Tuesday, November 06, 2018

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ନିଜସ୍ୱ ଅଭିବ୍ୟକ୍ତି ଓ ପ୍ରକୃତି ପରିଚୟ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଅଗଷ୍ଟ ମାକି (୧୮୮୭-୧୯୧୪)ଙ୍କର ଏକ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନିଜସ୍ୱ ଅଭିବ୍ୟକ୍ତି

ଗିଜୁଭାଇଙ୍କ ଚିନ୍ତନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ପିଲାମାନଙ୍କର ଅଭିବ୍ୟକ୍ତି । ନିଜକୁ ପ୍ରକାଶ କରିବା ସମସ୍ତଙ୍କ ଜୀବନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ । ମାନବ ଜାତି ଦ୍ୱାରା ଆଜି ଯାହା କିଛି ସୃଷ୍ଟି ହୋଇଛି, ସେ ସବୁ ହିଁ ଏଇ ମାନବ ଜାତିର ଅଭିବ୍ୟକ୍ତି । ଚିତ୍ର, ଗୀତ, କଥା, ନାଟକ, ଲୋକଗୀତ, କଳାକୃତି ସବୁ ଅଭିବ୍ୟକ୍ତିର ବିଭିନ୍ନ ରୂପ ।

ଗିଜୁଭାଇ ତାଙ୍କ ବିଦ୍ୟାଳୟର ପିଲାଙ୍କର ନିଜସ୍ୱ ଅଭିବ୍ୟକ୍ତିର ବିକାଶ ଦିଗରେ ବେଶ୍ ଗୁରୁତ୍ୱ ଦେଉ ଥିଲେ । ପ୍ରତ୍ୟେକ ଅଭିଭାବକ, ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଦାୟିତ୍ୱ ହେଲା, ପିଲାମାନଙ୍କର ସୃଜନଶୀଳତାର ବିକାଶ ଦିଗରେ ସେମାନଙ୍କୁ ସହଯୋଗ କରିବା । ପିଲାମାନଙ୍କୁ ଜୋର କରି କିଛି କରିବାକୁ ବାଧ୍ୟ କରା ଗଲେ ସେମାନଙ୍କର ଲାଭ ନୁହେଁ, ବରଂ କ୍ଷତି ହୋଇ ଥାଏ ।

ପ୍ରକୃତି ପରିଚୟ

ପ୍ରକୃତି ପରିଚୟ ମାଧ୍ୟମରେ ପିଲାଙ୍କ ବିକାଶ ଗିଜୁଭାଇଙ୍କର ଦର୍ଶନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ପଶୁପକ୍ଷୀ ତଥା ଉଭିଦ ସହ ପରିଚୟ, ଆକାଶରେ ତାରା ଚିହ୍ନିବା, ପ୍ରଜାପତିଙ୍କର ଜୀବନ ପ୍ରଣାଳୀ, ଚଢ଼େଇମାନଙ୍କର ବସା ଖୋଜିବା, ଅଣ୍ଡାଗୁଡ଼ିକୁ ନିରୀକ୍ଷଣ କରିବା ଆଦି ବିଭିନ୍ନ କାର୍ଯ୍ୟ ଗିଜୁଭାଇଙ୍କ ବିଦ୍ୟାଳୟର କାର୍ଯ୍ୟକ୍ରମରେ ରହୁ ଥିଲା । ପ୍ରକୃତି ଶିକ୍ଷା ମାଧ୍ୟମରେ ପିଲାମାନଙ୍କ ମନରେ ଧୈର୍ଯ୍ୟ ତଥା ଶ୍ରଦ୍ଧା ଉତ୍ପନ୍ନ ହୋଇ ଥାଏ । ମୋଟାମୋଟି ଭାବରେ କହିବାକୁ ଗଲେ, ପିଲାଟିଏ ଏକ ସୁସ୍ଥ ସାମାଜିକ ପ୍ରାଣୀ ଭାବରେ ବଢ଼ି ଉଠିବା ଦିଗରେ ପ୍ରକୃତି ଶିକ୍ଷା ଅନେକାଂଶରେ ସହାୟକ ହୋଇ ଥାଏ ।

ପ୍ରକୃତି ଶିକ୍ଷା ଦ୍ୱାରା ନୀତି ଶିକ୍ଷା ବି ହୋଇ ଥାଏ । ପ୍ରାଣୀ ଓ ଉଭିଦଙ୍କ ବିକାଶ ନିରୀକ୍ଷଣ କରୁ କରୁ ପିଲା ମଣିଷର ବିକାଶ ଦିଗରେ ଆଗ୍ରହୀ ହୁଏ । ଜୀବମାନଙ୍କ ସହ ସେ ଆତ୍ମିୟତାର ସମ୍ପର୍କ ଯୋଡ଼େ । ବଗିଚା କାମ ଓ ଜୀବଜନ୍ତୁ ପାଳିବା ଦ୍ୱାରା ପିଲାର ନୈତିକ ବିକାଶ ହୁଏ । ସେ ନିଜ ବାପା ମା’ ତଥା ଶିକ୍ଷକଙ୍କ ହୃଦୟ ଚିହ୍ନିବାକୁ ଲାଗେ । ବୈଜ୍ଞାନିକ ତଥ୍ୟ ପାଇବାର ମାଧ୍ୟମ ଭାବରେ କୌଣସି ଜିନିଷକୁ ନିରୀକ୍ଷଣ କରିବାର କ୍ଷମତା ମଧ୍ୟ ତାର ବଢ଼େ । ବହି ପଢ଼ି ଏସବୁ ଯେତେ ନ ବଢ଼େ, ପ୍ରାଣୀ ଉଭିଦ ଆଦିର ବିକାଶକୁ ଲକ୍ଷ୍ୟ କରି ତାହା ଠାରୁ ବେଶୀ ବଢ଼େ । ପ୍ରକୃତି ପିଲାକୁ ଉଦାରତା ଏବଂ ସମସ୍ତଙ୍କୁ ସମାନ ନଜରରେ ଦେଖିବା ଶିଖାଇ ଥାଏ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

No comments:

Post a Comment