Monday, November 26, 2018

ପିଲାଙ୍କ ଗୀତ -  'ଝୁଲ୍ ପଣ୍ଡା'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଜାପାନୀ କଳାକାର ହୋକୁସାଇଙ୍କର ଏକ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଝୁଲ୍ ପଣ୍ଡା ଝୁଲ୍ ପଣ୍ଡା
ଝୁଲୁ ଝୁଲୁ ଖାଏ ଛେନା ମଣ୍ଡା
ନ ଝୁଲିଲେ ଖାଏ ଗୁଲି ମଣ୍ଡା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Sunday, November 25, 2018

ପିଲାଙ୍କ ଗୀତ -  'କୁଆ ମୋର ବେଙ୍ଗକୁ ନେଲା'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କୁଆ ମୋର ବେଙ୍ଗକୁ ନେଲା
ଗୋଡ଼ ଦୁଇ ଖଣ୍ଡ ହଲାଇ ଦେଲା
ତା ଧେଇ ଲୋ ତା ଧେଇ
ତାଟି କାଢ଼ ଭାତ ବାଢ଼
ମୁଁ ଯାଉଛି ଗାଧୋଇ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Monday, November 19, 2018

ପିଲାଙ୍କ ପାଇଁ କବିତା - 'ରାଜା'

କବି - ଜଗନ୍ନାଥ ପ୍ରସାଦ ଦାସ


ମୂଳନିବାସୀ ଆମେରିକୀୟଙ୍କର ତାସ ପତ୍ର (ୱିକିମିଡିଆ କମନ୍ସ୍)

ଇତିହାସ ଭୁଲିଯିବ ତଥାପି
କିଛି ରାଜା ରହିଯିବେ ନିହାତି
କଳାପାନ ନାଲିପାନ
ପୁରୀ, ବାଲି, ବିଲାତୀ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

ପିଲାଙ୍କ ପାଇଁ କବିତା - 'ଜନଗଣ'

କବି - ଜଗନ୍ନାଥ ପ୍ରସାଦ ଦାସ


ପଞ୍ଚଦଶ ଶତାବ୍ଦୀରେ ଅଙ୍କିତ ଭାରତୀୟ କ୍ଷୁଦ୍ରଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବଙ୍ଗଳାରେ ବସି ଅନାଇ ଦେଖ
କିଏ ଯାଏ କାହିଁ କି ଭଳି ଭେକ:

ବାବୁ ଯାଉଛନ୍ତି ପଞ୍ଜାବୀ ପିନ୍ଧି
ତସ୍କର ଯାଉଛି କାଟିବ ସିନ୍ଧି ।

ଗୁଜୁରାତୀ ଖାଇ କେ କରେ ମଜା
ଆସାମୀକୁ ହେଲା ଛ' ମାସ ସଜା ।

ତାମିଲି ବସିଛି ଦୋକାନ ଖୋଲି
ଓଡ଼ିଆଣୀ ନାଇ ଆସୁଛି ଗୋରୀ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Saturday, November 17, 2018

ପିଲାଙ୍କ ଗୀତ -  'କଦଳୀଗଛରେ କୁଆମଇତା'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ

  
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କଦଳୀ ଗଛରେ କୁଆମଇତା
ଲିପି ରୁଷି ଗଲେ କିଏ ଯାଆନ୍ତା ?

ଯାଆରେ ବାବୁ ଘୋଡ଼ାରେ ଚଢ଼ି
ଝିଅକୁ ଆଣିବୁ ଗୋଡ଼ ତଳେ ପଡ଼ି ।

ଲିପି ଆଣିଥିବ କୋରା ମିଠେଇ
ବାଟରେ ଖାଇବ ପେଡ଼ି ଫିଟେଇ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Friday, November 16, 2018

ପିଲାଙ୍କ ଗୀତ -  'ପାଚିଲା ଆମ୍ବରୁ ଫାଳେ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଚିତ୍ର - 'ଉମାନ୍ ୱିଥ୍ ମାଙ୍ଗେ' (୧୮୯୨ ମସିହାରେ ଅଙ୍କିତ)
ଚିତ୍ରକର - ପଲ୍ ଗଗାଁ (୧୮୪୮ - ୧୯୦୩)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପାଚିଲା ଆମ୍ବରୁ ଫାଳେ
ବାପା ଡାକୁ ଥିଲେ ଦାଣ୍ଡ ଦୁଆରେ ଲୋ
ମୋ ଧନ ନାହାନ୍ତି ଘରେ ।

ପିତାଶାଗ ବୁଦି ବୁଦି
ମୋ ଧନ ଗୋଡ଼ରେ ଯାଉଁଳି ମୁଦି
ଚାଲୁଥିବେ କୁଦି କୁଦି ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Thursday, November 15, 2018

