ପବନ କୁହାଯାଏ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ପଞ୍ଚମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Monday, March 26, 2018

ପ୍ରାଥମିକ ଶିକ୍ଷାର ଗତି

ଗୋପବନ୍ଧୁ ଦାଶ


ଜର୍ମାନୀ ଦେଶର ତ୍ରାଇଆଠାରେ ସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟର ଚିତ୍ର (ୱିକିମିଡିଆ କମନ୍ସ୍)


ପ୍ରାଥମିକ ଶିକ୍ଷା ପୃଥିବୀରେ ପ୍ରାୟ ସମାନ ସମସ୍ତ ଦେଶରେ ଦ୍ରୁତ ବେଗରେ ଗତି କରୁଅଛି । ନିରକ୍ଷର ହେବା ପାପ ବୋଲି ଭାରତରେ ଯେ ପ୍ରାଚୀନ ବିଶ୍ୱାସ ଥିଲା ଆଜି ତାହା ଭାରତରୁ ପ୍ରାୟ ଲୋପ ପାଇ ଅନ୍ୟାନ୍ୟ ଦେଶରେ ବିସ୍ତାର ଲାଭ କରିଅଛି । ଅନ୍ନଦାନ ଶ୍ରେଷ୍ଠ ଦାନ ମାତ୍ର ବିଦ୍ୟାଦାନ ଶ୍ରେଷ୍ଠତର ବୋଲି ହିନ୍ଦୁ ଶାସ୍ତ୍ରକାରମାନେ ନିର୍ଦ୍ଦେଶ କରିଅଛନ୍ତି । ତେଣୁ ବିଦ୍ୟାଧ୍ୟାୟୀ ଏବଂ ଅଧ୍ୟାପକଙ୍କ ପ୍ରତି ପ୍ରାଚୀନ ସମାଜ ବିଶେଷ ଭକ୍ତି, ଶ୍ରଦ୍ଧା ଓ ଆଦର ଦେଖାଉଥିଲେ । ସମାଜର ଅଧୋଗତି ସଙ୍ଗେ ସଙ୍ଗେ ସେ ଶ୍ରଦ୍ଧା ଓ ଆଦର ନଷ୍ଟ ହୋଇଅଛି । ପୂର୍ବେ ଯେ ସବୁ କାର୍ଯ୍ୟ ସମାଜ ସମ୍ପାଦନ କରୁଥିଲେ, ଆଜି କାଲି ସେଥିରୁ ଅଧିକାଂଶର ଭାର ସରକାର ଗ୍ରହଣ କରିଅଛନ୍ତି, ବର୍ତ୍ତମାନ ପ୍ରାୟ ପୃଥିବୀରେ ସମସ୍ତ ସଭ୍ୟ ଦେଶରେ ଲୋକ ସାଧାରଣଙ୍କର ନିରକ୍ଷରତା ଦୂର କରିବା ନିମନ୍ତେ ସମସ୍ତଙ୍କର ଯତ୍ନ । ପ୍ରାଥମିକ ଶିକ୍ଷାର ବହୁଳ ବିସ୍ତାର ଲାଗି ନାନା ବିଧିବିଧାନ ପ୍ରବର୍ତ୍ତିତ ହେଉଅଛି । ମନେହୁଏ ପୃଥିବୀରୁ ନିରକ୍ଷରତା ଏକାବେଳକେ ଅପସୃତ ହେବା ଲାଗି ଆଉ ବେଶି ଦିନ ନାହିଁ । ମାତ୍ର ଭାରତ ଶିକ୍ଷା ବିବରଣୀରୁ ପ୍ରକାଶ ଯେ ସମଗ୍ର ଭାରତୀୟ ଲୋକ ସଙ୍ଖ୍ୟାର ଶତକଡ଼ା ୨.୭ ପ୍ରାଥମିକ ଶିକ୍ଷା ପାଉଛନ୍ତି । ଅର୍ଥାତ୍ ଶହେ ଜଣ ଲୋକଙ୍କ ମଧ୍ୟରୁ ଅଢ଼େଇ ଜଣରୁ କିଛି ବେଶିଙ୍କର ବର୍ଣ୍ଣ ପରିଚୟ ହେଉଅଛି । ୧୯୦୬-୦୭ ମସିହାରେ ଶତକଡ଼ା ୧.୯ କିମ୍ୱା ୨ ଜଣ ପ୍ରାଥମିକ ଶିକ୍ଷା ପାଉଥିଲେ । ଏଥିରୁ ଦେଖାଯାଉଛିଦଶ ବର୍ଷ ମଧ୍ୟରେ ଶହେ ଜଣଙ୍କ ମଧ୍ୟରେ ଅଧ ଜଣେ ମାତ୍ର ବଢ଼ିଅଛି । ଏହି ଗତିରେ ଚାଲିଲେ ଭାରତରେ ସମସ୍ତେ ସାକ୍ଷର ହେବାକୁ କେତେ ବର୍ଷ ଲାଗିବ ?

ସାତ ବର୍ଷ ପୂର୍ବେ ସ୍ୱର୍ଗୀୟ ଗୋଖଲେ ଅନ୍ୟାନ୍ୟ କେତେକ ଦେଶରେ ପ୍ରାଥମିକ ଶିକ୍ଷାର ଯେ ହିସାବ ଭାରତ ସରକାରଙ୍କ ନିକଟରେ ଆଗତ କରିଥିଲେ ତାହା ଏ ସମ୍ପର୍କରେ ଜାଣିବା ଆବଶ୍ୟକ । ଯୁକ୍ତରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ ଥିବା ସଂଖ୍ୟା ଶତକଡ଼ା ୨୧, କାନେଡ଼ା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ସ୍କଟ୍‌ଲାଣ୍ଡ, ଆୟାରଲାଣ୍ଡର ୨୦ରୁ ୧୭ ମଧ୍ୟରେ କିଛି ବେଶି । ସ୍ୱୀଡ଼େନରେ ୧୪, ଡେନ୍‌ମାର୍କରେ ୧୩, ବେଲ୍‌ଜିୟମରେ ୧୨ ଓ ଜାପାନରେ ୧୧ । ଭାରତର ଅଢେଇ ଜଣ କେବେ ଏ ସୀମାକୁ ଉଠିବେ ?

ଏକ ଶହ ଲୋକଙ୍କ ମଧ୍ୟରେ ସ୍କୁଲରେ ପଢ଼ିବା ଯୋଗ୍ୟ ୧୫ ଜଣ ଥିବାର ସରକାରୀ ହିସାବରେ ଧରାଯାଏ । ୧୫ ଜଣକୁ ବର୍ତ୍ତମାନ ୨.୭ ସ୍କୁଲରେ ଅଛନ୍ତି । ଆଉ ୧୨.୩ ଜଣ ସ୍କୁଲକୁ ଆସିଲେ ପଢ଼ିବା ଯୋଗ୍ୟ ସମସ୍ତେ ପଢ଼ିଲେ ବୋଲି ଧରାଯିବ । ଦଶ ବର୍ଷରେ ଶହେ ଜଣରେ ଅଧ ଜଣ ମାତ୍ର ବଢ଼ୁଛି । କିମ୍ୱା ଠିକ୍ ହିସାବ ଧଇଲେ ୦.୮ ବଢୁଛି । ଏହି ବୃଦ୍ଧି ନିମନ୍ତେ ଦଶବର୍ଷ ଲାଗିଲେ ଆଉ ୧୨.୩ ଜଣ ସ୍କୁଲକୁ ଆସିବା ବେଳକୁ ୧୫୪ ବର୍ଷ ବିତିଯିବ ଭାରତର ଲୋକସଙ୍ଖ୍ୟା ଯେବେ ନ ବଢେ କମି ଛିଡ଼େ । ଯେ ଗତିରେ ଶିକ୍ଷା ଚାଲିଛି, ସେହି ପରି ଚାଲିଲେ ସବୁ ଲୋକେ ପ୍ରାଥମିକ ଶିକ୍ଷା ପାଇବାକୁ ଆଜି ଠାରୁ ଦେଢ଼ ଶହ ବର୍ଷ ଚାଲିଯିବ ।

(ସତ୍ୟବାଦୀ ୩ୟ ଖଣ୍ଡ, ୫ମ ଓ ୬ଷ୍ଠ ସଂଖ୍ୟା-୧୯୧୮)

Sunday, March 25, 2018

ପିଲାଙ୍କ ପାଇଁ କବିତା - ଅ ର ଚୋର


ଜଗନ୍ନାଥ ପ୍ରସାଦ ଦାସ


୧୦୬୦ ଖ୍ରୀଷ୍ଟାବ୍ଦର ଓଡ଼ିଆ ଲିପି

ଲେଖୁ ଲେଖୁ ବସି ମୋ ପଢ଼ା ଘରେ
ଶୋଇ ଯାଇ ଥିଲି ଗାଢ଼ ନିଦରେ ।

କେତେବେଳେ ଆସି ଚୋରଙ୍କ ଦଳ
ରାତିରେ ପଶିଲେ ଘର ଭିତର ।

ଯେତିକି ଜିନିଷ ଥିଲା ମୋ ଘରେ
ସବୁ ପୋଛି ନେଲେ କଳା କନାରେ ।

ଶେଷରେ ଚୋରାଇ ନେଲେ ସେ ଚୋର
କବି ରୁ ମୋର କିଛି ଅକ୍ଷ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Thursday, March 22, 2018

ଗୋଟିଏ ଚୁକ୍ତିର କଥା

ଜ୍ୟୋତି ନନ୍ଦ


ଜ୍ୟୋତି ନନ୍ଦଙ୍କର ଫେସବୁକ କାନ୍ଥରୁ ସଙ୍ଗୃହିତ

୧୯୨୩ ଖ୍ରୀଅ ।

ଏହି ଚୁକ୍ତିଟି ବିଶେଷ କରି ଶିକ୍ଷିକା ମାନଙ୍କ ପାଇଁ ପ୍ରଚଳିତ ଥିଲା । ଆଜି ଏଇ ଚୁକ୍ତିକୁ ପଢିଲା ବେଳେ ଆମକୁ ଲାଗିବ ଯେ, ଆମେ ଆଜି କେତେ ଭଲରେ ଅଛୁ । ବିଶେଷ କରି ଆମର ମିସ୍ ମାନେ, ଦିଦି ମାନେ, ମାଡାମ୍ ମାନେ, ଏହାକୁ ଯଦି ପଢନ୍ତି, ତେବେ ଘଡିଏ ସ୍ୱସ୍ତିର ନିଶ୍ୱାସ ମାରିବେ ଯେ, ଏବେ ଊଣେଇଶ ତେଇଶ ସାଲ ଚାଲୁନାହିଁ । ଏବେ ଆମେ ଢେର ସ୍ୱାଧୀନ ।

ଶିକ୍ଷିକାମାନଙ୍କj ଏଇ ଚୁକ୍ତିଟି ଓହାୟୋ ଏଜୁକେସନାଲ୍ ଆସୋସିଏସନ୍ କର୍ତ୍ତୃକ ୱେବସାଇଟ୍‌ରେ ପ୍ରକାଶିତ ଏବଂ ପ୍ରାୟତଃ ଆନ୍ତର୍ଜାତିକ ନାରୀ ଦିବସରେ ଏଇ କିଛି ବର୍ଷ ହେଲା ଏହି ଚୁକ୍ତିଟି ବହୁଳ ଭାବରେ ପ୍ରଚାରିତ ହୋଇଆସୁଛି ।

ଏହି ଚୁକ୍ତିର ଅନ୍ୟ ସବୁ ଚୁକ୍ତି ଭଳି ପକ୍ଷ ଓ ପ୍ରତିପକ୍ଷ ରହିବା ସ୍ୱାଭାବିକ ।

ଆମର ଏଠାରେ ଯେତେକ ଶକ୍ତିବାହିନୀ ଅଛନ୍ତି, ସେମାନେ ଶେଷ ଯାଏଁ ତାଙ୍କର ଅନ୍ତର୍ନିହିତ କ୍ରୋଧକୁ ପ୍ରବୋଧନା ଦେଇ ରଖିବେ ବୋଲି ମୋର ଅନୁରୋଧ ।

