Sunday, July 29, 2018

ଗାନ୍ଧୀଙ୍କର ଶିକ୍ଷା ବିଚାର - 'ରାଷ୍ଟ୍ରୀୟ ଶିକ୍ଷା'

ଅନୁବାଦ - ଚିତ୍ତରଞ୍ଜନ ଦାସ


୧୯୧୫ ମସିହାରେ କସ୍ତୁରବାଙ୍କ ସହ ଗାନ୍ଧୀ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଛାତ୍ରମାନଙ୍କୁ ଉପଦେଶ

ସଭାପତି ମହାଶୟ ଓ ପ୍ରିୟ ବନ୍ଧୁଗଣ !

ମୋର ସହଧର୍ମଣୀ ଓ ମୋତେ ସମ୍ୱର୍ଦ୍ଧନା ଜଣାଇବାରେ ଏଠାରେ ଇଂରାଜୀ ଶବ୍ଦକୋଷର ଗୁଣବାଚକଗୁଡ଼ିକ ପ୍ରାୟ ଶେଷ କରି ଦେଇଛନ୍ତି । ଅତ୍ୟଧିକ ଦୟା, ଶ୍ରଦ୍ଧା ଓ ଅତିଥି ଚର୍ଚ୍ଚ। ପ୍ରଦର୍ଶନ କରି ମୋତେ କେଉଁଠାରେ ଅଭିଭୂତ କରା ଯାଇଅଛି ବୋଲି ଯଦି ପଚରାଯାଏ, ତେବେ ମୁଁ କହିବି ଯେ ମାନ୍ଦ୍ରାଜରେ । [କରତାଳି] । ମୁଁ ଆଗରୁ ମାନ୍ଦ୍ରାଜ ସମ୍ୱନ୍ଧରେ ଯାହା କହିଅଛି, ଏବେ ମଧ୍ୟ ମୋର ସେହି ଧାରଣା ରହିଛି । ମୋର ଏଥିରେ ଆଶ୍ଚର୍ଯ୍ୟାନ୍ୱିତ ହେବାର କୌଣସି କାରଣ ନାହିଁ ଯେ, ମୋ ଉପରେ ଅସାମାନ୍ୟ ବଦାନ୍ୟତା ସହକାରେ ଦୟା ଅଜାଡ଼ି ଦେଇଛନ୍ତି । ଭାରତ ସେବକ ସମାଜର ସୁଯୋଗ୍ୟ ସଭାପତି ମହାଶୟ ମୋତେ ପ୍ରଶଂସା କରିବାରେ ସମସ୍ତଙ୍କୁ ଟପିଗଲେ । ମୁଁ ସେହି ସମାଜରେ ଏବେ ଶିକ୍ଷାନବିଶ ରୂପେ ଯୋଗ ଦେଇଛି । ଏ ସବୁ ସମ୍ମାନ ପାଇବାକୁ ମୁଁ ଯୋଗ୍ୟ କି ? ମୋର ହୃଦୟର ଅନ୍ତରତମ ପ୍ରଦେଶରୁ ଏହାର ଉତ୍ତରରେ 'ନା' ବାହାରି ପଡ଼ୁଛି । ଆପଣମାନେ ଯେତେ ବିଶେଷଣ ବ୍ୟବହାର କରି ପାରିବେ, ମୁଁ ସେଗୁଡ଼ିକର ଉପଯୁକ୍ତ ହେବା ପାଇଁ ଭାରତକୁ ଆସିଛି । ଯଦି ମୁଁ ସେବକ ହେବା ନିମିତ୍ତି ଯୋଗ୍ୟ ହେବାକୁ ଚାହେଁ, କିମ୍ୱା ସେସବୁ ବିଶେଷଣର ଭାଜନ ହେବାକୁ ଚାହେଁ, ତେବେ ମୋର ସମସ୍ତ ଜୀବନ ସେଥି ପାଇଁ ଉତ୍ସର୍ଗ କରିବାକୁ ପଡ଼ିବ

