Monday, April 29, 2019

ଅଶୋକଙ୍କ ପରେ ଭାରତର ଅବସ୍ଥା

କେଦାରନାଥ ମହାପାତ୍ର


ଭୁବନେଶ୍ୱରର ଉଦୟଗିରି ପାହାଡ଼ରେ ସ୍ଥିତ ଜୈନ କୀର୍ତ୍ତି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଅଶୋକଙ୍କ ମୃତ୍ୟୁ ପରେ ତାଙ୍କର ବଂଶଧରମାନେ ଦୁର୍ବଳ ହୋଇ ପଡିଲେ । ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ପୁନର୍ବାର କ୍ଷୁଦ୍ର କ୍ଷୁଦ୍ର ସ୍ୱାଧୀନ ରାଜ୍ୟରେ ବିଭକ୍ତ ହେଲା ।

ସୁଙ୍ଗ ବଂଶ

ପୁଷ୍ପମିତ୍ର ନାମକ ଜଣେ ସେନାପତି ଶେଷ ମୌର୍ଯ୍ୟ ରାଜା ବୃହଦ୍ରଥଙ୍କୁ ମାରି ମଗଧର ରାଜା ହେଲେ (ଖ୍ରୀ: ପୂ: ୧୮୫) ତାଙ୍କଦ୍ୱାରା ପ୍ରତିଷ୍ଠିତ ବଂଶର ନାମ ସୁଙ୍ଗ ବଂଶ ବା ମିତ୍ର ବଂଶ । ସେ ବଡ଼ କ୍ଷମତାଶାଳୀ ରାଜା ଥିଲେ ଓ ଦୁଇଟି ଅଶ୍ୱମେଧ ଯଜ୍ଞ କରିଥିଲେ । ସେ ଗ୍ରୀକମାନଙ୍କୁ ପରାସ୍ତ କରିଥିଲେ । ସୈନ୍ଧବ ପ୍ରଦେଶ ଓ କଳିଙ୍ଗକୁ ଛାଡ଼ି ସେ ସମଗ୍ର ଉତ୍ତର ଭାରତରେ ରାଜତ୍ୱ କରୁଥିଲେ । ତାଙ୍କ ପରେ ଏହି ବଂଶ ଦୁର୍ବଳ ହୋଇ ପଡିଲା । ସୁଙ୍ଗମାନେ ୧୧୨ ବର୍ଷ ରାଜତ୍ୱ କରିଥିଲେ ।

କାଣ୍ୱ ବଂଶ 

ମିତ୍ର ବଂଶର ଶେଷ ରାଜାଙ୍କୁ ମାରି ତାଙ୍କର ବ୍ରାହ୍ମଣ ମନ୍ତ୍ରୀ ବାସୁଦେବ ମଗଧରେ କାଣ୍ୱ ବଂଶ ପ୍ରତିଷ୍ଠା କରିଥିଲେ । ଏହି ବଂଶର ଚାରି ଜଣ ରାଜା ପ୍ରାୟ ୪୫ ବର୍ଷ ରାଜତ୍ୱ କରିଥିଲେ । ଆନ୍ଧ୍ର ବଂଶୀୟ ଜଣେ ରାଜା ଏହି ବଂଶ ଧ୍ୱଂସ କରି ମଗଧ ଅଧିକାର କରିଥିଲେ ।

ଚେତ ବଂଶ ଓ ଖାରବେଳ 

ଅଶୋକଙ୍କ ମୃତ୍ୟୁ ପରେ କଳିଙ୍ଗ ବା ଆମ୍ଭ ଓଡ଼ିଶା ପ୍ରଦେଶ ସ୍ୱାଧୀନ ହୋଇ ପଡ଼ିଲା । ଏଠାରେ ଚେତ ବଂଶ ରାଜାମାନେ ରାଜତ୍ୱ କଲେ । ଏହି ବଂଶର ପଞ୍ଚମ ରାଜା ଖାରବେଳ ପ୍ରାଚୀନ ଭାରତର ଜଣେ କ୍ଷମତାଶାଳୀ ରାଜା ଥିଲେ । ସେ ଆନ୍ଧ୍ର ରାଜା ସାତକର୍ଣ୍ଣୀଙ୍କୁ ପରାସ୍ତ କରିଥିଲେ । ସେ ମଥୁରା ଓ ସମଗ୍ର ଉତ୍ତରପଥ (ପଞ୍ଜାବ ଅଞ୍ଚଳ) ଜୟ କରିଥିଲେ । ଅଙ୍ଗ ମଗଧର ରାଜା ବୃହସ୍ପତି ମିତ୍ରଙ୍କୁ ଦୁଇ ଥର ପରାସ୍ତ କରିଥିଲେ ଓ ପାଟଳୀପୁତ୍ରରୁ କଳିଙ୍ଗ ଜୀନମୂର୍ତ୍ତି ଘେନି ଆସିଥିଲେ । ଦକ୍ଷିଣରେ ଥିବା ପାଣ୍ଡ୍ୟ ରାଜ୍ୟର ଶାସକ ତାଙ୍କର ଅଧୀନତା ସ୍ୱୀକାର କରିଥିଲେ । କଳିଙ୍ଗ ନଗର ତାଙ୍କର ରାଜଧାନୀ ଥିଲା । ସେ ଜୈନ ଧର୍ମାବଲମ୍ୱୀ ଥିଲେ ଓ ଏହି ଧର୍ମର ଉନ୍ନତି ପାଇଁ ବିଶେଷ ଚେଷ୍ଟା କରିଥିଲେ । ଜୈନ ମୂନି ଋଷିମାନଙ୍କ ପାଇଁ ଭୁବନେଶ୍ୱର ନିକଟବର୍ତ୍ତୀ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ୧୨୦ଟି ସୁନ୍ଦର ଗୁମ୍ଫା ଖୋଳାଇ ଥିଲେ । ତାଙ୍କର ଗୋଟିଏ ଶିଳାଲିପି ଉଦୟଗିରିର ହାତୀଗୁମ୍ଫାରେ ଅଦ୍ୟାପି ଦେଖାଯାଏ । ସେ ଖ୍ରୀ: ପୂ: ୧୮୮ରୁ ପ୍ରାୟ ୧୪ ବର୍ଷ ରାଜତ୍ୱ କରିଥିଲେ । ତାଙ୍କ ପରି ପରାକ୍ରମଶାଳୀ ଜୈନ ନୃପତି ଭାରତବର୍ଷରେ ଆଉ କେହି ନ ଥିଲେ ।

