Tuesday, July 03, 2018


ଓଡ଼ିଶାର ଇତିହାସ - ଓଡ଼ିଶାର ନଦନଦୀ


ପ୍ୟାରୀମୋହନ ଆଚାର୍ଯ୍ୟ 


ଭୁବନେଶ୍ୱର ଉପକଣ୍ଠରେ ସ୍ଥିତ ଧଉଳି ପାହାଡ଼ରୁ ଦୟା ନଦୀର ଦୃଶ୍ୟ

ନଦୀ ଓ ଉତ୍ସ- ବର୍ଷାପାଣି, ଗଳିତବରଫ, ପ୍ରାକୃତିକ ଜଳପ୍ରସ୍ରବଣ ନଦୀ ଉତ୍ପତ୍ତିର ମୂଳହେତୁ । ଓଡିଶା ନଦୀମାନଙ୍କ ସଙ୍ଗେ ଗଳିତବରଫର କୌଣସି ସଂସ୍ରବ ନାହିଁ । ବର୍ଷା ଓ ଝରଣା ପାଣି ଏଠା ସ୍ରୋତସ୍ୱତୀଚୟର ପ୍ରଧାନ ଉପାଦେୟ । ଗ୍ରୀଷ୍ମ ଓ ଶୀତକାଳରେ ଏମାନଙ୍କ ସୂଷ୍ମସୂତ୍ର ପ୍ରାୟ ସୁବିସ୍ତୀର୍ଣ୍ଣ ବାଲୁକାଶଯ୍ୟା ମଧ୍ୟ ଦେଇ ଧୀରେ ଧୀରେ ସମୁଦ୍ରଦିଗକୁ ଗତି ବିସ୍ତାର କରଇ । ବର୍ଷାକାଳ ଉପସ୍ଥିତ ହେଲେ ଏମାନଙ୍କ ଆକାର ଏକାବେଳକେ ପରିବର୍ତ୍ତିତ ହୋଇଯାଏ । ସୂଷ୍ମସୂତ୍ର ପ୍ରକାଣ୍ଡ ଗଣ୍ଡିରେ ପରିଣତ ହୁଏ । ଆରବସାଗରରୁ ପଶ୍ଚିମବାୟୁ ଉତ୍‌ଥିତ ହୋଇ ଅଧିକାଂଶ ଓଡିଶା ନଦୀ ଯେଉଁ ଯେଉଁ ପର୍ବତରୁ ଉତ୍ପନ୍ନ ହୋଇଅଛି, ସେହି ସେହି ପର୍ବତ ପାହାଡର ଶିରୋଭାଗରେ ନିର୍ଧୂମ ବର୍ଷା ପାଣି ବର୍ଷଣ କରଇ । ଭୀଷଣ ବେଗ ଧାରଣ କରି ସ୍ରୋତ ପ୍ରବାହିତ ହୁଏ । ସ୍ରୋତ ସଙ୍ଗେ ସଙ୍ଗେ ପର୍ବତ ପାହାଡ ଓ ଉଚ୍ଚଭୂମିମାନଙ୍କରୁ ଅନେକ କର୍ଦ୍ଦମ ଭାସି ଆସେ । ଏହି କର୍ଦ୍ଦମ ନିମ୍ନ ସମତଳଭୂମିରେ ପଟ୍ଟ ରୂପେ ଜମା ହୋଇ, ବର୍ଷକୁ ବର୍ଷ ଓଡ଼ିଶାରେ ନୂତନ ଭୂମି ଉତ୍ପାଦିତ ହେଉଅଛି ଓ ନଦୀଗର୍ଭମାନ କ୍ରମଶଃ ଉଚ୍ଚ ହୋଇ ଉଠୁଅଛି । ୧୭୦୮ ମସିହାରେ ବୁଢାବଳଙ୍ଗ କୂଳସ୍ଥିତ ବାଲେଶ୍ୱର ନଗର ଚାରି ମାଇଲ ଅନ୍ତରରେ ଅବସ୍ଥିତ ଥିଲା, ବର୍ତ୍ତମାନ ସାତ ମାଇଲ ଅନ୍ତରରେ ସ୍ଥିତ ହୋଇଅଛି । ବର୍ତ୍ତମାନ ଓଡିଶା ନଦୀମାନଙ୍କର ଗର୍ଭ ସାଧାରଣତଃ ଏତେ ଉଚ୍ଚ ହୋଇଅଛି ଯେ, ନଦୀ ମଧ୍ୟ ଦେଇ ବହିଯିବା ପାଣି କୂଳ ଉଛୁଳି ଦେଶ ମଧ୍ୟରେ ପ୍ରବେଶ କରି ଗୃହବାସ ଓ ଶସ୍ୟାଦି ନଷ୍ଟ କରିବା ଭୟରେ ବହୁବ୍ୟୟସିଦ୍ଧ ବନ୍ଧମାନ ଅଧିକାଂଶ ନଦୀର ଦୁଇ ପାର୍ଶ୍ୱରେ ଦିଆ ହୋଇଅଛି । ସମୟ ସମୟରେ ଅତି ବଢ଼ି ହେଲେ ନଦୀଗର୍ଭ ଦେଇ ଯେତେ ପାଣି ବହିଯାଇ ପାରେ, ତଦପେକ୍ଷା ଦ୍ୱିଗୁଣ ବା ତତୋଧିକ ପାଣି ଆସଇ ଓ ଏଥି ଦ୍ୱାରା ଦେଶର କିରୂପ ଅନିଷ୍ଟ ହୁଏ, ହାତୀ ଘୋଡ଼ା ପର୍ଯ୍ୟନ୍ତ କି ପ୍ରକାରେ ଭାସିଯାଏ, ଗତ ୧୮୭୨ ମସିହା ଜୁନମାସ ମହାନଦୀ ବଢ଼ିରେ ତାହା ଅନେକ ନେତ୍ରଗୋଚର କରି ଅଛନ୍ତି । ଏକାବେଳକେ ଭୀଷଣ ବେଗରେ ରାଶି ରାଶି ପାଣି ବହିବାରୁ ଓଡିଶା ନଦୀମାନଙ୍କରେ ଅନେକ ଅତଡ଼ା ପଡ଼ି ବର୍ଷକୁ ବର୍ଷ ଉଭୟ କୂଳ ସ୍ଥାନ ସ୍ଥାନରେ ବିସ୍ତୃତ ହେଉଅଛି । ପ୍ରବାଦ ଅଛି ଯେ, ଏକ ସମୟରେ କାଠଯୋଡ଼ି ନଦୀକି ଲୋକେ ଦୁଇଖଣ୍ଡ କାଠ ପକାଇ ପାରି ହେଉଥିଲେ । ବର୍ତ୍ତମାନ ଏହା ଅର୍ଦ୍ଧକ୍ରୋଶାଧିକ ବିସ୍ତୃତ ହୋଇଅଛି । ଓଡ଼ିଶା ନଦୀମୁହାଣମାନଙ୍କରେ ପ୍ରାକୃତିକ ବାଲିବନ୍ଧମାନ ଉଦିତ ହେବାରୁ କ୍ରମଶଃ ଏମାନେ ଦିନକୁଦିନ ଅନାବ୍ୟ ହୋଇ ଉଠୁଅଛି ।

ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସାଳନ୍ଦୀ, କାଁଶବାଁଶ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ଓଡିଶା ମଧ୍ୟରେ ପ୍ରଧାନ ନଦୀ ଅଟଇ।

ସମସ୍ତ ନଦୀ ମଧ୍ୟରେ ମହାନଦୀ ଶ୍ରେଷ୍ଠତମ । ଏ ନଦୀ ଗଣ୍ଡୁଆନା ପ୍ରଦେଶରୁ ଉତ୍ପନ୍ନ ଓ ରଙ୍ଗତେଲ ପ୍ରଭୃତି ଗୋଟିକେତେ ଉପନଦୀ ଦ୍ୱାରା ବର୍ଦ୍ଧିତକାୟ ହୋଇ ବୌଦଠାରେ ଗଡଜାତ ମଧ୍ୟରେ ପ୍ରବେଶ କରିଅଛି । ତଦନନ୍ତର ସାଲକୀ, କୁସୁମୀ, ସାପୁଆ ଓ ଆଉ ଅନେକ ଉପନଦୀମାନଙ୍କ ଦ୍ୱାରା ସମ୍ମିଳିତ ହୋଇ ନରାଜଠାରେ ମୋଗଲବନ୍ଦୀ ମଧ୍ୟରେ ପ୍ରବିଷ୍ଟ ହୋଇଅଛି । କାଠଯୋଡ଼ି, ବିରୂପା, ଚିତ୍ରତୋଳା, ପାଇକା ଏହି କେତୋଟି ମୋଗଲବନ୍ଦୀ ମଧ୍ୟରେ ମହାନଦୀର ପ୍ରଧାନ ଶାଖାନଦୀ ଅଟଇ। କାଠଯୋଡ଼ିରୁ ପୁଣି କୁଆଖାଈ ଓ କୁଆଖାଈରୁ ଭାର୍ଗବୀ, କୁଶଭଦ୍ରା ପ୍ରଭୃତି କେତୋଟି ଶାଖା ବାହାରି ପୁରୀ ଜିଲ୍ଲାରେ ଜଳ ଯୋଗାଉଅଛି । ସମ୍ୱଲପୁର ଓ କଟକ ମହାନଦୀ ତୀରରେ ଅବସ୍ଥିତ । କଣ୍ଟିଲୋ, ପଦ୍ମାବତୀ, ବୈଦ୍ୟେଶ୍ୱର, ଚର୍ଚ୍ଚିକା ପ୍ରଭୃତି ଗୋଟିକେତେ ଗଡ଼ଜାତି ପେଣ୍ଠ ମଧ୍ୟ ମହାନଦୀ କୂଳରେ ସ୍ଥିତ ହୋଇଅଛି । ମହାନଦୀ ମୁହାଣଠାରେ ନାବ୍ୟ । ନରାଜ ଓ ଯୋବ୍ରାଠାରେ ଯୋଡ଼ିଏ ପଥର ବନ୍ଧ ପଡ଼ି ଓ ଗୋଟିକେତେ ନାଳ କଟା ହୋଇ ବର୍ତ୍ତମାନ କଟକ ଓ ନରାଜ ପର୍ଯ୍ୟନ୍ତ ବଡ଼ ବଡ଼ ନୌକା ଓ କ୍ଷୁଦ୍ର କ୍ଷୁଦ୍ର ଧୂଆଁକଳମାନ ଯାତାୟାତ କରୁଅଛି । କଟକଠାରୁ ସମ୍ୱଲପୁର ପର୍ଯ୍ୟନ୍ତ ଦେଶୀୟ ନୌକା ସଚରାଚର ଯାତାୟାତ କରଇ । ପୂର୍ବେ ମହାନଦୀ ଓ କାଠଯୋଡ଼ି ଶଯ୍ୟା ଆଜିକାଲି ପରି ବିସ୍ତୃତ ନଥିଲା । ବର୍ଷକୁ ବର୍ଷ ନଈକୂଳମାନ ଅତଡା ଖାଇ ଶଯ୍ୟା ବିସ୍ତାରିତ ହେଉଅଛି ।