ଏଇ ଚୁକ୍ତିର ସର୍ତ୍ତ ଅନୁସାରେ ଶିକ୍ଷିକା ମାନେ:

୧) ବିବାହ କରିପାରିବେ ନାହିଁ । ବିବାହ କରିବା ଅର୍ଥ ତତକ୍ଷଣାତ୍ ବୃତ୍ତିରୁ ବିତାଡନ ।
୨) ପୁରୁଷସଙ୍ଗୀ ରଖିପାରିବେ ନାହିଁ ।
୩) ସ୍କୁଲ ଫଙ୍କସନ୍ ଆଦି ବ୍ୟତୀତ ସେମାନେ ରାତି ଆଠଟାରୁ ସକାଳ ଛଅଟା ଯାଏଁ ଘର ଭିତରେ ରହିବାକୁ ବାଧ୍ୟ ।
୪) ସହରତଳି ଅଞ୍ଚଳର ଆଇସକ୍ରିମ ଦୋକାନ ସାମ୍ନାରେ ବୁଲିବା ସେମାନଙ୍କୁ ବାରଣ ।
୫) ବୋର୍ଡ ଅଫ୍ ଟ୍ରଷ୍ଟିର ଚେୟାରମ୍ୟାନ୍‌ଙ୍କ ଅନୁମତି ବିନା ସେମାନେ ସହର ଛାଡ଼ି ବାହାରକୁ ଯାଇପାରିବେ ନାହିଁ ।
୬) ସିଗାରେଟ ଟାଣି ପାରିବେ ନାହିଁ । ସିଗାରେଟ ଟାଣିବାର ଦେଖାଗଲେ ଚୁକ୍ତି ତତକ୍ଷଣାତ୍ ବାତିଲ ହେଲା ବୋଲି ଧରାଯିବ ।
୭) ବିଅର, ୱାଇନ ଆଉ ହ୍ୱିସ୍କି ପାନ ନିଷେଧ । ଏଇ ଜାତୀୟ ଅବକାରୀ ଦ୍ରବ୍ୟ ସେବନ କରୁଥିବାର ଜଣାଯିବା ମାତ୍ରକେ ଉକ୍ତ ଚୁକ୍ତି ବାତିଲ ।
୮) ନିଜ ଭାଇ ଓ ବାପାଙ୍କ ବ୍ୟତୀତ ଅନ୍ୟ କୌଣସି ପୁରୁଷ ସହ କୌଣସି ଘୋଡ଼ାଗାଡ଼ି ବା ମଟରଗାଡ଼ିରେ ଯିବା ବାରଣ ।
୯) ଉଜ୍ଜଳ ରଙ୍ଗର ପୋଷାକ ପରିଧାନ ନିଷେଧ ।
୧୦) କେଶକୁ ରଙ୍ଗ କରିବା ନିଷେଧ ।
୧୧) ଦୁଇଟି ପେଟିକୋଟ୍ ପିନ୍ଧିବା ବିଧେୟ ।
୧୨) ଗୋଇଠିର ଦୁଇଇଞ୍ଚର ଉପରକୁ ପୋଷାକ ପିନ୍ଧିବା ନିଷେଧ ।
୧୩) ସ୍କୁଲ ଘର ପରିଷ୍କାର ରଖିବା ନିମନ୍ତେ:
କ• ଶ୍ରେଣୀକକ୍ଷର ଚଟାଣକୁ ଅନ୍ୟୁନ ଦିନକୁ ଥରେ ଝାଡୁ ଦେବା ଆବଶ୍ୟକ ।
ଖ• ସପ୍ତାହରେ ଅନ୍ୟୁନ ଥରେ ଶ୍ରେଣୀକକ୍ଷର ଚଟାଣକୁ ଗରମ ପାଣି ଓ ସାବୁନରେ ଘଷି ସଫା କରିବା ଆବଶ୍ୟକ।
ଗ• କଳାପଟାକୁ ଅନ୍ୟୁନ ଦିନକୁ ଥରେ ସଫା କରିବା ଆବଶ୍ୟକ ।
ଘ• ସକାଳ ସାତଟା ବେଳେ ନିଆଁ ଜାଳି ଶ୍ରେଣୀଗୃହକୁ ଆଠଟାରେ ପିଲାମାନେ ଠିକ୍ ଆସିଲା ବେଳକୁ ଗରମ କରି ରଖିବାକୁ ହେବ ।

ଏହି ସର୍ତ୍ତଟି ସେପ୍ଟେମ୍ବର ଏକ ତାରିଖ ଊଣେଇଶ ଶହ ତେଇଶି ମସିହା ଠାରୁ ପ୍ରଚଳିତ ହୋଇଥିଲା ।

ଏଇ ସର୍ତ୍ତାବଳୀକୁ ବ୍ୟବଚ୍ଛେଦ କଲେ ଦେଖାଯିବ, ଗୋଟିଏ ପୁରୁଷତାନ୍ତ୍ରିକ ସମାଜରେ ଗୋଟିଏ ନାରୀ ଆଉ ସେ ପୁଣି ଜଣେ ଶିକ୍ଷିକା, ତାହାକୁ ଯେଉଁ ପରି ଆଦର୍ଶ ଆଚରଣ ସଂହିତା ପାଳନ କରିବାକୁ ଆମେ ମନ ଭିତରେ କାମନା କରିଥାଉ, ତାହାର ସମ୍ପୂର୍ଣ୍ଣ ପ୍ରତିଫଳନ ଘଟିଛି ଏହି ବିଭିନ୍ନ ସର୍ତ୍ତରେ ।

(ଏଇ ସର୍ତ୍ତାବଳୀର ସବୁଠୁ ଜଟିଳ ସର୍ତ୍ତଟି ହେଉଛି ଆଇସକ୍ରିମ ଦୋକାନକୁ ଯିବା ବାରଣ । ନୁହଁ ?)

ଊଣେଇଶ ତେଇଶି ସେପ୍ଟେମ୍ବର ଏକ ତାରିଖ ପୂର୍ବରୁ, ଅର୍ଥାତ୍ ଏଇ ଭଳି ଏକ ଚୁକ୍ତି ପ୍ରସ୍ତୁତି ପୂର୍ବରୁ ନାରୀମାନେ ସେମାନଙ୍କର ସମାନ ଅଧିକାର ପାଇଁ ପ୍ରତି ମାର୍ଚ୍ଚ ଆଠ ତାରିଖକୁ ନାରୀ ଦିବସ ହିସାବରେ ପାଳନ କରି ଆସିଲେଣି । ନାରୀ ଅଧିକାର ଦିବସର ସମୟକ୍ରମଟି ଏହି ଭଳି ହେବ:

୧୮୫୭ ମସିହା ମାର୍ଚ୍ଚ ୮ ତାରିଖରେ ଆମେରିକାର ସିଲେଇ କାରଖାନାର ନାରୀ ଶ୍ରମିକମାନେ ନିଜର କାର୍ଯ୍ୟରେ ସମାନ ଅଧିକାର ଆଉ ସୁସ୍ଥ ବ୍ୟବହାର ଦାବିରେ ରାସ୍ତାକୁ ପ୍ରଥମ କରି ଓହ୍ଲାଇ ଥିଲେ ।

୧୮୬୦ ମସିହା ମାର୍ଚ୍ଚ ୮ ତାରିଖରେ ନାରୀ ଶ୍ରମିକମାନେ ସେମାନଙ୍କର ଦାବି ଆଦାୟ ପାଇଁ ସଙ୍ଘବଦ୍ଧ ହୋଇ ନିଜର ଏକ ୟୁନିଅନ୍ ଗଢ଼ିବାକୁ ଯାଇ ବ୍ୟର୍ଥ ହୋଇଥିଲେ ।

୧୮୮୯ ମସିହାରେ ପ୍ୟାରିସ୍‌ରେ ପ୍ରଥମ ଆନ୍ତର୍ଜାତିକ ନାରୀ ସମ୍ମିଳନୀର ନେତୃତ୍ୱ ନେଇ ଜର୍ମାନୀର ସମାଜତାନ୍ତ୍ରିକ ନେତ୍ରୀ କ୍ଲାରା ଜେଟକିନ୍ ପୁରୁଷର ସହ ନାରୀର ସମାନ ଅଧିକାର କଥାଟିକୁ ଦୃଢ ଭାବରେ ଉପସ୍ଥାପନା କରନ୍ତି ।

୧୯୧୦ ମସିହାରେ ଦ୍ୱିତିୟ ସମାଜତାନ୍ତ୍ରିକ ଆନ୍ତର୍ଜାତିକ ସମ୍ମିଳନୀ କୋପେନହେଗେନ୍‌ରେ ହୁଏ । ଏଥିରେ ପୃଥିବୀର ସତରଟି ଦେଶର ପ୍ରାୟ ଶହେ ଜଣ ପ୍ରତିନିଧି ଯୋଗ ଦିଅନ୍ତି । ସେଇଠି ଗୋଟିଏ ଆନ୍ତର୍ଜାତିକ ନାରୀ ଦିବସ ପାଳନର ସିଦ୍ଧାନ୍ତ ନିଆଯାଏ ।

୧୯୧୧ ମସିହା ମାର୍ଚ୍ଚ ୧୯ ତାରିଖ ଦିନ ପ୍ରଥମ ଆନ୍ତର୍ଜାତିକ ନାରୀ ଦିବସ ହିସାବରେ ପାଳନ କରାଯାଏ । ଏଥିରେ ସୁଇଜରଲାଣ୍ଡ, ଡେନମାର୍କ, ଅଷ୍ଟ୍ରିଆ ଓ ଜର୍ମାନୀର ଲକ୍ଷାଧିକ ନାରୀ ଯୋଗ ଦିଅନ୍ତି । ଏଇ ଘଟଣାର କିଛି ଦିନ ପରେ "ଟ୍ରାଇଏଙ୍ଗେଲ୍ ଫାୟାର୍" ନାମରେ ପ୍ରସିଦ୍ଧ ନ୍ୟୁୟର୍କର ସେହି ଭୟାବହ ଅଗ୍ନିକାଣ୍ଡରେ ୧୪୦ ଜଣ ନାରୀ ଶ୍ରମିକଙ୍କର ପ୍ରାଣହାନି ଘଟେ । ଏହି ଅଗ୍ନିକାଣ୍ଡ ନାରୀ ଦିବସ ତଥା ଆନ୍ତର୍ଜାତିକ ଶ୍ରମିକ ଆଇନର ମୋଡ଼କୁ ବଦଳାଇ ଦିଏ ।

୧୯୧୩-୧୪ରେ ନାରୀମାନଙ୍କର ଅଧିକାର ଆଦାୟ କ୍ଷେତ୍ରରେ କିଛି ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଘଟେ । ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭର ସମୟ ଏ । ୧୯୧୩ ଫେବୃୟାରୀ ଶେଷ ରବିବାର ଦିନ ଋଷ ଦେଶର ନାରୀମାନେ ଯୁଦ୍ଧର ବିପକ୍ଷରେ ଓ ସାର୍ବଜନୀନ ଶାନ୍ତି କାମନା ପାଇଁ ଏହି ଦିନକୁ ଆନ୍ତର୍ଜାତିକ ନାରୀ ଦିବସ ହିସାବରେ ପାଳନ କରନ୍ତି । ଆଉ ଠିକ୍ ତାହା ପରେ ମାର୍ଚ୍ଚ ମାସ ଆଠ ତାରିଖରେ ଇଉରୋପ୍‌ର ଅନେକ ଅଞ୍ଚଳରେ ଯୁଦ୍ଧର ବିରୋଧ ଏବଂ ଯୁଦ୍ଧରେ ଲିପ୍ତ ଦେଶଗୁଡିକର ନାରୀମାନଙ୍କ ସହ ସମର୍ଥନ ଓ ସମବେଦନା ଜ୍ଞାପନ ପାଇଁ ନାରୀ ଦିବସ ପାଳନ କରାଯାଇଥିଲା ।

୧୯୪୫ରେ ସାନ୍‌ଫ୍ରାନ୍ସିସ୍କୋଠାରେ ରାଷ୍ଟ୍ରସଙ୍ଘ "ଜେଣ୍ଡର ଇକ୍ୟୁଆଲିଟି" ଚୁକ୍ତିରେ ନାରୀ ଅଧିକାରର ଯୌକ୍ତିକ ଦାବୀଗୁଡିକ ରଖି ସେଥିରେ ସନ୍ତକ କରେ ।