ଆନ୍ଧ୍ର ବଂଶ
ଆନ୍ଧ୍ରମାନେ ବିନ୍ଧ୍ୟଗିରି ଓ ଗୋଦାବରୀ ନଦୀ ମଧ୍ୟବର୍ତ୍ତୀ ପ୍ରଦେଶରେ ବାସ କରୁଥିଲେ । ଅଶୋକଙ୍କ ମୃତ୍ୟୁ ପରେ ଆନ୍ଧ୍ରମାନେ ସ୍ୱାଧୀନ ହୋଇଗଲେ । ଗୌତମୀପୁତ୍ର ଶ୍ରୀ ସାତକର୍ଣ୍ଣୀ ଓ ଯଜ୍ଞଶ୍ରୀ ସାତକର୍ଣ୍ଣୀ ଏହି ବଂଶର ଦୁଇ ଜଣ ଶ୍ରେଷ୍ଠ ରାଜା । ଗୌତମୀପୁତ୍ର ବୌଦ୍ଧ ଧର୍ମର ଓ ଯଜ୍ଞଶ୍ରୀ ବ୍ରାହ୍ମଣ୍ୟ ଧର୍ମର ବିଶେଷ ଉନ୍ନତି କରିଥିଲେ । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଏହି ବଂଶର ରାଜାମାନେ ଉଜ୍ଜୟିନୀର ରାଜାମାନଙ୍କ ସହିତ ସର୍ବଦା ଯୁଦ୍ଧ କରୁଥିଲେ । ଶ୍ରୀଧାନ୍ୟକଟକ ଆନ୍ଧ୍ରପ୍ରଦେଶର ରାଜଧାନୀ ଥିଲା । ତେଲୁଗୁମାନେ ଆନ୍ଧ୍ରମାନଙ୍କର ବଂଶଧର ।

ଗ୍ରୀକ 

ଅଶୋକଙ୍କ ମୃତ୍ୟୁ ପରେ ଗ୍ରୀକ୍‌ମାନେ ପଞ୍ଜାବ ଅଞ୍ଚଳରେ କ୍ଷମତାଶାଳୀ ହୋଇଥିଲେ । ଡିମେଟ୍ରିୟାସ୍ ନାମକ ଗ୍ରୀକ୍ ରାଜା ପଞ୍ଜାବ ଓ ସିନ୍ଧୁ ପ୍ରଦେଶ ଅଧିକାର କରିଥିଲେ । ଶାକଳ ନଗର (ପଞ୍ଜାବର ଶୈଳକୋଟ)ର ଗ୍ରୀକ ରାଜା ‘ମିନାଦାର’ ଖ୍ରୀ: ପୂ: ୧୪୧ରେ ଅଯୋଧ୍ୟା ପର୍ଯ୍ୟନ୍ତ ଜୟ କରିଥିଲେ । କିନ୍ତୁ ହିନ୍ଦୁରାଜାଙ୍କ ଦ୍ୱାରା ପରାସ୍ତ ହୋଇ ପଳାଇ ଗଲେ । ତକ୍ଷଶିଳା, ମଥୁରା ଓ ଉଜ୍ଜୟିନୀରେ ଗ୍ରୀକ୍‌ମାନେ ବହୁକାଳ ପର୍ଯ୍ୟନ୍ତ ବାସ କରିଥିଲେ । ଗ୍ରୀକ୍‌ମାନଙ୍କୁ ହିନ୍ଦୁମାନେ ଯବନ ବୋଲି କହୁଥିଲେ ।

ଶକ

ଗ୍ରୀକ୍‌ମାନଙ୍କୁ ପରାସ୍ତ କରି ଶକ ନାମକ ଗୋଟିଏ ପାହାଡିଆ ଜାତି ମଧ୍ୟ ଏସିଆରୁ ଭାରତବର୍ଷକୁ ଆସିଥିଲେ । ମଥୁରା, ଉଜ୍ଜୟିନୀ, ଭୂରୁବଚ୍ଛ (ଗୁଜୁରାଟ) ପ୍ରଭୃତି ସ୍ଥାନରେ ଶକ ରାଜାମାନେ ବହୁ କାଳ ରାଜତ୍ୱ କରିଥିଲେ । ଶକ ରାଜାଙ୍କ ମଧ୍ୟରେ ରୁଦ୍ରଦମନ ସର୍ବଶ୍ରେଷ୍ଠ । ଶକମାନଙ୍କୁ ହିନ୍ଦୁମାନେ ମ୍ନେଚ୍ଛ ବୋଲି କହୁଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

No comments:

Post a Comment