Wednesday, October 31, 2018

କେନ୍ଦୁଝରର ପିଲାଙ୍କ ଖେଳ କଉତୁକ ଗୀତ -  'ଆପଟ ବାପଟ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଚିତ୍ର - 'ଫ୍ଲୋରୋସିଲାସ୍'
ଚିତ୍ରକର - ଇଉଜେନିଓ କୃଜ୍ ଭାର୍ଗାସ୍ (୧୯୨୩ - ୨୦୧୪)

ଆପଟ ବାପଟ କାନ ମଡ଼କା
ଇସିକି ନାଗର ଦହି ତୋଡ଼କା
ରାଇ ରଙ୍ଗ ଫିରିକି ଫୁଲ
ବାପ କହିଲେ ଏଇଟି ଚୋର ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Monday, October 29, 2018

ଗାନ୍ଧୀଜୀଙ୍କର ଶିକ୍ଷାବିଚାର


'ଛାତ୍ରମାନେ କଅଣ କରିବେ' - ୩


୧୯୩୦ ଦଶକର ବଜାର କଳାକୃତି (ୱିକିମିଡ଼ିଆ କମନ୍ସ୍)

ସବୁଠାରୁ ସହଜ କାର୍ଯ୍ୟ

ଖଦୀ ବ୍ୟତୀତ ଆଉ କିଛି ବ୍ୟବହାର କରିବେ ନାହିଁ ଏହି ସିଦ୍ଧାନ୍ତ ଶେଷ ଥର ପାଇଁ କରିବା ଆପଣମାନଙ୍କ ପକ୍ଷରେ ଦୁନିଆରେ ସବୁଠାରୁ ସହଜ କାର୍ଯ୍ୟ ହେବ । କାରଣ ଯେଉଁମାନେ ସବୁଠାରୁ ବେଶୀ ଅଭାବଗ୍ରସ୍ତ, ସେମାନଙ୍କ ହାତରେ କାର୍ଯ୍ୟ ହେବ, କାରଣ ଯେଉଁମାନେ ସବୁଠାରୁ ବେଶୀ ଅଭାବଗ୍ରସ୍ତ ସେମାନଙ୍କ ହାତରେ ଏହା ଦୁଇ ପଇସା ଦେବ ମୁଁ ଶୁଣୁଛି ଯେ, କେବଳ ଏହି ଗୋଟିଏ ଅନୁଷ୍ଠାନରେ ଆପଣମାନେ ୧୪୦୦ ଜଣ ଅଛନ୍ତି । ଏହି ଚଉଦ ଶହ ଜଣ ଯଦି ପ୍ରତିଦିନ ଅଧ ଘଣ୍ଟା ଲେଖାଏଁ ସୂତା କାଟନ୍ତି, ସେମାନେ ଦେଶର ସମ୍ପଦ ବସ୍ତତଃ କେତେ ଚଢ଼ାଇ ପାରିବେ ତାହା ବିଚାର କରନ୍ତୁ । ତଥାକଥିତ ଅସ୍ପୃଶ୍ୟମାନଙ୍କ ପାଇଁ ଏହି ଚଉଦଶହ ଛାତ୍ର କଣ କରିପାରିବେ ଭାବି ଦେଖନ୍ତୁ । 

ଯଦି ଏହି ଚଉଦଶହ ଯୁବକ ବାଲ୍ୟ ବିବାହ ସହିତ କୌଣସି ପ୍ରକାରର ସମ୍ପର୍କ ନ ରଖିବାକୁ ଦୃଢ଼ ସଂକଳ୍ପ କରନ୍ତି, ତେବେ ଆପଣମାନଙ୍କର ପାରିପାର୍ଶ୍ୱିକ ସମାଜରେ କେଡ଼େ ବଡ଼ ସଂସ୍କାର ଆଣି ପାରିବେ ତାହା କଳ୍ପନା କରନ୍ତୁ । ଯଦି ଏହି ଚଉଦଶହ ଜଣ ବା ଏଥି ମଧ୍ୟରୁ ଉଲ୍ଲେଖଯୋଗ୍ୟ ସଙ୍ଖ୍ୟାର ଛାତ୍ର ସେମାନଙ୍କର ଅବସର ସମୟରେ କିମ୍ୱା ରବିବାରର ଆଂଶିକ ସମୟ ମଦ୍ୟାସକ୍ତ ଲୋକମାନଙ୍କ ପାଖକୁ ଯାଇ ଯଥାସମ୍ଭବ ମୃଦୁ ମେଳାପୀ ଭାବରେ ସେମାନଙ୍କ ସହ ବ୍ୟବହାର କରି ସେମାନଙ୍କ ହୃଦୟ ଅଧିକାର କରି ପାରିବେତେବେ ଆପଣମାନେ ସେମାନଙ୍କର ଓ ଦେଶର କେଡ଼େ ସେବା କରିପାରିବେ ଅନୁମାନ କରନ୍ତୁ । ବର୍ତ୍ତମାନ ପ୍ରଚଳିତ ଦୋଷଯୁକ୍ତ ଶିକ୍ଷାପ୍ରଣାଳୀ ସତ୍ୱେ ଆପଣମାନେ ଏହା କରି ପାରିବେ । ଏଥି ପାଇଁ ଆପଣମାନଙ୍କୁ ବେଶି କିଛି କରିବାକୁ ପଡ଼ିବ ନାହିଁ । କେବଳ ନିଜର ହୃଦୟ ପରିବର୍ତ୍ତନ କଲେ କିମ୍ୱା ରାଜନୀତିକ ଜଗତରେ ପ୍ରଚଳିତ ଭାଷାରେ କହିବାକୁ ଗଲେ “ଦୃଷ୍ଟିକୋଣ ବଦଳାଇଲେ,” ଏହା ହୋଇ ପାରିବ ।

ଗମ୍ଭୀର ପରିସ୍ଥିତି

ଯେଉଁ ଗମ୍ଭୀର ପରିସ୍ଥିତିରେ ଆମ୍ଭେମାନେ ଆଜି ସନ୍ଧ୍ୟାରେ ଏଠାରେ ଏକତ୍ର ହୋଇ ଅଛୁଁ ଏବଂ ଯେଉଁ ସନ୍ଦର୍ଭରେ ମୋର ବକ୍ତୃତା ମୁଁ ଆରମ୍ଭ କଲି, ତାକୁ ଯଦି ଆପଣମାନେ ବିଚାର କରନ୍ତି, ତେବେ ଆପଣମାନେ ଏହି ଅବସରରେ ସଦ୍‌ବ୍ୟବହାର କରିବେ ବୋଲି ମୁଁ ଆଶା କରେ । ପାରିବାରିକ ଦୁଃଖ ହେତୁରୁ ଯଦି କୌଣସି ଛାର ସଂସାରୀ ଏହି ଅନୁଷ୍ଠାନରେ ଯୋଗ ଦେବାକୁ କ୍ଷାନ୍ତ ହୁଅନ୍ତି ତେବେ ସେ ଠିକ୍ କରିଛନ୍ତି ବୋଲି ନିଜେ ଓ ଦୁନିଆ କହିବେ । ଯେଉଁବ୍ୟକ୍ତି ଏପରି ଶୋକ୍ଲକୁ ଝୁରି ନହୋଇ ସେହି ଶୋକକୁ ଭଗବାନ ଓ ମାନବ ଜାତିର ସେବାରେ ରୂପାନ୍ତରିତ କରି ପାରନ୍ତି, ତେବେ ତାଙ୍କଠାରେ ମହତ୍ତ୍ୱ ଓ ଶକ୍ତି ଅଛି ବୋଲି ବୁଝିବାକୁ ହେବ । ସମଗ୍ର ମାନବ ସମାଜ ସେ ମୂଳତଃ ଏକ ଏହା ଏହିପରି କାର୍ଯ୍ୟରୁ ଆମ୍ଭେମାନେ ବୁଝିବାକୁ ସମର୍ଥ ହେଉ । ମୋର ବକ୍ତବ୍ୟ ଆପଣମାନେ ଭଗବାନ୍‌ଙ୍କ କୃପାରୁ ବୁଝି ପାରନ୍ତୁ । ଆପଣମାନଙ୍କର ଅଭିନନ୍ଦନ ଅର୍ଥସାହାଯ୍ୟ ଓ ବକ୍ତବ୍ୟ ପାଇଁ ପୁଣି ଥିରେ ମୁଁ ଧନ୍ୟବାଦ ଦେଉ ଅଛି ।

ବିଦ୍ର. - ଏହି  ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆପତ୍ରିକାର ତା୮--୧୯୨୭ରିଖର ପ୍ରକାଶିତ ସଙ୍ଖ୍ୟାରେ ପ୍ରକାଶ  ପାଇଥିଲା । 

Sunday, October 28, 2018

ଗାନ୍ଧୀଜୀଙ୍କର ଶିକ୍ଷାବିଚାର


'ଛାତ୍ରମାନେ କଅଣ କରିବେ' - ୨


ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମଠାରେ ଖଦିବୁଣାର ଦୃଶ୍ୟ (ୱିକିମିଡିଆ କମନ୍ସ୍)

ଗୋଟିଏ ଅପରିହାର୍ଯ୍ୟ ସର୍ତ୍ତ


ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରୁ ଆଲୋଚନା କଲେ ଛାତ୍ରମାନଙ୍କ ପକ୍ଷରେ କଣ କରିବା ସମ୍ଭବ ଓ ଦେଶର ସେବା କରିବା ପାଇଁ ଆମେ ଅଧିକ କ'ଣ କରି ପାରିବୁ, ଏହା ଆମକୁ ବିଚାର କରିବାକୁ ହେବ । ଯେଉଁମାନେ ଛାତ୍ରମାନଙ୍କଠାରୁ ବହୁତ ଆଶା ରଖି ଅଛନ୍ତି, ସେମାନଙ୍କର ଓ ମୋ ନିଜର ମତରେ ଏହି ପ୍ରଶ୍ନର ଉତ୍ତର ହେଉଛି, ସେମାନଙ୍କୁ ନିଜ ନିଜର ହୃଦୟର ଅନୁସନ୍ଧାନ କରିବାକୁ ଓ ବ୍ୟକ୍ତିଗତ ଚରିତ୍ରର ତତ୍ତ୍ୱ ନେବାକୁ ପଡ଼ିବ । ନିର୍ଦ୍ଦୋଷ ଶିକ୍ଷାପ୍ରଣାଳୀ ଗଠନର ଏକ ଅପରିହାର୍ଯ୍ୟ ସର୍ତ୍ତ୍ୱ ହେଉଛି, ବ୍ୟକ୍ତିଗତ ଜୀବନର ପବିତ୍ରତା । ଯେଉଁ ଅଗଣିତ ଛାତ୍ର ମୋ ପାଖରେ କୌଣସି କଥା ଗୁପ୍ତ ନରଖି ବିଶ୍ୱାସରେ ହୃଦୟ ଖୋଲି ସେମାନଙ୍କ ଅନ୍ତରର ଭାବ ବ୍ୟକ୍ତ କରନ୍ତି, ସେମାନଙ୍କର ସେହି ଚିଠିପତ୍ରରୁ ଓ ସେମାନଙ୍କ ସହ ଦେଖାସାକ୍ଷାତରୁ ସ୍ପଷ୍ଠରୂପେ ଜଣାଯାଏ ସେ ସେମାନଙ୍କ ଠାରୁ ବହୁତ କିଛି ଆଶା କରା ଯାଇ ପାରେ ।

