Sunday, December 31, 2017

ପିଲାଙ୍କ ପାଇଁ ପହେଳି -୧


ସଙ୍ଗ୍ରାହକ - ଗୋବିନ୍ଦ ଚନ୍ଦ୍ର ଚାନ୍ଦ



ମାୟା ସଭ୍ୟତାର ଅଙ୍କ ଓ ସଙ୍ଖ୍ୟା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଅଙ୍କ ମନ୍ତର 
ଏକ ଆଗ ଶୂନ କେତେ ଅନ୍ତର

ଉତ୍ତର - ନଅ

ଉତ୍ସ - ଶ୍ରୀ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଦ୍ୱାରା ସମ୍ପାଦିତ ଓ ଓ ସଙ୍କଳିତ 'ଓଡ଼ିଆ ଶିଶୁ-କିଶୋର ଢଗଢ଼ମାଳି' । ବହିଟିର ପ୍ରଥମ ପ୍ରକାଶ ୨୦୧୭ ମସିହାରେ । ପ୍ରକାଶକ ହେଲେ ନୂଆଦିଲ୍ଲୀସ୍ଥ କେନ୍ଦ୍ରୀୟ ସାହିତ୍ୟ ଅକାଦେମି ।

Saturday, December 30, 2017

ପଦ୍ମାବତୀ : ଅର୍ଦ୍ଧେକ ମାନବୀ ଓ ଅର୍ଦ୍ଧେକ କଳ୍ପନା

ଜ୍ୟୋତି ନନ୍ଦ


ପଦ୍ମାବତୀଙ୍କର ଚିତ୍ର (୧୭୬୫ ମସିହାରା ଅଙ୍କିତ)
ବିବ୍ଲିଓଥେକ୍ ନ୍ୟାସିଓନେଲ୍ ଦ ଫଁସ୍‌ଙ୍କର ସଙ୍ଗ୍ରହ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ଆଜି ଇତିହାସ ନୁହଁ, ସାହିତ୍ୟ । କାହାଣୀ । ପଦ୍ମାବତୀ କାହାଣୀ ।

ଆଜି ଇତିହାସ ନୁହଁ, ପଦ୍ମାବତୀଙ୍କୁ ଗୋଟିଏ ପ୍ରଚଳିତ କାହାଣୀର ମୂଖ୍ୟ ଚରିତ୍ର ହିସାବରେ ଗ୍ରହଣ କରି ସେଇ କାହାଣୀଟିର ଗତି ଓ ପ୍ରବୃତ୍ତିରେ ପଦ୍ମାବତୀ ଚରିତ୍ରଟିର ଅବସ୍ଥିତିକୁ ନେଇ ଜନମାନସରେ ତାହାର ଜନପ୍ରିୟତାର କାରଣକୁ ଆକଳନ କରିବାର ଚେଷ୍ଟା କରାଯିବ ।

କାହାଣୀ କଥା କହିଲା ବେଳେ ପ୍ରଥମେ ମୁଁ ଆପଣମାନଙ୍କର ଗୋଚରକୁ ଆଣିବି ପ୍ରତି କାହାଣୀରେ ସଂସ୍ଥାପିତ ଖଳନାୟକର କଥା ।ଆପଣମାନେ ଜାଣନ୍ତି ପ୍ରତି କାହାଣୀକାରର କାହାଣୀରେ ସବୁଠୁ ଧାରୁଆ ଅସ୍ତ୍ରଟି ହେଉଛି ତାହାର ଖଳନାୟକ । ଖଳନାୟକକୁ ସେ ଯେତିକି ଶାଣ ଦେଇଥାଏ, ତାହାର କାହାଣୀଟି ସେତିକି ପ୍ରଭାବଶାଳି ହୋଇଥାଏ । କାରଣ କେବଳ ଖଳନାୟକ ହିଁ ସବୁ କାହାଣୀର କେଦାର ଆଉ ଗୌରୀଙ୍କ ମିଳନରେ କେତେବେଳେ ସମାଜ, ବାଘ ଆଉ ଛୁରୀ ଆଦି ଭିନ୍ନ ଭିନ୍ନ ରୂପରେ ବାଧକ ସାଜିଥାଏ । କହିବାର ତାତ୍ପର୍ଯ୍ୟ ହେଉଛି, ଖଳନାୟକ ହିଁ କେବଳ ଏମିତି ଏକ ପରିସ୍ଥିତିର ପ୍ରସ୍ତାବନାଟି ନିର୍ମାଣ କରିଥାଏ ଯାହାର ଜଟିଳତାର ଚକ୍ରବ୍ୟୁହରୁ କାହାଣୀ ସାରା ମୁକୁଳିବାର ଚେଷ୍ଟା କରୁଥାନ୍ତି ଆମର ସମସ୍ତ ନାୟକ ନାୟିକା । ନାୟକ ନାୟିକା ସଫଳ ହେଲେ ଆମେ ହୁଇସିଲ୍ ମାରି ସେଇ ସଫଳତାକୁ ନିଜେ ଗଡ଼ ଜିତିଲା ଭଳି ନିଜ ଭିତରେ ଧରିରଖିଥାଉ । ଆମ ଭିତରେ କାହାଣୀ ସାରା ଯେଉଁ ଖଳନାୟକ ବିଧ୍ୱଂସୀ କାମନାଟି ତିଆରି ହୋଇଯାଇଥିଲା, ତାହା ଫଳବତୀ ହେଲା ।

ତେଣୁ ଆମର ସମସ୍ତ ସଫଳ କାହାଣୀ କହିବାକୁ ଗଲେ ଖଳନାୟକ ପ୍ରଧାନ କାହାଣୀ । ଖଳନାୟକ ନଥିଲେ କାହାଣୀରେ ଚରିତ୍ର ମାନଙ୍କର ଅଭୀଷ୍ଟ ଲକ୍ଷ୍ୟସ୍ଥଳଟି ଆଦୌ ଧୂଆଁଳିଆ ଦିଶିବ ନାହିଁ, ଆଉ ତାହା ଫଳରେ ଆମ ସମାଜର ଚରିତ୍ରମାନଙ୍କୁ କେବଳ ସତ୍ ହୋଇ ଏବଂ କେବଳ ନିର୍ଦ୍ଦିଷ୍ଟ ଶଗଡଗୁଳାରେ ଚାଲୁଥିବାର ଦେଖିବା କଥାଟିରେ ଆମେ (ସେମାନଙ୍କୁ ଆମର ସମ୍ପର୍କୀୟ ,ପ୍ରତିବେଶୀ ଅବା ଚିହ୍ନାଜଣା ହିସାବରେ) ଯେତିକି ଉଷତ ହେଉ, କାହାଣୀର ଚରିତ୍ର ହିସାବରେ ସେତିକି ହତାଶ ହେଉ । କାହାଣୀରେ ଆମର ସପ୍ତରଥିର ଅନିୟମ ଦରକାର ଆଉ ତରୁଣ ଅଭିମନ୍ୟୁର କାରୁଣ୍ୟ ଦରକାର ।

ପଦ୍ମାବତୀ କାହାଣୀରେ ଇତିହାସର ଜରିପୋଷାକ ପିନ୍ଧା ଖଳନାୟକ ଆକାରରେ ଯେଉଁ ମଧ୍ୟଯୁଗୀୟ ବର୍ବର ସୁଲତାନ ଆଲ୍ଲାଉଦ୍ଦିନ ଖଲଜୀର ଅବତାରଣା କରାଯାଇଛି, କାହାଣୀର ପ୍ରୟୋଜନ ପାଇଁ ତାହାର ଆବଶ୍ୟକତା ରହିଛି । କିନ୍ତୁ ଏଇ କାହାଣୀରେ ସେ କ'ଣ ଏକମାତ୍ର ଖଳନାୟକ ହିସାବରେ ଉପସ୍ଥିତ ? ଦେଖାଯାଉ ।

ଆପଣମାନେ ଜାଣିଛନ୍ତି, ଆମ କାହାଣୀର ଖଳନାୟକମାନେ ସେମାନଙ୍କର ଆଚରଣରେ ଆମର ପ୍ରଚଳିତ ସଂସ୍କାର ଓ ମୂଲ୍ୟବୋଧକୁ କେତେ ପରିମାଣରେ ସମ୍ମାନ ଦେଖାଇଥାନ୍ତି ? ସମ୍ମାନ ଦେଖାନ୍ତି ନାହିଁ ବୋଲି ଆମ ଭିତରେ ସବୁବେଳେ ଖଳନାୟକ-ବିଧ୍ୱଂସୀ କ୍ଷେପଣାସ୍ତ୍ରମାନ ପ୍ରସ୍ତୁତ ହେବାରେ ଲାଗିଥାଏ ।

ଏଇ ଚର୍ଚ୍ଚାଟି ଆମର ଓଡିଆ ଗଳ୍ପର ପ୍ରବାଦପୁରୁଷ ଶ୍ରୀଯୁକ୍ତ ମନୋଜ ଦାସଙ୍କ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସମ୍ପ୍ରତି ଗତ ୧୭ ନଭେମ୍ବର ୧୭ରେ ଦି ଇଣ୍ଡିଆନ୍ ଏକ୍ସପ୍ରେସ୍‌ରେ ପ୍ରକାଶିତ ଆଲେଖ୍ୟ "ଲେଟ୍ ରାଣୀ ପଦ୍ମାବତୀ ରେଷ୍ଟ ଇନ୍ ପିସ୍" ଶୀର୍ଷକରେ ଇଂରାଜୀରେ ଲିଖିତ ଆଲେଖ୍ୟକୁ ଭିତ୍ତି କରି ଚର୍ଚ୍ଚା । ଆପଣମାନେ ଦୟାକରି ଶ୍ରୀଯୁକ୍ତ ଦାସଙ୍କ ସେହି ମନୋରମ ଆଲେଖ୍ୟଟିକୁ ପଢିବାକୁ ଅନୁରୋଧ । ସେହି ଆଲେଖ୍ୟରେ ମନୋଜୀୟ ଶୈଳୀ ଆପଣଙ୍କୁ ବିମୁଗ୍ଧ କରିବ । ଏଠାରେ କିନ୍ତୁ ଶୈଳୀ ଚର୍ଚ୍ଚା କରାଯାଉ ନାହିଁ, ଆଲେଖ୍ୟଟିର ବିଚାର ଭାଗକୁ ନେଇ ପଦ୍ମାବତୀ-କାହାଣୀର ଆଲୋଚନା କରାଯାଉଛି । ଶ୍ରୀଯୁକ୍ତ ଦାସ ମୁଁ ଦୁଃଖିତ । ବିନମ୍ରତାର ସହ ରାଣୀ ପଦ୍ମାବତୀଙ୍କୁ ସାତଶହ ବର୍ଷ ତଳର କାହାଣୀର ନିଦରେ ବ୍ୟାଘାତ ସୃଷ୍ଟି କରିବାକୁ ପଡୁଛି ।  

ଏଇ ପଦ୍ମିନୀ-କାହାଣୀରେ ନାରୀକୁ କେବଳ ତାହାର ଶରୀର ଭିତରେ ବାନ୍ଧି ରଖିବାର ଚିରାଚରିତ ସୁଚତୁର ପୁରୁଷତାନ୍ତ୍ରିକ କୌଶଳର ଉପଜ ହିସାବରେ ଯେଉଁ ସତୀତ୍ୱର ଅବଧାରଣାକୁ ଆମ ପୁରାଣ କଥାରେ ନୀତି ବୋଲି ମାନସିକ ବିପଣନ କରାଯାଇଛି, ତାହାର ହିଁ ନିରୁତା ପ୍ରୟୋଗ । ସତୀତ୍ୱ କହିଲେ ଆମେ ଏକ ଶାରୀରିକ ଶୁଦ୍ଧତାର କଥା ବୋଲି ବିଚାର କରୁ, ଯେଉଁ ଶାରୀରିକ ଶୁଦ୍ଧତା କେବଳ ଜଣେ ନିର୍ଦ୍ଦିଷ୍ଟ ଆଉ ଏକମାତ୍ର ପୁରୁଷର ଯୌନ-କ୍ରୀଡନକ ହେବାର ବିଧାନରେ ସମ୍ଭବ । ସତୀତ୍ୱ ସାଧାରଣତଃ ଏକ ନାରୀବାଚକ ଶବ୍ଦ ଯାହାର ଯାହାର ପୁରୁଷକାର ପ୍ରତିଶବ୍ଦ ନାହିଁ ।

ପଦ୍ମାବତୀ-କାହାଣୀ, ସେଇ ସତୀତ୍ୱର ଅବଧାରଣାକୁ ପ୍ରତିପାଦ୍ୟ କରିବାର ଏକ କଥନିକା । ଅନ୍ୟ ପକ୍ଷରେ ଚିତୋରର ରାଣା ରତନଙ୍କର ଯେ ଏକମାତ୍ର ପଦ୍ମାବତୀ ଅନୁରକ୍ତି, ତାହାର ସେହି କାହାଣୀରେ ସାମାନ୍ୟତମ ସୂଚନା ନାହିଁ । ବରଂ କାହାଣୀର ପରିଣତିରେ ଚିତୋର ଦୁର୍ଗର ଜହର କୁଣ୍ଡର ନିଆଁରେ ଆତ୍ମଘାତିନୀ ହୋଇଥିଲେ ପଦ୍ମାବତୀଙ୍କ ସହ ଅନେକ ରାଜପୁତ୍ ରମଣୀ । କ୍ଷମତା ଆଉ ନିରଙ୍କୁଶ ସ୍ୱୈରାଚାର ସବୁସମୟରେ ଏକ ଲଗାମବିହୀନ ପୁରୁଷକାରକୁ ଜନ୍ମ ଦେଇଥାଏ । ତାହାଫଳରେ ଯେଉଁ ଲାମ୍ପଟ୍ୟ ଆସେ, ତାହା ବହୁ ନାରୀ ସମ୍ଭୋଗରେ ପ୍ରଶମିତ ହୋଇଥାଏ । ଏବଂ ବହୁ ନାରୀର ପୁରୁଷ ହେବା ରାଜପୁରୁଷର ଆଭିଜାତ୍ୟର ପ୍ରତୀକ ହୋଇ ରହେ । ତେଣୁ ସେ ପ୍ରସଙ୍ଗରେ ଆମେ ପଦ୍ମାବତୀ-କାହାଣୀରୁ ରାଣା ରତନଙ୍କ ପଦ୍ମାବତୀଙ୍କ ପ୍ରତି ଏକନିଷ୍ଟ ଅନୁରକ୍ତିର ସାମାନ୍ୟତମ ସୂଚନା ପାଇଲୁ ନାହିଁ ବରଂ ସମସ୍ତ ପ୍ରକାର ନିଷ୍ଠା ଆଉ ତ୍ୟାଗକୁ ବରାଦ କରି ରଖିଦେଲୁ ବହୁପତ୍ନୀ ଆଉ ଉପପତ୍ନୀଙ୍କ ଭିତରୁ ଅନ୍ୟତମା ପଦ୍ମାବତୀଙ୍କ ପାଇଁ ।ପଦ୍ମାବତୀଙ୍କ ରୂପର ହାଲୋଳଟି ଯେ ତାଙ୍କର ଅଗ୍ରଗଣ୍ୟା ଭୂମିକା ପାଇଁ ଏକମାତ୍ର ଯୋଗ୍ୟତା ଥିଲା, ସେଇ କଥାକୁ ବି ପ୍ରଚ୍ଛନ୍ନ ଭାବରେ କାହାଣୀରେ କହିଦେଲୁ ।

