Monday, July 30, 2018

ଓଡ଼ିଶାର ହ୍ରଦ, ପାଟ ଏବଂ ସନ୍ତସନ୍ତିଆଭୂମି


ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ଚିଲିକାର ମଙ୍ଗଳାଯୋଡ଼ିର ଦୃଶ୍ୟ (ଫଟୋ କ୍ରେଡ଼ିଟ -  ୱିକିମିଡିଆ କମନ୍ସ୍)


ଓଡ଼ିଶାର ହ୍ରଦଗୁଡ଼ିକୁ ପ୍ରାକୃତିକ ଏବଂ କୃତ୍ରିମ, ଏହି ପରି ଦୁଇଟି ବିଭାଗରେ ବିଭକ୍ତ କରା ଯାଇ ପାରେ । ହ୍ରଦ ଜଳରେ ଥିବା ଲୁଣର ପରିମାଣ ଦୃଷ୍ଟିରୁ ଏଗୁଡ଼ିକର ଏକ ସ୍ୱତନ୍ତ୍ର ବିଭାଗ ହୋଇପାରେ । ସ୍ୱାଧୀନତା ପୂର୍ବରୁ କୃତ୍ରିମ ହ୍ରଦର ସଙ୍ଖ୍ୟା ଅତ୍ୟନ୍ତ ନଗଣ୍ୟ ଥିଲା । ଏ ଧରଣର ମାତ୍ର ଦୁଇଟି ଜଳଭଣ୍ତାର, ଗୋଟିଏ ଋଷିକୂଲ୍ୟା ନଦୀ ଅବବାହିକାର ସୋରଡ଼ାଠାରେ ଏବଂ ଅନ୍ୟଟି ଭଞ୍ଜନଗରଠାରେ ନିର୍ମିତ ହୋଇଥିଲା । ଏହାର ଜଳ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟାର ନିମ୍ନାଞ୍ଚଳରେ ଜଳସେଚନ ନିମନ୍ତେ ବ୍ୟବହୃତ ହେଉଥିଲା । ଏହା ଛଡ଼ା କଟକର ନରାଜ ଏବଂ ଯୋବ୍ରାଠାରେ ମହାନଦୀରେ ବିରୂପାରେ ଆନିକଟ ନିର୍ମାଣ କରାଯାଇ କୃତ୍ରିମ ଜଳଭଣ୍ତାରମାନ ସୃଷ୍ଟି କରା ଯାଇ ଥିଲା ।

ସ୍ୱାଧୀନତାପରେ ଏହି ସଙ୍ଖ୍ୟା ବଢ଼ିବାରେ ଲାଗିଲା ଏବଂ ସମ୍ୱଲପୁରର ହୀରାକୁଦଠାରେ ମହାନଦୀରେ ଏବଂ ମାଛକୁଣ୍ତଠାରେ ମାଛକୁଣ୍ତ ନଦୀରେ ବନ୍ଧ ଦିଆ ଯାଇ ଜଳଭଣ୍ତାରମାନ ସୃଷ୍ଟି କରାଗଲା । ବର୍ତ୍ତମାନ ବହୁ ନଦୀରେ ଜଳସେଚନ ନିମନ୍ତେ ଏହି ଧରଣର ଜଳଭଣ୍ତାରମାନ ସୃଷ୍ଟି କରା ଯାଇଛି ଏବଂ ସେଗୁଡ଼ିକୁ ମଧ୍ୟମ କିମ୍ୱା ବୃହତ୍ ଜଳସେଚନ ପ୍ରକଳ୍ପର ଅନ୍ତର୍ଭୁକ୍ତ କରା ଯାଇଛି । ବାଲିମେଳାଠାରେ ସିଲେରୁ ନଦୀରେ ସୃଷ୍ଟି କରା ଯାଇ ଥିବା ଜଳଭଣ୍ତାର, ବ୍ରାହ୍ମଣୀ ନଦୀର ରେଙ୍ଗାଲି ବ୍ରାହ୍ମଣୀନଦୀର ଏକ ଶାଖା ଜଳଭଣ୍ତାର । ଶଙ୍ଖ ନଦୀରେ ମନ୍ଦାର ଜଳଭଣ୍ତାର (ରାଉରକେଲା ନିକଟରେ) ଏବଂ ଇନ୍ଦ୍ରାବତୀ ନଦୀରେ ଉପର ଇନ୍ଦ୍ରାବତୀ ଜଳଭଣ୍ତାରଗୁଡ଼଼ିକ ପ୍ରମୁଖ ମଧ୍ୟରେ ଉଲ୍ଲେଖଯୋଗ୍ୟ । ଏହା ଛଡ଼ା ରାଜ୍ୟରେ ଅନେକ ମଧ୍ୟମ ଜଳସେଚନ ପ୍ରକଳ୍ପ ରହିଛି । ହଦଗଡ଼ଠାରେ ସାଳନ୍ଦୀ ନଦୀରେ ତଥା ପଟେରୁ ନଦୀରେ ଏହି ଭଳି ବନ୍ଧ ନିର୍ମାଣ କରାଯାଇ ଜଳଭଣ୍ତାରମାନ ସୃଷ୍ଟି କରା ଯାଇଛି । ପ୍ରାକୃତିକ ଜଳଭଣ୍ତାର ମଧ୍ୟରେ ଚିଲିକା ହେଉଛି ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଏହା ସମଗ୍ର ଭାରତରେ ଏହି ଧରଣର ବୃହତ୍ତମ ହ୍ରଦ ।

ଚିଲିକା ହ୍ରଦର ଆକାର ହେଉଛି ଏକ ନାସ୍‌ପାତି ଫଳଭଳିଏହା ଉତ୍ତରପୂର୍ବରେ ଓସାରିଆ ଏବଂ ଦକ୍ଷିଣ ପଶ୍ଚିମ ଆଡ଼କୁ କ୍ରମଶଃ ସରୁ । ଏହାର ଦୈର୍ଘ୍ୟ ହେଉଛି ୭୨ କି.ମି (ଉତ୍ତରୁ ଦକ୍ଷିଣ)। ଏହାର ଉତ୍ତରାର୍ଦ୍ଧର ପ୍ରସ୍ଥ ହେଉଛି ପ୍ରାୟ ୩୨ କି.ମି ଏବଂ ଗୋଜିଆ ଦକ୍ଷିଣାର୍ଦ୍ଧର ପ୍ରସ୍ଥ ମୋଟାମୋଟି ଆଠ କି.ମି ।

ବିଭିନ୍ନ ଋତୁରେ ଏହି ହ୍ରଦର ଆକାରରେ ହ୍ରାସବୃଦ୍ଧି ହୋଇଥାଏ । ଖରାଦିନେ ଏହା ୮୯୧ ବର୍ଗ କି.ମି. ମଧ୍ୟରେ ସୀମାବଦ୍ଧ ଥିବା ବେଳେ ବର୍ଷାକାଳରେ ନଦୀମାନଙ୍କରେ ଯେତେବେଳେ ବନ୍ୟା ଆସେ ଏବଂ ଜୁଆର ସମୟରେ ଏହାର ଆକାର ୧୧୬୫ ବର୍ଗ କି.ମି.କୁ ବୃଦ୍ଧି ପାଇଥାଏ । ପୂର୍ବଘାଟ ପର୍ବତମାଳା ସହ ଏହାର କୂଳ ଲାଗି ଥିବାରୁ ପଶ୍ଚିମରୁ ହ୍ରଦ ମଧ୍ୟକୁ ପ୍ରଚୁର ପଟୁମାଟି ବୋହି ଆସେ । କାଳିଜାଇଠାରେ ଏହାର ଗଭୀରତମ ଅଂଶ ରହିଛି । 

ପ୍ରାକୃତିକ ସୌନ୍ଦର୍ଯ୍ୟ କାରଣରୁ ଚିଲିକା ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇଛି । ଓଡ଼ିଶା ସରକାର ମଧ୍ୟ ଏହାକୁ ଏକ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷଣା କରିଛନ୍ତି । ଏପରିକି ସୁଦୂର ସାଇବେରିଆ ଅଞ୍ଚଳରୁ ଅନେକ ପକ୍ଷୀ ଏଠାକୁ ଆସିଥା'ନ୍ତି । ଏହା ମଧ୍ୟ ଚିଙ୍ଗୁଡ଼ି ଏବଂ କଙ୍କଡ଼ା ଚାଷ ପାଇଁ ଅନୁକୂଳ କ୍ଷେତ୍ର । ବିଦେଶରେ ଏହାର ପ୍ରଚୁର ଚାହିଦା ରହିଛି । ଏହି ହ୍ରଦଜଳର ଲବଣାଂଶ ବର୍ଷା ଋତୁରେ ହ୍ରାସ ପାଏ ଏବଂ ଶୀତ ଋତୁରେ ବଢ଼ିଯାଏ । ଏହାର ବଙ୍ଗୋପସାଗର ସହିତ ମୁହାଣ (୧୦୦କି.ମି) ରହିଛି । ସାମୁଦ୍ରିକ ଖରସ୍ରୋତ ଏହି ମୁହାଣକୁ ଖୋଲା ରଖିବାରେ ନାନା ଧରଣର ସମସ୍ୟା ସୃଷ୍ଟି କରୁଛି ।

ଅଂଶୁପା ହେଉଛି ଅନ୍ୟ ଏକ ମଧୁରଜଳ ବିଶିଷ୍ଟ ହ୍ରଦ । ଏହା କଟକ ଜିଲ୍ଲାର ବାଙ୍କିର ବିପରୀତ ପାର୍ଶ୍ୱରେ ମହାନଦୀର ବାମକୂଳରେ ଅବସ୍ଥିତ । ବସ୍ତୁତଃ ଏହି ହ୍ରଦ ମହାନଦୀର ତାହାର ଗତିପଥ ପରିବର୍ତ୍ତନ କରି ଥିବାରୁ ହିଁ ସୃଷ୍ଟି ହୋଇଛି । ଉଦୟନାଖଣ୍ତ ନାମରେ ଏକ ନିମ୍ନଭୂମି ରହିଛି । ଏହା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ସୀମାରେ ଇଚ୍ଛାପୁର ଉପକୂଳରେ ଅବସ୍ଥିତି । ଏହାର ଜଳ ଲାବଣାକ୍ତ । ସରହ୍ରଦ, ସମଗରାପାଟ ଏବଂ ତାମ୍ପରା ହେଉଛି ତିନୋଟି ଉପହ୍ରଦ । ଗୋଟିଏ ସମୟରେ ଏହା ବଙ୍ଗୋପସାଗରରୁ ବିଚ୍ଛିନ୍ନ ହୋଇ ସୃଷ୍ଟି ହୋଇଥିଲା । ଏସବୁ ପଟୁରେ ପ୍ରାୟ ପୋତି ହୋଇ ପଡ଼ିଲେଣି ଏବଂ ଏବେ ଖରାଦିନେ ଯେତେବେଳେ ପାଣି ଶୁଖିଯାଏ ଏବଂ ଉର୍ବର ମାଟି ଅଂଶ ବାହାରି ଆସେ, ସେତେବେଳେ ଏଥିରେ ପ୍ରଚୁର ଧାନଚାଷ କରାଯାଏ । ସରହ୍ରଦରେ ଜଳସେଚନ ବିଭାଗ ନୂଆନଈ ନାମରେ ଯେଉଁ କୃତ୍ରିମ ନାଳ ଖୋଳିଛନ୍ତି, ତାହା ଦ୍ୱାରା ଏହି ଅଞ୍ଚଳର ବନ୍ୟାସମସ୍ୟା ବହୁ ପରିମାଣରେ ଦୂର ହୋଇଛି ।

ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତି, ହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Sunday, July 29, 2018

ଗାନ୍ଧୀଙ୍କର ଶିକ୍ଷା ବିଚାର - 'ରାଷ୍ଟ୍ରୀୟ ଶିକ୍ଷା'

ଅନୁବାଦ - ଚିତ୍ତରଞ୍ଜନ ଦାସ


୧୯୧୫ ମସିହାରେ କସ୍ତୁରବାଙ୍କ ସହ ଗାନ୍ଧୀ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଛାତ୍ରମାନଙ୍କୁ ଉପଦେଶ

ସଭାପତି ମହାଶୟ ଓ ପ୍ରିୟ ବନ୍ଧୁଗଣ !

