Saturday, June 30, 2018

ଗିଜୁଭାଇଙ୍କ ଅନୁଭୂତି: ବାଳଶାଳାର ଅବସ୍ଥା ଓ ଦଣ୍ଡଦେବାର ବିଧି

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଶ୍ରେଣୀଗୃହରେ ଦଣ୍ଡର ଦୃଶ୍ୟ (ୱିକିମିଡିଆ କମନ୍ସ୍)

ବାଳଶାଳାର ଅବସ୍ଥା


ଏବେ ଆମର ପିଲାଙ୍କ ବିଦ୍ୟାଳୟର ଅବସ୍ଥା କେତେ ଖରାପ ତାହା ଆପଣମାନେ ଜାଣିଛନ୍ତି । କୋଠରୀରେ ଆଲୁଅ ଓ ପବନ ଯିବା ପାଇଁ ବ୍ୟବସ୍ଥା ନାହିଁ । ଶିକ୍ଷକଙ୍କୁ କେବଳ ପେଟ ପୂରିବା ଭଳି ଅଳ୍ପ ଦରମା ମିଳୁଛି । ବିଦ୍ୟାଳୟରେ ପଢ଼ା ଯାଉଥିବା ପାଠର ବିଷୟବସ୍ତୁଶିକ୍ଷଣ ପଦ୍ଧତି ଆଦି ଉପରେ ଏମାନଙ୍କର ଚିନ୍ତାଧାରା ଅତି ସଙ୍କୀର୍ଣ୍ଣ । ସମାଜରେ ବି ଏମାନଙ୍କ ସ୍ଥାନ ବହୁତ ତଳେ ।

ବାଳଶାଳାର ପିଲାମାନେ ବି ଭୟଆଶଙ୍କାରେ ଦବି ରହିଛନ୍ତି । ସେମାନେ ମଇଳାନିର୍ଜୀବ ମଣିଷ ରୂପରେ ଚେତନାହୀନ ପ୍ରାଣୀ ଭଳି ମନେ ହେଉଛନ୍ତି । ବିଦ୍ୟାଳୟ ପାଖ ଦେଇ ଗଲା ବେଳେ ଗାଁର ପଂକ୍ତିଭୋଜନ ଭଲି ଘୋ’ଘୋ’ ଶୁଭୁଥିବ । ବିଦ୍ୟାଳୟ ଭିତରେ ହୃଦୟହୀନପ୍ରେମହୀନ ଶିକ୍ଷକ ପିଲାଙ୍କ ସ୍ୱାଭାବିକ କୁତୂହଳକୁ ମାରିବା ଭଳି ଶିକ୍ଷା ଦେଉ ଥିବାର ଦେଖାଯିବ । ଚାରିଆଡ଼କୁ ନଜର ପକାଇଲେ ସଂସ୍କୃତିର ନାଁ ଗନ୍ଧ ହିଁ ମିଳିବ ନାହିଁ । ଗୋଟେ ଦିଇଟା କଳାପଟାଖଣ୍ଡେ ଦିଖଣ୍ଡ ଚକ୍ ଟୁକୁଡାବାଡି ଏବଂ ଘଣ୍ଟି ହେଉଛି ଏହାର ସାଧନ । ପିଲାମାନେ ଧାଡ଼ି ଧାଡ଼ି ହୋଇ ବସି କିଛି ନା କିଛି କରୁ ଥାଆନ୍ତି । ଆମର ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଏହି ଭଳି ।”