ବାଲେଶ୍ୱରର ପିଲାଙ୍କ ଗୀତ -  'ଗଡ଼ିଆର ଚାରି ପାଖେ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଚିତ୍ର - 'କପା ତୋଳାଳୀ' (ୱିକିମିଡିଆ କମନ୍ସ୍)
ଚିତ୍ରକର - ୱିଲିଅମ୍ ୱାକର୍ (୧୮୩୯ - ୧୯୨୧)

ଗଡ଼ିଆର ଚାରି ପାଖେ ବୁଣିଲି ସୋରିଷ
ସୋରିଷର ମଜା ନେଲା ମହୁରାଳି ମାଛ ।

ଗଡ଼ିଆର ଚାରି ପାଖେ ବୁଣିଲି ଧନିଆ
ଧନିଆର ମଜା ନେଲା ବିଦେଶୀ ବଣିଆ ।

ଗଡ଼ିଆର ଚାରି ପାଖେ ବୁଣିଲି ମୁଁ କପା
ଡାଳ ଭାଙ୍ଗି ଫୁଲ ତୋଳିଲା ରାଧିକାର ଅପା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Wednesday, November 14, 2018

ଚଣ୍ଡିଖୋଲ ଅଞ୍ଚଳର ପିଲାଙ୍କ ଗୀତ -  'ସାତ ତାଳ ପାଣି ତଳେ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସାତ ତାଳ ପାଣି ତଳେ
ଶଙ୍ଖ ମଲ ମଲ ଘରେ
ତୁଳି ଶେଯ ଉପରେ ଶୋଇ
ମୋ କୁନୁ ଦେଖେ ସପନ
ଘୋଡ଼ା ଚଢ଼ି ଆସୁଛନ୍ତି
ମୋର କୁନି ରତନ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Monday, November 12, 2018

ପିଲାଙ୍କ ପାଇଁ କବିତା - 'ଖରା ଯେ ଖରା'

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଝାରସୁଗୁଡ଼ାରେ ଗରମ ଅତି
ଖଇ ଫୁଟୁଥାଏ ଏ ଭଳି ତାତି ।

ସେ ଦିନ ଦେଖିଲି ମଝି ସଡ଼କ
ଧପାଲି ଚାଲିଛି ଗୋଟିଏ ଲୋକ ।

ଦିନ ଦି' ପହରେ ପ୍ରବଳ ଖରା
ତରଳି ଗଲାଣି ଦେହଟା ପୂରା,

ତଥାପି ଆଗକୁ ଯାଇଛି ମାଡ଼ି
ତରତର ତା'ର ଚୁଟିଟି ଖାଲି । 

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Sunday, November 11, 2018

ପିଲାଙ୍କ ପାଇଁ କବିତା - 'ଲୁଚାଛପା'

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଚୁପଚାପ ରହିଥାଏ କାହାକୁ ମୁଁ ନ ଜଣାଇ କିଛି
କାହିଁକି କହିବି କହ କାହା ସାଙ୍ଗେ କଥା ମିଛାମିଛି ? 

ତମେ ଯଦି ପଚାରିବ ଜାଣିବାକୁ କ'ଣ ମୋର ନାମ
ମୁଁ କହିବି, "କହିବିନି କେବେ ହେଲେ ମୋର ନାଁ ରାମ?"

ତମେ ଯଦି ପଚାରିବ ଜାଣିବାକୁ କେତେ ମୋ ବୟସ
ମୁଁ କହିବି, "କିସ ହେବ ଜାଣିଲେ ମୋ ବୟସ ତେଇଶ ।"

କ'ଣ କରୁଛି ବୋଲି ଲାଗିଛ ମୋ ପଛେ, ଆଚ୍ଛା ଲୋକ !
ହେଲା, ନିଅ, ଶୁଣ ଏଇ କବିତାର ଆଠ ଧାଡ଼ି ଯାକ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Saturday, November 10, 2018

ପିଲାଙ୍କ ପାଇଁ କବିତା - 'କାଇଲା ଝିଅ'

କବି - ଜଗନ୍ନାଥ ପ୍ରସାଦ ଦାସ


ଚିତ୍ର - 'ନିଆଁ' (ୱିକିମିଡିଆ କମନ୍ସ୍)
ଚିତ୍ରକର - ଜନ୍ କୋଲିଅର୍ (୧୮୫୦ - ୧୯୩୪)

ଯେ ଯାହା ଦେଲା ଖାଇଲା
ଯେଉଁଠି ହେଲେ ଶୋଇଲା
ନିଆଁରେ ଜଳି ଘାଇଲା
ବାପ ଘରକୁ ଯାଇଲା ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Friday, November 09, 2018

