Tuesday, July 10, 2018

ଜାତୀୟ ଶିକ୍ଷା

ଗୋପବନ୍ଧୁ ଦାଶ


ଅରୁଣାଚଳ ପ୍ରଦେଶର ଶିଡ଼ିଠାରେ ଅବସ୍ଥିତ ଗାନ୍ଧୀଗ୍ରାମ

ଜାତୀୟ ଶିକ୍ଷାର ଅଭାବ ବହୁଦିନ ହେଲା ଭାରତର ଜାଣିବା ଶୁଣିବା ଲୋକେ ଉତ୍ତମ ରୂପେ ବୁଝି ଅଛନ୍ତି । ଇଂରେଜୀ ରୀତିର ଶିକ୍ଷା ଯେ କେବଳ ସରକାରୀ ଚାକର ତିଆରି କରୁଅଛି ଏବଂ ତଦ୍ୱାରା ଆମ୍ଭମାନଙ୍କର ଜାତୀୟ ଆକାଂକ୍ଷା ପୂର୍ଣ୍ଣ ହୋଇ ପାରିବ ନାହିଁ କିମ୍ୱା ଆମ୍ଭମାନଙ୍କର ମାନସିକ ଓ ଆଧ୍ୟାତ୍ମିକ ସମ୍ଭାବନା ସକଳର ପୂର୍ଣ୍ଣ ବିକାଶ ହେବ ନାହିଁଏହା ସହସ୍ର ମୁଖରେ କୁହା ହୋଇଅଛି । ତଥାପି ଏ ଜାତିକି କି ବ୍ୟାମୋହ ଘୋଟିଛି କେଜାଣି, ଯଥାର୍ଥ ଜାତୀୟ ଶିକ୍ଷାର ଉଦ୍ୟମରେ ଅନେକେ ବାଧା ଦେବାକୁ ପ୍ରସ୍ତୁତ । ସରକାରଙ୍କ ସ୍କୁଲ କଲେଜ ଛାଡ଼ିଲେ ଯେପରି ସର୍ବନାଶ ହେଲା । 

ଅନେକେ କହନ୍ତି ଜାତୀୟ ଶିକ୍ଷାର ବ୍ୟବସ୍ଥା ହୋଇ ନ ଥିବା ସ୍ଥଳେ, ଉପସ୍ଥିତ ଶିକ୍ଷା ସହସ୍ର ଦୋଷଯୁକ୍ତ ହେଲେ ହିଁ ପରିହାର୍ଯ୍ୟ ନୁହେଁ । ମାତ୍ର ଏମାନେ କେବଳ ଏତିକି କହି ନିଶ୍ଚିତ, ଯେପରିକି ଜାତୀୟ ଶିକ୍ଷାର ବ୍ୟବସ୍ଥା କରିବା ସେମାନଙ୍କର କର୍ତ୍ତବ୍ୟ ନୁହେଁ । ଆମ୍ଭେମାନେ କହୁଁ, ଯାହା ଦୋଷାଦହ ବୋଲି ଜାଣିଲ, ଯାହା ଆମ୍ଭମାନଙ୍କ ଜାତୀୟ ଜୀବନ ବିକାଶରେ ଅନ୍ତରାୟ, ତାହା ଆଗେ ତ୍ୟାଗ କର । ଅଭାବ ହେଲେ ତାହାର ପୂରଣ ଲାଗି ସ୍ୱତଃ ଚେଷ୍ଟା ହେବ । ଅସହଯୋଗ ଅନୁସରଣ କରି କେତେକ ନିଷ୍ଠାପର ଛାତ୍ର ସ୍କୁଲ, କଲେଜ ଛାଡ଼ିଛନ୍ତି । ଅସହଯୋଗ ବାହାନାରେ ଅନେକ ଅକର୍ମଣ୍ୟ ଛାତ୍ର ମଧ୍ୟ ଶିକ୍ଷାରେ ଜଳାଞ୍ଜଳି ଦେଇଛନ୍ତି । ଏହି ଉଭୟ ଶ୍ରେଣୀର ଛାତ୍ରଙ୍କ ମଧ୍ୟରୁ କେତେକ ଏବଂ ସେମାନଙ୍କ ମୁରବିମାନେ ଜାତୀୟ ବିଦ୍ୟାଳୟ ଲାଗି ଉଦ୍‌ବ୍ୟସ୍ତ ଥିବାର ଦେଖାଯାଏ । 

ଅବଶ୍ୟ ଦେଶର ନାନା ସ୍ଥାନରେ ଜାତୀୟ ବିଦ୍ୟାଳୟ ବସୁଅଛି ଏବଂ ଶୀଘ୍ର ଆହୁରି ଅଧିକ ବସିବା ଉଚିତ । ମାତ୍ର ଆମ୍ଭେମାନେ କହୁ, ବର୍ତ୍ତମାନ ଅବସ୍ଥାରେ ଯେଉଁମାନେ ଅସହଯୋଗ ଅନୁସରଣ କରି ଛାଡ଼ିଛନ୍ତି, ସେମାନଙ୍କର ଜାତୀୟ ବିଦ୍ୟାଳୟ ଲାଗି ଏଡ଼େ ଚଞ୍ଚଳ ହେବା ଆବଶ୍ୟକ କଅଣ ଯଥାର୍ଥରେ ଅନେକ ଛାତ୍ର ଏବଂ ସେମାନଙ୍କ ମୁରବିମାନେ ଜାତୀୟ ଶିକ୍ଷାର ଅର୍ଥ ଓ ଉଦ୍ଦେଶ୍ୟ ବୁଝି ନାହାନ୍ତି ।ସେମାନେ ଆପାଣର ପୂର୍ବ ସଂସ୍କାର ଛାଡ଼ିପାରୁ ନାହାନ୍ତି । ସରକାର ସମ୍ପର୍କୀୟ ଯେଉଁ ବିଦ୍ୟାଳୟମାନେ ସେମାନେ ଛାଡ଼ିଛନ୍ତିଜାତୀୟ ତତ୍ତ୍ୱାବଧାନରେ ପରିଚାଳିତ ଅଳ୍ପାଧିକ ପରିମାଣରେ ଠିକ୍ ସେହିପରି ବିଦ୍ୟାଳୟମାନ ସେମାନେ ଲୋଡ଼ୁଛନ୍ତି ।