ମୋର ସହଧର୍ମଣୀ ଓ ମୋତେ ସମ୍ୱର୍ଦ୍ଧନା ଜଣାଇବାରେ ଏଠାରେ ଇଂରାଜୀ ଶବ୍ଦକୋଷର ଗୁଣବାଚକଗୁଡ଼ିକ ପ୍ରାୟ ଶେଷ କରି ଦେଇଛନ୍ତି । ଅତ୍ୟଧିକ ଦୟା, ଶ୍ରଦ୍ଧା ଓ ଅତିଥି ଚର୍ଚ୍ଚ। ପ୍ରଦର୍ଶନ କରି ମୋତେ କେଉଁଠାରେ ଅଭିଭୂତ କରା ଯାଇଅଛି ବୋଲି ଯଦି ପଚରାଯାଏ, ତେବେ ମୁଁ କହିବି ଯେ ମାନ୍ଦ୍ରାଜରେ । [କରତାଳି] । ମୁଁ ଆଗରୁ ମାନ୍ଦ୍ରାଜ ସମ୍ୱନ୍ଧରେ ଯାହା କହିଅଛି, ଏବେ ମଧ୍ୟ ମୋର ସେହି ଧାରଣା ରହିଛି । ମୋର ଏଥିରେ ଆଶ୍ଚର୍ଯ୍ୟାନ୍ୱିତ ହେବାର କୌଣସି କାରଣ ନାହିଁ ଯେ, ମୋ ଉପରେ ଅସାମାନ୍ୟ ବଦାନ୍ୟତା ସହକାରେ ଦୟା ଅଜାଡ଼ି ଦେଇଛନ୍ତି । ଭାରତ ସେବକ ସମାଜର ସୁଯୋଗ୍ୟ ସଭାପତି ମହାଶୟ ମୋତେ ପ୍ରଶଂସା କରିବାରେ ସମସ୍ତଙ୍କୁ ଟପିଗଲେ । ମୁଁ ସେହି ସମାଜରେ ଏବେ ଶିକ୍ଷାନବିଶ ରୂପେ ଯୋଗ ଦେଇଛି । ଏ ସବୁ ସମ୍ମାନ ପାଇବାକୁ ମୁଁ ଯୋଗ୍ୟ କି ? ମୋର ହୃଦୟର ଅନ୍ତରତମ ପ୍ରଦେଶରୁ ଏହାର ଉତ୍ତରରେ 'ନା' ବାହାରି ପଡ଼ୁଛି । ଆପଣମାନେ ଯେତେ ବିଶେଷଣ ବ୍ୟବହାର କରି ପାରିବେ, ମୁଁ ସେଗୁଡ଼ିକର ଉପଯୁକ୍ତ ହେବା ପାଇଁ ଭାରତକୁ ଆସିଛି । ଯଦି ମୁଁ ସେବକ ହେବା ନିମିତ୍ତି ଯୋଗ୍ୟ ହେବାକୁ ଚାହେଁ, କିମ୍ୱା ସେସବୁ ବିଶେଷଣର ଭାଜନ ହେବାକୁ ଚାହେଁ, ତେବେ ମୋର ସମସ୍ତ ଜୀବନ ସେଥି ପାଇଁ ଉତ୍ସର୍ଗ କରିବାକୁ ପଡ଼ିବ

ସେଥି ପାଇଁ ଆପଣମାନେ ସେହି ମନୋମୁଗ୍‌ଧକାରୀ ରାଷ୍ଟ୍ରୀୟ ସଙ୍ଗୀତ ଗାନ କଲେ । ତାହା ଶ୍ରବଣ କରି ଆମ ସମସ୍ତଙ୍କର ମନ ଆନନ୍ଦରେ ଉଚ୍ଛ୍ୱସିତ ହୋଇ ଉଠିଲା । ଭାରତ ଜନନୀଙ୍କର ବର୍ଣ୍ଣନା କରିବା ପାଇଁ ଯେତେ ବିଶେଷଣ ବ୍ୟବହୃତ ହୋଇ ପାରେ, କବି ସମ୍ଭବତଃ ସେ ସବୁକୁ ଅଜାଡ଼ି ଦେଇଛନ୍ତି । ଭାରତମାତାଙ୍କୁ ସୁହାସିନୀ, ସୁମଧୁରଭାଷିଣୀ, ଫୁଲ୍ଲ-କୁମୁମିତ, ସର୍ବଶକ୍ତିସମ୍ପନ୍ନା, ଶୁଭଦାସତ୍ୟମୟୀଶସ୍ୟଶ୍ୟାମଳା, ଦୁଗ୍ଧ ମଧୁ-ପ୍ରସ୍ରବିଣୀ ଏବଂ ସ୍ୱର୍ଣ୍ଣଯୁଗର ଅଧିବାସୀମାନଙ୍କର ମାତା ବୋଲି ବର୍ଣ୍ଣନା କରି ଅଛନ୍ତି । ସେ ଆମ ଆଗରେ ଏପରି ଏକ ଦେଶର ଚିତ୍ର ଅଙ୍କନ କରି ଅଛନ୍ତି । ଯାହା କି ସମଗ୍ର ପୃଥିବୀକୁ, ସମଗ୍ର ମାନବ ସମାଜକୁ, ଆପଣାର କରି ନେଇ ପାରେ । ଶାରୀରିକ ବଳ ଦ୍ୱାରା ନୁହେଁ, କେବଳ ଆଧ୍ୟାତ୍ମିକ ବଳରେ ସମ୍ଭବ ହେବ । ଆମେ ସେହି ସ୍ତୁତିଟିକୁ ଗାଇ ପାରିବୁ କି ? ମୁଁ ନିଜକୁ ପଚାରେ, ସେହି ଗୀତ ଶୁଣି ଆନନ୍ଦରେ ନାଚି ଉଠିବାକୁ ମୋର କୌଣସି ଅଧିକାର ଅଛି କି ? କବିଙ୍କର ବର୍ଣ୍ଣନାକୁ ଆମେ ଉପଲ୍‌ବ୍ଧ କରିବାର କଥା । ସେ ଶବ୍ଦଗୁଡ଼ିକ କେବଳ ଭବିଷ୍ୟତବାଣୀ ପରି ରହି ଅଛି । ଆମର ଏହି ମାତୃଭୂମିରୁ ବର୍ଣ୍ଣନା କରିବାକୁ ଯାଇ କବି ଯେଉଁ ଶବ୍ଦାବଳୀ ବ୍ୟବହାର କରି ଅଛନ୍ତି, ତାହାକୁ ଉପଲବ୍‌ଧ କରିବାର ଭାର ଆପଣମାନଙ୍କୁ ଉପରେ, ଯେକି ଭାରତର ଆଶାଭରସା, ସେହିମାନଙ୍କ ଉପରେ ରହିଅଛି । ମୁଁ ଆଜି ଅନୁଭବ କରୁଛି ଯେ, ମାତୃଭୂମିର ବର୍ଣ୍ଣନାରେ ଅନେକ କ୍ଷେତ୍ରରେ ସେହି ବିଶେଷଣଗୁଡ଼଼ିକ ଯଥା ସ୍ଥାନରେ ବସି ନାହିଁ । ମାତୃଭୂମି ପାଇଁ କବି ଯେଉଁ ଆଶା ପୋଷଣ କରି ଅଛନ୍ତି, ତାହାକୁ ଆପଣାମାନେ ଓ ମୁଁ କାର୍ଯ୍ୟାନ୍ୱିତ କରିବା ଆପଣମାନଙ୍କ ଉପରେ ଓ ମୋ ଉପରେ ନ୍ୟସ୍ତ ଅଟେ ।

ମାନ୍ଦ୍ରାଜର ତଥା ସାରା ଭାରତର ଛାତ୍ରଗଣ ! ଆପଣମାନେ ଯେଉଁ ଶିକ୍ଷା ପାଉଛନ୍ତିତାହା ଆପଣମାନଙ୍କୁ ସେହି ଆଦର୍ଶ ଉପଲବ୍‌ଧ କରିବା ପାଇଁ ଯୋଗ୍ୟ ହେବାକୁ ସାହାଯ୍ୟ କରିବ କି ? ଯେଉଁ ଶିକ୍ଷା ଦ୍ୱାରା ଆପଣମାନଙ୍କର ସର୍ବୋତ୍ତମ ବିକାଶ ହେବ, ଏ କଅଣ ସେହି ଶିକ୍ଷା ? ନା ସରକାରୀ କର୍ମଚାରୀ ବା ବ୍ୟବସାୟ ବାଣିଜ୍ୟ ଅଫିସରେ କିରାଣୀ ପ୍ରସ୍ତୁତ କରିବାର ଏହା ଏକ କାରଖାନା ? ସରକାରୀ ବା ବେସରକାରୀ ବିଭାଗରେ ଚାକିରୀ ପାଇବା କଅଣ ଆପଣମାନଙ୍କର ଶିକ୍ଷାର ଲକ୍ଷ୍ୟ ? ଯଦି ସେଇଆ ଆପଣମାନଙ୍କର ଶିକ୍ଷାର ଲକ୍ଷ୍ୟ ହୋଇଥାଏ ଏବଂ ଆପଣମାନେ ନିଜ ସମ୍ମୁଖରେ ସେହି ଲକ୍ଷ୍ୟ ରଖି ଥାଆନ୍ତି, ତେବେ ମୁଁ ଅନୁଭବ ଓ ଆଶଙ୍କା କରୁ ଅଛି ଯେ, କବି ଯେଉଁ ସ୍ୱପ୍ନର ଚିତ୍ର ଆଙ୍କି ଯାଇ ଅଛନ୍ତି, ତାହା ଆପଣମାନେ ଉପଲବ୍‌ଧ କରି ପାରିବେ ନାହିଁ । ଆପଣମାନେ ସମ୍ଭବତଃ ମୋ ଠାରୁ ଶୁଣି କିମ୍ୱା ମୋ ଲେଖା ପଢ଼ି ଜାଣିଥିବେ ଯେ, ମୁଁ ଆଧୁନିକ ସଭ୍ୟତାର ଘୋର ବିରୋଧୀ ହୋଇ ଆସି ଅଛି ଏବଂ ବର୍ତ୍ତମାନ ମଧ୍ୟ ଅଟେ । 

ଇଉରୋପରେ ବର୍ତ୍ତମାନ ଯାହା ଘଟୁଛି, ସେଥି ପ୍ରତି ମୁଁ ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରୁ ଅଛି । ବର୍ତ୍ତମାନ ଇଉରୋପ ସେହି ସଭ୍ୟତାର ଚାପରେ ଆର୍ତ୍ତନାଦ କରୁ ଅଛି ବୋଲି ସିଦ୍ଧାନ୍ତରେ ଯଦି ଆପଣାମାନେ ଉପନୀତ ହୋଇ ଥାଆନ୍ତି, ତେବେ ଆପଣମାନଙ୍କୁ ଓ ଆପଣମାଙ୍କର ଗୁରୁଜନମାନଙ୍କୁ ଆମ ମାତୃଭୂମିରେ ସେହି ସଭ୍ୟତାକୁ ଅନୁକରଣ କରିବା ପୂର୍ବରୁ ଭଲ ରୂପେ ଚିନ୍ତା କରିବାକୁ ପଡ଼ିବ । ମୁଁ ଅନେକ ଥର ଶୁଣିଛି, “ଆମର ଶାସକବର୍ଗ ଆମ ମାତୃଭୂମିକୁ ସେହି ସଂସ୍କୃତି ବୋହି ଆଣି ଥିବା ବେଳେ ଆମ୍ଭେମାନେ ତାକୁ କିପରି ଏଡ଼ି ପାରିବୁ? “ ଏ ବିଷୟରେ ଆଦୌ ଭୁଲ କରନ୍ତୁ ନାହିଁ । ମୁହୂର୍ତ୍ତକ ପାଇଁ ମୁଁ ବିଶ୍ୱାସ କରେ ନାହିଁ ଯେ, ଯଦି ଆପଣମାନେ ସେହି ସଂସ୍କୃତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥାଆନ୍ତି, ତେବେ କୌଣସି ଶାସକ ତା'କୁ ଆଣି ପାରିବେ । ଯଦି ପ୍ରକୃତରେ ଶାସକମାନେ ସେହି ସଂସ୍କୃତିକୁ ଆମ ପାଖକୁ ଆଣୁଛନ୍ତିତେବେ ସେହି ଶାସକମାନଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ଆମ୍ଭମାନଙ୍କ ମଧ୍ୟରେ ଯଥେଷ୍ଟ ଶକ୍ତି ଅଛି ବୋଲି ମୁଁ ଭାବେ । [କରତାଳି] 

