Monday, April 29, 2019

ଅଶୋକଙ୍କ ପରେ ଭାରତର ଅବସ୍ଥା

କେଦାରନାଥ ମହାପାତ୍ର


ଭୁବନେଶ୍ୱରର ଉଦୟଗିରି ପାହାଡ଼ରେ ସ୍ଥିତ ଜୈନ କୀର୍ତ୍ତି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଅଶୋକଙ୍କ ମୃତ୍ୟୁ ପରେ ତାଙ୍କର ବଂଶଧରମାନେ ଦୁର୍ବଳ ହୋଇ ପଡିଲେ । ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ପୁନର୍ବାର କ୍ଷୁଦ୍ର କ୍ଷୁଦ୍ର ସ୍ୱାଧୀନ ରାଜ୍ୟରେ ବିଭକ୍ତ ହେଲା ।

ସୁଙ୍ଗ ବଂଶ

ପୁଷ୍ପମିତ୍ର ନାମକ ଜଣେ ସେନାପତି ଶେଷ ମୌର୍ଯ୍ୟ ରାଜା ବୃହଦ୍ରଥଙ୍କୁ ମାରି ମଗଧର ରାଜା ହେଲେ (ଖ୍ରୀ: ପୂ: ୧୮୫) ତାଙ୍କଦ୍ୱାରା ପ୍ରତିଷ୍ଠିତ ବଂଶର ନାମ ସୁଙ୍ଗ ବଂଶ ବା ମିତ୍ର ବଂଶ । ସେ ବଡ଼ କ୍ଷମତାଶାଳୀ ରାଜା ଥିଲେ ଓ ଦୁଇଟି ଅଶ୍ୱମେଧ ଯଜ୍ଞ କରିଥିଲେ । ସେ ଗ୍ରୀକମାନଙ୍କୁ ପରାସ୍ତ କରିଥିଲେ । ସୈନ୍ଧବ ପ୍ରଦେଶ ଓ କଳିଙ୍ଗକୁ ଛାଡ଼ି ସେ ସମଗ୍ର ଉତ୍ତର ଭାରତରେ ରାଜତ୍ୱ କରୁଥିଲେ । ତାଙ୍କ ପରେ ଏହି ବଂଶ ଦୁର୍ବଳ ହୋଇ ପଡିଲା । ସୁଙ୍ଗମାନେ ୧୧୨ ବର୍ଷ ରାଜତ୍ୱ କରିଥିଲେ ।

କାଣ୍ୱ ବଂଶ 

ମିତ୍ର ବଂଶର ଶେଷ ରାଜାଙ୍କୁ ମାରି ତାଙ୍କର ବ୍ରାହ୍ମଣ ମନ୍ତ୍ରୀ ବାସୁଦେବ ମଗଧରେ କାଣ୍ୱ ବଂଶ ପ୍ରତିଷ୍ଠା କରିଥିଲେ । ଏହି ବଂଶର ଚାରି ଜଣ ରାଜା ପ୍ରାୟ ୪୫ ବର୍ଷ ରାଜତ୍ୱ କରିଥିଲେ । ଆନ୍ଧ୍ର ବଂଶୀୟ ଜଣେ ରାଜା ଏହି ବଂଶ ଧ୍ୱଂସ କରି ମଗଧ ଅଧିକାର କରିଥିଲେ ।

ଚେତ ବଂଶ ଓ ଖାରବେଳ 

ଅଶୋକଙ୍କ ମୃତ୍ୟୁ ପରେ କଳିଙ୍ଗ ବା ଆମ୍ଭ ଓଡ଼ିଶା ପ୍ରଦେଶ ସ୍ୱାଧୀନ ହୋଇ ପଡ଼ିଲା । ଏଠାରେ ଚେତ ବଂଶ ରାଜାମାନେ ରାଜତ୍ୱ କଲେ । ଏହି ବଂଶର ପଞ୍ଚମ ରାଜା ଖାରବେଳ ପ୍ରାଚୀନ ଭାରତର ଜଣେ କ୍ଷମତାଶାଳୀ ରାଜା ଥିଲେ । ସେ ଆନ୍ଧ୍ର ରାଜା ସାତକର୍ଣ୍ଣୀଙ୍କୁ ପରାସ୍ତ କରିଥିଲେ । ସେ ମଥୁରା ଓ ସମଗ୍ର ଉତ୍ତରପଥ (ପଞ୍ଜାବ ଅଞ୍ଚଳ) ଜୟ କରିଥିଲେ । ଅଙ୍ଗ ମଗଧର ରାଜା ବୃହସ୍ପତି ମିତ୍ରଙ୍କୁ ଦୁଇ ଥର ପରାସ୍ତ କରିଥିଲେ ଓ ପାଟଳୀପୁତ୍ରରୁ କଳିଙ୍ଗ ଜୀନମୂର୍ତ୍ତି ଘେନି ଆସିଥିଲେ । ଦକ୍ଷିଣରେ ଥିବା ପାଣ୍ଡ୍ୟ ରାଜ୍ୟର ଶାସକ ତାଙ୍କର ଅଧୀନତା ସ୍ୱୀକାର କରିଥିଲେ । କଳିଙ୍ଗ ନଗର ତାଙ୍କର ରାଜଧାନୀ ଥିଲା । ସେ ଜୈନ ଧର୍ମାବଲମ୍ୱୀ ଥିଲେ ଓ ଏହି ଧର୍ମର ଉନ୍ନତି ପାଇଁ ବିଶେଷ ଚେଷ୍ଟା କରିଥିଲେ । ଜୈନ ମୂନି ଋଷିମାନଙ୍କ ପାଇଁ ଭୁବନେଶ୍ୱର ନିକଟବର୍ତ୍ତୀ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ୧୨୦ଟି ସୁନ୍ଦର ଗୁମ୍ଫା ଖୋଳାଇ ଥିଲେ । ତାଙ୍କର ଗୋଟିଏ ଶିଳାଲିପି ଉଦୟଗିରିର ହାତୀଗୁମ୍ଫାରେ ଅଦ୍ୟାପି ଦେଖାଯାଏ । ସେ ଖ୍ରୀ: ପୂ: ୧୮୮ରୁ ପ୍ରାୟ ୧୪ ବର୍ଷ ରାଜତ୍ୱ କରିଥିଲେ । ତାଙ୍କ ପରି ପରାକ୍ରମଶାଳୀ ଜୈନ ନୃପତି ଭାରତବର୍ଷରେ ଆଉ କେହି ନ ଥିଲେ ।

ଆନ୍ଧ୍ର ବଂଶ
ଆନ୍ଧ୍ରମାନେ ବିନ୍ଧ୍ୟଗିରି ଓ ଗୋଦାବରୀ ନଦୀ ମଧ୍ୟବର୍ତ୍ତୀ ପ୍ରଦେଶରେ ବାସ କରୁଥିଲେ । ଅଶୋକଙ୍କ ମୃତ୍ୟୁ ପରେ ଆନ୍ଧ୍ରମାନେ ସ୍ୱାଧୀନ ହୋଇଗଲେ । ଗୌତମୀପୁତ୍ର ଶ୍ରୀ ସାତକର୍ଣ୍ଣୀ ଓ ଯଜ୍ଞଶ୍ରୀ ସାତକର୍ଣ୍ଣୀ ଏହି ବଂଶର ଦୁଇ ଜଣ ଶ୍ରେଷ୍ଠ ରାଜା । ଗୌତମୀପୁତ୍ର ବୌଦ୍ଧ ଧର୍ମର ଓ ଯଜ୍ଞଶ୍ରୀ ବ୍ରାହ୍ମଣ୍ୟ ଧର୍ମର ବିଶେଷ ଉନ୍ନତି କରିଥିଲେ । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଏହି ବଂଶର ରାଜାମାନେ ଉଜ୍ଜୟିନୀର ରାଜାମାନଙ୍କ ସହିତ ସର୍ବଦା ଯୁଦ୍ଧ କରୁଥିଲେ । ଶ୍ରୀଧାନ୍ୟକଟକ ଆନ୍ଧ୍ରପ୍ରଦେଶର ରାଜଧାନୀ ଥିଲା । ତେଲୁଗୁମାନେ ଆନ୍ଧ୍ରମାନଙ୍କର ବଂଶଧର ।