୧୯୪୭ ମସିହାରେ ରାଷ୍ଟ୍ରସଙ୍ଘ ମାର୍ଚ୍ଚ ମାସ ଆଠତାରିଖକୁ ଆନ୍ତର୍ଜାତିକ ନାରୀ ଦିବସ ହିସାବରେ ପାଳନ କରିବା ପାଇଁ ସ୍ୱୀକୃତି ଦିଏ ।

ଏବେ ଏଇ ଆନ୍ତର୍ଜାତିକ ନାରୀ ଦିବସ ଉପଲକ୍ଷେ ଆନୁଷ୍ଠାନିକ ଭାବେ ମାର୍ଚ୍ଚ ମାସ ଆଠ ତାରିଖ ଦିନ ଛୁଟି ଘୋଷଣା କରାଯାଏ । ଯେଉଁ ଦେଶଗୁଡିକ ଏଇ ଦିନଟିକୁ ଛୁଟି ଘୋଷଣା କରନ୍ତି, ସେମାନେ ହେଲେ, ଆଫଗାନିସ୍ଥାନ, ଆର୍ମେନିଆ, ଆଜାରବୈଜାନ୍, ବେଲାରୁଷ୍, କମ୍ବୋଡିଆ,କ୍ୟୁବା, ଜର୍ଜିଆ, କାଜାଖସ୍ତାନ୍, ଲାଓସ୍, ମଙ୍ଗୋଲିଆ, ମଣ୍ଟେନିଗ୍ରୋ, ଋଷ, ତାଜାକିସ୍ଥାନ, ତୁର୍କମେନିସ୍ତାନ, ଉଗାଣ୍ଡା, ଉଜବେକିସ୍ତାନ, ଭିଏତନାମ୍ ଓ ଜାମ୍ବିଆ । ଚୀନ, ନେପାଳ, ମେସିଡୋନିଆ ଓ ମାଡାଗାସ୍କାରରେ କେବଳ ନାରୀମାନେ ଏଇ ଦିନ ଛୁଟି ପାଇଥାନ୍ତି । (କିଏ ଜାଣେ, ଆଗାମୀ ନିର୍ବାଚନ ପୂର୍ବରୁ ଭାରତରେ ଏଇ ଦିନଟିକୁ ନାରୀମାନଙ୍କୁ ସବେତନ ଛୁଟିର ଘୋଷଣା ହୁଏତ କରାଯାଇପାରେ !)

ଇତିହାସର ସାଲ ଆଉ ତାରିଖକୁ ଦେଖିଲା ବେଳେ, ଆଗରୁ ଉଲ୍ଲେଖ କରାଯାଇଥିବା ଚୁକ୍ତିକୁ ନେଇ ୧୯୨୩ରେ କେଉଁ ଭଳି ପ୍ରତିବାଦ ନାରୀମାନଙ୍କ ପକ୍ଷରୁ ହୋଇଥିଲା, ସେଇ କଥା ମନକୁ ଆସିବା ସ୍ୱାଭାବିକ । କାରଣ ଆମେ ଇତିହାସର ଯେଉଁ ପୃଷ୍ଟଭୂମିଟି ବିଷୟରେ ଚର୍ଚ୍ଚା କଲେ, ସେଥିରୁ ନାରୀମାନେ ସେତେବେଳକୁ ନିଜର ଅଧିକାର ବିଷୟରେ ଯଥେଷ୍ଟ ସଚେତନ ହେଲେଣି ।

ନାରୀମାନେ ଶିକ୍ଷିକାମାନଙ୍କ ପାଇଁ ଆମେରିକାର ଏହି ଚୁକ୍ତିକୁ କ'ଣ ନିର୍ବିରୋଧରେ ଗ୍ରହଣ କରିନେଲେ ? ସେପରି ହେବାର କଥା ନୁହଁ ।

ଶେଷକଥା

ସଂଲଗ୍ନ ଚୁକ୍ତିଟିକୁ ଦେଖିଲେ ସେଥିରେ ଯେଉଁ ଟାଇମସ୍ ନିଉ ରୋମାନ୍ ଫଣ୍ଟଟି ବ୍ୟବହୃତ ହୋଇଛି, ତାହାର ପ୍ରଚଳନ ୧୯୨୩ରେ ହୋଇନଥିଲା, ୧୯୩୨ରେ ଅର୍ଥାତ୍ ନଅ ବର୍ଷ ପରେ ଉଦ୍ଭାବିତ ହୋଇଥିଲା ।

କୌଣସି ଏକ ଚୁକ୍ତିର ତଳେ ଚୁକ୍ତି ଭିତରକୁ ପ୍ରବେଶ କରୁଥିବା ପକ୍ଷକୁ ସନ୍ତକ କରିବା ପାଇଁ ଏକ ସ୍ଥାନ ଯାହାକୁ ଡଟେଡ୍ ଲାଇନସ୍ ବୋଲି କୁହାଯାଏ, ସେମିତି କିଛି ସ୍ଥାନର ବରାଦ ନାହିଁ ଚୁକ୍ତିରେ । ତେଣୁ ଚୁକ୍ତିଟି କୌଣସି ପ୍ରୋଫର୍ମା ଭଳି ନହୋଇ ଏକ ହାଣ୍ଡବିଲ୍ ଭଳି ଦେଖାଯାଉଛି ।

ଚୁକ୍ତିରେ କୁହାଯାଇଛି ଯେ, ଏହା ଏକ ସେପ୍ଟେମ୍ବର ୧୯୨୩ ଠାରୁ ଲାଗୁହେବ । ବାର ଅନୁସାରେ ଦେଖିଲେ ଏହା ଶନିବାର ।ସାଧାରଣତଃ କୌଣସି ସରକାରୀ ଚୁକ୍ତି ଶନିବାର ଦିନ ସମ୍ପାଦିତ ହେବା ଅର୍ଥ ତାହା ପର ଦିନ, ମାନେ ରବିବାରଠାରୁ କାର୍ଯ୍ୟକାରୀ ହେବାର ନଜିର ନାହିଁ ।

ସବୁଠୁ ବଡ କଥା ହେଲା ୧୯୨୩ ବେଳକୁ ପେଟିକୋଟ୍ ନାରୀମାନଙ୍କ ହାଲ୍ ଫେସନ୍‌ରେ ନ ଥିଲା ।

ତେଣୁ ଏତେଗୁଡିଏ ତୃଟିର ଆଧାରରେ ଏହା ସତ୍ୟ ଯେ, ଏହି ଚୁକ୍ତି ପତ୍ରଟି ସମ୍ପୂର୍ଣ୍ଣ ଅସତ୍ୟ । ଯାହାକୁ ଇଣ୍ଟରନେଟ୍ ହୋକ୍ସ ବା ଆନ୍ତର୍ଜାଲିକ ପ୍ରତାରଣା ବୋଲି ନିର୍ବିବାଦରେ ଗ୍ରହଣ କରାଯାଇ ପାରେ । ଆଜିକାଲି ଏଇ ଜାତୀୟ ପ୍ରତାରଣାର ମାତ୍ରା ବଢ଼ିବାରେ ଲାଗିଛି, ଆଉ ଆମେ ଏହାକୁ ବିନା ଦ୍ୱିଧାରେ ପ୍ରଚାରପ୍ରସାର କରି ଆମର ତଥା ଆମ ସମସ୍ତଙ୍କର ଯେଉଁ ଅପରିସୀମ କ୍ଷତି କରୁଛୁ, ତାହା ଆମେ ଠିକ୍ ଭାବରେ ହୃଦୟଙ୍ଗମ କରିପାରୁନାହେଁ । ଅପସୂଚନା ଜଣକୁ ମାନସିକ ଭାବରେ ଦୁର୍ବଳ କରେ । ଯେଉଁ ସମୟରେ ଏଇ ଜାତୀୟ ସୂଚନା ବଳରେ ନିଜକୁ ଜଣେ ରାଜପୁତ୍ର ବୋଲି ଭାବି ଆସିଥିବା ଚରିତ୍ରଟି ନିଜକୁ ପ୍ରକୃତରେ ଯେତେବେଳେ ଜଣେ ମାଙ୍କଡ ବୋଲି ଜାଣିବ, ସେତେବେଳେ ସେହି ପତନଟି ଅତ୍ୟନ୍ତ ମର୍ମନ୍ତୁଦ ହେବ ।

ଆଜି ସକାଳୁ ଅନ୍ୟୁନ ପଚିଶ ଜଣ ବନ୍ଧୁ, ଯେଉଁମାନେ ମୋର ନୈତିକ ଜ୍ଞାନର ସମୃଦ୍ଧି ତଥା ମୋ ଭଳି ଯେତେ ପ୍ରାଚୀନପନ୍ଥୀଙ୍କୁ ପୃଥିବୀର ସମସାମୟିକ ଘଟଣା ପ୍ରବାହରେ ସାମିଲ୍ କରିବା ଲକ୍ଷ୍ୟରେ ନିଜର ଅଙ୍ଗୁଳି ଅଗ୍ରର ବହୁଳ ସ୍ୱେଚ୍ଛାକୃତ ବ୍ୟବହାର କରିଆସୁଛନ୍ତି, ସେମାନଙ୍କ ସୌଜନ୍ୟରୁ ଗୋସ୍ୱାମୀ ତୁଳସୀ ଦାସ ଙ୍କ ଧାଡି ଦୁଇଟି ମିଳିଛି:

ରାମନାମ ଜପତେ ଅତ୍ରି ମତ ଗୁସିଆଉ,
ପଙ୍କମେ ଉଗୋହମି ଅହି କେ ଛବି ଝାଓ ।

ମୋର ଗୋସ୍ୱାମୀଙ୍କ ରଚନା ସମ୍ପର୍କରେ ସାମାନ୍ୟ ଧାରଣା ନାହିଁ । ତେଣୁ ଏହାର ସତ୍ୟତା ବିଚାର ଆପଣଙ୍କର । ମୋର ଜ୍ଞାନବୁଦ୍ଧିପ୍ରଦାୟକ ବଂନ୍ଧୁମାନେ ଗୋସ୍ୱାମୀଙ୍କ ଏହି ରଚନାଟି ଭାରତର ସବୁ ପ୍ରଦେଶର ନାମର ଆଦ୍ୟ ଅକ୍ଷରକୁ ନେଇ ରଚିତ ବୋଲି ବ୍ୟାଖ୍ୟାନଟି ଅତି ଗଦଗଦ ଭାବରେ କରିଛନ୍ତି ।

ଗୋସ୍ୱାମୀଙ୍କ ଏଇ ରଚନାଟିକୁ ଏହି ଭଳି ଉଦ୍ଧୃତ ତଥା ବିପଣନ କରିବା ପଛରେ ଯେଉଁ ଗୈରିକ ଉଲ୍ଲାସର ସୁସଙ୍ଗଠିତ ରାଜନୈତିକ ଆୟୋଜନ, ତାହା ଆମର ବନ୍ଧୁମାନେ ହୁଏତ ବୁଝିନାହାଁନ୍ତି ।

ଚେସ୍ ବୋର୍ଡର ସୈନିକଟିଏ ମରିବା ଯାଏଁ ଆଗକୁ ଆଗକୁ ଚାଲେ, କିନ୍ତୁ ପଛରେ ସୁରକ୍ଷିତ ରାଜା ମନ୍ତ୍ରୀମାନେ ନିଜ ସୁବିଧା ଅନୁସାରେ ଆଗପଛ ହେଉଥାନ୍ତି ।

