Thursday, July 19, 2018

 ପିଲାଙ୍କ କବିତା - 'ଆବୁ-ତାବୁ'

କବି - ଚକ୍ରଧର ମହାପାତ୍ର (୧୮୯୫-୧୯୬୬)


୧୮୭୩ ମସିହାରେ ଉତ୍ତୋଳିତ କଟକ ସହରର ବଣିଆମାନଙ୍କର ଏକ ଆଲୋକଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆବୁ-ତାବୁ-ଗିରି ସୁତା
ମାଆ ବୋଇଲେ ପଢ଼ରେ ପୁତା ।
ପଢ଼ିଲେ ଗୁଣିଲେ ଦୁଧ ଭାତ
ଗାଡ଼ି ଘୋଡ଼ା ସାଥେ ସାଥ ।
ଗାଡ଼ି ଘୋଡ଼ା ଯୋଡ଼ା ଯୋଡ଼ା
ସେଥିରେ ଯିବି ଆଗରପଡ଼ା .
ଆଗରପଡ଼ା କେଉଁ-ଠି ?
ମାମୁଁଘର ଯେଉଁ-ଠି । 
ମାମୁଁଘର ଯାଉଁ
ଡାଲିଭାତ ଖା-ଉଁ ।
ଡାଲି ତ ଡାଲି ହରଡ଼ଡାଲି
ମାମୁଁ ଯିବେ କଟକ କାଲି ।
ବାବନ ବଜାର ତେପନ ଗଳି
କଟକ ସହର ବୁଲି ବୁଲି
ପଇସା ଦେଇ ବାର'ଣା
ଆଣିବେ କିଣି ଖେଳଣା ।
ଛବି ବହି ନାଲି ନୀଳ
ନୂଆ ସିଲଟ ପେନ୍‌ସିଲ 
ପଢ଼ିବି ପାଠ ଅ-ଆ
ଖୁସି ହେବେ ବାପ-ମା' ।

ବି.ଦ୍ର.: ଏହି କବିତାଟି ରାମକୃଷ୍ଣ ମିଶ୍ର ସଙ୍କଳିତ କରିଥିବା ବହି 'ଓଡ଼ିଆ ଶିଶୁ ସଙ୍ଗୀତ ସଙ୍କଳନ'ର ୨୦୦୮ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆ ଯାଇଛି । ବହିଟି ପ୍ରଥମେ ୧୯୮୪ ମସିହାରେ ଛପା ହୋଇଥିଲା । ପୁସ୍ତକଟିର ପ୍ରକାଶକ ହେଲେ ଭୁବନେଶ୍ୱରସ୍ଥ ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment