Monday, July 16, 2018

ଜାତୀୟ ଶିକ୍ଷା ଓ ସାର୍ ଜନ୍ ଉଡ଼୍ରଫ୍

ଗୋପବନ୍ଧୁ ଦାଶ


ଭାରତରେ ପ୍ରାକ୍‌-ବ୍ରିଟିଶ ଶିକ୍ଷାନୁଷ୍ଠାନ ବିଦାର ମଦର୍ସା (ୱିକିମିଡିଆ କମନ୍ସ୍)


ଆଜିକାଲି ଦେଶରେ ସର୍ବତ୍ର ଜାତୀୟ ଶିକ୍ଷାର ଆନ୍ଦୋଳନ ଚାଲିଛି; ଆଧୁନିକ ଶିକ୍ଷାପଦ୍ଧତି ନାନା ଦୋଷରେ ଦୂଷିତ । ଏହା ଚିନ୍ତାଶୀଳ ବ୍ୟକ୍ତିମାତ୍ର ବୁଝି ଅଛନ୍ତି । ଜାତୀୟ ଅଭାବ ବା ଆକାଂକ୍ଷା ପୂରଣ କରିବା ଜାତୀୟ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ । ଜାତୀୟ ଇତିହାସ ଉପରେ ପୁଣି ତାହା ପ୍ରତିଷ୍ଠିତ ହେବା ଉଚିତ । ମାତ୍ର ବର୍ତ୍ତମାନ ଯେଉଁ ଶିକ୍ଷା ଚାଲିଛି, ତା'ର ପ୍ରକୃତି ଭିନ୍ନ ପ୍ରକାର । ଭାରତର ଜାତୀୟତା ସହିତ ଏହାର କୌଣସି ସମ୍ପର୍କ ନାହିଁ, ଭାରତ ଇତିହାସରୁ ଏହା ଏକ ସ୍ୱତନ୍ତ୍ର ବସ୍ତୁ । ପ୍ରତ୍ୟେକ ଜାତିର ଗାଟିଏ ଗୋଟିଏ ସ୍ୱାତନ୍ତ୍ର୍ୟ ଅଛି । ସେହି ସ୍ୱାତନ୍ତ୍ର୍ୟ ସେ ଜାତିର ଇତିହାସ । ଯେତେ ଦିନ ସେହି ସ୍ୱାତନ୍ତ୍ର୍ୟ ସୁରକ୍ଷିତ ଥାଏ, ଜାତି ସେତେ ଦିନ ଜୀବିତ ଥିବାର କୁହାଯାଏ । ଶିକ୍ଷା ଏହି ସ୍ୱାତନ୍ତ୍ର୍ୟ ରକ୍ଷା କରିବାର ସର୍ବପ୍ରଧାନ ଉପାୟ । ସୁତରାଂ ପ୍ରତ୍ୟେକ ଜାତି ନିମନ୍ତେ ଶିକ୍ଷା ସ୍ୱତନ୍ତ୍ର । ଏକ ଜାତିର ଶିକ୍ଷା, ଅନ୍ୟ ଜାତି ଉପରେ ପକାଇଲେ ସେ ଜାତିର ମୃତ୍ୟୁ ଅବଶ୍ୟମ୍ଭାବୀ ।

