Friday, December 08, 2017

ବିବିଧତା ଓ ପୂର୍ବାଗ୍ରହ


ୟେମେନ ଦେଶର ଏକ ଦାସ ବଜାରର ଚିତ୍ର (୧୨୩୬-୧୨୩୭)
ୟେମେନ ଦେଶରେ ୧୯୬୨ରେ ଦାସ ପ୍ରଥାର ବିଲୋପ ଘଟିଲା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଆମେ ନାନାଦି ଉପାଦାନ ନେଇ ଗଢ଼ା । ଆମେ ଯେମିତି ବଞ୍ଚୁ, ଯାହା ଖାଉ, ପିନ୍ଧୁ, ଯେଉଁ ଖେଲଗୁଡ଼ିକ ଖେଳୁ, ତଥା ଯେଉଁ ସବୁ ଉତ୍ସବ ପାଳନ କରୁ, ଏହା ଛଡ଼ା ଅନେକ ବିଭିନ୍ନ ପ୍ରକାରର ଉପାଦାନ ନେଇ ଆମେ ତିଆରି । ଏ ସବୁ ଜିନିଷ ଆମେ ରହୁଥିବା ଜେଗାର ଇତିହାସ ଓ ଭୂଗୋଳ ଦ୍ୱାରା ପ୍ରଭାବିତ ହୁଅନ୍ତି ।

ତମେ ଯଦି ତଳେ ଲେଖା ହୋଇଥିବା ବାକ୍ୟଟିକୁ ଟିକେ ନଜର ଦେଇ ଦେଖିବ, ତାହାହେଲେ ତୁମର ଗୋଟିଏ ଧାରଣା ହେବ ଯେ, ଭାରତ ପ୍ରକୃତରେ କେତେ ପରିମାଣରେ ବିବିଧତାରେ ପରିପୂର୍ଣ୍ଣ :

ବିଶ୍ୱରେ ଆଠୋଟି ବଡ଼ ଧର୍ମ ଅଛନ୍ତି । ସେଥି ଭିତରୁ ସବୁ ଧର୍ମ ଭାରତରେ ପାଳନ କରାଯାଏ । ଭାରତରେ ଏପରି ୧୬୦୦ ସହ ଭାଷା ଅଛି ଯାହା ଲୋକଙ୍କର ମାତୃଭାଷା ଅଟନ୍ତି । ଆମ ଦେଶରେ ଶହେରୁ ଅଧିକ ନୃତ୍ୟଶୈଳୀ ମଧ୍ୟ ଦେଖିବାକୁ ମିଳେ ।

ହେଲେ ଏହି ବିବିଧତାକୁ ନେଇ ସବୁବେଳେ ଭଲ ନଜରରେ ଦେଖାଯ।ଏନାହିଁ । ଏହାର କାରଣ ହେଲା, ଆମେ ଆମ ଭଳି ଦେଖାଯାଉଥିବା, କଥା କହୁଥିବା, ଜାମାପଟା ପିନ୍ଧୁଥିବା ଓ ଚିନ୍ତା କରୁଥିବା ଲୋକଙ୍କ ସହିତ ରହିବାରେ ସୁରକ୍ଷିତ ଅନୁଭବ କରୁ ।

ଆମେ ବେଳେବେଳେ ନିଜଠାରୁ ବହୁତ ଭାବରେ ଭିନ୍ନ ଲୋକଙ୍କୁ ଭେଟିଲେ ସେମାନଙ୍କୁ ଅପରିଚିତ ଓ ଅଜ୍ଞାତ ବୋଲି ଭାବୁ । ଅନେକ ସମୟରେ ସେମାନେ କାହିଁକି ଓ କିପରି ଭାବରେ ଆମଠାରୁ ଅଲଗା, ସେକଥା ମଧ୍ୟ ଆମେ ଜାଣି କିମ୍ବା ବୁଝି ନଥାଇପାରୁ । ନିଜଠାରୁ ଭିନ୍ନ ଲୋକଙ୍କ ବିଷୟରେ ଲୋକ କିଛି ନିର୍ଦ୍ଦିଷ୍ଟ ପ୍ରକାରର ମନୋଭାବ ଓ ମତାମତ ପୋଷଣ କରନ୍ତି ।

ତୁମର ଗ୍ରାମୀଣ ଓ ସହରୀ ଲୋକଙ୍କ ବିରୁଦ୍ଧରେ କିଛି ପୂର୍ବାଗ୍ରହ ଅଛି କି ? ଏକଥା ଖୋଜି ବାହାର କର କି ଅନ୍ୟ ଲୋକମାନଙ୍କର ସେହି ଏକା ପ୍ରକାରର ପୂର୍ବାଗ୍ରହ ଅଛି କି ନାହିଁ । ଲୋକମାନେ ଏହିପରି ପୂର୍ବାଗ୍ରହ ପ୍ରତିପାଳନ କରିବାର କାରଣ ବିଷୟରେ ଆଲୋଚନା କର ।

ତୁମେ ନିଜ ଚାରିପାଖରେ ଦେଖୁଥିବା ପୂର୍ବାଗ୍ରହଗୁଡ଼ିକର ଏକ ତାଲିକା ବନାଅ । ଏଗୁଡ଼ିକ ଲୋକମାନେ ପରସ୍ପର ସହିତ କରୁଥିବା ଆଚରଣ ଉପରେ କିପରି ପ୍ରଭାବ ପକାଉଛି ?