ମୋ କଥାର ମର୍ମ ଆପଣମାନେ ଉତ୍ତମରୂପେ ବୁଝି ପାରୁ ଥିବେ । ଆମ ଭାଷାରେ ଛାତ୍ର ଶବ୍ଦର ଗୋଟିଏ ସୁନ୍ଦର ପ୍ରତିଶବ୍ଦ ଅଛି । ତାହା ହେଉଛି, ବ୍ରହ୍ମଚାରୀ । ମୋର ଆଶା ବ୍ରହ୍ମଚାରୀ ଶବ୍ଦର ଅର୍ଥ ଆପଣମାନେ ଜାଣନ୍ତି । ଏହାର ଅର୍ଥ ଯେ ଈଶ୍ୱରଙ୍କୁ ଅନ୍ୱେଷଣ କରେ ଏବଂ ସବୁଠାରୁ ଅଳ୍ପ ସମୟରେ ଈଶ୍ୱରଙ୍କୁ ନିକଟବର୍ତ୍ତୀ ହେବାପାଇଁ ନିଜକୁ ପରିଚାଳନା କରେ । ସବୁ ଧର୍ମର ପରସ୍ପର ମଧ୍ୟରେ ଯେତେ ପାର୍ଥକ୍ୟ ଥାଉ ପଛକେ, ପୃଥିବୀର ସମସ୍ତ ପ୍ରଧାନ ଧର୍ମ ପୂର୍ଣ୍ଣ ରୂପେ ଏକମତ ଯେ, କୌଣସି ନର ବା ନାରୀ ଅପବିତ୍ର ହୃଦୟର ପୂର୍ଣ୍ଣ ପବିତ୍ରତା ଅନୁଶୀଳନ କରିବାରେ ଆମ୍ଭେମାନେ ସମର୍ଥ ନ ହେଉ, ତେବେ ବେଦର ସମସ୍ତ ଜ୍ଞାନ ଓ ଆବୃତ୍ତିସଂସ୍କୃତଲାଟିନ୍ଗ୍ରୀକ୍ ଭାଷାର ଜ୍ଞାନ ଏବଂ ଆଉ ଯାହା କିଛି ସବୁ ନିରର୍ଥକ ଅଟେ । ଚରିତ୍ରଗଠନ ପ୍ରତ୍ୟେକ ଜ୍ଞାନର ଚରମ ଲକ୍ଷ୍ୟ ହେବା ଉଚିତ ।

ବିଶ୍ୱାସ ହରାଅ ନାହିଁ

ଶିମୋଗାରେ ଆଗରୁ ମୋର ଜଣେ ଅପରିଚିତ ଇଂରେଜ ବନ୍ଧୁ ମୋ ପାଖକୁ ଆସି ପଚାରିଲେ ଯେ, ଭାରତ ଯଦି ପ୍ରକୃତରେ ଆଧ୍ୟାତ୍ମିକ ଦୃଷ୍ଠିରୁ ଗୋଟିଏ ଅଗ୍ରଗାମୀ ଦେଶ, ତେବେ ଭାରତୀୟ ଛାତ୍ରମାନଙ୍କର ଈଶ୍ୱରଙ୍କ ବିଷୟରେ ଜ୍ଞାନ ଲିପ୍‌ସା କାହିଁକି ଦେଖା ଯାଏ ନାହିଁ । ଏପରିକି ଛାତ୍ରମାନଙ୍କର ମଧ୍ୟରୁ ଅଧିକାଂଶ ଭଗବଦ୍‌ଗୀତା କଅଣ ତାହା ଜାଣନ୍ତି ନାହିଁ । ତାଙ୍କ ଦ୍ୱାରା ଆବିଷ୍କୃତ ଛାତ୍ରମାନଙ୍କର ଏହି ଦୋଷ ପାଳନ କରି ମୁଁ ସକଳ କୈଫିଅତ୍ ଦେଲି । ମାତ୍ର ସେହି କୈଫିୟତ୍ କିମ୍ୱା ଏହି ବିରାଟ ଓ ଭୟଙ୍କର ତୃଟିକୁ ଘୋଡ଼ାଇବାର ଯୁକ୍ତି ଆପଣମାନଙ୍କ ଆଗରେ ଥୋଇବାକୁ ମୁଁ ଚାହୁଁ ନାହିଁ । 

ଆପଣମାନଙ୍କୁ ମୋର ସର୍ବାଦୌ ପ୍ରଥମ ଓ ଐକାନ୍ତିକ ଅନୁରୋଧ ଯେ, ଆପଣମାନେ ପ୍ରତ୍ୟେକ ନିଜର ହୃଦୟ ମନ୍ଥନ କରନ୍ତୁ ଏବଂ ଯେଉଁଠାରେ ମୋର ମନ୍ତବ୍ୟକୁ ଯୁକ୍ତିଯୁକ୍ତ ଦେଖୁଛନ୍ତିସେଠାରେ ନିଜକୁ ସଂସ୍କୃତ ଓ ପୁନର୍ଗଠିତ କରନ୍ତୁ । ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ହିନ୍ଦୁ (ମୁଁ ଜାଣେ ଯେ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ଅଟନ୍ତି) ସେମାନେ ଗୀତାର ସରଳ ସୁନ୍ଦର ଓ ଭାବୋଦ୍ଦୀପକ ବା ଜ୍ଞାନୋଦ୍ଦୀପକ ସନ୍ଦେଶକୁ ବୁଝିବା ପାଇଁ ଚେଷ୍ଟା କରିବେ । ଯେଉଁମାନେ ନିଜର ହୃଦୟକୁ ପବିତ୍ର କରିବା ନିମିତ୍ତ ସତ୍ୟର ଅନୁସନ୍ଧାନରେ ପ୍ରକୃତରେ ବ୍ରତୀ ହୋଇଅଛନ୍ତିସେମାନଙ୍କର ପ୍ରତ୍ୟେକଙ୍କରଜଣକୁ ସୁଦ୍ଧା ବାଦ୍ ନ ଦେଇ ଅନୁଭବ ହୋଇଛି ଯେ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଆନ୍ତରିକ ପ୍ରାର୍ଥନା ବ୍ୟତୀତ ଏହି ପବିତ୍ରତା ଲାଭ କରିବା ସମ୍ପୂର୍ଣ୍ଣ ରୂପେ ଅସମ୍ଭବ । 

ତେଣୁ ଆପଣମାନେ ଯାହା କରନ୍ତୁ ପଛକେ, ଈଶ୍ୱରଙ୍କ ଠାରେ ବିଶ୍ୱାସ ହରାନ୍ତୁ ନାହିଁ । ଯୁକ୍ତତର୍କ ଦ୍ୱାରା ମୁଁ ଆପଣମାନଙ୍କୁ ତାହା ବୁଝାଇ ଦେଇ ପାରିବି ନାହିଁ । କାରଣ ପ୍ରକୃତରେ ପ୍ରକୃତ ନମ୍ରତା ଆପଣମାନେ ପୋଷଣ କରିବେ ଏବଂ ଏତେ ବହୁ ଉପଦେଷ୍ଠା ଋଷି ଓ ପୃଥିବୀର ଅନ୍ୟ ବହୁଦର୍ଶୀ ବ୍ୟକ୍ତିଙ୍କର ଅନୁଭବକୁ ନିବଚାରରେ ପ୍ରତ୍ୟାଖ୍ୟାନ କରିବେ ନାହିଁ ଏବଂ ସେମାନଙ୍କୁ ଅନ୍ଧବିଶ୍ୱାସୀ ବୋଲି ଭାବିବେ ନାହିଁଏହା ମୁଁ ଆପଣମାନଙ୍କଠାରୁ ଆଶା କରେ । 

ଆପଣମାନେ ଯଦି କେବଳ ଏତିକି କରନ୍ତି, ତେବେ ମୁଁ ଯାହା କହିବାକୁ ବସିଛିସେଗୁଡ଼ିକ ଆପଣମାନଙ୍କ ଆଗରେ ସ୍ଫଟିକ ପରି ସ୍ୱଚ୍ଛ ଦେଖା ଯିବ । ଆପଣମାନେ ଯେ ନିଜର ପ୍ରକାଶ୍ୟ ଘୋଷଣାରେ (ନିଜକୁ ବିଦ୍ୟାର୍ଥୀ ବୋଲାଇବାରେସଚ୍ଚୋଟ ଅଟନ୍ତିମୋ ଦୃଷ୍ଟିରେ ବ୍ୟଥିତ ନ ହୋଇ ଆପଣମାନେ ରହି ପାରିବେ ନାହିଁ । ଅରଟ ଓ ଖଦୀଅସ୍ପୃଶ୍ୟତାତଥା ସଂପୂର୍ଣ୍ଣ ନିଶା-ନିବାରଣ କିମ୍ୱା ବାଳବିଧବା ଓ ବାଲ୍ୟବିବାହ ସମ୍ପର୍କରେ ସାମାଜିକ ସଂସ୍କାର ଏବଂ ତଦୃପ ଅନ୍ୟାନ୍ୟ କାର୍ଯ୍ୟ ସହିତ ନିଜକୁ ଅବିଚ୍ଛେଦ୍ୟ ଭାବରେ ସମ୍ପୃକ୍ତ କରି ଅଛି । ସେଗୁଡ଼ିକ ଆପଣମାନେ ସମର୍ଥନ କରୁ ଅଛନ୍ତି ଓ ସେଥି ପ୍ରତି ସହାନୁଭୂତ ଦେଖାଉ ଅଛନ୍ତିସେଥିରେ ମୁଁ ଆନନ୍ଦିତ । ଆପଣମାନେ ଖଦୀ ସମ୍ପର୍କରେ ଏଣିକି ଅଧିକ ଭଲ କାର୍ଯ୍ୟ କରିବେ, ମୁଁ ଏହି ପ୍ରତିଶୃତି ଗ୍ରହଣ କରୁ ଅଛି ।

ବି. ଦ୍ର. - ଏହି  ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ' ପତ୍ରିକାର ତା୮--୧୯୨୭ରିଖର ପ୍ରକାଶିତ ସଙ୍ଖ୍ୟାରେ ପ୍ରକାଶ  ପାଇଥିଲା । 