ପିଲାଙ୍କ ଖେଳ ଗୀତ -  'ତାଇ ତାଇ ତାଇ' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଉତାଗାୱା କୁନିସାଦା ଓ ହିରୋସିଗେଙ୍କର ଯୁଗ୍ମ ଚିତ୍ର (ଉନବିଂଶ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତାଇ ତାଇ ତାଇ
ମାମୁଁ ଘର ଯାଇ
ମାମୁ ଦେଲା ଦହି
ଗୁହାଳେ ବସି ଖାଇ
ମାଈଁ ଅଇଲା ଝାଣ୍ଟା ଲେଇକି
ଦଉଡ଼ି ପଳାଇ ଯାଇ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Thursday, November 08, 2018

ପିଲାଙ୍କ ଖେଳ ଗୀତ -  'ଅଟର ମଟର କାଉଁରିଆ' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


କାଉଁରିଆ ଯୋଗାଉ ଥିବା ନଳିତା ଗଛ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଅଟର ମଟର କାଉଁରିଆ
ତୋ ପୁଅ ନାଁ ବାଉରିଆ ।

ବାଉରିଆ ଗଲା ମାଛ ଧରି
ଆଣିଲା ଶେଉଳ ଗୋଟେ ମାରି ।

ଅଧେ କଲା ଭଜା, 
ଅଧେ କଲା ସିଝା,
ତୋ' ଭଉଣୀ ରାଣୀ ଲୋ, 
ମୋ' ଭାଇ ରଜା ।

ରଜା ପୁଅ ବଗୁଲା
ସେଇଟା ବଡ଼ ଚଗଲା ।
ଆସିଲା ଦିନେ ଘୋଡ଼ା ଚଢ଼ି
ପଡ଼ିଲା ସେ ମୁହଁ ମାଡ଼ି ।

ବାଜିଲା ଢୋଲ ବାଜା,
ପିଲେ ମାଇଲେ ମଜା,
ତୋ' ଭଉଣୀ ରାଣୀ ଲୋ, 
ମୋ' ଭାଇ ରଜା  ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Wednesday, November 07, 2018

ପିଲାଙ୍କ ପାଇଁ କବିତା - 'ଧନ୍ଦା'

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଖାଇବା ଟେବୁଲ ଉପରେ ଥୁଆ
ତିମି, ହାଡ଼, ମାଛ, କୋଚିଲା, କୁଆ ।

କହି ପାରିବ କି ଏଥିରୁ ଖୋଜି
କାହା ପାଇଁ ଥିଲା ଏ ଭଳି ଭୋଜି ।

ଧନ୍ଦା: ଟେବୁଲ ଉପରେ ଖାଇବା ପାଇଁ ଥିବା ପାଞ୍ଚଟି ଜିନିଷରୁ ପ୍ରଥମ ଜିନିଷ 'ତିମି' ଥିଲା 'ତିମିଙ୍ଗଳ' ପାଇଁ । ତିମିଙ୍ଗଳ ହେଉଛି ତିମିକି ଗିଳି ଦେଲା ଭଳି ଅତି ବୃହତ୍ କାଳ୍ପନିକ ସାମୁଦ୍ରିକ ଜନ୍ତୁ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Tuesday, November 06, 2018

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ନିଜସ୍ୱ ଅଭିବ୍ୟକ୍ତି ଓ ପ୍ରକୃତି ପରିଚୟ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଅଗଷ୍ଟ ମାକି (୧୮୮୭-୧୯୧୪)ଙ୍କର ଏକ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନିଜସ୍ୱ ଅଭିବ୍ୟକ୍ତି

ଗିଜୁଭାଇଙ୍କ ଚିନ୍ତନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ପିଲାମାନଙ୍କର ଅଭିବ୍ୟକ୍ତି । ନିଜକୁ ପ୍ରକାଶ କରିବା ସମସ୍ତଙ୍କ ଜୀବନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ । ମାନବ ଜାତି ଦ୍ୱାରା ଆଜି ଯାହା କିଛି ସୃଷ୍ଟି ହୋଇଛି, ସେ ସବୁ ହିଁ ଏଇ ମାନବ ଜାତିର ଅଭିବ୍ୟକ୍ତି । ଚିତ୍ର, ଗୀତ, କଥା, ନାଟକ, ଲୋକଗୀତ, କଳାକୃତି ସବୁ ଅଭିବ୍ୟକ୍ତିର ବିଭିନ୍ନ ରୂପ ।