ରାଜସ୍ଥାନର ଚିତ୍ତୋରଗଡ଼ଠାରେ ସ୍ଥିତ ପଦ୍ମିନୀ ଉଆସ ଭାବରେ ଖ୍ୟାତ ଏକ ଅର୍ବାଚୀନ କୋଠା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପୁରୁଷତାନ୍ତ୍ରିକ ସତୀତ୍ୱ ଓ ଶାରୀରିକ ଶୁଦ୍ଧତାକୁ ଶ୍ରେଷ୍ଠ କହି ଆମେ ତାହାର ରକ୍ଷା ନିମନ୍ତେ ପଦ୍ମାବତୀ ଭଳି ରାଣୀମାନଙ୍କ ପାଇଁ ଜହର କୁଣ୍ଡରେ ନିଆଁ ଜାଳି ନାରୀର ଆତ୍ମହନନକୁ ତ୍ୟାଗର ଚରମ ପରାକାଷ୍ଠା ବୋଲି ଯଶଗାନ କରିଆସୁଛୁ । ଜହର ବ୍ରତର ଏକ ପୁରୁଷବାଚକ କ୍ରିୟା ଆମେ କାହାଣୀରେ ରଖିବାର ଆବଶ୍ୟକତା ଅନୁଭବ କଲୁ ନାହିଁ । ରାଣା ରତନ ଭଳି କାହାଣୀର ଚରିତ୍ରମାନେ କୌଣସି ବିଧର୍ମୀ ଶକ୍ତି ଦ୍ୱାରା ପରାଭୂତ ହେଲାପରେ ବି, ନିଜନିଜ ଦୂର୍ଗରେ ସୁରକ୍ଷିତ ରହିଥାନ୍ତି । ସେଥିପାଇଁ ଖାଲି ସେମାନଙ୍କୁ ଦୁଇ ହାତ ଉପରକୁ ଟେକି ଦେବା ଭଳି ଛୋଟିଆ ମାନସିକ ଯାତନାଟିଏ ଭୋଗିବାକୁ ପଡିଥାଏ ।

ତାହା ପରେ ସେମାନେ ନିଶ୍ଚିନ୍ତରେ ପରବର୍ତ୍ତି ପଦ୍ମାବତୀମାନଙ୍କୁ ପ୍ରସ୍ତୁତ କରିବେ ପରବର୍ତ୍ତି ଜହର କୁଣ୍ଡ ପାଇଁ । କହିବା କଥା ହେଉଛି, ଆମେ ଏଇ ପଦ୍ମାବତୀ-କାହାଣୀରେ ଚରିତ୍ର ପଦ୍ମାବତୀ ଆଗରେ ଦୁଇଟି ପ୍ରସ୍ତାବନା ରଖିଲୁ, ଏକରେ ସମ୍ଭାବ୍ୟ ଧର୍ଷଣ ଆଉ ଦ୍ୱିତୀୟରେ ଏକ ସମ୍ଭାବ୍ୟ ମୃତ୍ୟୁ । ଏବଂ ମୃତ୍ୟୁକୁ ଗୌରବାବହ କରିବା ପଦ୍ମାବତୀ-କାହାଣୀର ସବୁଠାରୁ ଦୁର୍ବଳ ଦିଗ । ଏଇଠି ପଦ୍ମାବତୀ-କାହାଣୀରେ ଆମେ ପଦ୍ମାବତୀଙ୍କୁ "ଖୁବ୍ ଲଢି ମର୍ଦ୍ଦାନୀ" ଝାନ୍‌ସୀବାଲି ରାଣୀ ଲକ୍ଷ୍ମୀବାଇ ଭଳି ଶହୀଦତ୍ୱଟିଏ ପ୍ରଦାନ କରିଥିଲେ ହୁଏତ ପଦ୍ମାବତୀ ଚରିତ୍ରଟି ଏକ ବୀରାଙ୍ଗନା ଭାବରେ ଅମଳିନ ରହିବ ।

ଏକ ପ୍ରୋତ୍ସାହିତ ମରଣର ମୁଁ ପକ୍ଷଧର ନୁହଁ । ଏହା ସହିତ ଏଇ କାହାଣୀରେ ଧର୍ଷଣକୁ ଏଡାଇବା ପାଇଁ ଯେଉଁ ସୂକ୍ଷ୍ମ କାତରତାର ମୃତ୍ୟୁ ରଚନା କରାଯାଇଛି, ତାହାର ମଧ୍ୟ ମୁଁ ବିରୋଧୀ । ଧର୍ଷଣ ଏକ ଭୟ, ରାସ୍ତା କଡରୁ ଛିଟକି ପଡୁଥିବା ମେଞ୍ଚାଏ ଆବର୍ଜନା । ତାହାକୁ ମୁକାବିଲା କରିବା ପାଇଁ ମାନସିକ ଦୃଢ଼ତା ନାରୀ ଭିତରେ ଶେଷ ଯାଏଁ ରହିବାର ପ୍ରୟୋଜନ । ଏଇ ସାତ ଶହ ବର୍ଷ ତଳର କାହାଣୀ ଆଜିର ପରିପ୍ରେକ୍ଷୀରେ ସେଇ ମୁକାବିଲାମୂଳକ ଦୃଢ଼ତା ତିଆରି କରିବା ପାଇଁ ଅସମର୍ଥ ।

କୁହାଯାଉଛି ଯେ, ପଦ୍ମାବତୀ-କାହାଣୀ ଦ୍ୱାରା ଆମେ ବିଶେଷ ଭାବରେ ପ୍ରଭାବିତ । ଶ୍ରୀଯୁକ୍ତ ମନୋଜ ଦାସ ତାଙ୍କ ଆଲେଖ୍ୟରେ ସିଷ୍ଟର ନିବେଦିତା ପଦ୍ମାବତୀଙ୍କର ରୂପ, ବୀରତ୍ୱ ଓ ତ୍ୟାଗ ଦ୍ୱାରା ପ୍ରଭାବିତ ବୋଲି ଲେଖିଛନ୍ତି । ଆମେ ପିଲାଦିନରୁ ଏଇ ଗପଟିକୁ ସାହିତ୍ୟ ବହିରୁ ପଢିଛୁ ଆଉ ପ୍ରଭାବିତ ହୋଇଛୁ । ଏବେ ବୟସ୍କ ଜଗତରେ ସେଇ ଭଳି ପ୍ରଭାବ ରହିବ କି ? ଆମେ ଜଣକର ରୂପକୁ ଯେତେ ଆମର ସୁନ୍ଦର ଶବ୍ଦ ଅଛି ସେସବୁର ଆୟୋଜନରେ ସୁନ୍ଦରୀ ବୋଲି ବର୍ଣ୍ଣନା କରି ଥୋଇଲେ ବିନା ଚାକ୍ଷୁଷ ସ୍ଥିତିରେ ସେ ସେମିତି ଆମର ବୟସମାନଙ୍କର ମାନସିକତାକୁ ଆଚ୍ଛନ୍ନ କରି ରଖିପାରିବ କି ? ପଦ୍ମାବତୀଙ୍କ ତ୍ୟାଗ ବୋଲି ଯାହା ଆମେ ପିଲା ଦିନେ ବୁଝିଥିଲୁ, ସେଇ ତ୍ୟାଗଟି ମୋତେ ଏବେ ପୁରୁଷତନ୍ତ୍ର କର୍ତ୍ତୃକ ନାରୀମେଧ ଯଜ୍ଞଟିଏ ଭଳି ଲୋତକାପ୍ଳୁତ କରିଦେଉଛି । ମୁଁ ସବୁବେଳେ ଏହାକୁ ଏଡାଇ ଯିବାକୁ ଚାହିଁବି ।  

ଆଉ ରହିଲା କାହାଣୀର ପ୍ରଭାବଶାଳୀ ଅଂଶ, ପଦ୍ମାବତୀଙ୍କ ବୀରତ୍ୱର ଗାଥା।

ପଦ୍ମାବତୀଙ୍କ ବୀରତ୍ୱକୁ ବୁଝିବାପାଇଁ ସେହି କାହାଣୀଟିକୁ ସଂକ୍ଷେପରେ ମନେ ପକାଯାଉ । ଚିତୋରର ରାଣା ରତନଙ୍କ ପତ୍ନୀ ପଦ୍ମାବତୀଙ୍କ ରୂପରେ ମୁଗ୍ଧ ହୋଇ ଦିଲ୍ଲୀର ଶାସକ ଆଲ୍ଲାଉଦ୍ଦିନ ଚିତୋର ଆକ୍ରମଣ କଲେ । ଆଲ୍ଲାଉଦ୍ଦିନଙ୍କ ପ୍ରଥମ ସର୍ତ୍ତ ଥିଲା ପଦ୍ମାବତୀଙ୍କୁ ଅର୍ପଣ, ଯାହା ରାଣାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲା । ଶେଷରେ ପଦ୍ମାବତୀଙ୍କ ରୂପକୁ ଏକ ଦର୍ପଣରେ ଦେଖି ଫେରିଯିବାର ସର୍ତ୍ତଟି ରାଣା ଓ ଆଲ୍ଲାଉଦ୍ଦିନଙ୍କ ଭିତରେ ଚୂଡାନ୍ତ ହେଲା ।

ଆଲ୍ଲାଉଦ୍ଦିନ ଦର୍ପଣରେ ପଦ୍ମିନୀଙ୍କୁ ଦେଖି ଚିତୋର ଦୂର୍ଗରୁ ଫେରିଲା ବେଳେ ତାଙ୍କୁ ସୌଜନ୍ୟତାବଶତଃ ବାଟ ବଳାଇ ଦେବାକୁ ଯାଇଥିବା ରାଣା ରତନଙ୍କୁ ଆଲ୍ଲାଉଦ୍ଦିନଙ୍କ ସୈନ୍ୟମାନେ ବନ୍ଦୀ କରି ମୁଣ୍ଡଜାମିନ ରଖିଲେ ।ପଦ୍ମାବତୀ ଆଲ୍ଲାଉଦ୍ଦିନଙ୍କ ନିକଟରେ ନିଜକୁ ସମର୍ପଣ କଲେ ଯାଇ ରାଣାଙ୍କ ମୁକ୍ତିଲାଭ ହେବ ବୋଲି କୁହାଗଲା । ତାହା ପରେ ପଦ୍ମାବତୀ ନିଜର ସେନାପତିଙ୍କ ସହ ମନ୍ତ୍ରଣା କରି ଆଲ୍ଲାଉଦ୍ଦିନଙ୍କ ନିକଟକୁ ନିଜର ସାତ ଶହ ପରିଚାରିକା ସହ ଯିବାକୁ ସମ୍ମତ ହେଲେ । ସାତ ଶହ ସବାରୀ ସହ ପଦ୍ମାବତୀ ଆଲ୍ଲାଉଦ୍ଦିନଙ୍କ ନିକଟରେ ପହଞ୍ଚିଲେ ।

କହିବା ବାହୁଲ୍ୟ, ସେହି ସାତଶହ ସବାରୀରେ ବଛାବଛା ସାତଶହ ରାଜପୁତ ସୈନିକ ଓ ସବାରି ବାହକ ହିସାବରେ ଆହୁରି ଚଉଦଶହ ସୈନୀକ ଆଲ୍ଲାଉଦ୍ଦିନଙ୍କ ନିକଟରେ ପହଞ୍ଚିଯାଇ ତାଙ୍କର ଉପସ୍ଥିତ ସେନାବାହିନୀକୁ ସମ୍ପୂର୍ଣ୍ଣ ପରାସ୍ତ କରିଥିଲେ ଓ ପ୍ରାଣଭୟରେ ଆଲ୍ଲାଉଦ୍ଦିନ ଖଲଜୀ ପଳାୟନ କରିଥିଲେ । ପରେ ସେ ଅଧିକ ସୈନ୍ୟ ସହ ଆସି ଚିତୋର ଅଧିକାର କଲେ ଓ ରାଣୀ ପଦ୍ମାବତୀ ଜହର କୁଣ୍ଡରେ ଅଗ୍ନିପ୍ରବେଶ କଲେ ।

ପଦ୍ମାବତୀଙ୍କର ଏହି କାହାଣୀରୁ ତାଙ୍କର ଯେଉଁ ବୀରତ୍ୱଟିକୁ ଆମେ ଦେଖୁଛୁ, ତାହା ଝାନସୀର ରାଣୀ ଲକ୍ଷ୍ମୀବାଈଙ୍କ ବୀରତ୍ୱ ତୁଳନାରେ ଅତ୍ୟନ୍ତ ମ୍ଳାନ । ଏଇ ବୀରତ୍ୱଟି ଏକ ସାମରିକ ଛଳ ଉପରେ ପ୍ରତିଷ୍ଠିତ । ଲାଗିବ ଯେମିତି ହୋମରଙ୍କ ଇଲିଆଡ୍‌ରେ ଟ୍ରୟକୁ ଅଧିକାର କରିବା ପାଇଁ ଗ୍ରୀକ୍‌ମାନଙ୍କର ପ୍ରସ୍ତୁତ କାଠର ବିରାଟ "ଟ୍ରୋଜାନ୍ ଘୋଡା"ର ପେଟରେ ରହିଥିବା ସୈନିକ ମାନଙ୍କ ଭଳି ଏଇ ଛଳ-ସମରର କାହାଣୀକୁ ସବାରୀ-କାହାଣୀ କରି ପଦ୍ମାବତୀ କାହାଣୀରେ ଖଞ୍ଜା ଯାଇଛି ।