ବ୍ରାହ୍ମଣୀନଦୀ ଛୋଟନାଗପୁର ପ୍ରଦେଶରୁ ବହିର୍ଗତ ହୋଇ ତାଳଚେରର ଉତ୍ତରପୂର୍ବ ସୀମାରେ ଗଡଜାତ ସ୍ପର୍ଶ କରି, ସାମକୋଈ, ନିଗ୍ରା ପ୍ରଭୃତି ଗୋଟିକେତେ ଉପନଦୀ ଦ୍ୱାରା ପୁଷ୍ଟକଳେବର ହୋଇ ସୁକିନ୍ଦା ଓ ବଳରାମପୁର ଗଡ଼ଠାରେ ମୋଗଲବନ୍ଦୀ ମଧ୍ୟତ୍ୱ ପ୍ରବେଶ କରିଅଛି । ଏଥିରୁ ଖରୁସୁଆ ଓ କିହ୍ନିରିଆ ନାମକ ଯୋଡିଏ ଶାଖାନଦୀ ବାହାରି ଏଥି ସଙ୍ଗେ ମିଳିତ ହୋଇଅଛି । ବିରୂପା ମହାନଦୀରୁ ବାହାରି ଓ ବୁଢ଼ା ବୈତରଣୀରୁ ବାହାରି ଏଥି ସଙ୍ଗେ ମିଳିଅଛି । ବ୍ରାହ୍ମଣୀରୁ ମାଇପଡ଼ା ନାମକ ଗୋଟିଏ ଶାଖା ବାହାରି ସାଗରରେ ପଡ଼ିଅଛି । ଆଉ ଗୋଟିଏ ଶାଖା ଗୋବରୀନଦୀ ସଙ୍ଗେ ମିଳିତ ହୋଇ ଗଣ୍ଡାଖିଆ ନାମ ଘେନି ଯମ୍ୱୁନଦୀ ସଙ୍ଗେ ମିଶିଅଛି । ଅବଶେଷରେ ବ୍ରହ୍ମଣୀ ବୈତରଣୀ ସଙ୍ଗେ ସମ୍ମିଳିତ ହୋଇ ସାଗରରେ ପତିତ ହୋଇଅଛି; ଏହି ସମ୍ମିଳିତ ନଦୀର ନାମ ଧାମରା, ‌ଏହି ଧାମରା ସୁନ୍ଦର ନାବ୍ୟ ଅଟେ । ପ୍ରତି ସପ୍ତାହରେ ବଡ଼ ବଡ଼ ଜାହାଜମାନ ଏଥି ମଧ୍ୟକୁ ଯାତାୟାତ କରୁଅଛି । ଧାମରା ନାମକ ଏକ ବନ୍ଦର ଏହି ଧାମରାନଦୀର ଉତ୍ତର ତୀରରେ ଅବସ୍ଥିତ । ପଟ୍ଟାମୁଣ୍ଡେଇ ଓ ଧର୍ମଶାଳା ବ୍ରାହ୍ମଣୀ ତୀରରେ ସ୍ଥିତ ହୋଇଅଛି । ତାଳଚେରଗଡ଼ ବ୍ରାହ୍ମଣୀନଦୀ ଉପରେ ଓ ଢେଙ୍କନାଳ ପ୍ରାୟ ଚାରିକ୍ରୋଶ ଅନ୍ତରରେ ଅବସ୍ଥିତ ।

