Wednesday, July 18, 2018

ଦୀପବତୀର ଶିଖା

ଜ୍ୟୋତି ନନ୍ଦ


ଯୁବାବସ୍ଥାରେ ଦୀପବତୀ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଦୀପବତୀ ବୋଲି କହିଲେ ସଭିଏଁ ଥରକରେ ତାହାକୁ ଚିହ୍ନିଯିବେ । ନିଜର ପରିଣତ ନବେ ବର୍ଷର ଜୀବନକାଳରେ ସେ ପ୍ରାୟତଃ ଅଧିକାଂଶ ସମୟ ଭାରତର ଚିନ୍ତାରେ ହିଁ ବିତେଇ ଦେଇଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ସେ ଥରଟିଏ ହେଲେ ବି ଭାରତକୁ ନିଜର ଚର୍ମଚକ୍ଷୁରେ ଦେଖି ନାହିଁ । ଗୋଟିଏ ଅଦେଖା ରାଜ୍ୟ ଜଣକର ଚେତନାକୁ ଏତେ ମାତ୍ରାରେ ଆଚ୍ଛନ୍ନ କରି ରଖି ପାରିବାର କଥାଟିକୁ ଆମେ ସେତେ ସହଜରେ ଗ୍ରହଣ କରିବା କଷ୍ଟକର । କେବଳ କିଛି ଶୁଣି ବା କିଛି ପଢ଼ି ଗୋଟିଏ ଅଜଣା ମୁଲକର ସୁଖ ଦୁଃଖରେ ଦୀର୍ଘ ସମୟ ମାନସିକ ସ୍ତରରେ ଅବସେସଡ୍ ହୋଇ ରହିବା କେବଳ ଡନ୍ କିହୋତେ ଭଳି କାଳ୍ପନିକ ଚରିତ୍ର ପକ୍ଷରେ ସମ୍ଭବ ହୋଇପାରେ ।ଦୀପବତୀର ସେମିତି ବହି ପଢ଼ିିବାର ନିଶା ନ ଥିଲା ।

ଯୁଦ୍ଧକ୍ଷେତ୍ରରୁ ଫେରିଲା ପରେ ତାହାର ଦେହ ଭଲ ରହିଲା ନାହିଁ । ରାତିଦିନ ଲାଗି ଯୁଦ୍ଧରତ ସୈନିକଙ୍କ ନିଷ୍ଠାପର ସେବା କରୁଥିବା ଆମର ଏଇ ଦୀପବତୀଟି ଘରକୁ ଫେରି ଶାନ୍ତିରେ ବିଶ୍ରାମ ନେବ କ'ଣ, ଏକ ପ୍ରକାର ଅସୁଖ ତାହାକୁ ଗ୍ରାସ କରିବାକୁ ଲାଗିଲା । ଅସୁଖଟି ଏକ ପ୍ରକାର ମାନସିକ ଅସୁଖ, ଯେଉଁ ଅସୁଖରେ ଜଣେ କେବଳ ଶେଜରେ ଶୋଇ ରହିବାକୁ ଚାହିଁ ଥାଏ । ଯୁଦ୍ଧକାଳୀନ ବିଭୀଷିକା ତଥା ନିତିପ୍ରତି କ୍ଷତବିକ୍ଷତ ସୈନିକଙ୍କ ପରିଚର୍ଚ୍ଚାରୁ ମାନସିକ ଅବସାଦର ଜନ୍ମ ଆଉ ସେହି ଅବସାଦର ଆଉ ଏକ ପରିବର୍ତ୍ତିତ ରୂପ ହେଉଛି ଏଇ ଅସୁଖ, ଯାହାକୁ ଡାକ୍ତରୀ ଭାଷାରେ ସେମାନେ 'କ୍ଲିନୋମାନିଆ' ବୋଲି କହୁଥିଲେ । ଶେଜରେ ପ୍ରାୟତଃ ଶୋଇଶୋଇ ଏହି ଏକଦା ବିଶ୍ୱପ୍ରସିଦ୍ଧ କର୍ତ୍ତବ୍ୟନିଷ୍ଠ ସେବାଦାତ୍ରୀଟି ବିତାଇ ଦେଇ ଥିଲା ଦୀର୍ଘକାଳ, ଶେଷ ନିଶ୍ୱାସ ଯାଏଁ । ହିସାବ ଯୋଡ଼ିଲେ ଦୀପବତୀର ଶୋଇ ରହୁ ଥିବାର ସମୟ କାଳ ହେଉଛି ଅଦ୍ଭୁତ । ଖ୍ରୀଅ ୧୮୫୭ରୁ ଖ୍ରୀଅ ୧୯୧୦, ଅର୍ଥାତ୍, ତେପନ ବର୍ଷର ସମୟ ।  ଶୋଇଶୋଇ ବିତିଗଲା ପାଞ୍ଚ ଦଶକରୁ ଅଧିକ କାଳ ।