ତାହା ଛଡା ଏଇ କାହାଣୀରେ ସବାରୀ ଘଟଣା ଘଟିଥିବା ସ୍ଥାନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୌଜନ୍ୟବଶତଃ ଜଣେ ଅତିଥିକୁ, ଆଉ ସେ ପୁଣି ଏମିତି ଅତିଥି ଯିଏ ଅନ୍ୟ ଜଣକର ସ୍ତ୍ରୀର ରୂପର ଦର୍ପଣରେ ପ୍ରତିଫଳନକୁ ଦେଖି ତୃପ୍ତ ହୋଇ ଟିକିଏ ଆଗରୁ ଫେରୁଛି, ତାହାକୁ ସେହି ଅନ୍ୟ ଜଣକ ନିଜ ଘରର ବାହାର ଯାଏଁ ବଳାଇଦେବାକୁ ଯାଇ ଶତୃ ହାତରେ ଧରାପଡିବା ସ୍ଥାନ ଆଉ ତାହା ପରବର୍ତ୍ତୀ ସାତ ଶହ ସବାରୀର ବୀରତ୍ୱ ଘଟଣା ନିଶ୍ଚିତ ଭାବରେ ଚିତୋର ଦୁର୍ଗର ଆଖପାଖରେ ଘଟିଥିବ, ଦିଲ୍ଲୀର ସୁରକ୍ଷିତ ସ୍ଥଳରେ ନୁହଁ । ତେଣୁ ସାତ ଶହ ଯୁକ୍ତ ଚଉଦ ଶହ ବିଜାତୀୟଙ୍କ ଉପସ୍ଥିତିକୁ ସେମାନଙ୍କର ନିଜ ସ୍ଥାନରେ ଆଉ ନାରୀ ବେଶରେ ଥିଲେ ବି ହାଲୁକା ଭାବରେ ଗ୍ରହଣ କରିନେବା ଭଳି ଜଣେ ଶକ୍ତିଶାଳୀ ଶାସକର ନିର୍ବୋଧତା, କେବଳ କୌଣସି କାହାଣୀରେ ଗାଈଟିଏ ଗଛ ଚଢିଲା ଭଳି କଥା ।

ଯଦି କୌଣସି କାହାଣୀରେ ପରାଜିତ ଜଣେ ନିଜକୁ ସାବ୍ୟସ୍ତ କରିବା ପାଇଁ କାହାଣୀଟିଏ ଲେଖିବ, ସେ ତେବେ ନିଜକୁ ଅଧିକ ରୂପବନ୍ତ କରିବ । ନିଜକୁ ପରାଜୟର ଗ୍ଲାନିରୁ ମୁକ୍ତ କରିବା ପାଇଁ ଏମିତି କିଛି କୂଟ କୌଶଳର ଚମତ୍କାରିତା ଦେଖାଇବାକୁ ଚେଷ୍ଟା କରିବ । ଶ୍ରୀଯୁକ୍ତ ମନୋଜ ଦାସଙ୍କ ଆଲେଖ୍ୟ ଟିରୁଉଦ୍ଧୃତ କରୁଛି । ଶ୍ରୀଯୁକ୍ତ ଦାସ ପଦ୍ମାବତୀ ପ୍ରସଙ୍ଗରେ ଲେଖିଛନ୍ତି,

"ଦେୟାର୍ ରୋଲ୍ ଇନ୍ ଅପହୋଲଡିଂ ସର୍ଟନ୍ ଆଣ୍ଡ ସାଟିସଫାଇଙ୍ଗ୍ ଇମୋସନାଲ୍ ଡିମାଣ୍ଡସ୍ କ୍ୟାନ ନଟ୍ ବି ରିପ୍ଲେସଡ୍ ବାଇ ଆର୍ଗୁମେଣ୍ଟସ୍ ଅଫ୍ ଫର୍ମାଲ୍ ରାସନାଲିଟି । ୱି ନିଡ୍ ଏ ସୁପରରାସନାଲିଟି ଟୁ ଆପ୍ରିସିଏଟ୍ ଇଟ୍, ଦି ରାସନାଲିଟି ଦ୍ୟାଟ୍ ଡଜ୍ ନଟ୍ ବ୍ରିଙ୍ଗ୍ ଇଶୁଜ୍ ଅଫ୍ ଲ ଅର୍ କନଷ୍ଟିଚୁସନ୍ ଇନ୍ ଟୁ ଆୱାର୍ ପ୍ରୋପେନସିଟି ଫର୍ ଲଭିଙ୍ଗ୍ ଏ ଲୋଟସ୍ ଅର୍ ଆୱାର୍ ଇମୋସନାଲ୍ ଇନକ୍ଲିନେସନସ୍ ଟୁୱାର୍ଡସ୍ କ୍ଲାସିକାଲ୍ ମ୍ୟୁଜିକ ।"

ବା 

"ଗୋଟିଏ ପଦ୍ମଫୁଲ କୁ ଅଥବା କୌଣସି ଶାସ୍ତ୍ରୀୟ ସଙ୍ଗୀତକୁ ଭଲ ପାଇବା ଏକ ସହଜାତ ପ୍ରବୃତ୍ତି ବା ପ୍ରପେନସିଟି, ତାହା ଭିତରକୁ ଭିତରକୁ କୌଣସି ବୈଚାରିକ ବିରୋଧ ଆସୁନଥିବା ଭଳି ଏକ ଉନ୍ନତମାନର ବିଚାରବୋଧ ଆବଶ୍ୟକ ପଦ୍ମାବତୀଙ୍କ ତ୍ୟାଗ କୁ ଓ ଆବେଗକୁ ଗ୍ରହଣ କରିବା ପାଇଁ ।"

ସାର୍ ବିନମ୍ରତାର ସହ ସମ୍ପ୍ରତି ସମାଜରେ ଏଇ କାହାଣୀକୁ ଗ୍ରହଣ କରିନେବା ଭଳି ସହଜାତ ପ୍ରବୃତ୍ତି ମୋର ନାହିଁ ବା ଆପଣଙ୍କର ଲିଖିତ ଉନ୍ନତ ବୈଚାରିକତାର ମାପକାଠିଟି ମୋର ଅନେକ ପରିମାଣରେ ଦୁର୍ବୋଧ୍ୟ । ମୁଁ ଏଇ ପଦ୍ମାବତୀ-କାହାଣୀଟିକୁ ଯେମିତି ବୁଝିଛି ସେହି ଭଳି ବିନିର୍ମାଣ କରି ତାହାର ସାମାଜିକ ପ୍ରେକ୍ଷାପଟଟିକୁ ବର୍ତ୍ତମାନରେ ବୁଝିବାକୁ ଚେଷ୍ଟା କରିଛି । ତେଣୁ ଆପଣଙ୍କ ସହ ଏକମତ ହୋଇ ପାରୁନାହିଁ । ଦୁଃଖିତ ।

Thursday, December 28, 2017

ପିଲାଙ୍କ ଆବୃତ୍ତି - କେଞ୍ଚୁଆ ଗୀତ

ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର


କେଞ୍ଚୁଆ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ମା' ଲୋ ଯାଇଥିଲି ମଞ୍ଚ
ଦେଖିଅଇଲି ପରପଞ୍ଚ
ହାତ ନଡ଼ବଡ଼
ଗୋଡ଼ ନଡ଼ବଡ଼
ନାକ ନଡ଼ବଡ଼
କାନ ନଡ଼ବଡ଼
ମାଟ ଲୋ, ମାଟ ଲୋ ପିତା ପାଣି ମନ୍ଦେ ଦେ
ବାନ୍ତି ମାଡ଼ୁଛି ପିଏ ।

ବି.ଦ୍ର.  - ୧୯୫୯ ମସିହାରେ ପ୍ରଥମ ପ୍ରକାଶିତ ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ' ବହିଟିର ୨୦୦୮ ମସିହାରେ କଟକ ସ୍ଥିତ ପ୍ରକାଶନ ସଂସ୍ଥା ବିଦ୍ୟା ପ୍ରକାଶନ ଛାପିଥିବା ପୁନଃପ୍ରକାଶିତ ସଂସ୍କରଣରୁ ଏହି ଗୀତଟି ଉଦ୍ଧୃତ ହୋଇଛି ।  

Tuesday, December 26, 2017

ପିଲାଙ୍କ ଆବୃତ୍ତି - 'ଜହ୍ନିଫୁଲ ଠୋ ଠା'

ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଜହ୍ନି ଫୁଲ ଠୋ ଠା
ଜହ୍ନି ଫୁଲ ଠୋ ଠା
ଚୁଟିଆ ମୂଷା କହିଯାଇଛି
ଚାଉଳ ମୁଠିଏ ଥୋଇ ଥା ।୧।

ବାଡ଼ି ଆଡ଼େ କୂଅ କି ଦାଣ୍ଡ ଆଡ଼େ କୂଅ
ଚୁଟିଆ ମୂଷା କହିଯାଇଛି 
ଚାଉଳ ମୁଠିଏ ଦିଅ ।୨।

ଜହ୍ନି ଫୁଲ ଠୋ ଠା
ଜହ୍ନି ଫୁଲ ଠୋ ଠା
ଯେ ନ ଦିଏ ଚାଉଳ ଗଣ୍ଡେ
ତା' ପୁଅଟା ଖଣ୍ଡିଆ ଟା ।୩।

ବି.ଦ୍ର.  - ୧୯୫୯ ମସିହାରେ ପ୍ରଥମ ପ୍ରକାଶିତ ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ' ବହିଟିର ୨୦୦୮ ମସିହାରେ କଟକ ସ୍ଥିତ ପ୍ରକାଶନ ସଂସ୍ଥା ବିଦ୍ୟା ପ୍ରକାଶନ ଛାପିଥିବା ପୁନଃପ୍ରକାଶିତ ସଂସ୍କରଣରୁ ଏହି ଗୀତଟି ଉଦ୍ଧୃତ ହୋଇଛି ।  

Sunday, December 24, 2017

ନୟୀ ତାଲିମ ବକ୍ତୃତାମାଳା-୭

ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଟିଭଙ୍ଗୀ: ମ୍ୟାକଲେବାଦ ବନାମ ଫୁଲେ-ଗାନ୍ଧୀ-ଆମ୍ବେଦକରଙ୍କର ମୁକ୍ତିଦାୟୀ ଶୈକ୍ଷିକ ବିମର୍ଷ


ମହାତ୍ମା ଜ୍ୟୋତିବା ଫୁଲେ
(http://www.culturalindia.net)

ତା’ପରେ ଲର୍ଡ ମ୍ୟାକଲେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ କଥା କହୁଛନ୍ତି । ଭାରତର ଯେଉଁ ଲୋକଙ୍କୁ ଆମେ ଶିକ୍ଷିତ କରିବୁ ସେମାନେ ଦେଶବାସୀଙ୍କୁ ଆମ କଥା ବୁଝାଇବେ, ଆମ ବ୍ୟାଖ୍ୟାକାର ହେବେ । ଆଜିର ତାଜା ରାଜନୈତିକ ଭାଷାରେ କହିଲେ, ଆମ ଦଲାଲ ହେବେ । ଆମେ ଇଂରାଜୀରେ କହିବୁ, ସେମାନେ ତାଙ୍କ ନିଜ ଭାଷାରେ ବୁଝାଇବେ । ଆଜି ବି ଏଇଆ ହେଉଛି । ଆମେ ଏମିତି ଏକ ଭାରତୀୟ ବର୍ଗ ତିଆରିବା ଯେଉଁମାନଙ୍କର ଚର୍ମ ଓ ରକ୍ତର ରଙ୍ଗ ଭାରତୀୟଙ୍କ ପରି ଥିବ କିନ୍ତୁ ରୁଚି, ମତ, ନୈତିକ ମୂଲ୍ୟ ଓ ବୁଦ୍ଧି ବ୍ରିଟିଶ ରାଜ୍ୟର ଇଚ୍ଛା ଅନୁସାରେ କାମ କରିବ ।

ବ୍ରିଟିଶ ଶାସନ ପରିବର୍ତ୍ତେ ଆଜିର କର୍ପୋରେଟ ଶାସନ ଲେଖିଦିଅନ୍ତୁ ଯାହା ଆଦେଶ ମୁତାବକ ଭାରତର ଶିକ୍ଷା ବ୍ୟବସ୍ଥା ଚାଲିଛି । ତେଣୁ ବାରମ୍ବାର କୁହାଯାଉଛି ଯେ ଆମ ପାଖରେ ସମ୍ବଳ ନାହିଁ, ପଇସା ନାହିଁ, ଆମେ ଗରିବ ଦେଶ ଯେତେବେଳେ କି ଦେଶର ମୋଟ ଜାତୀୟ ଉତ୍ପାଦନ ୯ ପ୍ରତିଶତ ହିସାବରେ ଘୋଡା ପରି ଛୁଟୁଛି, ଲମ୍ଫ ମାରୁଛି । ବଡ ଗର୍ବରେ ଆମେ ପୃଥିବୀ ସାରା କହିବୁଲୁଛୁ, କେବଳ ଆଠଟି ବର୍ଷରେ ଦୁନିଆର ଏକ ମହାଶକ୍ତି ହେବାର ସ୍ୱପ୍ନ ଦେଖୁଛୁ । ତଥାପି କହୁଛୁ ଆମ ପାଖରେ ପଇସା ନାହିଁ, ବିଦେଶୀ ବିଶ୍ୱବିଦ୍ୟାଳୟ ଖୋଲିବ, ବିଦେଶୀ ପୁଞ୍ଜି ବିନିଯୋଗ ହେବ ଇତ୍ୟାଦି । ସଂସାର ଯାକର ସମ୍ବଳ ଉପରେ କର୍ପୋରେଟଗୁ଼ଡିକର କବଜା ମଜବୁତ କରିବା ପାଇଁ ଆମେ ଦଲାଲ ପ୍ରସ୍ତୁତ କରିବା ଯେଉଁମାନେ ଆମ ଭାଷାରେ ଶିଖିବେ କିନ୍ତୁ ଲୋକଙ୍କ ସ୍ଥାନୀୟ ଭାଷାରେ ବୁଝେଇଚାଲିବେ । ଗଣମାଧ୍ୟମ ଏହି କାମ କରେ । ଏହା ହେଉଛି ମ୍ୟାକଲେବାଦ ।

ପରେ ପରେ ଅନେକ ଶିକ୍ଷାଶାସ୍ତ୍ରୀ, ସମାଜ ବିଜ୍ଞାନୀ ଏହି ଏକା କଥା କହିଛନ୍ତି । ଶାସକ ଗୋଷ୍ଠୀ ସର୍ବଦା ନିଜ ପକ୍ଷରେ ଲୋକଙ୍କ ମନନ ଚିନ୍ତନ, ଜ୍ଞାନ ଉତ୍ପନ୍ନ କରିବା ପାଇଁ ଶିକ୍ଷା ଦେଇଥାଏ । ଶାସକ ବିରୋଧରେ ବିଦ୍ରୋହ କରିବା ପାଇଁ ବା ଶାସକକୁ ଗାଦିଚ୍ୟୁତ କରିବା ପାଇଁ ଏହା ଶିକ୍ଷା ଦିଏ ନାହିଁ । ତାଙ୍କ ସ୍କୁଲ, କଲେଜରୁ ଶିକ୍ଷାଲାଭ କରି ଆମେ କେମିତି ଆମ ପକ୍ଷର କଥା କହିବାକୁ ସକ୍ଷମ ହେବା ସେଇଟା ଆମ ଦାୟିତ୍ୱ, ତାଙ୍କର ନୁହେଁ । କେବଳ ଗୋଲାମୀ ପାଇଁ ଶିକ୍ଷା ଦେବା ତାଙ୍କ କାମ ।