ବୈତରଣୀ ଓଡ଼ିଶାର ଏକ ପୁଣ୍ୟା ପୟସ୍ୱିନୀ ଅଟଇ । କେନ୍ଦୁଝରର ପୂର୍ବଦିଗସ୍ଥିତ ଗନ୍ଧମାର୍ଦନ ପର୍ବତ ନିକଟରୁ ଉତ୍‌ଥିତ ହୋଇଅଛି । ଓରାଡିଆ, କଇରୋ, କି଼ଞ୍ଜୋର ପ୍ରଭୃତି ଗୋଟିକେତେ ଉପନଦୀଦ୍ୱାରା ପୁଷ୍ଟକାୟ ହୋଇ କଟକ ଜିଲ୍ଲାକୁ ବାଲେଶ୍ୱର ଜିଲ୍ଲାରୁ ବିଭକ୍ତ କରିବା ସକାଶେ ବାଲିପୁର ଗ୍ରାମଠାରେ ବୈତରଣୀ ମୋଗଲବନ୍ଦୀରେ ପ୍ରଥମ ଉଦିତ ହୋଇଅଛି। ବୁଢ଼ାନଦୀ ଏହାର ଏକମାତ୍ର ଶାଖା । ସାଳନ୍ଦୀନଦୀ ବୈତରଣୀ ସଙ୍ଗେ ମିଳିତ ହୋଇଅଛି । ଅବଶେଷରେ ବୈତରଣୀ ବ୍ରାହ୍ମଣୀ ମିଳିତ ସମୁଦ୍ର ଦିଗକୁ ବହି ଯାଉଅଛି । ବୈତରଣୀ ଦୁଇ ପାହାଡ଼ ଗହ୍ୱର ମଧ୍ୟରୁ ବାହାରି ଅଛି ବୋଲି ଲୋକେ ଏହାକୁ ଗୋମୁଖୀ ପର୍ବତରୁ ବାହାରି ଥିବାର କହି ଯମଦ୍ୱାର ପର୍ଯ୍ୟନ୍ତ ଏହାର ବିସ୍ତୃତି ଅନୁମାନ କରି ଅଛନ୍ତି । ଏହି ନଦୀ ଉପରେ ଯାଜପୁର ନଗର ଅବସ୍ଥିତ । ଏହି ଯାଜପୁରଠାରେ ବୈତରଣୀ ନଦୀର ଏକ ପାର୍ଶ୍ୱରେ ବରାହନାଥଙ୍କ ମନ୍ଦିର ଓ ଅପର ପାର୍ଶ୍ୱରେ ସପ୍ତମାତାଙ୍କ ପୁରୀ ପ୍ରଭୃତି ବିରାଜମାନ ରହିଅଛି । ଆନନ୍ଦପୁର ନାମକ କେନ୍ଦୁଝରର ଅନ୍ତର୍ଗତ ଏକ ବୃହତ୍ ପେଣ୍ଠ ଆଖୁଆପଦା ଏହି ନଦୀକୂଳରେ ଦଣ୍ଡାୟମାନ । ଓଳଖଗ୍ରାମ ପର୍ଯ୍ୟନ୍ତ ବୈତରଣୀ ନାବ୍ୟ । ଏଥି ତଟରେ ପ୍ରସିଦ୍ଧ ଚାନ୍ଦବାଲି ବନ୍ଦର ଅବସ୍ଥିତ।

ସାଳନ୍ଦୀ ମୟୂରଭଞ୍ଜସ୍ଥ ମେଘାସନୀ ପାହାଡରୁ ନିର୍ଗତ ହୋଇ, ଅଗରପଡ଼ା ନିକଟରେ ମୋଗଲବନ୍ଦୀକୁ ସ୍ପର୍ଶ କରି, ଧାମରାର କିଛି ଉପରେ ବୈତରଣୀ ସଙ୍ଗେ ମିଳିତ ହୋଇଅଛି । ସାଳନ୍ଦୀ ଏକ ଶାଖାନଦୀଦ୍ୱାରା ମନ୍ତେଈ ନାମକ ଅନ୍ୟ ଏକ ନଦୀ ସଙ୍ଗେ ସଞ୍ଯୁକ୍ତ ହୋଇଅଛି । ସାଳନ୍ଦୀ ଏକ ସୁନ୍ଦର ବକ୍ରଗମନଶୀଳା ନିମ୍ନଗା । ଏହାର ବାରି ସୁସ୍ୱାଦୁ, ବାଲୁକା ଶଯ୍ୟା ସାତିଶୟ ଚିତ୍ତବିନୋଦକ; ଅଧିକନ୍ତୁ ଏହାର ପାଣି ପରି ନିର୍ମଳ ପାଣି ଓଡିଶାର କୌଣସି ନଦୀରେ ଦୃଷ୍ଟ ହୁଅଇ ନାହିଁ । ଭଦରଖ ନଗର ଏହି ନଦୀକୂଳରେ ଅବସ୍ଥିତ ।

କାଁଶବାଁଶ (କାଇଁଶବାଉଁଶ) ନୀଳଗିରି ପାହାଡ଼ରୁ ନିର୍ଗତ ହୋଇ ସୁମଦ୍ରରେ ପଡ଼ିଅଛି । ଏହା ଅତି କ୍ଷୁଦ୍ର ଓ ଅନାବ୍ୟ ନଦୀ । ସୋରୋ ଗ୍ରାମ ଏଥର ପ୍ରାୟ ଦୁଇକ୍ରୋଶ ଉତ୍ତରରେ ଅବସ୍ଥିତ । କେଶରୀବଂଶୀୟ ରାଜାଙ୍କର ଉତ୍ତରରେ ଏହି ନଦୀକୂଳ ପର୍ଯ୍ୟନ୍ତ ରାଜ୍ୟ ବିସ୍ତୃତ ଥିଲା । ଏଥି ଉପରେ ଓଡିଶାର ହିନ୍ଦୁରାଜାମାନେ (ସମ୍ଭବତଃ ଗଙ୍ଗବଂଶୀୟ ରାଜାମାନେ) ଗୋଟିଏ ସୁନ୍ଦର ପ୍ରସ୍ତରସେତୁ ନିର୍ମାଣ କରିଥିଲେ; ଇଂରାଜମାନେ ତା'କୁ ଭାଙ୍ଗି ଆଉ ଗୋଟିଏ ସେତୁ ନିର୍ମାଣ କରିଅଛନ୍ତି।

ବୁଢ଼ାବଳଙ୍ଗ ମୟୂରଭଞ୍ଜର ଉତ୍ତରପୂର୍ବ ପାର୍ଶ୍ୱସ୍ଥ ପର୍ବତରୁ ବହିର୍ଗତ ହୋଇ, ବାଲେଶ୍ୱର ଜିଲ୍ଲା ମଧ୍ୟ ଦେଇ ସମୁଦ୍ରବକ୍ଷକୁ ପ୍ରବାହିତ ହେଉଅଛି । ବାଲେଶ୍ୱର ନଗର ଏଥି ତୀରରେ ଅବସ୍ଥିତ, ମଧ୍ୟ ଏହି ବାଲେଶ୍ୱର ନଗର ପର୍ଯ୍ୟନ୍ତ ବୁଢ଼ାବଳଙ୍ଗ ନଦୀ ନାବ୍ୟ । ନଦୀ ମଧ୍ୟରେ ଓ ମୁହାଣରେ କ୍ରମଶଃ ଚଡ଼ା ପଡ଼ୁଅଛି । ରାଜପୁରୁଷମାନେ କୌଣସି ଉପାୟ ଅବଲମ୍ୱନ ନ କଲେ ଓଡିଶାର ଅନ୍ୟାନ୍ୟ ନଦୀ ପରି ଏହା ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଅନାବ୍ୟ ହୋଇଯିବ । ଏଥିରେ ପାଣି ଲବଣାକ୍ତ ଓ ଶଯ୍ୟା କର୍ଦ୍ଦମମୟ । ପ୍ରବଳ ବାତ୍ୟା ଉପସ୍ଥିତି ହେଲେ ସମୁଦ୍ର ପାଣି ଏହି ନଈ ବାଟେ ଆସି କୂଳ ଉଛୁଳି ଅନେକ ଅନିଷ୍ଟ ସମ୍ପାଦନ କରେ ଓ ଏହି ପ୍ରକାର ଦୁର୍ଘଟଣା ୧୮୭୩ ମସିହା ଅକ୍ଟୋବର ମାସରେ ବାଲେଶ୍ୱରଠାରେ ଥରେ ଘଟିଥିଲା ।

