Saturday, November 23, 2019

ପିଲାଙ୍କ ଗୀତ -  'କାଇଁଚ କେରିଏ ଦେଉଁ' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ବେଣାଚେର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କାଇଁଚ କେରିଏ ଦେଉଁ
ବେଣା କେରିଏ ଦେଉଁ
କାହିଁ ଗଲା ମୋ ବାଇଆ ହାତୀ
ଖୋଜି ଖୋଜି ନ ପାଉଁ ।

ବାଉଁଶବାଡ଼ିକୁ ଯାଉଁ
ଅଣଳା କୋଳି ଖାଉଁ
ଖୋଜି ଖୋଜି ମୋ ଧନମାଳିକୁ
ପାଉଁଶଗଦାରେ ପାଉଁ । 

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Tuesday, November 19, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଆମ ଦେଶରେ ପ୍ରଚଳିତ ଶିକ୍ଷାର ଅନୁପଯୋଗିତା


ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୦୮ ମସିହାରେ ଉତ୍ତୋଳିତ ମହାତ୍ମା ଗାନ୍ଧୀଙ୍କର ଆଲୋକଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍) 

ଶିକ୍ଷାର ଅର୍ଥ କଅଣ ? ଏହା ସରଳଭାବରେ ଅକ୍ଷରଜ୍ଞାନକୁ ବୁଝାଏ । ଏହା କେବଳ ଏକ ସାଧନ ଯନ୍ତ୍ର ଆମେ କୌଣସି ସାଧନର ସଦ୍‌ବ୍ୟବହାର କରିପାରୁଁ କିମ୍ୱା ଅସଦ୍ ବ୍ୟବହାର କରିପାରୁଁ । କୌଣସି ଅସ୍ତ୍ର ଦ୍ୱାରା କୌଣସି ରୋଗୀକୁ ଆରୋଗ୍ୟ କରାଯାଇପାରେ, ପୁଣି ସେହି ଅସ୍ତ୍ର ଦ୍ୱାରା ତାହାର ପ୍ରାଣ ନିଆଯାଇପାରେ । ଅକ୍ଷର ଜ୍ଞାନ କ୍ଷେତ୍ରରେ ଏହି ଉକ୍ତି ପ୍ରୟୋଗ କରାଯାଇପାରେ । ଆମ୍ଭେମାନେ ପ୍ରତିଦିନ ଲକ୍ଷ୍ୟ କରୁଛୁଁ ଯେ, ବହୁ ଲୋକ ଏହାର ଅପବ୍ୟବହାର କରୁଛନ୍ତି ଏବଂ ଅତି ଅଳ୍ପ ଲୋକେ ଏହାର ସଦ୍ ବ୍ୟବହାର କରୁଛନ୍ତି । ଯଦି ଆମର ଏ କଥା ସତ ହୋଇଥାଏ, ତେବେ ଅକ୍ଷର ଜ୍ଞାନ ଦ୍ୱାରା ହିତ ଅପେକ୍ଷା ହାନି ଅଧିକ ହୋଇଛି ବୋଲି ପ୍ରମାଣିତ ହେଲା ।