ମୁଁ ଅନେକ ସଭାରେ କହିଛି ଯେ, ବ୍ରିଟିଶ୍ ଜାତି ଆମ ସହିତ ଅଛନ୍ତି । ସେ ଜାତି କାହିଁକି ଆମ ସହିତ ଅଛନ୍ତି, ତାହାର କାରଣ କହିବାକୁ ମୁଁ ଚାହୁଁ ନାହିଁ । ଆମର ସୁଯୋଗ୍ୟ ସଭାପତି ମହାଶୟ ଯେଉଁ ଋଷିମାନଙ୍କର ପରମ୍ପରା ବିଷୟ ବର୍ଣ୍ଣନା କରିଛନ୍ତି, ତଦନୁସାରେ ଯଦି ଭାରତ ଚଳେ, ତାହା ହେଲେ ରକ୍ତପାତ ନ କରି ମାତ୍ର ଆଧ୍ୟାତ୍ମିକ ଆଧିକ୍ୟର ବଳରେ ବିଜେତାକୁ ଜୟ କରିବାର ସୌଭାଗ୍ୟ ଆପଣମାନଙ୍କର ଘଟିବ । ଭାରତର ବର୍ତ୍ତମାନ ଯାହା ସବୁ ଘଟୁଛି, ତାହା ଯେତେବେଳେ ମୁଁ ବିଚାର କରେ, ସେତେବେଳେ ରାଜନୈତିକ ହତ୍ୟା ଓ ଡକାୟତ ବିଷୟରେ ମତବ୍ୟକ୍ତ କରିବା ଆମ୍ଭମାନଙ୍କର ଆବଶ୍ୟକ ବୋଲି ମୁଁ ଭାବେ । ମୁଁ ଅନୁଭବ କରେ ଯେ ଏ ସବୁ ସମ୍ପୂର୍ଣ୍ଣ ରୂପେ ବିଦେଶରୁ ଆମଦାନୀ ହୋଇଛି ଏବଂ ଏ ଭୂମିରେ ତାହା ଚେର ଧରି ପାରିବ ନାହିଁ । କିନ୍ତୁ ଆପଣମାନେ ଛାତ୍ରଜଗତ, ସତର୍କ ରହିବେ ଯେପରିକି ଏ ଧରଣର ସନ୍ତ୍ରାସବାଦକୁ ତିଳେ ସୁଦ୍ଧା ମାନସିକ ବା ନୈତିକ ସମର୍ଥନ ନ ଦିଅନ୍ତି । 

ମୁଁ ଜଣେ ନିଷ୍କ୍ରିୟ ପ୍ରତିରୋଧୀ ଭାବରେ ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ ଜିନିଷ ଦେବି । ନିଜକୁ ଭୟଭୀତ ନ କରାନ୍ତୁ, ନିଜର ହୃଦୟମନ୍ଥନ କରନ୍ତୁ । ଯେଉଁଠି ଅତ୍ୟାଚାର ଦେଖୁଛନ୍ତି ସେଠାରେ ସବୁମତେ ପ୍ରତିରୋଧ କରନ୍ତୁ । ଆପଣମାନଙ୍କର ସ୍ୱାଧୀନତା ଉପରେ ହସ୍ତକ୍ଷେପ ହେଲେ ସବୁମତେ ତାହାର ପ୍ରତିରୋଧ କରନ୍ତୁ । ମାତ୍ର ଉତ୍ପୀଡ଼କର ରକ୍ତପାତ କରନ୍ତୁ ନାହିଁ । ଆମ ଧର୍ମ ଅନ୍ୟର ରକ୍ତପାତ କରିବାକୁ ଶିକ୍ଷା ଦିଏ ନାହିଁ । ଆମର ଧର୍ମ ଅହଂସା ଉପରେ ପ୍ରତିଷ୍ଠିତସେହି ଅହିଂସା ତାହାର ପ୍ରକ୍ରିୟା ରୂପରେ ପ୍ରେମ ବ୍ୟତୀତ ଆଉ କିଛି ନୁହେଁ: ଆପଣମାନଙ୍କର ପ୍ରତିବେଶୀ ପ୍ରତି, ବନ୍ଧୁମାନଙ୍କ ପ୍ରତି ପ୍ରେମ ନୁହେଁ; ମାତ୍ର, ଯେଉଁମାନେ ଆପଣାମାନଙ୍କର ଶତୃ ହୋଇପାରନ୍ତି, ସେମାନଙ୍କ ପ୍ରତି ସୁଦ୍ଧା ପ୍ରେମ ।

ସେହି ବିଷୟରେ ଆଉ ପଦେ । ଯଦି ଆମେ ସତ୍ୟ ଆଚରଣ କରୁ, ଅହିଂସା ଆଚରଣ କରୁଁ, ତେବେ ଆମେ ଅବିଳମ୍ୱେ ଉପଲବ୍‌ଧ କରିବୁଁ ଯେ, ଆମେ ନିର୍ଭୀକତା ମଧ୍ୟ ଆଚରଣ କରୁଁଆମ୍ଭମାନଙ୍କ ମତରେ ଯଦି ଆମର ଶାସକମାନଙ୍କର କାର୍ଯ୍ୟ ଅନ୍ୟାୟ ହୁଏସେମାନଙ୍କୁ ଉପଦେଶ ଦେବାକୁ ଆମେ ଯଦି କର୍ତ୍ତବ୍ୟ ଭାବୁଁ, ଏବଂ ସେମାନଙ୍କ ଦ୍ୱାରା ଯଦି ତାହା ରାଜଦ୍ରୋହ ରୂପେ ବିବେଚିତ ହୁଏ, ତେବେ ଆପଣମାନେ ନିଜକୁ ବିପଦ ମୁଣ୍ଡାଇ ସେହି ପରିଣାମ ଭୋଗ କରିବାକୁ ପ୍ରସ୍ତୁତ ହୋଇ ଯିବେ ଏବଂ ବିପକ୍ଷ ସହିତ ଲଢ଼ିବାରେ କୌଣସି ଅସତ୍ ଉପାୟ ଅବଲମ୍ୱନ କରିବେ ନାହିଁ, ତେବେ ସରକାର ଯେ ଆପଣମାନଙ୍କର ପରାମର୍ଶ ଶୁଣନ୍ତୁ, ଏ ଦାବୀ ସାବ୍ୟସ୍ତ କରି ସାରି ଥିବେ ମୁଁ ଏହା ଭାବେ ।

ମୁଁ ବ୍ରିଟିଶ ଗଭର୍ଣ୍ଣମେଣ୍ଟଙ୍କ ସହ ସହଯୋଗ କରୁଅଛି, କାରଣ ମୋର ବିଶ୍ୱାସ ଯେ, ବ୍ରିଟିଶ୍ ସାମ୍ରାଜ୍ୟର ପ୍ରତ୍ୟେକ ପ୍ରଜା ସହିତ ସମାନ ଅଂଶୀଦାର ହେବାକୁ ଦାବୀ କରିବା ମୋ ପକ୍ଷରେ ସମ୍ଭବପର ଅଟେ । ଆଜି ମୁଁ ସେହି ସମାନ ଅଂଶୀଦାରପଣ ଦାବୀ କରୁଅଛି । ମୁଁ ଗୋଟିଏ ପରାଧୀନ ଜାତିର ଅନ୍ତର୍ଗତ ନୁହେଁ । ମୁଁ ନିଜକୁ କୌଣସି ପରାଧୀନ ଜାତିର ଜଣେ ସଦସ୍ୟ ବୋଲି କହେ ନାହିଁ । ଆଉ ଗୋଟିଏ କଥା ଅଛି । ବ୍ରଟିଶ୍ ଶାସକବର୍ଗ ଆପଣମାନଙ୍କୁ ଏହା ଦେଇ ପକାଇବେ ନାହିଁଆପଣମାନଙ୍କୁ ତାହା ଅର୍ଜନ କରିବାକୁ ପଡ଼଼ିବ । ମୁଁ ସେ ଜିନିଷ ଚାହେଁ ଏବଂ ହାସଲ କରିପାରେ । ମୋର ଦାୟିତ୍ୱଗୁଡ଼଼ିକ ତୁଲାଇ ତାହା ଦାବୀ କରିବାକୁ ଚାହେଁ । 

ମ୍ୟାକ୍‌ସମୁଲର ଆମକୁ କହିଛନ୍ତି - ଅବଶ୍ୟ ଆମର ଧର୍ମର ବାଖ୍ୟା କରିବପାଇଁ ମ୍ୟାକ୍‌ସମୁଲରଙ୍କର ସାହାଯ୍ୟ ଲୋଡ଼ା ନାହିଁ  - ଓ ଆମ ଧର୍ମର ମୂଳମନ୍ତ୍ର ହେଉଛି,  “ଦା-ୟି-ତ୍ୱ “ଏବଂ “ଦା-ବୀ" ନୁହେଁ । ଯଦି ଆପଣମାନେ ବିଶ୍ୱାସ କରନ୍ତି ଯେ, ଦାୟିତ୍ୱ ତୁଲାଇବା ଦ୍ୱାରା ଆମେ ସମସ୍ତ ଦାବୀ ହାସଲ କରି ପାରିବୁଁ, ତେବେ ନିଜର ଦାୟିତ୍ୱ କଥା ସବୁବେଳେ ଚିନ୍ତା କରନ୍ତୁ ଏବଂ ସେହି ଦୃଷ୍ଟିରୁ ସଙ୍ଗ୍ରାମ କରନ୍ତୁ । କାହାରିକୁ ଆପଣମାନଙ୍କର ଭୟ ନ ଥିବ , କେବଳ ଭଗବାନଙ୍କୁ ଆପଣମାନେ ଭୟ କରିବେସେହି ବାଣୀ, ମୋର ଗୁରୁ ଯଦି ଅନୁମତି ଦିଅନ୍ତି, ତେବେ ମୁଁ କହିପାରେ ଆପଣମାନଙ୍କର ମଧ୍ୟ ଗୁରୁ - ଶ୍ରୀଯୁକ୍ତ ଗୋଖଲେ ଆମ୍ଭମାନଙ୍କୁ ଦେଇ ଅଛନ୍ତି । 

ସେ ବାଣୀ କଅଣ ? ତାହା ଭାରତ-ସେବକ-ସମାଜର ବିଧାନରେ ରହିଛି ଏବଂ ମୋ ଜୀବନରେ ମୁଁ ଏହି ବାଣୀ ଦ୍ୱାରା ପରିଚାଳିତ ହେବାକୁ ଇଚ୍ଛା କରେ । ଦେଶର ରାଜନୈତିକ ଜୀବନ ଓ ରାଜନୈତିକ ଅନୁଷ୍ଠାନଗୁଡ଼ିକୁ ଆଧ୍ୟାତ୍ମିକତା ଦ୍ୱାରା ଅନୁପ୍ରାଣିତ କରିବାକୁ ଏହି ବାଣୀ ଆମ୍ଭମାନଙ୍କୁ ଶିକ୍ଷା ଦେଉଛି । ତାହାକୁ ଆଚରଣରେ ଉପଲବ୍‌ଧ କରିବା ନିମିତ୍ତ ଆମ୍ଭମାନଙ୍କର ଅବିଳମ୍ୱେ ଲାଗି ପଡ଼ିବା ଉଚିତ । ଛାତ୍ରମାନେ ରାଜନୀତିରୁ ଦୂରରେ ରହି ପାରିବେ ନାହିଁ । ଧର୍ମ ଯେପରି ଅତ୍ୟାବଶ୍ୟକ ଅଟେ, ରାଜନୀତି ସେମାନଙ୍କ ପକ୍ଷରେ ସେପରି ଅତ୍ୟାବଶ୍ୟକ ଅଟେ । ଧର୍ମରୁ ରାଜନୀତିକୁ ଅଲଗା କରି ହେବ ନାହିଁ । ତଥାପି ମୋର ହୃଦୟର ଅନ୍ତରତମ ପ୍ରଦେଶରେ ଯେଉଁ ଆଲୋଡ଼ନ ହେଉ ଅଛି, ତାହାକୁ ହିଁ ମୁଁ ଆପଣମାନଙ୍କୁ ଜଣାଇ ପାରେ । 