ଭାରତୀୟ ଶିକ୍ଷା ଭାରତର ଜାତୀୟ ପରମ୍ପରା ଅନୁସାରେ ପରିଚାଳିତ ହେବା ଉଚିତ । ମାତ୍ର ବର୍ତ୍ତମାନ ଶିକ୍ଷା ଭାରତର ନୁହେଁ; ଏହା ଇଂଲଣ୍ଡର ଶିକ୍ଷା ଭାରତୀୟ ବିଶ୍ୱବିଦ୍ୟାଳୟମାନ କେମ୍ୱ୍ରିଜ, ଅକ୍‌ସ୍‌ଫୋର୍ଡ଼ ବିଦ୍ୟାଳୟମାନଙ୍କ ଛାଞ୍ଚରେ ଗଢ଼ା । ସେହିମାନଙ୍କ ଆଦର୍ଶରେ ଏବଂ ସେମାନଙ୍କ ପ୍ରଦର୍ଶିତ ପନ୍ଥାରେ ଏ ଦେଶରେ ବିଶ୍ୱବିଦ୍ୟାଳୟ ମାନ ଚାଲୁଅଛି । ମୋଟରେ, ବିଜେତା, ବିଜିତ ଜାତିକୁ ତାହାର ଜାତୀୟତାରୁ ବଞ୍ଚିତ କରାଇ ନିଜର ଭକ୍ତ କରାଇବା ନିମନ୍ତେ ଯେପରି ଶିକ୍ଷା ଦୀକ୍ଷା ଦିଏ, ଆଧୁନିକ ଶିକ୍ଷା କେବଳ ସେହି ଧରଣର । ଅଢ଼େଇ ହଜାର ବର୍ଷ ପୂର୍ବେ ମାନବ ସଭ୍ୟତାର ପ୍ରାୟ ଆଦିମ ଅବସ୍ଥାରେ ଆଲେକଜାଣ୍ଡାର ବିଜିତ ଦେଶମାନଙ୍କରେ ଯେ ପ୍ରକାର ଶିକ୍ଷାର ପ୍ରଚାର କରୁଥିଲେ, ଭାରତରେ ଆଜି ସେହି ରୂପ ଶିକ୍ଷାର ବ୍ୟବସ୍ଥା ହୋଇଅଛି । ଭାରତବାସୀ ଆପଣାର ସନାତନ ଧର୍ମ ଓ ସଭ୍ୟତାରୁ ବଞ୍ଚିତ ହୋଇ, ଏକ ବୈଦେଶିକ ଆଦର୍ଶରେ ଗଢ଼ା ହେଉଛନ୍ତି । ଫଳରେ ସେହି ଆଦର୍ଶର ଅଜ୍ଞାନ ଦାସତ୍ୱରେ ଭାରତବାସୀ ମୁଗ୍‌ଧ ।

ସୁଖର କଥା ଏତେ କାଳ ଦାସତ୍ୱ ପରେ ଭାରତର ଚେତନା ଆସି ଅଛି ଏବଂ ସେ ଅଜ୍ଞାନତାରୁ ମୁକ୍ତି ପାଇବାର ପ୍ରୟାସ କରୁଛି । କେବଳ ଭାରତବାସୀ ଯେ ଏହା ବୁଝିଛନ୍ତି ତାହା ନୁହେଁ, ଅନ୍ୟାନ୍ୟ ଇଂରେଜମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଉଦାର ସାର ଜନ୍ ଉଡ଼୍ରଫ ବହୁ କାଳରୁ ଭାରତର ବର୍ତ୍ତମାନ ଶିକ୍ଷାର କୁଫଳ ଆଶଙ୍କା କରି ଅଛନ୍ତି । କଲିକତା ବିଶ୍ୱବିଦ୍ୟାଳୟ କମିଶନଙ୍କ ସମକ୍ଷରେ ସେ ଏହା ନିର୍ଭୀକ ଚିତ୍ତରେ ପ୍ରକାଶ କରିଥିଲେ । ଦୁଇ ବର୍ଷ ପୂର୍ବେ ଗୋଟିଏ ପୁରସ୍କାର ବିତରଣ ସଭାରେ ଏହି ମର୍ମରେ ସେ କହିଥିଲେ ।

