Tuesday, July 17, 2018

 ଗାନ୍ଧୀଙ୍କର ଶିକ୍ଷାବିଚାର: 'ଆତ୍ମିକ ଶିକ୍ଷା'

ଅନୁବାଦ -ଚିତ୍ତରଞ୍ଜନ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ପିଲାମାନଙ୍କ ଶରୀର ଓ ମନର ଶିକ୍ଷାଠାରୁ ସେମାନଙ୍କ ଆତ୍ମାର ଶିକ୍ଷାରେ ମତେ ବହୁତ ପରିଶ୍ରମ ପଡ଼ିଥିଲା । ଆତ୍ମାର ବିକାଶ କରାଇବାରେ ମୁଁ ଧର୍ମପୁସ୍ତକ ଉପରେ କର୍ମ ନିର୍ଭର କରୁଥିଲି । ମୋ ମତରେ ପ୍ରତ୍ୟେକ ଛାତ୍ର ତାର ଆପଣା ଧର୍ମର ମୂଳତତ୍ତ୍ୱ ଜାଣିବା ଉଚିତ୍  ।  ଧର୍ମଶାସ୍ତ୍ରମାନଙ୍କରେ ସାଧାରଣ ଜ୍ଞାନ ଥିବା ଆବଶ୍ୟକ । ତେଣୁ ମୁଁ ଯଥାସମ୍ଭବ ସେଭଳି ଜ୍ଞାନ ଦେବାର ସୁବିଧା କରି ଦେଇ ଥିଲି । କିନ୍ତୁ ମୋ' ମତରେ ସେତକ ବୌଦ୍ଧିକ ଶିକ୍ଷାର ଗୋଟିଏ ଅଙ୍ଗ । ଟଲଷ୍ଟୟ ଆଶ୍ରମ ପିଲାମାନଙ୍କ ଶିକ୍ଷାର ଭାର ନେବାର ବହୁ ପୂର୍ବରୁ ମୁଁ ବୁଝିପାରିଥିଲି ଯେ, ଆତ୍ମାର ଶିକ୍ଷା ଏକ ସ୍ୱତନ୍ତ୍ର ବିଭାଗ । ଆତ୍ମାର ବିକାଶ କରିବାର ଅର୍ଥ ଚରିତ୍ର ଗଢ଼ିବା, ଈଶ୍ୱରଙ୍କ ଜ୍ଞାନ ଦେବା ଏବଂ ଆତ୍ମଜ୍ଞାନ ଦେବା ।

ମୋ' ମତରେ ଏ ଜ୍ଞାନ ପାଇବାରେ ବାଳକର ବହୁତ ସାହାଯ୍ୟ ଦରକାର ଏବଂ ସେ ଜ୍ଞାନ ବିନା ଅନ୍ୟ ସବୁ ଶିକ୍ଷା ବ୍ୟର୍ଥ ହୁଏ ବରଂ କ୍ଷତିକାରକ ହୋଇଥାଏ ।

ଆତ୍ମଜ୍ଞାନ ଯେ କେବଳ ମନୁଷ୍ୟର ଚତୁର୍ଥାବସ୍ଥାରେ ମିଳେ, ଏ କୁସଂସ୍କାର ମୁଁ ଶୁଣିଥାଏ । ଯେଉଁମାନେ ଏହି ଅମୂଲ୍ୟ ଜ୍ଞାନ ପ୍ରାପ୍ତି ପାଇଁ ପ୍ରସ୍ତୁତ ନ ହୋଇ ସେହି ଶେଷାବସ୍ଥା ପାଇଁ ଅପେକ୍ଷା କରିଥା'ନ୍ତି, ସେମାନେ ଆତ୍ମଜ୍ଞାନ ତ ପାଆନ୍ତି ନାହିଁ, ବରଂ ତା' ବଦଳରେ ବାର୍ଦ୍ଧକ୍ୟ ଓ ପୁଣି ଏକ ଅତି ଶୋଚନୀୟ ଶୈଶବାବସ୍ଥା ଭୋଗ କରି ଦୁନିଆକୁ ବୋଝ ହୋଇଥା'ନ୍ତି ଏଭଳି ଅଭିଜ୍ଞତା ସର୍ବଦା ମିଳିଥାଏ । ମୋର ସମ୍ପୂର୍ଣ୍ଣ ମନେ ଅଛି ଯେ, ମୁଁ ୧୯୧୧-୧୨ରେ ଯେତେବେଳେ ପାଠ ପଢ଼ାଉଥିଲି, ସେତେବେଳେ ଏହି ପରି ମତ ପୋଷଣ କରୁଥିଲି । ଅବଶ୍ୟ ସେତେବେଳେ ଏହିପରି ଭାଷାରେ ପ୍ରକାଶ କରିବା ସମ୍ଭବ ନ ଥିଲା ।

