Sunday, July 15, 2018

ଓଡ଼ିଶାର ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


୧୫୪୦ରେ ଅଙ୍କିତ ଓଡ଼ିଆ ଦମ୍ପତିଙ୍କର ଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)
ଉତ୍ସ, ପର୍ତୁଗୀଜ ଗ୍ରନ୍ଥ, 'କୋଦିସ୍ କାସାନାତେନ୍ସ୍'

ଭାରତର ପୂର୍ବ ଉପକୂଳରେ ଉତ୍ତରପୂର୍ବ ଦିଗରେ ସୁବର୍ଣ୍ଣରେଖା ଠାରୁ ଆରମ୍ଭ କରି ଦକ୍ଷିଣ ପଶ୍ଚିମରେ ଋଷିକୂଲ୍ୟା ପର୍ଯ୍ୟନ୍ତ ଓଡ଼ିଶାର ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ପରିବ୍ୟାପ୍ତ । ଏହି ଉର୍ବର ସମତଳ ଅଞ୍ଚଳକୁ ଓଡ଼ିଶାର ଶସ୍ୟାଗାର ବୋଲି କୁହା ଯାଇ ଥାଏ । ଏହା ଉତ୍ତର ଭାଗରେ ସଙ୍କୀର୍ଣ୍ଣ, ମଧ୍ୟାଂଶରେ ଅତି ପ୍ରଶସ୍ତ, ଚିଲିକା ଉପକୂଳରେ ଅତିସଙ୍କୀର୍ଣ୍ଣ ଏବଂ ଦକ୍ଷିଣାରେ ଓସାରିଆ । ଏହି ଅଞ୍ଚଳଟି ହେଉଛି ମୁଖ୍ୟତଃ ଛଅଟି ବୃହତ ନଦୀର ଅବଦାନ । ଏହି ନଦୀମାନେ ଉପର ଭାଗରୁ ପଟୁ ମାଟି ବହି ଆଣି ବଙ୍ଗୋପସାଗର ଗର୍ଭରୁ ଏହି ଅଞ୍ଚଳର ପୁନରୁଦ୍ଧାର କରିଛନ୍ତି ବୋଲି କୁହା ଯାଇ ପାରେ । ଉତ୍ତରରୁ ଦକ୍ଷିଣ ଆଡ଼କୁ ସବୁର୍ଣ୍ଣରେଖାବୁଢ଼ାବଳଙ୍ଗବୈତରଣୀବ୍ରାହ୍ମଣୀମହାନଦୀ ଏବଂ ଋଷିକୂଲ୍ୟା ପ୍ରଭୃତି ନଦୀ ଏହି ଅଞ୍ଚଳର ସୃଷ୍ଟି ତଥା ବିକାଶ ନିମନ୍ତେ ମୁଖ୍ୟତଃ ଦାୟୀ । ଏହି ସମତଳ ଅଞ୍ଚଳକୁ ଛଅଟି ତ୍ରିକୋଣଭୂମିର ସମାହାର ବୋଲି କୁହାଯାଇପାରେ । ତେବେ ଅଧିକାଂଶ ନଦୀ ପ୍ରକୃତ ତ୍ରିକୋଣ ଭୂମିର ସମାହାର ବୋଲି କୁହା ଯାଇ ପାରେ । ତେବେ ଅଧିକାଂଶ ନଦୀ ପ୍ରକୃତ ତ୍ରିକୋଣଭୂମି ସୃଷ୍ଟି କରିବାରେ ବ୍ୟର୍ଥ ହୋଇଛନ୍ତି (ଆକାର ଦୃଷ୍ଟିରୁ) । 

ଚେନ୍ନାଇ ଠାରୁ ଆନ୍ଧ୍ର ଉପକୂଳ ଦେଇ ଓଡ଼ିଶାର ଉପକୂଳ ଗତି କରୁଥିବା ସାମୁଦ୍ରିକ ସ୍ରୋତ ଯୋଗୁଁ ଏପରି ହୋଇଛି । ଏହି ସମତଳ ଅଞ୍ଚଳର ନିର୍ମାଣରେ ଅବଦାନ ଦୃଷ୍ଟିରୁ ନଦୀଗୁଡ଼ିକର ସ୍ଥାନ ନିମ୍ନ ମତେ ସ୍ଥିର କରା ଯାଇ ପାରେ । ସେଗୁଡ଼ିକ ହେଲା ମହାନଦୀବ୍ରାହ୍ଣଣୀବୈତରଣୀସୁବର୍ଣ୍ଣରେଖାଋଷିକୂଲ୍ୟା ଏବଂ ବୁଢ଼ାବଳଙ୍ଗ । ନଦୀ ଗୁଡ଼ିକର ଦୈର୍ଘ୍ୟଅବବାହିକାର କ୍ଷେତ୍ରଫଳ ପ୍ରବାହର ଗତି ତଥା ସେମାନେ ବହି ଆସୁଥିବା କ୍ଷେତ୍ରର ଭୂପ୍ରକୃତି ଦୃଷ୍ଟିରୁ ଏହି ଭଳି ନିର୍ଣ୍ଣୟ କରା ଯାଇଛି । ସାଧାରଣ ଦୃଷ୍ଟିରୁ ବ୍ରାହ୍ମଣୀ ଓ ବୈତରାଣୀ ନଦୀର ତ୍ରିକୋଣଭୂମି ମହାନଦୀର ତ୍ରିକୋଣଭୂମି ତୁଳନାରେ ଯଥେଷ୍ଟ ଅପରିବର୍ତ୍ତନୀୟ । 

