Wednesday, October 10, 2018

ମହାବୀର ଆଲେକଜାଣ୍ଡରଙ୍କ ଭାରତ ଆକ୍ରମଣ

କେଦାରନାଥ ମହାପାତ୍ର


ନେପଲ୍ସ ନଗରୀରେ ଜାତୀୟ ପ୍ରତ୍ନତାତ୍ତ୍ୱିକ ସଙ୍ଗ୍ରହାଳୟରେ ସ୍ଥିତ ସିକନ୍ଦରଙ୍କର ମୌଜାଗି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ନନ୍ଦରାଜାମାନେ ଭାରତରେ ରାଜତ୍ୱ କରୁଥିବା ସମୟରେ, ଇଉରୋପ ମହାଦେଶର ଗ୍ରୀସ୍ ନାମକ ରାଜ୍ୟ ବିଶେଷ କ୍ଷମତାଶାଳୀ ଥିଲା । ଗ୍ରୀସ୍ ରାଜ୍ୟସ୍ଥ ମାସିଡନ ନାମକ କ୍ଷୁଦ୍ର ରାଜ୍ୟରେ ପିଲିଫ୍ ନାମକ ଜଣେ ରାଜା ରାଜତ୍ୱ କରୁ ଥିଲେ । ଆଲେକଜାଣ୍ଡର ତାଙ୍କର ପୁତ୍ର, ସେ ଜଣେ ପୃଥିବୀ ବିଖ୍ୟାତ ଯୋଦ୍ଧା ଥିଲେ । ସେ ଗୋଟିଏ ଛୋଟିଆ ରାଜ୍ୟର ରାଜାଙ୍କ ପୁଅ ଥିଲେ ସୁଦ୍ଧା ନିଜ ବାହୁବଳରେ ମାସିଡନଠାରୁ ହିନ୍ଦୁକୁଶ ପାର ହୋଇ ପାହାଡ଼ିଆ ଜାତିମାନଙ୍କୁ ପରାସ୍ତ କଲେ (ଖ୍ରୀ: ପୂ: ୩୨୭) ଓ ଖାଇବାର ଗିରିସଙ୍କଟ ବାଟେ ପଞ୍ଜାବରେ ପ୍ରବେଶ କଲେ । 