ସେଥି ପାଇଁ ଆପଣମାନେ ସେହି ମନୋମୁଗ୍‌ଧକାରୀ ରାଷ୍ଟ୍ରୀୟ ସଙ୍ଗୀତ ଗାନ କଲେ । ତାହା ଶ୍ରବଣ କରି ଆମ ସମସ୍ତଙ୍କର ମନ ଆନନ୍ଦରେ ଉଚ୍ଛ୍ୱସିତ ହୋଇ ଉଠିଲା । ଭାରତ ଜନନୀଙ୍କର ବର୍ଣ୍ଣନା କରିବା ପାଇଁ ଯେତେ ବିଶେଷଣ ବ୍ୟବହୃତ ହୋଇ ପାରେ, କବି ସମ୍ଭବତଃ ସେ ସବୁକୁ ଅଜାଡ଼ି ଦେଇଛନ୍ତି । ଭାରତମାତାଙ୍କୁ ସୁହାସିନୀ, ସୁମଧୁରଭାଷିଣୀ, ଫୁଲ୍ଲ-କୁମୁମିତ, ସର୍ବଶକ୍ତିସମ୍ପନ୍ନା, ଶୁଭଦାସତ୍ୟମୟୀଶସ୍ୟଶ୍ୟାମଳା, ଦୁଗ୍ଧ ମଧୁ-ପ୍ରସ୍ରବିଣୀ ଏବଂ ସ୍ୱର୍ଣ୍ଣଯୁଗର ଅଧିବାସୀମାନଙ୍କର ମାତା ବୋଲି ବର୍ଣ୍ଣନା କରି ଅଛନ୍ତି । ସେ ଆମ ଆଗରେ ଏପରି ଏକ ଦେଶର ଚିତ୍ର ଅଙ୍କନ କରି ଅଛନ୍ତି । ଯାହା କି ସମଗ୍ର ପୃଥିବୀକୁ, ସମଗ୍ର ମାନବ ସମାଜକୁ, ଆପଣାର କରି ନେଇ ପାରେ । ଶାରୀରିକ ବଳ ଦ୍ୱାରା ନୁହେଁ, କେବଳ ଆଧ୍ୟାତ୍ମିକ ବଳରେ ସମ୍ଭବ ହେବ । ଆମେ ସେହି ସ୍ତୁତିଟିକୁ ଗାଇ ପାରିବୁ କି ? ମୁଁ ନିଜକୁ ପଚାରେ, ସେହି ଗୀତ ଶୁଣି ଆନନ୍ଦରେ ନାଚି ଉଠିବାକୁ ମୋର କୌଣସି ଅଧିକାର ଅଛି କି ? କବିଙ୍କର ବର୍ଣ୍ଣନାକୁ ଆମେ ଉପଲ୍‌ବ୍ଧ କରିବାର କଥା । ସେ ଶବ୍ଦଗୁଡ଼ିକ କେବଳ ଭବିଷ୍ୟତବାଣୀ ପରି ରହି ଅଛି । ଆମର ଏହି ମାତୃଭୂମିରୁ ବର୍ଣ୍ଣନା କରିବାକୁ ଯାଇ କବି ଯେଉଁ ଶବ୍ଦାବଳୀ ବ୍ୟବହାର କରି ଅଛନ୍ତି, ତାହାକୁ ଉପଲବ୍‌ଧ କରିବାର ଭାର ଆପଣମାନଙ୍କୁ ଉପରେ, ଯେକି ଭାରତର ଆଶାଭରସା, ସେହିମାନଙ୍କ ଉପରେ ରହିଅଛି । ମୁଁ ଆଜି ଅନୁଭବ କରୁଛି ଯେ, ମାତୃଭୂମିର ବର୍ଣ୍ଣନାରେ ଅନେକ କ୍ଷେତ୍ରରେ ସେହି ବିଶେଷଣଗୁଡ଼଼ିକ ଯଥା ସ୍ଥାନରେ ବସି ନାହିଁ । ମାତୃଭୂମି ପାଇଁ କବି ଯେଉଁ ଆଶା ପୋଷଣ କରି ଅଛନ୍ତି, ତାହାକୁ ଆପଣାମାନେ ଓ ମୁଁ କାର୍ଯ୍ୟାନ୍ୱିତ କରିବା ଆପଣମାନଙ୍କ ଉପରେ ଓ ମୋ ଉପରେ ନ୍ୟସ୍ତ ଅଟେ ।