ସମ୍ପାଦକ: ବାଳକ (ବାଳିକା) ମାନଙ୍କୁ ପଠନ ଲିଖିନ ଓ ଗଣିତ ଶିକ୍ଷା ଦେବାକୁ ପ୍ରାଥମିକ ଶିକ୍ଷା କହନ୍ତି । ଚାଷୀ ସତ୍ ଉପାୟରେ ମୁଣ୍ତଝାଳ ତୁଣ୍ତରେ ମାରି ତାହାର ଜୀବିକା ଅର୍ଜନ କରେ । ସଂସାର ବିଷୟରେ ତାହାର ସାଧାରଣ ଜ୍ଞାନ ଥାଏ । ନିଜର ପିତା ମାତା ସ୍ତ୍ରୀ ସନ୍ତାନ,ସାଥୀ ଗ୍ରାମବାସୀ ମାନଙ୍କ ସହ କିପରି ବ୍ୟବହାର କରିବାକୁ ହୁଏ, ତାହା ସେ ଜାଣେ । ନୈତିକ ନିୟମମାନ ସେ ଜାଣେ ଏବଂ ପାଳନ କରେ ମାତ୍ର ସେ ନିଜର ନାମ ଲେଖି ଜାଣେ ନାହିଁ । ତା'କୁ ଅକ୍ଷରଜ୍ଞାନ ଦେଇ ତାହାର କଅଣ କରିପାରିବେ ବୋଲି ଆପଣ ଭାବୁଛନ୍ତି ? ଆପଣ ତାହାର ସୁଖରେ କାଣିଚାଏ ଯୋଗ କରିବେ କି ତାହାର କୁଡ଼ିଆଘର ଓ ଆପଣାର ଭାଗ୍ୟ ବିଷୟରେ ଆପଣ ତାହା ମନରେ ଅସନ୍ତୋଷ ଜନ୍ମାଇବାକୁ ଚାହାନ୍ତି କିଁ ? ଆପଣ ତାହା କରିବାକୁ ଚାହୁଁଥିଲେ ସୁଦ୍ଧା ଚାଷୀ ଏପରି ଶିକ୍ଷା ଚାହେଁ ନାହିଁ ।ପାଶ୍ଚାତ୍ୟ ବିଚାରବନ୍ୟାରେ ଭାସି ଯାଇ, ସପକ୍ଷ ଓ ବିପକ୍ଷରେ ଯୁକ୍ତିଗୁଡ଼ିକ ଓଜନ ନ କରି ଆମେ ସିଦ୍ଧାନ୍ତ କରିପକାଇଛୁଁ ଯେ, ଦେଶବାସୀଙ୍କୁ ଏହି ଶିକ୍ଷା ଦେବା ଉଚିତ ଅଟେ । ବର୍ତ୍ତମାନ ଉଚ୍ଚଶିକ୍ଷାର କଥା ବିଚାର କରାଯାଉ । ମୁଁ ଭୂଗୋଳଗଣିତ, ଜ୍ୟୋତିଷ, ବୀଜ-ଗଣିତଜ୍ୟାମିତି ଆଦି ପଢ଼ିଛି । ସେଥିରେ ମୋହର କଅଣ ହୋଇଯାଇଛି ? ମୁଁ ଏସବୁ ପଢ଼ିବା ଦ୍ୱାରା ମୋର ନିଜର ବା ପଡ଼଼ୋଶୀମାନଙ୍କର କି ଉପକାର ହୋଇଛି

ଅଧ୍ୟାପକ ହକ୍‌ସ୍ଲେ ଶିକ୍ଷାର ସଂଜ୍ଞା ନିମ୍ନମତେ ଦେଇଛନ୍ତି । ଯେ କିଶୋର ଅବସ୍ଥାରେ ଏପରି ତାଲିମ ପାଇଛି ଯେ, ତାହାର ଶରୀର ନିଜ ଇଚ୍ଛାଶକ୍ତିର ସଦା ଆଜ୍ଞାବହ; ଗୋଟିଏ ଯନ୍ତ୍ର ଭାବରେ ଦେହ ଯାହା କରିବାକୁ ସମର୍ଥ ତାହା ସେ ଅନାୟାସରେ ଓ ଆନନ୍ଦରେ କରିଯାଉଥାଏଯାହାର ବୁଦ୍ଧି ସ୍ୱଚ୍ଛ, ଶାନ୍ତ (ଉତ୍ତେଜନାଶୂନ୍ୟ) ତର୍କର ଇଞ୍ଜିନ ଏବଂ ଯେଉଁ ଇଞ୍ଜିନର ସକଳ ଅଙ୍ଗ ସମାନ ଶକ୍ତିଯୁକ୍ତ ଓ ସୁନ୍ଦର କାର୍ଯ୍ୟକାରୀ ଅବସ୍ଥାରେ ଅଛି,... ପ୍ରକୃତିର ମୌଳିକ ସତ୍ୟଗୁଡ଼ିକର ଜ୍ଞାନରେ ଯାହାର ମାନସ ପରିପୂର୍ଣ୍ଣ... ଯାହାର ପ୍ରବଳ ଇଚ୍ଛାଶକ୍ତି ଉଗ୍ର ବାସନାଗୁଡ଼ିକୁ ନିଜର ଆୟତ୍ତରେ ରଖିପାରିଛି, ଯେ କୋମଳ ବିବେକର ଶାସନ ଦ୍ୱାରା ସେଗୁଡ଼ିକୁ ବଶ କରିପାରିଛି,... ଯେ ସକଳ ପ୍ରକାରର ନୀଚତାକୁ ଘୃଣା କରେ ଏବଂ ଅନ୍ୟକୁ ଆପଣା ପରି ସମ୍ମାନ ଦିଏ ଏପରି ବ୍ୟକ୍ତି ଯଥାର୍ଥରେ ଉଦାର ଶିକ୍ଷା ଲାଭ କରିଛି ବୋଲି ମୁଁ କହିବି । ଏହା ଭିନ୍ନ ଆଉ କେହି ଉଦାର ଶିକ୍ଷା ପାଇଛି ବୋଲି ମୁଁ କହିବି ନାହିଁ । କାରଣ, ସେ (ପ୍ରକୃତ ଶିକ୍ଷିତ ବ୍ୟକ୍ତି) ପ୍ରକୃତି ସହ ଐକ୍ୟ ସ୍ଥାପନ କରିପାରିଛି । ସେ ପ୍ରକୃତିର ଓ ପ୍ରକୃତି ତାହାର ସର୍ବୋତ୍କୃଷ୍ଟ ବ୍ୟବହାର କରିପାରିବ ।