Tuesday, March 20, 2018

ବାରିମଣ୍ଡଳ

ଅନୁବାଦ - ବିଶ୍ୱଜିତ ଆପଟ


୧୯୪୩ ମସିହାରେ ଆମେରିକୀୟ ସେନା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପୃଥିବୀକୁ ନୀଳ ଗ୍ରହ କୁହାଯାଏ । ଭୂପୃଷ୍ଠର ଶତକଡା ୭୧ ଭାଗ ଜଳ ଦ୍ୱାରା ଆଚ୍ଛାଦିତ ହୋଇଥିଲା ବେଳେ ସ୍ଥଳଭାଗ ହେଉଛି ଶତକଡା ୨୯ ଭାଗ । ବାରିମଣ୍ଡଳରେ ଜଳ ଏହାର ସମସ୍ତ ଅବସ୍ଥାରେ ରହିଛି । ଏଥିରେ ନଦୀ, ହ୍ରଦ ଓ ସାଗରର ପ୍ରବହମାନ ଜଳ, ହିମବାହରେ ଥିବା ବରଫ, ଭୂଗର୍ଭରେ ସଞ୍ଟିତ ଜଳ ଓ ବାୟୁମଣ୍ଡଳରେ ଥିବା ଜଳୀୟବାଷ୍ପ ଇତ୍ୟାଦି ସମ୍ମିଳୀତ ଅଛନ୍ତି ।

ପୃଥିବୀର ସମୁଦାୟ ଜଳରାଶିର ଶତକଡା ୯୭ ଭାଗରୁ ଅଧିକ ଜଳ ସାଗର, ମହାସାଗର ଆଦିରେ ରହିଛି । ଏହି ଜଳ ଅତି ଲବଣାକ୍ତ ହୋଇଥିବାରୁ ମନୁଷ୍ୟମାନଙ୍କର ବ୍ୟବହାର ଉପଯୋଗୀ ନୁହେଁ । ଅବଶିଷ୍ଟ ଜଳର ଏକ ବଡ ଭାଗ ବରଫ ଆକାରରେ ଓ ଭୂଗର୍ଭରେ ରହିଛି । ସମୁଦାୟ ଜଳରାଶିର ଏକ ଅତି ଛୋଟ ଭାଗ ମଧୁର ଜଳ ରୂପେ ଉପଲବ୍ଧ ଯାହା ମନୁଷ୍ୟମାନଙ୍କର ବ୍ୟବହାରରେ ଆସେ । ଏହି କାରଣ ଯୋଗୁଁ “ନୀଳ ଗ୍ରହ” ରେ ବାସ କରୁଥିଲେ ମଧ୍ୟ ଆମେ ଜଳର ଅଭାବ ଅନୁଭବ କରୁ । 

ମହାସାଗର

ମହାସାଗରଗୁଡିକ ବାରିମଣ୍ଡଳର ଏକ ମୁଖ୍ୟ ଅଂଶ ଅଟେ । ମହାସାଗରର ଜଳ ପରସ୍ପର ସହ ସଂଯୁକ୍ତ ହୋଇ ରହିଥାଏ । ଏହି ଜଳରାଶି ସର୍ବଦା ଚଳନଶୀଳ । ସାମୁଦ୍ରିକ ଜଳର ତିନି ପ୍ରକାରର ଗତି ଅଛି : ଢେଉ, ଜୁଆର ଓ ସାମୁଦ୍ରିକ ସ୍ରୋତ । ବଡରୁ ଛୋଟ କ୍ରମରେ ଚାରୋଟି ମୁଖ୍ୟ ମହାସାଗର ହେଲେ- ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର, ଭାରତ ମହାସାଗର ଓ ସୁମେରୁ ମହାସାଗର

ପ୍ରଶାନ୍ତ ମହାସାଗର ପୃଥିବୀର ବୃହତ୍ତମ ମହାସାଗର । ଏହା ପୃଥିବୀ ପୃଷ୍ଠର ପ୍ରାୟ ଏକ-ତୃତୀୟାଂଶ ସ୍ଥାନ ଅଧିକାର କରିଛି । ମାରିଆନା ଖାତ ଯାହା କି ପୃଥିବୀର ଗଭୀରତମ ସ୍ଥାନ ଅଟେ, ପ୍ରଶାନ୍ତ ମହାସାଗରରେ ରହିଛି । ପ୍ରଶାନ୍ତ ମହାସାଗର ଆକାରରେ ପ୍ରାୟ ବୃତ୍ତାକାର ଅଟେ । ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଓ ଦକ୍ଷିଣ ଆମେରିକା ଏହାର ଚାରିପାଖରେ ଅବସ୍ଥିତ । ମାନଚିତ୍ର ଦେଖି ପ୍ରଶାନ୍ତ ମହାସାଗର ଚାରିପାଖରେ ଥିବା ମହାଦେଶଗୁଡିକର ଅବସ୍ଥିତି ଲକ୍ଷ୍ୟ କର ।

ଆଟଲାଣ୍ଟିକ ମହାସାଗର ପୃଥିବୀର ଦ୍ୱିତୀୟ ବୃହତ୍ତମ ମହାସାଗର ଅଟେ । ଏହା ପ୍ରାୟ ଇଂରାଜୀ ଅକ୍ଷର “ଏସ୍ଆକୃତି ସଦୃଶ । ଏହି ମହାସାଗରକୁ ପଶ୍ଚିମ ପାର୍ଶ୍ୱରେ ଉତେତର ଆମେରିକା ଓ ଦକ୍ଷିଣ ଆମେରିକା ଏବଂ ପୂର୍ବ ପାର୍ଶ୍ୱରେ ଇଉରୋପ ଓ ଆଫ୍ରିକା ଘେରି ରହିଛି । ଏହି ମହାସାଗରର ତଟଦେଶ ଅତି ଦନ୍ତୁରିତଦନ୍ତୁରିତ ସମୁଦ୍ର ତଟ ପ୍ରାକୃତିକ ପୋତାଶ୍ରୟ ଓ ବନ୍ଦର ପାଇଁ ଭାରି ଅନୁକୂଳ । ଏଣୁ ବାଣିଜ୍ୟ କାରବାର ଦୃଷ୍ଟିରୁ ଏହା ସବୁଠାରୁ ବ୍ୟସ୍ତ ମହାସାଗର ।

ଭାରତ ମହାସାଗର ହେଉଛି ଏକ ମାତ୍ର ମହାସାଗର ଯାହା ଏକ ଦେଶର ନାମ ଅନୁସାରେ ନାମିତ, ଅର୍ଥାତ ଭାରତ ନାମ ଅନୁସାରେ ନାମିତ । ଏହି ମହାସାଗରର ଆକୃତି ପ୍ରାୟ ତ୍ରିଭୁଜ ସଦୃଶ । ଏହାର ଉତ୍ତରରେ ଏସିଆ, ପଶ୍ଚିମରେ ଆଫ୍ରିକା ଓ ପୂର୍ବରେ ଅଷ୍ଟ୍ରେଲିଆ ଅବସ୍ଥିତ ।

ସୁମେରୁ ମହାସାଗର ସୁମେରୁ ବୃତ୍ତ ମଧ୍ୟରେ ଅବସ୍ଥିତ ଓ ଏହା ଉତ୍ତର ମେରୁକୁ ଘେରି ରହିଛି । ଏହା ପ୍ରଶାନ୍ତ ମହାସାଗର ସହିତ ଏକ ସଙ୍କୀର୍ଣ୍ଣ ଓ ଅଗଭୀର ଜଳଭାଗ ଦ୍ୱାରା ସଂଯୁକ୍ତ ଯାହାକୁ ବେରିଂ ପ୍ରଣାଳୀ କୁହାଯାଏ ଏହାକୁ ଉତ୍ତର ଆମେରିକାର ଉତ୍ତର ଉପକୂଳ ଓ ଇଉରେସିଆ ଘେରି ରହିଛି ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ପଞ୍ଚମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Sunday, March 18, 2018

ଶିକ୍ଷା ଓ ଶାସନ

ଗୋପବନ୍ଧୁ ଦାଶ


ଆଜରବାଇଜାନର ବାକୁ ଠାରେ ୧୬୪୬ ମସିହାରେ ସ୍ଥାପିତ ଏକ ମଦରସା ବା ସ୍କୁଲ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କାହାରି କାହାରି ଆଶଙ୍କା, ଶିକ୍ଷା ଶାସନର ଅନ୍ତରାୟ । କେବଳ ରାଜ୍ୟ ଶାସନ ନୁହେଁ, ସମାଜ-ଶାସନ, ଧର୍ମ-ଶାସନ ସକଳ କ୍ଷେତ୍ରରେ ଶୃଙ୍ଖଳା ଏବଂ ପ୍ରତିଷ୍ଠିତ ବିଧିକୁ ନ ମାନିବା ଶିକ୍ଷାର ପ୍ରକୃତି । ମାନବ ସମାଜର ଆଦିମ ଅବସ୍ଥାରେ ସମାଜ ନିୟନ୍ତାମାନଙ୍କର ଏ ଭାବ ନଥିଲା । ସେ କାଳେ ସକଳ ବିଷୟରେ ସମାଜର ନିୟନ୍ତା ଥିଲେ ଜଣେ ରାଜା । ଅଶିକ୍ଷିତ ପ୍ରଜାପୁଞ୍ଜ ପଶୁ ପରି ଥିଲେ । ସେମାନଙ୍କୁ ସେହି ପଶୁ ଅବସ୍ଥାରେ ସେମାନଙ୍କର ନାୟକ ହେବାରେ ବିଶେଷ ଗୌରବ କଅଣ ? ସୁତରାଂ ମାନବର ପଶୁତ୍ୱ ଦୂର କରି ମନୁଷ୍ୟତ୍ୱ ପ୍ରକାଶ କରିବା ଲାଗି ରାଜାଙ୍କର ସର୍ବଥା ଯତ୍ନ ଥିଲା । ଏହି ଉଦ୍ଦେଶ୍ୟରେ ଅକାତରରେ ଅର୍ଥ ବ୍ୟୟ ମଧ୍ୟ ହେଉଥିଲା । ଅଜ୍ଞାନ ଅନିଚ୍ଛୁକ ଲୋକ ସାଧାରଣଙ୍କ ମଧ୍ୟରେ ଏହି ଆଦିମ ଅବସ୍ଥାରେ ଶିକ୍ଷା ପ୍ରଚାର ପେ କି ଦୁରୂହ ବ୍ୟାପାର ହୋଇଥିବ ତାହା ଏ ଯୁଗରେ ଅନେକେ କଳ୍ପନାରେ ଆଣିବା କଷ୍ଟ । କିନ୍ତୁ ଏବେ ସୁଦ୍ଧା କୌଣସି କୌଣସି ଅତି ଅନୁନ୍ନତ ସ୍ଥାନରେ ଲୋକଶିକ୍ଷା ନିମନ୍ତେ ଯେଉଁମାନେ ଯତ୍ନ କରୁଛନ୍ତି, ସେମାନେ କେତେକ ପରିମାଣରେ ତାହା ଅନୁଭବରେ ଆଣିପାରନ୍ତି । ସେତେବେଳେ ଶିକ୍ଷା କେବଳ ଅବୈତନିକ ନଥିଲା ଉପଯୁକ୍ତ ଭାବରେ ପୁରସ୍କୃତ ହେଉଥିଲା  ଛାତ୍ରମାନଙ୍କର ଗ୍ରାସାଚ୍ଛାଦନ ଚଳିବା ଲାଗି ରାଜ୍ୟର ବୃତ୍ତି ଖଞ୍ଜା ଥିଲା । ଶିକ୍ଷା ନିମନ୍ତେ ଶିକ୍ଷାର କେବଳ ଆଦର ହେଉଥିଲା ଏହି ଆଦିମ ଶିକ୍ଷାବିଧାନରୁ ପ୍ରାଚୀନ ଭାରତର ଗୁରୁକୁଳ ଓ ପରବର୍ତ୍ତୀ କାଳର ଅସଙ୍ଖ୍ୟ ମଠ ଓ ପାଶ୍ଚାତ୍ୟ ଦେଶର ଚର୍ଚ୍ଚ ଏବଂ ତତ୍‌ସଂଲଗ୍ନ ବିଦ୍ୟାଳୟମାନଙ୍କର ଉତ୍ପତ୍ତି ।