ଗିଜୁଭାଇ ତାଙ୍କ ବିଦ୍ୟାଳୟର ପିଲାଙ୍କର ନିଜସ୍ୱ ଅଭିବ୍ୟକ୍ତିର ବିକାଶ ଦିଗରେ ବେଶ୍ ଗୁରୁତ୍ୱ ଦେଉ ଥିଲେ । ପ୍ରତ୍ୟେକ ଅଭିଭାବକ, ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଦାୟିତ୍ୱ ହେଲା, ପିଲାମାନଙ୍କର ସୃଜନଶୀଳତାର ବିକାଶ ଦିଗରେ ସେମାନଙ୍କୁ ସହଯୋଗ କରିବା । ପିଲାମାନଙ୍କୁ ଜୋର କରି କିଛି କରିବାକୁ ବାଧ୍ୟ କରା ଗଲେ ସେମାନଙ୍କର ଲାଭ ନୁହେଁ, ବରଂ କ୍ଷତି ହୋଇ ଥାଏ ।

ପ୍ରକୃତି ପରିଚୟ

ପ୍ରକୃତି ପରିଚୟ ମାଧ୍ୟମରେ ପିଲାଙ୍କ ବିକାଶ ଗିଜୁଭାଇଙ୍କର ଦର୍ଶନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ପଶୁପକ୍ଷୀ ତଥା ଉଭିଦ ସହ ପରିଚୟ, ଆକାଶରେ ତାରା ଚିହ୍ନିବା, ପ୍ରଜାପତିଙ୍କର ଜୀବନ ପ୍ରଣାଳୀ, ଚଢ଼େଇମାନଙ୍କର ବସା ଖୋଜିବା, ଅଣ୍ଡାଗୁଡ଼ିକୁ ନିରୀକ୍ଷଣ କରିବା ଆଦି ବିଭିନ୍ନ କାର୍ଯ୍ୟ ଗିଜୁଭାଇଙ୍କ ବିଦ୍ୟାଳୟର କାର୍ଯ୍ୟକ୍ରମରେ ରହୁ ଥିଲା । ପ୍ରକୃତି ଶିକ୍ଷା ମାଧ୍ୟମରେ ପିଲାମାନଙ୍କ ମନରେ ଧୈର୍ଯ୍ୟ ତଥା ଶ୍ରଦ୍ଧା ଉତ୍ପନ୍ନ ହୋଇ ଥାଏ । ମୋଟାମୋଟି ଭାବରେ କହିବାକୁ ଗଲେ, ପିଲାଟିଏ ଏକ ସୁସ୍ଥ ସାମାଜିକ ପ୍ରାଣୀ ଭାବରେ ବଢ଼ି ଉଠିବା ଦିଗରେ ପ୍ରକୃତି ଶିକ୍ଷା ଅନେକାଂଶରେ ସହାୟକ ହୋଇ ଥାଏ ।

ପ୍ରକୃତି ଶିକ୍ଷା ଦ୍ୱାରା ନୀତି ଶିକ୍ଷା ବି ହୋଇ ଥାଏ । ପ୍ରାଣୀ ଓ ଉଭିଦଙ୍କ ବିକାଶ ନିରୀକ୍ଷଣ କରୁ କରୁ ପିଲା ମଣିଷର ବିକାଶ ଦିଗରେ ଆଗ୍ରହୀ ହୁଏ । ଜୀବମାନଙ୍କ ସହ ସେ ଆତ୍ମିୟତାର ସମ୍ପର୍କ ଯୋଡ଼େ । ବଗିଚା କାମ ଓ ଜୀବଜନ୍ତୁ ପାଳିବା ଦ୍ୱାରା ପିଲାର ନୈତିକ ବିକାଶ ହୁଏ । ସେ ନିଜ ବାପା ମା’ ତଥା ଶିକ୍ଷକଙ୍କ ହୃଦୟ ଚିହ୍ନିବାକୁ ଲାଗେ । ବୈଜ୍ଞାନିକ ତଥ୍ୟ ପାଇବାର ମାଧ୍ୟମ ଭାବରେ କୌଣସି ଜିନିଷକୁ ନିରୀକ୍ଷଣ କରିବାର କ୍ଷମତା ମଧ୍ୟ ତାର ବଢ଼େ । ବହି ପଢ଼ି ଏସବୁ ଯେତେ ନ ବଢ଼େ, ପ୍ରାଣୀ ଉଭିଦ ଆଦିର ବିକାଶକୁ ଲକ୍ଷ୍ୟ କରି ତାହା ଠାରୁ ବେଶୀ ବଢ଼େ । ପ୍ରକୃତି ପିଲାକୁ ଉଦାରତା ଏବଂ ସମସ୍ତଙ୍କୁ ସମାନ ନଜରରେ ଦେଖିବା ଶିଖାଇ ଥାଏ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Monday, November 05, 2018

ପିଲାଙ୍କ ପାଇଁ କବିତା - 'ଦେଖା'