ଏହାକୁ ହିଁ ଯଦି ଯଥାର୍ଥ ଶିକ୍ଷା କୁହାଯାଏ, ତେବେ ଯେଉଁ ବିଜ୍ଞାନଗୁଡ଼ିକର କଥା କହିଲି,ମୋର ଇନ୍ଦ୍ରିୟ ଗୁଡ଼ିକୁ ସଞ୍ଜତ କରିବା ପାଇଁ ମୁଁ ସେଗୁଡ଼ିକୁ ବ୍ୟବହାର କରିପାରି ନାହିଁ । ତେଣୁ ପ୍ରାଥମିକ ଶିକ୍ଷା ହେଉ ବା ଉଚ୍ଚ ଶିକ୍ଷା ହେଉଅସଲ ଉଦ୍ଦେଶ୍ୟ ପାଇଁ ଏହା ଲୋଡ଼ା ନାହିଁ । ଏ ସବୁ ଆମକୁ ମଣିଷ କରାଇ ପାରିବ ନାହିଁ । ଆପଣା କର୍ତ୍ତବ୍ୟ କରିବାରେ ଏହା ଆମକୁ ଅଧିକ ସମର୍ଥ କରିପାରିବ ନାହିଁ ।

ପାଠକ: ଏହା ହୋଇଥିଲେ ଆପଣଙ୍କୁ ମୋର ଆଉ ଗୋଟିଏ ପ୍ରଶ୍ନ କରିବାକୁ ଅଛି । କାହା ବଳରେ ଆପଣ ମୋତେ ଏ ସବୁ ବିଷୟ ବୁଝାଇ କହିପାରିଛନ୍ତି ? ଯଦି ଆପଣ ଉଚ୍ଚ ଶିକ୍ଷା ପାଇ ନଥା'ନ୍ତେ, ଆପଣ ମୋତେ ଏସବୁ ବୁଝାଇ ପାରିଥା'ନ୍ତେ କି ?