Wednesday, October 24, 2018


ଗାନ୍ଧୀଜୀଙ୍କର ଶିକ୍ଷାବିଚାର


'ଛାତ୍ରମାନେ କଅଣ କରିବେ' - ୧


୧୯୨୦ ଦଶକର ଶେଷ ଭାଗରେ ଉତ୍ତୋଳିତ ଗାନ୍ଧୀଜୀଙ୍କର ଚିତ୍ର
ଫଟୋ କ୍ରେଡ଼ିଟ ୱିକିମିଡିଆ କମନ୍ସ୍

ଆପଣମାନଙ୍କର ଅଧ୍ୟକ୍ଷ ମହାଶୟଙ୍କର ଯେଉଁ ପାରିବାରିକ ଦୁଃଖ ଘଟି ଅଛି, ମୁଁ କିଛି କହିବା ପୂର୍ବରୁ ସେଥିରେ ଗଭୀର ସମବେଦନା ପ୍ରକାଶ କରୁ ଅଛି । ଏଠାରେ ପହଞ୍ଚିବା ସଙ୍ଗେ ସଙ୍ଗେ ତାହା ମୁଁ ଶୁଣିବାକୁ ପାଇଲି । ଅଧ୍ୟକ୍ଷ ମହାଶୟ! ଆପଣଙ୍କର ବିଦ୍ୟାୟତନରେ ଆପଣ ଏହି ଅନୁଷ୍ଠାନର ଆୟୋଜନ କରିଛନ୍ତି, କେବଳ ସେଥି ପାଇଁ ନୁହେଁ, ମାତ୍ର ପାରିବାରିକ ଦୁଃଖ ସତ୍ତ୍ୱେ ଆପଣ ଯେ ଏହି ଅନୁଷ୍ଠାନରେ ଯୋଗ ଦେଇ ଅଛନ୍ତି ଓ ସଭ୍ୟତାର ଆସନ ଅଳଙ୍କୃତ କରି ମୋ ପ୍ରତି ଯେଉଁ ସମ୍ମାନ ସଦର୍ଶନ କରି ଅଛନ୍ତି, ସେଥି ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉ ଅଛି । ଆପଣଙ୍କର ଦୁଃଖରେ ମୋତେ ସମଦୁଃଖୀ ବୋଲି ବିବେଚନା କରିବେ ।

ଗୋଟିଏ ସାଧାରଣ ଲକ୍ଷଣ
ଆଜି ଅପରାହ୍ନ ମୋତେ ଅଭିନନ୍ଦନ ଓ ଖଦୀ ପାଣ୍ଠି ପାଇଁ ଯେଇଁ ଦାନ ଦିଆ ଯାଇଛି ସେଥିପାଇଁ ମୁଁ ଛାତ୍ରମାନଙ୍କୁ ଓ ଅନ୍ୟମାନଙ୍କୁ ଧନ୍ୟବାଦ ଦେଉଛି । ଆପଣମାନେ ମୋ ପ୍ରତି ଯେଉଁ ଶ୍ରଦ୍ଧା ଜ୍ଞାପନ କରି ଅଛନ୍ତି ଓ ଏହି ଦେଶର ଦରିଦ୍ରତମ ଜନସାଧାରଣ ସହିତ ନିଜକୁ ଯେଉଁ ସମଜ୍ଞନ କରି ଅଛନ୍ତି ,ତାହା ମୋତେ ବର୍ତ୍ତମାନ ଆଶ୍ଚର୍ଯ୍ୟନ୍ୱିତ କରୁ ନାହିଁ । କାରଣ ଏହି ସୁନ୍ଦର ଦେଶର ଏ ମୁଣ୍ତରୁ ସେ ମୁଣ୍ତ ପର୍ଯ୍ୟନ୍ତ ମୁଁ ଯେଉଁ ଆଡ଼େ ଯାଇଛି ,ସର୍ବତ୍ର ଏହି ଏକା କଥା ଦେଖିଛି । ଅନେକ ବାଧାବିଘ୍ନ ଥାଇ ସୁଦ୍ଧା ଏହା ମୋ ପକ୍ଷରେ ଏତେ ଦେଶୀ ଆନନ୍ଦ ଓ ଆଶ୍ୱାସନାର କଥା ଯେ, ଭାରତର ଛାତ୍ରମାନେ ସେମାନଙ୍କ ହୃଦୟରେ ମୋତେ ଆଦରରେ ସ୍ଥାନ ଦେଇ ଅଛନ୍ତି । 

ଛାତ୍ରମାନେ ମୋତେ ଏହି ବ୍ୟକ୍ତିଗତ ସମ୍ମାନ ପ୍ରଦର୍ଶନ କରିବା ଓ ଦରିଦ୍ର ଜନସାଧାରଣଙ୍କ ସହିତ ନିଜକୁ ସମାନ ଜ୍ଞାନ କରିବା ସତ୍ତ୍ୱେ ସେମାନଙ୍କର ଯେ ଆହୁରି ଅନେକ କାର୍ଯ୍ୟ କରିବାକୁ ଅଛି, ମୋର ଏହି ମନୋଭବ ମୁଁ ବ୍ୟକ୍ତି ନ କରି ରହି ପାରୁ ନାହିଁ । କାରଣ ଆପଣମାନେ ହିଁ ଭବିଷ୍ୟତରେ ଆଶାଭରସା । ସ୍କୁଲ ଓ କଲେଜ ଶିକ୍ଷା ଶେଷ କରିବା ପରେ ଆପଣମାନଙ୍କୁ ସାଧାରଣ ଜୀବନ ଯାପନ କରିବାକୁ ଏ ଦେଶରେ ଦରିଦ୍ର ଜନସାଧାରଣଙ୍କୁ ଚଳାଇବାକୁ ଆହ୍ନାନ ଆସିବ । ତେଣୁ ଆପଣମାନେ (ଛାତ୍ରମାନେ) ନିଜର ଦାୟିତ୍ୱ ଉପଲ‌ବ୍‌ଧ କରିବେ ଏବଂ ସେହି ଉପଲବ୍‌ଧିକୁ ଆହୁରି ଅଧିକ ପ୍ରତ୍ୟକ୍ଷ ଭାବରେ ଦେଖାଇବେ ଏହା ମୁଁ ଆଶା କରେ । 

ଏହା ଏକ ଉଲ୍ଲେଖଯୋଗ୍ୟ ତଥା ଦୁଃଖର କଥା ସେ ଅଧିକାଂଶ ଛାତ୍ର ଛାତ୍ରାବସ୍ଥାରେ ଯେଉଁ କ୍ଷଣିକ ମହନୀୟ ଆବେଗ ହୃଦୟରେ ପୋଷଣ କରି ଥାଆନ୍ତି, ପାଠ ପଢ଼ା ଶେଷ ହେବା ସଙ୍ଗେ ସଙ୍ଗେ ସେ ସବୁ କୁଆଡ଼େ ଉଭେଇ ଯାଏ । ଅଧିକାଂଶ ଛାତ୍ର ପାର୍ଥିବ ସୁଖସ୍ୱାଚ୍ଛନ୍ଦ୍ୟର ଆଶାରେ ରହନ୍ତି । ନିଶ୍ଚୟ କିଛି ଭୁଲ ଏ ବ୍ୟବସ୍ଥାରେ ରହି ଯାଇଛି । ଗୋଟିଏ କାରଣ ଅଛି, ଯାହା ସୃସ୍ପଷ୍ଟ । ପ୍ରତ୍ୟେକ ଶିକ୍ଷାବିତ୍ ଏବଂ ଯେଉଁମାନେ ଛାତ୍ରମାନଙ୍କ ସମ୍ପର୍କରେ ଆସନ୍ତିସେମାନେ ସମସ୍ତ ଉପଲବ୍‌ଧ କରି ଅଛନ୍ତି ଯେ, ଆମର ଶିକ୍ଷା-ପଦ୍ଧତି ଦୋଷଯୁକ୍ତ । ପ୍ରକୃତରେ ଏ ଦେଶରେ ଆବଶ୍ୟକତା ସଙ୍ଗେ, ବିଶେଷତଃ ଦରିଦ୍ର ଭାରତର ଆବଶ୍ୟକତା ସଙ୍ଗେ, ଏହି ଶିକ୍ଷାର କୌଣସି ସାମଞ୍ଜସ୍ୟ ନାହିଁ । ଯେଉଁ ଶିକ୍ଷା ଦିଆ ଯାଉ ଅଛିତାହା ଏଭଳି ଏକ ବ୍ୟାପକ ବିଷୟ ଯେ, ଏପରି ସଭାରେ ଆପଣମାନେ ଓ ମୁଁ ଆଲୋଚନା କରି ପାରିବା ନାହିଁ ।

ବି. ଦ୍ର. - ଏହି  ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ' ପତ୍ରିକାର ତା୮--୧୯୨୭ରିଖର ପ୍ରକାଶିତ ସଙ୍ଖ୍ୟାରେ ପ୍ରକାଶ ପାଇଥିଲା ।

Tuesday, October 23, 2018

ପିଲାଙ୍କ ପାଇଁ କବିତା - 'ଶୀତ ଯେ ଶୀତ'

କବି - ଜଗନ୍ନାଥ ପ୍ରସାଦ ଦାସ


ଫୁଲବାଣୀର ବିହଙ୍ଗମ ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଦାରିଙ୍ଗିବାଡ଼ିରେ ଶୀତ ଯେ ଶୀତ
କୋଲ ମାରିଯାଏ ଦିହ ଓ ହାତ ।

ବାହାରିଲେ କଥା ପାଟିରୁ ଯାଇ
ବସିଯାଏ ସବୁ ଜମାଟ ହୋଇ ।

ଶୁଣୁ ସେ କଥାକୁ ଘରକୁ ଆଣି
କଡ଼େଇରେ ତାକୁ ତେଲରେ ଛାଣି ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Monday, October 22, 2018


ମୌର୍ଯ୍ୟବଂଶ ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ

 କେଦାରନାଥ ମହାପାତ୍ର


ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ଏକ ଆଧୁନିକ ପ୍ରତିମୂର୍ତ୍ତି (ୱିକିମିଡିଆ କମନ୍ସ୍)

ନନ୍ଦବଂଶର ଶେଷ ରାଜାଙ୍କୁ ପରାସ୍ତ କରି ଚନ୍ଦ୍ରଗୁପ୍ତ ମଗଧର ସିଂହାସନରେ ଆରୋହଣ କରି ଥିଲେ । କେତେକଙ୍କ ମତରେ ସେ ନନ୍ଦରାଜାଙ୍କର ରକ୍ଷିତା ‘ମୁରା’ ନାମ୍ନୀ ସ୍ତ୍ରୀଙ୍କର ପୁତ୍ର ଥିବାରୁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବଂଶର ନାମ ମୌର୍ଯ୍ୟବଂଶ । କିନ୍ତୁ ବୌଦ୍ଧଗ୍ରନ୍ଥରୁ ଜଣାଯାଏ ଯେ ପିପ୍ପଳବନ ନାମକ ସ୍ଥାନରେ ମୌର୍ଯ୍ୟ ନାମକ କ୍ଷତ୍ରିୟକୁଳ ବାସ କରୁଥିଲେ । ଚନ୍ଦ୍ରଗୁପ୍ତ ସେହି ବଂଶର ପ୍ରଥମ କ୍ଷମତାଶାଳୀ ରାଜା ଥିବାରୁ ଏହି ବଂଶର ନାମ ମୌର୍ଯ୍ୟବଂଶ ହେଲା ।

ନନ୍ଦବଂଶର ଅତ୍ୟାଚାରରେ ଲୋକମାନେ ବଡ ଅସନ୍ତୁଷ୍ଟ ହେଉ ଥିଲେ । ନନ୍ଦରାଜା ତକ୍ଷଶିଳାର ଚାଣକ୍ୟ ବା କୌଟିଲ୍ୟ ନାମକ ଜଣେ ବ୍ରାହ୍ମଣ ପଣ୍ଡିତଙ୍କୁ ଅପମାନ ଦେଇ ଥିଲେ । ଚାଣକ୍ୟ ବିଚକ୍ଷଣ ରାଜନୀତିଜ୍ଞ ଥିଲେ । ସେ ନନ୍ଦରାଜାଙ୍କ ଅପମାନର ପ୍ରତିଶୋଧ ନେବାପାଇଁ ଅଟଳ ପ୍ରତିଜ୍ଞା କରିଥିଲେ । ସେ ଚନ୍ଦ୍ରଗୁପ୍ତଙ୍କୁ ସାହାଯ୍ୟ ଦେଇ ନନ୍ଦବଂଶର ଧ୍ୱଂସ ସାଧନ କରି ଥିଲେ । ନନ୍ଦରାଜାଙ୍କୁ ମାରି ଚନ୍ଦ୍ରଗୁପ୍ତ ଖ୍ରୀ: ପୂ ୩୨୨ରେ ମଗଧର ସମ୍ରାଟ ହେଲେ । ଆଲେକଜାଣ୍ଡରଙ୍କ ମୃତ୍ୟୁ ଖବର ପାଇ ଚନ୍ଦ୍ରଗୁପ୍ତ କେତେକ ପାହାଡ଼ିଆ ଜାତିଙ୍କ ସାହାଯ୍ୟରେ ଗ୍ରୀକ୍‌ମାନଙ୍କୁ ପଞ୍ଜାବରୁ ତଡ଼ି ଦେଇ ବିଶାଳ ସାମ୍ରାଜ୍ୟ ସୃଷ୍ଟି କରି ଥିଲେ ।

ଆଲେକଜାଣ୍ଡରଙ୍କ ମୃତ୍ୟୁ ପରେ ତାଙ୍କର ସେନାପତି ସେଲିଉକସ୍ ପୁନର୍ବାର ପଞ୍ଜାବ ଜୟ କରିବା ପାଇଁ ଚେଷ୍ଟା କରି ଥିଲେ । କିନ୍ତୁ ଚନ୍ଦ୍ରଗୁପ୍ତ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କରି ଥିଲେ । ଗ୍ରୀକ୍ ସେନାପତି ବାଧ୍ୟ ହୋଇ ସନ୍ଧି କରି ଥିଲେ । ଏହି ସନ୍ଧି ଫଳରେ ସେ ତାଙ୍କ ରାଜ୍ୟର ଚାରୋଟି ପ୍ରଦେଶ, ଅର୍ଥାତ୍ ଆଧୁନିକ ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ଚନ୍ଦ୍ରଗୁପ୍ତଙ୍କ ଛାଡ଼ି ଦେଇ ଥିଲେ । ସେ ନିଜ କନ୍ୟାଙ୍କୁ ଚନ୍ଦ୍ରଗୁପ୍ତଙ୍କ ସହିତ ବିବାହ କରାଇ ଥିଲେ ଓ ମେଗାସ୍ଥନିସ୍ ନାମକ ଗ୍ରୀକ୍ ଦୂତଙ୍କୁ ତାଙ୍କ ସଭାକୁ ପଠାଇ ଥିଲେ । ଗ୍ରୀକ୍ ଦୂତ ମୌର୍ଯ୍ୟ ରାଜସଭାରେ ବହୁ ଦିନ ରହି ଥିଲେ । ଚନ୍ଦ୍ରଗୁପ୍ତ ଗ୍ରୀକ୍‌ମାନଙ୍କ ହସ୍ତରୁ ଭାରତକୁ ରକ୍ଷା କରି ଥିଲେ ଓ ସର୍ବପ୍ରଥମେ ଭାରତରେ ବଡ଼ ସାମ୍ରାଜ୍ୟ ପ୍ରତିଷ୍ଠା କରି ଥିଲେ ।

ସମଗ୍ର ଉତ୍ତର ଭାରତ ଓ ସୌରାଷ୍ଟ୍ର (କାଠିଆବାଡ଼) ତାଙ୍କ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ମହୀଶୂର ପର୍ଯ୍ୟନ୍ତ ତାଙ୍କ ରାଜ୍ୟ ବିସ୍ତୃତ ଥିବାର କେତେକ କିମ୍ୱଦନ୍ତୀରୁ ଜଣା ଯାଏ । ତାଙ୍କ ପୂର୍ବରୁ ଅନ୍ୟ କୌଣସି ଭାରତୀୟ ନୃପତି ଏପରି ବିଶାଳରାଜ୍ୟ ଶାସନ କରୁ ଥିବାର ଜଣା ଯାଏ ନାହିଁ । କିନ୍ତୁ ତାଙ୍କ ସମୟରେ ଆମ୍ଭ ଓଡିଶା ଦେଶ ସ୍ୱାଧୀନ ଥିଲା । ଚାଣକ୍ୟ ତାଙ୍କର ମନ୍ତ୍ରୀ ଥିଲେ । ସେ ଅର୍ଥଶାସ୍ତ୍ର ନାମକ ବିରାଟ ଗ୍ରନ୍ଥରେ ରାଜନୀତି ସମ୍ୱନ୍ଧରେ ଅନେକ କଥା ଲେଖି ଅଛନ୍ତି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।


Sunday, October 21, 2018

ପିଲାଙ୍କ ପାଇଁ କବିତା - 'ଲାଞ୍ଜ'

କବି - ଜଗନ୍ନାଥ ପ୍ରସାଦ ଦାସ


"ମାର୍ଭେଲ୍ସ୍ ଅଫ୍ ଥିଙ୍ଗ୍ସ୍ସ୍ କ୍ରିଏଟେଡ଼୍ ଆଣ୍ଡ ମିରିକୁଲସ୍ ଆସ୍ପକେ୍ଟ୍ସ୍ ଅଫ୍ ଥିଙ୍ଗ୍ସ୍ ଏକ୍ଜିଷ୍ଟିଂ'" ର ଅଳଙ୍କରଣ
ବହିଟି ତ୍ରୟୋଦଶ ଶତାବ୍ଦୀର ଲେଖକ ଜକାରିଆ ଅଲ୍ କାଜ୍‌ୱିନିଙ୍କର କୃତି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦନ୍ତାବଳ ପଛେ ବଳଦ ରହିଛି
ଠେକୁଆ ପଛରେ କୁଆ,
ଚକୋଇ ପଛରେ କୋଇଲି ଲାଗିଛି
ଜଟିଆ ପଛରେ ଟିଆ,
ଲାଞ୍ଜ ଅଛି ବୋଲି କୁକୁର ପଛରେ
କୁରଙ୍ଗ ହୋଇଛି ଠିଆ ।


ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Saturday, October 20, 2018

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ସ୍ୱତନ୍ତ୍ରତା ଓ ସ୍ୱଅନୁଶାସନ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍



ସ୍ୱତନ୍ତ୍ରତା

ପିଲାର ବିକାଶରେ ସ୍ୱତନ୍ତ୍ରତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେଉଛି ଗିଜୁଭାଇଙ୍କର ଶିକ୍ଷା ଦର୍ଶନର ତୃତୀୟ ମୁଖ୍ୟ କଥା । ପିଲାମାନେ ଆତ୍ମନିର୍ଭରଶୀଳ ହେବାକୁ ଶିଖିବାର ଅର୍ଥ ହେଉଛି ସ୍ୱତନ୍ତ୍ରତା । ବଡ଼ମାନେ ପିଲାଙ୍କର ସ୍ୱତଃସ୍ପୁର୍ତ୍ତ ସମ୍ମାନ ଦେଲେ ହିଁ ପିଲାମାନେ ନିଜର ସ୍ୱଭାବ ଅନୁଯାୟୀ ଆଗେଇ ଯାଇ ପାରିବେ ।

ସ୍ୱାଧୀନ ବାତାବରଣରେ କିପରି ଧୀରେ ଧୀରେକିନ୍ତୁ ବ୍ୟବସ୍ଥିତ ଢଙ୍ଗରେ କାମ କରାଯାଏ ତଥା ଅନାଗ୍ରହୀ ପିଲାଙ୍କ ସହ କିପରି କାମ କରା ଯାଏ, ସେ ବିଷୟରେ ଗିଜୁଭାଇ ଅନେକ ଉଦାହରଣ ଦେଇ ବର୍ଣ୍ଣନା କରିଛନ୍ତି । ଏହି ବିଷୟରେ ତାଙ୍କ ଚିନ୍ତାଧାରାକୁ ସେ ବାଲମନ୍ଦିରରେ ପ୍ରୟୋଗ କରି ଦେଖି ଥିଲେ । ପ୍ରତ୍ୟେକ ପିଲା ପରସ୍ପରଠାରୁ ଭିନ୍ନ । ସେମାନଙ୍କର ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ରହି ଥାଏ । ଏହି ସ୍ୱତନ୍ତ୍ରତାକୁ ଦୃଷ୍ଟିରେ ରଖି ସେମାନଙ୍କର ବିକାଶ ଦିଗରେ ସହାୟକ ହେବା ହେଉଛି ଶିକ୍ଷକମାନଙ୍କର ଦାୟିତ୍ୱ ।

ସ୍ୱଅନୁଶାସନ

ଗିଜୁଭାଇଙ୍କ ଦର୍ଶନରେ ସ୍ୱଅନୁଶାସନ ଆଉ ଏକ ମୁଖ୍ୟ ବିଷୟ । ସ୍ୱାଧୀନତା ଏବଂ ସ୍ୱତନ୍ତ୍ରତା ଭଳି ଏହି ଚିନ୍ତାଧାରା ମଧ୍ୟ ତାଙ୍କୁ ମଣ୍ଟେସୋରୀଙ୍କ ପାଖରୁ ହିଁ ମିଳି ଥିଲା । ଛୋଟ ଛୋଟ ପିଲାମାନେ ତାଙ୍କ ନିଜ ଦାୟିତ୍ୱରେ ଅନେକ କିଛି କରି ପାରନ୍ତି । ଗିଜୁଭାଇଙ୍କର ବାଲମନ୍ଦିରରେ ପିଲାମାନେ ଖାଦ୍ୟ ପରସିବାଘର ସଫା କରିବାଜିନିଷପତ୍ର ସଜାଡ଼ି ରଖିବା ଆଦି ଅନେକ କାମ ନିଜେ ନିଜେ କରନ୍ତି । ଖାଦ୍ୟ ପରସିବା ବେଳେ କେବେ ବାସନ ତଳେ ଖସି ପଡେ ନାହିଁ କିମ୍ୱା ଖାଦ୍ୟର ଦାନାଟିଏ ମଧ୍ୟ ତଳେ ପଡ଼ି ଯାଏ ନାହିଁ । ଏପରି ଅନୁଶାସନ ବଡ଼ମାନଙ୍କର ଆଦେଶ ବା ଉପଦେଶ ମାଧ୍ୟମରେ ସମ୍ଭବ ହୁଏ ନାହିଁ । ବରଂ ପିଲାମାନଙ୍କର ନିଜର ଚେଷ୍ଟା ଓ ଇଚ୍ଛାରେ ସମ୍ଭବ ହୋଇ ଥାଏ । ଆଦେଶ ଦେଇ ପିଲାର ଏସବୁ ପ୍ରବୃତ୍ତି ବିକଶିତ କରା ଯାଇ ପାରିବ ନାହିଁ । ଏହା ସ୍ୱତଃସ୍ପର୍ତ୍ତ ହୋଇ ଥାଏ । ଅର୍ଥାତ ପିଲାର ବିକାଶ ଅନୁସାରେ ଉପୁଜି ଥିବା ଆବଶ୍ୟକତାରୁ ହିଁ ଏହା ଆସି ଥାଏ । ପିଲାମାନଙ୍କର ସ୍ୱାଭାବିକ ବିକାଶ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ ସହିତ ସହଯୋଗ କରିବା ଜରୁରୀ ।