ମହାନଦୀ କ୍ଷେତ୍ରରେ ଦକ୍ଷିଣ ପଶ୍ଚିମରୁ ପ୍ରବାହିତ ହେଉଥିବା ଉପକୂଳବର୍ତ୍ତୀ ସାମୁଦ୍ରିକ ସ୍ରୋତ ଏହି ଭଳି ତ୍ରିକୋଣଭୂମି ନିର୍ମାଣର ଅନ୍ତରାୟ ସ୍ୱରୂପ ହେଉଛି । ଦକ୍ଷିଣ ଏବଂ ଉତ୍ତରରୁ ଯଥା କ୍ରମେ ମହାନଦୀ ଏବଂ ବୈତରଣୀର ଶାଖା ନଦୀଗୁଡ଼ିକର ଅନୁପ୍ରବେଶ ଦ୍ୱାରା ବ୍ରାହ୍ମଣୀ ନଦୀର ତ୍ରିକୋଣଭୂମିର ବିକାଶ ବିଶେଷ ଭାବରେ କ୍ଷୟଗ୍ରସ୍ତ ହେଉଛି । ଅବସ୍ଥିତି ଦୃଷ୍ଚିରୁ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ନିମ୍ନ ମତେ ବିଭକ୍ତ କରା ଯାଇ ପାରେ ।

(ଉତ୍ତରସ୍ଥ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ - ବୈତରଣୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ସୁବର୍ଣ୍ଣରେଖା ଓ ବୁଢ଼଼ାବଳଙ୍ଗର ତ୍ରିକୋଣଭୂମି ।
(ମଧ୍ୟ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ - ବୈତରଣୀ ନଦୀବ୍ରାହ୍ମଣୀ ଓ ମହାନଦୀ ର ମିଳିତ ତ୍ରିକୋଣଭୂମି ।
(ଦକ୍ଷିଣସ୍ଥ ଉପକୂଳବର୍ତ୍ତୀ ଅଞ୍ଚଳ - ଋଷିକୂଲ୍ୟା ସମତଳ ଅଞ୍ଚଳ ।

ଗଠନ ଦୃଷ୍ଟିରୁ ଏହି ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ବେଳାଭୂମି ସହିତ ସମାନ୍ତରାଳ ଭାବରେ ତିନୋଟି ବିଭାଗରେ ବିଭକ୍ତ କରା ଯାଇ ପାରେ ।


୧) ଉପକୂଳ ସଂଲଗ୍ନ ଲୁଣାଅଞ୍ଚଳ
୨) ଚାଷଯୋଗ୍ୟ ଅଥବା ଧାନ ଉତ୍ପାଦନ ଯୋଗ୍ୟ ମଧ୍ୟଞ୍ଚଳ
୩) ପଶ୍ଚିମସ୍ଥ ପାହାଡ଼ିଆ ଅଞ୍ଚଳ