ଦକ୍ଷିଣ ଆଫ୍ରିକାରେ ମୋର ଅନୁଭୂତି ବଳରେ ମୁଁ କହିପାରେ ଯେ, ଆପଣମାନଙ୍କର ଯେଉଁ ଦେଶବାସୀମାନେ ଆଧୁନିକ ସଭ୍ୟତା ପାଇ ନ ଥିଲେ, ମାତ୍ର ଯେଉଁମାନେ ପ୍ରାଚୀନ ଋଷିମାନଙ୍କର ଶକ୍ତି ଲାଭ କରି ଥିଲେ, ଋଷିମାନଙ୍କର ତପଶ୍ଚର୍ଯା ଉତ୍ତରାଧିକାରୀ ପାଇ ଥିଲେ, ଇଂରାଜୀ ସାହିତ୍ୟର ଧାର ଧାରୁ ନ ଥିଲେ ଏବଂ ବର୍ତ୍ତମାନ ଆଧୁନିକ ସଂସ୍କୃତିର ବିନ୍ଦୁ-ବିସର୍ଗ ଜାଣି ନ ଥିଲେ, ସେହିମାନେ ନିଜର ଶକ୍ତିର ପରାକାଷ୍ଠା ଦେଖାଇ ପାରି ଥିଲେ । ଯାହା ଦକ୍ଷିଣ ଆଫ୍ରିକାର ଆମ୍ଭମାନଙ୍କର ଅଶିକ୍ଷିତ ଓ ନିରକ୍ଷର ଲୋକମାନଙ୍କ ପକ୍ଷରେ ସମ୍ଭବ ହୋଇ ପାରିଛି, ତାହା ଆଜି ଆମର ଏହି ପବିତ୍ର ଭୂମିରେ ଆପଣମାନଙ୍କ ଓ ମୋ ପକ୍ଷରେ ଦଶ ଗୁଣ ସମ୍ଭବ ହୋଇ ପାରିବ । ସେହି ସୌଭାଗ୍ୟ ଆପଣମାନଙ୍କର ହେଉ ଏବଂ ମୋର ହେଉ, ଏହା ମୁଁ କାମନା କରୁ ଅଛି । [କରତାଳି]

ବି.ଦ୍ର.: - ତା ୨୭ ଅପ୍ରେଲ, ୧୯୧୫ରେ ମାନ୍ଦ୍ରାଜ ଯୁବକ ଖ୍ରୀଷ୍ଟିଆନ ଆସୋସିଏସନରେ ମିଳିଥିବା ଅଭିନନ୍ଦନରେ ଉତ୍ତରରେ ଗାନ୍ଧୀଜୀଙ୍କର ଭାଷଣ । ସେହି ସଭାରେ ମାନ୍ୟବର ଶ୍ରୀଯୁକ୍ତ ଭି. ଏସ. ଶ୍ରୀନିବାସ ଶାସ୍ତ୍ରୀ ସଭାପତି ହୋଇଥିଲେ ।

Saturday, July 28, 2018

କଥାଣୀ

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କଥାଟିଏ କହୁଁ, କଥାଟିଏ କହୁଁ,
କିସ କଥା ? ବେଙ୍ଗୁଲି କଥା
କି ବେଙ୍ଗୁଲି ? କାଠ ବେଙ୍ଗୁଲି
କି କାଠ ? ଘଣା କାଠ
କି ଘଣା ? ଆଖୁ ଘଣା 
କି ଆଖୁ ? କନ୍ତାରି ଆଖୁ
କି କନ୍ତାରି ? ବୁଢ଼ୀ ମେନ୍ତାରୀ
କି ବୁଢ଼ୀ ? ଧୋକଡ଼ ବୁଢ଼ୀ
କି ଧୋକଡ଼ ? ପାତିମାଙ୍କଡ଼
କି ପାତି ? ରଜାଙ୍କ ପାତି
କି ରଜା ? ଖଣ୍ଡ ଖଜା
କି ଖଣ୍ଡ ? ମିରିଗ ମୁଣ୍ଡ
କି ମିରିଗ ? ଝାଡ଼ ମିରିଗ 
କି ଝାଡ଼ ? କଣ୍ଟା ବାଡ଼
କି କଣ୍ଟା ? କାନକୋଳି କଣ୍ଟା
ଲୁଗାରେ ଲାଗେ ଅଠା କଠା, ଝଟାପଟା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Friday, July 27, 2018

ବୌଦ୍ଧଧର୍ମ


ଲେଖକ - କେଦାରନାଥ ମହାପାତ୍ର


 ବୋଧିବୃକ୍ଷ ଚାରିପଟେ ଅଶୋକ ତିଆରିଥିବା ମନ୍ଦିରର ଚିତ୍ରଣ
ସ୍ଥାନ - ପ୍ରଥମ ଖ୍ରୀଷ୍ଟାବ୍ଦ: କାଳ - ପ୍ରଥମ ଶତାବ୍ଦୀ (ୱିକିମିଡିଆ କମନ୍ସ୍)

ବୁଦ୍ଧଙ୍କ ସମୟରେ ବ୍ରାହ୍ମଣମାନେ ହିନ୍ଦୁଧର୍ମର ରକ୍ଷକ ଥିଲେ । ସେମାନେ ଲୋକଙ୍କୁ ପ୍ରକୃତ ଧର୍ମଶିକ୍ଷା ନ ଦେଇ ଧର୍ମକୁ ବ୍ୟବସାୟ ସ୍ୱରୂପ କରୁଥିଲେ । ଧର୍ମ ନାମରେ ଶତ ଶତ ଜୀବ ଯଜ୍ଞରେ ବଳି ଦିଆ ଯାଉ ଥିଲେ । ଧର୍ମର ତତ୍ତ୍ୱସବୁ ସଂସ୍କୃତ ଭାଷାରେ ଲିଖିତ ହୋଇଥିଲା । ତେଣୁ ସାଧାରଣ ଲୋକମାନେ ଧର୍ମ ବିଷୟ କିଛି ଜାଣୁ ନ ଥିଲେ । ଜାତିଭେଦ ବିଶେଷ କଠୋର ଥିଲା । ଜାତି ଜାତି ମଧ୍ୟରେ ଆଦୌ ସ୍ୱଭାବ ନ ଥିଲା । ଉଚ୍ଚଜାତିର ଲୋକେ ନୀଚ୍ଚଜାତିର ଲୋକମାନଙ୍କୁ ଛୁଇଁବା ପାପ ବୋଲି ଭାବୁ ଥିଲେ । ବେଦକୁ ଈଶ୍ୱରଙ୍କ ବାଣୀ ବୋଲି ଲୋକେ ବିଶ୍ୱାସ କରୁ ଥିଲେ । ବୁଦ୍ଧଦେବ ଏ ସକଳ ବିଷୟ ବିରୁଦ୍ଧରେ ସାହସ ସହିତ ପ୍ରବଳ ପ୍ରଚାର କରି ଥିଲେ । ସେ ପ୍ରଚାର କଲେ -ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ସମାନ, ମନୁଷ୍ୟ ମଧ୍ୟରେ କେହି ଅଛୁଆଁ ନାହାନ୍ତି, ଜାତିଭେଦ ମିଥ୍ୟା, ବେଦ ଈଶ୍ୱରଙ୍କ ବାକ୍ୟ ନୁହେଁ ବା ବ୍ରହ୍ମାଙ୍କ ମୁହଁରୁ ବାହାରି ନାହିଁ, କେବଳ ବ୍ରାହ୍ମଣମାନେ ଧର୍ମ ଉପଦେଶ ଦେଇ ପାରିବେ ନାହିଁ । ଧର୍ମ କରିବା ପାଇଁ ସମସ୍ତଙ୍କର ଅଧିକାର ଅଛି, ସଂସ୍କୃତ ଭାଷା ସାଧାରଣ ଲୋକେ ଜାଣନ୍ତି ନାହିଁ, ତେଣୁ ଲୋକେ କହୁଥିବା ଭାଷା ବା ପଲ୍ଲୀଭାଷାରେ ଧର୍ମ ପ୍ରଚାର ହେବ । ସେ ମୂର୍ତ୍ତି ପୂଜାକୁ ମଧ୍ୟ ଭଲ ପାଉ ନ ଥିଲେ । ବୁଦ୍ଧଙ୍କ କଥାଗୁଡ଼ିକ ଲୋକେ ଠିକ ବୋଲି ବୁଝି ପାରିଲେ ଓ ଆଦରରେ ଶୁଣିଲେ । ତାଙ୍କ ଧର୍ମ ଶୀଘ୍ର ବ୍ୟାପିଗଲା । ବୁଦ୍ଧ ନିଜର ମତ ବୁଲି ବୁଲି ଦେଶବିଦେଶରେ ପ୍ରଚାର କରିବା ପାଇଁ ସନ୍ନ୍ୟାସୀ ସଙ୍ଘ ଗଢ଼ିଥିଲେ ।

ଜୈନଧର୍ମ ପରି ବୌଦ୍ଧ ଧର୍ମର ଅହିଂସା ମଧ୍ୟ ମୂଳନୀତି । ସତ୍ୟବାଦିତା, ନିଷ୍ପାପଜୀବନ, ସତ୍‌ଚିନ୍ତା, ସତ୍‌କାର୍ଯ୍ୟ, ଗୁରୁଭକ୍ତି ପ୍ରଭୃତି ଏହି ଧର୍ମର ସାର ମର୍ମ । ବୌଦ୍ଧମାନେ ହିନ୍ଦୁମାନଙ୍କ ପରି ପୁନର୍ଜନ୍ମ ଓ କର୍ମଫଳରେ ବିଶ୍ୱାସ କରନ୍ତି । ନିର୍ବାଣ ଓ ମୋକ୍ଷଲାଭ ଜୀବନର ପ୍ରଧାନ ଉଦ୍ଦେଶ୍ୟ । ବୁଦ୍ଧଙ୍କ ମତରେ ଈଶ୍ୱର ଥାଆନ୍ତୁ ବା ନ ଥାଆନ୍ତୁ, ସମସ୍ତେ ନିଷ୍ପାପ ଓ ପବିତ୍ର ଜୀବନ ଯାପନ କରିବା ବାଞ୍ଛନୀୟ । ବୌଦ୍ଧମାନଙ୍କ ମଧ୍ୟରେ କେତେକ ଗୃହସ୍ଥାଶ୍ରମ କରନ୍ତି । ଆଉ କେତେକ ଭିକ୍ଷୁ ବା ଶ୍ରମଣ । ଧର୍ମପ୍ରଚାର ସେମାନଙ୍କର କାର୍ଯ୍ୟ । ପୁରୁଷ ଓ ସ୍ତ୍ରୀ ଉଭୟେ ଧର୍ମ ପ୍ରଚାର କରିବାର ଅଧିକାର ପାଇ ଥିଲେ । ଭିକ୍ଷୁ ଓ ଭିଷୁଣୀମାନେ ‘ବିହାର’ ବା ମଠମାନଙ୍କରେ ବାସ କରୁଥିଲେ ଏବଂ ଧାର୍ମିକ ଓ ଦାନୀ ଲୋକମାନଙ୍କର ଦାନ ଦ୍ୱାରା ଚଳୁଥିଲେ । ବୌଦ୍ଧମାନଙ୍କର ଧର୍ମ ଗ୍ରନ୍ଥର ନାମ ‘ତ୍ରିପିଟକ’ଏହା ତିନି ଭାଗରେ ବିଭକ୍ତ । ଏଥିରେ ବୁଦ୍ଧଙ୍କ ଉପଦେଶ, ଭିକ୍ଷୁ ଓ ଭିଷୁଣୀଙ୍କ ସମ୍ୱନ୍ଧରେ ନିୟମ ଓ ଧର୍ମର ତତ୍ତ୍ୱମାନ ଲିଖିତ ହୋଇ ଅଛି ।

