Thursday, July 12, 2018

ମହାବୀର ଓ ଜୈନ ଧର୍ମ

କେଦାରନାଥ ମହାପାତ୍ର


ଧର୍ମପ୍ରଚାରରତ ଜୈନ ଭିକ୍ଷୁ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)
ରାଜସ୍ଥାନର ସିରୋହି ଅଞ୍ଚଳରେ ୧୬୮୦ ମସିହାରେ ଅଙ୍କିତ

ମହାବୀର

ପ୍ରତ୍ୟେକ ଯୁଗରେ ମହାପୁରୁଷମାନେ ଜନ୍ମ ଗ୍ରହଣ କରି ଭାରତରେ ନାନା ପ୍ରକାର ଧର୍ମମତ ପ୍ରଚାର କରିଛନ୍ତି । ସେହି ଧର୍ମମାନଙ୍କ ମଧ୍ୟରୁ ଜୈନଧର୍ମ ଏକତମ । ଭାରତରେ ବହୁ କାଳ ବୈଦିକ ଧର୍ମ ଚଳିଲା ପରେ, ମହାବୀର ନାମକ ଜଣେ ମହାପୁରୁଷ ଆଜକୁ ପ୍ରାୟ ୨୫୦୦ ବର୍ଷ ପୂର୍ବେ ଏହି ଧର୍ମ ପ୍ରଚାର କରିଥିଲେ । ସେ ବିହାର ପ୍ରଦେଶସ୍ଥ ‘ବୈଶାଳୀ’ ନଗରୀରେ ‘ଲିଚ୍ଛାବି’ ନାମକ ରାଜବଂଶରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମେ ତାଙ୍କର ନାମ ଥିଲା ବର୍ଦ୍ଧମାନ । ପିଲାଦିନୁ ସେ ସଂସାର ବିରାଗୀ ଥିଲେ । ତାଙ୍କର ଦୁଇ ଶହ ବର୍ଷ ପୂର୍ବେ ‘ପାର୍ଶ୍ୱନାଥ’ ନାମକ ଜଣେ ସାଧୁ ନିଜର ଧର୍ମମତ ପ୍ରଚାର କରିଥିଲେ । ବର୍ଦ୍ଧମାନ ପ୍ରଥମେ ପାର୍ଶ୍ୱନାଥଙ୍କ ସନ୍ୟାସୀ ସଙ୍ଘରେ ଯୋଗ ଦେଇଥିଲେ । କିନ୍ତୁ ସେଥିରେ ତାଙ୍କ ମନ ନ ମାନିବାରୁ ସେ ବହୁ ଚିନ୍ତା କରି ଗୋଟିଏ ନୂତନ ଧର୍ମ ପ୍ରଚାର କଲେ । ମହାବୀର ‘ଜୀନ’ ଥିଲେ ବା ଇନ୍ଦ୍ରିୟମାନଙ୍କୁ ଜୟ କରି ଦିବ୍ୟ ଜ୍ଞାନଲାଭ କରିଥିଲେ । ତେଣୁ ତାଙ୍କ ଦ୍ୱାରା ପ୍ରଚାରିତ ଧର୍ମକୁ ଜୈନ ଧର୍ମ କହନ୍ତି । ମହାବୀର ମଗଧ ଓ ଅଙ୍ଗ ବା ଆଧୁନିକ ବିହାର ପ୍ରଦେଶରେ ନିଜର ଧର୍ମ ପ୍ରଚାର କରିଥିଲେ । ଖ୍ରୀ: ପୂ: ୫୨୭ ଅବ୍ଦରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଜୈନଧର୍ମ 