ମାନ୍ଦ୍ରାଜର ତଥା ସାରା ଭାରତର ଛାତ୍ରଗଣ ! ଆପଣମାନେ ଯେଉଁ ଶିକ୍ଷା ପାଉଛନ୍ତିତାହା ଆପଣମାନଙ୍କୁ ସେହି ଆଦର୍ଶ ଉପଲବ୍‌ଧ କରିବା ପାଇଁ ଯୋଗ୍ୟ ହେବାକୁ ସାହାଯ୍ୟ କରିବ କି ? ଯେଉଁ ଶିକ୍ଷା ଦ୍ୱାରା ଆପଣମାନଙ୍କର ସର୍ବୋତ୍ତମ ବିକାଶ ହେବ, ଏ କଅଣ ସେହି ଶିକ୍ଷା ? ନା ସରକାରୀ କର୍ମଚାରୀ ବା ବ୍ୟବସାୟ ବାଣିଜ୍ୟ ଅଫିସରେ କିରାଣୀ ପ୍ରସ୍ତୁତ କରିବାର ଏହା ଏକ କାରଖାନା ? ସରକାରୀ ବା ବେସରକାରୀ ବିଭାଗରେ ଚାକିରୀ ପାଇବା କଅଣ ଆପଣମାନଙ୍କର ଶିକ୍ଷାର ଲକ୍ଷ୍ୟ ? ଯଦି ସେଇଆ ଆପଣମାନଙ୍କର ଶିକ୍ଷାର ଲକ୍ଷ୍ୟ ହୋଇଥାଏ ଏବଂ ଆପଣମାନେ ନିଜ ସମ୍ମୁଖରେ ସେହି ଲକ୍ଷ୍ୟ ରଖି ଥାଆନ୍ତି, ତେବେ ମୁଁ ଅନୁଭବ ଓ ଆଶଙ୍କା କରୁ ଅଛି ଯେ, କବି ଯେଉଁ ସ୍ୱପ୍ନର ଚିତ୍ର ଆଙ୍କି ଯାଇ ଅଛନ୍ତି, ତାହା ଆପଣମାନେ ଉପଲବ୍‌ଧ କରି ପାରିବେ ନାହିଁ । ଆପଣମାନେ ସମ୍ଭବତଃ ମୋ ଠାରୁ ଶୁଣି କିମ୍ୱା ମୋ ଲେଖା ପଢ଼ି ଜାଣିଥିବେ ଯେ, ମୁଁ ଆଧୁନିକ ସଭ୍ୟତାର ଘୋର ବିରୋଧୀ ହୋଇ ଆସି ଅଛି ଏବଂ ବର୍ତ୍ତମାନ ମଧ୍ୟ ଅଟେ । 

ଇଉରୋପରେ ବର୍ତ୍ତମାନ ଯାହା ଘଟୁଛି, ସେଥି ପ୍ରତି ମୁଁ ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରୁ ଅଛି । ବର୍ତ୍ତମାନ ଇଉରୋପ ସେହି ସଭ୍ୟତାର ଚାପରେ ଆର୍ତ୍ତନାଦ କରୁ ଅଛି ବୋଲି ସିଦ୍ଧାନ୍ତରେ ଯଦି ଆପଣାମାନେ ଉପନୀତ ହୋଇ ଥାଆନ୍ତି, ତେବେ ଆପଣମାନଙ୍କୁ ଓ ଆପଣମାଙ୍କର ଗୁରୁଜନମାନଙ୍କୁ ଆମ ମାତୃଭୂମିରେ ସେହି ସଭ୍ୟତାକୁ ଅନୁକରଣ କରିବା ପୂର୍ବରୁ ଭଲ ରୂପେ ଚିନ୍ତା କରିବାକୁ ପଡ଼ିବ । ମୁଁ ଅନେକ ଥର ଶୁଣିଛି, “ଆମର ଶାସକବର୍ଗ ଆମ ମାତୃଭୂମିକୁ ସେହି ସଂସ୍କୃତି ବୋହି ଆଣି ଥିବା ବେଳେ ଆମ୍ଭେମାନେ ତାକୁ କିପରି ଏଡ଼ି ପାରିବୁ? “ ଏ ବିଷୟରେ ଆଦୌ ଭୁଲ କରନ୍ତୁ ନାହିଁ । ମୁହୂର୍ତ୍ତକ ପାଇଁ ମୁଁ ବିଶ୍ୱାସ କରେ ନାହିଁ ଯେ, ଯଦି ଆପଣମାନେ ସେହି ସଂସ୍କୃତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥାଆନ୍ତି, ତେବେ କୌଣସି ଶାସକ ତା'କୁ ଆଣି ପାରିବେ । ଯଦି ପ୍ରକୃତରେ ଶାସକମାନେ ସେହି ସଂସ୍କୃତିକୁ ଆମ ପାଖକୁ ଆଣୁଛନ୍ତିତେବେ ସେହି ଶାସକମାନଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ଆମ୍ଭମାନଙ୍କ ମଧ୍ୟରେ ଯଥେଷ୍ଟ ଶକ୍ତି ଅଛି ବୋଲି ମୁଁ ଭାବେ । [କରତାଳି] 