ସମ୍ପାଦକ: ଆପଣ ଭଲ ପ୍ରଶ୍ନଟିଏ ଉଠାଇଛନ୍ତି । କିନ୍ତୁ ମୋର ଉତ୍ତର ଅତି ସରଳ । ଉଚ୍ଚ ବା ନିମ୍ନ ଶିକ୍ଷା ପାଇ ନ ଥିଲେ ମୋ' ଜୀବନ ଯେ ବ୍ୟର୍ଥ ହୋଇଯାଇଥା'ନ୍ତା, ମୂହୁର୍ତ୍ତକ ପାଇଁ ମୁଁ ଏପରି ବିଶ୍ୱାସ କରୁନାହିଁ । ମୁଁ କହିବୋଲି ପାରୁଛି ବୋଲି ଯେ ମୁଁ କାହାର ସେବା କରିପକାଉଛି –ଏହା ମୁଁ ଭାବୁନାହିଁ । କିନ୍ତୁ ମୋ ଭିତରେ ସେବା କରିବାର ତୀବ୍ର ଭାବନା ଅଛି ଏବଂ ସେହି ଇଚ୍ଛା ପୂରଣ କରିବା ପାଇଁ ମୋର ଶିକ୍ଷାକୁ ମୁଁ କାର୍ଯ୍ୟରେ ଲଗାଉଛି । ମୁଁ ଏହି ଶିକ୍ଷାର ସଦ୍‌ବ୍ୟବହାର କରୁଥିଲେ ହେଁ ଏହା କୋଟି କୋଟି ଲୋକଙ୍କ ପାଇଁ ନୁହେଁ କେବଳ ଆପଣଙ୍କ ପରି କେତେକଙ୍କ ପାଇଁ । ଏହି ଦୃଷ୍ଟିରୁ ମୋର ଯୁକ୍ତି ପ୍ରତିଷ୍ଠିତ ହୋଇଯାଉଛି । ଆପଣ ଓ ମୁଁ ଯେଉଁ ବିଷମୟ ପ୍ରଭାବରେ ପଡ଼ିଛୁଁ ,ତାହା ପ୍ରଧାନତଃ ଭ୍ରାନ୍ତ ଶିକ୍ଷା । ଏହି ଭ୍ରାନ୍ତ ଶିକ୍ଷାର କୁପ୍ରଭାବରୁ ନିଜକୁ ମୁକ୍ତ କରିପାରିଛି ବୋଲି ମୁଁ ଦାବୀ କରୁଛି ଏବଂ ମୋର ଅଭିଜ୍ଞତାର ଉପକାର ଆପଣଙ୍କୁ ଦେବା ପାଇଁ ଚେଷ୍ଟା କରୁଛି । ଏହା ଦ୍ୱାରା ମୁଁ ଏହି ଶିକ୍ଷାର ଅସାରତା ପ୍ରମାଣ କରି ଦେଖାଉଛି ।

ଅଧିକନ୍ତୁ ସକଳ ପରିସ୍ଥିତିରେ ମୁଁ ସାକ୍ଷରତାର ବା ପୁସ୍ତକଗତ ଜ୍ଞାନର ଯେ ବିରୋଧ କରୁଛିତାହା ନୁହେଁ । ମୁଁ ଏତିକି ମାତ୍ର ଦେଖାଇଛି ଯେ ଏହାକୁ ଆମେ ଏକ ବରଦାନକାରୀ ଦେବତା ବୋଲି ଭାବିବା ଉଚିତ ନୁହେଁ । ଏ ଆମର କାମଧୂକ ନୁହେଁ । ଯଥା ସ୍ଥାନରେ ଥିବା ପର୍ଯ୍ୟନ୍ତ ଏହା ଆମର କାମରେ ଆସିପାରିବ । ଏହା ଦ୍ୱାରା ଯେତେବେଳେ ଇନ୍ଦ୍ରିୟଗୁଡ଼ିକୁ ଆମର ବଶୀଭୂତ କରିପାରିବୁ, ଆମର ନୀତିମୟ ଜୀବନଦର୍ଶନକୁ ଏକ ସୁଦୃଢ଼ ମୂଳଦୁଆ ଉପରେ ପ୍ରତିଷ୍ଠିତ କରିପାରିବୁଁ ସେତିକିବେଳେ ମୁଁ କହିବି ଏହାର ଆବଶ୍ୟକତା ଅଛି । ସେତେବେଳେ ଆମେ ସେହି ଶିକ୍ଷା ପାଇବାକୁ ଚାହିଁଲେ ଆମେ ତାହାର ସଦ୍‌ବ୍ୟବହାର କରିପାରୁ । ଅଳଙ୍କାର ପରି ଏହା ଆମଠାରେ ସମସ୍ତଙ୍କ ସକାଶେ ବାଧ୍ୟତାମୂଳକ କରିବା ଅନାବଶ୍ୟକ । ଆମର ପ୍ରାଚୀନ ଶିକ୍ଷାପଦ୍ଧତି ଆମ ପକ୍ଷରେ ଯଥେଷ୍ଟ । ଚରିତ୍ର ଗଠନକୁ ଏଥିରେ ପ୍ରଥମ ସ୍ଥାନ ଦିଆଯାଇଛି ଏବଂ ତାହା ହିଁ ପ୍ରାଥମିକ ଶିକ୍ଷା । ସେହି ମୂଳଦୁଆ ଉପରେ ଆମେ ଯାହା ଗଢିବୁଁ ତାହା ତିଷ୍ଠିବ ।


(ହିନ୍ଦ ସ୍ୱରାଜ୍ ,୧୮ଶ ଅଧ୍ୟାୟ-୧୯୦୮ ମସିହାର ସଂସ୍କରଣ)