ଯେବେ ଆମର କୌଣସି ଲୋକମାନଙ୍କ ବିଷୟରେ ଧାରଣା ସବୁବେଳେ ଖରାପ ଥାଏ - ଯେତେବେଳେ ଆମେ ତାଙ୍କୁ ଅଳସୁଆ, ଚତୁର, ଓ କୃପଣ ଭାବରେ ଦେଖୁ - ଯଥା ଉପରୋକ୍ତ କିଛି ବାକ୍ୟ, ତାହା ହେଲେ ଏଗୁଡ଼ିକ ସେହି ଲୋକମାନଙ୍କ ବିଷୟରେ ପୂର୍ବାଗ୍ରହର ରୂପ ନିଏ ।

ପୂର୍ବାଗ୍ରହ ଅର୍ଥ ହେଲା ଆମଠାରୁ ଭିନ୍ନ ଲୋକଙ୍କୁ ଖରାପ ବୋଲି ଭାବିବା କିମ୍ବା ସେମାନଙ୍କୁ ହୀନ ଦୃଷ୍ଟିରେ ଦେଖିବା । ଆମେ ବେଳେବେଳେ ଭାବୁ ଯେ ଗୋଟିଏ ନିର୍ଦ୍ଦିଷ୍ଟ ବାଟ ବା ଉପାୟ ହିଁ ସର୍ବୋତ୍ତମ । ଯଦି ଅନ୍ୟ କେହି ସେଥିରୁ ଭିନ୍ନ ମତ ରଖିଲା କିମ୍ବା ସେହି ଜିନିଷକୁ ଅଲଗା ବାଟରେ କଲା, ତାହାହେଲେ ଆମେ ସେମାନଙ୍କୁ ସମ୍ମାନ ଦେଉନାହିଁ । ଉଦାହରଣ ସ୍ୱରୂପ, ଆମେ ଯଦି ଭାବୁ ଯେ ଇଂରାଜୀ ଭାଷା ହେଲା ସବୁଠୁ ଭଲ ଆଉ ଅନ୍ୟ ଭାଷାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି, ତାହାହେଲେ ଆମେ ସେହି ଭାଷାଗୁଡ଼ିକ ବିଷୟରେ ଖରାପ ଧାରଣା ପୋଷଣ କରିବୁ । ଏହାଫଳରେ ଇଂରାଜୀ ଛଡ଼ା ଅନ୍ୟ ଭାଷା କହୁଥିବା ଲୋକମାନଙ୍କୁ ଆମେ ସମ୍ମନ ଦେଇ ନପାରୁ ।

ଆମେ ଅନେକ ଜିନିଷ ବିଷୟରେ ପୂର୍ବାଗ୍ରହ ପ୍ରତିପାଳନ କରିପାରୁ: ଯଥା, ଲୋକଙ୍କର ଧାର୍ମିକ ବିଶ୍ୱାସ, ସେମାନଙ୍କର ବର୍ଣ୍ଣ, ସେମାନଙ୍କର ଅଞ୍ଚଳ ବା ମାତୃଭୂମି, ସେମାନଙ୍କର ବୋଲି, ସେମାନଙ୍କର ଲୁଗାପଟା ଇତ୍ୟାଦି । ଅନେକ ସମୟରେ ଅନ୍ୟମାନଙ୍କ ବିଷୟରେ ଆମର ପୂର୍ବାଗ୍ରହ ଏତେ ଶକ୍ତିଶାଳୀ ଥାଏ ଯେ ଆମେ ସେମାନଙ୍କ ସହିତ ବନ୍ଧୁତା କରିବାକୁ ମଧ୍ୟ ଚାହୁଁନା । ବେଳେବେଳେ ଆମେ ଅନେକ ସମୟରେ ଏପରି ମଧ୍ୟ ଆଚରଣ କରୁ, ଯାହାଫଲରେ ତାଙ୍କୁ ଆଘାତ ଲାଗେ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମାଜ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ୍ ଆଣ୍ଡ୍ ପଲିଟିକାଲ ଲାଇଫ୍ - ୧' ର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ । 

No comments:

Post a Comment