ଗ୍ରୀକ 

ଅଶୋକଙ୍କ ମୃତ୍ୟୁ ପରେ ଗ୍ରୀକ୍‌ମାନେ ପଞ୍ଜାବ ଅଞ୍ଚଳରେ କ୍ଷମତାଶାଳୀ ହୋଇଥିଲେ । ଡିମେଟ୍ରିୟାସ୍ ନାମକ ଗ୍ରୀକ୍ ରାଜା ପଞ୍ଜାବ ଓ ସିନ୍ଧୁ ପ୍ରଦେଶ ଅଧିକାର କରିଥିଲେ । ଶାକଳ ନଗର (ପଞ୍ଜାବର ଶୈଳକୋଟ)ର ଗ୍ରୀକ ରାଜା ‘ମିନାଦାର’ ଖ୍ରୀ: ପୂ: ୧୪୧ରେ ଅଯୋଧ୍ୟା ପର୍ଯ୍ୟନ୍ତ ଜୟ କରିଥିଲେ । କିନ୍ତୁ ହିନ୍ଦୁରାଜାଙ୍କ ଦ୍ୱାରା ପରାସ୍ତ ହୋଇ ପଳାଇ ଗଲେ । ତକ୍ଷଶିଳା, ମଥୁରା ଓ ଉଜ୍ଜୟିନୀରେ ଗ୍ରୀକ୍‌ମାନେ ବହୁକାଳ ପର୍ଯ୍ୟନ୍ତ ବାସ କରିଥିଲେ । ଗ୍ରୀକ୍‌ମାନଙ୍କୁ ହିନ୍ଦୁମାନେ ଯବନ ବୋଲି କହୁଥିଲେ ।

ଶକ

ଗ୍ରୀକ୍‌ମାନଙ୍କୁ ପରାସ୍ତ କରି ଶକ ନାମକ ଗୋଟିଏ ପାହାଡିଆ ଜାତି ମଧ୍ୟ ଏସିଆରୁ ଭାରତବର୍ଷକୁ ଆସିଥିଲେ । ମଥୁରା, ଉଜ୍ଜୟିନୀ, ଭୂରୁବଚ୍ଛ (ଗୁଜୁରାଟ) ପ୍ରଭୃତି ସ୍ଥାନରେ ଶକ ରାଜାମାନେ ବହୁ କାଳ ରାଜତ୍ୱ କରିଥିଲେ । ଶକ ରାଜାଙ୍କ ମଧ୍ୟରେ ରୁଦ୍ରଦମନ ସର୍ବଶ୍ରେଷ୍ଠ । ଶକମାନଙ୍କୁ ହିନ୍ଦୁମାନେ ମ୍ନେଚ୍ଛ ବୋଲି କହୁଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Saturday, April 27, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'ଶିକ୍ଷାର ପ୍ରସାର କାହିଁକି ?'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ଗୋପାଳକୃଷ୍ଣ ଗୋଖଲେ (୧୮୬୬ - ୧୯୧୫)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ଫସଲ ତ ବହୁତ ବେଶୀ ହୋଇଛି; ମାତ୍ର କାଟିବାକୁ ଲୋକ ଅଳ୍ପ ଅଛନ୍ତି । କର୍ମୀମାନଙ୍କର ଅଭାବରୁ ଅନେକ କାର୍ଯ୍ୟ ପଡ଼ି ରହିଛି ଏବଂ ପ୍ରତ୍ୟେକ କାର୍ଯ୍ୟ ଅତ୍ୟାବଶ୍ୟକ ଅଟେ । ମାତ୍ର କେଉଁ କାର୍ଯ୍ୟ ଆଗେ କରିବା ଉଚିତ ଏହା ବାଛିବାକୁ ହେଲେ ଭାରତୀୟ ମାନଙ୍କ ମଧ୍ୟରେ ଶିକ୍ଷାପ୍ରସାର ସର୍ବପ୍ରଥମ ସ୍ଥାନ ପାଇବ ।

ବର୍ତ୍ତମାନ ବଡ଼ଦିନର ଛୁଟି ପଡ଼ିଛି । ଚଳିତ ବର୍ଷଟି ଶୀଘ୍ର ସରିଯିବ । ଯେଉଁ ବ୍ରିଟିଶ ଭାରତୀୟମାନେ ଏହି ଲେଖା ପଢ଼ିବେ ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଏହି ଦିନଟି ଗମ୍ଭୀର ଆଧ୍ୟାତ୍ମିକ ଚିନ୍ତନର ଦିନ ହେବା ହେବା ଉଚିତ । କାରଣ ଖ୍ରୀଷ୍ଟିଆନ୍‌ମାନଙ୍କ ପାଇଁ ଏହା ପବିତ୍ର ଅଟେ । ଯେଉଁ ଭାରତୀୟ ଯୁବକମାନେ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଛନ୍ତି ଏଠାରେ ପ୍ରତିପାଳିତ ହୋଇଛନ୍ତି ଓ ଏହାକୁ ନିଜର ଘର କରି ସାରିଛନ୍ତି, ସେମାନଙ୍କୁ ହୃଦୟର କୋମଳତମ ତନ୍ତ୍ରୀକୁ ଏହା ଝଙ୍କୃତ କରିବା ଉଚିତ । ଅନେକ ପିତାମାତା ନିଜେ ନିରକ୍ଷର ଅଟନ୍ତି । ସେମାନଙ୍କ ଠାରେ ସେମାନଙ୍କର ଶିକ୍ଷିତ ସନ୍ତାନମାନେ ବିଶେଷ ଋଣୀ । ଶିକ୍ଷା ଓ ସଂସ୍କୃତି ଏବଂ ଏହି ଦୁଇ ଶବ୍ଦ ଦ୍ୱାରା ବ୍ୟକ୍ତି ବିଷୟଗୁଡ଼ିକ ଆବଶ୍ୟକତା ପୂରଣ ପାଇଁ ନିଜର ସେହି ଦେଶବାସୀମାନଙ୍କ ନିମିତ୍ତ ବିନିମୟରେ ଶିକ୍ଷିତ ଲୋକେ କଅଣ କରିପାରିବେ ? ଭାରତୀୟ ଯୁବକମାନଙ୍କର ଶିକ୍ଷା ଯେ ବହୁତ ଅବହେଳିତ ହୋଇଛି ଏହା ସତ, ଏବଂ ଏହା ଆମେ ଆଲୋଚନା କରିସାରିଛୁ । ଯାହା ସାମାନ୍ୟ କିଛି କାର୍ଯ୍ୟ ହେଉଛି, ତାହା ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କ ଦ୍ୱାରା ଚାଲିଛି । ସେଥିରେ ଦକ୍ଷିଣ ଆଫ୍ରିକା ସରକାରଙ୍କର ଆଂଶିକ ସାହାର୍ଯ୍ୟ ଅଛି ।