ଦଣ୍ଡ ଦେବାର ବିଧି

ଶିକ୍ଷକ ବିଭିନ୍ନ ପ୍ରକାରର ଦଣ୍ଡ ଦିଅନ୍ତି । ବାଡ଼ିରେ ମାରିବା ତ ସାଧାରଣ କଥା । ଶାନ୍ତ ପିଲାଙ୍କୁ ଏକଗୋଡ଼ିକିଆ ଠିଆ କରାଯାଏ । ହାତରେ ଗୋଟିଏ ଗୋଟିଏ ଇଟା ଧରେଇ ଦିଆ ଯାଉଥିଲା କିମ୍ୱା ହାତକୁ ଦୁଇ ଆଡକୁ ଲମ୍ୱେଇ ରଖିବାକୁ କୁହା ଯାଉଥିଲା । ଦୁଷ୍ଟ ପିଲାଙ୍କ ହାତ ଧରି ବେକ ବା ପିଠିରେ ବେତରେ ବହୁତ ମରା ଯାଉଥିଲା । ପିଲା ହଲିଗଲେ ମାଡ଼ ଆହୁରି ଜୋର ହେଉଥିଲା । ଅତି ଦୁଷ୍ଟ ପିଲାଙ୍କୁ ମୁଣ୍ଡ ତଳକୁ କରି ଝୁଲାଇ ଦିଆ ଯାଉଥିଲା । ଧମକ ଦିଆ ଯାଉଥିଲା, ‘ଓଲଟା ଟାଙ୍ଗିତଳେ ନିଆଁ ଲଗେଇଉପରେ ବାଡ଼ିରେ ପିଟି ଦେବି ।’ କଲିକତା ରିଭ୍ୟୁ ପତ୍ରିକାରେ ଥରେ ପଢ଼ି ଥିଲି ଯେ, ପିଲାକୁ ଗୋଟିଏ ବିଲେଇ ସହ ଅଖାରେ ପୂରେଇ ଗଡ଼େଇ ଦିଆ ଯାଉଥିଲା । କାଠିଆୱାଡ଼ା ଅଞ୍ଚଳରେ କାଠର ଗୋଟିଏ ବେଡ଼ି ବା ଯନ୍ତା ରଖା ଯାଉଥିଲା । ପିଲାର ଗୋଡ଼କୁ ଯନ୍ତାରେ ପୂରାଇ ଜୋରରେ ବାନ୍ଧି ଦିଆ ଯାଉଥିଲା । ଛୁଟି ପରେ ଡେରିରେ ପିଲାକୁ ଛାଡିବାତା'କୁ ଠିଆ କରାଇ ରଖିବା ଆଦି ସାଧାରଣ ଦଣ୍ଡ ଥିଲା ।”

ବି.ଦ୍ର ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Thursday, June 28, 2018

ପିଲାଙ୍କ ପାଇଁ କବିତା - 'ଅବୋଲକରା'

କବି - ଜଗନ୍ନାଥ ପ୍ରସାଦ ଦାସ


ଟୋକିଓର ପ୍ରସିଦ୍ଧ ଦୋକାନ ଇଜୁମିୟୋ ତୋକିଓତେନ୍‌ର ବିସ୍କୁଟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ରମ୍‌ରେ ମିଶାଅ ପାଣି କହିଲେ ସେ
ପାଣିରେ ମିଶାଏ ରମ୍
କମ୍ ବେଶି ଦିଅ କହିଲେ ସେ ଆଣି
ଦେଇଯାଏ ବେଶି କମ୍ ।

ମୁଁ କହିଲେ ତାକୁ ଚା' ବା ବିସ୍କୁଟ
ସେ ଆଣେ ବିସ୍କୁଟ ଚା'
ସେଠିକି ଯିବା ମୁଁ ଯଦି କହେ ତାକୁ
ସେଠାରୁ ସେ କହେ ଆ ।

ପାଦ ପୂରଣ ସେ କରେ କବିତାର
ଆଗ ଧାଡ଼ିଟିକି ଯୋଖି
ମୁଁ ତାକୁ ଦେଖାଏ ଯଦି କବିତାର
ଶେଷ ଧାଡ଼ିଟିକି ଲେଖି ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Tuesday, June 26, 2018

ଗାନ୍ଧୀଙ୍କର ଶିକ୍ଷାବିଚାର - 'ନିଜ ପିଲାଙ୍କ ପାଠ-ପଢ଼ା'

ଅନୁବାଦ - ଚିତ୍ତରଞ୍ଜନ ଦାସ


ତଲସ୍ତୟ ଫାର୍ମରେ ମହାତ୍ମା ଗାନ୍ଧୀ (୧୯୧୦ ମସିହାରେ ଉତ୍ତୋଳିତ ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଡରବାନ୍‌ରେ ଘର କରିଥିଲି କିନ୍ତୁ ସେଥିରେ ଫେରପାର୍ ତ କରୁଥାଏ । ବହୁତ ଖର୍ଚ୍ଚ କଲେ ସୁଦ୍ଧା ମତିଗତି ସରଳ ଜୀବନ ଆଡ଼କୁ ଥିଲା । ମାତ୍ର ଜୋହାନ୍‌ସବର୍ଗଠାରେ ‘ସର୍ବୋଦୟ'ର ବିଚାରଧାରା ବେଶୀ ପରିବର୍ତ୍ତନ କରେଇ ଥିଲା । ଜଣେ ବାରିଷ୍ଟର ଘରେ ଯେତେ ଦୂର ସାଦାସିଧା କଥା ଚଳେଇ ହେବ, ସେତେ ଦୂର ପରିବର୍ତ୍ତନ ମୁଁ କରିଦେଇ ଥିଲି । ତଥାପି କେତେକ ଆସବାବପତ୍ର ଛଡ଼ା ଚଳିବା ସମ୍ଭବ ନ ଥିଲା । ପ୍ରକୃତ ସରଳତା ତ ମନ ଭିତରେ ବଢ଼ିଥିଲା । ପ୍ରତ୍ୟେକ କାମ ନିଜ ହାତରେ କରିବାର ଶ୍ରଦ୍ଧା ବଢ଼ିଥିଲା ଏବଂ ସେଥିରେ ପିଲାମାନଙ୍କୁ ମଧ୍ୟ ପକାଇବାକୁ ମୁଁ ଉଦ୍ୟମ ଆରମ୍ଭ କରିଥିଲି ।

ଦୋକାନରୁ ପାଉଁରୁଟି କିଣିବା ପରିବର୍ତ୍ତନରେ ଡ଼ାକ୍ତର ଜୁନେଙ୍କ ପ୍ରଣାଳୀରେ ଘରେ ବିନା ମହୀରେ ରୁଟି ତିଆରି କରିବାକୁ ଆରମ୍ଭ କରିଦେଲୁ । ଏଥିରେ କଳ ଅଟା କାମରେ ଆସୁ ନ ଥିଲା । ଉପରନ୍ତୁ କଳ ଅଟାଠାରୁ ହାତପେଷା ଅଟା ବ୍ୟବହାର କରିବାରେ ସରଳତା, ସ୍ୱାସ୍ଥ୍ୟ ଓ ଖର୍ଚ୍ଚ ବେଶି ରକ୍ଷା ହେବ ବୋଲି ବିଚାରଥିଲୁ । ମୁଁ ଶହେ ପାଞ୍ଚ ଟଙ୍କା ଦେଇ ଗୋଟିଏ ହାତପେଷା ଚକି କିଣିଥିଲି । ଚକି ଦି’ ପଟ ଭାରି ଥିଲା । ତା'କୁ ବୁଲେଇବାକୁ ଦୁଇ ଜଣକୁ ସହଜ ହେଉଥିଲା କିନ୍ତୁ ଜଣକୁ ଭିଡ଼ ହେଉଥିଲା ମୁଁ ପୋଲକ ଓ ପୁଅମାନେ ଏ କାମରେ ଲାଗୁଥିଲୁ । ରୋଷେଇ ସମୟ ଚକିପେଷା ସମୟ ସଙ୍ଗେ ପଡ଼ୁଥିଲେ ସୁଦ୍ଧା କସ୍ତୂରବା ମଝିରେ ମଝିରେ ଆସି ସାହାଯ୍ୟ କରୁଥିଲା । ଏବେ ମିସେସ୍ ପୋଲକ ଆସିବା ପରେ ସେ ମଧ୍ୟ ଯୋଗ ଦେଇଥିଲା । ଚକିପେଷା ପରିଶ୍ରମ ପିଲାଙ୍କୁ ଭାରି ଉପକାର କରୁଥିଲା । ଏ କାମ ବା ଅନ୍ୟ କୌଣସି କାମ ତାଙ୍କ ଉପରେ ମୁଁ କେବେହେଲେ ଲଦୁ ନଥିଲି । ବରଂ ସେମାନେ ଖେଳ ଭଳି ଏଥିରେ ଆସି ଯୋଗ ଦେଉଥିଲେ ଓ ଥକି ପଡ଼ିଲେ ଚାଲିଯିବା ପାଇଁ ତାଙ୍କୁ ଅନୁମତି ଥିଲା । ମୋ ପିଲାମାନେ ତଥା ଅନ୍ୟ ଯେଉଁମାନଙ୍କ କଥା ପରେ ମୁଁ କହିବି, ସମସ୍ତେ କେଉଁ କାରଣରୁ କେଜାଣି ମତେ ସବୁବେଳେ ଖୁବ୍ କମ୍ ନିରାଶ କରି ଦେଇଛନ୍ତି । ଅବଶ୍ୟ ମୋ କପାଳକୁ ତେଢ଼ା ପିଲା ଜୁଟୁଥିଲେ । କିନ୍ତୁ ଅଧିକାଂଶ ତାଙ୍କୁ ଦିଆଯାଇ ଥିବା କାମ ଆନନ୍ଦର ସହିତ କରୁଥିଲେ । 'ଥକି ପଡ଼ିଛି', ଏପରି ଆପତ୍ତି ସେ ସମୟର କମ୍ ପିଲା କରୁଥିବେ ବୋଲି ମୋର ମନେ ପଡ଼େ ।

ଘର ସଫା କରିବା ପାଇଁ ଆମେ ଗୋଟିଏ ଚାକର ନିଯୁକ୍ତ କରିଥିଲୁ । ସେ ପରିବାରର ଲୋକ ଭଳି ରହୁଥିଲା ଓ ପିଲାମାନେ ତା' କାମରେ ପୂରା ସାହାଯ୍ୟ କରୁଥିଲେ । ମ୍ୟୁନିସିପାଲିଟି ମେହେନ୍ତର ମଇଳା ସଫା କରି ନେଉଥିଲା । ମାତ୍ର ପାଇଖାନା ଘରଟା ସଫା କରିବା, ବୈଠକ ଧୋଇବା ପ୍ରଭୃତ କାମ ଆମେ ନିଜେ ନିଜେ କରୁଥିଲୁ । ଚାକରକୁ କେବେ କରିବାକୁ କହୁ ନ  ଥିଲୁ, କି ତା' ଠାରୁ ସେ କାମ ପ୍ରତ୍ୟାଶା ବି କରୁ ନ ଥିଲୁ । ଏଥିରୁ ପିଲାମାନେ ଶିକ୍ଷା ମଧ୍ୟ ପାଇଥିଲେ । ଫଳରେ ମୋର କୌଣସି ପୁଅ କେବେ ପାଇଖାନା ସଫା କାମ କରିବାକୁ ଘୃଣା ବୋଧ କରିନାହି ଏବଂ ସେମାନେ ସ୍ୱାସ୍ଥ୍ୟର ସାଧାରଣ ନିୟମ ସହଜରେ ଶିଖିଛନ୍ତି । ଜୋହାନସ୍‌ବର୍ଗରେ କେହି କ୍ୱଚିତ୍ ବେମାର ପଡ଼ୁଥିଲେ ମାତ୍ର ବେମାର ହେଲେ ପିଲାମାନେ ସେବା ଶୁଶୃଷା କରୁଥିଲେ ଏବଂ ଏ କାମ ସେମାନେ ଆନନ୍ଦରେ କରୁଥିଲେ ।

