Tuesday, July 10, 2018

ଓଡ଼ିଶାର ହ୍ରଦ

ପ୍ୟାରିମୋହନ ଆଚାର୍ଯ୍ୟ


ଅଂଶୁପା ହ୍ରଦର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ହ୍ରଦ-ପୃଥିବୀର ଉପରି ଭାଗର ପ୍ରାକୃତିକ ତଡ଼ାଗମାନଙ୍କୁ ହ୍ରଦ କହି । ନଦୀମାନ ସାଧାରଣତଃ ଏହି ତଡ଼ାଗମାନଙ୍କରେ ପତିତ ହୋଇ ତଡ଼ାଗଚୟର ପୁଷ୍ଟତା ସମ୍ପାଦନ କରଇ । ମଧ୍ୟ ଅନେକ ହ୍ରଦର ପାଣି ଯେ ଲବଣାକ୍ତ, ନଦୀ ସ୍ରୋତରେ ଭାସି ଆସିଥିବା ଲୁଣିଆ ମାଟି ସେଥିର ପ୍ରଧାନ ହେତୁ । ଓଡିଶାରେ ଏ ଶ୍ରେଣୀର ହ୍ରଦ ଦୃଷ୍ଟିଗୋଚର ହୁଅଇ ନାହିଁ । କେବଳ ପୁରୀ ଜିଲ୍ଲାରେ ଚିଲିକା ଓ ସର ନାମକ ଯୋଡିଏ ବୃହତ ଜଳାଶୟ ଅଛି, ସେ ଦିଓଟିର ଉତ୍ପତ୍ତି ହେତୁ ପୁଣି ଭିନ୍ନ ପ୍ରକାର । ଚିଲିକା ବଙ୍ଗୋପସାଗରର ଅଂଶ ମାତ୍ର ଓ ସର 
ଭାର୍ଗବୀ ନଦୀର ପଶ୍ଚାତ୍‌ପ୍ରେରିତ ଜଳ ଦ୍ୱାରା ସଂସୃଷ୍ଟ ।

ଚିଲିକା ହ୍ରଦ ପୁରୀ ଜିଲ୍ଲାର ଦକ୍ଷିଣ-ପଶ୍ଚିମ କୋଣରେ ଅବସ୍ଥିତ । ଗ୍ରୀଷ୍ମ କାଳରେ ଏଥିର ପରିମାଣଫଳ ପ୍ରାୟ ୩୫୦ ବର୍ଗ ମାଇଲ । ବର୍ଷା କାଳରେ ନଈପାଣି ଦ୍ୱାରା ପରିପୂରିତ ହେଲେ, ଏଥିର ପରିମାଣଫଳ ୪୫୦ ବର୍ଗମାଇଲ ହୁଅଇ ବୋଲି ନିର୍ଦ୍ଧାରିତ ହୋଇଅଛି । ଏକ ସମୟରେ ଏହା ସମୁଦ୍ରର ଏକ ଅଂଶ ଥିଲା, କାଳକ୍ରମେ ଏ ହ୍ରଦର ମୁହାଣରେ ବାଲୁକାରାଶି ଉତ୍ଥିତ ହୋଇ ସମୁଦ୍ରରୁ ଏହାକୁ ଭିନ୍ନ କରିଅଛି । ପୁରାକାଳରେ ଖୋର୍ଦ୍ଧା ଉପକୂଳ ପର୍ଯ୍ୟନ୍ତ ଚିଲିକା ଦେଇ ଅର୍ଣ୍ଣବପୋତମାନ ଗତାୟାତ କରୁଥିଲା । 

ବର୍ତ୍ତମାନ ସୁଦ୍ଧା ଚିଲିକା ମୁଖରୁ ଉଠିଯାଇ ଚିଲିକା ସମୁଦ୍ର ସଙ୍ଗେ ନାବ୍ୟ ହୋଇ ପାରିଲେ, ଏଥିର ଉପକୂଳ ପୃଥିବୀର ଉତ୍କୃଷ୍ଟ ବନ୍ଦରମାନଙ୍କ ସଙ୍ଗେ ପରିଗଣିତ ହେବ, ସନ୍ଦେହ ନାହିଁ । ଦିନକୁଦିନ ଏଥି ବକ୍ଷରେ ବାଲି ଢିପମାନ ଉତ୍ଥିତ ହୋଇ ନଦୀକର୍ଦମର ସାହାଯ୍ୟରେ ଅନେକ ଶୁଷ୍କଭୂମି ଜାତ ହେଉଅଛି । ଏହି ନବଜାତ ଭୂମିରେ ବର୍ତ୍ତମାନ ଚାଷ ହେବାର ଆରବ୍‌ଧ ହେଲାଣି । କୌଣସି କୌଣସି ଭୂତତ୍ତ୍ୱବେତ୍ତା ଲେଖି ଅଛନ୍ତି ଯେ, ସମୟରେ ଚିଲିକାହ୍ରଦ ସମ୍ପୂର୍ଣ୍ଣ ଭୂମିମୟ ହୋଇଯିବ । ଚିଲିକା ପାଣି ସାତିଶୟ ଲବଣାକ୍ତ । ଲକ୍ଷ ଲକ୍ଷ ମହଣ ଗୋଡ଼ିୟା ବା କର୍କଟ ଲୁଣ ପ୍ରତି ବର୍ଷ ଏଥିରୁ ଉତ୍ପନ୍ନ ହୁଅଇ ।

ସରହ୍ରଦ ପୁରୀ ନଗରର କିଞ୍ଚିତ୍ ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଏହାର ଦୈର୍ଘ୍ୟ ପୂର୍ବ-ପଶ୍ଚିମରେ ଚାରି ମାଇଲ ଓ ବିସ୍ତୃତି ଉତ୍ତର-ଦକ୍ଷିଣରେ ଦୁଇ ମାଇଲ । ଏଥିର ଜଳ ଲବଣାକ୍ତ । ଅନାବୃଷ୍ଟି ସମୟରେ ଚାଷୀଏ ଏହି ଜଳାଶୟ ଦ୍ୱାରା ବହୁଳ ରୂପେ ଉପକୃତ ହୁଅନ୍ତି । ଚିଲିକା ଓ ସରହ୍ରଦ ବ୍ୟତୀତ ଓଡିଶାର ସ୍ଥାନ ସ୍ଥାନରେ ଅନେକ ଝିଲ ଓ ଗଣ୍ଡ ଅଛି ।

ବି. ଦ୍ର. - ଏହି ଲେଖାଟି ପ୍ୟାରିମୋହନ ଆଚାର୍ଯ୍ୟ ଲିଖିତ 'ଓଡ଼ିଶାର ଇତିହାସ' ବହିରୁ ଆନୀତ ।


No comments:

Post a Comment