Monday, July 30, 2018

ଓଡ଼ିଶାର ହ୍ରଦ, ପାଟ ଏବଂ ସନ୍ତସନ୍ତିଆଭୂମି


ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ଚିଲିକାର ମଙ୍ଗଳାଯୋଡ଼ିର ଦୃଶ୍ୟ (ଫଟୋ କ୍ରେଡ଼ିଟ -  ୱିକିମିଡିଆ କମନ୍ସ୍)


ଓଡ଼ିଶାର ହ୍ରଦଗୁଡ଼ିକୁ ପ୍ରାକୃତିକ ଏବଂ କୃତ୍ରିମ, ଏହି ପରି ଦୁଇଟି ବିଭାଗରେ ବିଭକ୍ତ କରା ଯାଇ ପାରେ । ହ୍ରଦ ଜଳରେ ଥିବା ଲୁଣର ପରିମାଣ ଦୃଷ୍ଟିରୁ ଏଗୁଡ଼ିକର ଏକ ସ୍ୱତନ୍ତ୍ର ବିଭାଗ ହୋଇପାରେ । ସ୍ୱାଧୀନତା ପୂର୍ବରୁ କୃତ୍ରିମ ହ୍ରଦର ସଙ୍ଖ୍ୟା ଅତ୍ୟନ୍ତ ନଗଣ୍ୟ ଥିଲା । ଏ ଧରଣର ମାତ୍ର ଦୁଇଟି ଜଳଭଣ୍ତାର, ଗୋଟିଏ ଋଷିକୂଲ୍ୟା ନଦୀ ଅବବାହିକାର ସୋରଡ଼ାଠାରେ ଏବଂ ଅନ୍ୟଟି ଭଞ୍ଜନଗରଠାରେ ନିର୍ମିତ ହୋଇଥିଲା । ଏହାର ଜଳ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟାର ନିମ୍ନାଞ୍ଚଳରେ ଜଳସେଚନ ନିମନ୍ତେ ବ୍ୟବହୃତ ହେଉଥିଲା । ଏହା ଛଡ଼ା କଟକର ନରାଜ ଏବଂ ଯୋବ୍ରାଠାରେ ମହାନଦୀରେ ବିରୂପାରେ ଆନିକଟ ନିର୍ମାଣ କରାଯାଇ କୃତ୍ରିମ ଜଳଭଣ୍ତାରମାନ ସୃଷ୍ଟି କରା ଯାଇ ଥିଲା ।