ଏପରି ଗୋଟିଏ ସୁ୍ଦ୍ଧା ଉଲ୍ଲେଖଯୋଗ୍ୟ ସ୍କୁଲ ନାହିଁ ଯାହା ଭାରତୀୟ ମାନଙ୍କ ଦ୍ୱାରା ଚଳୁଅଛି । ଏ ଗୋଟିଏ ଏପରି କ୍ଷେତ୍ର ଯେଉଁଠାରେ ସରକାର ପ୍ରଥମେ ଅଗ୍ରସର ହୁଅନ୍ତୁ ବୋଲି ଆମେ ଆଶା କରିବୁଁ । ପରନ୍ତୁ ନିଜର ଗୋଡ଼ ଉପରେ ଦୃଢ଼ ଭାବେ ଠିଆ ହେବା ଆବଶ୍ୟକ ଅଟେ । ଏହା କେବଳ ଟଙ୍କାପଇସାର ପ୍ରଶ୍ନ ନୁହେଁ । ଆତ୍ମତ୍ୟାଗୀ ଯୁବକମାନେ ଯଥେଷ୍ଟ ସଙ୍ଖ୍ୟାରେ ଶିକ୍ଷାକାର୍ଯ୍ୟ ପାଇଁ ନିଷ୍କାମ ଭାବରେ ନିଜକୁ ସମର୍ପଣ କରିଦେବା ପ୍ରଥମ ଆବଶ୍ୟକତା ଅଟେ । ମୋତେ ଏହା ଗୋଟିଏ ଅନିବାର୍ଯ୍ୟ ସର୍ତ୍ତଭଳି ଜଣା ପଡ଼ୁଛି । ଇଉରୋପରେ ରୋମାନ୍ କ୍ୟାଥିଲିକ୍ ସମ୍ପ୍ରଦାୟରୁ ସର୍ବୋତ୍ତମ ଶିକ୍ଷକମାନେ ବାହାରିଛନ୍ତି । କାରଣ ସେହି ଶିକ୍ଷକମାନେ ବେତନ ନେଉ ନାହାନ୍ତି କିମ୍ୱା ନେବାର ଆଶା କରୁ ନାହାନ୍ତି । ବର୍ମାର ଶିକ୍ଷକମାନେ ସ୍ୱୟ‌ଂସେବକ ହୋଇଥିବାରୁ ବର୍ମାର ବାଳକ ବାଳିକାମାନଙ୍କୁ ସେଠାରେ ବିଚାର ଅନୁସାରେ ପୂର୍ଣ୍ଣ ଶିକ୍ଷା ମିଳୁଛି । ପ୍ରାଚୀନ ଭାରତର ମଧ୍ୟ ଏହି ପ୍ରଥା ଅନୁସୁତ ହେଉଥିଲା ଏବଂ ଆଜି ମଧ୍ୟ ଗାଁର ପାଠଶାଳାର ଗୁରୁ ଦରିଦ୍ର ଅଟନ୍ତି । ଅଧ୍ୟାପକ ଗୋଖଲେ ଓ ପରାଞ୍ଜପେ ପୁନାର ଯେଉଁ ଫର୍ଗୁସନ କଲେଜର ଜ୍ୟୋତିର୍ମୟ ନକ୍ଷତ୍ର ଅଟନ୍ତିସେମାନେ ଆଧୁନିକ ରୂପରେ ସେହି ପୁରାତନ ପ୍ରଥାର ପୁନର୍ଜୀବନର ଉଦାହରଣ ଅଟନ୍ତି । 

ଦକ୍ଷିଣ ଆଫ୍ରିକାର ଯୁବକମାନଙ୍କ ଆଗରେ କର୍ତ୍ତବ୍ୟ ସରଳ ଓ ସୁସ୍ପଷ୍ଟ ଅଟେ । ସେମାନଙ୍କର ସମ୍ମୁଖରେ ଯେଉଁ କାର୍ଯ୍ୟ ପଡ଼ିରହିଛି ତାହା ଦିନକର ବା କେତେ ମାସର ନୁହେଁମାତ୍ର ବହୁ ବର୍ଷ ପାଇଁ ଏବଂ କଠିନ ପରିଶ୍ରମ ବ୍ୟତିରେକେ ତାହା ପୁରା ହୋଇପାରିବ ନାହିଁ । ସେମାନେ କେବଳ ଦାରିଦ୍ର୍ୟରେ ସନ୍ତୁଷ୍ଟ ହୋଇ ରହିଲେ ଯଥେଷ୍ଟ ହେବ ନାହିଁ । ଏହି କାର୍ଯ୍ୟ ପାଇଁ ସେମାନେ ନିଜକୁ ଉତ୍ତମ ରୂପେ ଶିକ୍ଷିତ କରାଇବା ଆବଶ୍ୟକ । ଏହି ଲକ୍ଷ୍ୟରେ ପହଞ୍ଚିବାକୁ ଅନ୍ୟ ସିଧା ବାଟ ନାହିଁ । ତାହା ବୋଲି ନିରାଶ ହେବାର କାରଣ ନାହିଁ । ଯଦି ଜଣେ ସୁଦ୍ଧା ଯୁବକ ନିଜର ଜୀବନ ଭାରତୀୟ ବାଳକମାନଙ୍କର ଉନ୍ନତି ପାଇଁ ଅର୍ପଣ ସ୍ଥିର କରିବାକୁ କରେତେବେ ସେ ଏହି କାର୍ଯ୍ୟକୁ ନିର୍ବାହ କରିପାରିବ ।... ଅନ୍ୟ ଲୋକେ ଆସିବେ ଓ କାମ ଆରମ୍ଭ କରିବେଏହି ଅପେକ୍ଷାରେ କେହି ବସି ରହିବା ଅନୁଚିତ । ଅନ୍ୟ କୌଣସି ଧନ୍ଦା ଏତେ ପବିତ୍ର ନୁହେଁ । 

ଗୋଟିଏ ସଂସ୍କୃତ ଶ୍ଲୋକରେ ଅଛି:
ବିଦ୍ୱତ୍ୱ‌ଂ ଚ ନୃପତ୍ୱଂ ତ ନୈବତୁଲ୍ୟ କଦାତନ
ସ୍ୱଦେଶେ ପୂଜ୍ୟତେ ରାଜା ବିଦ୍ୱାନ୍ ସର୍ବସ୍ତ୍ର ପୂଜ୍ୟତେ । 

ଧନ ଖର୍ଚ୍ଚ କଲେ ସରିଯାଏ; ମାତ୍ର ବିଦ୍ୟା ଅନ୍ୟକୁ ଦାନ କଲେ ବଢ଼େ ।

ଶ୍ରୀ ଦାଦାଭାଇ ନୌରୋଜୀଙ୍କର ଓ ନିଜର ଅଭିନନ୍ଦନ ଉତ୍ସବରେ ଅବସରରେ ଲଣ୍ତନ ଇଣ୍ତିଆନ୍ ସୋସାଇଟି ଆଗରେ ଅଧ୍ୟାପକ ଗୋଖଲେ ଯେଉଁ ଭାଷଣ ଦେଇଥିଲେ ମୁଁ ସେହି ଜ୍ଞାନଗର୍ଭକ ଉକ୍ତି ପ୍ରତି ଭାରତୀୟ ଯୁବକମାନଙ୍କର ଧ୍ୟାନ ମୋର ନିବେଦନର ଦ୍ୱାରା ଆକର୍ଷଣ କରୁଅଛି । ଭାରତର ସେହି ପିତାମହଙ୍କର ମହାନ୍ ଉଦାହରଣ ଶ୍ରୋତାମାନଙ୍କୁ ସ୍ପଷ୍ଟ କରିଦେବା ପରେ ସେ କହିଥିଲେ -