ଶିକ୍ଷାପ୍ରଭାବରେ ମାନବର ନୈସର୍ଗିକ ଅନ୍ତନିର୍ହିତ ଶକ୍ତି ବିକାଶ ପାଇବା ସ୍ୱାଭାବିକ । ସ୍ୱାଧୀନ ଚିନ୍ତା ମାନବର ପ୍ରକୃତି ଓ ବିଶିଷ୍ଟ ଅଧିକାର ଏହା ମାନବର ମାନବତ୍ୱ । ଏହି ମାନବତ୍ୱର ବିକାଶରେ ସମାଜରେ ମତଭେଦ ଆବଶ୍ୟମ୍ଭାବୀ । କ୍ରମେ ମନୁଷ୍ୟର ପ୍ରଶ୍ନ କରିବାର ପ୍ରବୃତ୍ତି ଜନ୍ମିଲା । ସେ ପ୍ରତ୍ୟେକ କାର୍ଯ୍ୟର କାରଣ ଖୋଜିଲା ପ୍ରତ୍ୟେକ ଘଟଣାର ହେତୁ ପଚାରିଲା ପ୍ରତ୍ୟେକ ବିଧାନର ପ୍ରୟୋଜନୀୟତା ପରୀକ୍ଷା କଲା ଏବଂ ପ୍ରତ୍ୟେକ ପ୍ରତିଷ୍ଠାନର ମୂଳ ଅନୁସନ୍ଧାନ କଲା । ଫଳରେ ପ୍ରତିଷ୍ଠିତ ଶାସନ ଉପରେ ହାତ ବାଜିଲା ନିଜ କ୍ଷମତା ବିଷୟରେ ପ୍ରଶ୍ନ ବା କାର୍ଯ୍ୟର ସମାଲୋଚନା ମନୁଷ୍ୟକୁ ଭଲ ଲାଗେ ନାହିଁ । ସୁତରାଂ ମନୁଷ୍ୟର ଜିଜ୍ଞାସା ପ୍ରବୃତ୍ତିର ପ୍ରଭାବରେ ଶାସନର ବିପଦ ଆଶଙ୍କା ଉପସ୍ଥିତ ହେଲା । ଧର୍ମାନୁଶାସକମାନଙ୍କର ଧର୍ମ ଲୋପ ଆଶଙ୍କା, ସମାଜନାୟକମାନଙ୍କର ସାମାଜିକ ବିଶୃଙ୍ଖଳାର ଆଶଙ୍କା, ରାଜ୍ୟ-ଶାସକଙ୍କର ରାଷ୍ଟ୍ର ବିପ୍ଳବ ଆଶଙ୍କା ।

ଯୁଗେ ଯୁଗେ ମାନବ ଇତିହାସ ପୁନରାବୃତ୍ତି ଘଟୁଛି । ସହସ୍ର ସହସ୍ର ବର୍ଷ ପୂର୍ବେ ଭିନ୍ନଭିନ୍ନ ଦେଶର ଆଦିମାନବ ସମାଜରେ ଯେ ଆଶଙ୍କା ଉପସ୍ଥିତ ନିୟନ୍ତାମାନଙ୍କର ଆଜି ମଧ୍ୟ ସୁସଭ୍ୟମାନବ ସମାଜରେ ସେହି ଆଶଙ୍କା । ଶାସନ ନିୟନ୍ତାମାନଙ୍କର ମାନବର ଜିଜ୍ଞାସା ପ୍ରବୃତ୍ତି ପ୍ରତି ସେହି ଭୀତି, ଦୁରାଗ୍ରହ ପ୍ରକାଶ ପାଉଅଛି । ସ୍ଥିତିଶୀଳତା ଜଗତର ଧର୍ମ ନୁହେଁ । ଶିକ୍ଷାର ପରିମାଣରେ ମନୁଷ୍ୟ ଉନ୍ନତିରୁ ଉନ୍ନତତର ଅବସ୍ଥାକୁ ଅଗ୍ରସର ହେବା ନିମନ୍ତେ ସର୍ବଦା ବ୍ୟାକୁଳ । ମାନବ ହୃଦୟର ଏହି ଐଶ୍ୱରିକ ଅସନ୍ତୋଷ ମାନବ ସଭ୍ୟତାର ନିଦାନ । ଶିକ୍ଷା ଏହି ଐଶ୍ୱରିକ ଅସନ୍ତୋଷର ଉଦ୍ଦୀପକ । ମାତ୍ର ଅଳ୍ପାଧିକ ପରିମାଣରେ ସକଳ ଶାସନର ପ୍ରକୃତି ସ୍ଥିତିଶୀଳ । ସମାଜର ଉନ୍ନତି ପିପାସା ଦାବୀ ଅନୁରୂପ ଚରିତାର୍ଥ କରିବା ଲାଗି ଶାସନ ସବୁବେଳେ ପ୍ରସ୍ତୁତ ହୁଏ ନାହିଁ । ଫଳରେ ଶିକ୍ଷା ଏବଂ ଶାସନ ମଧ୍ୟରେ ଉଣାଅଧିକେ ଟଣାଟଣି ବରାବର ଲାଗି ରହିଛି । କିନ୍ତୁ ଶିକ୍ଷାର ଜୟ ଅବଶ୍ୟମ୍ଭାବୀ । ପୁଣି ଶିକ୍ଷାର ଜୟ ହିଁ ଶାସନ ଉପରେ ଶିକ୍ଷାର ଏପରି ପ୍ରଭାବ ନଥିଲେ, ମାନବ ସଭ୍ୟତା ଆଜି ଏ ଅବସ୍ଥାକୁ କଦାପି ଆସି ନଥାନ୍ତା 

ଶାସନ ଉପରେ ଶିକ୍ଷାର ଏହି କଲ୍ୟାଣକର ପ୍ରଭାବ ପୃଥିବୀରେ ସଭ୍ୟ ଜାତିମାନେ ହୃଦୟଙ୍ଗମ କରିଅଛନ୍ତି । ତେଣୁ ପ୍ରାୟ ସମସ୍ତ ପାଶ୍ଚାତ୍ୟ ସଭ୍ୟ ଦେଶ ଏବଂ ବିଧାତା ଫଳରେ ଅର୍ଦ୍ଧଶତାବ୍ଦୀରୁ ଉଣା ସମୟ ମଧ୍ୟରେ ଜାପାନ ଯେ ଫଳ ଲାଭ କରିଅଛି, ପ୍ରାୟ ସମସ୍ତ ଶିକ୍ଷିତ ଭାରତବାସୀ ଜାଣନ୍ତି । ଭାରତର ସକଳ ପ୍ରକାର ଉନ୍ନତିରେ ଲୋକସାଧାରଣଙ୍କ ନିରକ୍ଷରତା ଏବଂ ଜଡ଼ତା ପ୍ରଧାନ ଅନ୍ତରାୟ । ଗାଁ ପରିଷ୍କାର ରଖିବାକୁ କହିଲେ ଅଶିକ୍ଷିତ ଗ୍ରାମବାସୀ ଶୁଣନ୍ତି ନାହିଁ । ସମବାୟ ଋଣପାଣ୍ଠି ଉଦ୍ୟମ ଏମାନଙ୍କ ମଧ୍ୟରେ ଆଶାନୁରୂପ ସଫଳ ହୋଇଥିବାରୁ ନାହିଁ । ଟିକା ଘେନିବା ଲାଗି ଏ ପର୍ଯ୍ୟନ୍ତ ଆପତ୍ତି ମଧ୍ୟ ଶୁଣାଯାଏ । ଲୋକସାଧାଋଣଙ୍କ ଅଜ୍ଞତା ହେତୁ ପ୍ରତ୍ୟେକ ସ୍ଥାନୀୟ ଶାସନ କର୍ତ୍ତାଙ୍କର କେତେ ସଦଭିପ୍ରାୟ ବ୍ୟର୍ଥ ହେଉଅଛି । ଜଡ଼ ଅଶିକ୍ଷିତ ପ୍ରଜାପୁଞ୍ଜର ଶାସନରେ କିଛି କୃତିତ୍ୱ ନାହିଁ ତହିଁରେ ଶାସନର ଗୌରବ ନାହିଁ । ମାତ୍ର ସମୟରେ ବିପଦର ଆଶଙ୍କା । ଶିକ୍ଷିତ ପ୍ରଜାମାନେ ଶାସନ ନୀତିରେ ଅସନ୍ତୁଷ୍ଟ ହେଲେ ଯେ ଆପତ୍ତି ବା ଆନ୍ଦୋଳନ କରନ୍ତି ତାହା ବିଧିସଙ୍ଗତ ଓ ଶାସନ ଶୃଙ୍ଖଳାର ସୀମାବଦ୍ଧ । ସେମାନେ ତର୍କଯୁକ୍ତି ଶୁଣନ୍ତିତର୍କ ଯୁକ୍ତି ଦ୍ୱାରା ନିଜ ପକ୍ଷ ସମର୍ଥନ କରନ୍ତି । ସଂଯମ ଶିକ୍ଷାର ନିତ୍ୟ ସହଚର । ସୁତରାଂ ଶିକ୍ଷିତମାନଙ୍କର ସକଳ ପ୍ରକାର ଆନ୍ଦୋଳନ ସଂଯମ ସହକାରେ ପରିଚାଳିତ । ତହିଁରେ ଶାସନର ହଠାତ୍ ବିପଦ ବା ବିଶୃଙ୍ଖଳାର ଭୟ ନାହିଁ । ମାତ୍ର ଅଜ୍ଞ ଅଶିକ୍ଷିତମାନଙ୍କ ଆନ୍ଦୋଳନ ଏହାର ଠିକ ବିପରୀତ । ସହିଲାବେଳେ ସେମାନେ ପଶୁ ପରି ସହନ୍ତି, ମାତିଲାବେଳେ ପଶୁ ପରି ଉନ୍ମତ୍ତ ହୋଇ ଉଠନ୍ତି । କାର୍ଯ୍ୟରେ ବିଚାର ବା ସଂଯମ କଦର୍ଥ କରି ତଦ୍ଦ୍ୱାରା ଏପରି ଉତ୍ତେଜିତ ହୁଅନ୍ତି ଯେ ତର୍କ ଯୁକ୍ତି ବା କାରଣ କାହିଁରେ ବୁଝନ୍ତି ନାହିଁ । ଶିକ୍ଷିତ ଅଶିକ୍ଷିତଙ୍କ ମଧ୍ୟରେ ଏପରି ପାର୍ଥକ୍ୟ ଦେଖି କିଏ କହିବ ଯେ ଶିକ୍ଷା ଶାସନର ଅନ୍ତରାୟ ? ଶାସନର ଅନ୍ତରାୟ ହୋଇପାରେ ମାତ୍ର ଶାସନ ଉନ୍ନତିର ସହାୟ ।