ଆତ୍ମାର ଶିକ୍ଷା କେମିତି ଦିଅନ୍ତି ? ମୁଁ ପିଲାଙ୍କୁ ଭଜନ ବୋଲଉଥିଲି । ତାଙ୍କୁ ନୀତି କଥା ପଢ଼ି ଶୁଣାଉଥିଲି । ମାତ୍ର ସେଥିରେ ମୋର ତୃପ୍ତି ହେଉ ନ ଥିଲା । ମୁଁ ତାଙ୍କର ଯେତିକି ଅଧିକ ଘନିଷ୍ଠ ସମ୍ପର୍କରେ ଆସୁଥିଲି, ସେତିକି ଅଧିକ ବୁଝୁ ଥିଲି ଯେ, ଆତ୍ମାର ଶିକ୍ଷା ବହି ସାହାଯ୍ୟରେ ଦେବାର ନୁହେଁ । ଯେମିତି ଶରୀରର ଶିକ୍ଷା କେବଳ ଦେହର କସରତ ଦ୍ୱାରା, ଯେମିତି ବୁଦ୍ଧିର ଶିକ୍ଷା କେବଳ ବୁଦ୍ଧିର ଚାଳନା ଦ୍ୱାରା ଦେଇ ହେବ, ଯେମିତି ଆତ୍ମାର ଶିକ୍ଷା କେବଳ ଆତ୍ମାର କସରତ୍ ଦ୍ୱାରା ସମ୍ଭବ । ଏହି ଚାଳନା କେବଳ ଶିକ୍ଷକଙ୍କର ଚରିତ୍ରରୁ ମିଳି ପାରିବ । ପିଲା ଉପସ୍ଥିତ ଥାଆନ୍ତୁ ବା ନ ଥାଆନ୍ତୁ, ଶିକ୍ଷକଙ୍କର ସବୁବେଳେ ସାବଧାନ ରହିବା ଉଚିତ । 

ଶିକ୍ଷକ ଲଙ୍କାରେ ବସି ନିଜର ଚରିତ୍ର ବଳରେ ଆପଣାର ଶିଷ୍ୟମାନଙ୍କର ଆତ୍ମାକୁ ପ୍ରଭାବିତ କରି ପାରନ୍ତି । ମୁଁ ମିଛ କହିବି ଏବଂ ପିଲାଙ୍କୁ ସତ କୁହାଇବାକୁ ଚେଷ୍ଟା କରିବି – ତାହା ବୃଥା ହେବ । ଭୀରୁ ଶିକ୍ଷକ କେବେ ଆପଣା ଛାତ୍ରକୁ ବୀରତ୍ୱ ଶିଖେଇ ପାରିବ ନାହିଁ । ବ୍ୟଭିଚାରୀ ଶିକ୍ଷକ ପିଲାଙ୍କୁ କୁଆଡ଼େ ସଞ୍ଜମ ଶିଖାଇ ପାରିବ ? ତେଣୁ ମତେ ସାଥୀ ଯୁବକ, ଯୁବତୀମାନଙ୍କୁ ପାଇଁ ସବୁ ବେଳେ ଗୋଟିଏ ଆଦର୍ଶ ପାଠ ହୋଇ ରହିବାକୁ ପଡ଼ିବ, ଏ କଥା ମୁଁ ସ୍ପଷ୍ଟ ବୁଝି ପାରି ଥିଲି । ଫଳରେ ମୋର ଶିଷ୍ୟମାନେ ମୋର ଶିକ୍ଷକ ହୋଇ ଯାଇଥିଲେ ।