ବୁଦ୍ଧଙ୍କ ମୃତ୍ୟୁପରେ ମହାରାଜ ଅଶୋକ ଓ କୁଷାଣରାଜ କନିଷ୍କଙ୍କ ସମୟରେ ଏହି ଧର୍ମ ଭାରତ ଓ ଭାରତ ବାହାରେ ପ୍ରଚାରିତ ହୋଇଥିଲା । ଅଶୋକ ଏହି ଧର୍ମର ବିଶେଷ ଉନ୍ନତି କରି ଥିଲେ । କନିଷ୍କଙ୍କ ସମୟରେ ବୌଦ୍ଧମାନେ ଦୁଇ ଦଳରେ ବିଭକ୍ତ ହୋଇ ଥିଲେ, ଯଥା:- ହୀନଯାନ ଓ ମହାଯାନ । ଏକ ସମୟରେ ସମଗ୍ର ଭାରତବର୍ଷରେ ବୌଦ୍ଧଧର୍ମ ବ୍ୟାପି ଯାଇ ଥିଲା ଓ ଭାରତର ସର୍ବାଞ୍ଚଳରେ ଅସଙ୍ଖ୍ୟ ବୌଦ୍ଧମଠ, ବିହାର, ସ୍ତୂପ, ସ୍ତମ୍ଭ ଓ ଚୈତ୍ୟ ନିର୍ମିତ ହୋଇ ଥିଲା । ଭାରତର ନାନା ସ୍ଥାନରେ ଅଦ୍ୟାପି ବୌଦ୍ଧ କୀର୍ତ୍ତି ଦେଖା ଯାଏ । ଆମ୍ଭ ଜନ୍ମଭୂମି ଓଡ଼ିଶାରେ ମଧ୍ୟ ଧଉଳି, ଜଉଗଡ଼, ନରାଜ ଓ ଲଳିତଗିରି ପ୍ରଭୃତିରେ ବହୁତ ବୌଦ୍ଧକୀର୍ତ୍ତି ଦେଖା ଯାଏ । କିନ୍ତୁ ଦୁଃଖର ବିଷୟ ଏହି ଧର୍ମ ବ୍ରାହ୍ମଣ ପଣ୍ଡିତମାନଙ୍କ ପ୍ରବଳ ପ୍ରଚାର ଓ ନିଜର ନୈତିକ ଅବନତି ଯୋଗୁଁ ଭାରତବର୍ଷରୁ ଲୋପ ପାଇଗଲା । କିନ୍ତୁ ଚୀନ, ଜାପାନ, ବ୍ରହ୍ମଦେଶ, ଲଙ୍କା, ଶ୍ୟାମ ପ୍ରଭୃତି ଦେଶର ଲୋକମାନେ ଅଦ୍ୟାପି ବୌଦ୍ଧ ହୋଇ ରହିଛନ୍ତି । ଆଜିକାଲି ହିନ୍ଦୁମାନେ ବୁଦ୍ଧଙ୍କୁ ବିଷ୍ଣୁଙ୍କର ଅବତାର ବୋଲି ମାନନ୍ତି ।

Thursday, July 26, 2018

ପିଲାଙ୍କ ଅଙ୍କଗଣା ଗୀତ

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


କଉଡ଼ିର ଗହଣା (ୱିକିମିଡିଆ କମନ୍ସ୍)

ଏକ, ବିଲେଇ ଲାଙ୍ଗୁଡ଼ ସେକ ।
ଦୁଇ, କଣ୍ଟା ବାଉଁଶରେ ଉଇ ।
ତିନି, ନାରଦ ବଜାଏ ଗିନି ।
ଚାରି, ରାମ ଗଲେ ମୃଗ ମାରି ।
ପାଞ୍ଚ, ତା ଧେଇ ଧେଇ ନାଚ ।
ଛଅ, ସାଥୀ ହୋଇଯିବା ରହ ।
ସାତ, ଦେଖିଯିବା ଦୋଳଯାତ ।
ଆଠ, ହଳଦୀ ପତର କାଟ ।
ନଅ, ଲେଖନ ପତର ଧଅ ।
ଦଶ, କଉଡ଼ି ଖେଳିବୁ ବସ ।



ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Wednesday, July 25, 2018

'ତୋତ୍ତୋଚାନ୍': ଏକ ସମୀକ୍ଷାୟନ

ଲେଖକ - କାମିଲେଶ୍ୱରୀ ପଟ୍ଟନାୟକ 

ତୋତ୍ତୋଚାନ ବହିଟିର ଏକ ଜାପାନୀ ସଂସ୍କରଣର ମଲାଟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏହି ବହିଟି କେବଳ ଗୋଟିଏ ଛୋଟ ଝିଅର କାହାଣୀ ନୁହେଁ । ଏହା ହେଉଛି ଦ୍ୱିତୀୟ ବିଶ୍ୱଯିଦ୍ଧ ପୂର୍ବର ଜାପାନର ଗୋଟିଏ ଉନ୍ନତ ମାନର ଶିକ୍ଷା ପଦ୍ଧତିର ଆଖ୍ୟାନ, ଯେଉଁଥିରୁ ବର୍ତ୍ତମାନର ଜାପାନର, ଭାରତର ଓ ବିଶ୍ୱର ଅଧିକାଂଶ ଶିଶୁମାନେ ଏବେବି ବଞ୍ଚିତ । ଆଜିକାଲି କୋମଳତି ଶିଶୁମାନଙ୍କୁ ପ୍ଲେ ସ୍କୁଲକୁ ବାପାମା' ପଠାଇ ଦେଇ ନିଶ୍ଚିନ୍ତ ହୋଇଯାଉଛନ୍ତି, ଯଦିଓ ଏହା ପିଲାଙ୍କ ପକ୍ଷରେ ଅନ୍ୟାୟ । 
ତୋମୋଏ ସ୍କୁଲର ପ୍ରତିଷ୍ଠାତା ତଥା ପରିଚାଳକ ସୋସାକୁ କୋବାୟଶିଙ୍କ ପ୍ରଚଳିତ ଶିକ୍ଷା ପ୍ରଣାଳୀରେ ସେ ଗୋଟିଏ ପିଲାକୁ ଶ୍ରେଣୀରେ ଦାଖଲ ହେବା ପାଇଁ ବିଭିନ୍ନ କିଛି ସାକ୍ଷାତକାର ଢାଞ୍ଚାର ପ୍ରଶ୍ନ ପଚାରୁ ନ ଥିଲେ । ତୋମାଏରେ ପିଲାମାନଙ୍କୁ ପୂରା ସ୍ୱାଧୀନ ଭାବରେ କହିବା ବା ଶିଖିବା ପାଇଁ ସ୍ୱାଧୀନତା ଦିଆଯାଉଥିଲା । ତାହା ଫଳରେ, ସେମାନେ ଯେ ନିଜ ମନ ଖୋଲି ଖାଲି ପ୍ରଶ୍ନଗୁଡ଼ିକର ଉତ୍ତର ଦେଉ ଥିଲେ ତାହା ନୁହେଁ, ସେମାନେ ନିଜ ମନରେ ଥିବା ଅନେକ କଥା ମୁକ୍ତ ଭାବରେ ପ୍ରକାଶ କରୁଥିଲେ । 
ତୋତ୍ତୋଚାନ୍” ପୁସ୍ତକରେ ବର୍ଣ୍ଣିତ ତୋମାଏ ବିଦ୍ୟାଳୟଟିରେ ରେଳଡବାଟିକୁ ଶ୍ରେଣୀଗୃହରେ ପରିଣତ କରିଦିଆଯାଇଥି୍ଲା । ରେଳଡ଼ବାରେ ପାଠ ପଢ଼ା ପିଲାଙ୍କ ପାଇଁ ଗତାନୁଗତିକ ନ ହୋଇ ଗୋଟିଏ ଆନନ୍ଦଦାୟକ, କିନ୍ତୁ ଶିକ୍ଷଣୀୟ ବଣଭୋଜିର ରୂପ ନେଉଥିଲା । ସ୍କୁଲଟିରେ ପିଲାମାନେ ଖାଇବା ଛୁଟିରେ ଲଞ୍ଚ୍ ଖାଇବା ସମୟରେ ମଧ୍ୟ ଶିଖିବା ଜାରି ରହୁଥିଲା । ସମୁଦ୍ର ଖାଦ୍ୟ ଓ ମାଟିର ଖାଦ୍ୟ ଆଦି ବିଭିନ୍ନ ପ୍ରକାରର ଖାଇବା ଆଣି ପିଲାଏ ନିଜର ଖାଇବା ବିଷୟରେ ଓ ପାଠ ବିଷୟରେ ଅନେକ କଥା ଅବଲୀଳା କ୍ରମେ ଶିଖି ଯାଉ ଥିଲେ ।
ତୋମୋଏ” ସ୍କୁଲରେ ପିଲାଏ ବୁଲିଗଲେ, ତାହା ସହିତ ଅନେକ ବ୍ୟାବହାରିକ କଥା ଶିଖୁଥିଲେ । ଯେପରିକି ବୁଲିବା ସମୟରେ ଶିକ୍ଷକ ଫୁଲର ବିଭିନ୍ନ ଅଂଶ ବିଷୟରେ କହିବା ଓ ସେଥିରୁ ଫଳ କିପରି ହୁଏ ଓ ଫଳ ହେବାରେ ରେଣୁ ଓ ପ୍ରଜାପତିର ଭୂମିକା କଣ ସବୁ ଅତି ସହଜରେ ବୁଝାଇବା ଦ୍ୱାରା ପିଲାମାନେ ଫୁଲ, ରେଣୁ, ପ୍ରଜାପତି, ଫଳ ଇତ୍ୟାଦି ବିଷୟରେ ସୁନ୍ଦର ଓ ସହଜ ଭାବରେ ବୁଝି ପାରୁ ଥିଲେ । ପିଲାମାନେ ତାଙ୍କ ଅଜାଣତରେ ଖେଳି, ବୁଲି ଖୁସିରେ ବିଜ୍ଞାନ, ଇତିହାସ, ଜୀବଜଗତ ଓ ଅନ୍ୟାନ୍ୟ ଅନେକ ବିଷୟରେ ଶିକ୍ଷା ଆହରଣ କରିପାରୁଥିଲେ ।
ତୋମୋଏ” ସ୍କୁଲର ପିଲାଙ୍କ ସାହସ ପରୀକ୍ଷା ମଧ୍ୟ ଗୋଟିଏ ମନଛୁଆଁ ପ୍ରସଙ୍ଗ । ଏଠାରେ ପିଲାଙ୍କ ମନରୁ ଖେଳଖେଳରେ ଅନ୍ଧବିଶ୍ୱାସ ଓ ଡରଭୟ ସବୁ ଦୂର କରିବା ପାଇଁ ଚେଷ୍ଟା କରା ଯାଉଥିଲା । ପିଲାମାନେ ଏଇ ସ୍କୁଲରେ ବହୁତ କିଛି ନିଜ ଇଚ୍ଛାରେ କରିବା ପାଇଁ ସ୍ୱାଧୀନ ଥିଲେ । ଗଛ ଚଢ଼ିବା, ପୋଖରୀରେ ପହଁରିବା, ମାଛ ଧରିବା, ନାଚଗୀତ କରିବା ଇତ୍ୟାଦି ସବୁ କିଛି ପିଲାମାନେ ସ୍ୱାଧୀନ ଭାବରେ କରୁଥିଲେ । ତୋତ୍ତୋ-ଚାନ୍ ନିଜର ପୋଲିଓ ପୀଡିତ ସାଙ୍ଗ ୟାସୁଆକି-ଚାନଙ୍କୁ ନେଇ ଗଛ ଚଢ଼ିବା ଓ ଚଢ଼େଇବା ଭଳି ଦୁଃସାହସିକ କାମ କରିଥିଲା । ଏତେ ଛୋଟ ପିଲା ହେଲେ ମଧ୍ୟ ତୋତ୍ତୋ-ଚାନ୍ କିପରି ଭିନ୍ନକ୍ଷମ ପିଲାଟିକୁ ଗଛ ଚଢ଼ିବାରେ ସାହାଯ୍ୟ କରି ତା'କୁ ଗଛ ଉପରୁ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖାଇ ପାରି ଥିଲା, ତାହା ମୋ' ମନକୁ ଆନ୍ଦୋଳିତ କଲା । ଏହା ଦର୍ଶାଉଛି ଯେ, ଯଦି ପିଲାମାନଙ୍କୁ ସ୍ୱାଧୀନ ଭାବରେ କାମ କରିବାକୁ ଦିଆଯାଏ, ତାହା ହେଲେ ସେମାନେ ବଡ଼ମାନଙ୍କୁ ମଧ୍ୟ ବଳିଯିବେ ।
ସୋସାକୁ କୋବାୟାଶି, କିପରି ଏତେ ଛୋଟ ପିଲାମାନଙ୍କୁ କୃଷି ବିଷୟରେ ବ୍ୟାବହାରିକ ଶିକ୍ଷା ଦେବାକୁ ଚେଷ୍ଟା କରିଛନ୍ତି, ତାହା ଭାବିବା କଥା । ପିଲାଙ୍କୁ କୃଷି ଶିକ୍ଷା ଦେବା ପାଇଁ ସେ ଜଣେ ପ୍ରକୃତ କୃଷକଙ୍କୁ ଶିକ୍ଷକ ଭାବରେ ଆଣିଥିଲେ ଓ ପ୍ରକୃତରେ କ୍ଷେତରେ କିପରି ଚାଷ ହୁଏ, ଚାଷ ପାଇଁ କ'ଣ ଯନ୍ତ୍ରପାତି ଦରକାର ହୁଏ, ଦେଖାଇବା ସହିତ ସେମାନଙ୍କ ହାତରେ ସେହି ଯନ୍ତ୍ରପାତି ସାହାଯ୍ୟରେ ମାଟି ଖୋଳା ଓ ଘାସ ଉପୁଡ଼ା ଇତ୍ୟାଦି କାମ ମଧ୍ୟ କରାଇ ଥିଲେ । ଅନାବନା ଗଛ ଓ ଘାସ କିପରି ଶୀଘ୍ର ବଢ଼ି ମାଟିରେ ଥିବା ସାର ଓ ପାଣି ଟାଣି ନିଅନ୍ତି ଓ ସେଥିରେ ଫସଲ ନଷ୍ଟ କରୁଥିବା କୀଟପତଙ୍ଗ ମଧ୍ୟ ବାସ କରି ରହିଥାନ୍ତି, ତାହା ବୁଝାଇବାରୁ ଆରମ୍ଭ କରି ଚାରା ଉଠାଇ, ଗଛ କରି, ଫସଲ ଉତୁରାଇବା ଇତ୍ୟାଦି ପିଲା ନିଜେ କରିବା ଦ୍ୱାରା ସେମାନେ କୃଷି ବିଷୟରେ ଅନେକ କଥା ଜାଣି ପାରୁ ଥିଲେ । 
ତୋତ୍ତୋଚାନ୍ ପୋଷା କୁକୁର ରକି ସହିତ କଥା ହେବା, ତା' ସହିତ ସବୁ ସେଆର୍ କରିବା, ତା'କୁ ନିଜ ସ୍କୁଲର ଗପ ସବୁ କହିବା, ଟ୍ରେନ୍ ପାସ୍‌ଟିକୁ ତା'ର ବେକରେ ପିନ୍ଧାଇବା ଓ ତା' ସହିତ ଖେଳିବା ଓ ଖେଳିଲା ବେଳେ ରକି କାମୁଡିଲେ, କାଳେ ତା'ର ବାପାମା' ରକିକୁ ମାରିବେ, ସେଥି ପାଇଁ ନିଜ ଉପରକୁ ଦୋଷ ନେବା ଇତ୍ୟାଦି ବିଷୟ ବହିଟିରେ ଭାରି ମନଛୁଆଁ ହୋଇଛି । ଶେଷକୁ ରକି ହଜିଯିବା ପ୍ରସଙ୍ଗଟି ମୋତେ ମୋ' ପୋଷା କୁକୁରର ମୃତ୍ୟୁ ବେଳର କଥା ମନେ ପକାଇ ଦେଲା । ସେହି ପରି ୟାସୁଆକି ଚାନ୍‌ର ମୃତ୍ୟୁ ଖବର ମଧ୍ୟ ଭାରି କଷ୍ଟଦାୟକ ଥିଲା । ୟାସୁଆକି-ଚାନ୍‌ର ମରିବା ପିଲାଙ୍କୁ ଜନ୍ମ ଓ ମୃତ୍ୟୁ ବିଷୟରେ ଓ ସୁଖ କଣ ଓ ଦୁଃଖ କଣ ଜାଣିବାରେ ସାହାଯ୍ୟ କରିଥିଲା । ଜୀବନରେ ଯେ ସବୁବେଳେ ସୁଖ ନ ଥାଏ, ଦୁଃଖ ମଧ୍ୟ ଅଛି ବୋଲି ସେମାନେ ଅନୁଭବ କରିଥିଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଏହି ବିଦ୍ୟାଳୟଟି ଉପରେ ଅତି ଖରାପ ପ୍ରଭାବ ପକାଇଥିଲା । ଖାଲି ତୋତ୍ତୋଚାନ୍‌ର ପରିବାର ନୁହେଁ, ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶର କୋଟି କୋଟି ଲୋକଙ୍କ ଉପରେ କୁପ୍ରଭାବ ପକାଇଥିଲା । ତେଣୁ ଆମେ ସମସ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା ଦରକାର ଯେ, ଭବିଷ୍ୟତରେ ସେ ପ୍ରକାର ଯୁଦ୍ଧ ଆଉ ନ ହେଉ ।
ତୋମୋଏ ସ୍କୁଲର ଅନେକ ନିଆରା ବିଷୟ ମୋ' ମନରେ ଛାପ ପକାଇଛି । ସ୍କୁଲର ଖେଳରେ ବହି, ପେନ୍‌ସିଲ୍, କଲମ ଇତ୍ୟାଦି ବଦଳରେ ପିଲାଙ୍କୁ ପୁରସ୍କାର ସ୍ୱରୂପ ବିଭିନ୍ନ ପ୍ରକାର ପନିପରିବା ଦେବା, ସେଠାକାର ସଙ୍ଗୀତ ଶିକ୍ଷା, ଖାଦ୍ୟକୁ ଠିକ୍ ଭାବରେ ଚୋବାଇ ଖାଇବା ଶିକ୍ଷା, ପୋଖରୀରୁ ମାଛ ଧରିବା, ଉଷ୍ଣପ୍ରସ୍ରବଣରେ ଗରମ ପାଣି କୁଣ୍ଡରେ ବସି ମଜା କରିବା, ସବୁଠାରୁ ଖରାପ ଜାମାପଟା ପିନ୍ଧି ପାଣି କାଦୁଅରେ ଖେଳିବା ଇତ୍ୟାଦି ବିଷୟ ପ୍ରତ୍ୟେକ ଶିକ୍ଷକ ପାଇଁ ଶିକ୍ଷଣୀୟ ଓ କରଣୀୟ ।
ତୋମାଏ ସ୍ଲୁଲର ଅନୁଭୂତିରୁ ଆମେ ଶିଖୁ ଯେ, ସ୍କୁଲର ପରିବେଶ ପିଲାଙ୍କୁ ପ୍ରକୃତିଠାରୁ ଦୂରରେ ନ ରଖି ପ୍ରକୃତି କୋଳରେ ରଖିବା ପାଇଁ ଚେଷ୍ଟା କରିବା ଉଚିତ୍ । କିନ୍ତୁ ଆଜିକାଲିକା ବିଦ୍ୟାଳୟଗୁଡ଼ିକ ଖାଲି ବନ୍ଦୀଶାଳା ଭଳି କଙ୍କ୍ରିଟରେ ତିଆରି ବଡ଼ବଡ଼ କୋଠାଘର ଛଡ଼ା କିଛି ନୁହେଁ । ପଢ଼ା ପଢ଼ି ମଧ୍ୟ ଏପରି ହେଉଛି ଯେ, ପିଲାଙ୍କୁ ଖାଲି ଗୁଡ଼ାଏ ବହି ଖାତା ଦେଇ ସେମାନଙ୍କୁ ଘୋଷିକି ଲେଖିବା ପାଇଁ କୁହା ଯାଉଛି । ଯଦି ପିଲାଙ୍କର ଆମେ ପ୍ରକୃତରେ ଉନ୍ନତି ଚାହୁଁଛେ ତାହା ହେଲେ, “ତୋମୋଏ” ଆମ ପାଇଁ ପ୍ରେରଣାର ଉତ୍ସ ହୋଇପାରିବ । 
ବି. ଦ୍ର.: ଏହି ବହିଟି ବିନୟକୃଷ୍ଣ ପଟ୍ଟନାୟକ ଓ ନିଖିଳମୋହନ ପଟ୍ଟନାୟକ ଅନୁବାଦ କରିଥିବା ଜାପାନୀ ବହି 'ତୋତ୍ତୋଚାନ'ର ଓଡ଼ିଆ ଅନୁବାଦର ଏକ ସମୀକ୍ଷାୟନ । ଜାପାନୀ ବହିଟିର ଲେଖିକା ହେଲେ ତେତ୍‌ସୁକୋ କୁରୋୟାନାଗି । ଓଡ଼ିଆ ବହିଟି ଏନ.ବି.ଟି. ୧୯୯୬ ମସିହାରେ ପ୍ରଥମେ ପ୍ରକାଶିତ କରିଥିଲେ ।