ଏ କଥାକୁ ଗାନ୍ଧିଜୀ ୧୯୦୯ରେ ହିନ୍ଦ୍ ସ୍ୱରାଜ ଲେଖିବା ବେଳେ ବୁଝିଯାଇଥିଲେ । ଆପଣ ଗର୍ବିତ ହେବା ଉଚିତ ଯେ ହିନ୍ଦ୍ ସ୍ୱରାଜ ପ୍ରଥନେ ଗୁଜୁରାଟି ଭାଷାରେ ଲେଖା ଯାଇଥିଲା । ବ୍ରିଟିଶ ସରକାର ଏହି ଗୁଜୁରାଟି ବହି ଦ୍ୱାରା ଭୟଭୀତ ହୋଇ ଏହା ଉପରେ କଟକଣା ଲଗାଇ ଦେଲେ । ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ବସି ଏହାର ଇଂରାଜୀ ଅନୁବାଦ କଲେ କିନ୍ତୁ ତାହା ମଧ୍ୟ ନିଷେଧ କରିଦିଆଗଲା । ଗୋଟିଏ ଛୋଟିଆ ବହି ଇଂରେଜ ସରକାରକୁ ଏତେ ଭୀତତ୍ରସ୍ତ କରିଦେଇଥିଲା । ବହିଟି ଏବେ ବି ଆପଣଙ୍କୁ ରେଳ ଷ୍ଟେସନ ଗୁଡିକରେ ଦଶ ବାର ଟଙ୍କାରେ ମିଳିଯିବ । ସେ ବହିରେ ଗାନ୍ଧି କହିଲେ ଯେ ମ୍ୟାକଲେଙ୍କ ଶିକ୍ଷା ଆମକୁ ଗୋଲାମ ବନାଉଛି । ଭାରତକୁ ଅଧିକାର କରିନେଇଥିବା ଔପନିବେଶିକ ସରକାରକୁ ସେ “ସଭ୍ୟତାର ଦ୍ୱନ୍ଦ ବା ସଂଘର୍ଷ” (ସିଭିଲାଇଜେସନାଲ୍ କନଫ୍ଲିକ୍ଟ୍) ହିସାବରେ ଦେଖିଲେ । ଏ କଥାକୁ ମୁଁ ପରେ ଆସିବି । 

୧୯୦୯ ପରେ ଗାନ୍ଧିଙ୍କ ବିମର୍ଶ ସ୍ପଷ୍ଟ ହୋଇଗଲା ଓ ଆଗକୁ ବଢିଲା । କିନ୍ତୁ ତାହାର ପୂର୍ବରୁ, ମହାତ୍ମା ଫୁଲେ ହେଉଛନ୍ତି ଭାରତରେ ପ୍ରଥମ ବ୍ୟକ୍ତି ଯିଏ ମ୍ୟାକଲେଙ୍କ ଶିକ୍ଷାନୀତିରେ ଜ୍ଞାନର ଯେଉଁ ଚରିତ୍ର ଥିଲା ତାହାର ବିରୋଧ କରିଥିଲେ । ବ୍ରିଟିଶ ସରକାର ଦ୍ୱାରା ୧୮୮୨ ରେ ସ୍ଥାପିତ ହଣ୍ଚର୍ କମିଶନ ପାଖରେ ଫୁଲେ ଏକ ଦଲିଲ ଉପସ୍ଥାପନ କରିଥିଲେ । ମ୍ୟାକଲେଙ୍କ ପ୍ରତିବେଦନ ସହିତ ଏହି ଦଲିଲଟି ମଧ୍ୟ ବିଏଡ୍, ଏମ୍ଏଡ୍ ପାଠ୍ୟକ୍ରମରେ ସାମିଲ କରାଯିବା ଉଚିତ । ଏହାକୁ ମଧ୍ୟ ମୁଁ ଅନେକ ଥର ପଢିଛି । ଏବେ ବି ସାଥିରେ ଆଣିଛି କାଳେ ଆଉ ଥରେ ପଢିବା ଦରକାର ହୋଇପାରେ ବୋଲି । ପ୍ରତିଥର ଏଥିରୁ କିଛି ନୂଆ କଥା ବାହାରେ । କେତୋଟି ବିଷୟ କହୁଛି । ବର୍ତ୍ତମାନ ପାଇଁ ତିନୋଟି ବିନ୍ଦୁ ଯଥେଷ୍ଟ ହେବ । ଏହା ଏକ ଲମ୍ବା ପ୍ରତିବେଦନ; ଉଭୟ ମରାଠୀ ଓ ଇଂରାଜୀରେ ସେ ଲେଖିଥିଲେ ।

ସେ ଲେଖିଲେ, ବହୁତ ବିଡମ୍ବନାର କଥା ଯେ ବ୍ରିଟିଶ ସରକାର ସମଗ୍ର ଦେଶର ପରିଶ୍ରମୀ ଚାଷୀ ମୂଲିଆଙ୍କ ଝାଳବୁହା ଆୟରୁ ରାଜସ୍ୱ ବଢାଇ ଚାଲିଛି । କିନ୍ତୁ ରାଜସ୍ୱ ଖର୍ଚ୍ଚ କଲାବେଳେ, ଶିକ୍ଷା ଆଦି କ୍ଷେତ୍ରରେ, ଏହାର ପୁରା ଲାଭ ଯାଉଛି ଉଚ୍ଚ ବର୍ଗ ଓ ଉଚ୍ଚ ବର୍ଣ୍ଣର ଲୋକଙ୍କ ପାଖକୁ । ଯଦି ଆଜି ମହାତ୍ମା ଫୁଲେ ଜୀବିତ ଥାଆନ୍ତେ ତେବେ ପୁଣି ସମ୍ପୂର୍ଣ୍ଣ ବିଶ୍ୱାସର ସହ ଏହି କଥା ହିଁ ଲେଖିଥାଆନ୍ତେ । ଭାରତର ତମାମ ଗରିବ ଜନତା, ପାଖାପାଖି ୯୩ ପ୍ରତିଶତ ଭାରତୀୟ ଆସିଯିବେ ଏଥିରେ ଯେଉଁମାନେ ଅସଙ୍ଗଠିତ କ୍ଷେତ୍ରଗୁଡିକରେ କାମ କରନ୍ତି, ସେମାନେ ଆୟ ତ କରୁଛନ୍ତି କିନ୍ତୁ ଶିକ୍ଷା ବ୍ୟବସ୍ଥାର ପୁରା ଫାଇଦା ଯାଉଛି ବାକି ୭ ପ୍ରତିଶତ ଉଚ୍ଚ ଓ ମଧ୍ୟମ ବର୍ଗୀୟ ଲୋକଙ୍କ ପାଖକୁ ।

ମନେ ପକାନ୍ତୁ ଦୁଇ ତିନି ବର୍ଷ ପୁରୁଣା ଅର୍ଜୁନ ସେନଗୁପ୍ତା ଆୟୋଗର ରିପୋର୍ଟ ଯେଉଁଥିରେ କୁହାଯାଇଥିଲା ଯେ ଭାରତର ୭୮ ପ୍ରତିଶତ ଲୋକ ପ୍ରତିଦିନ ମାତ୍ର ୨୦ ଟଙ୍କାରେ ଗୁଜୁରାଣ ମେଣ୍ଟାନ୍ତି । ଏହି ୭୮ ପ୍ରତିଶତ ବା ୯୩ ପ୍ରତିଶତ ଲୋକଙ୍କ ପାଇଁ ଶିକ୍ଷା ଯୋଜନା ନିର୍ମାଣ ହୁଏ ନାହିଁ । ଶିକ୍ଷାର ରୂପରେଖ ପ୍ରସ୍ତୁତ କରାଯାଏ ଏକ ଉଚ୍ଚ-ମଧ୍ୟମ ବର୍ଗୀୟ ସମୂହର ଫାଇଦା ପାଇଁ । ଏହି ବର୍ଗକୁ ପ୍ରସ୍ତୁତ କରାଯାଏ କର୍ପୋରେଟ ଗୁଡିକର ଦଲାଲ ହେବା ପାଇଁ, ସେଗୁଡିକର ହାତ ମଜବୁତ କରିବା ପାଇଁ ଓ ଦେଶର ସମ୍ବଳ ଲୁଟିବା ପାଇଁ । ଏ କଥାକୁ ମୁଁ ଫେରିବି । ମୋ ଷଷ୍ଠ ବକ୍ତୃତା ଏହି ବିଷୟ ଉପରେ ହେବ ।

ମହାତ୍ମା ଫୁଲେଙ୍କ ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ କଥାଟି ମୁଁ ତାଙ୍କରି ଭାଷାରେ ହିଁ ଉପସ୍ଥାପନ କରୁଛି । ମରାଠୀ ତ ମୁଁ ବୁଝିପାରିଲିନି । ଇଂରାଜୀରୁ ବୁଝିବା ପାଇଁ ଚେଷ୍ଟା କରିଛି । ସେ କହିଲେ, ଯାହା ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଦେଖୁଛି ତାହା ଭାରତ ପାଇଁ ଆଦୌ ଉଚିତ ନୁହେଁ । ସେଥିରୁ କୌଣସି ଉପଯୋଗୀ ବା ବ୍ୟବହାରିକ ଜ୍ଞାନ ମିଳୁନାହିଁ ଯାହା ବ୍ୟବହାର କରି ଭାରତର ପିଲାଏ ନିଜ ଜୀବନରେ ଆଗକୁ ବଢି ପାରିବେ । ପରେ କହୁଛନ୍ତି, ଶିକ୍ଷାଦାନ ଉଦ୍ଦେଶ୍ୟରେ ଯେଉଁ ମେସିନାରୀ ଛିଡା କରିଦିଆ ଯାଇଛି (୧୮୮୨ର କଥା, ୧୮୩୫ରୁ ୧୮୮୨ ଭିତରେ ଏକ ବଡ ମେସିନାରୀ ଗଢି ଉଠିଥିଲା ଶିକ୍ଷା ପାଇଁ) ତାହା କେବଳ ଲୋକଙ୍କୁ ଚାକିରୀ ହିଁ ଦେଉଛି । ସେଥିରେ ମଧ୍ୟ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି ।

ତା’ ଆଗକୁ ଗୋଟେ ସୁନ୍ଦର କଥା କହୁଛନ୍ତି, ଆମକୁ ଏମିତି ଶିକ୍ଷକ ଦରକାର ଯେଉଁମାନେ ନିଜେ ହଳ ଧରି ପାରିବେ । କିମ୍ବା ବଢେଇର କରତ ବ୍ୟବହାର କରିପାରୁଥିବେ । ସମାଜର ସବୁଠୁ ତଳ ସ୍ତରରେ ଥିବା ଲୋକଙ୍କ ସହ ବନ୍ଧୁତା କରି ପାରିବାର କ୍ଷମତା ଥିବ ତାଙ୍କ ଠାରେ । ସେମାନେ ସମ୍ମାନର ସହ ସମସ୍ତଙ୍କ ସହ ମିଳାମିଶା କରିପାରୁଥିବେ । ବଡ କଷ୍ଟର ସହ ସେ କହୁଛନ୍ତି ଏବେ ଯେଉଁମାନେ ଶିକ୍ଷା ବିଭାଗରେ ଚାକିରୀ ପାଇଛନ୍ତି ସେ ସମସ୍ତେ ଉଚ୍ଚ ବର୍ଗର ଓ ଉଚ୍ଚ ବର୍ଣ୍ଣର । ନା ସେମାନେ ହଳ କରିବେ ନା କରତ ବ୍ୟବହାର ଜାଣିବେ । ନା ତଳିଆ ବର୍ଗୀୟ ଲୋକଙ୍କ ସହ ବନ୍ଧୁତା କରିପାରିବେ ।

ଏବେ ସ୍ଥିତିରେ କ’ଣ ପରିବର୍ତ୍ତନ ଆସିଛି ଆମେ ଭାବିବା ଦରକାର । ସେ କହିଲେ, ଏମିତି ଏକ ପାଠ୍ୟଚର୍ଯ୍ୟା ବ୍ରିଟିଶ ସରକାର ବନେଇବା ଦରକାର ଯାହା ଚାଷକାମ ସହ ଜଡିତ ଥିବ, ଶ୍ରମ ଆଧାରିତ ଥିବ, କିଛି ଉପଯୋଗୀ କଳା ମଧ୍ୟ ଶିଖିବାକୁ ମିଳୁଥିବ ଆଉ ଆମ ପିଲାଙ୍କର ନୈତିକ ଉତ୍ଥାନ କରିବ । ତୃତୀୟ କଥା । ସେ କହିଲେ, ମୁଁ ଅବଶ୍ୟ ପ୍ରାଥମିକ ଶିକ୍ଷା ବିଷୟରେ କହୁଛି କିନ୍ତୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ କେବଳ ଭଲ ପ୍ରାଥମିକ ବିଦ୍ୟାଳୟ ପାଇଁ ଦାବି କରୁନାହୁଁ ଆମେ ଭଲ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ପାଇଁ ମଧ୍ୟ ଦାବି କରୁଛୁ । ଫୁଲେଙ୍କ ନାମ ଜପୁଥିବା ଲୋକଙ୍କ ଭିତରୁ ଅଳ୍ପ କେତେଜଣ ହିଁ ଏ କଥା ଧରି ପାରିଛନ୍ତି ।

ଫୁଲେ କହୁଛନ୍ତି, କୌଣସି ଦେଶ ଆଗକୁ ବଢିପାରିବ ନାହିଁ ଯେତେଦିନ ଯାଏଁ ଏହାର ଉଚ୍ଚ ଶିକ୍ଷା ପଛରେ ପଡିଥିବ । ସାଥିରେ ଏଇଆ ବି କହୁଛନ୍ତି ଯେ ପ୍ରାଥମିକ ଶିକ୍ଷା ମଧ୍ୟ ସେତେବେଳେ ହିଁ ଆଗେଇବ ଯେତେବେଳେ ଉଚ୍ଚ ଶିକ୍ଷା ଉଚ୍ଚ ମାନର ହୋଇଥିବ । କାରଣ ପ୍ରାଥମିକ ଶିକ୍ଷା ପାଇଁ ଯେଉଁ ଜ୍ଞାନର ଆବଶ୍ୟକତା ରହିଛି, ସେ ସାମାଜିକ ବିଜ୍ଞାନ ହେଉ ବା ବିଜ୍ଞାନ ହେଉ, ତାହାର ଉତ୍ପତ୍ତି ଓ ପ୍ରସ୍ତୁତି ଉଚ୍ଚ ଶିକ୍ଷା ସ୍ତରରେ ହିଁ ହୋଇଥାଏ । ଏହି ତିନୋଟି ମହତ୍ତ୍ୱପୂର୍ଣ୍ଣ କଥା ୧୮୮୨ରେ କହିଥିଲେ, ୧୨୫ ବର୍ଷ ପୂର୍ବେ । ଏହି ପୃଷ୍ଠଭୂମିରେ ଆମେ ଗାନ୍ଧିଙ୍କ କଥାକୁ ଦେଖିବା । ମ୍ୟାକଲେଙ୍କ ଶିକ୍ଷା କେମିତି ଆମକୁ ଗୋଲାମ ବନେଇ ରଖିଛି ।