ଏବଂ ନିଜ ପାଇଁ ନୁହେଁ, ତାଙ୍କର ପାଇଁ ଯେ ମତେ ସତ ହେବାକୁ ପଡ଼ିବ ସତ୍ ଜୀବନ ଯାପନ କରିବାକୁ ପଡ଼ିବ, ଏତିକି ମୁଁ ଶିଖି ଥିଲି । ଟଲଷ୍ଟୟ ଆଶ୍ରମରେ ମୁଁ ଯେତେକ ଅଧିକ ସଞ୍ଜମ ଶିଖି ଥିଲି, ସେଥି ପାଇଁ ମୁଁ ଏ ଯୁବକ ଯୁବତୀଙ୍କ ପାଖରେ ଋଣୀ ବୋଲି କହି ପାରେ । ଆଶ୍ରମରେ ଗୋଟିଏ ପିଲା ଭାରି ଅବାଗିଆ ଥିଲା । ମିଛ କହେ । କାହାକୁ ମାନେ ନାହିଁ । ଅନ୍ୟ ପିଲାଙ୍କ ସଙ୍ଗେ କଳି କରେ । ଥରେ ସେ ଅତି ମାତ୍ରାରେ ମାତି ଉଠିଥିଲା । ମୁଁ ତ ଘାବରି ହୋଇ ଯ।ଇ ଥିଲି । କେବେ ପିଲାଙ୍କୁ ମୁଁ ଶାସ୍ତି ଦେଉ ନ ଥିଲି । ଏଥର ମୋ ମୁଣ୍ତରେ ଭାରି ରାଗ ଚଢ଼ି ଯାଇ ଥିଲା । ତାକୁ ବୁଝାଇବାକୁ ଚେଷ୍ଟା କଲି । କିନ୍ତୁ ସେ କିଛି ବୁଝିଲା ନାହିଁ । ବର‌ଂ ମତେ ଓଲଟି ଠକିବାକୁ ବସିଥିଲା । ପାଖରେ ଗୋଟିଏ ରୁଲ୍‌ବାଡ଼ି ପଡ଼ି ଥିଲା । ମୁଁ ତାହା ଉଠାଇ ନେଇ ତାହାର ବାହା ଉପରେ ପାହାରେ ଦେଇ ଥିଲି । ତାକୁ ପିଟିଲାବେଳେ ମୁଁ ଥରୁଥିଲି । କୌଣସି ପିଲା ପ୍ରତି ମୋର ଏପରି ବ୍ୟବହାର ପୂର୍ବରୁ କେବେ ହୋଇ ନ ଥିଲା । ପିଲାଟି କାନ୍ଦି ଉଠି ଥିଲା । ମୋ ଆଗରେ କ୍ଷମା ପ୍ରାର୍ଥନା କରି ଥିଲା । ମାତ୍ର କାଟିଲା ବୋଲି ଯେ ସେ କାନ୍ଦି ଥିଲା ତାହା ନୁହେଁ । ଇଚ୍ଛା କରି ଥିଲେ ମୋତେ ସେ ଓଲଟି କାବୁ କରି ଦେଇ ଥାଆନ୍ତା, ଏତେ ବଳ ତା'ର ଥିଲା । ତା'ର ବୟସ ୧୭ବର୍ଷ ହୋଇ ଥିବ । ଖୁବ୍ ମଜବୁତ୍ ଥିଲା ।