Tuesday, July 24, 2018


ଛାତ୍ରଙ୍କ ସ୍ୱାସ୍ଥ୍ୟରକ୍ଷା

ଗୋପବନ୍ଧୁ ଦାଶ


ବାପୁଦେବ ଶାସ୍ତ୍ରୀ (୧୮୨୧-୧୯୦୦) ବାରଣାସୀରେ  ଜ୍ୟୋତିର୍ବିଦ୍ୟା ପଢ଼ାଉଥିବାର ଦୃଶ୍ୟ
ସ୍ଥାନ - କ୍ୱିନ୍ସ୍ ବିଶ୍ୱବିଦ୍ୟାଳୟ; କାଳ - ୧୮୭୦ ମସିହା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଛାତ୍ରମାନଙ୍କର ଶାରୀରିକ ବଳ ବିଧାନ ନିମନ୍ତେ କେତେ ଦିନ ତଳେ କଲିକତା ବିଶ୍ୱବିଦ୍ୟାଳୟ ଏକ ବ୍ୟବସ୍ଥା କରି ଥିଲେ । ମାତ୍ର ତାହା କେବଳ ବ୍ୟବସ୍ଥାରେ ରହିଲା । ଫଳରେ ଏ ପର୍ଯ୍ୟନ୍ତ କିଛି ଦେଖା ଯାଇ ନାହିଁ। ଏବେ ବଙ୍ଗଳାର ସଭାରେ ଏକ ପ୍ରସ୍ତାବ ଗୃହିତ ହୋଇ ଅଛି ଯେ, ବାର ବର୍ଷରୁ ଅଠର ବର୍ଷ ଛାତ୍ରମାନଙ୍କୁ କୁସ୍ତିକସରତ କରିବାକୁ ହେବ । ବିଦ୍ୟାଳୟମାନଙ୍କରେ ଏଥି ଲାଗି ଉପଯୁକ୍ତ ବନ୍ଦୋବସ୍ତ କରାଯିବ । ଦେଶର ଛାତ୍ରମାନଙ୍କର ବଳ କ୍ଷୀଣ ହୋଇ ଯାଉଛି । ଏହା ସମସ୍ତେ ଦେଖି ପାରୁଛନ୍ତି । 

କିନ୍ତୁ କେବଳ ବ୍ୟାୟାମ ବା କୁସ୍ତିକସରତ କଲେ ବଳ ହୋଇଯିବ କି ଆମର ଶାରୀରିକ ଦୁର୍ବଳତା ଲାଗି ବର୍ତ୍ତମାନ ସମୟର ଶିକ୍ଷାନୀତି ଓ ପଦ୍ଧତି ଅନେକ ପରିମାଣରେ ଦାୟୀ । ପାଠ୍ୟ ବିଷୟ ଅନେକ ଗୁଡ଼ିଏ ବିଦେଶୀ ଭାଷାରେ ପୁଣି ପଢ଼ିବାକୁ ହୁଏ । ପରୀକ୍ଷା ପ୍ରଣାଳୀ ଆହୁରି ବିଷମ । ଛାତ୍ରମାନଙ୍କୁ ଅଯଥା ଅନେକ ଚିନ୍ତା ଓ ଉଦ୍‌ବେଗ କରିବାକୁ ପଡ଼େ ସେମାନଙ୍କର ବିସ୍ତର ସମୟ ଶକ୍ତି ହୁଏ । ଏଣେ ପୁଣି ଅନେକଙ୍କର ଅବସ୍ଥା ଏପରି ଯେ, ଯଥା ସମୟରେ ବଳକାରକ ଖାଦ୍ୟ କଥା ଦୂରରେ ଥାଉ, କୌଣସି ପ୍ରକାର ଖାଦ୍ୟ ମିଳିବା ଦୁଷ୍କର । ପାଠପଢ଼ାର ସମୟ ଦଶଟା କି ଏଗାରଟାଠାରୁ ଚାରିଟା ପାଞ୍ଚଟା ପର୍ଯ୍ୟନ୍ତ। ଖାଇ ସାରିବା ମାତ୍ରେ ଏହି ସମୟରେ ଅବିଶ୍ରାନ୍ତ ଭାବରେ କାର୍ଯ୍ୟବ୍ୟସ୍ତ ରହିବା ଯୋଗୁଁ ଏ ଦେଶର ଅଧିକାଂଶ ଲୋକଙ୍କର ବାତାଜୀର୍ଣ୍ଣ ରୋଗ ହେଉଛି । 