ଅତ୍ୟନ୍ତ ଦୁଃଖର କଥା ଅନେକ କ୍ଷମତାଶାଳୀ ପଦସ୍ଥ ଲୋକନିୟନ୍ତା ଶିକ୍ଷା ଓ ଶାସନର ସାପେକ୍ଷତା ବୁଝନ୍ତି ନାହିଁ । ଉଭୟ ମଧ୍ୟରେ ଲୋକନିୟନ୍ତା ଶିକ୍ଷା ଓ ଶାସନର ସାପେକ୍ଷତା ବୁଝନ୍ତି ନାହିଁ । ଉଭୟ ମଧ୍ୟରେ ବିରୋଧ ଦେଖନ୍ତି । ଲୋକେ ଶିକ୍ଷିତ ହେଲେ ତାଙ୍କ କ୍ଷମତାକୁ ମାନିବେ ନାହିଁ । ଏହା ହିଁ ସେମାନଙ୍କର ପ୍ରଧାନ ଭୟ । କିନ୍ତୁ ସେମାନେ ଦୂର ଭବିଷ୍ୟତ ଦେଖିପାରନ୍ତି ନାହିଁ ଲୋକନିୟନ୍ତାମାନେ ସେହି ଅନୁପାତରେ ଶିକ୍ଷିତ ଉନ୍ନତ ଏବଂ ଉଦାର ହେବା ଆବଶ୍ୟକ । ସମାଜରେ ଧର୍ମରେ ରାଜାରେ ବା ଜୀବନର ଯେ କୌଣସି କ୍ଷେତ୍ରରେ ଶାସନ ଶୃଙ୍ଖଳା ଅବଶ୍ୟ ରହିବ । ଏହି ଶୃଙ୍ଖଳା ମଧ୍ୟରେ ମାନବ ସ୍ୱାଧୀନତା ଓ ସଭ୍ୟତା ଅଗ୍ରସର ହେବ । ସମାଜ ଏହି ଶୃଙ୍ଖଳା ଗ୍ରହଣ କରିବା ଦିନୁ ଯଥାର୍ଥରେ ସଭ୍ୟତା ଓ ସ୍ୱାଧୀନତାର ଆରମ୍ଭ । ଶିକ୍ଷା ଏହି ଶୃଙ୍ଖଳାର ପରିସର ବଢ଼ାଇବାକୁ ଲୋଡେ ମାତ୍ର । ଏହି ପରିସର ବଢିଲେ ସଭ୍ୟତା ଓ ସ୍ୱାଧୀନତା କ୍ଷେତ୍ର ପ୍ରଶସ୍ତତର ହୁଏ । କ୍ରମଉନ୍ନତି ମାନବ ସଭ୍ୟତା ଓ ସ୍ୱାଧୀନତାର ଧର୍ମ । ଏହା କ୍ରମେ ଅଗ୍ରସର ହେଉଅଛି, ହେବ । ଏହାର ଗତିରୋଧ କରିବାର ଶକ୍ତି କାହାରି ନାହିଁ । ସମୟ ବୁଝି ଶୃଙ୍ଖଳା ଶିଥିଳ ନ କଲେ ଲୋକ ଶକ୍ତିର ସ୍ୱାଭାବିକ ବିକାଶ ଏବଂ ଲୋକ ହୃଦୟର ସ୍ୱାଭାବିକ ଆକାଂକ୍ଷା ନିମନ୍ତେ କ୍ଷେତ୍ର ପ୍ରଶସ୍ତତର ନ କଲେ ସଭ୍ୟତା-ସ୍ରୋତର ପ୍ରଖର ବେଗ ଶୃଙ୍ଖଳା ସମ୍ଭାଳିବା ଅସମ୍ଭବ । ସଭ୍ୟତାର ଗତିରୋଧ କରି ବେଳେବେଳେ ଏ ଶୃଙ୍ଖଳା ଛିଣ୍ଡିଯିବାର ମାନବ ଇତିହାସରେ ଦେଖାଯାଇଛି, ରାଷ୍ଟ୍ର ବିପ୍ଳବ ଧର୍ମ ବିପ୍ଳବ ସମାଜ-ବିପ୍ଳବ ଘଟିଛି । ସୁଖର କଥା ପରିବର୍ତ୍ତିତ ଅବସ୍ଥା ଶୃଙ୍ଖଳା ଦ୍ୱାରା ପୁଣି ଆପେ ଆପେ ଆବଦ୍ଧ ହୋଇ ଆସିଅଛି । ଶୃଙ୍ଖଳା ରହିଲା ମାତ୍ରେ ଯେଉଁ ଲୋକନିୟନ୍ତାଙ୍କ ହାତରେ ଥିଲା, ତାଙ୍କର ଅନୁଦାରତା ଓ ପୁରୋଦୃଷ୍ଟିର ଅଭାବରୁ ତାହା ତାଙ୍କ ହାତରୁ ଯାଇ ଅନ୍ୟ ଶକ୍ତିର ଆଶ୍ରୟ କଲା ।

ଯାହା ହେଉ ଶିକ୍ଷା ଏବଂ ଶାସନ ମଧ୍ୟରେ ଟିକିଏ କଷାକଷି ହେବାରେ କିଛି ଯେ ଲାଭ ନାହିଁ, ଏହା ଏକାବେଳେକେ କୁହାଯାଇ ନ ପାରେ । ଶିକ୍ଷାର ଉନ୍ନତି ଉନ୍ମୃଖତା ପ୍ରଥମାବସ୍ଥାରେ ପ୍ରାୟ ସର୍ବତ୍ର ଉଚ୍ଛୃଙ୍ଖଳତା ରୂପରେ ପ୍ରକାଶ ପାଇଥାଏ । ସ୍ଥିତିଶୀଳ ଶାସନଶୃଙ୍ଖଳାରୁ ଧକା ପାଇ ଏହା କ୍ରମେ ସଂଯମ ଶିକ୍ଷା କରେ । ଆଦ୍ୟଉଦ୍ଦାମ ଭାବ କ୍ରମେ ସଙ୍କୁଚିତ ହୁଏ । ସ୍ୱଚ୍ଛନ୍ଦ ଭାବୁକତା ବାସ୍ତବ ଜଗତର କାଠିନ୍ୟ ଅନୁଭବ କରେ । ଏ ଉଭୟର ସଙ୍ଘର୍ଷ ଫଳରେ ସଭ୍ୟତାର ଗଢି ଦୃଢ଼ ଧୀର ଏବଂ ସୁନିଶ୍ଚିତ ହୁଏ । ଆମ୍ଭମାନଙ୍କର ଏହି ପୁରାତନ ଜଗତ ଅଦ୍ୟାପି ବାଲ୍ୟାବସ୍ଥାରେ ଅଛି । ଭବିଷ୍ୟତରେ ଏହାର ସମ୍ମୁଖରେ ଅସଙ୍ଖ୍ୟ ସମ୍ଭାବନା ଅଛି । ଏହା ଏକା ଦିନକେ ଦଉଡ଼ି ଦଉଡ଼ି ଉନ୍ନତିର ଚରମ ସୀମାରେ ପହଞ୍ଚି ଜୀବନ ସାଙ୍ଗ କରିବ ନାହିଁ । ପ୍ରତି ପଦରେ ଏହାକୁ ଅସଙ୍ଖ୍ୟ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ୁଅଛି । ସେ ସବୁକୁ ଅତିକ୍ରମ କରିବାରେ ଏହାର ଦୃଢ଼ତା ସମ୍ପାଦିତ ହେଉଅଛି, ଆୟୁ ବଢ଼ୁଅଛି ସଭ୍ୟତାର ପ୍ରତ୍ୟେକ ଅବସ୍ଥା ସାନ୍ଦ୍ର ଓ ସୁଗଠିତ ହେଉଅଛି ଏବଂ ପରବର୍ତ୍ତୀ ଉନ୍ନତତର ଅବସ୍ଥା ନିମନ୍ତେ ପଥ ପରିଷ୍କାର ହେଉଅଛି ।

(ସତ୍ୟବାଦୀ, ୩ୟ ଖଣ୍ଡ, ୫ମ ଓ ୬ଷ୍ଠ ଖଣ୍ଡ-୧୯୧୮)

Friday, March 16, 2018

ପିଲାଙ୍କ ପାଇଁ ପହେଳି - ୭

ସଙ୍ଗ୍ରାହକ - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଜାପାନ ଦେଶର ସାମୁରାଇମାନଙ୍କର ମଙ୍ଗୋଲ ଜାହାଜକୁ ଆକ୍ରଣଣର ଚିତ୍ର (୧୮୪୬ ମସିହା)
ଚିତ୍ରକର - ଫୁକୁଦା ତାଇକା

ପହେଳି - ଅତି ଛୋଟ ଜୀବଟିଏ ଗୁଆଗଛ ଖାଏ,
ବଡ଼ ବଡ଼ ଗଛ ସଙ୍ଗେ ଯୁଦ୍ଧ କରିଯାଏ ।

ଉତ୍ତର - ଉଇ

ପହେଳି - ଅତି ଶୀଘ୍ର ସେହୁ ସମୁଦ୍ରରେ ରହେ
କୁମ୍ଭୀର ତାହାକୁ ଦେଖି ପଳାଏ ।

ଉତ୍ତର - ହାଙ୍ଗର

ପହେଳି - ଅଥଳ ସମୁଦ୍ରେ କରଇ ବାସ
ତିମିକୁ ମିଳଇ ପାଇ ଆଭାସ
ଜଳଜାହାଜକୁ ଦିଏ ବୁଡ଼ାଇ
କୁହ ତାର ନାମ ଜାଣିଛ କେହି 

ଉତ୍ତର - ହାଙ୍ଗର

ଉତ୍ସ - ଶ୍ରୀ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଦ୍ୱାରା ସମ୍ପାଦିତ ଓ ଓ ସଙ୍କଳିତ 'ଓଡ଼ିଆ ଶିଶୁ-କିଶୋର ଢଗଢ଼ମାଳି' । ବହିଟିର ପ୍ରଥମ ପ୍ରକାଶ ୨୦୧୭ ମସିହାରେ । ପ୍ରକାଶକ ହେଲେ ନୂଆଦିଲ୍ଲୀସ୍ଥ କେନ୍ଦ୍ରୀୟ ସାହିତ୍ୟ ଅକାଦେମି ।

Wednesday, March 14, 2018

ମହାଦେଶ

ଅନୁବାଦ - ବିଶ୍ୱଜିତ ଆପଟ


ବିନା ମହାସାଗରରେ ମହାଦେଶଗୁଡ଼ିକର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପୃଥିବୀରେ ସାତୋଟି ମହାଦେଶ ଅଛି । ବିସ୍ତୀର୍ଣ୍ଣ ଜଳଭାଗ ଦ୍ୱାରା ଏଗୁଡିକ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ଏହି ମହାଦେଶଗୁଡିକ ହେଲେ, ଏସିଆ, ଇଉରୋପ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା । ପୃଥିବୀ ମାନଚିତ୍ରକୁ ଦେଖ (ଚିତ୍ର କ୍ରମାଙ୍କ ୫.) ଓ ଲକ୍ଷ୍ୟ କର ଯେ ପୃଥିବୀର ଅଧିକାଂଶ ସ୍ଥଳଭାଗ ଉତ୍ତର ଗୋଲାର୍ଦ୍ଧରେ ରହିଛି ।

ଏସିଆ ହେଉଛି ବୃହତ୍ତମ ମହାଦେଶ । ଏହା ଆକାରରେ ପୃଥିବୀର ସମୁଦାୟ ସ୍ଥଳଭାଗର ପ୍ରାୟ ଏକ-ତୃତୀୟାଂଶ ଭାଗ । ଏହି ମହାଦେଶଟି ପୂର୍ବ ଗୋଲାର୍ଦ୍ଧରେ ରହିଛି । ଏହି ମହାଦେଶ ଦେଇ କର୍କଟକ୍ରାନ୍ତି ଯାଇଛି । ଏସିଆର ପଶ୍ଚିମରେ ଥିବା ୟୁରାଲ ପର୍ବତ ଏହାକୁ ଇଉରୋପଠାରୁ ଅଲଗା କରି ରଖିଛି (ଚିତ୍ର କ୍ରମାଙ୍କ ୫.) । ଇଉରୋପ ଓ ଏସିଆକୁ ମିଶାଇ ସମୁଦାୟ ଭୂଭାଗଟିକୁ ଇଉରେସିଆ (ଇଉରୋପ + ଏସିଆ) କୁହାଯାଏ ।

ଇଉରୋପ ଏସିଆଠାରୁ ବହୁତ ଛୋଟ । ଏହା ଏସିଆର ପଶ୍ଚିମରେ ଅବସ୍ଥିତ । ଏହା ମଧ୍ୟ ଦେଇ ସୁମେରୁ ବୃତ୍ତ ଯାଇଅଛି । ଏହାର ତିନି ପାଖକୁ ଜଳଭାଗ ଘେରି ରହିଛି । ପୃଥିବୀ ମାନଚିତ୍ର ଦେଖି ଏହାର ଅବସ୍ଥିତି ଲକ୍ଷ୍ୟ କର ।