ଆମ୍ଭେ ଭୁଲିଯିବା ଅନୁଚିତ ଯେ ଆମକ ଚତୁଃପାର୍ଶ୍ୱରେ ଆପଣାର ଭୂମିକା ପୂରା କରିବାକୁ ଚାହୁଁ ଥାଉଁ ତେବେ ନିଜକୁ ଯୋଗ୍ୟ କରି ଦେଖାଇବାକୁ ହେବ । ମୋର ଧାରଣା ଯେ ଆମର କେତେକ ଯୁବକ ଦେଶସେବା ପାଇଁ ସର୍ବସ୍ୱ ଉତ୍ସର୍ଗ କରିଦେବାର ସମୟ ଆସିଗଲାଣି । ଆମ ଆଗରେ ଯେଉଁ ବିଶାଳ କର୍ତ୍ତବ୍ୟ ରହିଛି , ତାହାପାଇଁ ଏହା ବିରାଟ ଅହ୍ନାନ । ଯଦି ଆମ୍ଭେମାନେ ନିଜନିଜର ଧନ୍ଦାରେ ଲାଗି ରହିବୁଁ, ଆମର ଧ୍ୟାନ ମୁଖ୍ୟତଃ ବ୍ୟକ୍ତିଗତ ସ୍ୱାର୍ଥରେ ଲଗାଇବୁ ଏବଂ ଦେଶକୁ ତାହାର ଭାଗ୍ୟପଥରେ ଛାଡ଼ି ଦେବୁ, ତେବେ କାର୍ଯ୍ୟ ଯେଉଁ ଗତିରେ ଚାଲିଛି ତାହାଠାରୁ ଆଉ ଶୀଘ୍ର ଚାଲିବ ନାହିଁ ଏବ‌ଂ ଆମର ଆଉ ଅଭିଯୋଗ କରିବାର ଅଧିକାର ନ ଥିବ । ମୋ ମତରେ ଶିକ୍ଷାର ତାତ୍ପର୍ଯ୍ୟ ଶିକ୍ଷାର ପ୍ରାରମ୍ଭି୍କ ବିଷୟଗୁଡ଼ିକ ନୁହେଁ, ମାତ୍ର ନିଜର ଅଧିକାର, ନିଜର ପାଉଣା ଓ ଏହି ଅଧିକାର ସହିତ ଯେଉଁ ଦାୟିତ୍ୱ ଜଡ଼ିତ ଅଛି, ସେହି ଦାୟିତ୍ୱବୋଧ ଉପଲବ୍‌ଧି କରିବା । ଯେପର୍ଯ୍ୟନ୍ତ ଏ ଧରଣର ଶିକ୍ଷା ସର୍ବସାଧାରଣ ଲୋକଙ୍କ ମଧ୍ୟରେ ବିଶେଷ ପ୍ରଚାର ନ ହୋଇଛି, ସେ ପର୍ଯ୍ୟନ୍ତ ଆମର ଆଶା ତୁଚ୍ଛା ଆଶାରେ ହିଁ ରହିଥିବ । ଏଥି ପାଇଁ ଆମର ସମସ୍ୟାର ଏକମାତ୍ର ସମାଧାନ ହେଉଛି ଯେ, ଆମେ ଏହି୍ ଶିକ୍ଷାର ପରମ ଆବଶ୍ୟକତାକୁ ଉତ୍ତମ ରୂପେ ଉପଲବ୍ଧ କରୁଁ । ଏବଂ ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଏହାକୁ ପ୍ରସାର କରିବାକୁ ଯୋଗ୍ୟ, ସେମାନେ ନିଜର କର୍ତ୍ତବ୍ୟ ବୁଝି ଅଗ୍ରସର ହେଉନ୍ତୁ ଓ ଏହି କାର୍ଯ୍ୟକୁ ନିଜ କାନ୍ଧକୁ ନିଅନ୍ତୁ ।... କାରଣ ଆମେ ନିଜେ ବଡ଼ବଡ଼ ନ ହେଲେ ଆମ ସଙ୍ଖ୍ୟା ଏତେ ଅଧିକ ଯେ, ସଂସାରରେ କୌଣସି ଶକ୍ତି ଆମର ପ୍ରଗତିକୁ ବାଧା ଦେଇ ପାରିବ ନାହିଁ ।”

ମନେ ରଖିବା ଉଚିତ ଯେ, ଯେଉଁ ସତ୍ୟ ଅଧ୍ୟାପକ ଗୋଖେଲ ଏହି ପଦ ଗୁଡ଼ିକରେ ବ୍ୟକ୍ତି କଲେ, ସେ ଜୀବନରେ ତଦନୁରୂପ କୋଡ଼ିଏ ବର୍ଷ ଆଚରଣ କରି ସାରିଛନ୍ତି ଏବଂ ତାଙ୍କ କଥାରେ ଏପରି ଗୋଟିଏ ସୁଦ୍ଧା ବାକ୍ୟ ନାହିଁଯାହା ଦକ୍ଷିଣ ଆଫ୍ରିକାର ଭାରତୀୟମାନଙ୍କ ପ୍ରତି ପ୍ରଯୁଜ୍ୟ ହୋଇ ନ ପାରେ । ତେବେ କଅଣ କେହି ସମୟର ଅହ୍ନାନକୁ ଶୁଣି ଆଗକୁ ଆସିବେ ? ଯେଉଁ ଫସଲ ପାଚି ଯାଇ କଟା ହେବାକୁ ପ୍ରସ୍ତତ ଅଛି, ତାହା ପ୍ରଚୁର ଓ ସମୃଦ୍ଧ ଅଟେ ।

ଇଣ୍ତିଆନ୍ ଓପିନିଅନ୍, ତା୨୩-୧୨-୧୯୦୫ରିଖ

Friday, April 19, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ବାଳ ମନ୍ଦିରରେ ସଙ୍ଗୀତ ଓ ଇନ୍ଦ୍ରିୟ ଶିକ୍ଷା

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ମାରିଆ ମଣ୍ଟେସୋରି ବିକଶିତ କରିଥିବା ଶୈକ୍ଷଣିକ ସାମଗ୍ରୀ (ୱିକିମିଡ଼ିଆ କମନ୍ସ୍) 