ଏହା ଛଡ଼ା ସ୍କୁଲ କଲେଜମାନଙ୍କରେ ବ୍ରହ୍ମଚର୍ଯ୍ୟ ରକ୍ଷାର ବ୍ୟବସ୍ଥା ନାହିଁ । ବରଂ ମଫସଲରେ ଯେଉଁମାନେ ଅଛନ୍ତି, ସେମାନେ ଭଲ ଅଛନ୍ତି । ସ୍କୁଲରେ ବା କଲେଜରେ ଯେଉଁମାନେ ପଢ଼ନ୍ତି ବ୍ରହ୍ମଚର୍ଯ୍ୟ ଆଦି ବିଷୟରେ ସହସ୍ରେ ବକ୍ତୃତା ଦେଲେ ସୁଦ୍ଧା, ସେମାନେ ପ୍ରକୃତ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି ନାହିଁ । ସ୍କୁଲ କଲେଜ ଅଧିକାଂଶ ସହରରେ । ସହରର ପ୍ରଲୋଭନ ବିସ୍ତର । 

ସହରରେ ସେପରି ଖୋଲା ଘର, ଖୋଲା ପବନ ନାହିଁ । ସହରରେ ଲୋକେ ଅସ୍ୱାଭାବିକ ରୀତିରେ ଜୀବନଯାପନ କରନ୍ତି । ଏହି ସବୁ ଅସୁବିଧା ଅନ୍ତରାୟ ଥିବା ସ୍ଥଳେ ଖାଲି ଶାରୀରିକ ପରିଶ୍ରମର ବ୍ୟବସ୍ଥା ହେଲେ ଛାତ୍ରମାନେ ଶୂରବୀର ହୋଇ ଯିବେ, ଏଭଳି ଆଶା କରିବା କଥା 

(ତା ୩--୧୯୨୬)

Monday, July 23, 2018

ଗିଜୁଭାଇଙ୍କ ଅବଦାନ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଶିକ୍ଷାବିଦ ମାରିଆ ମଣ୍ଟେସୋରିଙ୍କର ଏକ ରେଖାଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବିଂଶ ଶତାଦ୍ଦୀର ଆରମ୍ଭରେ ପରାଧୀନ ଭାରତରେ ଭାରତୀୟମାନେ ଖୁବ କଷ୍ଟରେ ରହୁଥିଲେ। ଏମିତି ଏକ ସମୟରେ ମହାତ୍ମା ଗାନ୍ଧୀ ଦେଶକୁ ସ୍ୱାଧୀନ କରିବା ପାଇଁ ସତ୍ୟ, ଅହିଂସା ଓ ଆତ୍ମନିର୍ଭରଶୀଳତାର ରାସ୍ତା ଦେଖାଇ ୁଥିଲେ। ଗିଜୁଭାଇ ସେହି ରାସ୍ତାକୁ ଆପଣାଇ ଶିକ୍ଷା କ୍ଷେତ୍ରରେ ଗାନ୍ଧିଜୀଙ୍କ ନୀତିଗୁଡ଼ିକୁ ପିଲା ତଥା ଅଭିଭାବକମାନଙ୍କ ପାଖରେ ପହଞ୍ଚାଉ ଥିଲେ। ଏଥି ପାଇଁ ତାଙ୍କୁ ପିଲାମାନଙ୍କ ଗାନ୍ଧୀ କୁହାଯାଉ ଥିଲା। ଶିକ୍ଷା କ୍ଷେତ୍ରରେ ଗିଜୁଭାଇଙ୍କ ବିଚାରଧାରା ମଧ୍ୟରେ ଗାନ୍ଧିଜୀଙ୍କର ଜୀବନ ଦର୍ଶନ ମିଶି ରହୁଥିଲା ।
ଗିଜୁଭାଇ କହୁଥିଲେ ଯେ, ପିଲାଙ୍କୁ ବାଧ୍ୟ କରି କାମ କରାଇବା ଉଚିତ ନୁହେଁ । ବିନା ଦଣ୍ଡରେ ପିଲାମାନେ ଶିକ୍ଷା ପାଇଲେ ହିଁ ଦେଶରେ ହିଂସା, ଭୟ, ଅତ୍ୟାଚାର ରହିବ ନାହିଁ । ପିଲାଙ୍କୁ ଦଣ୍ଡ ଦେଇ ଆମେ କେବଳ ନିଜର ଧୈର୍ଯ୍ୟହୀନତାର ପରିଚୟ ଦେଉ ।
ଭାରତ ଓ ଗାନ୍ଧିଜୀଙ୍କଠାରୁ ଅନେକ ଦୂରରେ ରହି ଶିଶୁ ଓ ଶିକ୍ଷାପ୍ରେମୀ ମାରିଆ ମଣ୍ଟେସୋରି ମଧ୍ୟ ଗାନ୍ଧିଜୀଙ୍କ ଦର୍ଶନକୁ ସମର୍ଥନ କରୁଥିଲେ । ଗାନ୍ଧିଜୀ ଯେତେବେଳେ ମଣ୍ଟେସୋରିଙ୍କ ଭେଟିଲେ ଓ କଥା ହେଲେ, ସେତେବେଳେ ଉଭୟଙ୍କର ସମାନ ବିଚାରଧାରାର ପ୍ରମାଣ ମିଳିଥିଲା । ଫଳରେ ତାଙ୍କର ଶିକ୍ଷା ପ୍ରଣାଳୀକୁ ଭାରତରେ ଚଳାଇବା ପାଇଁ ଗିଜୁଭାଇ ଆହୁରି ଉତ୍ସାହିତ ହେଲେ ।
ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Sunday, July 22, 2018

ଗୋଟିଏ ପଦକ କଥା

ଜ୍ୟୋତି ନନ୍ଦ


ପଲାସୀ ଯୁଦ୍ଧର ମାନଚିତ୍ର: ୧୭୬୦ ମସିହାର 'ଲଣ୍ଡନ ମାଗାଜିନ' ପତ୍ରିକାରୁ ସଙ୍ଗୃହିତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜିକୁ ଦୁଇ ଶହ ଏକଷଠି ବର୍ଷ ତଳେ ଆଜି ଦିନରେ ଗୋଟିଏ ପ୍ରସିଦ୍ଧ ଓ ନିର୍ଣ୍ଣାୟକ ଯୁଦ୍ଧ ହୋଇଥିଲା । ଆଜି ଦିନରେ ଅର୍ଥାତ୍ ୨୪ ଜୁନ୍ ୧୭୫୭ ଖ୍ରୀଅରେ ବ୍ରିଟିଶ ଈଷ୍ଟ ଇଣ୍ଡିଆ ନାମରେ ଇଂଲଣ୍ଡର ଗୋଟିଏ କମ୍ପାନୀ ଯିଏ ବଣିଜ କରିବା ଉଦ୍ଦେଶ୍ୟରେ ଭାରତକୁ ଆସିଥିଲା, ସେଇ କମ୍ପାନୀଟି ଭାରତରେ ପ୍ରାୟତଃ ଦେଢ଼ ଶହ ବର୍ଷ ତଳରୁ ଆସି ଏଠାରେ ବାଣିଜ୍ୟ ବ୍ୟବସାୟ କରୁଥିଲେ ହେଁ, ପ୍ରଥମ ଥର ରାଜ୍ୟଜୟ କରିବା ଲକ୍ଷ୍ୟରେ ଜଣେ ଭାରତୀୟ ସମ୍ରାଟ ଯଥା ବଙ୍ଗଳାର ନବାବ ସିରାଜୌଦ୍ଦଲାଙ୍କ ବିରୁଦ୍ଧରେ ଏହି ଦିନ ଯୁଦ୍ଧ ଘୋଷଣା କରିଥିଲା । ଏଇ ଯୁଦ୍ଧଟିକୁ ଭାରତ ଇତିହାସରେ 'ପଲାସି ଯୁଦ୍ଧ' ବୋଲି କୁହାଯାଏ ।

ଏହି ନିର୍ଣ୍ଣାୟକ ଯୁଦ୍ଧରେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏଥିରେ ଯୁଦ୍ଧଭାଗ ଅପେକ୍ଷା କୂଟନୀତି ଭାଗଟି ଯଥେଷ୍ଟ ଅଧିକ ଥିଲା ।ଯୁଦ୍ଧକ୍ଷେତ୍ରରେ ଉଭୟ ପକ୍ଷର ସୈନ୍ୟ ସାମର୍ଥ୍ୟରର ପରାକାଷ୍ଠା ପ୍ରମାଣିତ ହେବାର ପ୍ରଚଳିତ ବ୍ୟବସ୍ଥାଟି ଏଠାରେ ପରୀକ୍ଷିତ ହୋଇ ନ ଥିଲା । ଏଠାରେ ବିଜୟ ହୋଇଥିଲା ଯୁଦ୍ଧ ପଛର କୂଟନୀତିର । ଆଜିର ମ୍ୟାଚ୍ ଫିକ୍ସିଂ ଭଳି ଏଇ ଯୁଦ୍ଧର ଫଳାଫଳଟି ଆଗରୁ ସୁଚତୁର ବ୍ରିଟିଶ ରବର୍ଟ କ୍ଲାଇଭ୍ ଓ ତାଙ୍କର ସହଯୋଗୀମାନଙ୍କ ଦ୍ୱାରା ନିର୍ଣ୍ଣିତ ହୋଇ ରଖା ଯାଇ ଥିଲା ।

ପଲାସି ଯୁଦ୍ଧରେ ବ୍ରିଟିଶ ମାନଙ୍କ ପ୍ରାୟ ୩୫୦୦ ସୈନ୍ୟ ବଙ୍ଗଳାର ନବାବଙ୍କ ପ୍ରାୟ ୫୦୦୦୦ ସୈନ୍ୟଙ୍କୁ ପରାସ୍ତ କରି ଦେଇ ଥିଲେ ।ପଲାସି ଯୁଦ୍ଧରେ ବିଜୟର ସ୍ମାରକ ସ୍ୱରୂପ ବ୍ରିଟିଶ ଈଷ୍ଟ ଇଣ୍ଡିଆ ଗୋଟିଏ ପଦକ ପ୍ରଚଳନ କରିଥିଲେ । ଏହି ପଦକରେ ଗୋଟିଏ ହାତୀ ଉପରେ ଜଣେ ବ୍ରିଟିଶ ତରୁଣର ମନଖୁସିରେ ବସି ଥିବାର ଛବି ରହିଅଛି । ହାତୀକୁ ଭାରତୀୟ ସମରକଳାର ପ୍ରତୀକ ବୋଲି ବିବେଚନା କରାଯାଉ ଥିଲା । ହାତୀ ହିଁ ଭାରତୀୟ ରଣାଙ୍ଗନରେ ଆଦିମତମ କାଳରୁ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଅଛି । ଏଠାରେ ଭାରତୀୟ ହାତୀକୁ ନିଜର ବଶମ୍ବଦ କରି ରଖିବାର ସଫଳ କଥାକୁ ବ୍ରିଟିଶମାନେ ବିପଣନ କରିବା ଉଦ୍ଦେଶ୍ୟରେ ଏଇ ପଦକକୁ ପ୍ରଚଳନ କରିଥିଲେ।

ଏକ ପ୍ରତୀକକୁ ଆତ୍ମସାତ୍ କରିବାର ଏହା ଏକ ସଫଳ ବ୍ରିଟିଶ ପ୍ରଚେଷ୍ଟା । କହିବା ବାହୁଲ୍ୟ, ଏହା ପରେ ଅର୍ଥାତ୍ ପଲାସି ଯୁଦ୍ଧ ପରେ, ଭାରତୀୟ ହାତୀମାନେ ବନସ୍ତରେ ରହିଲେ; ଆଉ, ସେମାନଙ୍କ ଭିତରୁ କେତେ ପୋଷା ମାନି ଲୋକଙ୍କ ସେବାରେ ନିୟୋଜିତ ହୋଇ ରହିଲେ । ଯୁଦ୍ଧରେ ସେମାନଙ୍କୁ ଆଉ ସକ୍ରିୟ ଭାବରେ ଦେଖାଗଲା ନାହିଁ ।

ନିମ୍ନ ପଦକଟି ପଲାସି ଯୁଦ୍ଧରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ବିଜୟର ସ୍ମାରକ ପଦକ ।


Saturday, July 21, 2018

ଉପକୂଳସ୍ଥ ପାର୍ବତ୍ୟାଞ୍ଚଳ ତଥା ମହାନଦୀ ତ୍ରିକୋଣଭୂମି


ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ମହାନଦୀ ତ୍ରିକୋଣଭୂମି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ପାର୍ବତ୍ୟାଞ୍ଚଳ 