କହିବାକୁ ଗଲେ ଏହି ପାଞ୍ଚ ଦଶକର ସମୟ ହେଉଛି, ଆମ ଦୀପବତୀର ଭାରତ ଚିନ୍ତାର ସମୟ ।

ଦୀପବତୀର ଏହି ଏକନିଷ୍ଠ ଭାରତଚିନ୍ତାର ଉତ୍ସ ଖୋଜିଲେ, ଗୋଟିଏ ମାତ୍ର କାରଣ ବାହାରି ପାରେ । ଆଉ ସେହି କାରଣଟି ହୁଏତ ଅନେକଙ୍କର ବିଶ୍ୱାସ ଯୋଗ୍ୟ ହେବ ନାହିଁ । ଦୀପବତୀଟି ଦୀପବତୀ ହେବାର ବହୁ ପୂର୍ବରୁ ଘୋଷଣା କରିଥିଲା ଯେ, ସେ ବିବାହ ନ କରି ଦୁର୍ଗତଙ୍କ ସେବାରେ ନିଜ ସମୟ ଅତିବାହିତ କରିବ । ଏହା ଈଶ୍ୱରଙ୍କ ନିର୍ଦ୍ଦେଶ । ଏବଂ ଈଶ୍ୱରଙ୍କ ସହ ତାହାର ଅଧିକାଂଶ ସମୟରେ କଥାବାର୍ତ୍ତା ହୁଏ । ଏହାକୁ ନେଇ ସମସ୍ତେ ତାହାର କିଛି ମାତ୍ରାରେ ମୁଣ୍ଡଦୋଷ ରହିଛି ବୋଲି ଭାବୁଥିଲେ । କିନ୍ତୁ ପ୍ରକାଶ୍ୟରେ କେହି କିଛି କହି ପାରୁ ନ ଥିଲେ, କାରଣ ଝିଅଟି ଏତିକି ଭଦ୍ର ଅମାୟିକ ଆଉ ବୃତ୍ତିରେ ଏତିକି ସେବାପରାୟଣ ଯେ, ସମସ୍ତେ ତାହାକୁ ଭାରି ଆଦର କରୁଥିଲେ । ଡାକ୍ତରମାନେ କହୁଥିଲେ, ସେ 'ବାଇପୋଲାର୍ ଡିଜଅର୍ଡର୍' ବୋଲି ଅସୁଖଟିକୁ ଭୋଗୁଛି । ଏହି ଅସୁଖଟି ସେମିତି ଉପଦ୍ରବୀ ନୁହଁ ।

ଝିଅଟି ନିଜର ବୃତ୍ତିଗତ ଦକ୍ଷତା ଯୋଗୁଁ,  କ୍ରିମିଆ ଯୁଦ୍ଧ (୧୮୫୩-୧୮୫୬)ରେ ଯୁଦ୍ଧକ୍ଷେତ୍ରରେ ଆହତ ସୈନିକଙ୍କ ପରିଚର୍ଯ୍ୟାରେ ନିୟୋଜିତ ହୋଇଥିଲା, ଆଉ ସେଇଠି ସେ ଅର୍ଜନ କରିଥିଲା ଦୀପବତୀ ବୋଲି ଗୋଟିଏ ଶ୍ରଦ୍ଧା ଆଉ ସମ୍ମାନର ଡାକ ।