ମୁଁ ଅନେକ ସଭାରେ କହିଛି ଯେ, ବ୍ରିଟିଶ୍ ଜାତି ଆମ ସହିତ ଅଛନ୍ତି । ସେ ଜାତି କାହିଁକି ଆମ ସହିତ ଅଛନ୍ତି, ତାହାର କାରଣ କହିବାକୁ ମୁଁ ଚାହୁଁ ନାହିଁ । ଆମର ସୁଯୋଗ୍ୟ ସଭାପତି ମହାଶୟ ଯେଉଁ ଋଷିମାନଙ୍କର ପରମ୍ପରା ବିଷୟ ବର୍ଣ୍ଣନା କରିଛନ୍ତି, ତଦନୁସାରେ ଯଦି ଭାରତ ଚଳେ, ତାହା ହେଲେ ରକ୍ତପାତ ନ କରି ମାତ୍ର ଆଧ୍ୟାତ୍ମିକ ଆଧିକ୍ୟର ବଳରେ ବିଜେତାକୁ ଜୟ କରିବାର ସୌଭାଗ୍ୟ ଆପଣମାନଙ୍କର ଘଟିବ । ଭାରତର ବର୍ତ୍ତମାନ ଯାହା ସବୁ ଘଟୁଛି, ତାହା ଯେତେବେଳେ ମୁଁ ବିଚାର କରେ, ସେତେବେଳେ ରାଜନୈତିକ ହତ୍ୟା ଓ ଡକାୟତ ବିଷୟରେ ମତବ୍ୟକ୍ତ କରିବା ଆମ୍ଭମାନଙ୍କର ଆବଶ୍ୟକ ବୋଲି ମୁଁ ଭାବେ । ମୁଁ ଅନୁଭବ କରେ ଯେ ଏ ସବୁ ସମ୍ପୂର୍ଣ୍ଣ ରୂପେ ବିଦେଶରୁ ଆମଦାନୀ ହୋଇଛି ଏବଂ ଏ ଭୂମିରେ ତାହା ଚେର ଧରି ପାରିବ ନାହିଁ । କିନ୍ତୁ ଆପଣମାନେ ଛାତ୍ରଜଗତ, ସତର୍କ ରହିବେ ଯେପରିକି ଏ ଧରଣର ସନ୍ତ୍ରାସବାଦକୁ ତିଳେ ସୁଦ୍ଧା ମାନସିକ ବା ନୈତିକ ସମର୍ଥନ ନ ଦିଅନ୍ତି । 