ଶିକ୍ଷା କ୍ଷେତ୍ରରେ ଗିଜୁଭାଇଙ୍କ କାମକୁ ବିଶେଷ ପ୍ରଭାବିତ କରିଥିଲା ତାଙ୍କର ନିଜର ଅନୁଭୂତି । ପିଲାଦିନେ ଶିକ୍ଷା ନାଁରେ ସେ ଢେର ଯାତନା ଭୋଗିଥିଲେ ଏବଂ ପରେ ସ୍କୁଲ ସ୍କୁଲ ବୁଲି ବିଭିନ୍ନ ଅସୁବିଧା ଦେଖିଥିଲେ। ନିଜର ପ୍ରୟୋଗ ମାଧ୍ୟମରେ ସେସବୁକୁ ଦୂର କରିବା ହିଁ ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା । ତାଙ୍କର ପ୍ରଥମ ପ୍ରୟୋଗ କ୍ଷେତ୍ର ଥିଲା ଦକ୍ଷିଣାମୂର୍ତ୍ତି ବିନୟ ମନ୍ଦିର । ପରେ ତାଙ୍କର ଚିନ୍ତାକୁ ଆହୁରି ଆଗେଇ ନେବା ପାଇଁ ଛୋଟ ପିଲାଙ୍କ ପାଇଁ ବାଳ ମନ୍ଦିର ଗଢ଼ିଲେ। ଏହା ହେଲା ତାଙ୍କର ମୁଖ୍ୟ ପ୍ରୟୋଗଶାଳା ।ଗିଜୁଭାଇଙ୍କ ବାଳମନ୍ଦିରରେ ଶିକ୍ଷାର ମୁଖ୍ୟ ଅଙ୍ଗ ଥିଲା ସଙ୍ଗୀତ, ଇନ୍ଦ୍ରିୟ ଶିକ୍ଷା, ଶାନ୍ତି ଖେଳ, ଧନ୍ଦାମୂଳକ ଶିକ୍ଷା, ଭାଷା ଶିକ୍ଷା, ଗଣିତ ଶିକ୍ଷା, ପ୍ରକୃତି ପରିଚୟ, କାହାଣୀ, ଚିତ୍ର, ନାଟକ ଓ ଖେଳ ଆଦି । ଏସବୁର ରୂପରେଖର ଆଭାସ ତଳେ ରହିଛି । 


ସଙ୍ଗୀତ ଶିକ୍ଷା

ସଙ୍ଗୀତ ଶିକ୍ଷାରେ ଗୀତ, ଶିଶୁଗୀତ, ଲୋକଗୀତ, ତାଳଲୟ ଥିବା ଗୀତ, ଦାଣ୍ଡିଆ ରାସ ଆଦି ମୁଖ୍ୟ ଥିଲା। ଏହା ଛଡ଼ା ନାଚ, ନାଚର ଗୀତ, ପାରାୟଣ ଏବଂ ରାସ ବି ଏଥିରେ ସାମିଲ ଥିଲା । ଗ୍ରାମୋଫୋନ ରେକର୍ଡ, ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ସେ ଛାଡୁ ନ ଥିଲେ । ଗିଜୁଭାଇ ମାନସିକ ଶାନ୍ତି, ଜୀବନର ଆନନ୍ଦ ତଥା ବିକାଶର ପରିପ୍ରକାଶ ପାଇଁ ସଙ୍ଗୀତକୁ ବ୍ୟବହାର କରୁଥିଲେ । ଭାଷା ଶିକ୍ଷାରେ ମଧ୍ୟ ଏହା କାମରେ ଲାଗୁଥିଲା।

ଇନ୍ଦ୍ରିୟ ଶିକ୍ଷା 

ମଣ୍ଟେସୋରିଙ୍କ ପଦ୍ଧତିକୁ ଆଖି ଆଗରେ ରଖି ଗିଜୁଭାଇ ଇନ୍ଦ୍ରିୟ ଶିକ୍ଷା ବିକଶିତ କରିଥିଲେ । ଡେଙ୍ଗା-ଗେଡ଼ା, ହାଲୁକା-ଓଜନିଆ, ଛୋଟ-ବଡ଼, ନରମ-ଟାଣ, ପାଲିସ-ଖଦଖଦଡ଼ିଆ ଆଦି ଜାଣିବା ପାଇଁ ବିଭିନ୍ନ ପ୍ରକାରର ଉପକରଣ ସେ ବାହାର କରିଥିଲେ । ଗରମ-ଥଣ୍ଡା ବା ବିଭିନ୍ନ ବାସ୍ନା ଜାଣିବା ପାଇଁ ଆଜି ଭଳି ଏତେ ଉନ୍ନତ ଉପକରଣମାନ ସେତେବେଳେ ନ ଥିଲା । ଛୋଟ ଗିନାରେ ଗରମ ଓ ଥଣ୍ଡା ପାଣି ରଖି ଏସବୁ କରା ଯାଉଥିଲା । ବିଭିନ୍ନ ଶଦ୍ଦ ଜାଣିବା ପାଇଁ ସୁନ୍ଦର ଘଣ୍ଟି ଥିଲା । ଏ ଘଣ୍ଟିଗୁଡ଼ିକ ଆଜିକାଲି ପ୍ରାୟ ଆଉ ମିଳୁ ନାହିଁ । ତାଳ ଲୟର ଜ୍ଞାନ ଦେବା ପାଇଁ ଗିଜୁଭାଇ ବିଶେଷ ଚେଷ୍ଟା କରୁଥିଲେ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Wednesday, April 17, 2019

ପିଲାଙ୍କ ଢଗଢମାଳି - ୨

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଇଣ୍ଡୋନେସିଆ ଦେଶର ବାଉଁଶକାମ (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)


୬ 

ଅଇଲି,
ମୋ କଥାଟିକି ଘୋଡ଼େଇ ପକେଇ ତୋ କଥାଟିକି କହିଲି ।
ଅର୍ଥ - ନିଜର ଦୋଷ ଦୁର୍ବଳତାକୁ ଘୋଡ଼େଇ ପକେଇ ଅନ୍ୟର ଦୋଷ ଓ ଦୁର୍ବଳତାକୁ ବଖାଣିବା ।



ଅଇଲେ ନାରଦ ମୁନି
କଳି କୋଥଳି କି କାଖରେ ଘେନି ।
ଅର୍ଥ - ନାରଦ ମୁନି... ପରସ୍ପର ଭିତରେ କଳି ଲଗାଇ ଦେଉ ଥିବାର ପୁରାଣରେ ବର୍ଣ୍ଣନା ଅଛି । ଆମ ସମାଜରେ ମଧ୍ୟ ଏପରି ଲୋକ ଅଛନ୍ତି, ଯେଉଁମାନେ କଜିଆ ଲଗାଇ ଖୁସି ହୁଅନ୍ତି ।...


ଅଉଲରୁ ବିଗିଡ଼ା, କେବେ ନୁହେଁ ସଜଡ଼ା
ଅର୍ଥ - ଆରମ୍ଭରୁ ଯାହା ବିଗିଡ଼ି ଯାଏ, ତାହା କେବେ ସଜାଡ଼ି ହୁଏ ନାହିଁ ।


ଅକଡ଼େଇବା
ଅର୍ଥ - ଅସୁବିଧାରେ ପକାଇବା ।

୧୦

ଅକର୍ମଶିଳା, କୁଳ ବାଳୁଙ୍ଗା ।
ଅର୍ଥ - ଭଲ କର୍ମ ନ କଲେ, ଜୀବନ ବୃଥା ହୁଏ ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ପ୍ରକାଶିତ କରିଥିଲେ ।

Wednesday, April 10, 2019

ଅଶୋକଙ୍କ ରାଜ୍ୟଶାସନ ପ୍ରଣାଳୀ


କେଦାରନାଥ ମହାପାତ୍ର


ରାଣୀଙ୍କ ସହ ଅଶୋକ (ସାରନାଥଠାରେ ସ୍ଥିତ)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ଅଶୋକ ଚନ୍ଦ୍ରଗୁପ୍ତଙ୍କ ଶାସନ ପ୍ରଣାଳୀ ଅନୁସାରେ ଦେଶ ଶାସନ କରୁଥିଲେ । ସେ ବଡ ଉଦାର, ଦୟାଳୁ ଓ ଧାର୍ମିକ ଥିଲେ । ସେ କହୁଥିଲେ, “ପ୍ରଜାମାନେ ମୋର ପୁଅ ପରି । ସେମାନଙ୍କର କୌଣସି ଦୁଃଖ କଷ୍ଟ ଓ ଅସୁବିଧା ନ ହେବା ପାଇଁ ମୁଁ ସର୍ବଦା ଚେଷ୍ଟା କରିବି । ପ୍ରଜାମାନେ ଯେ କୌଣସି ସମୟରେ, ଯେ କୌଣସି ସ୍ଥାନରେ ମୋ ପାଖକୁ ଆସି ସେମାନଙ୍କର ହାରିଗୁହାରି ଜଣାଇ ପାରିବେ । ମୁଁ ସେମାନଙ୍କର ସେବକ । ପ୍ରଜାମାନଙ୍କର ସେବା କରିବା ପାଇଁ ଓ ସେମାନଙ୍କର ଋଣ ପରିଶୋଧ କରିବା ପାଇଁ ମୁଁ ରାଜା ହୋଇ ଜନ୍ମ ହୋଇଛି ।” ରାଜ୍ୟଶାସନର ଏପରି ଉଚ୍ଚ ଆଦର୍ଶ ସମଗ୍ର ପୃଥିବୀରେ ମଧ୍ୟ ବିରଳ ।

ରାଜ୍ୟଶାସନ ପାଇଁ ସମଗ୍ର ରାଜ୍ୟ ଚାରି ଭାଗରେ ବିଭକ୍ତ ହୋଇଥିଲା ପ୍ରତ୍ୟେକ ବିଭାଗର ଶାସନ ପାଇଁ ତାର ରାଜଧାନୀରେ ଜଣେ ଲେଖାଁଏ ଶାସନକର୍ତ୍ତା ଥିଲେ । ଏହି ଚାରି ଜଣ ଶାସନକର୍ତ୍ତା, ଜଣେ ତକ୍ଷଶିଳାରେ, ଜଣେ ଉଜ୍ଜୟିନୀରେ, ଜଣେ ସୁବର୍ଣ୍ଣଗିରି (ମହୀଶୂର ଅନ୍ତର୍ଗତ)ରେ ଓ ଚତୁର୍ଥ ବ୍ୟକ୍ତି କଳିଙ୍ଗ ବିଭାଗର ରାଜଧାନୀ ତୋଷାଳିରେ ରହୁ ଥିଲେ । ତୋଷାଳି ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳି ବୋଲି ପଣ୍ଡିତମାନେ ସ୍ଥିର କରିଛନ୍ତି । 

ନିଜେ ମହାରାଜା ପାଟଳୀପୁତ୍ରରେ ରହୁଥିଲେ । ସେ ସମୟ ସମୟରେ ରାଜ୍ୟ ଖବର ବୁଝିବା ପାଇଁ ସମଗ୍ର ରାଜ୍ୟରେ ଗସ୍ତ କରୁଥିଲେ । ସେ ମନ୍ତ୍ରୀସଭାର ପରାମର୍ଶରେ ରାଜ୍ୟ ଶାସନ କରୁଥିଲେ । ଏହି ପରି ସୁଖରେ ୪୦ ବର୍ଷ ରାଜ୍ୟ ପାଳନ କରି ସେ ଖ୍ରୀ: ପୂ: ୨୩୨ରେ ଦେହତ୍ୟାଗ କଲେ । ପୃଥିବୀରେ ବୌଦ୍ଧଧର୍ମ ଥିବା ପର୍ଯ୍ୟନ୍ତ ତାଙ୍କର ନାମ ଚିରସ୍ମରଣୀୟ ହୋଇ ଥିବ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Sunday, April 07, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'ଜାତୀୟ ବିଶ୍ୱବିଦ୍ୟାଳୟ'


ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୧୩ରେ ସୋନିଆ ସ୍ଲେସିନ୍ ଓ ହର୍ମାନ୍ କାଲେନ୍‌ବାକ୍‌ଙ୍କ ସହ ଗାନ୍ଧୀ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ଆଜି ଜାତୀୟ ବିଶ୍ୱବିଦ୍ୟାଳୟ ଇଂରେଜମାନଙ୍କର ଅତ୍ୟାଚାର ବିରୋଧରେ ପ୍ରତିବାଦ ଓ ଜାତୀୟ ମର୍ଯ୍ୟାଦାକୁ (ବିଦେଶୀ ଆମନ୍ତ୍ରଣରୁ) ସଂରକ୍ଷଣ ଉଦ୍ଦେଶ୍ୟରେ ଦଣ୍ତାୟମାନ ଆଦର୍ଶରୁ ପ୍ରେରଣା ପାଉଅଛି । ଏହି ବିଶ୍ୱବିଦ୍ୟାଳୟ ପରମେଶ୍ୱରଙ୍କ ସତ୍ତାରେ ଏପରି ଏକ ବିଶ୍ୱାସର ପ୍ରତୀକ ଯାହା ହିନ୍ଦୁମାନଙ୍କର ଧର୍ମ ଏବଂ ମୁସଲମାନଙ୍କର ଇସଲାମ୍ । ଅନ୍ୟାୟ ଭାବରେ ବିସ୍ତୃତ ଗର୍ଭରେ ନିକ୍ଷିପ୍ତ ଭାରତୀୟ ଭାଷାଗୁଡ଼ିକ ଉଦ୍ଧାର କରି ସେଗୁଡ଼ିକ ରାଷ୍ଟ୍ରୀୟ ପୁନଜୀବନ ଓ ଭାରତୀୟ ସଂସ୍କୃତିର ନିର୍ଝରିଣୀରେ ପରିଣତ କରିବାକୁ ଏହି ବିଶ୍ୱବିଦ୍ୟାଳୟ ଚାହେଁ । ଜୀବନ ପାଇଁ ପୂର୍ଣ୍ଣାଙ୍ଗ ଶିକ୍ଷା ଉଦ୍ଦେଶ୍ୟରେ ଏସିଆର ସଂସ୍କୃତିସମୂହ ସମ୍ୱନ୍ଧରେ ଧାରାବାହିକ ଅଧ୍ୟୟନ ପାଶ୍ଚାତ୍ୟ ବିଜ୍ଞାନର ଅଧ୍ୟୟନ 
ଅପେକ୍ଷା ଊଣା ଆବଶ୍ୟକ ନୁହେଁ ଏହା ବିଶ୍ୱବିଦ୍ୟାଳୟ ମନେ କରେ । 