କବି - ଜଗନ୍ନାଥ ପ୍ରସାଦ ଦାସ


ବିଲୁଆ ଓ ଗଧିଆ ଆଙ୍କିବାର ଉପାୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ରାତିରେ ଦେଖନ୍ତି ବାଘ ଓ ବିଲୁଆ
ଚୋର ଖଣ୍ଟ ପେଚା ପୁଷି
ବିଦ୍ୱାନ ଦେଖନ୍ତି କାମଳ ଆଖିରେ
ଦିବ୍ୟ ଲୋଚନରେ ୠଷି ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Sunday, November 04, 2018

ବାବର ମୂର୍ତ୍ତି

ଜ୍ୟୋତି ନନ୍ଦ


ଉଜବେକିସ୍ତାନର ଆନ୍ଦିଜନ ସହରର ବାବର ଠକର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ବାବରଙ୍କର ବ୍ୟତୀତ ଅନ୍ୟ କୌଣସି ମୋଗଲ ଜହାଁପନାଙ୍କର ଏହିପରି ଭାସ୍କର୍ଯ୍ୟ ରହିଥାଇ ପାରେ । ଜାଣିଲେ କୃତଜ୍ଞ ହେବି । ମୋଗଲ ସମ୍ରାଟ ମାନେ ନିଜର ତୈଳଚିତ୍ର ପାଇଁ ଅନୁମତି ଦେଉଥିଲା ବେଳେ ନିଜର ଭାସ୍କର୍ଯ୍ୟ ପାଇଁ ଆଗଭର ହେଉ ନ ଥିଲେ । ଏହା ପଛରେ ଇସଲାମ୍ ଧର୍ମରେ ପିତୁଳା ନିଷେଧ ପ୍ରମୁଖ କାରଣ ବୋଲି ଗ୍ରହଣ କରା ଯାଇ ପାରେ ।

ଉଜବେକିସ୍ତାନର ଆଣ୍ଡିଜାନ ନାମକ ସ୍ଥାନରେ ଏହି ସ୍ଥାପତ୍ୟଟି ବିରାଜିତ । ସ୍ଥାପତ୍ୟଟି ମୋଗଲ ଶାସନର ୧୫୨୬ ଖ୍ରୀଷ୍ଟାବ୍ଦରେ ଭାରତରେ ପ୍ରତିଷ୍ଠାତା ଜହିରୁଦ୍ଦିନ ମହମ୍ମଦ ବାବରଙ୍କର ।

ଭାରତରେ ବାବର ନିହାତି ସୁପରିଚିତ।ତାଙ୍କର ଆତ୍ମଜୀବନୀ  ତୁଝକ୍--ବାବରି ରେ ସେ ଭାରତୀୟ ମାନଙ୍କୁ ନିହାତି ଅସୁନ୍ଦର ବୋଲି ବର୍ଣ୍ଣନା କରିଛନ୍ତି । ଦୟା କରି ଏତେ କାଳ ପରେ ଏହାକୁ ନେଇ ଗୋଳ କରିବାରେ ଆମର ଅସୁନ୍ଦର ପଣ ବେଶି ଦେଖା ଯିବ ।

ଛଅଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଗୌରାଙ୍ଗ ଏବଂ ସୁନ୍ଦର ଏହି ବିଚକ୍ଷଣ ସେନାନାୟକଙ୍କୁ ସାମ୍ନାର ଅପେକ୍ଷାକୃତ କ୍ଷୁଦ୍ରକାୟ ଶ୍ୟାମାଙ୍ଗମାନେ ଅସୁନ୍ଦର ମନେ ହୋଇ ପାରି ଥାଆନ୍ତି । ସେଇଥି ପାଇଁ ସେ ହୁଏତ ଭାରତର ଶାସନ କର୍ତ୍ତା ହେଲେ ବି, ଏକେଣା ଜାଗା ଲାହୋରରେ ନିଜର ରାଜଧାନୀ ରାଜଧାନୀ ପ୍ରତିଷ୍ଠା କରିଥିଲେ । କିଏ ଜାଣେ ?