Friday, December 22, 2017

ଅନିଲ ସଦଗୋପାଲଙ୍କର ନୟୀ ତାଲିମ ବକ୍ତୃତାମାଳା - ଷଷ୍ଠ ଭାଗ

ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଟିଭଙ୍ଗୀ: ମ୍ୟାକଲେବାଦ ବନାମ ଫୁଲେ-ଗାନ୍ଧୀ-ଆମ୍ବେଦକରଙ୍କର ମୁକ୍ତିଦାୟୀ ଶୈକ୍ଷିକ ବିମର୍ଷ


ଥମାସ ବେବିଙ୍ଗଟନ ମ୍ୟାକଲେ (ଉତ୍ସ: ଏନସାଇକ୍ଲୋପିଡିଆ ବ୍ରିଟାନିକା)

ତ ମ୍ୟାକଲେ କ’ଣ କଲେ ? ୧୮୩୩ ସାଲରେ ଲର୍ଡ ମ୍ୟାକଲେ, ବ୍ରିଟିଶ ରାଜୁତିରେ ଭାରତର ପ୍ରଶାସନ ପାଇଁ ଯେଉଁ କାଉନସିଲ ଅଫ ଇଣ୍ଡିଆ ଗଠନ କରାଯାଇଥିଲା, ତାହାର ସଦସ୍ୟ ଥିଲେ । ଏହା ସହିତ କଲିକତାରେ (ବ୍ରିଟିଶ ରାଜଧାନୀ) ସାର୍ବଜନୀକ ଶିକ୍ଷା ଉପରେ ଯେଉଁ ବଡ ବିଭାଗ ଗଠନ କରାଯାଇଥିଲା ତାହାର ସେ ଅଧ୍ୟକ୍ଷ ଥିଲେ । ତାଙ୍କ ଆଗରେ ଏକ ସମସ୍ୟା ଥିଲା । ତାହାର ଏବେ ଆଲୋଚନା ଦରକାର ନାହିଁ । ସେଇଟା ବ୍ରିଟିଶ ପାର୍ଲାମେଣ୍ଟରୁ ଆସିଥିଲା । ଏକ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା ଶିକ୍ଷା ପାଇଁ । ସେତେବେଳର ଏକ ଲକ୍ଷ ଟଙ୍କା ଏବେ କେତେ ହଜାର କୋଟି ଭଳି ହେବ । ଟଙ୍କାର ବ୍ୟବହାର କିପରି ହେବ ତାହାକୁ ନେଇ ଭିନ୍ନ ଭିନ୍ନ ମତ ଆସିଲା । ସେଗୁଡିକୁ ଶୁଣି ମ୍ୟାକଲେ ସାହେବ ଏକ ପ୍ରତିବେଦନ ରଖିଲେ (ମ୍ୟାକଲେସ୍ ମିନିଟସ୍) । ମ୍ୟାକଲେଙ୍କ ମିନିଟସ୍ ମୁଁ ପ୍ରାୟ କୋଡିଏ ଥର ପଢିଥିବି ଭିନ୍ନ ଭିନ୍ନ ସମୟରେ । ପୁଣି ଆଉ ଥରେ ପଢିଲେ ବି କିଛି ଭୁଲ ହେବ ନାହିଁ । ପ୍ରତ୍ୟେକ ଥର ସେଥିରୁ କିଛି ନା କିଛି ନୂଆ ମିଳିଯାଏ ।

ସେ ଏଠାରେ ବ୍ରିଟିଶ ସାମ୍ରାଜ୍ୟବାଦର ପ୍ରତିନିଧି ଭାବରେ ଥିଲେ କିନ୍ତୁ ମୋତେ କହିବାକୁ ସଙ୍କୋଚ ଲାଗୁନାହିଁ ଯେ ତାଙ୍କ ପରି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଭାରତର ଶିକ୍ଷା କ୍ଷେତ୍ରରେ ବହୁତ କମ ଲୋକ ଥିବେ । ଗାନ୍ଧି, ଫୁଲେ, ଆମ୍ବେଦକର ତଥା ବିବେକାନନ୍ଦ, ଶ୍ରୀ ଅରବିନ୍ଦ, ଟାଗୋର- ଏଇ କେତୋଟି ବଡ ବଡ ନାମକୁ ବାଦ ଦେଲେ ମ୍ୟାକଲେ ପରି ଦୂରଦୃଷ୍ଟି ଖୁବ କମ ଦେଖିବାକୁ ମିଳିବ । ଏଥିରେ ସନ୍ଦେହ ନାହିଁ । ଶତ୍ରୁକୁ ବୋକା ଭାବିବା ଅପେକ୍ଷା ଶତ୍ରୁର ବୁଦ୍ଧିମତାକୁ ସ୍ୱୀକାର କରିନେବା ଭଲ । ସେ ଦୂର ଭବିଷ୍ୟତର କଥା ଭାବିଥିବାରୁ ସ୍ୱାଧୀନତାର ଷାଠିଏ ବର୍ଷ ପରେ ମଧ୍ୟ ଆମେ ସେହି ରାସ୍ତାରେ ଚାଲିଛୁ । ଏକ ଇଞ୍ଚ ବି ଏପଟ ସେପଟ ହୋଇନୁ । ବରଂ ସେ ରାସ୍ତାକୁ ମଜବୁତ କରିଛୁ, ମ୍ୟାକଲେ ଯାହା ନିଜେ ମଧ୍ୟ ଭାବି ନଥିଲେ ଆମେ ସେତିକି ଆଗକୁ ଚାଲିଆସିଛୁ । 

ସେ ରଖିଥିବା ଅନେକ କଥା ଭିତରୁ ଚାରିଟା କଥା ଆମେ ଚର୍ଚ୍ଚା କରିବା । ଅଧିକ ପାଇଁ ସମୟ ନାହିଁ, ଆପଣ ନିଜେ ପଢିଲେ ଭଲ ହେବ । ମୁଁ ତ ଭାବୁଛି ବିଏଡ୍, ଏମ୍ଏଡ୍ କୋର୍ସରେ ଏହା ଏକ ଆବଶ୍ୟକ ପଠନୀୟ ବିଷୟ ହେବା କଥା । ଏହାକୁ ପଢେଇବା, ବିଶ୍ଳେଷଣ କରିବା ଦ୍ୱାରା ବାକି ପାଠ୍ୟଚର୍ଯ୍ୟା ଅତି ସରଳ ହୋଇଯିବ । ମ୍ୟାକଲେ କହିଲେ ଭାରତରେ ଲୋକେ ଯେଉଁ “ବୋଲି” କହିଥାଆନ୍ତି, ଯାହାକୁ ଇଂରାଜୀରେ ଡାଇଲେକ୍ଟ କୁହାଯାଏ, (ସେ “ଭାଷା” ବା ଲାଙ୍ଗୁଏଜ ଶବ୍ଦଟି ବ୍ୟବହାର କରିନାହାନ୍ତି, ଏ କଥାକୁ ମୁଁ ଆସିବି ପରେ), ୧୮୩୫ ବେଳର ଅବିଭାଜିତ ବଙ୍ଗ ରାଜ୍ୟରେ ପ୍ରଚଳିତ ଭାଷା ସବୁ କଥା ସେ କହୁଛନ୍ତି, ସେହି “ବୋଲି”ଗୁ଼ଡିକ ଏତେ ଦୁର୍ବଳ ଯେ ସେଥିରେ କୌଣସି ଆଧୁନିକ ଜ୍ଞାନର କଥା ନା କୁହାଯାଇପାରିବ ନା ଲେଖାଯାଇପାରିବ । ଇଉରୋପର କୌଣସି ବିକଶିତ ଭାଶାରେ କୁହାଯାଇଥିବା କଥାର ଅନୁବାଦ ମଧ୍ୟ କରାଯାଇ ପାରିବ ନାହିଁ । ଯେଉଁ ଭାରତୀୟମାନେ ଉଚ୍ଚ ଶିକ୍ଷାରେ ଆଗକୁ ବଢିବାକୁ ଚାହୁଁଛନ୍ତି ସେମାନେ ନିଜ ଭାଷା ନୁହେଁ, ବରଂ କୌଣସି ଇଉରେପୀୟ ଭାଷାରେ ଉଚ୍ଚ ଶିକ୍ଷା ଲାଭ କରିବା ଆବଶ୍ୟକ ।

ସେହି ପ୍ରତିବେଦନର ଅନ୍ୟତ୍ର ଲେଖିଲେ ଯେ ପୃଥିବୀରେ ଯେତେ ବିକଶିତ ଭାଷା ଅଛି (ଯେଉଁ ତାଲିକାରେ ଭାରତ ବା ଏସିଆ ବା ଆରବ, ଆଫ୍ରିକା ଓ ଲାଟିନ ଆମେରିକାର କୌଣସି ଭାଷା ନାହିଁ ) ସେଥିମଧ୍ୟରୁ ଇଂରାଜୀ ଭାଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଭାରତର ଲୋକେ ଇଂରାଜୀରେ ଶିକ୍ଷା କଲେ ହିଁ ଭଲ ହେବ । ଦ୍ୱିତୀୟ କଥା ହେଲା (ଏଇଠି ଏକ କ୍ରମ ଲକ୍ଷ୍ୟ କରନ୍ତୁ, ସେ ଭାବିଚିନ୍ତି ତାଙ୍କ ତର୍କ ଏକ କ୍ରମରେ ଦେଉଛନ୍ତି, ସେ ଶୃଙ୍ଖଳାଟି ବୁଝିବାକୁ ଚେଷ୍ଟା କରନ୍ତୁ ।) ଯଦି ଆପଣ ଇଉରୋପର ଭଲ ଭଲ ଜ୍ଞାନ ସାହିତ୍ୟ ସବୁ ଏକାଠି କରିବେ ତାହା ତୁଳନାରେ ଭାରତ, ଚୀନ, ଆରବ ଆଦି ଦେଶର ସମଗ୍ର ଜ୍ଞାନ ସାହିତ୍ୟ ମିଶାଇ ରଖିଲେ ମଧ୍ୟ ଇଉରୋପୀୟ ଜ୍ଞାନର ଥାକେ ସରି ହେବ ନାହିଁ । ତୃତୀୟ କଥା କହିଲେ ଯେ ଆପଣଙ୍କ ମାତୃଭାଷା ଧରି କେହି ହେଲେ ଆଗକୁ ବଢି ପାରିବ ନାହିଁ । ଇଂରାଜୀ ହେଉଛି ସର୍ବୋତ୍ତମ । ତେଣୁ ଆଜିଠାରୁ ହିଁ, ଅର୍ଥାତ ୧୮୩୫ରୁ, ଇଂରାଜୀକୁ ନେଇ ଆଗେଇବା ଉଚିତ କାରଣ ଭାରତର ସରକାରୀ କାର୍ଯାଳୟଗୁଡିକର ଉଚ୍ଚ ପଦପଦବୀରେ ଯେଉଁ ଭାରତୀୟମାନେ ଅଛନ୍ତି ସେମାନେ ଇଂରାଜୀକୁ ହିଁ ସବୁ କିଛି ବୋଲି ମାନିନେଇ ସାରିଲେଣି ।

ଦେଖନ୍ତୁ, ଯେଉଁ କଥା ଆଜି ହେଉଛି ତାହା ୧୮୩୫ରେ ମଧ୍ୟ ହେଉଥିଲା । ଶେଶ କଥାଟି ହେଲା ଆମର ସୀମିତ ସମ୍ବଳକୁ ଆଖି ଆଗରେ ରଖି, ୧୮୩୫ରେ ସେ କହୁଛନ୍ତି, ଭାରତର ସବୁ ଲୋକଙ୍କୁ ଶିକ୍ଷିତ କରିବା ଆମ ଦ୍ୱାରା ସମ୍ଭବ ହେବ ନାହିଁ । ଆଜି ଏ କଥାଟି ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ମଧ୍ୟ ଦୋହରେଇଲେ । ଆଜି ବଜେଟ ଉପସ୍ଥାପନ କଲାବେଳେ ଶିକ୍ଷା ବଜେଟ ବୋଲି ଯାହା ଉପସ୍ଥାପନ କରାଗଲା ତାହାକୁ ଯଦି ଟିକେ ନିରିଖେଇ ଦେଖିବା ତେବେ ସେ ସାରା ଦେଶକୁ ଯାହା କହୁଛନ୍ତି ତାହା ହେଲା ଆମ ପାଖରେ ସବୁ ପିଲାଙ୍କ ପାଇଁ ପୂର୍ବ-ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା କରିବା, ପ୍ରାଇମେରୀ, ମିଡିଲ, ହାଇ ସ୍କୁଲ ଖୋଲିବା, କଲେଜ ଓ ୟୁନିଭର୍ସିଟି ଖୋଲିବା ପାଇଁ ପଇସା ନାହିଁ । ୧୮୩୫ରେ ମ୍ୟାକଲେ ଯାହା କହିଥିଲେ ସ୍ୱାଧୀନ ଭାରତରେ ଦ୍ୱାଦଶ ଯୋଜନାର ଠିକ ପୂର୍ବରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହୁଛନ୍ତି । ତାଙ୍କ ପୂର୍ବରୁ ମଧ୍ୟ ଦଳ ନିର୍ବିଶେଷରେ ସବୁ ପ୍ରଧାନମନ୍ତ୍ରୀ ସେଇ କଥା ହିଁ କହିଛନ୍ତି । ଆମେ ଏବେ ଜାଗ୍ରତ ନହେଲେ ଆସନ୍ତା ପ୍ରଧାନମନ୍ତ୍ରୀ ବି ସେଇ କଥା କହିବେ ।

Wednesday, December 20, 2017


ନୟୀ ତାଲିମ ବକ୍ତୃତାମାଳା-୫


ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଟିଭଙ୍ଗୀ: ମ୍ୟାକଲେବାଦ ବନାମ ଫୁଲେ-ଗାନ୍ଧୀ-ଆମ୍ବେଦକରଙ୍କର ମୁକ୍ତିଦାୟୀ ଶୈକ୍ଷିକ ବିମର୍ଷ


ଅହମେଦାବାଦ ନିକଟସ୍ଥ ସାବରମତି ଆଶ୍ରମ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