ଏହା ହେଉଛି କୃଷିଯୋଗ୍ୟ ଅଞ୍ଚଳ ଓ ପୂର୍ବଘାଟ ପର୍ବତର ପାଦଦେଶର ମିଳନସ୍ଥଳ । ଏହାକୁ ଅସ୍ଥାୟୀ-ଅଞ୍ଚଳ ବୋଲି ମଧ୍ୟ କୁହା ଯାଇ ପାରେ । ଏଠାରେ ବିଭିନ୍ନ ଆକାରର ପାର୍ବତ୍ୟ ଝରଣା ପୂର୍ବଘାଟ ପର୍ବତମାଳାର ପାଦଦେଶରେ ଗଭୀର ଖାଇମାନ ସୃଷ୍ଟି କରିଛନ୍ତି ଏବଂ ଏହି କାରଣରୁ ଏ ଅଞ୍ଚଳରେ ପ୍ରଚୁର ମୃତ୍ତିକାକ୍ଷୟ ହୁଏ । ଏଠାକାର ନାଲିମାଟି ତଳେ ମାଙ୍କଡ଼ା ପଥରର ସ୍ତର ଥାଏ ଏବଂ ଏଗୁଡ଼ିକ ବେଳେବେଳେ ବାହାରକୁ ଦେଖାଯାଏ । ଫଳରେ ଏହି ଅଞ୍ଚଳଟି ଉଷର ଏବଂ ପରିତ୍ୟକ୍ତ ହୋଇଥାଏ । ଏହି ଅଞ୍ଚଳ ନିମ୍ନସ୍ତରରେ ମାଙ୍କଡ଼ା ପଥରର ସୃଷ୍ଟି ହୁଏ । ତେବେ ମଝିରେ ମଝିରେ ଘନବୃକ୍ଷଲତା ପରିପୂର୍ଣ୍ଣ ଉର୍ବର ଅଞ୍ଚଳ ମଧ୍ୟ ରହିଥାଏ । ପ୍ରାକୃତିକ ବୃକ୍ଷଲତା ମଧ୍ୟରେ କଣ୍ଟାବୁଦା ଠାରୁ ଆରମ୍ଭ କରି ଗୁଳ୍ମ ଏବଂ ଶାଳଅରଣ୍ୟ ମଧ୍ୟ ଦେଖାଯାଏ । ଋଷିକୁଲ୍ୟା ସମତଳ ଅଞ୍ଚଳରେ ଏହି ତିନୋଟି ପ୍ରାକୃତିକ ଅବସ୍ଥାରେ ସ୍ଥିତି ସେତେ ସ୍ପଷ୍ଟ ନୁହେଁ । ଉପକୂଳବର୍ତ୍ତୀ ଅରଣ୍ୟର ଅଭାବ ଏଠାରେ ବାରି ହେଇଯାଏ ଉଚ୍ଚପାର୍ବତ୍ୟ ସ୍ଥିତି ହିଁ ଏଠାରେ ସନ୍ତସନ୍ତିଆ ଭୂଇଁର ଅଭାବ ପାଇଁ ଦାୟୀ ।

ମହାନଦୀ ତ୍ରିକୋଣଭୂମି 

ମହାନଦୀର ତ୍ରିକୋଣଭୂମି ଅଞ୍ଚଳ ସାତଟି ବିଭିନ୍ନ ପର୍ଯ୍ୟାୟରେ ଗଠିତ ହୋଇଛି । ବିକାଶର ଏହି ପର୍ଯ୍ୟାୟ ୨୬୧୮୧୫୧୨୬ ଏବଂ ୧.୫ ମିଟର ସମୋଚ୍ଚରେଖା ଦ୍ୱାରା ସୀମିତ । ପ୍ରତ୍ୟେକ ସମୋଚ୍ଚରେଖା ଶାଖାନଦୀଗୁଡ଼ିକୁ ପରସ୍ପରଠାରୁ ପୃଥକ୍ କରୁଛି । ତ୍ରିକୋଣଭୂମି ବିକାଶର ସପ୍ତମ ପର୍ଯ୍ୟାୟରେ ଗୋଟିଏ ଉତ୍‌ଥାନ ଘଟିଛିଯାହା ଫଳରେ କି ଉପକୂଳଭୂମି ଅଞ୍ଚଳରେ ତିନୋଟି ସମାନ୍ତରାଳ ବାଲିକୁଦ ଦେଖା ଯାଏ । ଏହି ସବୁ ଉତ୍‌ଥାନ ବାଲିକୁଦ ଚିଲିକା ତଥା ଦେବୀନଦୀର ମୁହାଣରେ ପର୍ଯ୍ୟାୟ ବିସ୍ତୃତ ହୋଇଛି । ଫଳରେ ପାରାଦୀପକୁ ଛାଡ଼ି ସମଗ୍ର ଉପକୂଳ ସୀମା ଏକ ଉତ୍‌ଥାନ ଉପକୂଳରେ ପରିଣତ ହୋଇଛି । ନଦୀ ମୁହାଣଗୁଡ଼ିକ ପୋତି ହୋଇ ପଡ଼ିବା ଫଳରେ ବନ୍ୟାଜଳର ସ୍ୱଚ୍ଛନ୍ଦ ନିଷ୍କାସନରେ ବାଧା ସୃଷ୍ଟି ହେଉଛି । ବିଭିନ୍ନ ଆକାରରେ କେତେକ ପାଟ ସୃଷ୍ଟି ହୋଇଛି । ଏହାର ସୁସ୍ପଷ୍ଟ ଉଦାହରଣ ହେଉଛି ପୁରୀର ଉତ୍ତରରେ ଥିବା ସିର ପାଟ ଏବଂ ସମଗାର ପାଟ ।

ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତି, ହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Friday, July 20, 2018

ପିଲାଙ୍କ ଇତିହାସ ପାଠ - 'ଗୌତମ ବୁଦ୍ଧ'


କେଦାରନାଥ ମହାପାତ୍ର 


ବମ୍ବେ ଉପକଣ୍ଠସ୍ଥ କହ୍ନେରି ଗୁମ୍ଫା ନଂ ୩୪ରେ ଅଙ୍କିତ ବୁଦ୍ଧଙ୍କର କାନ୍ଥଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରାଚୀନ କାଳରେ ହିମାଳୟର ପାଦଦେଶରେ କପିଳବାସ୍ତୁ ନାମକ ଗୋଟିଏ ନଗରୀ ଥିଲା । ସେଠାରେ ଶାକ୍ୟବଂଶ ରାଜତ୍ୱ କରୁଥିଲେ । ଗୌତମ ବା ସିଦ୍ଧାର୍ଥ ସେହି ଶାକ୍ୟବଂଶୀୟ ରାଜା ଶୁଦ୍ଧୋଦନଙ୍କର ପୁତ୍ର ଥିଲେ । ବାଲ୍ୟକାଳରେ ତାଙ୍କ ପିତା ତାଙ୍କୁ ସକଳ ପ୍ରକାର ଶିକ୍ଷା ଦେଇଥିଲେ ଏବଂ ସୁଖ ଓ ବିଳାସରେ ବଢାଇଥିଲେ, କିନ୍ତୁ ପିଲାଦିନୁ ସେ ସଂସାର ବିଷୟରେ ଚିନ୍ତା କରୁଥିଲେ । ତାଙ୍କର ପିତା ତାଙ୍କୁ ଯଶୋଧାରା ନାମ୍ନୀ ସୁନ୍ଦରୀ ରାଜକନ୍ୟା ସହିତ ବିବାହ କରାଇ ଥିଲେ । ତାଙ୍କର ଗୋଟିଏ ପୁତ୍ର ମଧ୍ୟ ହୋଇଥିଲା । ସଂସାରରେ ଲୋକେ ଯାହାକୁ ସୁଖ ବୋଲି କହନ୍ତି ଗୌତମଙ୍କର ସେ ସମସ୍ତ ଥିଲା । ଧନ, ମାନ, ଯୌବନ, ରାଜ୍ୟ, ସ୍ତ୍ରୀ, ପୁତ୍ର, ବନ୍ଧୁ ପ୍ରଭୃତି ତାଙ୍କର ସକଳ ଥିଲା । ତଥାପି ସେ ସଂସାର ସୁଖରେ ଭୁଲି ଯାଇ ନ ଥିଲେ । ସଂସାରର ଦୁଃଖ, ଶୋକ, ରୋଗ, ମୃତ୍ୟୁ ପ୍ରଭୃତି ଦେଖି ତାଙ୍କର ହୃଦୟ କାନ୍ଦିଲା । ଲୋକମାନଙ୍କର ଦୁଃଖ ଦୂର କରିବା ପାଇଁ ତାଙ୍କର ପ୍ରାଣ ଆକୁଳ ହେଲା । ତେଣୁ ସେ ସଂସାରର ସମସ୍ତ ସୁଖରେ ଜଳାଞ୍ଜଳି ଦେଇ ଅନ୍ଧାର ରାତ୍ରିରେ ଘରୁ ପଳାଇଗଲେ । ଗୃହସଂସାର ଛାଡି ସେ ପ୍ରଥମେ ବୈଶାଳୀରେ ଥିବା ଜଣେ ବ୍ରାହ୍ମଣ ପଣ୍ଡିତଙ୍କର ଶିଷ୍ୟ ହେଲେ ଓ ପରେ ରାଜଗୃହରେ ଅନ୍ୟ ଜଣେ ବ୍ରାହ୍ମଣ ପଣ୍ଡିତଙ୍କଠାରୁ ଶିକ୍ଷାଲାଭ କରିଥିଲେ । ସେମାନଙ୍କର ଶିକ୍ଷାରେ ସନ୍ତୋଷ ଲାଭ ନ କରିବାରୁ ସେ ଉରୁବିଲ୍ୱ ନାମକ ସ୍ଥାନରେ ଛଅ ବର୍ଷ କାଳ କଠୋର ତପସ୍ୟା କଲେ । ତପସ୍ୟା କରି ତାଙ୍କର ଦେହ ଏକାବେଳକେ କ୍ଷୀଣ ହୋଇଗଲା । ତହୁଁ ସେ ସଂସାର ବିଷୟରେ ଗଭୀର ଚିନ୍ତା କରି ଦିବ୍ୟ ଜ୍ଞାନ ଲାଭ କରିଥିଲେ ଓ ବୁଦ୍ଧ ନାମରେ ଅଭିହିତ ହେଲେ । ତାଙ୍କ ଦ୍ୱାରା ପ୍ରଚାରିତ ଧର୍ମର ନାମ ବୌଦ୍ଧ ଧର୍ମ ।

ସେ ପ୍ରଥମେ ବାରାଣସୀ ବା କାଶୀରେ ବୌଦ୍ଧ ଧର୍ମ ପ୍ରଚାର କଲେ । ଚାହୁଁ ଚାହୁଁ ତାଙ୍କର ଯଶ ଚାରିଆଡ଼େ ବ୍ୟାପିଗଲା ଓ ଶତ ଶତ ଲୋକ ତାଙ୍କ ଧର୍ମ ଗ୍ରହଣ କଲେ । ମଗଧ ସମ୍ରାଟ ବିମ୍ୱିସାର ତାଙ୍କ ସଙ୍ଗେ ବହୁ ଆଲୋଚନା କରି ତାଙ୍କ ଧର୍ମ ଗ୍ରହଣ କଲେ । ବିମ୍ୱିସାରଙ୍କ ପୁତ୍ର ଅଜାତଶତୃ ମଧ୍ୟ ତାଙ୍କର ଶିଷ୍ୟ ହେଲେ । ଶାକ୍ୟବଂଶର ଅଧିକାଂଶ ଲୋକ ମଧ୍ୟ ତାଙ୍କର ଧର୍ମ ଗ୍ରହଣ କଲେ । କାଶୀ, ବୈଶାଳୀ, ରାଜଗୃହ, ଗୟା, ଶ୍ରାବସ୍ତି ପ୍ରଭୃତି ବୌଦ୍ଧ ଧର୍ମ ପ୍ରଚାରର କେନ୍ଦ୍ର ହେଲା । ଏହି ପରି ବହୁ କାଳ ଧର୍ମ ପ୍ରଚାର କରି, ସେ ୮୦ ବର୍ଷ ବୟସରେ କୁଶୀ ନଗରରେ ପ୍ରାଣତ୍ୟାଗ କଲେ । ପୃଥିବୀରେ ମହାପୁରୁଷମାନଙ୍କ ମଧ୍ୟରେ ବୁଦ୍ଧ ସର୍ବଶ୍ରେଷ୍ଠ । ସେ ମରି ଯାଇ ଅଛନ୍ତି ସତ୍ୟ, କିନ୍ତୁ ଆଜି ସୁଦ୍ଧା ପୃଥିବୀର ୫୦ କୋଟି ଲୋକ ତାଙ୍କର ଧର୍ମମତ ଅନୁସରଣ କରନ୍ତି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।