ସେତେବେଳେ ପଞ୍ଜାବ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ଥିଲା ଓ ତକ୍ଷଶିଳା ପଞ୍ଜାବର ଗୋଟିଏ ପ୍ରସିଦ୍ଧ ନଗରୀ ଥିଲା । ସେ ସିନ୍ଧୁ ନଦୀ ପାର ହୋଇ ତକ୍ଷଶିଳା ଆକ୍ରମଣ କଲେ । ସେଠାର ରାଜା ଅମ୍ଭି ଦୁର୍ବଳ ଥିବାରୁ ତାଙ୍କର ଶରଣ ପଶିଲେ ଓ ତାଙ୍କୁ ସୈନ୍ୟ ଓ ଧନ ସାହାଯ୍ୟ ଦେଇ ଥିଲେ । ତତ୍‌ପରେ ସେ ଝେଲମ ନଦୀ ଓ ଚେନାବ ନଦୀ ମଧ୍ୟବର୍ତ୍ତୀ ରାଜ୍ୟ ଆକ୍ରମଣ କଲେ । ସେଠାରେ ପୂରୁ ନାମକ ଜଣେ କ୍ଷମତାଶାଳୀ ରାଜା ରାଜତ୍ୱ କରୁଥିଲେ । ସେ ଆଲେକ ଜାଣ୍ଡରଙ୍କ ସଙ୍ଗେ ଭୀଷଣ ଯୁଦ୍ଧ କଲେ । ସେ ଭୀରୁ ପରି ଶତୃର ଅଧୀନତା ସ୍ୱୀକାର କଲେ ନାହିଁ । ଦେହରେ ନଅ ଜାଗାରେ ଆଘାତ ପାଇ ମଧ୍ୟ ସେ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ଥିଲେ କିନ୍ତୁ ପରାସ୍ତ ହୋଇ ଗଲେ (ଖ୍ରୀ: ପୂ: ୩୨୬) । 
ସେ ବନ୍ଦୀ ହୋଇ ଗ୍ରୀକ୍ ବୀରଙ୍କ ନିକଟକୁ ଅଣା ହୋଇ ଥିଲେ । ଆଲୋକଜାଣ୍ଡର ତାଙ୍କର ବୀରତ୍ୱ ଦେଖି ମୁଗ୍ଧ ଓ ଚକିତ ହୋଇଥିଲେ । ତେଣୁ ସେ ପୂରୁଙ୍କ ପଚାରିଲେ, “ତୁମ୍ଭେ କି ପ୍ରକାର ବ୍ୟବହାର ଚାହଁ?” ପୂରୁ ବୀର ପରି କହିଲେ, “ମୁଁ ରାଜୋଚିତ ବ୍ୟବହାର ଚାହେଁ ।” ମହାବୀର ତାଙ୍କର ବୀରୋଚିତ ଉତ୍ତର ଶୁଣି ସନ୍ତୁଷ୍ଟ ହେଲେ ଓ ତାଙ୍କୁ ବନ୍ଦୀରୁ ଖଲାସ କରି ତାଙ୍କ ରାଜ୍ୟ ତାଙ୍କୁ ଫେରାଇ ଦେଇ ଥିଲେ । ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପିତ ହେଲା । 
ଏହା ପରେ ଗ୍ରୀକ୍ ବୀର ପଞ୍ଜାବର ଅନେକ ଛୋଟ ଛୋଟ ରାଜ୍ୟ ଜୟ କରିଥିଲେ । ମଗଧ ପର୍ଯ୍ୟନ୍ତ ଜୟ କରିବା ତାଙ୍କର ଇଚ୍ଛା ଥିଲା । ଗ୍ରୀକ୍ ସୈନ୍ୟମାନେ ବହୁକାଳ ଘରଦ୍ୱାର ଛାଡ଼ି ବିଦେଶରେ ଯୁଦ୍ଧ କରିଥିବାରୁ କ୍ଳାନ୍ତ ହୋଇ ଯାଇ ଥିଲେ । ସେମାନେ ଭାରତୀୟମାନଙ୍କର ବୀରତ୍ୱ ଦେଖି ମଧ୍ୟ ଚକିତ ହୋଇ ଥିଲେ । ତେଣୁ ସେମାନେ ଆଉ ଅଧିକ ଦୂର ଯିବାକୁ ରାଜି ନ ହେବାରୁ ଆଲେକଜାଣ୍ଡର ବାଧ୍ୟ ହୋଇ ସିନ୍ଧୁ ନଦୀ, ଆରବ ସାଗର ଓ ପାରସ୍ୟ ଉପସାଗର ବାଟେ ସ୍ୱଦେଶକୁ ଫେରି ଗଲେ । ଫେରି ଯିବା ବେଳେ ସିନ୍ଧୁ ନଦୀ କୂଳରେ ବାସ କରୁ ଥିବା କେତେକ ଜାତି ତାଙ୍କ ସହିତ ଭୀଷଣ ଯୁଦ୍ଧ କରି ଥିଲେ । ସେ ବାଟରେ ବାଚିଲନ ନାମକ ସ୍ଥାନରେ ଖ୍ରୀ: ପୂ ୩୨୩ରେ ପ୍ରାଣ ତ୍ୟାଗ କଲେ । ମୃତ୍ୟୁ ପରେ ତାଙ୍କର ବିରାଟ ସାମ୍ରାଜ୍ୟ ତାଙ୍କର ସେନାପତିମାନଙ୍କ ମଧ୍ୟରେ ବିଭକ୍ତ ହୋଇ ଥିଲା । ସେଲିଉକସ ନାମକ ଜଣେ ସେନାପତି ତାଙ୍କ ସାମ୍ରାଜ୍ୟର ପୂର୍ବାଂଶ ପାଇ ଥିଲେ । ଆଲେକଜାଣ୍ଡରଙ୍କ ଅନ୍ୟ ନାମ ସିକନ୍ଦର । ସେ ଭାରତର ପ୍ରଥମ ଇଉରୋପୀୟ ବିଜେତା ।
ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

No comments:

Post a Comment