୨୦ ବର୍ଷ ପୂର୍ବରୁ ଯେତେବେଳେ ମୁଁ ଏଠାକୁ ଆସିଥିଲି, ସେହି ଅତିଥି ଭବନରେ ରହିଥିଲି, ଯେଉଁଠି ଆଜି ରହିଛି । ସେତେବେଳେ ଭାରତ ସରକାରଙ୍କ ଦ୍ୱାରା ଆଚାର୍ଯ୍ୟ ରାମମୂର୍ତ୍ତି କମିଟି ଗଠନ ହୋଇଥିଲା ଶିକ୍ଷା ଉପରେ । ସେଥିରେ ମୋତେ କାମ ଦିଆଯାଇଥିଲା - ୧୯୮୬ରେ ପ୍ରସ୍ତୁତ ଶିକ୍ଷାନୀତିର ସମୀକ୍ଷା କରିବା । ତାହାର ଏକ ବଡ ବୈଠକ ଏଇଠି ହୋଇଥିଲା । ଅନେକ ଦିନ ଆମେ ରହିଥିଲୁ । ସେତେବେଳେ ଆମ ପାଖରେ କମ୍ପ୍ୟୁଟର ନଥିଲା । ଭାରତକୁ କମ୍ପ୍ୟୁଟର ଆସିସାରିଥିଲା କିନ୍ତୁ ଆମ ପାଖରେ ନଥିଲା । ମୋର ବ୍ୟକ୍ତିଗତ ଟାଇପ ରାଇଟର ନେଇ ମୁଁ ଆସିଥିଲି । ସେ ରିପୋର୍ଟର ପ୍ରାୟ ୧୦୦ ପୃଷ୍ଠା ମୁଁ ଏଇଠି ବସି ଟାଇପ କରିଥିଲି, ଆପଣଙ୍କ ଅତିଥି ଭବନରେ । କିଛି ବ୍ୟକ୍ତିଗତ ଇତିହାସ ଆପଣଙ୍କ ଆଗରେ ରଖିବାକୁ ଚାହିଁଲି ।

ବିଦ୍ୟାପୀଠ ପ୍ରାଙ୍ଗଣରେ ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଚିଭଙ୍ଗୀର ନୂଆ ଆକଳନ କରିବାର ମୁଁ ଯେଉଁ ପ୍ରୟାସ ଆରମ୍ଭ କରୁଛି ଆପଣମାନଙ୍କ ସହ ମିଶି, ତାହା ପୁରା ଠିକ ଜାଗାରେ ଅନୁଷ୍ଠିତ ହେଉଛି । ଆପଣଙ୍କର ବିଦ୍ୟାପୀଠରେ, ୧୯୨୦ ରୁ ୧୯୨୮ ପର୍ଯ୍ୟନ୍ତ ଆଠ ବର୍ଷ ଧରି ଗାନ୍ଧିଜୀ ଯାହା ଦେଖିଲେ ଓ ତାହା ଉପରେ ଯାହା କହିଲେ, ସେସବୁ ପୁରା ଦେଶକୁ ଜଣାଇବାର ଆବଶ୍ୟକତା ରହିଛି । ସେ କହିଲେ ଯେ ବିଦ୍ୟାପୀଠର ବିଶେଷତ୍ୱ ହେଉଛି, ଏଠାକାର ଜଣେ ବିଦ୍ୟାର୍ଥୀ ବଲ୍ଲଭଭାଇ ପଟେଲଙ୍କ ନେତୃତ୍ୱରେ ବାରଡୋଲି ଠାରେ ଚାଲିଥିବା କୃଷକ ଆନ୍ଦୋଳନରେ ଅଂଶ ନେବାକୁ ଯାଇଥିଲା ଓ ଜେଲ ଚାଲିଗଲା । ସେ କହିଲେ ଯେ ବିଦ୍ୟାପୀଠର ବିଦ୍ୟାର୍ଥୀ ଜେଲ ଯାଇଥିବାରୁ ଆମେ ଗର୍ବିତ । ତା’ପରେ ସବୁବେଳେ, ହିନ୍ଦ୍ ସ୍ୱରାଜରେ ଓ ପରେ ତାଙ୍କ ଭାଷଣ ଓ ଲେଖାଗୁଡିକରେ ସରକାରୀ ସ୍କୁଲଗୁଡିକର ସମାଲୋଚନା କଲେ । ସେତେବେଳର ସରକାରୀ ସ୍କୁଲ ଆଜିର ସରକାରୀ ସ୍କୁଲ ପରି ନଥିଲା । ସ୍ୱାଧୀନତା ପୂର୍ବର ସରକାରୀ ସ୍କୁଲ, କଲେଜ ଯାହା ବ୍ରିଟିଶ ଲୋକଙ୍କ ଦ୍ୱାରା ସ୍ଥାପନ ହୋଇଥିଲା, ସେଗୁଡିକର ସେ ଲଗାତାର ସମାଲୋଚନା କରି ଚାଲିଲେ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ।

ସେ କହିଲେ ଯେ ସରକାରୀ ସ୍କୁଲ ହୋଇଥିଲେ, କୌଣସି ପିଲାଙ୍କୁ ସେଠାକୁ (ଆନ୍ଦୋଳନକୁ) ଯିବା ପାଇଁ ଅନୁମତି ମିଳି ନଥାନ୍ତା । ଯଦି କେହି ଯାଇଥାନ୍ତେ ତେବେ ସ୍କୁଲରୁ ତଡା ଖାଇଥାନ୍ତେ । ପିଲାର ସାହସ ବି ହୋଇ ନଥାନ୍ତା । ବୋଧହୁଏ ଟିକିଏ ସହାନୁଭୂତି ମୌନ ହୋଇ ଜଣାଇଥାନ୍ତା । ସେ କହୁଛନ୍ତି ଏପରି ଶିକ୍ଷା କେଉଁ କାମକୁ ଯଦି ଏହା ଜାତୀୟ ଜୀବନର ଏପରି ସନ୍ଧିକ୍ଷଣରେ ଆମକୁ ସେଥିରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେଇ ପାରୁ ନାହିଁ ? ଯଦି ଏହା ଆମକୁ କୁଣ୍ଠିତ, ଭୟଭୀତ କରିରଖୁଛି ଓ କର୍ତ୍ତବ୍ୟଠାରୁ ଆମକୁ ଦୂରେଇ ଦେଉଛି ? ଏପରି ପୁସ୍ତକଗତ ବିଦ୍ୟାରେ କ’ଣ ସେ ଶକ୍ତି ରହିଛି ଯାହା ଆମକୁ ଲଢିବା ପାଇଁ ସାହାସ ଦେଇ ପାରିବ ? 

ବିଦ୍ୟାପୀଠର ବିଦ୍ୟାର୍ଥୀଗଣ ଯେଉଁମାନେ ଏଠାରେ ନୟୀ ତାଲିମର କୋର୍ସ କରୁଛନ୍ତି, ଶିକ୍ଷକ ହେବା ପାଇଁ, ମୋର ମନେ ହୁଏ ସେମାନେ କେବଳ ଏତିକି ବୁଝି ଯାଆନ୍ତୁ ଯେ ଆଜି ପୁରା ଭାରତରେ ଆମ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ କ’ଣ ହେଉଛି । ଲୋକଙ୍କୁ ପ୍ରସ୍ତୁତ କରାଯାଉଛି ଆଜିର ନବ ଉଦାରବାଦୀ ଆର୍ଥିକ ବ୍ୟବସ୍ଥାକୁ ଚାଲୁ ରଖିବା ପାଇଁ- ସାରା ଦୁନିଆର ଲାଭଖୋର କର୍ପୋରେଟ ଗୁଡିକର ଲାଭ ଆହୁରି ବଢାଇବା ପାଇଁ, ଆଉ ସେମାନଙ୍କ ଦ୍ୱାରା ଦେଶର ଜଳ, ଜଙ୍ଗଲ, ଜମି ଲୁଣ୍ଠନର ଯେଉଁ ପ୍ରକ୍ରିୟା ଦେଶ ସାରା ଆରମ୍ଭ ହୋଇଯାଇଛି, ସେଥିରେ ଅଂଶଗ୍ରହଣ କରିବା ପାଇଁ, ବଡ ବଡ କମ୍ପାନୀରେ ଚାକିରୀ କରି ତାଙ୍କ ଲାଭ ବଢେଇବା ପାଇଁ, ଦେଶ ଉପରେ ତାଙ୍କ ଦଖଲକୁ ଅଧିକ ଦୃଢ କରିବା ପାଇଁ । ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଯେଉଁ ଶିକ୍ଷା ଦିଆଯାଇଛି ତାହା ବିରୁଦ୍ଧରେ ଆପଣ ସ୍ୱର ଉତ୍ତୋଳନ କରିପାରିବେ ଯଦି ୧୯୨୮ରେ ଗାନ୍ଧିଜୀ ଦେଇଥିବା ଏହି ଉଦାହରଣ ଆପଣଙ୍କର ମନେଥାଏ । ଯଦି ଆପଣଙ୍କୁ ନୟୀ ତାଲିମ ମିଳିଛି ତେବେ ଏଇଥି ପାଇଁ ମିଳିଛି, ଯଥାସ୍ଥିତି ଚାଲୁ ରଖିବା ପାଇଁ ନୁହେଁ । 

ଆପଣଙ୍କର ମନେଥିବ ଆଜି ବକ୍ତୃତା ମୁଁ ମ୍ୟାକଲେଙ୍କ କଥାରୁ ଆରମ୍ଭ କରିଥିଲି । ବଡ ବିଡମ୍ବନାର କଥା ଯେ ଗାନ୍ଧି ଯିଏ ସାରା ଜୀବନ ମ୍ୟାକଲେବାଦ ଓ ସାମ୍ରାଜ୍ୟବାଦ ବିରୁଦ୍ଧରେ କହିଥିଲେ ତାଙ୍କରି ନୟୀ ତାଲିମ କଥା କହିଲାବେଳେ ମୁଁ ମ୍ୟାକଲେଙ୍କ ଠାରୁ ଆରମ୍ଭ କରୁଛି । ଏହା ଅଜବ ଲାଗୁଥିଲେ ମଧ୍ୟ ଆବଶ୍ୟକ। କାରଣ ଗାନ୍ଧି ଯେଉଁ ପରିପ୍ରେକ୍ଷୀରେ କେତେକ ବିଷୟରେ ଆଲେଚନା ଆରମ୍ଭ କଲେ ତାହା ସମ୍ଭବ ହୋଇନଥାନ୍ତା ଯଦି ସେତେବେଳେ ମ୍ୟାକଲେଙ୍କର ନୀତି ଭାରତରେ ଲାଗୁ ହୋଇନଥାନ୍ତା । ଏଥିରେ ମୋର ପୁରା ବିଶ୍ୱାସ । ଆପଣ ହିନ୍ଦ୍ ସ୍ୱରାଜ ପଢନ୍ତୁ । ଯେତେବେଳେ ବି ଶିକ୍ଷା କଥା ଆସେ ମ୍ୟାକଲେଙ୍କର କଥା ଉଠେ । ମ୍ୟାକଲେଙ୍କ ଶିକ୍ଷା କେମିତି ଆମକୁ ଗୋଲାମ କରିଦେଲା ତାହା ଆଗକୁ ଆସେ । ଏଇ ଯେଉଁ ମ୍ୟାକଲେ –ମ୍ୟାକଲେ ବୋଲି ଚର୍ଚ୍ଚା ହୁଏ ସେଇଟା କ’ଣ ଆଜି ଆମେ ବୁଝିବାକୁ ଚେଷ୍ଟା କରିବା । ସେଇଟା ବୁଝିଗଲେ ଅନେକ କଥା ସରଳ ହୋଇଯିବ ।

ଗାନ୍ଧିଜୀ ଠିକ ଭାବେ ବୁଝିଯାଇଥିଲେ । ଅନେକଟା ମହାତ୍ମା ଫୁଲେ ମଧ୍ୟ ବୁଝିପାରିଥିଲେ । ବାବା ସାହେବ ଆମ୍ବେଦକର ବୋଝ ହୁଏ ଗାନ୍ଧିଜୀ ବା ଫୁଲେଙ୍କ ଢଙ୍ଗରେ କଥାଟିକୁ ବୁଝିନଥିଲେ କିନ୍ତୁ ଅନ୍ୟ ଏକ ବାଟରୁ ସେ ମଧ୍ୟ ସେହି କଥା ହିଁ କହୁଥିଲେ । ଏ ସମସ୍ତଙ୍କ ଭିତରେ ଅନେକ ବିଭେଦ ଥିଲା କିନ୍ତୁ ତାଙ୍କ ଭିତରେ ଯେଉଁ ଏକସୂତ୍ର ଥିଲା ଶିକ୍ଷାରେ ପରିବର୍ତ୍ତନ ଆଣିବାର ତାହା ଆମେ ବୁଝିବାକୁ ଚେଷ୍ଟା କରିବା । ମୁଁ ଏ ଯେଉଁ ପ୍ରଚେଷ୍ଟା କରିବାକୁ ସାହସ କରୁଛି- ଗାନ୍ଧିଙ୍କୁ ଫୁଲେ ଓ ଆମ୍ବେଦକରଙ୍କ ସନ୍ଦର୍ଭରେ ଦେଖିବା ପାଇଁ – ଏ ପ୍ରକାର ଚେଷ୍ଟା ବହୁତ କମ ହୋଇଛି । ମୋତେ ଡର ବି ଲାଗୁଛି । ମୁଁ ଜାଣେ ଏ ବିଷୟକୁ ନେଇ ଯେଉଁ ରାଜନୈତିକ ବିମର୍ଶ ରହିଛି । ଗାନ୍ଧିଙ୍କୁ ଫୁଲେ ଓ ଆମ୍ବେଦକରଙ୍କ ସହ ଯୋଡି ଦେଖିବାଟା ଠିକ ମନେ କରାଯାଏ ନାହିଁ । ମୁଁ ଏସବୁ ଜାଣିଶୁଣି ମଧ୍ୟ ଚେଷ୍ଟା କରିବି କାରଣ ଏମାନଙ୍କ ଭିତରେ କେଉଁଠି ଏକତା ଥିଲା ଜାଣିବାର ଆବଶ୍ୟକତା ରହିଛି । କେଉଁଠି ଫରକ ରହିଛି ତାହା ମଧ୍ୟ ମୁଁ ଆଲୋଚନା କରିବି ।