ଆଫ୍ରିକା ହେଉଛି ଏସିଆ ପରେ ଦ୍ୱିତୀୟ ବୃହତ୍ତମ ମହାଦେଶ । ବିଷୁବବୃତ୍ତ ବା ୦° ଅକ୍ଷାଂଶ ପ୍ରାୟ ଏହାର ମଧ୍ୟଭାଗ ଦେଇ ଯାଇଛି । ଆଫ୍ରିକା ମହାଦ୍ଶର ଏକ ବଡ ଭାଗ ଉତ୍ତର ଗୋଲାର୍ଦ୍ଧରେ ରହିଛି । ମାନଚିତ୍ରକୁ ଦେଖ (ଚିତ୍ର କ୍ରମାଙ୍କ ୫.) ଓ ଲକ୍ଷ୍ୟ କର ଯେ ଆଫ୍ରିକା ହେଉଛି ଏକ ମାତ୍ର ମହାଦେଶ ଯାହା ମଧ୍ୟ ଦେଇ କର୍କଟକ୍ରାନ୍ତି, ବିଷୁବବୃତ୍ତ ଓ ମକରକ୍ରାନ୍ତି – ତିନୋଟି ଯାକ ମୁଖ୍ୟ ଅକ୍ଷାଂଶ ଯାଇଛି ।
ପୃଥିବୀର ସର୍ବବୃହତ ଉଷ୍ଣ ମରୁଭୂମି- ସାହାରା ମରୁଭୂମି ଆଫ୍ରିକାରେ ଅବସ୍ଥିତ । ମହାଦେଶଟି ସବୁ ଦିଗରୁ ମହାସାଗର ଓ ସମୁଦ୍ର ଦ୍ୱାରା ଆଚ୍ଛାଦିତ ହୋଇ ରହିଛି । ମାନଚିତ୍ରକୁ ଦେଖ । ତୁମେ ସକ୍ଷ୍ୟ କରିବ ଯେ ପୃଥିବୀର ଦୀର୍ଘତମ ନଦୀ – ନୀଳ ନଦୀ ଆଫ୍ରିକା ଦେଇ ପ୍ରବାହିତ ହେଉଛି । ଆଫ୍ରିକାର ମାନଚିତ୍ର ଦେଖି କୁହ ଯେ, କର୍କଟକ୍ରାନ୍ତି, ବିଷୁବବୃତ୍ତ ଓ ମକରକ୍ରାନ୍ତି ଏହାର କେଉଁ ଭାଗ ଦେଇ ଯାଇଛି ।

ଉତ୍ତର ଆମେରିକା ପୃଥିବୀର ତୃତୀୟ ବୃହତ୍ତମ ମହାଦେଶ ଅଟେ । ଏହା ଦକ୍ଷିଣ ଆମେରିକା ସହ ଏକ ସଙ୍କୀର୍ଣ୍ଣ ସ୍ଥଳଭାଗ ଦ୍ୱାରା ସଂଯୁକ୍ତ ଯାହାକୁ ପାନାମା ଯୋଜକ କୁହାଯାଏ । ଏହି ମହାଦେଶଟି ସମ୍ପୂର୍ଣ୍ଣ ଭାବରେ ଉତ୍ତର ଓ ପଶ୍ଚିମ ଗୋଲାର୍ଦ୍ଧରେ ଅବସ୍ଥିତ । ଏହି ମହାଦେଶକୁ ତିନୋଟି ମହାସାଗର ଘେରି ରହିଛି । ତୁମେ ସେଗୁଡିକର ନାମ କହିପାରିବ କି ?

ଦକ୍ଷିଣ ଆମେରିକାର ଅଧିକାଂଶ ଭାଗ ଦକ୍ଷିଣ ଗୋଲାର୍ଦ୍ଧରେ ରହିଛି । ଏହାର ପୂର୍ବ ଓ ପଶ୍ଚିମରେ କେଉଁ ଦୁଇଟି ମହାସାଗର ରହିଛି ? ପୃଥିବୀର ସବୁଠାରୁ ଲମ୍ବା ପର୍ବତଶ୍ରେଣୀ ଆଣ୍ଡିଜ୍ ଏହାର ଉତ୍ତରରୁ ଦକ୍ଷିଣ ଯାଏଁ ବିସ୍ତୃତ । ଦକ୍ଷିଣ ଆମେରିକାରେ ପୃଥିବୀର ବୃହତ୍ତମ ନଦୀ ଆମାଜନ ପ୍ରବାହିତ ହୁଏ ।

ଅଷ୍ଟ୍ରେଲିଆ ପୃଥିବୀର କ୍ଷୁଦ୍ରତମ ମହାଦେଶ ଓ ଏହା ସମ୍ପୂର୍ଣ୍ଣ ଭାବେ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ । ଏହାର ଚତୁଃପାର୍ଶ୍ୱ ମହାସାଗର ଓ ସାଗରଗୁଡିକ ଦ୍ୱାରା ଆଚ୍ଛାଦିତ । ଏହାକୁ ଦ୍ୱୀପ ମହାଦେଶ କୁହାଯାଏ ।

ଆଣ୍ଟାର୍କଟିକା ଏକ ବିଶାଳ ମହାଦେଶ ଅଟେ । ଏହା ସମ୍ପୂର୍ଣ୍ଣ ଭାବେ ଦକ୍ଷିଣ ମହାଦେଶରେ ରହିଛି । ଦକ୍ଷିଣ ମେରୁ ପ୍ରାୟ ଏହାର କେନ୍ଦ୍ରରେ ଅବସ୍ଥିତ । ଦକ୍ଷିଣ ମେରୁ ଅଞ୍ଚଳରେ ଥିବାରୁ ଏହା ସର୍ବଦା ବରଫ ଦ୍ୱାରା ଆଚ୍ଛାଦିତ ଥାଏ । ଏଠାରେ ସ୍ଥାୟୀ ଜନବସତି ନାହିଁ । ଆଣ୍ଟାର୍କଟିକାରେ ବିଭିନ୍ନ ଦେଶର ଗବେଷଣାଗାର ରହିଛି । ଏଠାରେ ଭାରତର ମଧ୍ୟ ଗବେଷଣାଗାରମାନ ଅଛି । ସେଗୁଡିକର ନାମ ମୈତ୍ରୀ ଓ ଦକ୍ଷିଣ ଗଙ୍ଗୋତ୍ରୀ

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ପଞ୍ଚମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Monday, March 12, 2018

ଶିକ୍ଷା ଓ ଶାନ୍ତି

ଗୋପବନ୍ଧୁ ଦାଶ



ଗ୍ରୀକ ଶାନ୍ତିର ଦେବୀ ଆଇରିନ୍, ନିଜର ପୁତ୍ର ପ୍ଲୁଟୋଙ୍କ ସହ
ୱିକିମିଡିଆ କମନ୍ସ୍ 

ଅନେକେ ମନେ କରନ୍ତି, ଶିକ୍ଷା ହେତୁ ଏ ଦେଶରେ ଅଶାନ୍ତି ଓ ଅରାଜକତା ବଢୁଛି ବୋଲି ସରକାରଙ୍କର ବିଶ୍ୱାସ। ତେଣୁ ସରକାର ଏ ଦେଶରେ ଅଧିକ ଶିକ୍ଷା-ବିସ୍ତାରର ପକ୍ଷପାତୀ ନୁହନ୍ତି। ଏଭଳି ଆଶଙ୍କାର ଯଥାର୍ଥରେ କୌଣସି ଭିତ୍ତି ନାହିଁ। ଦିନକୁ ଦିନ ଶିକ୍ଷାବିଭାଗର ବ୍ୟୟ ବଢୁଛି ଏବଂ ନୂତନ ନୂତନ ଶିକ୍ଷାନୁଷ୍ଠାନମାନ ବଢ଼ୁଛି। ଦେଶର ଲୋକସାଧାରଣଙ୍କ ମନରେ ଶିକ୍ଷା ନିମନ୍ତେ ଯେପରି ବ୍ୟାକୁଳତା ଆସିଅଛି, ସରକାରୀ କର୍ତ୍ତୁପକ୍ଷମାନେ ତତ୍‌ପ୍ରତି ସେହିପରି ସହାନୁଭୂତି ଓ ଉଦ୍‌ବେଗ ଦେଖାଇବାରେ ତ୍ରୁଟି କରୁନାହାନ୍ତି। ତେବେ ପରସ୍ପର ମଧ୍ୟରେ ବୁଝିବାରେ କେବେ କେବେ ଟିକିଏ ଭ୍ରମ ହୋଇଥାଏ। ମନୁଷ୍ୟର ସାଂସାରିକ ବ୍ୟବହାରରେ ଏପରି ଭ୍ରମ ଘଟିବା ଅବଶ୍ୟମ୍ଭାବୀ। କିନ୍ତୁ ଉଭୟ ପକ୍ଷର ପ୍ରାଣରେ ସରଳତା, ଉଦ୍ଦେଶ୍ୟରେ ଉଦାରତା ଏବଂ କାର୍ଯ୍ୟରେ ଆନ୍ତରିକତା ଥିଲେ, ଏ ଭ୍ରମ ବେଶି ଦିନ ରହିବ ନାହିଁ।

ବଙ୍ଗଳା ଶିକ୍ଷାବିଭାଗର ଉରେକ୍‌ଟର ସାହେବ ସେ ଦିନ ଏକ ପୁରସ୍କାର ବିତରଣୀ ସଭାରେ କହିଥିଲେ “ଅରାଜକତା ନିବାରଣର ଉପାୟ ଅଳ୍ପ ଶିକ୍ଷା ବା ଅଳ୍ପ ବିଦ୍ୟାଳୟ ନୁହେଁ ବର‌ଂ ଅଧିକ ଶିକ୍ଷା ଏବଂ ଅଧିକ ବିଦ୍ୟାଳୟ ଆବଶ୍ୟକ।“ ବାସ୍ତବରେ ଦେଶର ଜନସାଧାରଣ ଶିକ୍ଷିତ ନହେଲେ ଦେଶର ଉନ୍ନତି ସମ୍ଭବ ନୁହେଁ ଏବଂ ଦେଶର ଉନ୍ନତି ବିନା ଶାସନର ଶୃଙ୍ଖଳା ଏବଂ ସୁବ୍ୟବସ୍ଥା କିପରି ହେବ? ଯେ କୌଣସି ଦେଶର ଅପରାଧୀମାନଙ୍କର ହିସାବ ନେଲେ ଦେଖାଯିବ ଉତ୍କଟ ଅପରାଧ ହେତୁ କାରାବଦ୍ଧ ହୋଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଅଶିକ୍ଷିତ। ଶିକ୍ଷା ନ ପାଇଲେ ଲୋକର ଆତ୍ମାମର୍ଯ୍ୟାଦା ଜନ୍ମେ ନାହିଁ ଏବଂ ଯେଉଁମାନଙ୍କର ଆତ୍ମାମର୍ଯ୍ୟାଦା ନାହିଁ ସେମାନଙ୍କ ପ୍ରତି କାରାବାସର କୌଣସି ଅର୍ଥ ନାହିଁ। ସୁତରାଂ ଦେଶରେ ଯେଉଁ ପରିମାଣରେ ବିଦ୍ୟାଳୟ ବଢିବ ସେହି ପରିମାଣରେ କାରାବାସ କମିବ ଯେଉଁ ପରିମାଣରେ ଶିକ୍ଷକ ସଂଖ୍ୟା ବଢିବ ସେହି ପରିମାଣରେ ମାଜିଷ୍ଟ୍ରେଟ୍ ସଂଖ୍ୟା କମିବ। ଶିଳ୍ପ, ସ୍ୱାସ୍ଥ୍ୟ ବା ଅନ୍ୟ ଯେକୌଣସି ସାଧାରଣ ହିତକର ପ୍ରସ୍ତାବକୁ ଶିକ୍ଷିତ ସମାଜରେ କାର୍ଯ୍ୟରେ ପରିଣତ କରିବା ଯେପରି ସହଜ ଏବଂ ସୁସାଧ୍ୟ କୁ ସଂସ୍କାର ପୂର୍ଣ୍ଣ ଅଶିକ୍ଷିତ ସମାଜରେ ସେପରି ନୁହେଁ। ଜ୍ଞାନ ଅଶାନ୍ତିର ହେତୁ ବୋଲି ଖ୍ରୀଷ୍ଟିୟାନମାନଙ୍କର ବିଶ୍ୱାସ ଥିଲା। ସେମାନେ କହନ୍ତି ଜ୍ଞାନବୃକ୍ଷର ଫଳ ଆସ୍ୱାଦନଦ୍ୱାରା ମାନବ ଚିରକାଳ ପାଇଁ ସୁଖଶାନ୍ତି ହରାଇଛି ମାତ୍ର ଜଗତରେ ଜ୍ଞାନ ପ୍ରଚାର ବିଷୟରେ ଆଜି ଖ୍ରୀଷ୍ଟିୟାନମାନେ ଅଗ୍ରଣୀ ଖ୍ରୀଷ୍ଟଧର୍ମ ପ୍ରଚାରକ ଗଣ ଅସଭ୍ୟ ବର୍ବର ଲୋକମାନଙ୍କ ମଧ୍ୟରେ ଶିକ୍ଷା ସଭ୍ୟତା ପ୍ରଚାର କରି ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ କି ଅଭାବନୀୟ ପରିବର୍ତ୍ତନ ଘଟାଇ ଅଛନ୍ତି, ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ମାନବପ୍ରାଣ ସବୁବେଳେ ଅନ୍ଧକାରରୁ ଆଲୋକକୁ ଯିବାକୁ ଲୋଡ଼ାଅଛି, ଅସତ୍ୟରୁ ସତ୍ୟ ଆଡ଼କୁ ଯିବାକୁ ବ୍ୟାକୁଳ ହେଉଅଛି।