ସ୍ୱାଧୀନତାପରେ ଏହି ସଙ୍ଖ୍ୟା ବଢ଼ିବାରେ ଲାଗିଲା ଏବଂ ସମ୍ୱଲପୁରର ହୀରାକୁଦଠାରେ ମହାନଦୀରେ ଏବଂ ମାଛକୁଣ୍ତଠାରେ ମାଛକୁଣ୍ତ ନଦୀରେ ବନ୍ଧ ଦିଆ ଯାଇ ଜଳଭଣ୍ତାରମାନ ସୃଷ୍ଟି କରାଗଲା । ବର୍ତ୍ତମାନ ବହୁ ନଦୀରେ ଜଳସେଚନ ନିମନ୍ତେ ଏହି ଧରଣର ଜଳଭଣ୍ତାରମାନ ସୃଷ୍ଟି କରା ଯାଇଛି ଏବଂ ସେଗୁଡ଼ିକୁ ମଧ୍ୟମ କିମ୍ୱା ବୃହତ୍ ଜଳସେଚନ ପ୍ରକଳ୍ପର ଅନ୍ତର୍ଭୁକ୍ତ କରା ଯାଇଛି । ବାଲିମେଳାଠାରେ ସିଲେରୁ ନଦୀରେ ସୃଷ୍ଟି କରା ଯାଇ ଥିବା ଜଳଭଣ୍ତାର, ବ୍ରାହ୍ମଣୀ ନଦୀର ରେଙ୍ଗାଲି ବ୍ରାହ୍ମଣୀନଦୀର ଏକ ଶାଖା ଜଳଭଣ୍ତାର । ଶଙ୍ଖ ନଦୀରେ ମନ୍ଦାର ଜଳଭଣ୍ତାର (ରାଉରକେଲା ନିକଟରେ) ଏବଂ ଇନ୍ଦ୍ରାବତୀ ନଦୀରେ ଉପର ଇନ୍ଦ୍ରାବତୀ ଜଳଭଣ୍ତାରଗୁଡ଼଼ିକ ପ୍ରମୁଖ ମଧ୍ୟରେ ଉଲ୍ଲେଖଯୋଗ୍ୟ । ଏହା ଛଡ଼ା ରାଜ୍ୟରେ ଅନେକ ମଧ୍ୟମ ଜଳସେଚନ ପ୍ରକଳ୍ପ ରହିଛି । ହଦଗଡ଼ଠାରେ ସାଳନ୍ଦୀ ନଦୀରେ ତଥା ପଟେରୁ ନଦୀରେ ଏହି ଭଳି ବନ୍ଧ ନିର୍ମାଣ କରାଯାଇ ଜଳଭଣ୍ତାରମାନ ସୃଷ୍ଟି କରା ଯାଇଛି । ପ୍ରାକୃତିକ ଜଳଭଣ୍ତାର ମଧ୍ୟରେ ଚିଲିକା ହେଉଛି ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଏହା ସମଗ୍ର ଭାରତରେ ଏହି ଧରଣର ବୃହତ୍ତମ ହ୍ରଦ ।

ଚିଲିକା ହ୍ରଦର ଆକାର ହେଉଛି ଏକ ନାସ୍‌ପାତି ଫଳଭଳିଏହା ଉତ୍ତରପୂର୍ବରେ ଓସାରିଆ ଏବଂ ଦକ୍ଷିଣ ପଶ୍ଚିମ ଆଡ଼କୁ କ୍ରମଶଃ ସରୁ । ଏହାର ଦୈର୍ଘ୍ୟ ହେଉଛି ୭୨ କି.ମି (ଉତ୍ତରୁ ଦକ୍ଷିଣ)। ଏହାର ଉତ୍ତରାର୍ଦ୍ଧର ପ୍ରସ୍ଥ ହେଉଛି ପ୍ରାୟ ୩୨ କି.ମି ଏବଂ ଗୋଜିଆ ଦକ୍ଷିଣାର୍ଦ୍ଧର ପ୍ରସ୍ଥ ମୋଟାମୋଟି ଆଠ କି.ମି ।

ବିଭିନ୍ନ ଋତୁରେ ଏହି ହ୍ରଦର ଆକାରରେ ହ୍ରାସବୃଦ୍ଧି ହୋଇଥାଏ । ଖରାଦିନେ ଏହା ୮୯୧ ବର୍ଗ କି.ମି. ମଧ୍ୟରେ ସୀମାବଦ୍ଧ ଥିବା ବେଳେ ବର୍ଷାକାଳରେ ନଦୀମାନଙ୍କରେ ଯେତେବେଳେ ବନ୍ୟା ଆସେ ଏବଂ ଜୁଆର ସମୟରେ ଏହାର ଆକାର ୧୧୬୫ ବର୍ଗ କି.ମି.କୁ ବୃଦ୍ଧି ପାଇଥାଏ । ପୂର୍ବଘାଟ ପର୍ବତମାଳା ସହ ଏହାର କୂଳ ଲାଗି ଥିବାରୁ ପଶ୍ଚିମରୁ ହ୍ରଦ ମଧ୍ୟକୁ ପ୍ରଚୁର ପଟୁମାଟି ବୋହି ଆସେ । କାଳିଜାଇଠାରେ ଏହାର ଗଭୀରତମ ଅଂଶ ରହିଛି । 