ମୋର ରୁଲ୍ ବାଡ଼ିରେ ସେ ମୋର ଦୁଃଖ ଦେଖି ପାରି ଥିଲା । ଏହି ଘଟଣା ପରେ ସେ ଆଉ କେବେ ମୋର ଅବାଧ୍ୟ ହୋଇ ନ ଥିଲା । କିନ୍ତୁ ଆଜି ଯାଏ ସେ ରୁଲ ବାଡ଼ିରେ ମାରିଥିବା ଯୋଗୁ ମୁଁ ଦୁଃଖ କରୁଛି । ମୋର ଆଶଙ୍କା, ମୁଁ ସେଦିନ ତାକୁ ମୋ ଆଚାର ଦର୍ଶନ କରେଇ ନ ଥିଲି ବରଂ ମୋ ଭିତରେ ପଶୁ ପ୍ରକୃତି ଅଛି, ତାହା ଦେଖାଇ ଥିଲି ।

ମୁଁ ସବୁ ଦିନେ ପିଲାଙ୍କୁ ମାଡ଼ ଦେଇ ପଢ଼େଇବାର ବିରୋଧ କରିଥାଏକେବଳ ଥରେ ମୁଁ ମୋର ଗୋଟିଏ ପୁଅକୁ ମାରି ଥିବାର ମନେ ପଡ଼େ । ରୁଲ ବାଡ଼ିରେ ମାରିବାଟା ନ୍ୟାୟ କି ଅନ୍ୟାୟ ହୋଇ ଥିଲା, ତାହା ମୁଁ ଆଜି ସୁଦ୍ଧା ଠିକ୍ କରି ପାରି ନାହିଁ । ସେ ମାରିବାର ନାଯ୍ୟତା ସମ୍ୱନ୍ଧରେ ମୋର ସନ୍ଦେହ ଅଛି । କାରଣ ସେଥିରେ କ୍ରୋଧ ପୂରା ରହି ଥିଲା ଏବଂ ଦଣ୍ତ ଦେବାର ଭାବ ଥିଲା । ସେଥିରେ ଯଦି କେବଳ ମୋର ମନ କଷ୍ଟ ଜଣା ପଡ଼ୁ ଥାଆନ୍ତା, ତେବେ ମୁଁ ସେ ଶାସ୍ତି ଦେବାକୁ ନ୍ୟାୟ ମନେ କରି ଥାଆନ୍ତି, କିନ୍ତୁ ସେଥିରେ ମୋର ମନର ଭାବ ମିଶାମିଶି ଥିଲା ।

ଏହି ଘଟଣା ପରେ ପିଲାଙ୍କୁ ସୁଧାରିବାର ଭଲ ଉପାୟ ମୁଁ ଶିଖିଥିଲି । ସେ ଘଟଣାରେ ଏ ଉପାୟ କେଡ଼େ ଦୂର କାମ କରି ଥାଆନ୍ତା, ତାହା ମୁଁ କହି ପାରିବି ନାହିଁ । ପିଲାଟି ତ ସେ ଦିନର ଘଟଣା ଶୀଘ୍ର ପାଶୋର ପକେଇ ଥିଲା । ତା'ର ବେଶୀ କିଛି ଉନ୍ନତି ହୋଇଥିଲା ବୋଲି ମୋର ମନ ହେଉ ନାହିଁ । କିନ୍ତୁ ଏ ଘଟଣା ଫଳରେ ଛାତ୍ରଙ୍କ ପ୍ରତି ଶିକ୍ଷକଙ୍କ କର୍ତ୍ତବ୍ୟ ସମ୍ଭନ୍ଧରେ ମୁଁ ବହୁତ ଚିନ୍ତା କରି ଥିଲି ।

ଏହା ପରେ ପିଲାଏ ଏପରି ଦୋଷ ଅନେକ ଥର କରିଛନ୍ତି । ମାତ୍ର ମୁଁ କେବେହେଁ ଦଣ୍ତ ଦେଇ ନାହିଁ । ଏହି ପରି ଆଧ୍ୟାତ୍ମିକ ଶିକ୍ଷା ଦେବାର ଉଦ୍ୟମ କରୁ କରୁ, ମୁଁ କ୍ରମେ କ୍ରମେ ନିଜର ଆଚାର ଗୁଣ ଅଧିକରୁ ଅଧିକ ବୁଝିବାକୁ ଲାଗି ଥିଲି ।

No comments:

Post a Comment