ଅସତୋ ମାଂ ସଦ୍‌ଗମୟ, ତମସୋ ମା ଜ୍ୟୋତିର୍ରାମୟ। “ ବୈଦିକ ଆର୍ଯ୍ୟଋଷିମାନଙ୍କର ଏହି ଅମର ଭକ୍ତିରେ ମାନବର ସହଜ ଅନନ୍ତ ଆକାଂକ୍ଷା ପ୍ରକାଶିତ ହୋଇଅଛି। ଏହି ଆକାଂକ୍ଷା ହିଁ ଯଥାର୍ଥରେ ମାନବର ପ୍ରାଣ ଏବଂ ମାନବର ସକଳ ଉନ୍ନତିର ନିଦାନ। କ୍ରମାଗତ ଏହି ଆକାଂକ୍ଷାର ଉତ୍ତରୋତ୍ତର ପରିତୃପ୍ତି ହେଉଥିଲେ ଆମ୍ଭମାନଙ୍କର ଏହି ଜଗତ ନିତ୍ୟଶାନ୍ତିର ନିକେତନ ହୁଅନ୍ତା। ଆବହମାନ କାଳରୁ ଭାରତୀୟ ଆର୍ଯ୍ୟମାନେ ଏହି ଆକାଂକ୍ଷା ଚରିତାର୍ଥ କରିବା ନିମନ୍ତେ ପ୍ରୟାସୀ। ତେଣୁ ନାନା ଅବସ୍ଥା ବିପର୍ଯ୍ୟୟ ମଧ୍ୟରେ ଭାରତବାସୀ କେବେ ନିଜର ଧୈର୍ଯ୍ୟ ଓ ଶାନ୍ତି ହରାଇ ନାହିଁ, ପାର୍ଥିବ ଅଧିକାର ଆଶାରେ ଧର୍ମପଥରୁ ବିଚଳିତ ହୋଇ ନାହିଁ। ଭାରତୀୟ ଦୃଷ୍ଟିରେ ମାନବଜୀବନ ସଂକୀର୍ଣ୍ଣ, ସୀମାବଦ୍ଧ ନୁହେଁ। ପଚାଶ ଷାଠିଏ ବର୍ଷରେ ଏହା ଏହିଠାରେ ଶେଷ ହୁଏ ନାହିଁ। ଏହାର ଗତି ଅନନ୍ତ ଲକ୍ଷ୍ୟ ଅନନ୍ତ। ଏହିପରି ଉଦାର ବ୍ୟାପକ ଭାବରେ ଜୀବନକୁ ଦେଖି ନ ଶିଖିବା ଯାଏ ଆମ୍ଭମାନଙ୍କର ନିଜତ୍ୱ ଆସିବ ନାହିଁ, ଶାନ୍ତି ମିଳିବ ନାହିଁ, ମୁକ୍ତିର ଦ୍ୱାର ଫିଟିବ ନାହିଁ


(ସତ୍ୟବାଦୀ, ୨ୟ ଖଣ୍ଡ, ୫ମ, ୬ଷ୍ଠ ଓ ୭ମ ସଂଖ୍ୟା, ୧୯୧୬)

Saturday, March 10, 2018

ପ୍ରଜାପତି

ବାଞ୍ଛାନିଧି ଷଡ଼ଙ୍ଗୀ


ଚିତ୍ର - ବଟରଫ୍ଲାଏ ଆଣ୍ଡ ଚାଇନିଜ ୱିଷ୍ଟେରିଆ ଫ୍ଲାୱାର୍ସ୍ (୯୭୦ ମସିହା)
ସଙ୍ଗ୍ ବଂଶର ଚିତ୍ରକର ଜୁ ଜି ଙ୍କର ଚିତ୍ର
ଫଟୋ କ୍ରେଡ଼ିଟ -ୱିକିମିଡିଆ କମନ୍ସ୍

ଧଅନା ଧଅନା ପ୍ରଜାପତିଟିକି
ଉଡ଼ୁ ସେ ଆପଣାଛାଆଁ,
ଲୁଚିଲୁଚିକା ତା ପଛେ ପଛେ ବୁଲି
ଦୂରେଇ ଦୂରେଇ ଚାହାଁ ।

ଧରି ପକାଇଲେ ପାତଳ ପଖିଟି
ଛିଡ଼ିଯିବ କାଳେ ତାର,
ଖେଳୁ ଖେଳୁ, ଆହା ! ଜୀବନ ମାରିବୁ
କିଆଁ ପ୍ରଜାପତିଟାର ।

ଟୋପି ଟୋପି କଳା ଧଳା ହଳଦିଆ
ପଖି ହଲହଲ କରି,
ଏ ଫୁଲେ ସେ ଫୁଲେ ବଗିଚାଟା ଯାକ
ବୁଲୁଛି କିପରି ହଲି ।
କାହିଁ ବସୁ ନାହିଁ ମଠ କରି ଟିକେ
ଉଠିଯାଏ କାମ ସାରି,
ଶିଖିବୁ ଯେବେ ତା ଚଞ୍ଚଳପଣିଆ
ପୁଅରେ ହେବୁ ସୁମାରି ।

 ବି.ଦ୍ର.: ଏହି ଶିଶୁ କବିତାଟି ୧୩୨୮ ସାଲରେ ପ୍ରକାଶିତ ପିଲାଙ୍କ  ପତ୍ରିକା 'ପଞ୍ଚାମୃତ'ର ପ୍ରଥମ ଭାଗର ପ୍ରଥମ ସଙ୍ଖ୍ୟାରୁ ସଙ୍ଗୃହିତ । ପତ୍ରିକାର ସମ୍ପାଦକ ହେଲେ ଚିନ୍ତାମଣି ଆଚାର୍ଯ୍ୟ ।

Thursday, March 08, 2018


ପୃଥିବୀର ପ୍ରମୁଖ ମଣ୍ଡଳ ସମୂହ


ଅନୁବାଦ - ବିଶ୍ୱଜିତ ଆପଟ


ପୃଥିବୀର ପ୍ରମୁଖ ପ୍ଲେଟ୍ ସମୁହ (ୱିକିମିଡିଆ କମନ୍ସ୍)

ତୁମେ ପ୍ରଥମ ଅଧ୍ୟାୟରେ ପଢିଛ ଯେ ପୃଥିବୀ ଏକ ମାତ୍ର ଗ୍ରହ ଯେଉଁଠି ଜୀବଜଗତ ତିଷ୍ଠି ରହିଛି । ମନୁଷ୍ୟମାନେ ଏଠାରେ ଜୀବନ ଧାରଣ କରିପାରିବେ କାରଣ ମାଟି, ପାଣି, ପବନରେ ରହିଥିବା ଜୀବନ ସୃଷ୍ଟିକାରୀ ଉପାଦାନ ପୃଥିବୀରେ ରହିଛି ।

ପୃଥିବୀ ପୃଷ୍ଠରେ ପରିବେଶର ତିନୋଟି ମୁଖ୍ୟ ଉପାଦାନର ସମାବେଶ ହୋଇଥାଏ ଓ ସେମାନେ ପରସ୍ପରକୁ ପ୍ରଭାବିତ କରନ୍ତି । ପୃଥିବୀର କଠିନ ପୃଷ୍ଠ ଯାହା ଉପରେ ଆମେ ବାସ କରୁ ତାହାକୁ ଅଶ୍ମମଣ୍ଡଳ କୁହାଯାଏ । ପୃଥିବୀକୁ ଘେରି ରହିଥିବା ଗ୍ୟାସର ପରସ୍ତକୁ ବାୟୁମଣ୍ଡଳ କୁହାଯାଏ ଯେଉଁଥିରେ ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ ତଥା ଅନ୍ୟ କେତେକ ଗ୍ୟାସ ରହିଅଛି । ପୃଥିବୀର ଏକ ବଡ ଭାଗ ଜଳ ଦ୍ୱାରା ଆଚ୍ଛାଦିତ ଯାହାକୁ ବାରିମଣ୍ଡଳ କୁହାଯାଏ । ବାରିମଣ୍ଡଳରେ ଜଳ ଏହାର ସବୁ ଅବସ୍ଥାରେ ଥାଏ ଯଥା ବରଫ, ଜଳ ଓ ବାଷ୍ପ ।

ଜୈବମଣ୍ଡଳ ଏକ ସଙ୍କୀର୍ଣ୍ଣ କ୍ଷେତ୍ର ଅଟେ ଯେଉଁଠାରେ ସ୍ଥଳ, ଜଳ ଓ ପବନର ସମାବେଶ ଘଟେ ଓ ଯେଉଁଠାରେ ସବୁ ପ୍ରକାରର ଜୀବ ରହିଥାଆନ୍ତି ।

ଅଶ୍ମମଣ୍ଡଳ

ଭୂପୃଷ୍ଠର କଠିନ ଭାଗକୁ ଅଶ୍ମମଣ୍ଡଳ କୁହାଯାଏ । ଏହା ଭୂତ୍ୱକର ବିଭିନ୍ନ ଶିଳା ଓ ମୃତ୍ତିକାର ପତଳା ସ୍ତରକୁ ନେଇ ଗଠିତ । ଜୀବମାନଙ୍କର ଜୀବନଧାରଣ ପାଇଁ ଆବଶ୍ୟକୀୟ ପୋଷକ ଉପାଦାନ ଏଥିରେ ରହିଥାଏ ।

ଭୂପୃଷ୍ଠ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ବିଶାଳ ସ୍ଥଳଭାଗଗୁଡିକୁ ମହାଦେଶ କୁହାଯାଏ ଓ ବିଶାଳ ଜଳଭାଗଗୁଡିକୁ ମହାସାଗର କୁହାଯାଏ । ପୃଥିବୀର ପ୍ରତ୍ୟେକ ମହାସାଗର ପରସ୍ପର ସହ ସଂଯୁକ୍ତ । ପୃଥିବୀର ମାନଚିତ୍ରକୁ ଦେଖ । ସମସ୍ତ ସ୍ଥଳଭାଗ ପରସ୍ପର ସହ ସଂଯୁକ୍ତ କି ?

ମହାସାଗରର ଜଳସ୍ତର ସବୁଆଡେ ସମାନ । ବିଭିନ୍ନ ସ୍ଥାନର ଉଚ୍ଚତା ସମୁଦ୍ରପତ୍ତନଠାରୁ ହିସାବ କରାଯାଏ ଅର୍ଥାତ ସମୁଦ୍ରର ଜଳସ୍ତରର ଉଚ୍ଚତା ଶୂନ ଧରାଯାଏ । ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟର ଉଚ୍ଚତା ସମୁଦ୍ରପତ୍ତନ ଠାରୁ ୮୮୪୮ ମିଟର । ଗଭୀରତମ ସ୍ଥାନ ପ୍ରଶାନ୍ତ ମହାସାଗରର ମାରିଆନା ସାମୁଦ୍ରିକ ଖାତ ଅଟେ ଯାହାର ଗଭୀରତା ହେଉଛି ୧୧,୦୨୨ ମିଟର । ତୁମେ କ’ଣ କେବେ କଳ୍ପନା କରିଥିଲ ଯେ ସମୁଦ୍ରର ଗଭୀରତା ପୃଥିବୀର ସର୍ବୋଚ୍ଚ ସ୍ଥାନଠାରୁ ମଧ୍ୟ ଏତେ ଅଧିକ ହୋଇପାରେ ?

ବି.ଦ୍ର.
 - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ପଞ୍ଚମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।