କ୍ରିମିଆର ଯୁଦ୍ଧକ୍ଷେତ୍ରରେ ଆମର ଏହି ଦୀପବତୀ ଜଣକ ବୃତ୍ତିଗତ ସେବା ବ୍ୟତୀତ ସ୍ୱତଃପ୍ରବୃତ୍ତ ହୋଇ ଆଉ ଏକ ବିଚିତ୍ର କାର୍ଯ୍ୟ କରୁଥିଲା । ସମସ୍ତ ପ୍ରକାର ଦୁଃସମ୍ବାଦର ଏକ ପ୍ରକାରର ମଧ୍ୟସ୍ଥି କାର୍ଯ୍ୟ କରିବାକୁ ସେ ଆଗଭର ହୋଇ ପଡ଼ୁଥିଲା । ସାଧାରଣତଃ ଆମେମାନେ ଆମଜୀବନରେ ଯେ କୌଣସି ଦୁଃସମ୍ବାଦକୁ ଏଡ଼ାଇ ଯାଇ ସେଥିରୁ ରକ୍ଷା ପାଇ ଯିବାର ସରଳ ମସୁଧାରେ ଥାଉ । ଆମ ବିଚାରରେ ସବୁ ଦୁଃସମ୍ବାଦ ହେଉଛି, ଯେମିତି କେଉଁ ପଦ୍ମପତ୍ରର ଢଳଢଳ ଜଳ, ଯାହା ଆମକୁ କେବେ ହେଲେ ନ ଛୁଉଁ । ମାତ୍ର ଆମର ସେବିକା ଦୀପବତୀ ସେତେବେଳେ ଦୁଃସମ୍ବାଦକୁ ନେଇ ଯଥେଷ୍ଟ ସକ୍ରିୟ ଥିଲା । ଯୁଦ୍ଧକ୍ଷେତ୍ର, ଆପଣ ଜାଣନ୍ତି, ଦୁଃସମ୍ବାଦର ଏକ ଚିରାଚରିତ ଗୋଦାମ ଘର ।ଦୀପବତୀକୁ ଦୁଃସମ୍ବାଦର ମଧ୍ୟସ୍ଥି ବୋଲି କହିବାର ଅର୍ଥ, ସେ ଯୁଦ୍ଧକ୍ଷେତ୍ରରୁ ବାହାରକୁ ଯାଉଥିବା ଦୁଃସମ୍ବାଦ ଆଉ ବାହାରୁ ଯୁଦ୍ଧକ୍ଷେତ୍ରକୁ ଆସୁଥିବା ବ୍ୟକ୍ତିଗତ ଦୁଃସମ୍ବାଦ ସମୁହର ଆତ୍ମଘୋଷିତ ଯୋଗସୂତ୍ର ସାଜୁଥିଲା । ଜଣକ ପାଖକୁ ଦୁଃସମ୍ବାଦକୁ ଲେଖିବା ଆଉ ଜଣକୁ ଦୁଃସମ୍ବାଦକୁ କହିବା ଭଳି ଉଭୟ କାର୍ଯ୍ୟରେ ପୃଥିବୀର ସବୁଠାରୁ ଜଟିଳତମ ଗଦ୍ୟର ପ୍ରୟୋଜନ ରହିଛି । ଦୀପବତୀ ଏହି କାମଟି ନିଷ୍ଠାର ସହ କରୁଥିଲା ।

କହିବାକୁ ଗଲେ ଈଶ୍ୱରଙ୍କ ସହ ଦୈନନ୍ଦିନ ବାର୍ତ୍ତାଳାପ ଏବଂ ତାଙ୍କର ଯଥୋଚିତ ଅନୁଜ୍ଞା ପ୍ରାପ୍ତି ଏଇ ସେବିକା ଭିତରେ ସମସ୍ତ ଦୁଃସମ୍ବାଦକୁ ଆତ୍ମସ୍ଥ କରିବାର ଏକ ସମ୍ବେଦନଶୀଳ ମନଟିଏ ପ୍ରସ୍ତୁତ କରିଥିଲା । ତାହାକୁ କେହି କେହି ଏକ ଅସୁଖ ବୋଲି ବୁଝିଲେ, ଆମର ସେଥିରେ କିଛି ଯାଏ ଆସେ ନାହିଁ ।

ତେଣୁ ଆମ ଦୀପବତୀର ଭାରତଚିନ୍ତା ସେଇ ଗଭୀର ସମ୍ବେଦନଶୀଳତାର ବିଚିତ୍ର ଅସୁଖରୁ ଛିଟାଏ ।

ଲଣ୍ଡନରେ ନିଜ ରୋଗଶଯ୍ୟାରେ ଶୋଇ ଶୋଇ ପ୍ରଚୁର ଲେଖା ନିବନ୍ଧ ଆକାରରେ ଆଉ କିଛି ବ୍ରିଟିଶ ସରକାରକୁ ଚିଠିପତ୍ର ଆକାରରେ ଲେଖି ଯାଇଛି ଆମର ଏହି ଦୀପବତୀ, ଯାହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଭାରତର ବାସ୍ତବ ସ୍ଥିତିକୁ ବ୍ରିଟିଶ ଜନସାଧାରଣଙ୍କ ସମ୍ମୁଖରେ ସଠିକ ଭାବରେ ଉପସ୍ଥାପିତ କରିବା । ବ୍ରିଟିଶମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଏକ କମ୍ପାନୀ ଜରିଆରେ ଭାରତକୁ ବେପାର କରିବାକୁ ଆସି ପଲାସୀ ଯୁଦ୍ଧ ପରେ ନିଜର ମାତୃଭୂମିର ଶିଳ୍ପବିପ୍ଳବକୁ ସଫଳ କରିବା ପାଇଁ ଭାରତକୁ ଏକ କଞ୍ଚାମାଲ ଉତ୍ପାଦନକାରୀ ରାଷ୍ଟ୍ର ଓ ଇଂଲଣ୍ଡଜାତ ପଦାର୍ଥର ଏକ ନିୟନ୍ତ୍ରିତ ସାମଗ୍ରୀକ ବଜାର ହିସାବରେ ପରିବର୍ତ୍ତିତ କରିବା ଲକ୍ଷ୍ୟରେ ନିଜର ଶାସନ ବିସ୍ତାରର କରିବା ପାଇଁ ଚାହିଁଲେ । କିନ୍ତୁ ଏହି ପରିବର୍ତ୍ତନର ପ୍ରକ୍ରିୟାରେ ସେମାନେ ଭାରତକୁ ଲୁଣ୍ଠନ କରିବାରେ ଲାଗିଲେ ।

ବିଶିଷ୍ଟ ବ୍ରିଟିଶ ଐତିହାସିକ ପର୍ସିଭାଲ୍ ସ୍ପିଅର୍ ଭାରତରେ ବ୍ରିଟିଶ ଶାସନର ମୂଳଦୁଆ ପକାଇଥିବା ଗଭର୍ନର ରବର୍ଟ କ୍ଲାଇବ୍‌ଙ୍କ ଶାସନକୁ 'ମୁକ୍ତ ଓ ନିର୍ଲଜ ଲୁଣ୍ଠନର ସମୟ' ବା 'ଏ ପିରିଅଡ୍ ଅଫ୍ ଓପନ୍ ଆଣ୍ଡ୍ ଅନଆସେମଡ୍ ପ୍ଲଣ୍ଡର୍' ବୋଲି କହିଛନ୍ତି । (ଅବଶ୍ୟ ଏହା ସହିତ ଆପଣଙ୍କର ଆଉ ଏକ ସମଧର୍ମା ବକ୍ତବ୍ୟ ଭାରତର ସଂସଦରେ ମନକୁ ଆସିପାରେ, 'ଅର୍ଗାନାଇଜଡ୍ ଲୁଟ୍ ଆଣ୍ଡ ଲିଗାଲାଇଜଡ୍ ପ୍ଲଣ୍ଡର୍' ଅର୍ଥାତ୍ 'ସଙ୍ଗଠିତ ଡକାୟତି ଓ ବୈଧ ଲୁଣ୍ଠନ') ଅବଶ୍ୟ ଶାସନ ପାଇଁ ଲୁଣ୍ଠନ କେବେ କାହାର ଘୋଷିତ ମୂଳମନ୍ତ୍ର ହେବ ନାହିଁ । ତେଣୁ ହାତୀର ପ୍ରଦର୍ଶନଯୋଗ୍ୟ ଦାନ୍ତ ଭଳି ବ୍ରିଟିଶମାନଙ୍କର ଶାସନର ମୂଖ୍ୟ ଘୋଷିତ ବିନ୍ଦୁଟି ଥିଲା ଭାରତ ଭଳି ଏକ ଅନାର୍ଯ୍ୟ ରାଷ୍ଟ୍ରକୁ ସଭ୍ୟ ଓ ସୁଶିକ୍ଷିତ କରିବାର ଉଦାରବାଦୀ ନୀତି । 'ସିଭିଲାଇଜିଙ୍ଗ୍ ମିଶନ୍'ଟି  ସମାପ୍ତ ହେଲେ ସେମାନେ ଅର୍ଥାତ୍ ବ୍ରିଟିଶ୍‌ ମାନେ ଆପେ ଆପେ ଅପସରି ଯିବେ । ତେଣୁ ଇଂଲଣ୍ଡର ଅଧିବାସୀ ମାନଙ୍କୁ ବ୍ରିଟିଶ ଶାସନର ଦ୍ୱୈତ ଆଚରଣକୁ ତଥା ଭାରତର ଯଥାର୍ଥକୁ ଜଣାଇବା ଏକ ମାତ୍ର ଲକ୍ଷ୍ୟ ଥିଲା କ୍ଲିନୋମାନିଆରେ ପୀଡ଼ିତା ଆମର ଏଇ ଦୀପବତୀର । ବିଶେଷତଃ ଇଂଲଣ୍ଡର ଉଦାରବାଦୀ ତଥା ଯୁକ୍ତିବାଦୀଙ୍କ ନିକଟରେ ସବୁ ତଥ୍ୟ ଉପସ୍ଥାପନ କରି ଏକ ଭାରତସପକ୍ଷବାଦୀ ଚିନ୍ତନର ପରିମଣ୍ଡଳ ତିଆରି କରିବାରେ ସଫଳ ହୋଇଥିଲା ଏହି ଦୀପବତୀ ।

ଭାରତରେ ଦୁର୍ଭିକ୍ଷ ଘଟଣାରେ ପ୍ରଶାସନିକ ଉଦାସୀନତାକୁ ତୀବ୍ର ଭାବରେ ବିରୋଧ କରିଥିଲା ଦୀପବତୀ । ସେ ଲେଖିଥିଲା, "ଏହି ଦୁର୍ଭିକ୍ଷରେ ଫ୍ରାଙ୍କୋ-ଜର୍ମାନୀ ଯୁଦ୍ଧ ତୁଳନାରେ ପାଞ୍ଚ ଗୁଣରୁ ଅଧିକ ଲୋକ ମରିଛନ୍ତି । କେହି ଦୃଷ୍ଟି ଦେଇ ନାହାନ୍ତି । ଆମେ ଓଡ଼ିଶାର ଦୁର୍ଭିକ୍ଷ ସମ୍ପର୍କରେ ଆଦୌ ମୁହଁ ଖୋଲି ନାହୁଁ, ଯେତେ ବେଳେ କି ଏଇ ରାଜ୍ୟର ଏକ ତୃତୀୟାଂଶ ଜନତାଙ୍କର ସମ୍ପୂର୍ଣ୍ଣ ଚାଷଜମିକୁ ସେମାନଙ୍କର ହାଡମାଂସ ସହ ଧଳା ପଡ଼ିବାକୁ ଜାଣିଶୁଣି ଛାଡ଼ି ଦିଆ ଯାଇ ଥିଲା ।" ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ସମ୍ପର୍କରେ ଓଡ଼ିଶା ବୋଲି ଏକ ରାଜ୍ୟ ଅଛି ଓ ତାହାର ଏପରି କିଛି ତଥ୍ୟକୁ କୌଣସି ସୂତ୍ରରୁ କେବଳ ପଢ଼ିଥିବା ଜଣେ ସେବିକାର ଏହା ଏକ ଉଦାରବାଦୀ ଉଲ୍ଲେଖ ।

ଗ୍ରାମାଞ୍ଚଳର ଦାରିଦ୍ର୍ୟ ସମ୍ପର୍କରେ ସେ ଲେଖିଥିଲା, "ରଇତକୁ ସବୁ କାମ ପାଇଁ ପଇସା ଦେବାକୁ ପଡ଼େ । ଯେଉଁ କାମ ସେ କରେ ସେଇଥି ପାଇଁ ଆଉ ଯେଉଁ କାମ ନିଜେ ନ କରି ଜମିଦାର ରଇତ ଦ୍ୱାରା କରାଏ, ସେଇଥି ପାଇଁ ବି । ଆମେ ଜାଣିଛୁ ରଇତ ପାଇଁ ବ୍ରିଟିଶ୍ ନ୍ୟାୟ ମହଜୁଦ୍ ଅଛି । କିନ୍ତୁ ଜଣେ ଯାହା ଉପଯୋଗ କରି ପାରୁ ନାହିଁ, ତାହା ତା' ପାଇଁ କେବେ ହେଲେ ନାହିଁ ।"

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟିଏ ଲେଖିଥିଲା ଦୀପବତୀ । ତାହା ହେଉଛି ଗରୀବ ଭାରତୀୟର ସହନଶକ୍ତି ଉପରେ । ସେ ଲେଖିଥିଲା, "କୃଷିକୈନ୍ଦ୍ରିକ ହିଂସା ସମଗ୍ର ଭାରତବର୍ଷରେ ଏକ ସ୍ୱାଭାବିକ କଥା । କିନ୍ତୁ ଏହି ସରଳ ନୀରବ ଧୈର୍ଯ୍ୟବାନ ଲକ୍ଷଲକ୍ଷ ଭାରତୀୟ ଯେ ସବୁଦିନ ପାଇଁ ନୀରବତା ଓ ଧୈର୍ଯ୍ୟର ସହ ରହିଥିବେ, ସେ ବିଷୟରେ ଆମେ ନିଶ୍ଚିତ ହୋଇ ରହିବା ଠିକ୍ ହେବ ନାହିଁ । ମୂକ କଥା କହିବ ଓ ବଧୀର ନିଶ୍ଚୟ ଶୁଣିବ ।"

ଦୀପବତୀର ଊନବିଂଶ ଶତାବ୍ଦୀର ଶେଷ ସମୟରେ ଏପରି ଭବିଷ୍ୟଦୃଷ୍ଟି ସବୁ କାଳ ପାଇଁ ପ୍ରାସଙ୍ଗିକ । ସମସ୍ତ ମୂକ ଆଉ ବଧୀର ଦିନେ ନା ଦିନେ ନିଜର ଅସାମର୍ଥ୍ୟକୁ ଅତିକ୍ରମ କରିବାର କଥା ଇତିହାସ ସାରା ।

ଆମ ଦୀପବତୀର ସବୁଠୁ ଉଲ୍ଳେଖଯୋଗ୍ୟ ଭାରତଚିନ୍ତାଟି ଥିଲା ଭାରତର ସ୍ୱଚ୍ଛତା ତଥା ସାନିଟେସନ୍ ଆଉ ସ୍ୱାସ୍ଥ୍ୟକୁ ନେଇ । ଭାରତରେ ଥିବା ବ୍ରିଟିଶ ସୈନିକମାନେ କେଉଁ ପରି ଏକ ସ୍ୱଚ୍ଛ ପରିବେଶରେ ନିରୋଗ ଜୀବନଯାପନ କରି ପାରିବେ, ସେ ସଙ୍କ୍ରାନ୍ତରେ ସେ ବାରମ୍ବାର ବ୍ରିଟିଶ ଶାସନର ଦୃଷ୍ଟି ଆକର୍ଷଣ କରୁଥିଲା । ସେତେବେଳେ ସିପାହୀ ବିଦ୍ରୋହ ଆରମ୍ଭ ହୋଇ ଯାଇ ଥାଏ । ତେଣୁ ଦୀପବତୀର କଥାକୁ ବ୍ରିଟିଶ ପ୍ରଶାସନ ବେଶ୍ ଗୁରୁତ୍ୱର ସହ ନେଇଥିଲେ । ଭାରତର ଅବସ୍ଥା ଟିକିଏ ଶାନ୍ତ ପଡ଼ିବା ମାତ୍ରେ, ସିଡନି ହାର୍ବର୍ଟଙ୍କୁ ୧୮୫୯ରେ ଏକ ସ୍ୱଚ୍ଛ କମିଶନ ଗଠନ କରି ତାହାର ମୂଖ୍ୟ ଭାବରେ ଭାରତକୁ ପଠା ଯାଇ ଥିଲା । ସେ ଭାରତର ସ୍ୱଚ୍ଛତା ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେଇ ଥିଲେ । ତାହା ପରେ ସିଡନି ହାର୍ବର୍ଟ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ହୋଇ ଇଂଲଣ୍ଡ ଫେରି ଗଲା ପରେ, ନିଜେ ଭାରତର ଏଇ ସ୍ୱଚ୍ଛତା ମିଶନ୍‌ର ପ୍ରତ୍ୟକ୍ଷ ପରିଚାଳନାରେ ଯତ୍ନବାନ ଥିଲେ । ତାହା ଫଳରେ ଭାରତର ବିଭିନ୍ନ ପ୍ରେସିଡେନ୍ସିର ବିଶେଷତଃ ମାଡ୍ରାସ ସହରର ଅନେକ ନର୍ଦ୍ଦମାର ନିର୍ମାଣ ତଥା ସଂସ୍କାର କରା ଯାଇ ଥିଲା ।

ଏଇ ଭଳି ଥିଲା ଦୀପବତୀର ଭାରତଚିନ୍ତା, ଯେଉଁ ଭାରତକୁ ସେ କେବଳ ଦେଖିଥିବ ସ୍ୱପ୍ନରେ। ଶୁଣିଥିବ ନିଶିବାଣୀ ହୁଏତ କେଉଁ ଦେବତାର ନିଶାର୍ଦ୍ଧରେ ।

ମଇ ମାସର ବାର ତାରିଖ ଅଠର ଶହ କୋଡ଼ିଏ ମସିହା ଦିନ ଫ୍ଲୋରେନ୍ସ ସହରରେ ଜନ୍ମଗ୍ରହଣ କରିଥିବା ଏଇ ବିଶ୍ୱ ସେବିକାଟିକୁ ଶ୍ରଦ୍ଧାର ସହ କୁହା ଯାଉ ଥିଲା, 'ଲେଡି ଅଫ୍ ଦି ଲାମ୍ପ' ବା ଦୀପବତୀ । ତାହାର ଜନ୍ମଦିବସକୁ ଅର୍ଥାତ୍ ମଇ ମାସର ବାର ତାରିଖକୁ ପାଳନ କରା ଯାଇ ଆସୁଛି, 'ଆନ୍ତର୍ଜାତିକ ସେବିକା ଦିବସ' ହିସାବରେ ବିଶ୍ୱ ସାରା ।

କହିବା ବାହୁଲ୍ୟ, ସେହି ଦୀପବତୀର ଅସଲ ନାଆଁ ବି ଆମର ବେଶ୍ ପରିଚିତ, 'ଫ୍ଲୋରେନ୍ସ ନାଇଟିଙ୍ଗେଲ୍' । ସେହି ମହାନ ଦୀପବତୀକୁ ପ୍ରଣାମ । ତାହାର ଭାରତଚିନ୍ତାକୁ ପ୍ରଣାମ ।

No comments:

Post a Comment