ସମ୍ରାଟ ବାବର (ୱିକିମିଡିଆ କମନ୍ସ୍)


ବାବର କିନ୍ତୁ ଭାରତୀୟମାନଙ୍କୁ ଅସୁନ୍ଦର ବୋଲି କହିବାର ଗୋଟିଏ ପରିଷ୍କାର ମାପକାଠି ତିଆରି କରିଛନ୍ତି ତାଙ୍କ ଆତ୍ମକଥାରେ । ସେଇଟି ହେଲା ଭାରତୀୟ ମାନେ ତରଭୁଜ ବୋଲି ଗୋଟିଏ ସ୍ୱର୍ଗୀୟ ଫଳ ଅଛି ବୋଲି ଜାଣନ୍ତି ନାହିଁ; ଆଉ ଏଡିକି ଅସୁନ୍ଦର ସେମାନେ ଯେ ଜନ୍ନତ୍‌ର ସବୁଠାରୁ ସୁନ୍ଦରତମ ବସ୍ତୁଟି ସମ୍ପର୍କରେ ତାଙ୍କର ଆଦୌ ଧାରଣା ନାହିଁ ।

ବାବରଙ୍କର ସେଇ ସୁନ୍ଦରତମ ବସ୍ତୁଟି ହେଲା ଗୋଲାପ ଫୁଲ । ଅବଶ୍ୟ ଆମେ ଏ କଥା ଯୁକ୍ତି କରି ପାରିବା ନାହିଁ ଯେ ଆମର ଗୋଟିଏ ବେମାରି ଥିଲା ସେତେବେଳେ । ଫୁଲକୁ ଦେଖିଲେ ଆମେ ଘଡ଼ିକୁ ଘଡ଼ି ମୁର୍ଛା ଯାଉ ଥିଲୁ । ବାବର ଏ କଥା ଜାଣନ୍ତି ନାହିଁ । ବହୁତ କିସମର ବେମାରିର କଥା କିଏ ସାହସ କରି ଜହାଁପନ୍ନାଙ୍କୁ ବଖାଣିବ ?

ଆନ୍ଥୋଫୋବିଆ ବୋଲି ଗୋଟିଏ ଅସୁଖ ଅଛି । ସେଇ ଥିରେ ଯେଉଁମାନେ ଅସୁସ୍ଥ, ସେମାନେ ଫୁଲକୁ ଭୟ ପାଆନ୍ତି । ଫୁଲକୁ ପାଖରେ ଦେଖିଲେ ସେମାନଙ୍କର ଚେତା ବୁଡ଼ିଯାଏ । ଦୁଃଖର କଥା, ସାଧାରଣ ଲୋକ କିଏ ଏହା ଭୋଗୁଛି ଅଧୀନକୁ ଜଣା ନାହିଁ । ଦୁଇ ଜଣଙ୍କର କଥା କୁହାଯାଇ ପାରିବ । ପ୍ରଥମ ଜଣକ ଫରାସୀ ରାଷ୍ଟ୍ରବିପ୍ଳବ ସମୟର ଦାର୍ଶନିକ ଭୋଲଟାୟାର୍ । ଆଉ ଆର ଜଣକ ହେଉଛନ୍ତି ଇଂଲଣ୍ଡର ରାଣୀ ପ୍ରଥମ ଏଲିଜାବେଥ୍ ।

ପ୍ରଥମ ଏଲିଜାବେଥ୍‌ଙ୍କର ଭାରି ଭୟ ଥିଲା ଫୁଲକୁବିଶେଷତଃ ଗୋଲାପ ଫୁଲକୁ ।

Saturday, November 03, 2018

ପିଲାଙ୍କ ଶୀତଗୀତ

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ବାରମାସ ଚିତ୍ରରେ ମାର୍ଗଶୀରର ରୂପାୟନ (ୱିକିମିଡିଆ କମନ୍ସ୍)
ରାଜସ୍ଥାନ ଅଞ୍ଚଳର ୧୮୦୦ ମସିହା ଆଖପାଖର ଚିତ୍ର

କାର୍ତ୍ତିକ, ଶୀତ କରେ ରାତିକ ।
ମାର୍ଗଶୀର, ଶୀତ କରେ ଶିର ଶିର ।
ପଉଷ, ଶୀତର ବଢ଼େ ସାହସ ।
ମାଘ, ଶୀତ ହୁଏ ବାଘ ।
ଫଗୁଣ, ଶୀତ କରେ ଦି' ଗୁଣ ।
ଚଇତ, ଶୀତ ଯାଏ ବୋଇତ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Friday, November 02, 2018