କିଛି ପରୀକ୍ଷା କରିବା ପାଇଁ ପିଲାକୁ ସ୍ୱାଧୀନତା ଦେବା ବି ପିଲାକୁ ସହଯୋଗ କରିବା । ତାହାର ଚାଲିଚଳନରେ ସେ କିପରି ବ୍ୟବସ୍ଥିତ ହୋଇ ପାରିବ, ସେ ଦିଗରେ ବି ସହାୟତା କରା ଯାଇ ପାରେ । ଚଉକି ଉପରେ ବସିବାଠିଆ ହେବାଚାଲିବାମାଟି ଉପରେ ଟଣା ଯାଇଥିବା ଗାର ଉପରେ ଚାଲିବାକେଉଁଠି ନ ଆଉଜି ସିଧା ଠିଆ ହେବା ପିଲାକୁ ଶିଖାଇବା ଦରକାର । ଏଠୁ ସେଠିକି ଜିନିଷ ନେବାସଜାଡି ରଖିବାଠିକ ଭାବରେ ପୋଷାକ ପିନ୍ଧିବା, ଆଦି ମଧ୍ୟ ତାକୁ ଶିଖାଇବା ଉଚିତ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Friday, October 19, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ଦଶ କୋଡ଼ିଏ ଆଡ଼ି ମୁଢ଼ି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଜାପାନୀ ଚିତ୍ରକର ଉଟାଗାୱା ହିରୋସିଗେ (୧୭୯୭ - ୧୮୫୮)ଙ୍କର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦଶ କୋଡ଼ିଏ ଆଡ଼ି ମୁଢ଼ି
ଚୁଙ୍ଗୁଡ଼ିମାଛ ଚଡ଼ଚଡ଼ି
କିଏ ନବ କେତେ ଅଣା
ବୋଲ ଦୋ ନା' ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Thursday, October 18, 2018

ଶ୍ରମ ଓ ଶିକ୍ଷା - ୩

ଗୋପବନ୍ଧୁ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବର୍ତ୍ତମାନ ସମୟର ଶିକ୍ଷା ବିଧାନରେ ଶ୍ରମ ଓ ଶିକ୍ଷାର ସଂଯୋଗ ଲାଗି ତେତେ ସୁବିଧା ନାହିଁ । ବିଶ୍ୱବିଦ୍ୟାଳ ପରୀକ୍ଷାରେ ପାସ ହେଲା ମୁଖ୍ୟ ଲକ୍ଷ୍ୟ । ବିଶ୍ୱବିଦ୍ୟାଳୟ ପୁଣି ଏତେ ବିଷୟରେ ପାଠ୍ୟ ପୁସ୍ତକ ନିରୂପଣ କରିଛନ୍ତି, ବିଶେଷ ଭାଗ ଶିକ୍ଷା ଦିଆ ଯାଇଛି ବିଦେଶୀ ଭାଷାରେ । ତେଣୁ, ପାଠକୁ ଆୟତ୍ତ କରିବାରେ ଛାତ୍ରର ଅଧିକାଂଶ ସମୟ ଯାଉଛି । ଛାତ୍ରର ମତିଗତି ବୁଝି ପାଠ ନିରୂପଣ କରିବା ଶିକ୍ଷକଙ୍କ କ୍ଷମତାରେ ନାହିଁ । ନିରୂପିତ ପାଠକୁ ପ୍ରତ୍ୟେକ ଛାତ୍ରଙ୍କୁ ପଢ଼ିବାକୁ ହେବ ।

ଏହି ସବୁ କାରଣରୁ ବର୍ତ୍ତମାନ ସମୟରେ ଆମ ଦେଶ ଛାତ୍ରଙ୍କର ବହୁ ସମୟ ଯାଉଛି ଏବଂ ଶକ୍ତିକ୍ଷୟ ହେଉଛି । ଶ୍ରମ କରିବାକୁ ସେମାନଙ୍କର ବେଳ ନାହିଁ କି ମନ ବଳୁ ନାହିଁ । ସର୍ବାପେକ୍ଷା ଅଧିକ ଅନ୍ତରାୟ ଯେ ଏବେ ଛାତ୍ର ଜୀବନରେ ପୂର୍ବ ବ୍ରହ୍ମଚାର୍ଯ୍ୟର ତେଜସ୍ୱିତା ନାହିଁ । ସେ ଧୈର୍ଯ୍ୟ, ସହିଷ୍ଣୁତା, ନିରଭିମାନ, ସେବା, ବିନୟ ଓ ଆଜ୍ଞାନୁବର୍ତ୍ତିତା ନାହିଁ । ସ୍କୁଲ କଲେଜର ଅଧିକାଂଶ ଯୁବକଙ୍କୁ ବିଳାସିତା, ଶୈଥିଲ୍ୟ, ଆଳସ୍ୟ ଓ ଅହଙ୍କାର ଗ୍ରାସ କରିଛି ।

ଶିକ୍ଷା ଓ ଶ୍ରମର ସଂଯୋଗ ଉଦ୍ୟମକୁ କୃତକାର୍ଯ୍ୟ କରିବାକୁ ହେଲେ, ବର୍ତ୍ତମାନ ପ୍ରଣାଳୀ ଓ ପଦ୍ଧତି ବଦଳାଇବାକୁ ହେବ । ପରେ ବିଷୟ, ସମୟ, ସ୍ଥାନ ଓ ପରିସର ବଦଳାଇବାକୁ ହେବ । ସେପରି ବିଶ୍ୱାସୀ ନିଷ୍ଠାପର ଶିକ୍ଷିକ ମଧ୍ୟ ଲୋଡ଼ା, ଯାହାଙ୍କ ପ୍ରଭାବରେ ସ୍କୁଲମାନ ପବିତ୍ର ପ୍ରେମମୟ ଗୁରୁଗୃହରେ ପରିଣତ ହେବ । ଏହା ହିଁ ଯଥାର୍ଥରେ ଆମ୍ଭମାନଙ୍କର ଜାତୀୟ ବିଦ୍ୟାଳୟ । ଜାତୀୟ ବିଦ୍ୟାଳୟରେ କେବଳ ବହି ପଢ଼ିବାକୁ ହେବ ନାହିଁ । ତହିଁ ସଙ୍ଗେ ସଙ୍ଗେ ହାତ, ଗୋଡ, ଆଖି, ନାକ, କାନ, ଆଦିର ଚାଳନା କରିବାକୁ ହେବ । ମନୁଷ୍ୟ କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟର ଶକ୍ତିକୁ କାର୍ଯ୍ୟରେ ଲଗାଇବା ଲାଗି ପ୍ରସ୍ତୁତ ହେବ । ଏହା ହେଲେ ସେ ଅଭୁତ ସାଧନ କରି ପାରେ ।

ଜୀବିକା ଲାଗି ମହାତ୍ମା ଗାନ୍ଧି ଏତେ ଜୋରରେ କହୁଛନ୍ତି, ଏହା ହିଁ ତାହାର ଉଦ୍ଦେଶ୍ୟ । ସୂତାକଟା ସଙ୍ଗେ କପାଚାଷ, ଅରଟ ତିଆରି, ତୁଳାଭିଣା, ଲୁଗାବୁଣା, ରଙ୍ଗ ତିଆରି, ଆଦି ଚଷା, ବଢ଼େଇ, କମାର, ରଙ୍ଗଣୀ, ତନ୍ତି, ପ୍ରଭୃତି ଭିନ୍ନଭିନ୍ନ ଜାତିର ବ୍ୟବସାୟର ସମ୍ପର୍କ ରହି ଅଛି । ତୁଳାଭିଣା, ସୂତାକଟା, ଏ ସବୁ କାର୍ଯ୍ୟର ଉପଲକ୍ଷଣ ମାତ୍ର । ଫଳ କଥା, ପୁସ୍ତକଗତ ଶିକ୍ଷା ସଙ୍ଗେ, କର୍ମଶିକ୍ଷାର ଅର୍ଜନ ଜାତୀୟ ବିଦ୍ୟାଳୟର ପ୍ରଧାନ ଉଦ୍ଦେଶ୍ୟ । ସତ୍ୟବାଦୀ ପୁଣି ଜାତୀୟ ବିଦ୍ୟାଳୟ ଭାବେ ଆରମ୍ଭ ହୋଇ ଅଛି । ପୂର୍ବେ ଏ ବିଷୟରେ ସେଠାରେ ଯେ ପରୀକ୍ଷା ହୋଇ ଥିଲା, ଆଜି ମଧ୍ୟ ସେ ପରୀକ୍ଷା ଲାଗି ପୂର୍ବର ଯଥେଷ୍ଟ ଉପାଦାନ ଥିବ । ପୂର୍ବର ସଂସ୍କାର ଓ ସୁନାମ ମଧ୍ୟ ଅଛି ।

ତେଣୁ ବୋଲିବା ବାହୁଲ୍ୟ, ଓଡିଶାରେ ପଟାଭେଲଙ୍କ ପରୀକ୍ଷା ଲାଗି ସତ୍ୟବାଦୀ ପ୍ରଶସ୍ତ କ୍ଷେତ୍ର । ଦେଶର ବର୍ତ୍ତମାନ ଅବସ୍ଥା ଦୃଷ୍ଟିରେ ପଟାଭେଲଙ୍କ ପ୍ରସ୍ତାବ ଓ ପରାମର୍ଶମାନ କାର୍ଯ୍ୟରେ ଲଗାଇବା କେତେ ଦୂର ଆବଶ୍ୟକ, ଓଡିଶାର ଛାତ୍ରସମାଜ ପକ୍ଷେ ଏହା ଗୁରୁତର ବିବେଚନାର ବିଷୟ । ଅନ୍ତତଃ କେତେଜଣ ପ୍ରୟୋଜନୀୟ ନିଷ୍ଠା ଓ ହୃଦୟର ବିଶ୍ୱାସ ଧରି ଏ ପରୀକ୍ଷାରେ ପ୍ରବୃତ୍ତ ନ ହୋଇ ପାରିଲେ, ସମ୍ମିଳନୀର ଉଦ୍ୟମ ବୃଥା, ପଟାଭେଲଙ୍କ ସଭାପତି ହେବା ଅକାରଣ । ଯେଉଁମାନେ ଅଗ୍ରସର ହେବେ, ସତ୍ୟବାଦୀର ଜାତୀୟ ବିଦ୍ୟାଳୟ ଯେ ସେମାନଙ୍କ ନିମନ୍ତେ ଉପଯୁକ୍ତ କ୍ଷେତ୍ର ହେବ, ଏଥିରେ ସନ୍ଦେହ ନାହିଁ ।

(ସମାଜ, ତା ୨୯--୧୯୨୭)

ଶ୍ରମ ଓ ଶିକ୍ଷା - ୨

ଗୋପବନ୍ଧୁ ଦାସ


୧୯୧୫ରେ ଆମେରିକାର ଏକ କଲେଜରେ କାଠ କାମ ଶିକ୍ଷା (ୱିକିମିଡିଆ କମନ୍ସ୍)

ଆମେରିକାରେ ଶୁଣାଯାଏ, ଛାତ୍ରମାନେ ପରିଶ୍ରମ କରି ଆପଣାର ଜୀବିକା ଓ ଶିକ୍ଷା ବ୍ୟୟ ଅର୍ଜନ କରିଥା'ନ୍ତି । ତେବେ ଏହା ଯେ କେତେ ଦୂର ସେ ଦେଶରେ ବ୍ୟାପିଛି ଏବଂ ଛାତ୍ରମାନେ କିପରି ଏହାକୁ ଗ୍ରହଣ କରୁଛନ୍ତି, ତାହା କୁହା ଯାଇ ନ ପାରେ । ଭାରତରେ ଏ ବ୍ୟବସ୍ଥାର ପ୍ରବର୍ତ୍ତନ ଯେ ଏକାନ୍ତ ଆବଶ୍ୟକ, ତାହା ସମସ୍ତେ ସ୍ୱୀକାର କରିବେ । ଭାରତର ଅବସ୍ଥା ଏହା ଲୋଡୁଛି ।

ଭାରତ ମଧ୍ୟରେ ଯେବେ କୌଣସି ଠାରେ ସର୍ବାଗ୍ରେ ଏହା କାର୍ଯ୍ୟରେ ପରିଣତ ହେବା ଦରକାର, ତାହା ଓଡ଼ିଶାରେ । ଅର୍ଥାଭାବରେ ଆଜି କେତେ ଛାତ୍ର ପଢ଼ିବାର ସୁଯୋଗ ନ ପାଇ ପଲ୍ଲୀର ଜଡ଼ତା ଅନ୍ଧାକାରରେ ସଢ଼ୁ ଅଛନ୍ତି କେତେ ଅନ୍ୟର ସାହାଯ୍ୟ ଲୋଡ଼ିବାରେ ମ୍ରିୟମାଣ ହେଉଛନ୍ତି । କେତେ ବହୁ କଷ୍ଟରେ ଖଣ୍ତେ ଦୂର ଯାଇ ଥକି ପଡ଼ୁଛନ୍ତି । ସର୍ବଦା ଚିନ୍ତା ଉଦ୍‌ବେଗ ଓ ଅଭାବର ତାଡ଼ନାରେ ସେମାନେ ଦବି ଯାଉଛନ୍ତି । ହୃଦୟଗତ ଭାବର ବିକାଶ ହେଉ ନାହିଁ, ପ୍ରାଣର ସ୍ଫୂର୍ତ୍ତି ହେଉ ନାହିଁ । ଏଭଳି ଅବସ୍ଥାରେ କିଛି ପାଠ ପଢ଼ି, କେବଳ ଶ୍ୱାନଜୀବିକା ଚାକିରୀରେ ପେଟ ପୋଷିବା ଅପେକ୍ଷା, ପାଠ ନ ପଢି ବିଲରେ କୋଡ଼ି ହାଣି ବଞ୍ଚିବା ଶତଗୁଣ ଶ୍ରେୟସ୍କର ।

ଅବଶ୍ୟ ଶ୍ରମ ଓ ଶିକ୍ଷାର ସଂଯୋଗ ବଡ଼ ସହଜ କଥା ନୁହେଁ । ବର୍ତ୍ତମାନ ଶିକ୍ଷା ବିଧାନରେ ଏହା କେତେ ଦୂର ସମ୍ଭବ ବା ସୁସାଧ୍ୟ, ସହଜରେ କହି ହେଉ ନାହିଁ ପଟାଭେଲ ସାହେବ ଏ ବିଷୟରେ ସେତେ ଦୂର କୃତକାର୍ଯ୍ୟ ହୋଇ ନାହାନ୍ତି । ଏଥି ମଧ୍ୟରେ ଭାରତର କୌଣସି ସ୍ଥାନରେ ଶିକ୍ଷା ଓ ଶ୍ରମର ସମ୍ମିଳନ ଲାଗି ଚେଷ୍ଟା ଉଦ୍ୟମ କରା ହୋଇ ଥିଲା । ଚାଷ, ବଗିଚାକାମ, ଲୁଗା ଓ ସତରଞ୍ଜିବୁଣା, ବଢେଇ କାମ,  ଆଦି ପିଲାମାନେ କରି ତାଙ୍କୁ ପଇସା ମିଳୁ ଥିଲା । ଏପରି କି ରେଳଷ୍ଟେସନରୁ ଯାତ୍ରୀମାନଙ୍କର ବୋଝ ବୋହିବାରେ ସେମାନେ କୁଣ୍ଠିତ ହେଉ ନ ଥିଲେ । ଦୁଃଖର କଥା, ଏ ପରୀକ୍ଷାରେ ଅଧିକ ଦୂର ଅଗ୍ରସର ହେବା ଲାଗି ସମୟ ଓ ସୁବିଧା ମିଳିଲା ନାହିଁ ।

କୌଣସି ନୂତନ ବିଷୟର ପରୀକ୍ଷା କରିବାକୁ ହେଲେ, ସେଥିରେ ବହୁ ଅର୍ଥ ନଷ୍ଟ କରିବାକୁ ହେବ । ପ୍ରଥମେ କୃତକାର୍ଯ୍ୟ ହେଲେ ସୁଦ୍ଧା, ପଛଘୁଞ୍ଚା ଦେବାକୁ ହେବ ନାହିଁ । ଏତକ ଦମ୍ଭ ଧୈର୍ଯ୍ୟ ସାହସ ନ ଥିଲେ ନୂତନ ବିଷୟକ ପରୀକ୍ଷାରେ ପ୍ରବର୍ତ୍ତନ ବୃଥା । ସତ୍ୟବାଦୀ ବିଦ୍ୟାଳୟ ସରକାରୀ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ନ ଆସି ବରାବର ପୂର୍ଣ୍ଣ ଜାତୀୟ ବିଦ୍ୟାଳୟ ହୋଇ ରହିଥିଲେ, ଏ ପରୀକ୍ଷା ଲାଗି ବୋଧ ହୁଏ ଆଉ ଟିକିଏ ସୁବିଧା ଓ ସୁଯୋଗ ମିଳି ଥାଆନ୍ତା ।

(ସମାଜ, ତା ୨୯--୧୯୨୭)

ଶ୍ରମ ଓ ଶିକ୍ଷା - ୧

ଗୋପବନ୍ଧୁ ଦାସ


୧୯୩୭ ମସିହାର ଆମେରିକାରେ ଟାଇପିଙ୍ଗ କ୍ଲାସ (ୱିକିମିଡିଆ କମନ୍ସ୍)


ଏଥର ଉତ୍କଳ ଛାତ୍ର ସମ୍ମିଳନୀର ସଭାପତି ରୂପେ କାପ୍‌ଟେନ୍ ପଟାଭେଲ ସାହେବଙ୍କୁ ପାଇଥିବା ଓଡ଼ିଶା ଛାତ୍ରମାନଙ୍କ ପକ୍ଷେ ବଡ଼ ଭାଗ୍ୟ ଓ ପ୍ରଶଂସାର କଥା । ଶିକ୍ଷା ଜଗତରେ ପଟାଭେଲ ଜଣେ ସୁପରିଚିତ ବ୍ୟକ୍ତି । କବି ରବିନ୍ଦ୍ରନାଥଙ୍କ ଆମନ୍ତ୍ରଣରେ ସେ ଏ ଦେଶକୁ ଆସିଛନ୍ତି । କଲିକତା ବିଶ୍ୱବିଦ୍ୟାଳୟର ଗୁଣଗ୍ରାହୀ ଭୂତପୂର୍ବ ଭାଇସ୍‌ଚାନ୍‌ସେଲର ସାର ଆଶୁତୋଷ, ପଟାଭେଲଙ୍କ କଳ୍ପନା ଓ ପ୍ରସ୍ତାବ ପ୍ରତି ବହୁ ଆସ୍ଥା ଦେଖାଉଥିଲେ । ପଟାଭେଲଙ୍କ ଶିକ୍ଷା ବିଷୟକ ଭାବଗୁଡ଼ିକ ବର୍ତ୍ତମାନ ଆଉ କଳ୍ପନାରେ ନାହିଁ, ରାଜା ମଣିନ୍ଦ୍ରଚନ୍ଦ୍ର ନନ୍ଦୀଙ୍କ ଆନୁକୂଲ୍ୟରେ କଲିକତାର ବିବିଧ ବ୍ୟାବସାୟିକ ବିଦ୍ୟାଳୟରେ ଆପଣାର କଳ୍ପନାକୁ କାର୍ଯ୍ୟରେ ପରୀକ୍ଷା କରିବାର ସୁଯୋଗ ପଟାଭେଲଙ୍କୁ ମିଳି ଅଛି । ତାଙ୍କ ମତ ଯେ କେବଳ ପୁସ୍ତକଗତ ଶିକ୍ଷା, ଶିକ୍ଷା ନୁହେଁ । ଶିକ୍ଷା କେବଳ ପୁସ୍ତକରେ ସୀମାବଦ୍ଧ ହୋଇ ରହିବା ଯୋଗୁଁ ଶିକ୍ଷିତ ଲୋକେ ସାଂସାରିକ କାର୍ଯ୍ୟରେ ଅଧିକାଂଶ ଅକର୍ମଣ୍ୟ ହେଉଛନ୍ତି ଏବଂ ସବୁ ଅବସ୍ଥା ଓ ସବୁ ଶ୍ରେଣୀର ଲୋକେ ଶିକ୍ଷା ପାଇ ପାରୁ ନାହାନ୍ତି । ଶ୍ରମ ଓ ଶିକ୍ଷା ଏକ ସଙ୍ଗେ ଚାଲିବା ଆବଶ୍ୟକ । ପାଠ ପଢ଼ିବା ସଙ୍ଗେ ସଙ୍ଗେ ଛାତ୍ରମାନଙ୍କୁ କାମ କରିବାକୁ ହେବ ।

ଏ କଳ୍ପନା ନୂଆ ନୁହେଁ । ଗ୍ରୀସ ଦେଶର ଦାର୍ଶନିକ ପ୍ଲେଟୋ ପ୍ରାଚୀନ ଜଗତର ଜଣେ ସୁପ୍ରସିଦ୍ଧ ଶିକ୍ଷା ବିଶାରଦ ଥିଲେ । ବାଳକମାନେ ପଢ଼ିବା ଅବସ୍ଥାରେ ବୟସ୍କ ବ୍ୟକ୍ତିଙ୍କ ସଙ୍ଗେ କାର୍ଯ୍ୟରେ ସହଯୋଗିତା କରିବା ବ୍ୟବସ୍ଥା, ପ୍ଲେଟୋ ଶିକ୍ଷା ବିଧାନରେ ନିର୍ଦ୍ଦେଶ କରିଛନ୍ତି । ଭାରତର ପ୍ରାଚୀନ ଶିକ୍ଷା ବିଧାନରେ ଶିକ୍ଷା ସଙ୍ଗେ ଶ୍ରମର ସଂଯୋଗ ସାଧାରଣ ରୀତି ଥିଲା । ଗୁରୁ ଘରେ ବା କୁଳଗୃହରେ ଛାତ୍ରମାନେ ରହି ପାଠ ପଢ଼ୁ ଥିଲେ । ମାସକୁ ମାସ ସ୍କୁଲ କଲେଜ ଦରମା ଦେବା ଢଙ୍ଗ ନ ଥିଲା । ଛାତ୍ରମାନେ ଗାଈ ଚରାଇବା, ବନ୍ଧ ପକାଇବା, ବିଲ ବାଛିବା, ଜାଳ ଭାଙ୍ଗିବା, ଆଦି ଯାବତୀୟ କାର୍ଯ୍ୟ କରୁଥିଲେ; ଗୁରୁ ଗୃହକୁ ସେମାନେ ଆପାଣର ଘର ବୋଲି ମଣୁ ଥିଲେ । ନିଜ ଘର ଲାଗି ସେମାନେ ତିଳେ କୁଣ୍ଠିତ ହେଉ ନ ଥିଲେ।

ଏପରି କାର୍ଯ୍ୟ କରିବା ଦ୍ୱାରା କୁଳ ଗୃହର ଯେ କେବଳ ଆର୍ଥକ ଲାଭ ହେଉ ଥିଲା ତାହା ନୁହେଁ, ଛାତ୍ରମାନଙ୍କର ସାଂସାରିକ ବିଷୟରେ ବାଲ୍ୟାକାଳରୁ ନାନା ଅଭିଜ୍ଞତା ଜନ୍ମ ଥିଲା । ପାଞ୍ଚ ଜଣ ମିଶି ଭ୍ରାତୃଭାବରେ ଏକତ୍ରେ କାର୍ଯ୍ୟ କରିବାର ସେମାନେ ଶିଖୁ ଥିଲେ । ପାଠପଢ଼ୁଆ ଲୋକଙ୍କ ପକ୍ଷେ ବିଲ ବାଛିବା, କୋଡ଼ି ହାଣିବା, ଆଦି ନିନ୍ଦାର କାର୍ଯ୍ୟ ବୋଲି ଆଜିକାଲି ଶିକ୍ଷିତ ଲୋକଙ୍କର ଯେ ଧାରଣା ହୋଇଛି, ସେଭଳି ଧାରଣା ପୂର୍ବର କୁଳଗୃହବାସୀ ଛାତ୍ରଙ୍କ ହୃଦୟରେ ସ୍ଥାନ ପାଉ ନ ଥିଲା । ଏଭଳି କାର୍ଯ୍ୟ କରିବା ଯୋଗୁଁ, ସେ କାଳର ଛାତ୍ରମାନଙ୍କର ପଢ଼ବା ଲାଗି ଅର୍ଥଚିନ୍ତା ନଥିଲା। ବ୍ରହ୍ମଚର୍ଯ୍ୟ ବା ଛାତ୍ର ଜୀବନ ଶେଷରେ ଗୃହସ୍ଥାଶ୍ରମରେ ପ୍ରବେଶ କରି ସେମାନେ ଜୀବିକା ନିର୍ବାହ ଲାଗି ଯେ କୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେଉଥିଲେ ।

ସେମାନଙ୍କ ସଙ୍ଗେ ତୁଳନା କଲେ, ଆଜିକାଲିର ଶିକ୍ଷିତ ଯୁବକ ଏକ ଶୋଚନୀୟ ପ୍ରାଣୀ । ଚାକିରୀ ଛଡ଼ା ତାଙ୍କୁ ଆଉ କିଛି ଦିଶୁ ନାହିଁ । ଶ୍ରମର ଗୌରବ ବିଷୟରେ ଯେତେ ବକ୍ତୃତା କରନ୍ତୁ ପଛକେ, କୌଣସି ପ୍ରକାର କାୟିକ ଶ୍ରମ କରିବାକୁ ସେ ପ୍ରସ୍ତୁତ ନୁହନ୍ତି । ତାଙ୍କ ଦେହରେ ବଳ ନାହିଁ କି ମନରେ ବଳ ନାହିଁ । ବାଟ ଦି କୋଶ ଚାଲିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ । ଚାକିରୀ ଛଡ଼ା ଅନ୍ୟ କୌଣସି କ୍ଷେତ୍ରରେ ପ୍ରବେଶ କରିବାକୁ ସାହସର ଅଭାବ । ସେ ଯାହା ହେଉ, ଶିକ୍ଷା ସଙ୍ଗେ ଶ୍ରମର ସଂଯୋଗ ହେଲେ, ଛାତ୍ରଜୀବନରେ ନିଶ୍ଚୟ ପରିବର୍ତ୍ତନ ଆସିବ, ଛାତ୍ର ଆତ୍ମନିର୍ଭରଶୀଳ ହେବ । ଆଜି ଅନେକ ଗରିବ ଛାତ୍ରଙ୍କୁ ସାହାଯ୍ୟ ଲାଗି ଅନେକଙ୍କ ନିକଟରେ ଯେପରି ଗୋଡ଼ ଭାଙ୍ଗି ଛିଡ଼ା ହେବାକୁ ହେଉଛି, ସେ ଅବସ୍ଥା ଅନେକ ପରିମାଣରେ ବଦଳି ଯାଇ ପାରେ ।

(ସମାଜ, ତା ୨୯--୧୯୨୭)

Wednesday, October 17, 2018

ପିଲାଙ୍କ ପାଇଁ କବିତା - 'ରାମ ଔର ଶ୍ୟାମ'

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ରାମ ଓ ଶ୍ୟାମ ଜାଆଁଳା ଭାଇ
ଗାଁରେ ଡାକ ନାମ
ଅଜବ ସବୁ କାମ ତାଙ୍କର
ବିଧି ତାଙ୍କର ବାମ ।

ରାମ ଠକିଲେ ଶ୍ୟାମକୁ ଠିକ
ଛ' ମାସ ହୁଏ ଜେଲ
ପରୀକ୍ଷା ଦିଏ ରାମ ତଥାପି
ଶ୍ୟାମ ହିଁ ହୁଏ ଫେଲ ।

ଏପରି ହୋଇ ଗଡ଼ିଲା ଦିନ
ପଡ଼ିଲା ତାଙ୍କ ଦିହ
ଶେଷରେ ଆଉ ବାହା ହେବାକୁ
ମିଳିଲେ ନାହିଁ ଝିଅ ।

ଗାଁରୁ ଯିବେ ପଳାଇ ବୋଲି
ଭାବିଲେ ମନେ ମନେ
ବିନା ଟିକେଟ ଟ୍ରେନରେ ଚଢ଼ି
ବସିଲେ ଯାଇ ଦିନେ ।

ଛତ୍ରପତି ଶିବାଜୀ ଠାରେ
ଟ୍ରେନ ରହିଲା ଆସି
ବଲିଉଡ଼୍‌ରେ ଦି ଭାଇ ଏବେ
ଦିହିଁକି ଦିହେଁ ଖୁସି ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

ଗାନ୍ଧୀଜୀଙ୍କର ଶିକ୍ଷା ବିଚାର- ବାଙ୍ଗାଲୋରରେ ବକ୍ତୃତା


୧୯୨୦ ମସିହାରେ ରବି ଠାକୁରଙ୍କର ସହ ଗାନ୍ଧୀଜୀ (ୱିକିମିଡିଆ କମନ୍ସ୍)


ବିଦ୍ୟାର୍ଥୀକୁ ପ୍ରାଚୀନ କାଳରେ ବ୍ରହ୍ମଚାରୀ କୁହା ଯାଉ ଥିଲା । କାରଣ, ତାହାର ସମସ୍ତ ଅଧ୍ୟୟନ ଓ କ୍ରିୟାକଳାପର ବା ପ୍ରବୃତ୍ତିର ଲକ୍ଷ୍ୟ ଥିଲା ବ୍ରହ୍ମାନୁସନ୍ଧାନ । ଆତ୍ମସଂଯମ ଓ ସୁଖଦୁଃଖରେ ସମାନ ଭାବରେ ଉଦାସୀନ ଥାଇ ସରଳତାର ଦୃଢ଼ ଭିତ୍ତି ଉପରେ ତାହାର ଜୀବନକୁ ସେ ଗଢୁ ଥିଲା । ଏହି ସରଳତା ଓ ଆତ୍ମସଂଯମ ପାଳନ କରିବା ଛାତ୍ରମାନଙ୍କର ଉଚିତ୍ ବୋଲି ସବୁ ଧର୍ମରେ ନିର୍ଦ୍ଦେଶ ଅଛି । ଯେ ଯୌବନରେ ଇନ୍ଦ୍ର ସ୍ୱଭୋଗ ଓ ଲାଳସା ଉପରେ କୌଣସି ଅଙ୍କୁଶ ରଖେ ନାହିଁ, ସେ ସେଗୁଡ଼ିକୁ ବାର୍ଦ୍ଧକ୍ୟରେ କଦାପି ଦମନ କରି ପାରିବ ନାହିଁ । କ୍ରୀଡ଼ା କୌତୁକ ଛାଡ଼ି ନିର୍ଜନ କକ୍ଷରେ ନିଜକୁ ଆପଣମାନେ ଆବଦ୍ଧ କରିବେ, ମୁଁ ଚାହେଁ ନାହିଁ । କିନ୍ତୁ ଆପଣମାନଙ୍କର ସମସ୍ତ କାର୍ଯ୍ୟ ଓ କ୍ରୀଡ଼ାର ଉନ୍ନତ ଲକ୍ଷ୍ୟ ହେଉ ସଂଯମମୟ ଜୀବନ ଏବଂ ସେ ସବୁ ଆପଣମାନଙ୍କୁ ଭଗବାନଙ୍କର ସମୀପବର୍ତ୍ତୀ କରୁ ।

-ୟଙ୍ଗ ଇଣ୍ତିଆ, ତା ୨୧--୧୯୨୭

Tuesday, October 16, 2018

ପିଲାଙ୍କ ପାଇଁ କବିତା - 'ବରଯାତ୍ରୀ'

କବି - ଜଗନ୍ନାଥ ପ୍ରସାଦ ଦାସ


ଏକ ଜାତକ ଗପର ପଥରରେ ଚିତ୍ରାୟନ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ବିଲୁଆ ନନାର ବାହା ବରାତୀ
ଆସିଗଲେ ଜାତି ଭାଇ ଭଉଣୀ
ନେଉଳ ଭାଇର ଶେଉଳ ସାଥୀ
ବାଘ ମାମୁଁ ମାଇଁ ବିଲେଇ ନାନୀ ।

ପହଞ୍ଚିଲେ ସବା ଶେଷକୁ ଆସି
କଣା ମାମୁଁ ଆଉ ଟାଙ୍ଗୀ ମାଉସୀ । 

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

ଓଡ଼ିଶାର ଭୂତତ୍ତ୍ୱ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


୧୯୧୧ ମସିହାରେ ପ୍ରକାଶିତ ଭାରତର ଭୂତାତ୍ତ୍ୱିକ ମାନଚିତ୍ର (ୱିକିମିଡିଆ କମନ୍ସ୍)


ଓଡିଶା ହେଲା ପୃଥିବୀର ଅନ୍ୟତମ ପୁରାତନ ଓ ସବୁଠାରୁ କଠିନ ଭୂଖଣ୍ତ ଉପଦ୍ୱୀପୀୟ ସାଞ୍ଜୁର ଅଂଶ ବିଶେଷ । ମୋଟାମୋଟି ଭାବରେ ଏହା ପ୍ରାକ୍‌କାମ୍ୱ୍ରୀୟ ଶିଳାର ଉପରେ ରହି ଥାଏ । ରାଜ୍ୟର ଏକ ଚତୁର୍ଥାଂଶ ହେଲା ଫେନୋମେଶୋଜୋଇକ୍ ଶିଳା, କ୍ୱାଟରନାରୀ ଶିଳା ଏବଂ ନୂତନରୁ ଅଳ୍ପ ନୂତନ ପଟୁମାଟି ଦ୍ୱାରା ଗଠିତ । ଶେଷୋକ୍ତ ପଟୁମାଟି ମୁଖ୍ୟତଃ ଉପକୂଳବର୍ତ୍ତୀ ସମତଳଅଞ୍ଚଳ ଏବଂ ମହାନଦୀ ଓ ବ୍ରାହ୍ମଣୀ ନଦୀର ଉପତ୍ୟକାରେ ହିଁ ଦେଖା ଯାଏ ।

ପିଲାଇଟିକ୍, ପାଶାମିଟିକ୍, ପାଶ୍‌ମୋପିଲାଇଟିକ୍, ର ଅପଭ୍ରଂଶ ଏବଂ ଚୂନପଥରଗୁଡ଼ିକ ପ୍ରାକ୍‌କାମ୍ୱ୍ରିଆନ୍ ରୂପାନ୍ତରିତ ଶିଳାର ଅଂଶବିଶେଷ ଅଟେ । ସେଗୁଡ଼ିକର ଆକୃତିରେ ଭିନ୍ନ କାରଣ ତୀବ୍ରତାର ବିକୃତି ଏବଂ ଭିନ୍ନ ପ୍ରକାରର ରୂପାନ୍ତରଣ ଯୋଗୁଁ ଦୃଷ୍ଟିଗୋଚର ହୋଇଥାଏ । ଏଇ ଅବକ୍ଷେପ ଏବଂ ରୂପାନ୍ତ ଅବକ୍ଷେପ ବିକ୍ଷିପ୍ତାଂଶ ଭାବରେ ବିଛାଡ଼ିହୋଇ ରହିଛି । 

ଗ୍ରାନାଇଟ୍ ଅର୍ଥୋ ଏବଂ ପାରାନାଇସ୍, ଅନ୍ତଭେଦନାଇସ୍, ମାଗମାଟାଇଟ୍, ଚାର୍ଣ୍ଣୋକାଇଟ୍, ଏବଂ ବେସିକ ଓ ଅତିବେସିକ ଅନ୍ତଃର୍ଭେଦନ ଓ ନିର୍ଗମନ ରୂପରେ ବିରାଟ ପଟ୍ଟି ଦ୍ୱାରା ବିଭାଜିତ ହୋଇ ଅଛନ୍ତି । ସ୍ୱଳ୍ପଭେଦ୍ୟ ବିକୃତ ଅବସ୍ଥାରୁ ଅତିବିକୃତ ଭୂଅଭିନତୀୟ ମଞ୍ଚ ପର୍ଯ୍ୟନ୍ତ ସମସ୍ତ ଭୂଚଳନୀୟ ପରିବେଶ ଏଠି ଦୃଷ୍ଟିଗୋଚର ହୋଇଥାଏ । 

ଏଠି ଥିବା ପ୍ରଜାବୀୟ ଶିଳାମଧ୍ୟରେ ଉପର ପୂରାଜୀବୀରୁ ମଧସ୍ଥ ମଧ୍ୟଜୀବୀ ପରି ଅତି ଗଣ୍ତୱାନା ପୁଞ୍ଜି ଏବଂ ତୃତୀୟ କଳ୍ପୀ ବାରିପଦା ଶଯ୍ୟର ପ୍ରସ୍ତର ରହି ଥାଏ । ଗଣ୍ତୱାନା ଶିଳା ଅସାମୁଦ୍ରିକ ମହାଦେଶୀୟ ଶ୍ରେଣୀର ହୋଇ ଥିଲା ବେଳେ, ତଳ ତୃତୀୟ କଳ୍ପୀ ଶିଳା ହୋଇଥାଏ ସମୁଦ୍ର ପରିବେଶୀୟ ।

ବିଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Monday, October 15, 2018

ପିଲାଙ୍କ ପାଇଁ କବିତା - 'ବୋଲକରା'

କବି - ଜଗନ୍ନାଥ ପ୍ରସାଦ ଦାସ


ଜିନରାଜ ଅଲ୍-ମଲିକ୍ ଅଲ୍-ଅସ୍ୱାଦ୍‌ଙ୍କ ଚିତ୍ର (୧୪ଶହ ଶତାବ୍ଦୀ)
'କିତାବ୍ ଅଲ୍ ବୁଲ୍‌ହାନ୍'ରୁ ଆନୀତ

ପୁରୁଣା ଦୀପକୁ ଘଷି କହିଲି ମୁଁ
ଏକ ଦୁଇ ତିନି
ହଠାତ ଆଗରେ ଆସି ଠିଆ ହେଲା
ବୋଲକରା ଜିନ ।

ସେଇ ଦିନୁ ରହିଛି ସେ ପାଖେ ପାଖେ
ଛାଇ ପରି ମୋର
ସବୁ କାମ କରି ଦିଏ କଥା ହେଲେ
ପାଟିରୁ ବାହର ।

ନିଦରୁ ଉଠାଇ ଦିଏ, ଚା' ଦିଏ
ଝାଡ଼ୁ ମାରେ ଘରେ
ରାନ୍ଧେ ଓ ପରଶିଦିଏ, ରାତିରେ ସେ
ଶୁଆଏ ନିଦରେ ।

ଆରାମରେ ଅଛି ମତେ ପଡ଼େ ନାହିଁ
କରିବାକୁ କିଛି
ମତେ କିନ୍ତୁ ପଚାରନି ଏ ଗୀତଟି
କିଏ ସେ ଲେଖିଛି ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

ଆଲେକଜାଣ୍ଡରଙ୍କ ଆକ୍ରମଣର ଫଳ


କେଦାରନାଥ ମହାପାତ୍ର


ଖ୍ରୀଷ୍ଟପୂର୍ବ ୧୯୪ରେ ଇରାଟୋସ୍ଥିନିସ୍‌ଙ୍କ ଦ୍ୱାରା ଅଙ୍କିତ ମାନଚିତ୍ରର ୧୯ଶହ ମସିହାରର ରୂପ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଲେକଜାଣ୍ଡରଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ପଞ୍ଜାବରୁ ଗ୍ରୀକ୍ ଆଧିପତ୍ୟ ଲୋପ ପାଇଗଲା ସତ୍ୟ, କିନ୍ତୁ ସେହି ସମୟଠାରୁ ଦୁଇ ସଭ୍ୟ ଦେଶ ଗ୍ରୀସ୍ ଓ ଭାରତବର୍ଷ ମଧ୍ୟରେ ସମ୍ୱନ୍ଧ ସ୍ଥାପିତ ହେଲା । ଅନେକ ଗ୍ରୀକ୍ ବା ଯବାନ ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ବାସ କରିବାକୁ ଲାଗିଲେ ଓ କେତେ ଗ୍ରୀକ୍ ବୀର ପୁନର୍ବାର ଭାରତ ଜୟ କରିବାକୁ ଚେଷ୍ଟା କରିଥିଲେ । କାଳକ୍ରମେ ଅନେକ ଗ୍ରୀକ ବୌଦ୍ଧ ଓ ହିନ୍ଦୁଧର୍ମ ଗ୍ରହଣ କରିଥିଲେ । ଗ୍ରୀକ୍‌ମାନେ ଆମ୍ଭ ଦେଶରୁ ଦର୍ଶନ ତଥା ଅଙ୍କ ପ୍ରଭୃତି ବିଷୟରେ ଅନେକ କଥା ଶିଖିଥିଲେ ଏବଂ ଗ୍ରୀକ୍ ଶିଳ୍ପ ଓ ସଭ୍ୟତା ମଧ୍ୟ ପଞ୍ଜାବ ଅଞ୍ଚଳରେ ପ୍ରଚଳିତ ହୋଇଥିଲା ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Sunday, October 14, 2018

ପିଲାଙ୍କ ପାଇଁ କବିତା - 'କର୍ମଫଳ'

କବି - ଜଗନ୍ନାଥ ପ୍ରସାଦ ଦାସ


ହିଂସାକୁ ଦର୍ଶାଉଥିବା ସପ୍ତଦଶ ଶତାବ୍ଦୀର ଗୁଜୁରାତରେ ଅଙ୍କିତ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଗେ ଭାବୁଥିଲି ମରିବା ପରେ
ପୋତା ହେବି କି ପୋଡ଼ା ହେବି
କର୍ମ କଥା ଶୁଣି ଏବେ ମୋର ଚିନ୍ତା
ତୋତା ହେବି କି ଘୋଡ଼ା ହେବି ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

ପିଲାଙ୍କ ପାଇଁ କବିତା - 'ବାଜେ କଥା'

କବି - ଜଗନ୍ନାଥ ପ୍ରସାଦ ଦାସ


ଶାହ ଅବୁଲ ମାଲିଙ୍କର ଏକ ଚିତ୍ର (୧୫୫୬ ମସିହାରେ ଅଙ୍କିତ)
ଚିତ୍ରକର - ଦୋସ୍ତ ମୁହମ୍ମଦ (ଆଗା ଖାନ୍ ସଙ୍ଗ୍ରହରୁ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମନ୍ଦିରରେ ଘଣ୍ଟି ବାଜେ ଗାଲରେ ଚାପୁଡ଼ା
ଘଣ୍ଟାରେ ସମୟ ବାଜେ ବାଜେ ତାନପୁରା ।

ଘରେ ନ ପଶୁଣୁ ମୁଣ୍ଡ ବାଜିଲା ଚାଳରେ
ଲେଖୁଛି ସେ କଥା ବସି ବାଜେ କାଗଜରେ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।