ଆମ୍ଭମାନଙ୍କର ପରାମର୍ଶ ଏହି ଯେ, ମାନସିକ ଦାସ୍ୟ ଭାବ ଦୂର କରିବା ଲାଗି ପୁସ୍ତକଗତ ଶିକ୍ଷା ଏବେ କେତେ ଦିନ ଏକାବେଳକେ ବନ୍ଦ ହେବା ପ୍ରୟୋଜନ । ଦେଶର ଯୁବକମାନେ ପ୍ରଥମେ ମାନସିକ ନିରହାର ପାଳନ କରନ୍ତି । ପୁସ୍ତକପାଠ ଦ୍ୱାରା ମସ୍ତିଷ୍କକୁ ଅତିରିକ୍ତ ଭାରାକ୍ରାନ୍ତ ନ କରି ବିଶ୍ରାମ ଦିଅନ୍ତିହସ୍ତପଦଚକ୍ଷୁକର୍ଣ୍ଣ ପ୍ରଭୃତି ଅନ୍ୟାନ୍ୟ କର୍ମେନ୍ଦ୍ରିୟର ଉପଯୁକ୍ତ ଚାଳନା କରନ୍ତି । ଉପସ୍ଥିତ ଜାତୀୟ କାର୍ଯ୍ୟରେ ଏହି ଇନ୍ଦ୍ରିୟମାନଙ୍କର ବିହିତ ଏବଂ ନିୟତ ଚାଳନା ହେବାର ଯଥେଷ୍ଟ ସୁବିଧା ଅଛି । ଅରଟରେ ସୂତା କାଟିବା ଏବଂ ସେ ସୂତାରେ ଲୁଗା ବୁଣିବାରେ ଏହି ସବୁ ଅଙ୍ଗପ୍ରତ୍ୟଙ୍ଗ ସୁନ୍ଦର ଚାଳିତ ହେବ । ଏଥିରେ ମନ ସ୍ଥିର ହେବ । ଏବଂ ଚିତ୍ତର ଏକାଗ୍ରତା ଆସିବ । 

ଦେଶର ପଲ୍ଲୀଗ୍ରାମରେ ଲୋକ ସାଧାରଣଙ୍କ ମଧ୍ୟରେ ନୂତନ ଆନ୍ଦୋଳନର ମର୍ମ ଓ ଉଦ୍ଦେଶ୍ୟ ପ୍ରଚାର କରିବା ଅନ୍ୟ ଏକ କାର୍ଯ୍ୟ । ଜାତୀୟ ସଙ୍ଗୀତ ବୋଲି ପଲ୍ଲିବାସୀ ପ୍ରାଣରେ ନବ ଭାବ ଜନ୍ମାଇବାକୁ ହେବ । ଗ୍ରାମେ କାଦୁଅ ପଙ୍କରେ ବିଲ ଖାଲରେ ବୁଲି ଦେଶ ସଙ୍ଗେ ଚାକ୍ଷୁଷ ପରିଚୟ ସ୍ଥାପନ କରିବାକୁ ହେବ । ଦେଶର ଭାଷା ଶିଖି ଦେଶବାସୀର ସ୍ୱରରେ ନିଜ ସ୍ୱର ମିଶାଇବାକୁ ହେବ । ଦେଶର ପ୍ରକୃତ ଅଭାବ ହୃଦୟଙ୍ଗମ କରିବାକୁ ହେବ । ସ୍ଥୁଳରେ ଦେଶର ଆତ୍ମା ସଙ୍ଗେ ନିଜ ଆତ୍ମାକୁ ଏକୀଭୂତ କରିବାକୁ ହେବ । 

ଅଥଚ ପୁସ୍ତକପାଠ ବିନା ମାନସିକ ନିରାହାରେ ଏହା ସବୁ କରିବାକୁ ହେବ । ଜାତୀୟ ବିଦ୍ୟା ଅନୁଷ୍ଠାନର ଏହା ଅଧିବାସୀ କ୍ରିୟା । ଜାତୀୟ ବିଦ୍ୟାଳୟରେ ପୁସ୍ତକ ଧରି ଗଣିତଭୂଗୋଳଇତିହାସ ଆଦି ବିଦ୍ୟାରମ୍ଭ କରିବା ପୂର୍ବରୁ, ଦେଶର ଜନସାଧାରଣଙ୍କ ସଙ୍ଗେ ମିଳନ ଏବଂ ଜାତୀୟ ଯନ୍ତ୍ର ପରିଚାଳନା କରି ପୂର୍ବର ସଂସ୍କାର କଳ୍ମଷ ଘୁଞ୍ଚାଇବା ଆବଶ୍ୟକ । ଏହି ପ୍ରକାର ବର୍ଜନ ଏବଂ ସାଧନ ଜାତୀୟ ଶିକ୍ଷା ପ୍ରଣାଳୀରେ ପ୍ରଥମ ସୋପାନ ।

No comments:

Post a Comment