ଇଂରେଜ ଧରଣରେ ଏ ଦେଶରେ ଯେ ଶିକ୍ଷା ଦିଆ ଯାଇ ଅଛି, ତାହା କଦାପି ବାଞ୍ଚ୍ଥନୀୟ ନୁହେଁ । କେବଳ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ପ୍ରସ୍ତୁତ ହେବା ଶିକ୍ଷା ନୁହେଁ । ଭାରତକୁ ଭାରତୀୟ ଭାବରେ ଉନ୍ନତ କରାଇବା ନିମନ୍ତେ ଯେଉଁମାନଙ୍କର ହୃଦୟର ଆକାଂକ୍ଷା, ସେହିମାନେ ହିଁ ପ୍ରକୃତରେ ଭାରତବର୍ଷରେ ଶିକ୍ଷାଦାନ କରିବାର ଉପଯୁକ୍ତ ବାହ୍ୟିକ କର୍ତ୍ତ୍ୱତ୍ୱ ଜୀବନ ବିକାଶର ପ୍ରଧାନ ଅନ୍ତରାୟ । ପୁଣି ଯେଉଁମାନଙ୍କ ହାତରେ ସେ କର୍ତ୍ତୃତ୍ୱ ଅଛି, ସେମାନେ ବୈଦେଶିକ ଏବଂ ଭାରତର ଅଭାବ ଓ ଆକାଂକ୍ଷା ବୁଝିବା ସେମାନଙ୍କ ପକ୍ଷରେ କଠିନ ସୁତରାଂ ଏ ଦେଶର ଶିକ୍ଷା ପ୍ରକୃତ ପନ୍ଥା ଛାଡ଼ି ଅସ୍ୱାଭାବିକ ହେବା ବିଚିତ୍ର କ'ଣ । 

ଦୁଃଖର କଥା ଭାରତୀୟମାନଙ୍କୁ ଶିକ୍ଷାର ଏହି କୁଫଳ ଦେଖା ଯାଉ ନାହିଁ । ଶିକ୍ଷାର ଏହି ଅସ୍ୱାଭବିକତା ସେମାନଙ୍କୁ ଦେଖା ଯାଉ ନାହିଁ, କାରଣ ସେମାନେ ନିଜେ ଏହି ଅସ୍ୱାଭାବିକତା ଶିକ୍ଷାରେ ମୁଗ୍‌ଧ ହୋଇ ଆପାଣର ଜୀବନ ଓ ଜାତୀୟତା ନଷ୍ଟ କରି ଅଛନ୍ତି । ଆପାଣର ପ୍ରାଚୀନ ଇତିହାସ ବା ଜାତୀୟତା ସମ୍ୱନ୍ଧରେ କିଛି ନ ଜାଣି ସେମାନେ ବର୍ତ୍ତମାନ ଶିକ୍ଷା ଶେଷ କରୁ ଅଛନ୍ତି । ଭାରତ ଇତିହାସ ଯେପରିକି ମୁସଲମାନମାନଙ୍କ ଆକ୍ରମଣଠାରୁ ଆରମ୍ଭ । ମୁସଲମାନ ରାଜତ୍ୱ ଓ ଇଂରେଜ ଆଧିପତ୍ୟ ବିସ୍ତାର ଛଡ଼ା ଛାତ୍ରମାନେ ବର୍ତ୍ତମାନ ଭାରତର ପ୍ରାଚୀନ ଇତିହାସ ସମ୍ୱନ୍ଧରେ ସେମାନେ ଏକା ବେଳକେ ଅନଭିଜ୍ଞ । 