ତାଙ୍କୁ ଅକ୍ଷର ଜ୍ଞାନ ଦେବା ବିଷୟରେ ମୁଁ ଅବହେଳା କରିଥିଲି ବୋଲି କହିବି ନାହିଁ । ତେବେ ଅକ୍ଷର ଶିକ୍ଷାକୁ ଚଳି ଦେବାକୁ ମୁଁ କୁଣ୍ଠିତ ହୋଇ ନାହିଁ ଏବଂ ଏତିକି ଅଭାବ ଯୋଗୁଁ ମୋ ବିରୁଦ୍ଧରେ ମୋ ପୁଅମାନଙ୍କର ଅଭିଯୋଗ କରିବାର କାରଣ ରହି ଯାଇଛି । କେତେ ଥର ସେମାନେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି ଏବଂ କେତେକ ପରିମାଣରେ ସେଥିପାଇଁ ମୁଁ ନିଜକୁ ଦୋଷୀ ମାନୁଛି । ତାଙ୍କୁ ଅକ୍ଷର ଜ୍ଞାନ ଦେବାକୁ ମୋର ବହୁତ ଆଗ୍ରହ ଥିଲା । ମୁଁ ନିଜେ ତାହା ଦେବାକୁ ଚେଷ୍ଟା ମଧ୍ୟ କରିଥିଲି । କିନ୍ତୁ ସବୁବେଳେ କିଛି ନା କିଛି ବିଘ୍ନ ଆସି ପହଞ୍ଚି ଯାଉଥିଲାଘରେ ପଢ଼େଇବାର ଅନ୍ୟ କୌଣସି ବନ୍ଦୋବସ୍ତ କରି ନ ଥିବାରୁ ତାଙ୍କୁ ଅଫିସକୁ ସଙ୍ଗରେ ଚଲେଇ ନେଉଥିଲି । 