ମୁଁ ଜଣେ ନିଷ୍କ୍ରିୟ ପ୍ରତିରୋଧୀ ଭାବରେ ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ ଜିନିଷ ଦେବି । ନିଜକୁ ଭୟଭୀତ ନ କରାନ୍ତୁ, ନିଜର ହୃଦୟମନ୍ଥନ କରନ୍ତୁ । ଯେଉଁଠି ଅତ୍ୟାଚାର ଦେଖୁଛନ୍ତି ସେଠାରେ ସବୁମତେ ପ୍ରତିରୋଧ କରନ୍ତୁ । ଆପଣମାନଙ୍କର ସ୍ୱାଧୀନତା ଉପରେ ହସ୍ତକ୍ଷେପ ହେଲେ ସବୁମତେ ତାହାର ପ୍ରତିରୋଧ କରନ୍ତୁ । ମାତ୍ର ଉତ୍ପୀଡ଼କର ରକ୍ତପାତ କରନ୍ତୁ ନାହିଁ । ଆମ ଧର୍ମ ଅନ୍ୟର ରକ୍ତପାତ କରିବାକୁ ଶିକ୍ଷା ଦିଏ ନାହିଁ । ଆମର ଧର୍ମ ଅହଂସା ଉପରେ ପ୍ରତିଷ୍ଠିତସେହି ଅହିଂସା ତାହାର ପ୍ରକ୍ରିୟା ରୂପରେ ପ୍ରେମ ବ୍ୟତୀତ ଆଉ କିଛି ନୁହେଁ: ଆପଣମାନଙ୍କର ପ୍ରତିବେଶୀ ପ୍ରତି, ବନ୍ଧୁମାନଙ୍କ ପ୍ରତି ପ୍ରେମ ନୁହେଁ; ମାତ୍ର, ଯେଉଁମାନେ ଆପଣାମାନଙ୍କର ଶତୃ ହୋଇପାରନ୍ତି, ସେମାନଙ୍କ ପ୍ରତି ସୁଦ୍ଧା ପ୍ରେମ ।

ସେହି ବିଷୟରେ ଆଉ ପଦେ । ଯଦି ଆମେ ସତ୍ୟ ଆଚରଣ କରୁ, ଅହିଂସା ଆଚରଣ କରୁଁ, ତେବେ ଆମେ ଅବିଳମ୍ୱେ ଉପଲବ୍‌ଧ କରିବୁଁ ଯେ, ଆମେ ନିର୍ଭୀକତା ମଧ୍ୟ ଆଚରଣ କରୁଁଆମ୍ଭମାନଙ୍କ ମତରେ ଯଦି ଆମର ଶାସକମାନଙ୍କର କାର୍ଯ୍ୟ ଅନ୍ୟାୟ ହୁଏସେମାନଙ୍କୁ ଉପଦେଶ ଦେବାକୁ ଆମେ ଯଦି କର୍ତ୍ତବ୍ୟ ଭାବୁଁ, ଏବଂ ସେମାନଙ୍କ ଦ୍ୱାରା ଯଦି ତାହା ରାଜଦ୍ରୋହ ରୂପେ ବିବେଚିତ ହୁଏ, ତେବେ ଆପଣମାନେ ନିଜକୁ ବିପଦ ମୁଣ୍ଡାଇ ସେହି ପରିଣାମ ଭୋଗ କରିବାକୁ ପ୍ରସ୍ତୁତ ହୋଇ ଯିବେ ଏବଂ ବିପକ୍ଷ ସହିତ ଲଢ଼ିବାରେ କୌଣସି ଅସତ୍ ଉପାୟ ଅବଲମ୍ୱନ କରିବେ ନାହିଁ, ତେବେ ସରକାର ଯେ ଆପଣମାନଙ୍କର ପରାମର୍ଶ ଶୁଣନ୍ତୁ, ଏ ଦାବୀ ସାବ୍ୟସ୍ତ କରି ସାରି ଥିବେ ମୁଁ ଏହା ଭାବେ ।

ମୁଁ ବ୍ରିଟିଶ ଗଭର୍ଣ୍ଣମେଣ୍ଟଙ୍କ ସହ ସହଯୋଗ କରୁଅଛି, କାରଣ ମୋର ବିଶ୍ୱାସ ଯେ, ବ୍ରିଟିଶ୍ ସାମ୍ରାଜ୍ୟର ପ୍ରତ୍ୟେକ ପ୍ରଜା ସହିତ ସମାନ ଅଂଶୀଦାର ହେବାକୁ ଦାବୀ କରିବା ମୋ ପକ୍ଷରେ ସମ୍ଭବପର ଅଟେ । ଆଜି ମୁଁ ସେହି ସମାନ ଅଂଶୀଦାରପଣ ଦାବୀ କରୁଅଛି । ମୁଁ ଗୋଟିଏ ପରାଧୀନ ଜାତିର ଅନ୍ତର୍ଗତ ନୁହେଁ । ମୁଁ ନିଜକୁ କୌଣସି ପରାଧୀନ ଜାତିର ଜଣେ ସଦସ୍ୟ ବୋଲି କହେ ନାହିଁ । ଆଉ ଗୋଟିଏ କଥା ଅଛି । ବ୍ରଟିଶ୍ ଶାସକବର୍ଗ ଆପଣମାନଙ୍କୁ ଏହା ଦେଇ ପକାଇବେ ନାହିଁଆପଣମାନଙ୍କୁ ତାହା ଅର୍ଜନ କରିବାକୁ ପଡ଼଼ିବ । ମୁଁ ସେ ଜିନିଷ ଚାହେଁ ଏବଂ ହାସଲ କରିପାରେ । ମୋର ଦାୟିତ୍ୱଗୁଡ଼଼ିକ ତୁଲାଇ ତାହା ଦାବୀ କରିବାକୁ ଚାହେଁ । 

ମ୍ୟାକ୍‌ସମୁଲର ଆମକୁ କହିଛନ୍ତି - ଅବଶ୍ୟ ଆମର ଧର୍ମର ବାଖ୍ୟା କରିବପାଇଁ ମ୍ୟାକ୍‌ସମୁଲରଙ୍କର ସାହାଯ୍ୟ ଲୋଡ଼ା ନାହିଁ  - ଓ ଆମ ଧର୍ମର ମୂଳମନ୍ତ୍ର ହେଉଛି,  “ଦା-ୟି-ତ୍ୱ “ଏବଂ “ଦା-ବୀ" ନୁହେଁ । ଯଦି ଆପଣମାନେ ବିଶ୍ୱାସ କରନ୍ତି ଯେ, ଦାୟିତ୍ୱ ତୁଲାଇବା ଦ୍ୱାରା ଆମେ ସମସ୍ତ ଦାବୀ ହାସଲ କରି ପାରିବୁଁ, ତେବେ ନିଜର ଦାୟିତ୍ୱ କଥା ସବୁବେଳେ ଚିନ୍ତା କରନ୍ତୁ ଏବଂ ସେହି ଦୃଷ୍ଟିରୁ ସଙ୍ଗ୍ରାମ କରନ୍ତୁ । କାହାରିକୁ ଆପଣମାନଙ୍କର ଭୟ ନ ଥିବ , କେବଳ ଭଗବାନଙ୍କୁ ଆପଣମାନେ ଭୟ କରିବେସେହି ବାଣୀ, ମୋର ଗୁରୁ ଯଦି ଅନୁମତି ଦିଅନ୍ତି, ତେବେ ମୁଁ କହିପାରେ ଆପଣମାନଙ୍କର ମଧ୍ୟ ଗୁରୁ - ଶ୍ରୀଯୁକ୍ତ ଗୋଖଲେ ଆମ୍ଭମାନଙ୍କୁ ଦେଇ ଅଛନ୍ତି । 

ସେ ବାଣୀ କଅଣ ? ତାହା ଭାରତ-ସେବକ-ସମାଜର ବିଧାନରେ ରହିଛି ଏବଂ ମୋ ଜୀବନରେ ମୁଁ ଏହି ବାଣୀ ଦ୍ୱାରା ପରିଚାଳିତ ହେବାକୁ ଇଚ୍ଛା କରେ । ଦେଶର ରାଜନୈତିକ ଜୀବନ ଓ ରାଜନୈତିକ ଅନୁଷ୍ଠାନଗୁଡ଼ିକୁ ଆଧ୍ୟାତ୍ମିକତା ଦ୍ୱାରା ଅନୁପ୍ରାଣିତ କରିବାକୁ ଏହି ବାଣୀ ଆମ୍ଭମାନଙ୍କୁ ଶିକ୍ଷା ଦେଉଛି । ତାହାକୁ ଆଚରଣରେ ଉପଲବ୍‌ଧ କରିବା ନିମିତ୍ତ ଆମ୍ଭମାନଙ୍କର ଅବିଳମ୍ୱେ ଲାଗି ପଡ଼ିବା ଉଚିତ । ଛାତ୍ରମାନେ ରାଜନୀତିରୁ ଦୂରରେ ରହି ପାରିବେ ନାହିଁ । ଧର୍ମ ଯେପରି ଅତ୍ୟାବଶ୍ୟକ ଅଟେ, ରାଜନୀତି ସେମାନଙ୍କ ପକ୍ଷରେ ସେପରି ଅତ୍ୟାବଶ୍ୟକ ଅଟେ । ଧର୍ମରୁ ରାଜନୀତିକୁ ଅଲଗା କରି ହେବ ନାହିଁ । ତଥାପି ମୋର ହୃଦୟର ଅନ୍ତରତମ ପ୍ରଦେଶରେ ଯେଉଁ ଆଲୋଡ଼ନ ହେଉ ଅଛି, ତାହାକୁ ହିଁ ମୁଁ ଆପଣମାନଙ୍କୁ ଜଣାଇ ପାରେ । 

ଦକ୍ଷିଣ ଆଫ୍ରିକାରେ ମୋର ଅନୁଭୂତି ବଳରେ ମୁଁ କହିପାରେ ଯେ, ଆପଣମାନଙ୍କର ଯେଉଁ ଦେଶବାସୀମାନେ ଆଧୁନିକ ସଭ୍ୟତା ପାଇ ନ ଥିଲେ, ମାତ୍ର ଯେଉଁମାନେ ପ୍ରାଚୀନ ଋଷିମାନଙ୍କର ଶକ୍ତି ଲାଭ କରି ଥିଲେ, ଋଷିମାନଙ୍କର ତପଶ୍ଚର୍ଯା ଉତ୍ତରାଧିକାରୀ ପାଇ ଥିଲେ, ଇଂରାଜୀ ସାହିତ୍ୟର ଧାର ଧାରୁ ନ ଥିଲେ ଏବଂ ବର୍ତ୍ତମାନ ଆଧୁନିକ ସଂସ୍କୃତିର ବିନ୍ଦୁ-ବିସର୍ଗ ଜାଣି ନ ଥିଲେ, ସେହିମାନେ ନିଜର ଶକ୍ତିର ପରାକାଷ୍ଠା ଦେଖାଇ ପାରି ଥିଲେ । ଯାହା ଦକ୍ଷିଣ ଆଫ୍ରିକାର ଆମ୍ଭମାନଙ୍କର ଅଶିକ୍ଷିତ ଓ ନିରକ୍ଷର ଲୋକମାନଙ୍କ ପକ୍ଷରେ ସମ୍ଭବ ହୋଇ ପାରିଛି, ତାହା ଆଜି ଆମର ଏହି ପବିତ୍ର ଭୂମିରେ ଆପଣମାନଙ୍କ ଓ ମୋ ପକ୍ଷରେ ଦଶ ଗୁଣ ସମ୍ଭବ ହୋଇ ପାରିବ । ସେହି ସୌଭାଗ୍ୟ ଆପଣମାନଙ୍କର ହେଉ ଏବଂ ମୋର ହେଉ, ଏହା ମୁଁ କାମନା କରୁ ଅଛି । [କରତାଳି]

ବି.ଦ୍ର.: - ତା ୨୭ ଅପ୍ରେଲ, ୧୯୧୫ରେ ମାନ୍ଦ୍ରାଜ ଯୁବକ ଖ୍ରୀଷ୍ଟିଆନ ଆସୋସିଏସନରେ ମିଳିଥିବା ଅଭିନନ୍ଦନରେ ଉତ୍ତରରେ ଗାନ୍ଧୀଜୀଙ୍କର ଭାଷଣ । ସେହି ସଭାରେ ମାନ୍ୟବର ଶ୍ରୀଯୁକ୍ତ ଭି. ଏସ. ଶ୍ରୀନିବାସ ଶାସ୍ତ୍ରୀ ସଭାପତି ହୋଇଥିଲେ ।

No comments:

Post a Comment