ଜାତି ପାଇଁ ଶକ୍ତିର ଉତ୍ସ କେଉଁଠାରେ ନିହିତ ଅଛି ,ତାହା ଆବିଷ୍କାର କରିବା ପାଇଁ ସଂସ୍କତ, ଆରବୀ, ପାର୍ଶୀପାଲୀ ଓ ମାଗଧୀ ଭାଷାଗୁଡ଼ିକରେ ଥିବା ବିଶାଳ ରତ୍ନଭଣ୍ତାରକୁ ତନ୍ନତନ୍ନ ଅନୁସନ୍ଧାନ କରି ଦେଖିବାକୁ ହେବ । ପ୍ରାଚୀନ ସଂସ୍କୃତିକୁ ନେଇ ବଞ୍ଚିବା କିମ୍ୱା ତାହାର ପୁନରାବୃତ୍ତି କରିବା ଏହି ବିଦ୍ୟାପୀଠର ଲକ୍ଷ୍ୟ ନୁହେଁ । ଅତୀତର ଐତିହ୍ୟ ଓ ପରବର୍ତ୍ତୀ କାଳର ଅନୁଭୂତିର ସମୃଦ୍ଧିକୁ ଭିତ୍ତି କରି ଏବଂ ଏହା ଏକ ନୂତନ ସଂସ୍କୃତ ରଚନା କରିବାକୁ ଇଚ୍ଛା କରେ । ଯେଉଁ ସବୁ ସଂସ୍କୃତି  ଭାରତରେ ସ୍ଥାୟୀ ହୋଇ ଗଲାଣି ବୋଲି ବିବେଚିତ ହେଉଅଛି, ଯେଉଁଗୁଡ଼ିକ ଭାରତୀୟ ଜୀବନକୁ ପ୍ରଭାବିତ କରିଅଛି, ଏବଂ ଅପର ପକ୍ଷରେ ଏହି ଦେଶର ଆଧ୍ୟାତ୍ମିକ ଚିନ୍ତା ଦ୍ୱାରା ପ୍ରଭାବିତ ହୋଇଅଛି, ସେହି ସବୁ ବିଭିନ୍ନ ସଂସ୍କୃତିର ସମନ୍ୱୟ ଏହାର କାମ୍ୟ ଅଟେ । ଏହି ସମନ୍ୱୟ ସ୍ୱାଭାବିକ ଭାବରେ ସ୍ୱଦେଶୀ ଧରଣର ହେବ ଓ ଏଠାରେ ପ୍ରତ୍ୟେକ ସଂସ୍କୃତିକୁ ତାହାର ଯଥାଯୋଗ୍ୟ ମର୍ଯ।ଦା ମିଳିବ । 

ଯେଉଁ ଆମେରିକା ଦେଶୀୟ ନମୁନାରେ ଗୋଟିଏ ଶକ୍ତିଶାଳୀ ସଂସ୍କୃତି ଅନ୍ୟଗୁଡ଼ିକୁ ଗ୍ରାସ କରିଦିଏ ଏବ‌ଂ ଯେଉଁଠାରେ ସ୍ୱେଚ୍ଛାକୃତ ଐକ୍ୟ ପରିବର୍ତ୍ତେ ଏକ ପ୍ରକାର ଅସ୍ୱାଭାବିକ ଓ ବାଧ୍ୟତାମୂଳକ ଏକକୀକରଣ ପ୍ରତିଷ୍ଠିତ ହୋଇଛିଆମେ ସେ ଧରଣର ସମନ୍ୱୟ ଚାହୁଁ ନାହିଁ । ସେଥି ଲାଗି ଆମର ବିଶ୍ୱବିଦ୍ୟାଳୟ ଚାହେଁ ଯେ, ଛାତ୍ରମାନେ ସମସ୍ତ ଭାରତୀୟ ଧର୍ମ ଅଧ୍ୟୟନ କରନ୍ତୁ । ଏହି ରୂପେ ହିନ୍ଦୁମାନେ କୋରାନ୍ ଶରୀଫ୍ ପାଠ କରିବାର ସୁଯୋଗ ପାଇବେ ଏବଂ ହିନ୍ଦୁ ଶାସ୍ତ୍ରଗୁଡ଼ିକରେ କଅଣ ଲେଖାଅଛି ତାହା ମୁସଲମାନମାନେ ଜାଣିବାର ସୁଯୋଗ ପାଇବେ । 

ଯଦି ବିଶ୍ୱବିଦ୍ୟାଳୟ କିଛି ବର୍ଜନ କରିଛି, ତେବେ ତାହା ହେଉଛି, ଯେଉଁ ମନୋବୃତ୍ତି ମାନବ ସମାଜର କୌଣସି ଅଂଶକୁ ସ୍ଥାୟୀ ରୂପେ ଅସ୍ପୃଶ୍ୟ ବୋଲି ମନେ କରେ, ସେହି ମନୋବୃତ୍ତିର ବର୍ଜନ । ଯେଉଁ ହିନ୍ଦୁସ୍ଥାନୀ ଭାଷା ସଂସ୍କୃତ, ହିନ୍ଦୀ ଓ ପାର୍ସୀ ଶବ୍ଦଯୁକ୍ତ ଉର୍ଦ୍ଦୁର ରାଷ୍ଟ୍ରୀୟ ସମ୍ମିଶ୍ରଣ, ତାହାର ଅଧ୍ୟୟନକୁ ଏଠାରେ ବାଧ୍ୟତାମୂଳକ କରା ଯାଇଛି । କେବଳ ଧର୍ମ, ରାଜନୀତି ଓ ଇତିହାସ ଜରିଆରେ ନୁହେଁମାତ୍ର ବୃତ୍ତିମୂଳକ ଶିକ୍ଷା ଜରିଆରେ ସ୍ୱାଧୀନତାର ସ୍ଫୃହାକୁ ପରିପୁଷ୍ଟ କରିବାକୁ ହେବ । ବୃତ୍ତିମୂଳକ ଶିକ୍ଷା ଦେଶର ଯୁବକ ଯୁବତୀମାନଙ୍କ ମନରେ ଅର୍ଥନୈତିକ ସ୍ୱାଧୀନତା ଓ ଆତ୍ମସମ୍ମାନ ବୋଧର ଦୃଢ଼ତା ଆଣି ଦେବ । 

ବିଶ୍ୱବିଦ୍ୟାଳୟ ଆଶା କରେ ଯେ, ମଫସଲ ଅଞ୍ଚଳରେ ଉଚ୍ଚ ବିଦ୍ୟାଳୟମାନ ପ୍ରତିଷ୍ଠା କରି ଶିକ୍ଷା ବିସ୍ତାର କରିବ ଏବଂ ଏହି ରୂପେ ଯଥାସମ୍ଭବ ଶୀଘ୍ର ଉପର ସ୍ତରରୁ ଲୋକ ସାଧାରଣ ମଧ୍ୟକୁ ସଞ୍ଚରିଯିବ । ଗୁଜୁରାତୀ ଭାଷାକୁ ଶିକ୍ଷାର ମାଧ୍ୟମ କରିବା ଫଳରେ ଏହି ପ୍ରକିୟା ସହଜ ହେବ ଏବ‌ଂ ଅନତିବିଳମ୍ୱରେ ଶିକ୍ଷିତ ଓ ଅଶିକ୍ଷିତଙ୍କ ମଧ୍ୟରେ ଥିବା ଆତ୍ମଘାତୀ ବ୍ୟବଧାନ ବି ଦୂରିତ ହେବ । ସମ୍ଭ୍ରାନ୍ତ ଶ୍ରେଣୀକୁ ଶିଳ୍ପ ଶିକ୍ଷା, ଏବଂ ଶ୍ରମିକ ଶ୍ରେଣୀକୁ ପୁସ୍ତକଗତ ଶିକ୍ଷା ଦେବା ଫଳରେ ଉଭୟ ଶ୍ରେଣୀ ମଧ୍ୟରେ ଥିବା ଧନ ବିତରଣର ଅସମାନତା ଏବଂ ତଦ୍‌ଜନିତ ସାମାଜିକ ଅସନ୍ତୋଷ ବହୁ ପରିମାଣରେ ବାଧାପ୍ରାପ୍ତ ହେବ । 

ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ସବୁଠାରୁ ବଡ଼ ତ୍ରୃଟି ହେଉଛି, ସେଗୁଡ଼ିକର ବିଦେଶୀ ନିୟନ୍ତ୍ରଣ ଓ ବଡ଼ ଚାକିରୀ ସମ୍ୱନ୍ଧୀୟ ଭ୍ରମାତ୍ମକ ମୂଲ୍ୟବୋଧ । ଗୁଜୁରାଟ ବିଶ୍ୱବିଦ୍ୟାଳୟ ସରକାର ସହିତ ଅସହଯୋଗ କରିବା ହେତୁରୁ, ତାହାର ନିଜ ପଦ୍ଧତିରୁ ଏହି ଦୁଇଟିଯାକ ଦୋଷ ସ୍ୱତଃ ଦୂର କରି ଦେଇଛି । ଯଦି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ପୃଷ୍ଠପୋଷକଗଣ ସରକାର ସ୍ୱଦେଶୀ ହେବା ପର୍ଯ୍ୟନ୍ତ ଏହି ପ୍ରତିଜ୍ଞାରେ ଦୃଢ଼ ରହନ୍ତି, ତେବେ ରାଷ୍ଟ୍ରୀୟ ଆଦର୍ଶ ଓ ରାଷ୍ଟ୍ରୀୟ ଆବଶ୍ୟକତାର ପୃଷ୍ଠ ଧାରଣା ପୋଷଣ କରିବା ଦିଗରେ ଏହା ବିଶେଷ ସହାୟକ ହେବ ।

Thursday, April 04, 2019


ଓଡ଼ିଶାର ଭୂଗୋଳ - ନଦୀ ବିନ୍ୟାସ ଏବଂ ଜଳାଧାର

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ଧଉଳି ସ୍ତୁପ ଉପରୁ ଦୟା ନଦୀର ଦୃଶ୍ୟ (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)


ଓଡ଼ିଶାର ସମସ୍ତ ନଦୀ ମୂଖ୍ୟତଃ ଉପଦ୍ୱୀପୀୟ ନଦୀ ଏବଂ ତିନୋଟି ପ୍ରମୁଖ ଉତ୍ପତ୍ତିସ୍ଥଳରୁ ଏଗୁଡ଼ିକ ସୃଷ୍ଟି ହୋଇଛି । ସେଗୁଡ଼ିକ ହେଲା ଉତ୍ତରରେ ଝାଡ଼ଖଣ୍ତର ଛୋଟନାଗପୁର ମାଳଭୂମି, ପଶ୍ଚିମରେ ମଧ୍ୟପ୍ରଦେଶର ଅମରକଣ୍ଟକ ମାଳଭୂମି ଏବଂ ଓଡ଼ିଶା ଭିତରେ ପୂର୍ବଘାଟ ପର୍ବତମାଳା ।

ଏସବୁ ନଦୀ ତୁଷାପୁଷ୍ଟ ହୋଇନଥିବାରୁ ଅନେକ ଚିରସ୍ରୋତା ନୁହନ୍ତି । ଓଡ଼ିଶାର ଅଧିକାଂଶ ପ୍ରମୁଖ ନଦୀଗୁଡ଼ିକର ଉତ୍ସ ହେଉଛି ଓଡ଼ିଶା ସୀମାର ବାହାରେ । ଏଥି ଭିତରୁ ଯେଉଁ ନଦୀଗୁଡ଼ିକର ସୃଷ୍ଟି ଓଡ଼ିଶା ଭିତରେ ହୋଇଛି, ସେଗୁଡ଼ିକ ହୁଏତ କ୍ଷୁଦ୍ର ଏବଂ ସ୍ଥାନୀୟ ଭାବରେ ପରିଚିତ କିମ୍ୱା ଓଡ଼ିଶା ବାହାରୁ ବହି ଆସୁଥିବା ବଡ଼ ନଦୀର ଦ୍ୱିତୀୟ, ତୃତୀୟ, ଏଭଳି କି ଚତୁର୍ଥସ୍ତରୀୟ ଉପନଦୀ ମାତ୍ର । 

ସମସ୍ତ ପ୍ରଥମ ସ୍ତରର ନଦୀ ବଙ୍ଗୋପସାଗରେ ପଡ଼ି ଅଛନ୍ତି । ଉତ୍ପତ୍ତି ସ୍ଥଳ ଅନୁସାରେ, ଓଡ଼ିଶାର ନଦୀଗୁ଼ଡ଼ିକୁ ନିମ୍ନମତେ ବିଭକ୍ତ କରାଯାଇ ପାରେ ।

ବିଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Tuesday, April 02, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ବିଦ୍ୟାଳୟର ପରିବେଶ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଆରବ ଦେଶର ଏକ ବିଦ୍ୟାଳୟର ଚିତ୍ର (ଉନବିଂଶ ଶତାବ୍ଦୀରେ ଅଙ୍କିତ)
ଚିତ୍ରକର - ଜନ୍ ଫ୍ରେଡେରିକ୍ ଲୁଇସ୍ (୧୮୦୫ - ୧୮୭୬)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ପିଲାମାନଙ୍କୁ ଗୋଟିଏ ଭଲ ପରିବେଶ ଓ ସ୍ୱାଧୀନତା ଦିଆଗଲେ ସେମାନଙ୍କର ଶିକ୍ଷା ନିଶ୍ଚୟ ଭଲ ହେବ । ଶାରୀରିକ ବିକାଶ ପାଇଁ ଖୋଲା ପବନ, ପରିଷ୍କାର ସ୍ଥାନପରିଷ୍କାର ଶୌଚାଗାର, ଯଥେଷ୍ଟ ସ୍ଥାନ ଥିବା ଶ୍ରେଣୀ ଗୃହ, ପୁଷ୍ଟିକର ଖାଦ୍ୟ, ବଗିଚା ଆଦି ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଆବଶ୍ୟକ ।

ପିଲାଙ୍କର ମାନସିକ ବିକାଶ ପାଇଁ ଯଥେଷ୍ଟ ସ୍ଥାନ, ଉପଯୁକ୍ତ ଉପକରଣ, ସରସ ବାତାବରଣ ଆଦି ମଧ୍ୟ ଅତି ଜରୁରି । ପିଲାଙ୍କୁ ସାଙ୍ଗମାନଙ୍କ  ସହ ଏକାଠି ରହିବାର ସୁଯୋଗ ଦିଆ ଗଲେ, ତାହା ସେମାନଙ୍କର ମାନସିକ ବିକାଶ ଦିଗରେ ସହାୟକ ହେବ ।

ଆଧ୍ୟାତ୍ମିକ ବିକାଶ ପାଇଁ ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ, ସାହିତ୍ୟାଭ୍ୟାସ, ଭଲ ସାଙ୍ଗ ତଥା ବିଦ୍ୟାଳୟର ଆଦର୍ଶ ବାତାବରଣ ନିତାନ୍ତ ଜରୁରି । ବିଦ୍ୟାଳୟଗୁଡ଼ିକ ସହରର କୋଳାହଳମୟ ବାତାବରଣଠାରୁ ଦୂରରେ ରହିବା ଉଚିତ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।