ସୁବର୍ଣ୍ଣରେଖା ବିହାର ପ୍ରଦେଶରୁ ନିର୍ଗତ ହୋଇ ବାଲେଶ୍ୱର ଜିଲ୍ଲାର ଉତ୍ତରପୂର୍ବ ପାର୍ଶ୍ୱ ଦେଇ ଓଡ଼ିଶାରେ ପ୍ରବେଶ କରି ବଙ୍ଗୋପସାଗରରେ ପତିତ ହୋଇଅଛି । ଏହା ଅନାବ୍ୟ କିନ୍ତୁ ସୁପ୍ରଶସ୍ତ । ପିପିଲି ନାମକ ଏକ ଐଶ୍ୱର୍ଯ୍ୟଶାଳୀ ବନ୍ଦର ସପ୍ତଦଶ ଶତାଦ୍ଦୀରେ ଏଥି ମୁହାଣ ନିକଟରେ ଅବସ୍ଥିତ ଥିଲା । ପ୍ରଥମେ ପର୍ତ୍ତୁଗିଜମାନେ ୧୫୦୪ ଖ୍ରୀଷ୍ଟାଦ୍ଦରୁ ସେଠାକୁ ଆସି ବାଣିଜ୍ୟ କରୁଥିଲେ । ଅନନ୍ତର ୧୬୩୪ ମସିହାରେ ସେଠାକୁ ବାଣିଜ୍ୟ କରିବାପାଇଁ ଇଂରାଜମାନେ ଆଇଲେ । ଏଥିର ବାଲୁକାଶଯ୍ୟାରେ ସୁବର୍ଣ୍ଣରେଣୁ ମିଳଇ ବୋଲି ସୁବର୍ଣ୍ଣରେଖା ନାମରେ ଏ ନଦୀ ଖ୍ୟାତ ହୋଇଅଛି ।

ଉଲ୍ଲିଖିତ କେତୋଟି ନଦୀ ବ୍ୟତୀତ ଅନ୍ୟାନ୍ୟ କ୍ଷୁଦ୍ର ନଦୀ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ହାଁସକୁଡ଼ା, ପାଞ୍ଚପଡ଼ା, ଯାମୁକା ଓ ଖୋର୍ଦ୍ଦାରେ ଦୟାନଦୀ ପ୍ରଧାନ ।

ଏ ସ୍ଥାନରେ ମଧ୍ୟ ଗୋଟିକେତେ ଉତ୍ସର ନାମୋଲ୍ଲେଖ କରିବା । ଓଡ଼ିଶା ମଧ୍ୟରେ ଗଡ଼ଜାତ ପାହାଡ଼ମୟ ସ୍ଥାନ ଥିବାରୁ ସେଠାରେ ଅନେକ ପ୍ରସ୍ରବଣ ଦେଖାଯାଏ । ଓଡ଼ିଶାର ନଦୀମାନ ଏହି ପ୍ରସ୍ରବଣମାନଙ୍କରୁ ବିଶେଷ ଉପାଦେୟ ଲାଭ କରେ । ସବୁ ପ୍ରସ୍ରବଣମାନଙ୍କର ଗୋଟି ଗୋଟି କରି ଏଠାରେ ନାମୋଲ୍ଲେଖ କଲେ ବହୁ ସ୍ଥାନ ଲାଗିବ, ସୁତରାଂ ଆମ୍ଭେମାନେ ଢେଙ୍କାନାଳର କପିଳାସ ଝରଣା, ନୟାଗଡ଼ର କଳାଶୁଣ୍ଢିଆ ପ୍ରସ୍ରବଣ ଓ ଖୋର୍ଦ୍ଧାର ବରୁଣେଇ ଝର ଏହି ତିନୋଟି ଉତ୍ସର ନାମମାତ୍ର ପ୍ରକାଶ କଲୁଁ । ଖୋର୍ଦ୍ଧାର ଅନ୍ତର୍ଗତ ଅଟ୍ରି ଗ୍ରାମ ନିକଟରେ ମଧ୍ୟ ଗୋଟିଏ ଉଷ୍ଣପ୍ରସ୍ରବଣ ଅଛି ।

ବି. ଦ୍ର. - ଏହି ଲେଖାଟି ପ୍ୟାରିମୋହନ ଆଚାର୍ଯ୍ୟ ଲିଖିତ 'ଓଡ଼ିଶାର ଇତିହାସ' ବହିରୁ ଆନୀତ ।

No comments:

Post a Comment