ଓଡ଼ିଶାର ଭୂଗୋଳ - ଗଠନ ଓ ଭୂଚଳନ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ସୁକିନ୍ଦା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ପୂର୍ବଘାଟ ଆଞ୍ଚଳିକ ବିସ୍ତାର ମୁଖ୍ୟତଃ ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ ଆଡ଼କୁ ଓଡିଶାର କୋରାପୁଟ ଜିଲ୍ଲାରେ ଦେଖା ଯାଇ ଥାଏ । ପଶ୍ଚିମ ଓଡ଼ିଶାର କଳାହାଣ୍ତି ଜିଲ୍ଲାରେ ଏହା କ୍ରମେ ଉତ୍ତର ଦକ୍ଷିଣକୁ ପରିବର୍ତ୍ତିତ ହୋଇ ପୂର୍ବରେ ଉତ୍ତରପୂର୍ବାଭିମୁଖୀ ହୋଇ ଉତ୍ତରରେ ପୁଣି ଥରେ ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ ବାଟ ଦେଇ ପଶ୍ଚିମ ଓଡ଼ିଶାରେ ସେଇ ଦିଗରେ ବିସ୍ତାରିତ ହୋଇଛି । ବଲାଙ୍ଗିର ଜିଲ୍ଲାରେ ପୂର୍ବ ଉତ୍ତରପୂର୍ବରୁ ପଶ୍ଚିମ ଦକ୍ଷିଣପଶ୍ଚିମକୁ ବିସ୍ତାରିତ ହୋଇଥିବା ପୂର୍ବଘାଟ ହଠାତ୍ ଦିଗ ପରିବର୍ତ୍ତିତ କରି ଉତ୍ତରପଶ୍ଚିମ ଦକ୍ଷିଣପୂର୍ବ (ମହାନଦୀ ଧାରା ସହିତଯାଇଛି ଏବଂ ପୂର୍ବଘାଟର ଉତ୍ତରପୂର୍ବଭାଗ ପୂର୍ବ ଫୁଲବାଣୀଢେଙ୍କାନାଳକଟକ ଓ ପୁରୀ ଜିଲ୍ଲା ଦେଇ ଉପକୂଳବର୍ତ୍ତୀ ଅବକ୍ଷେପର ତଳେ ଲୁକ୍କାୟିତ ହୋଇଛି । 

ପୂର୍ବଘାଟର ଏଇ ଦୃଶ୍ୟମାନ ପରିବର୍ତ୍ତିତ ଗତି ସଙ୍ଘଟିତ ହୋଇଛି ଉତ୍ତରପଶ୍ଚିମ ଦକ୍ଷିଣପୂର୍ବ ଅକ୍ଷରେ ଏକ ବୃହତ ଛେଦିତ ଭାଙ୍ଗ ଯୋଗୁ । ଏଇ ଅଧ୍ୟାରୋପଣ ବା ଛେଦିତ ଭାଞ୍ଜାୟନ ବହୁ ଗାଠନିକ ଅଧ୍ୟୟନ ଦ୍ୱାରା ପ୍ରମାଣିତ ହୋଇଛି । ତେଣୁ ସଂକ୍ଷେପରେ ପୂର୍ବଘାଟର ଭୂଚଳନକୁ କର୍ଦ୍ଦମାକ୍ତବାଲୁକାମୟ ଏବଂ ଚୂନମୟ ଅବକ୍ଷେପର ଭାଞ୍ଜାୟନ ଏବଂ ଗ୍ରାନାଇଟ ଫାସିଜର ପ୍ରଗାଢ଼ ରୂପାନ୍ତରଣ ଦ୍ୱାରା ଚାର୍ଣ୍ଣୋକାଇଟ ପ୍ରତିସ୍ଥାପନ ଶକ୍ତ ପଶ୍ଚିମାମୁଖୀ ଓଲଟ ଭାଞ୍ଜରେ ଅନ୍ତଃଭେଦନ (ନିର୍ଗମନ?) ଦ୍ୱାରା ସମ୍ଭବ ହୋଇଛି ବୋଲି କୁହା ଯାଇ ପାରେ । ତାହା ପରେ ଅବଶ୍ୟ ସେଥିରେ ଛେଦିତ ଭାଞ୍ଜାୟନ(ଅଧ୍ୟାରୋପଣ)ଭାଞ୍ଜାୟନ ଗ୍ରାବ୍ରୋ ଆନ୍ଥାସାଇଟର ଅନ୍ତର୍ଭେଦନ ଏବଂ ଇଚ୍ଚସ୍ତରୀୟ ପ୍ରଗାଢ଼ ଗ୍ରାନାଇଟ ଏବଂ ପଶ୍ଚିମସ୍ଥ ବକ୍ରସୀମାନାର ଗ୍ରାନୋଫାୟାର ଏବଂ ଆଲ୍‌କାଲିନ୍ ଶିଳାର ଅନ୍ତଃଭେଦନ ସହିତ କୁନ୍ତନ ଓ ବିଚ୍ୟୁତି ପରିଷ୍କାର ଭାବରେ ଦେଖା ଯାଇ ଥାଏ । ଏହା ପ୍ରଗାଢ଼ ଏକୀକରଣ ପରଚଳନ (ବିଶେଷକରି ପର୍ବତ୍ତନ ପ୍ରକ୍ରିୟା)ର ପ୍ରକୃଷ୍ଟ ପ୍ରମାଣ । ବିଭିନ୍ନ ଉଚ୍ଚତାରେ ଥିବା ଲାଟେରାଇଟ ଓ ବକ୍ସାଇଟ ଢାଙ୍କୁଣୀଯୁକ୍ତ କ୍ଷୟିତ ଉଭିଦ ଆଚ୍ଛାଦିତ ସମତଳରେ ପ୍ରବର୍ତ୍ତନ ପ୍ରକ୍ରିୟାକୁ ପ୍ରଭାବିତ କରିଥିବା ଶିଳା ଓ ବିଭିନ୍ନ ଭୂବିପର୍ଯ୍ୟୟର ବୟସ ନିରୁପଣ ଯଦିଓ ସମ୍ଭବ ନୁହେଁ । ତଥାପି, କୋରାପୁଟ ଜିଲ୍ଲାରୁ ଜଣାଯାଏ ଯେ ଏହି ଅଞ୍ଚଳ ବୋଧ ହୁଏ ଚତୁର୍ଥକଳ୍ପରେ ହିଁ ଏକାଧିକ ମହିଭାବକ ଚଳନ ଦ୍ୱାରା ଆକ୍ରାନ୍ତ ହୋଇଛି ।

ଲୌହ ଅୟସ୍କ ପୁଞ୍ଜର ଶିଳା ସମୁହର ଗତି କୋରାପୁଟ ଜିଲ୍ଲାର ସୁକମା ଶିଳାରେ ଉତ୍ତର ଦକ୍ଷିଣ ହୋଇ ଥିଲା ବେଳେ, କ୍ରମାନ୍ୱୟରେ ତାହା ସମ୍ୱଲପୁର ଜିଲ୍ଲାରେ ପହଞ୍ଚିଲା ବେଳକୁ ପୂର୍ବ ପଶ୍ଚିମ ହୋଇ ଯାଇଛି । ଢେଙ୍କାନାଳ ଓ କଟକ ଜିଲ୍ଲାରେ ଏଇ ଗତି ପଶ୍ଚିମଉତ୍ତର-ପଶ୍ଚିମ ପୂର୍ବ-ଦକ୍ଷିଣପୂର୍ବରୁ ପୂର୍ବ-ଉତ୍ତରପୂର୍ବ ପଶ୍ଚିମକୁ କିମ୍ୱା ଉତ୍ତରପୂର୍ବ ଦକ୍ଷିଣପଶ୍ଚିମକୁ ପରିବର୍ତ୍ତିତ ହୋଇଛି । ବୋଣାଇ ଅଞ୍ଚଳରେ କ୍ୱାର୍ଜାଇଟ୍‌ର ଏକ ଅତିରିକ୍ତ ଗତି ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ ଦିଗରେ ହୋଇ ଥିଲା ବେଳେ, ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ବାଦାମ ପାହାଡ଼ରେ ମଧ୍ୟ ସେଇ ପ୍ରବଣତା ପରିଲକ୍ଷିତ ହୋଇ ଥାଏ । ସମ୍ୱଲପୁର ଅଞ୍ଚଳରେ ପୂର୍ବ ପଶ୍ଚିମ କିମ୍ୱା ଉତ୍ତରପଶ୍ଚିମରୁ ଦକ୍ଷିଣପୂର୍ବ ଅକ୍ଷରେ ପ୍ରଗାଢ଼ ଭାବରେ ଭାଞ୍ଜିତ ହୋଇ ଦୃଢ଼ ସମପ୍ରବଣ ଭାଞ୍ଜରେ ପରିଣତ ହୋଇଛି । କଟକ ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ତାହା ଦକ୍ଷିଣପଶ୍ଚିମ ଦିଗରେ ଗତି କରିଛି ।


ବିଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Thursday, November 01, 2018

ପିଲାଙ୍କ ରଜ ଦୋଳି ଗୀତ -  'ଆକାଶରେ ମେଘ ଲୋ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆକାଶରେ ମେଘ ଲୋ
ହେଲା ରଜ ପାଗ,
ଆମ୍ବଗଛରେ ଦୋଳି ଝୁଲେ ରେ
କିଏ ଝୁଲିବ ଆଗ ଲୋ
ନେବ ସୁନାପାଗ ।

ଚକୁଳି ଚିତଉ ଲୋ ଘିଅପିଠା ଜାଉ,
ଭାଇଭଉଣୀ, ସାଥୀମିତଣୀ
ଖାଅ ସରିଯାଉ ଲୋ, 
ତଟକା ହେବ ଆଉ ।

ରଜ ଦୋଳି ମଜା ଲୋ
ସଜ ଚିଜ ମଜା
ବାସି ଜିନିଷ ଖାଇଲେ
ବଇଦ ହୁଏ ଖୋଜା ଲୋ
ସଜରେ ଦେହ ତାଜା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ।