Friday, July 06, 2018

ଗାନ୍ଧୀଙ୍କର ଶିକ୍ଷାବିଚାର - 'ସ୍କୁଲ ମାଷ୍ଟର'

ଅନୁବାଦ - ଚିତ୍ତରଞ୍ଜନ ଦାସ


ଚିତ୍ର, 'ଜୋତାତିଆରି' (ୱିକିମିଡ଼ିଆ କମନ୍ସ୍)
ଚିତ୍ରକର - ସାଏକି ୟୁଜୋ (୧୮୯୮-୧୯୨୮)

ଟଲଷ୍ଟୟ ଆଶ୍ରମର ବାଳକ ବାଳିକାମାନଙ୍କର ଶିକ୍ଷାର ବନ୍ଦୋବସ୍ତ କରିବାକୁ ପଡ଼ିଥିଲା । ମୋ ସାଙ୍ଗରେ ହିନ୍ଦୁ, ମୁସଲମାନ, ପାର୍ଶୀ ଓ ଖ୍ରୀଷ୍ଟିୟାନ ଯୁବକ ଥିଲେ ଏବଂ କେତେ ଜଣ ହିନ୍ଦୁ ବାଳିକା ମଧ୍ୟ ଥିଲେ । ସେମାନଙ୍କ ପାଇଁ ଖାସ ଶିକ୍ଷକ ନିଯୁକ୍ତ କରିବା ସମ୍ଭବ ନ ଥିଲା ଓ ମୁଁ ମଧ୍ୟ ଆବଶ୍ୟକ ମନେ କରି ନ ଥିଲି । କାରଣ ଉପଯୁକ୍ତ ଭାରତୀୟ ଶିକ୍ଷକ ମିଳିଲେ ମଧ୍ୟ ଜୋହାନ୍‌ସବର୍ଗରୁ ୧୨୧ ମାଇଲ ଦୂରକୁ ବେଶୀ ଦରମା ନ ପାଇଲେ କିଏ ଆସିବ ? ମୋ' ପାଖରେ ପଇସା କଉଡ଼ି ବି ଉଚ୍ଛୁଳି ପଡ଼ୁ ନ ଥିଲା । ମୁଁ ବାହାରୁ ଶିକ୍ଷକ ଆଣିବା ଆବଶ୍ୟକ ବିଚାରୁ ନ ଥିଲି । କାରଣ ପ୍ରଚଳିତ ଶିକ୍ଷା ପଦ୍ଧତିରେ ମୋର ବିଶ୍ୱାସ ନ ଥିଲା ଏବଂ ଅନୁଭୂତ ଦ୍ୱାରା ଶିକ୍ଷା ପଦ୍ଧତି ବାହାର କରିବାର ଇଚ୍ଛା ମୋର ଥିଲା । ମୁଁ କେବଳ ଏତିକି ବୁଝୁଥିଲି ଯେ, ଆଦର୍ଶ ଅବସ୍ଥାରେ କେବଳ ମା, ବାପ ପ୍ରକୃତ ଶିକ୍ଷା  ଦେଇ ପାରନ୍ତି । ଆଦର୍ଶ ଅବସ୍ଥାରେ ବାହାରର ସାହାଯ୍ୟ ଯେତେ କମ୍ ହୋଇପାରେ ସେତେ ହେବା ଉଚିତ । ଟଲଷ୍ଟୟ ଫାରମ ଗୋଟିଏ ପରିବାର ସ୍ୱରୂପ ଏବଂ ମୁଁ ସେଥିରେ ପିତା ଅଟେ; ଅତଏବ ପିଲାଙ୍କୁ ଗଢ଼ିବାର ଦାୟିତ୍ୱ ଯେତେ ଦୂର ସମ୍ଭବ, ମତେ ମୁଣ୍ଡେଇବାକୁ ପଡ଼ିବ, ଏହା ମୁଁ ସ୍ଥିର କରିଥିଲି ।

ଏ ବିଚାରରେ ବହୁତ ଦୋଷ ନିଶ୍ଚୟ ଥିଲା । ଯୁବକମାନେ ଜନ୍ମରୁ ମୋ ପାଖରେ ନ ଥିଲେ  । ସମସ୍ତେ ଭିନ୍ନଭିନ୍ନ ବାତାବରଣରେ ବଢ଼ିଥିଲେ । ପୁଣି ସମସ୍ତେ ଏକା ଧର୍ମର ବି ନ ଥିଲେ । ଏପରି ଅବସ୍ଥାରେ ବାଳକ ବାଳିକାଙ୍କର ମୁଁ ପିତୃସ୍ଥାନ ଅଧିକାର କଲେ ସୁଦ୍ଧା, ସମସ୍ତଙ୍କୁ ତାଙ୍କର ନ୍ୟାଯ୍ୟ ପ୍ରାପ୍ୟ ଦେଇ ପାରନ୍ତି ନାହିଁ ।

କିନ୍ତୁ ମୁଁ ହୃଦୟର ଶିକ୍ଷା ଅର୍ଥାତ୍ ଚରିତ୍ର ପଠନକୁ ସବୁବେଳେ ପ୍ରଥମ ସ୍ଥାନ ଦେଉଛି ଏବଂ ପିଲାମାନଙ୍କ ବୟସ ବା ମୂଳରୁ ଲାଳନ ପାଳନର ବାୟୁମଣ୍ତଳରେ ସମତା ନ ଥିଲେ ସୁଦ୍ଧା ସେଭଳି ହୃଦୟର ଶିକ୍ଷା ସମସ୍ତଙ୍କୁ ଅଳ୍ପ ବହୁତ ଦିଆଯାଇ ପାରିବ - ଏହା ବିଚାରି ମୁଁ ସେମାନଙ୍କ ମଧ୍ୟରେ ଦିନରାତି ତାଙ୍କ ପିତା ଭଳି ରହୁଥିଲି । ମୋ ବିଚାରରେ ଚରିତ୍ର ହିଁ ତାଙ୍କ ଶିକ୍ଷାର ପ୍ରକୃତ ମୂଳଭିତ୍ତି ଥିଲା । ଏ ମୂଳଦୁଆ ପକ୍‌କା ହୋଇଗଲେ ସେମାନେ ଅନ୍ୟ ବିଷୟରେ ଶିକ୍ଷା ନିଜ ବଳରେ ବା ଅନ୍ୟ ସାହାଯ୍ୟରେ ଜୁଟେଇ ନେବେ ।

ତଥାପି ଅକ୍ଷର ଜ୍ଞାନ  ଅଳ୍ପ-ବହୁତ ହେବା ଦରକାର, ଏହା ମୁଁ ବୁଝିଥିଲି ଏବଂ ତା' ପାଇଁ କେତେକ ଶ୍ରେଣୀ ଚଳେଇଥିଲି । ମୁଁ ସେଥିରେ କେଲେନ୍‌ବାକ୍ ତଥା ପ୍ରାଣଜୀ ଦେଶାଇଙ୍କ ସାହାଯ୍ୟ ନେଇଥିଲି । ଶାରୀରିକ ଶିକ୍ଷାର ଆବଶ୍ୟକତା ମଧ୍ୟ ବୁଝୁଥିଲି । ରୋଷେଇ, ପାଇଖାନା ସଫେଇ ଠାରୁ ଆରମ୍ଭ କରି ସମସ୍ତ କାମ ଆଶ୍ରମବାସୀମାନେ କରୁଥିଲେ । ବହୁତ ଗୁଡ଼ିଏ ଫଳଗଛ ଥିଲା । ନୂଆ ଚାଷ ମଧ୍ୟ ଯଥେଷ୍ଟ କରାଯାଉ ଥିଲା । କେଲେନ୍‌ବାକଙ୍କର ଚାଷର ସୌକ ଥିଲା ଏବଂ ଗୋଟିଏ ସରକାରୀ ଆଦର୍ଶ ଫାରମରେ ସେ କିଛି ମଧ୍ୟ ଶିଖି ଆସିଥିଲେ । ବଡ଼ କ'ଣ ସାନ କ'ଣ ରୋଷେଇ କାମ ନ ଥିଲେ ସମସ୍ତଙ୍କୁ ବଗିଚା କାମ କରିବାକୁ ପଡ଼ୁଥିଲା । ଏ କାମ ବାରପଣ ପଡ଼ୁଥିଲା ପିଲାଙ୍କ ଉପରେ । ସେ ବଡ଼ ବଡ଼ ଗାତ ଖୋଳୁଥିଲେ ଗଛ ହାଣୁଥିଲେ ଓ ବୋଝ ଉଠାଉଥିଲେ । ଏଥିରେ ତାଙ୍କର ଦେହ ଟାଣ ହୋଇଯାଇ ଥିଲା । କାମରେ ସେମାନେ ଆନନ୍ଦ ପାଉଥିଲେ ଓ ତାଙ୍କର ଅନ୍ୟ କୌଣସି ଖେଳ କସରତ ଆବଶ୍ୟକ ହେଉ ନ ଥିଲା । ଅବଶ୍ୟ ତାଙ୍କ ଭିତରୁ କେତେକ କିମ୍ବା ବେଳେ ବେଳେ ସମସ୍ତେ ଚଗଲାମି କରୁଥିଲେ, ଅଳସ କରୁଥିଲେ । ମୁଁ ଅଧିକାଂଶ ସମୟରେ ଏ ସବୁ ଦେଖି  ନ ଦେଖିଲା ଭଳି ରହି ଯାଉଥିଲି; କିନ୍ତୁ ବେଳେବେଳେ ତାଙ୍କଠୁ କଡ଼ା କାମ ନେଉଥିଲି । କଡ଼ାକଡ଼ି ବେଳେ ସେମାନେ  ଚିଡ଼ ଚିଡ଼ ହେବାର ଦେଖୁଥିଲି । କିନ୍ତୁ ସେମାନେ କେବେହେଁ ବିରୋଧ କରିଥିବାର ମନେ ପଡ଼ୁନାହିଁ । ଯେତେବେଳେ ମୁଁ କଠୋର ହେଉଥିଲି, ସେତେବେଳେ ତାଙ୍କୁ ବୁଝାଉଥିଲି ଏବଂ ତାଙ୍କୁ ମନେଇ ନେଉଥିଲି ଯେ କାମ ବେଳେ ଖେଳିବା ଭଲ ଅଭ୍ୟାସ ନୁହେଁ । ସେମାନେ କ୍ଷଣକେ ବୁଝୁଥିଲେ ପୁଣି ଆରକ୍ଷଣକେ ଭୁଲି ଯାଉଥିଲେ । ଏମିତି ଆମର କାମ ଚଳିଯାଉ ଥିଲା ଏବଂ ତାଙ୍କର ଦେହଗୁଡ଼ିକ ଗଢ଼ି ଉଠୁଥିଲା । ଆଶ୍ରମରେ ବେମାରୀ କ୍ୱଚିତ ହୁଏ । ସେଥିପାଇଁ ଜଳବାୟୁ ଏବଂ ଭଲ ଓ ନିୟମିତ ଖାଇବା ବେଶୀ ଭାଗରେ ଦାୟୀ ଥିଲା ବୋଲି କହିବା ଉଚିତ ।  ଶାରୀରିକ ଶିକ୍ଷାରେ ଶାରୀରିକ ବ୍ୟବସାୟ ଧନ୍ଦାର ଶିକ୍ଷା ମଧ୍ୟ ଅନୁର୍ଭୁକ୍ତ କରାଯାଇଥିଲା । ସମସ୍ତଙ୍କୁ କିଛି ଦରକାରୀ ହସ୍ତଶିଳ୍ପ ଶିକ୍ଷା ଦେବା ମୋର ଉଦ୍ଦେଶ୍ୟ ଥିଲା । ତେଣୁ କେଲେନ୍‌ବାକ୍‌ଙ୍କୁ ଗୋଟିଏ ପାଦ୍ରଙ୍କ ମଠକୁ ପଠାଇ ଜୋତା ସିଲାଇ କାମ ଶିଖାଇ ଆଣିଥିଲି । ମୁଁ ତାଙ୍କଠାରୁ ସେ କାମ ଶିଖିଥିଲି ଏବଂ ଅନ୍ୟ ଯେଉଁମାନେ ଶିଖିବାକୁ ରାଜି ଥିଲେ ତାଙ୍କୁ ଶିଖାଉଥିଲି । କେଲେନବାକ୍‌ଙ୍କର ବଢ଼େଇକାମରେ କିଛି ଅଭିଜ୍ଞତା ଥିଲା ଏବଂ ଆଶ୍ରମରେ ଆଉ ଜଣେ ସାଥି ମଧ୍ୟ ସେ କାମ ଜାଣିଥିଲା । ତେଣୁ ଆମେ ସେ କାମ ମଧ୍ୟ ଅଳ୍ପ ବହୁତ ଶିଖାଉଥିଲୁ । ପ୍ରାୟ ସବୁ ପିଲାଯାକ ରୋଷେଇ ଶିଖିଯାଇଥିଲେ ।

ଏସବୁ କାମ ପିଲାଙ୍କ ପାଇଁ ନୂଆ ଥିଲା । ସେମାନେ ଏସବୁ କାମ ଶିଖିବେ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । କାରଣ ଆଫ୍ରିକାରେ ଭାରତୀୟ ପିଲାମାନେ ଯାହା ଟିକିଏ ଶିକ୍ଷା ପାଉଥିଲେ, ତାହା କେବଳ ପ୍ରାଥମିକ ଅକ୍ଷର ଜ୍ଞାନରେ ସରିଯାଉ ଥିଲା ।

ଟଲଷ୍ଟୟ ଆଶ୍ରମରେ ମୂଳରୁ ଏକ ପ୍ରଥା ପଡ଼ି ଯାଇଥିଲା ଯେ, ଆମେ ଶିକ୍ଷକମାନେ ନିଜେ ଯାହା କରୁ ନ ଥଲୁ, ତାହା ପିଲାଙ୍କ କରିବାକୁ କହୁ ନ ଥିଲୁ, ଏବଂ ପିଲାଙ୍କ ସଙ୍ଗେ ସବୁ ବେଳେ ସେହି କାମ କରୁଥିବା ଜଣେ ଶିକ୍ଷକ ମଧ୍ୟ ରହୁଥିଲେ । ଫଳରେ ପିଲାମାନେ ତାହା ଖୁବ୍ ଉତ୍ସାହରେ ଶିଖୁଥିଲେ । ଅକ୍ଷର ଜ୍ଞାନ କଥା ଚରିତ୍ର ଗଠନ ସମ୍ୱନ୍ଧରେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରାଯିବ ।

No comments:

Post a Comment