ପ୍ରାକୃତିକ ସୌନ୍ଦର୍ଯ୍ୟ କାରଣରୁ ଚିଲିକା ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇଛି । ଓଡ଼ିଶା ସରକାର ମଧ୍ୟ ଏହାକୁ ଏକ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷଣା କରିଛନ୍ତି । ଏପରିକି ସୁଦୂର ସାଇବେରିଆ ଅଞ୍ଚଳରୁ ଅନେକ ପକ୍ଷୀ ଏଠାକୁ ଆସିଥା'ନ୍ତି । ଏହା ମଧ୍ୟ ଚିଙ୍ଗୁଡ଼ି ଏବଂ କଙ୍କଡ଼ା ଚାଷ ପାଇଁ ଅନୁକୂଳ କ୍ଷେତ୍ର । ବିଦେଶରେ ଏହାର ପ୍ରଚୁର ଚାହିଦା ରହିଛି । ଏହି ହ୍ରଦଜଳର ଲବଣାଂଶ ବର୍ଷା ଋତୁରେ ହ୍ରାସ ପାଏ ଏବଂ ଶୀତ ଋତୁରେ ବଢ଼ିଯାଏ । ଏହାର ବଙ୍ଗୋପସାଗର ସହିତ ମୁହାଣ (୧୦୦କି.ମି) ରହିଛି । ସାମୁଦ୍ରିକ ଖରସ୍ରୋତ ଏହି ମୁହାଣକୁ ଖୋଲା ରଖିବାରେ ନାନା ଧରଣର ସମସ୍ୟା ସୃଷ୍ଟି କରୁଛି ।

ଅଂଶୁପା ହେଉଛି ଅନ୍ୟ ଏକ ମଧୁରଜଳ ବିଶିଷ୍ଟ ହ୍ରଦ । ଏହା କଟକ ଜିଲ୍ଲାର ବାଙ୍କିର ବିପରୀତ ପାର୍ଶ୍ୱରେ ମହାନଦୀର ବାମକୂଳରେ ଅବସ୍ଥିତ । ବସ୍ତୁତଃ ଏହି ହ୍ରଦ ମହାନଦୀର ତାହାର ଗତିପଥ ପରିବର୍ତ୍ତନ କରି ଥିବାରୁ ହିଁ ସୃଷ୍ଟି ହୋଇଛି । ଉଦୟନାଖଣ୍ତ ନାମରେ ଏକ ନିମ୍ନଭୂମି ରହିଛି । ଏହା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ସୀମାରେ ଇଚ୍ଛାପୁର ଉପକୂଳରେ ଅବସ୍ଥିତି । ଏହାର ଜଳ ଲାବଣାକ୍ତ । ସରହ୍ରଦ, ସମଗରାପାଟ ଏବଂ ତାମ୍ପରା ହେଉଛି ତିନୋଟି ଉପହ୍ରଦ । ଗୋଟିଏ ସମୟରେ ଏହା ବଙ୍ଗୋପସାଗରରୁ ବିଚ୍ଛିନ୍ନ ହୋଇ ସୃଷ୍ଟି ହୋଇଥିଲା । ଏସବୁ ପଟୁରେ ପ୍ରାୟ ପୋତି ହୋଇ ପଡ଼ିଲେଣି ଏବଂ ଏବେ ଖରାଦିନେ ଯେତେବେଳେ ପାଣି ଶୁଖିଯାଏ ଏବଂ ଉର୍ବର ମାଟି ଅଂଶ ବାହାରି ଆସେ, ସେତେବେଳେ ଏଥିରେ ପ୍ରଚୁର ଧାନଚାଷ କରାଯାଏ । ସରହ୍ରଦରେ ଜଳସେଚନ ବିଭାଗ ନୂଆନଈ ନାମରେ ଯେଉଁ କୃତ୍ରିମ ନାଳ ଖୋଳିଛନ୍ତି, ତାହା ଦ୍ୱାରା ଏହି ଅଞ୍ଚଳର ବନ୍ୟାସମସ୍ୟା ବହୁ ପରିମାଣରେ ଦୂର ହୋଇଛି ।

ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତି, ହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

No comments:

Post a Comment