ଲୁଣାଅଞ୍ଚଳ ତଟରେଖା ଠାରୁ ୪.୮ରୁ ୯.୬ କି.ମି ପର୍ଯ୍ୟନ୍ତ ସ୍ଥଳ ଭାଗ ଆଡ଼କୁ ବ୍ୟାପିଥିବା ଅଞ୍ଚଳ । ଏହା ହେଉଛି ଏକ ଅଣଓସାରିଆ ଅଞ୍ଚଳ । ଅନେକ ସ୍ଥାନରେ ଏହା ଲୁଣ ଦ୍ୱାରା ପୂର୍ଣ୍ଣ ଏବଂ ଏହି କାରଣରୁ ଚାଷ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ । ଅନେକ କ୍ଷୀଣସ୍ରୋତା ଲୁଣା ପାଣିର ନାଳି ଏହି ଅଞ୍ଚଳକୁ ଦୁର୍ଗମ କରିଛି । ବେଳାଭୂମି ଆଡ଼଼କୁ ଏହି ଲୁଣା ଅଞ୍ଚଳ ୧୬ରୁ ୨୬ ମିଟର ଉଚ୍ଚ ଅଣଓସାରିଆ ବାଲି ବନ୍ଧ ଓ ବାଲିକୁଦ ସହିତ ମିଶି ଯାଇଛି । ଏହା ସାଧାରଣତଃ ତିନୋଟି ସମାନ୍ତରାଳ ବନ୍ଧ ଯୋଗୁଁ ହୋଇଛି ଏବଂ ଉପକୂଳର ଉତ୍ଥାଥାନ ଯୋଗୁ ସମୁଦ୍ର କ୍ରମଶଃ ଘୁଞ୍ଚି ଯିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି । ମହାନଦୀ ଅବବାହିକାରେ ଏହି ଲୁଣା ଅଞ୍ଚଳ ଘଞ୍ଚ ଜୁଆରିଆ ଅରଣ୍ୟ ଦ୍ୱାରା ପରିପୂର୍ଣ୍ଣ ହୋଇଛି । ଏବଂ ପାରାଦ୍ୱୀପ ଧାମରା ଉପକୂଳ ପର୍ଯ୍ୟନ୍ତ ବ୍ୟାପିଛି । ଏହାକୁ କ୍ଷୁଦ୍ର ସୁନ୍ଦରବନ କୁହାଯାଏ । ଦେବୀ ଦୟା ଅଞ୍ଚଳରେ ଝାଉଁ ଗଛର ଅରଣ୍ୟ ଦେଖାଯାଏ ଏବଂ ସେଠାରେ ଝାଉଁ ଗଛ ମଧ୍ୟ ଲଗା ଯାଇଛି । ଉପକୂଳ ଅରଣ୍ୟାଞ୍ଚଳ ଗୋଟିଏ ଅଣଓସାରିଆ ଚାରଣଭୂମି ସହିତ ମିଶି ଯାଇଛି ।

କୃଷିଯୋଗ୍ୟ ଅଞ୍ଚଳ, ତୃଣ ଭୂମି ଅଞ୍ଚଳ, ଏହି ବିସ୍ତୀର୍ଣ୍ଣ ସମତଳଭୂମି ସହିତ କ୍ରମଶଃ ମିଶି ଯାଇଛି; ଯେଉଁଠାରେ ପାହାଡ଼ ଶୂନ୍ୟ (ବିହୀନ) ବିସ୍ତୀର୍ଣ୍ଣ ସମତଳଭୂମି ହେଉଛି ଏକ ବିଶେଷ ଲକ୍ଷଣ । ଦିଗନ୍ତ ବିସ୍ତାରୀ ଧାନକ୍ଷେତ ଏହାର ଅନ୍ୟତମ ଲକ୍ଷ୍ୟଣ । ମୃତ ନଦୀର ପରିତ୍ୟକ୍ତ ଉଚ୍ଚ ବନ୍ଧ ବ୍ୟତୀତ ଏଠାରେ ଆଉ ଉଚ୍ଚ ଭୂମି ନାହିଁ କହିଲେ ଚଳେ । ବାର୍ଷିକ ବନ୍ୟା ଦାଉରୁ ରକ୍ଷା ପାଇବା ନିମନ୍ତେ ଗ୍ରାମବାସୀମାନେ ଏଗୁଡ଼ିକୁ ଅଧିକାର କରିନେଇ ଗ୍ରାମମାନ ବସାଇ ଅଛନ୍ତି । 

ପ୍ରାକୃତିକ ନଦୀବନ୍ଧଗୁଡ଼ିକ ଉଚ୍ଚ ହୋଇ ଯାଇ ଥିବାରୁ ପ୍ରବଳ ବନ୍ୟା ସମୟରେ ବିସ୍ତୃତ ଅଞ୍ଚଳ ଜଳପ୍ଲାବିତ ହୋଇଥାଏ । ଏହା ଦ୍ୱାରା ପ୍ରଚୁର ଧନଜୀବନକୃଷି ଓ ପଶୁସମ୍ପଦର କ୍ଷୟକ୍ଷତି ଘଟେ । ଏହି କୃଷିଯୋଗ୍ୟ ଅଞ୍ଚଳର କିଛି ଅଂଶ ବନ୍ୟା ଦାଉରୁ ସୁରକ୍ଷିତ ଏବଂ ମହାନଦୀବ୍ରାହ୍ମଣୀ ତଥା ସାଳନ୍ଦୀରୁ ବାହାରି ଥିବା କେନାଲ ଦ୍ୱାରା ଜଳସେଚିତ ହୁଏ । କୃଷି ଦୃଷ୍ଟିରୁ ଏହି ଅଞ୍ଚଳଟି ହେଉଛି ସମଗ୍ର ଓଡ଼ିଶାର ସମୃଦ୍ଧ ଅଞ୍ଚଳ ।

ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତି, ହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ତିଆ ସ‌ଂସ୍ଥା ।

No comments:

Post a Comment