ନିଜ ଭାଷାରେ ବିଶ୍ୱବିଦ୍ୟାଳୟ ଉପାଧି ପାଇବାରେ ସେମାନଙ୍କର ଅଧିକାର ନାହିଁ । ଅବଶ୍ୟ ଇଂରେଜ ଭାଷା ଏବଂ ଆବଶ୍ୟକୀୟ ପାଶ୍ଚାତ୍ୟ ସାହିତ୍ୟ ଓ ବିଜ୍ଞାନ ଯେ ଏ ଦେଶର ଶିକ୍ଷାରୁ ଉଠାଇ ଦେବା ଉଚିତ, ତାହା ନୁହେଁ । ମାତ୍ର ମୁଁ କହିବାର କଥା, ଏ ଦେଶର ଶିକ୍ଷା ପଦ୍ଧତିରେ ଭାରତୀୟ ଧର୍ମ ସାହିତ୍ୟ ଓ ସଭ୍ୟତାର ଉପଯୁକ୍ତ ସ୍ଥାନ ରହୁ । ଶିକ୍ଷାରୁ ବର୍ତ୍ତମାନ ସରକାରଙ୍କର କର୍ତ୍ତୃତ୍ୱ ଯେତେ ଉଠିଯାଏ ସେତେ ଭଲ । ସୁଖର କଥା ଉଦାରଚେତା ସରକାରଙ୍କଠାରୁ ସାହାଯ୍ୟ ଭିକ୍ଷା ନ କରି ସ୍ଥାନେ ସ୍ଥାନେ ସ୍କୁଲ ପ୍ରତିଷ୍ଟିତ ହେଉଅଛି । ସରକାର ଅବଶ୍ୟ ଶିକ୍ଷା ପାଇଁ ସାହାଯ୍ୟ ଦେବେ । କିନ୍ତୁ ସରକାର ସାହାଯ୍ୟ ଦ୍ୱାରା ଶିକ୍ଷା ବିଷୟରେ ସରକାରଙ୍କର ସାହାଯ୍ୟ ଅପେକ୍ଷା ନକରି ସ୍ୱାଧୀନ ଭାବରେ ନିଜ ବ୍ୟୟରେ ବିଦ୍ୟାଳୟମାନ ବସାଇ ଚଳାଇବା ଏକାନ୍ତ ପ୍ରୟୋଜନ । 

ଜାତୀୟ ଶିକ୍ଷା ବିଷୟରେ ସରକାରଙ୍କର ସାହାଯ୍ୟ ଅପେକ୍ଷା କରିବା ଦ୍ୱାରା ଶିକ୍ଷାର ପ୍ରକୃତି ଓ ସ୍ୱାତନ୍ତ୍ର୍ୟ ନଷ୍ଟ ହେଉ ଅଛି; ସର୍ବଦା ଶିକ୍ଷା ଦିଆ ଯାଉ ଅଛି, ସେମାନଙ୍କର ପ୍ରାଚୀନ ଜାତୀୟ ସଭ୍ୟତା ନୀରସ ନିକୃଷ୍ଟ ଓ ନିର୍ଜୀବ । ସେମାନଙ୍କର ପୂର୍ବ ପୁରୁଷମାନେ କୌଣସି ଉନ୍ନତି କରି ନ ଥିଲେ, ଯାହା ବା କରିଥିଲେ ତାହା ପାଶ୍ଚାତ୍ୟ ଜାତିମାନଙ୍କ ଗୌରବମୟ ସାଧନା ନିକଟରେ ଅକିଞ୍ଚିତ୍‌କର ମାତ୍ର । ଏହି କଥା ବାରମ୍ୱାର ସେମାନଙ୍କୁ କୁହା ଯିବାରେ, କ୍ରମେ ସେମାନଙ୍କର ମଧ୍ୟ ଆତ୍ମପ୍ରତ୍ୟୟ ଯାଇ ନିଜ ନିଜ ସଭ୍ୟତାରେ ସନ୍ଦେହ ହେଲାଣି, ଏବଂ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ମହତ୍ତ୍ୱରେ ବିଶ୍ୱାସ ଜନ୍ମି ଗଲାଣି । ବର୍ତ୍ତମାନ ପ୍ରକୃତ ଭାରତୀୟ ଶିକ୍ଷା ଦ୍ୱାରା ପ୍ରାଚୀନ ଭାରତର ଗୌରବ ପୂର୍ଣ୍ଣ ମାତ୍ରାରେ ଯୁବକମାନଙ୍କୁ ଦେଖାଇବା ପ୍ରୟୋଜନ । ତାହା ହେଲେ ପାଶ୍ଚାତ୍ୟ ସଭ୍ୟତାର ବ୍ୟାମୋହରୁ ସେମାନେ କ୍ରମେ ମୁକ୍ତ ହେବେ ଏବଂ ଆପାଣର ଜାତୀୟତା ଓ ପ୍ରାଚୀନ ଗୌରବ ଉପରେ ସେମାନଙ୍କର ବିଶ୍ୱାସ ଜନ୍ମିବ।

(ସତ୍ୟବାଦୀ ୬ଷ୍ଠ ଖଣ୍ଡ ୧୩୨୮ ସାଲ)

No comments:

Post a Comment