ଜୀବ ଦୟା ଓ ଅହିଂସା ଏହି ଧର୍ମ ପ୍ରଧାନ ନୀତି । ସେମାନେ ଜୀବ ହିଂସା ଭୟରେ ରାତ୍ରିରେ ଆଲୋକ ଜାଳନ୍ତି ନାହିଁ, ମୁହଁ ମେଲା କରି ଶୁଅନ୍ତି ନାହିଁ । ପଶୁମାନଙ୍କ ପାଇଁ ପଶୁଶାଳା ଓ ଚିକିତ୍ସାଳୟମାନ ଖୋଲନ୍ତି । ଅତି ନଗଣ୍ୟ କୀଟ ପତଙ୍ଗକୁ ମଧ୍ୟ ମାରନ୍ତି ନାହିଁ । ସେମାନେ ହିନ୍ଦୁମାନଙ୍କ ପରି ପୁନର୍ଜନ୍ମ ଓ କର୍ମଫଳ ମାନନ୍ତି, କିନ୍ତୁ ବେଦକୁ ମାନନ୍ତି ନାହିଁ । ପର୍ବ ଉତ୍ସବାଦିରେ ହିନ୍ଦୁ ପୁରୋହିତ ନିଯୁକ୍ତ କରନ୍ତି ଓ କେତେକ ହିନ୍ଦୁ ଦେବ ଦେବୀଙ୍କୁ ପୂଜା କରନ୍ତି । ସେମାନଙ୍କ ମଧ୍ୟରେ ଜାତିଭେଦ ଅଛି । ଏହି ଧର୍ମ ହିନ୍ଦୁଧର୍ମଠାରୁ କେତେକ ପରିମାଣରେ ପୃଥକ୍ । ସେମାନଙ୍କର ଧର୍ମଗ୍ରନ୍ଥ ସ୍ୱତନ୍ତ୍ର ଓ ସେମାନେ ଋଷଭ ଦେବ, ଅଜିତ, ପାର୍ଶ୍ୱନାଥ ପ୍ରଭୃତି ୨୪ଟି ଜୈନ ତୀର୍ଥଙ୍କରଙ୍କୁ ପୂଜା କରନ୍ତି । ମହାବୀରଙ୍କ ମୃତ୍ୟୁର କିଛି କାଳ ପରେ ଜୈନମାନେ ଦୁଇ ଦଳରେ ବିଭକ୍ତ ହୋଇଥିଲେ; ଯଥା, ଶ୍ୱେତାମ୍ୱର ଓ ଦିଗମ୍ୱର । ଶ୍ୱେତାମ୍ୱର ଜୈନମାନେ ଧଳା ଲୁଗା ପିନ୍ଧନ୍ତି କିନ୍ତୁ ଦିଗମ୍ୱରମାନେ ଉଲଗ୍ନ ହୋଇ ବୁଲନ୍ତି ।ହଜାରିବାଗ ଜିଲ୍ଲାର ପରେଶନାଥ ପାହାଡ଼, ରାଜପୁତନାର ଆବୁ ପର୍ବତ, କାଥିଆବାଡ଼ର ପାଲିଟନା ପାହାଡ଼ ଏବଂ ଓଡିଶାର ଖଣ୍ଡଗିରି ଓ ଉଦୟଗିରିରେ ଜୈନ କୀର୍ତ୍ତିମାନ ଦେଖାଯାଏ । ଖଣ୍ଡଗିରି ଓ ଉଦୟଗିରିରେ ଜୈନ ସନ୍ନ୍ୟାସୀମାନଙ୍କ ପାଇଁ ଶତ ଶତ ଗୁମ୍ଫା ଖୋଳା ହୋଇଥିଲା । ସେଗୁଡ଼ିକ ଆଜିପର୍ଯ୍ୟନ୍ତ ରହିଛି । ଆଜିକାଲି ଭାରତର ନାନା ସ୍ଥାନରେ ଜୈନମାନେ ଦେଖା ଯାଆନ୍ତି । ସେମାନେ ସାଧାରଣତଃ ବ୍ୟବସାୟୀ ଓ ଧନୀ । 

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

No comments:

Post a Comment