Sunday, July 22, 2018

ଗୋଟିଏ ପଦକ କଥା

ଜ୍ୟୋତି ନନ୍ଦ


ପଲାସୀ ଯୁଦ୍ଧର ମାନଚିତ୍ର: ୧୭୬୦ ମସିହାର 'ଲଣ୍ଡନ ମାଗାଜିନ' ପତ୍ରିକାରୁ ସଙ୍ଗୃହିତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜିକୁ ଦୁଇ ଶହ ଏକଷଠି ବର୍ଷ ତଳେ ଆଜି ଦିନରେ ଗୋଟିଏ ପ୍ରସିଦ୍ଧ ଓ ନିର୍ଣ୍ଣାୟକ ଯୁଦ୍ଧ ହୋଇଥିଲା । ଆଜି ଦିନରେ ଅର୍ଥାତ୍ ୨୪ ଜୁନ୍ ୧୭୫୭ ଖ୍ରୀଅରେ ବ୍ରିଟିଶ ଈଷ୍ଟ ଇଣ୍ଡିଆ ନାମରେ ଇଂଲଣ୍ଡର ଗୋଟିଏ କମ୍ପାନୀ ଯିଏ ବଣିଜ କରିବା ଉଦ୍ଦେଶ୍ୟରେ ଭାରତକୁ ଆସିଥିଲା, ସେଇ କମ୍ପାନୀଟି ଭାରତରେ ପ୍ରାୟତଃ ଦେଢ଼ ଶହ ବର୍ଷ ତଳରୁ ଆସି ଏଠାରେ ବାଣିଜ୍ୟ ବ୍ୟବସାୟ କରୁଥିଲେ ହେଁ, ପ୍ରଥମ ଥର ରାଜ୍ୟଜୟ କରିବା ଲକ୍ଷ୍ୟରେ ଜଣେ ଭାରତୀୟ ସମ୍ରାଟ ଯଥା ବଙ୍ଗଳାର ନବାବ ସିରାଜୌଦ୍ଦଲାଙ୍କ ବିରୁଦ୍ଧରେ ଏହି ଦିନ ଯୁଦ୍ଧ ଘୋଷଣା କରିଥିଲା । ଏଇ ଯୁଦ୍ଧଟିକୁ ଭାରତ ଇତିହାସରେ 'ପଲାସି ଯୁଦ୍ଧ' ବୋଲି କୁହାଯାଏ ।

ଏହି ନିର୍ଣ୍ଣାୟକ ଯୁଦ୍ଧରେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏଥିରେ ଯୁଦ୍ଧଭାଗ ଅପେକ୍ଷା କୂଟନୀତି ଭାଗଟି ଯଥେଷ୍ଟ ଅଧିକ ଥିଲା ।ଯୁଦ୍ଧକ୍ଷେତ୍ରରେ ଉଭୟ ପକ୍ଷର ସୈନ୍ୟ ସାମର୍ଥ୍ୟରର ପରାକାଷ୍ଠା ପ୍ରମାଣିତ ହେବାର ପ୍ରଚଳିତ ବ୍ୟବସ୍ଥାଟି ଏଠାରେ ପରୀକ୍ଷିତ ହୋଇ ନ ଥିଲା । ଏଠାରେ ବିଜୟ ହୋଇଥିଲା ଯୁଦ୍ଧ ପଛର କୂଟନୀତିର । ଆଜିର ମ୍ୟାଚ୍ ଫିକ୍ସିଂ ଭଳି ଏଇ ଯୁଦ୍ଧର ଫଳାଫଳଟି ଆଗରୁ ସୁଚତୁର ବ୍ରିଟିଶ ରବର୍ଟ କ୍ଲାଇଭ୍ ଓ ତାଙ୍କର ସହଯୋଗୀମାନଙ୍କ ଦ୍ୱାରା ନିର୍ଣ୍ଣିତ ହୋଇ ରଖା ଯାଇ ଥିଲା ।

ପଲାସି ଯୁଦ୍ଧରେ ବ୍ରିଟିଶ ମାନଙ୍କ ପ୍ରାୟ ୩୫୦୦ ସୈନ୍ୟ ବଙ୍ଗଳାର ନବାବଙ୍କ ପ୍ରାୟ ୫୦୦୦୦ ସୈନ୍ୟଙ୍କୁ ପରାସ୍ତ କରି ଦେଇ ଥିଲେ ।ପଲାସି ଯୁଦ୍ଧରେ ବିଜୟର ସ୍ମାରକ ସ୍ୱରୂପ ବ୍ରିଟିଶ ଈଷ୍ଟ ଇଣ୍ଡିଆ ଗୋଟିଏ ପଦକ ପ୍ରଚଳନ କରିଥିଲେ । ଏହି ପଦକରେ ଗୋଟିଏ ହାତୀ ଉପରେ ଜଣେ ବ୍ରିଟିଶ ତରୁଣର ମନଖୁସିରେ ବସି ଥିବାର ଛବି ରହିଅଛି । ହାତୀକୁ ଭାରତୀୟ ସମରକଳାର ପ୍ରତୀକ ବୋଲି ବିବେଚନା କରାଯାଉ ଥିଲା । ହାତୀ ହିଁ ଭାରତୀୟ ରଣାଙ୍ଗନରେ ଆଦିମତମ କାଳରୁ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଅଛି । ଏଠାରେ ଭାରତୀୟ ହାତୀକୁ ନିଜର ବଶମ୍ବଦ କରି ରଖିବାର ସଫଳ କଥାକୁ ବ୍ରିଟିଶମାନେ ବିପଣନ କରିବା ଉଦ୍ଦେଶ୍ୟରେ ଏଇ ପଦକକୁ ପ୍ରଚଳନ କରିଥିଲେ।

ଏକ ପ୍ରତୀକକୁ ଆତ୍ମସାତ୍ କରିବାର ଏହା ଏକ ସଫଳ ବ୍ରିଟିଶ ପ୍ରଚେଷ୍ଟା । କହିବା ବାହୁଲ୍ୟ, ଏହା ପରେ ଅର୍ଥାତ୍ ପଲାସି ଯୁଦ୍ଧ ପରେ, ଭାରତୀୟ ହାତୀମାନେ ବନସ୍ତରେ ରହିଲେ; ଆଉ, ସେମାନଙ୍କ ଭିତରୁ କେତେ ପୋଷା ମାନି ଲୋକଙ୍କ ସେବାରେ ନିୟୋଜିତ ହୋଇ ରହିଲେ । ଯୁଦ୍ଧରେ ସେମାନଙ୍କୁ ଆଉ ସକ୍ରିୟ ଭାବରେ ଦେଖାଗଲା ନାହିଁ ।

ନିମ୍ନ ପଦକଟି ପଲାସି ଯୁଦ୍ଧରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ବିଜୟର ସ୍ମାରକ ପଦକ ।


No comments:

Post a Comment