Monday, December 18, 2017

ଗଣତାନ୍ତ୍ରିକ ସରକାର


ଏଥେନୀୟ ଗଣତନ୍ତ୍ରର ପ୍ରତିଷ୍ଠାତା କ୍ଲେଇସ୍ଥିନସ୍
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଭାରତ ଗୋଟିଏ ଗଣତନ୍ତ୍ର ଅଟେ । ଭାରତୀୟ ଜନଗଣଙ୍କର ଦୀର୍ଘ ଓ ଘଟଣାବହୁଳ ଲଢ଼େଇର ଫଳ ଭାବରେ ଆମେ ଏହା ହାସଲ କରିବାରେ ସଫଳ ହୋଇଛୁ । ପୃଥିବୀର ଅନ୍ୟାନ୍ୟ ଜାଗାରେ ମଧ୍ୟ ଲୋକେ ଗଣତାନ୍ତ୍ରିକ ସରକାର ଲାଭ କରିବା ପାଇଁ ଲଢିଆସିଛନ୍ତି । ତୁମେ ଜାଣିଛ କି ନିଜର ନେତା ନିର୍ବାଚନ କରିବା ଗଣତନ୍ତ୍ରମାନଙ୍କର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଲକ୍ଷଣ ଓ ବୈଷିଷ୍ଚ୍ୟ ଅଟେ । ଏଣୁ ଗୋଟିଏ ଭାବରେ ଦେଖିବାକୁ ଗଲେ, ଗଣତନ୍ତ୍ରର ଅର୍ଥ ହେଲା, ଲୋକଙ୍କର ନିଜର ନେତା ନିର୍ବାଚନ କରିବାର ଅଧିକାର । ଏହାର ଏକ ମୌଳିକ ଅର୍ଥ ହେଲା ଯେ ଲୋକେ ନିଜେ ଯେଉଁ ନିୟମମାନଙ୍କ ଦ୍ୱାରା ଚଳନ୍ତି, ସେଗୁଡ଼଼ିକ ତିଆରି କରିବାରେ ସେମାନେ ନିଜେ ଅଂଶଗ୍ରହଣ କରନ୍ତି । 

ଆମର ଯୁଗରେ, ଗଣତାନ୍ତ୍ରିକ ସରକାରକୁ ସାଧାରଣତଃ ପ୍ରତିନିଧିମୂଳକ ଗଣତନ୍ତ୍ର ବୋଲି ବିଚାର କରାଯାଇଥାଏ । ପ୍ରତିନିଧିମୂଳକ ଗଣତନ୍ତ୍ରରେ ଲୋକେ ନିଜେ ସିଧାସଳଖ ଶାସନରେ ଅଂଶଗ୍ରହଣ କରନ୍ତି ନାହିଁ । ପରନ୍ତୁ ସେମାନେ ଗୋଟିଏ ନିର୍ବାଚନୀ ପ୍ରକ୍ରିୟାରେ ନିଜର ପ୍ରତିନିଧିମାନଙ୍କୁ ବାଛନ୍ତି । ଏହି ପ୍ରତିନିଧି୍ମାନେ ସମ୍ମିଳିତ ହୋଇ ସମଗ୍ର ଜନସଂଖ୍ୟା ପାଇଁ ନିଷ୍ପତ୍ତି ନିଅନ୍ତି । ସାର୍ବଜନୀନ ସାବାଳକ ମତଦାନର ଅଧିକାର ନଥିଲେ ବର୍ତ୍ତମାନର ଯୁଗରେ କୌଣସି ଦେଶ ଗଣତାନ୍ତ୍ରିକ ଭାବରେ ଗଣାଯାଇ ପାରିବ ନାହିଁ । ସାର୍ବଜନୀନ ସାବାଳକ ମତଦାନର ଅଧିକାରର ମାନେ ହେଲା ଯେ, ଦେଶର ସବୁ ସାବାଳକ ଲୋକଙ୍କର ମତଦାନର ଅଧିକାର ଅଛି ।

ମାତ୍ର ଆଗରୁ ସବୁଦିନେ ଏହି ଅବସ୍ଥା ନଥିଲା । ତୁମେ ବିଶ୍ୱାସ କରିପାରିବ କି ଏପରି ଯୁଗ ମଧ୍ୟ ଥିଲା ଯେବେ ସରକାରମାନେ ଗରୀବ ଲୋକଙ୍କୁ ଓ ମହିଳାମାନଙ୍କୁ ଭୋଟ ଦେବା ପାଇଁ ଅନୁମତି ଦେଉନଥିଲେ ? ଗଣତନ୍ତ୍ରର ଆଦି କାଳରେ ସରକାରମାନେ କେବଳ ଶିକ୍ଷିତ, ସମ୍ପତ୍ତିର ମାଲିକ ହୋଇଥିବା ପୁରୁଷ ଲୋକମାନଙ୍କୁ ଭୋଟ ଦେବାର ଅଧିକାର ଦେଇଥିଲେ । ଏହାର ଅର୍ଥ ହେଲା, ସ୍ତ୍ରୀଲୋକେ, ଗରୀବ ଲୋକେ, ସମ୍ପତ୍ତିହୀନଜନମାନେ, ଏବଂ ଶିକ୍ଷାବିହୀନ ଆଦି ଜନଗଣ ଭୋଟ ଦେବାର ଅଧିକାରରୁ ବଞ୍ଚିତ ଥିଲେ । ଅଳ୍ପ କେତେ ଜଣ ପୁରୁଷମାନେ ତିଆରି କରୁଥିବା ନୀତି ଓ ନିୟମ ଅନୁସାରେ ଦେଶ ଚାଲୁଥିଲା ।

ସ୍ୱାଧୀନତା ପୂର୍ବରୁ ଗୋଟିଏ କ୍ଷୁଦ୍ର, ସଂଖ୍ୟାଲଘୁ ଗୋଷ୍ଠୀର ଭୋଟ ଦେବାର ଅଧିକାର ଥିଲା । ସେମାନେ ଏକତ୍ର ହୋଇ ବହୁସଂଖ୍ୟକ ଲୋକଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ । ଗାନ୍ଧିଜୀଙ୍କ ସମେତ ଅନେକ ଲୋକେ ଏହି ଅନ୍ୟାୟ ରୀତି ଦ୍ୱାରା ଚକିତ ହୋଇଥିଲେ । ସେମାନେ ସମସ୍ତ ସାବାଳକମାନଙ୍କ ପାଇଁ ମତାଧିକାରର ଦାବୀ କରୁଥିଲେ । ଏହାକୁ ସାର୍ବଜନୀନ ସାବାଳକ ମତଦାନର ଅଧିକାର କୁହାଯାଏ ।

୧୯୩୧ ମସିହାରେ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଗାନ୍ଧିଜୀ ଲେଖିଥିଲେ, ମୁଁ ଏହା ସହିପାରେନା ଯେ ଜଣେ ସମ୍ପତ୍ତିବାନ ଲୋକ ପାଖରେ ଭୋଟ ଦେବାର ଅଧିକାର ରହିବ । ମାତ୍ର, ଜଣେ ଚରିତ୍ରବାନ ଲୋକ ଯାହା ପାଖରେ ଧନ ବା ସାକ୍ଷରତା ନାହିଁ, ସେ ଏହି ଅଧିକାରରୁ ବଞ୍ଚିତ ହେବ । ନିଜ ମୁଣ଼୍ଡ ଝାଳ ତୁଣ୍ଡରେ ମାରି ଦିନରାତି ପରିଶ୍ରମ କରି ସଚ୍ଚୋଟ ଉପାୟରେ ଜୀବିକା ନିର୍ବାହ କରୁଥିବା ଜଣେ ଲୋକ ଭୋଟଦାନର ଅଧିକାରରୁ ବଞ୍ଚିତ ହେବା ମୋ ପାଇଁ ଅସହ୍ୟ ଅଟେ । 

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମାଜ ବିଜ୍ଞାନ  ପାଠ୍ୟପୁସ୍ତକ 'ସୋସିଆଲ୍ ଆଣ୍ଡ୍ ପଲିଟିକାଲ ଲାଇଫ୍ - ୧' ର ତୃତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ।

Saturday, December 16, 2017

ବୈଷମ୍ୟ ଓ ଭେଦଭାବ


ଫ୍ରାଙ୍କଫର୍ଟର ଇହୁଦି ବସ୍ତି ଉପରେ ଆକ୍ରମଣର ଚିତ୍ର - ୧୭ଶ ଶତାବ୍ଦୀ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯେତେବେଳେ ଲୋକେ ନିଜର ପୂର୍ବାଗ୍ରହ ବା ଧରାବନ୍ଧା ଚିତ୍ର ଗୁଡ଼ିକର ଭିତ୍ତିରେ କାମ କରନ୍ତି, ସେତେବେଳେ ଭେଦଭାବ ଘଟେ । ତୁମେ ଯଦି ଅନ୍ୟ ଲୋକଙ୍କୁ ତଳୁଆ ଦେଖାଇବାକୁ ଚେଷ୍ଟା କରୁଛ, ତାଙ୍କୁ କେତେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରୁ ରୋକୁଛ, କେତେ ପ୍ରକାରର କାମ କରିବାକୁ ସେମାନଙ୍କୁ ବାରଣ କରୁଛ, କେତେକ ପଡ଼ାରେ ସେମାନଙ୍କୁ ବସବାସ କରିବାକୁ ଦେଉନାହଁ, ତାଙ୍କୁ କୂଅ ବା ନଳକୂଅରୁ ପାଣି ନେବାକୁ ରୋକୁଛ, ସର୍ବସାଧାରଣରେ ବ୍ୟବହୃତ କପ ବା ଗିଲାସରେ ଚାହା ପିଇବାକୁ ସେମାନଙ୍କୁ ଦେଉନାହଁ, ତାହାହେଲେ, ତୁମେ ସେମାନଙ୍କ ବିରୁଦ୍ଧରେ ଭେଦଭାବ କରୁଅଛ ।

ଭେଦଭାବ ନାନାଦି କାରଣରୁ ହୋଇପାରେ । ତୁମେ ଯଦି ପୂର୍ବ ଆଲୋଚନାରୁ ପ୍ରଥମ ସମୀର ଓ ଦ୍ୱିତୀୟ ସମୀର ବିଷୟରେ ମନେ ପକାଇବ, ତାହାହେଲେ ବୋଧେହୁଏ ହେଜ ହେବ ଯେ ସେମାନେ ପରସ୍ପରଠାରୁ ଅନେକ ଦୃଷ୍ଟିରୁ ଭିନ୍ନ ଥିଲେ । ଉଦାହରଣ ସ୍ୱରୂପ ସେମାନଙ୍କର ଧର୍ମ ଭିନ୍ନ ଭିନ୍ନ ଥିଲା । ଏହା ବିବିଧତାର ଏକ ବିଭାବ ଅଟେ । ହେଲେ ଅନେକ ସମୟରେ ଏହି ବିବିଧତା ଭେଦଭାବର ଉତ୍ସ ବନିଯାଏ । ଭିନ୍ନ ଭାଷା କହୁଥିବା, ଅନ୍ୟ ଧର୍ମ ପାଳନ କରୁଥିବା, ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହୁଥିବା ଲୋକଙ୍କର ଚାଲିଚଳନ, ଆଚାର ବ୍ୟବହାରକୁ ଯଦି ନିକୃଷ୍ଟ ବୋଲି ଦେଖାଯାଏ, ତାହାହେଲେ ତାହା ଭେଦଭାବର କାରଣ ବନେ ।

ତାଙ୍କର ଆର୍ଥିକ ସ୍ଥିତିରେ ଭିନ୍ନତା ଦୁଇଟି ସମୀରଙ୍କ ଭିତରେ ପ୍ରଭେଦର ଆଉ ଗୋଟିଏ କାରଣ ଥିଲା । ଦ୍ୱିତୀୟ ସମୀର ଥିଲା ଗରୀବ । ତୁମେ ଆଗରୁ ପଢ଼ିଛ ଯେ ଏହି ପ୍ରଭେଦଟିକୁ ଆମେ ବୈଷମ୍ୟ ବୋଲି ଜାଣୁ, ବିବିଧତା ବୋଲି ନୁହେଁ । ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ମଧ୍ୟ ଗରୀବ ଲୋକଙ୍କ ପାଖରେ ସମ୍ବଳ କିମ୍ବା ଟଙ୍କା ନ ଥାଏ । ସେମାନେ କାର୍ଯ୍ୟାଳୟ, ଡାକ୍ତରଖାନା, ବିଦ୍ୟାଳୟ ଇତ୍ୟାଦି ଯାଗାରେ ନିଜର ଦାରିଦ୍ର୍ୟ ଯୋଗୁଁ ନାନା ଭେଦଭାବ ଓ ଖରାପ ବ୍ୟବହାରର ସମ୍ମୁଖିନ ହୁଅନ୍ତି ।

କେତେକ ଲୋକେ ଉଭୟ ପ୍ରକାରର ଭେଦଭାବର ସମ୍ମୁଖିନ ହୁଅନ୍ତି । ସେମାନେ ଗରୀବ । ତାହା ଛଡ଼ା ସେମାନେ ଏପରି ଗୋଷ୍ଠୀର ଲୋକ ଯାହାଙ୍କର ସଂସ୍କୃତିକୁ ଅନେକ ଲୋକେ ମର୍ଯ୍ୟାଦା ଦିଅନ୍ତି ନାହିଁ । ଆଦିବାସୀ ଲୋକେ, କେତେକ ଧାର୍ମିକ ସମ୍ପ୍ରଦାୟର ଲୋକେ, ଏପରିକି କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଏହିପରି କାରଣ ଯୋଗୁଁ ଭେଦଭାବର ଶୀକାର ହୁଅନ୍ତି । ଏହା ପରର ବିଭାଗରେ ଆମେ ଦେଖିବା କିପରି ଜଣେ ପ୍ରସିଦ୍ଧ ଭାରତୀୟ ଭେଦଭାବର ଶୀକାର ହୋଇଥିଲେ । ଏହା ଆମକୁ ଜାତିଗତ ଭେଦଭାବର ଶୀକାର ହୋଇଥିବା ବହୁତ ଲୋକଙ୍କର ଅନୁଭୁତିକୁ ଜାଣିବାରେ ସାହାଯ୍ୟ କରିବ ।

ମୁସଲମାନମାନଙ୍କ ବିଷୟରେ ଗୋଟିଏ ସାଧାରଣ ଧରାବନ୍ଧା ଚିତ୍ର ହେଲା ଯେ ସେମାନେ ନିଜ ଝିଅମାନଙ୍କୁ ପାଠ ପଢ଼ାଇବାକୁ ଚାହାନ୍ତି ନାହିଁ ଏଣୁ ସେମାନଙ୍କୁ ସ୍କୁଲ ପଠାନ୍ତି ନାହିଁ କିନ୍ତୁ ଆମେ ଗବେଷଣାରୁ ଜାଣୁ ଯେ ମୁସଲମାନଙ୍କର ଦାରିଦ୍ର୍ୟ ସେମାନେ ନିଜର ଝିଅମାନଙ୍କୁ ସ୍କୁଲ ପଠାଇବା କିମ୍ବା ଅଳପ କେଇ ବରଷ ପରେ ବିଦ୍ୟାଳୟ ଛାଡ଼ିବାର ଏକ ବଡ଼ କାରଣ ଅଟେ

ଯେଉଁଠାରେ ଗରୀବ ଲୋକଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କରାଇବା ପାଇଁ ଉଦ୍ୟମ ହୋଇଛି, ସେଠାରେ ମୁସଲମାନ ସମୁଦାୟର ଲୋକେ ନିଜର ଝିଅମାନଙ୍କୁ ବିଦ୍ୟାଳୟ ପଠାଇବା ପାଇଁ ଆଗ୍ରହ ଦେଖାଇଛନ୍ତି

ଉଦାହରଣ ସ୍ୱରୂପ, କେରଳରେ ପିଲାଙ୍କର ଘର ବିଦ୍ୟାଳୟ ଭିତରେ ବାଟ ବେଶୀ ନୁହେଁ ସାର୍ବଜନୀନ ବସ ବ୍ୟବସ୍ଥା ସେଠାରେ ଭଲ ଫଳ ସ୍ୱରୂପ, ଶିକ୍ଷକମାନେ ଠିକ ସମୟରେ ବିଦ୍ୟାଳୟରେ ପହଞ୍ଚି ପାରୁଛନ୍ତି ଶତକଡ଼ା ଷାଠିଏ ଭାଗ ଶିକ୍ଷକ ମହିଳା ଏହି ସବୁ କାରଣ ଯୋଗୁଁ ଗରୀବ ପରିବାରର ପିଲାମାନେ, ବିଶେଷତଃ ମୁସଲମାନ ସମ୍ପ୍ରଦାୟର ପିଲାମାନେ, ବହୁଳ ସଂଖ୍ୟାରେ ସ୍କୁଲ ଯାଇପାରୁଛନ୍ତି

ଅନ୍ୟ ରାଜ୍ୟମାନଙ୍କରେ ଯେଉଁଠାରେ ଗରୀବ ପିଲାଙ୍କ ପାଇଁ (ସେ ମୁସଲମାନ ହୁଅନ୍ତି କି ଆଦିବାସୀ କି ତଥାକଥିତ ଛୋଟ ଜାତିର) ଏପରି ବ୍ୟବସ୍ଥା କରାଯାଇପାରି ନାହିଁ, ସେଠାରେ ସେମାନଙ୍କ ପାଇଁ ବିଦ୍ୟାଳୟ ଯିବା କଷ୍ଟକର ଅଟେ ଏଣୁ, ମୁସଲମାନ ପିଲା ଇସ୍କୁଲ ଯିବାର ମୂଳ କାରଣ ଦାରିଦ୍ର୍ୟ, ଧର୍ମ ନୁହେଁ


ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମାଜ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ୍ ଆଣ୍ଡ୍ ପଲିଟିକାଲ ଲାଇଫ୍ - ୧' ର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ । 

Thursday, December 14, 2017

ଧରାବନ୍ଧା ଚିତ୍ରର ନିର୍ମାଣ



ଅଷ୍ଟାଦଶ ଶତାବ୍ଦୀର ନୃତତ୍ୱରେ ଧରାବନ୍ଧା ଚିତ୍ରର ନିର୍ମାଣ (୧୭୯୯)
ଚିତ୍ରକର - ଜେ ରାଟେଲବ୍ୟାଣ୍ଡ ତଥା ଜେ ବୁୱେର୍
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍



ଲିଙ୍ଗଗତ ପାର୍ଥକ୍ୟଗୁଡ଼ିକ ବିଷୟରେ ଆମର ଧାରଣା ଅଛି । ଗୋଟିଏ ଝିଅ ବା ପୁଅ ହେବା ବୋଇଲେ କଅଣ ? ତୁମ ଭିତରୁ ଅନେକ ଲୋକ କହିବେ ଯେ, “ଆମେ ପୁଅ ଓ ଝିଅ ଭାବରେ ଜନମ ନେଇଛୁ । ଏହା ପୂର୍ବ ନିର୍ଦ୍ଧାରିତ । ଏହି ବିଷୟରେ ଚିନ୍ତା କରିବାରେ କଅଣ ଅଛି ?” ଆସ ଦେଖିବା ଏହା କେତେ ସତ କେତେ ମିଛ ।

ତଳେ କିଛି ବାକ୍ୟ ଦିଆଯାଇଛି ଝିଅ ପୁଅ କରି ଦୁଇଟି ବିଭାଗ ମଧ୍ୟ କରାଯାଇଛି ତୁମକୁ ଯାହା ଠି ଲାଗୁଛି, ସେହି ଅନୁସାରେ ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ଏହି ଦୁଇଟି ବିଭାଗରେ ସଜାଇ ରଖ

ସେମାନେ ଭଲ ବ୍ୟବହାର ଦେଖାନ୍ତି
ସେମାନେ ଧୀରସ୍ଥିର ଭାବରେ କଥାବାର୍ତ୍ତା କରନ୍ତି ନମ୍ର ଅଟନ୍ତି
ସେମାନେ ଶାରରୀକ ଦୃଷ୍ଟିରୁ ଶକ୍ତିଶାଳୀ
ସେମାନେ ନାଚ ଚିତ୍ରାଙ୍କନରେ ପାରଦର୍ଶୀ
ସେମାନେ କାନ୍ଦନ୍ତି ନାହିଁ
ସେମାନେ ଗଣ୍ଡଗୋଳ କରନ୍ତି
ସେମାନେ ଖେଳରେ ପୋଖତ
ସେମାନଙ୍କୁ ରାନ୍ଧିବା ଭଲ ଜଣା
ସେମାନେ ମନୁଆ ଭାବପ୍ରଧାନ

ବାଳିକାମାନେ                             ବାଳକମାନେ
                                          
                                          
୩                                         
                                          
                                          

ଏବେ ତୁମେ ଶିକ୍ଷକଙ୍କର ସାହାଯ୍ୟ ନେଇ ଦେଖ ଯେ କିଏ କେଉଁ ବାକ୍ୟକୁ କେଉଁ ବିଭାଗରେ ରଖିଛନ୍ତି ପିଲମାନେ କାହିଁକି ଯେ ଏପରି କଲେ ସେ ବିଷୟରେ ଆଲୋଚନା କର ତୁମେମାନେ ପୁଅପିଲାମାନଙ୍କ ପାଇଁ ଯେଉଁ ସବୁ ଗୁଣଗୁଡ଼ିକ ଲେଖିଲ, ସେହିସବୁ ଗୁଣଗୁଡ଼ିକ କଅଣ ସେମାନଙ୍କର ଜନ୍ମଜାତ ଅଟେ ?


ତୁମେ ଏହି ବାକ୍ୟଟିକୁ ଦେଖ – “ସେମାନେ କାନ୍ଦନ୍ତି ନାହିଁ” । ତୁମେ ଦେଖିଥିବ ଯେ ଏହି ଗୁଣଟିକୁ ପୁଅ ପିଲା ଓ ପୁରୁଷଲୋକଙ୍କ ସହିତ ଯୋଡ଼ିଦିଆଯାଏ । ହେଲେ ଶିଶୁ ବା ବାଳକ ଅବସ୍ଥାରେ ପୁଅପିଲାମାନେ ତଳେ ପଡ଼ି ଆଘାତ ପାଇଲେ, ତାଙ୍କର ବାପା ମାଆ ଓ ପରିବାରର ଅନ୍ୟଲୋକମାନେ ତାଙ୍କୁ ସାନ୍ତ୍ୱନା ଦେବାପାଇଁ କହନ୍ତି, “କାନ୍ଦନା । ତୁ ପୁଅପିଲା ପରା । ପୁଅପିଲାମାନେ ସାହସୀ ହେବା କଥା । ସେମାନେ କାନ୍ଦନ୍ତି ନାହିଁ ।” ଯେତେବେଳେ ପିଲାମାନେ ବଡ଼ ହୁଅନ୍ତି, ସେମାନେ ବିଶ୍ୱାସ କରିବାକୁ ଲାଗନ୍ତି ଯେ ପୁଅପିଲାମାନେ କାନ୍ଦନ୍ତି ନାହିଁ । ଏପରିକି କାନ୍ଦିବାର ଇଚ୍ଛା ହେଲେ ମଧ୍ୟ ସେମାନେ ନିଜକୁ ରୋକିଦିଅନ୍ତି । ସେମାନେ ଏକଥା ମଧ୍ୟ ବିଶ୍ୱାସ କରିବାକୁ ଆରମ୍ଭ କରନ୍ତି ଯେ କାନ୍ଦିବା ଦୁର୍ବଳତାର ଲକ୍ଷଣ ଅଟେ । ଉଭୟ ପୁଅ ଓ ଝିଅ ପିଲାଙ୍କୁ ରାଗ ମାଡ଼ିଲେ କି କଷ୍ଟ ହେଲେ ସେମାନଙ୍କୁ କାନ୍ଦିବାକୁ ଇଚ୍ଛା ହୁଏ । ହେଲେ ବଡ଼ ହେଲାବେଳକୁ ପୁଅପିଲାମାନେ ଏ କଥା ଶିଖିଯାଇଥାଆନ୍ତି କିମ୍ବା ନିଜକୁ ଶିଖାଇ ଦେଇଥାଆନ୍ତି ଯେ ସେମାନେ କାନ୍ଦିବା ଉଚିତ ନୁହେଁ । ନ ହେଲେ ଲୋକେ ତାଙ୍କ ଉପରେ ହସିବେ କିମ୍ବା ଥଟ୍ଟା କରିବେ । ତେଣୁ ସେମାନେ ନିଜକୁ ଅନ୍ୟମାନଙ୍କ ଆଗରେ କାନ୍ଦିବାରୁ ରୋକନ୍ତି ।

ପୁଅ ପିଲାମାନେ ଏମିତି କରନ୍ତି; ଝିଅ ପିଲାମାନେ ଏମିତିଆ : ଆମେ ଏହିପରି ବାକ୍ୟଗୁଡ଼ିକୁ ନିରନ୍ତର ଶୁଣୁ । ଚିନ୍ତା ନ କରି ଏଗୁଡ଼ିକୁ ଗ୍ରହଣ ମଧ୍ୟ କରିଦେଉ । ଆମେ ଏକଥା ମଧ୍ୟ ବିଶ୍ୱାସ କରିବାକୁ ଆରମ୍ଭ କରୁ ଯେ ଆମକୁ ସେହିପରି ଭାବରେ ଆଚରଣ ମଧ୍ୟ କରିବାକୁ ହେବ । ଆମ ଚାରିପଟେ ସମାଜ ତିଆରି କରିଥିବା ଛାଞ୍ଚ ଭିତରେ ଆମେ ସବୁ ପୁଅ ଓ ଝିଅଙ୍କୁ ଖାପ ଖୁଆଇବାକୁ ଚାହୁଁଛୁ ।

ସେମାନେ ଧୀରସ୍ଥିର ଭାବରେ କଥାବାର୍ତ୍ତା କରନ୍ତି ନମ୍ର ଅଟନ୍ତି । ସେମାନେ ଭଲ ବ୍ୟବହାର ଦେଖାନ୍ତି

ତୁମେ ଉପରୋକ୍ତ ବାକ୍ୟଗୁଡ଼ିକୁ ନେଇ ଏଗୁଡ଼ିକ କିପରି ଝିଅ ପିଲାଙ୍କ ପାଇଁ ଉପଯୋଗ କରାଯାଏ, ସେକଥାର ଆଲୋଚନା କର । ଝିଅପିଲାମାନଙ୍କର ଏହି ସବୁ ଗୁଣଗୁଡ଼ିକ ଜନ୍ମଜାତ ନା ସେମାନେ ଏଗୁଡ଼ିକ ଅନ୍ୟମାନଙ୍କଠାରୁ ଶିଖନ୍ତି ? ଯେଉଁ ଝିଅ ମାନେ ନମ୍ର ନୁହନ୍ତି ଓ ଦୁଷ୍ଟାମି କରନ୍ତି, ତୁମେ ସେମାନଙ୍କ ବିଷୟରେ କଅଣ ଭାବ ?

ଆମେ ଯେବେ ଲୋକମାନଙ୍କୁ ଗୋଟିଏ ଖୋପ ଭିତରେ ରଖିବାକୁ ଚେଷ୍ଟା କରୁ, ସେଥି ଫଳରେ ଆମେ ଧରାବନ୍ଧା ଚିତ୍ରଟିଏର ନିର୍ମାଣ କରୁ । ଲୋକମାନେ ଯେତେବେଲେ କହନ୍ତି ଯେ ନିର୍ଦ୍ଦିଷ୍ଟ ଦେଶ, ଧର୍ମ, ଲିଙ୍ଗ, ବର୍ଣ୍ଣ ଓ ଆର୍ଥିକ ଶ୍ରେଣୀର ଲୋକେ ‘କୃପଣ’, ‘ଅଳସୁଆ’, ‘ଅପରାଧି’, କିମ୍ବା ‘ବୁଦ୍ଧୁ’, ସେମାନେ ଧରାବନ୍ଧା ଚିତ୍ର ଦେଇ ସେଇ ଲୋକମାନଙ୍କୁ ଦେଖୁଛନ୍ତି । ସବୁ ଦେଶ, ସବୁ ଧର୍ମ, ସବୁ ଗୋଷ୍ଠୀ, ତାହା ଧନୀ ହେଉ କି ଗରୀବ, ଲୋକେ ନାରୀ ହୁଅନ୍ତୁ କି ପୁରୁଷ, କୃପଣ ଓ ବଦାନ୍ୟ ଲୋକ ସବୁଆଡ଼େ ଅଛନ୍ତି । ଗୋଟିଏ ଗୋଷ୍ଠୀର କିଛି ଲୋକ ଗୋଟିଏ କାଟର ବୋଲି ସମସ୍ତେ ଯେ ସେମିତି ହେବ ସେପରି କଥା ତ ନୁହେଁ । ଆମେ କାହିଁକି ସେପରି ଚିନ୍ତା କରିବା ।

ଧରାବନ୍ଧା ଚିତ୍ର ଯୋଗୁଁ ଆମେ ଆଉ ଜଣେ ନିର୍ଦ୍ଦିଷ୍ଟ ଲୋକଙ୍କୁ, ଅନ୍ୟମାନଙ୍କ ଠାରୁ ଭିନ୍ନ, ତଥା ସ୍ୱତନ୍ତ୍ର ବିଶେଷ ଗୁଣ ଓ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଭାବରେ ଦେଖିପାରୁନାହିଁ । ଧରାବନ୍ଧା ଚିତ୍ରଗୁଡ଼ିକ ଗୋଟିଏ ନକସା ବା ପ୍ରକାର ଭିତରେ ସମସ୍ତଙ୍କୁ ମାଡ଼ିମକଚି ଭରତି କରି ଦିଅନ୍ତି । ଏହି ଧରାବନ୍ଧା ଚିତ୍ରର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡ଼େ । ସେଗୁଡ଼ିକ ଆମେ ଅନେକ ଜିନିଷ ଯାହାକୁ କି ବହୁତ ଭଲ ଭାବରେ କରିପାରନ୍ତୁ, ସେସବୁକୁ କରିବାରୁ ରୋକେ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମାଜ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ୍ ଆଣ୍ଡ୍ ପଲିଟିକାଲ ଲାଇଫ୍ - ୧' ର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।