ଅଫିସ ଅଢ଼େଇ ମାଇଲ ଦୂର ଥାଏ । ସକାଳ ସଞ୍ଜ ମିଳି କମସେ କମ ପାଞ୍ଚ ମାଇଲ ପରିଶ୍ରମ ତାଙ୍କୁ ଓ ମତେ ମିଳିଯାଇ ଥିଲା । ମୋ ସହିତ ଅନ୍ୟ କେହି କଥାବାର୍ତ୍ତା କରିବାକୁ ନ ଥିଲେ । ଏତକ ବାଟ ଯିବା ଆସିବା ବେଳେ ମୁଁ ତାଙ୍କୁ ଶିଖେଇବାକୁ ଚେଷ୍ଟା କରୁଥିଲି । ଅଫିସରେ ସେମାନେ ମହକିଲ ଓ ମୋହରିରଙ୍କ ସଙ୍ଗେ ମିଶନ୍ତି, କିଛି କିଣାକିଣି ଥିଲେ ତାହା କରନ୍ତି । ମୋର ବଡ଼ ପୁଅ ହରିଲାଲ ଭାରତର ରହି ଯାଇଥିଲା । ଅନ୍ୟ ସମସ୍ତେ ଜୋହାନ୍‌ସ୍‌ବର୍ଗରେ ଏହି ପରି ଶିକ୍ଷା ପାଇ ବଢ଼ିଥିଲେ ମୁଁ ଯଦି ତାକୁ ନିୟମିତ ରୂପେ ଅନ୍ତତଃ ଘଣ୍ଟାଏ ଲେଖାଏଁ ବହି ପାଠ ପଢ଼େଇ ପାରି ଥାଆନ୍ତି, ମୋ ବିଚାରରେ ମୁଁ ତାଙ୍କୁ ଆଦର୍ଶ ଶିକ୍ଷା ଦେଇଥାନ୍ତି । କିନ୍ତୁ ମୋର ଓ ତାଙ୍କର ଦୁଃଖ ରହିଗଲା ଯେ, ଏଭଳି ଉଦ୍ୟମ ମୁଁ କରି ନ ଥିଲି । ବଡ଼ ପୁଅ ତ ତା'ର ମନଦୁଃଖ ମୋ ଆଗରେ ତଥା ବାହାରେ ପ୍ରକାଶ କରିଛି । ଅନ୍ୟ ପୁଅମାନେ ଉଦାର ଭାବରେ ମୋର ଏ ଦୋଷକୁ ଅନିବାର୍ଯ୍ୟ ବୋଲି କ୍ଷମା କରିଛନ୍ତିମୁଁ ସେଥିପାଇଁ ଅନୁତପ୍ତ ନୁହେଁ ଏବ‌ଂ ଯଦିବା ଦୁଃଖ ଥାଏ, ତାହା ଏତିକି ଯେ, ମୁଁ ଆଦର୍ଶ ପିତା ହୋଇ ପାରିନାହିଁ । ମୋର ମତ ଯେ ସେମାନଙ୍କର ପୁସ୍ତକଗତ ଶିକ୍ଷା ମୁଁ ସେତେବେଳେ ଅଜ୍ଞାନରେ ହେଉ ପଛେ ଯାହାକୁ ସମାନସେବା ବୋଲି ମନେ କରୁଥିଲି, ତାହାର ପାଇଁ ବଳି ଦେଇଥିଲି । ତାଙ୍କ ଚରିତ୍ର ଗଢ଼ିବା ପାଇଁ ଯାହା ଉଚିତ, ମୁଁ ସେଥିରେ ତୃଟି କରି ନାହିଁ ବୋଲି କହି ପାରେ ଏବଂ ମୋ ମତରେ ପ୍ରତ୍ୟେକ ପିତାମାତାଙ୍କର ଏହା ଅତ୍ୟାବଶ୍ୟକ । ମୋର ଧୃବ ବିଶ୍ୱାସ ଯେ ମୋର ପରିଶ୍ରମ ସତ୍ତ୍ୱେ ପୁଅମାନଙ୍କ ଚରିତ୍ରରେ ଯଦି କୌଣସି ଦୋଷ ଦେଖା ଦେଇଛି, ତାହା ଦମ୍ପତ୍ତିଙ୍କର ଦୋଷର ପ୍ରତିବିମ୍ୱ ଅଟେ ।

ପିଲାମାନେ ତାଙ୍କର ପିତାମାତାଙ୍କର ଆକାର-ପ୍ରକାର ଯେପରି ପାଇଥାନ୍ତି, ସେମିତି ସେମାନେ ତାଙ୍କର ଦୋଷଗୁଣର ଉତ୍ତରାଧିକାରୀ ମଧ୍ୟ ହୋଇଥା'ନ୍ତି । ଚାରିଆଡ଼େ ଆବହାଉଆ ଯୋଗୁ ଅନେକ ପ୍ରକାର ଉନ୍ନତି ଅବନତି ହୋଇଥାଏ ସତ, କିନ୍ତୁ ମୂଳଧନ ଯେ ବାପ ଅଜାଙ୍କଠାରୁ ମିଳିଥାଏ ଏହା ମଧ୍ୟ ଏକଦମ୍ ସତ । ମୁଁ ଦେଖିଛି ଯେ, କେତେକ ପିଲା ବାପମାଆଙ୍କର ମୌରସି ଦୋଷରୁ ନିଜକୁ ବଞ୍ଚେଇ ନେଇଥା'ନ୍ତି । ଏହା ଆତ୍ମାର ମୌଳିକ ସ୍ୱଭାବ । ସେତକ ତା'ର ବାହାଦୁରୀ ।

ଏ ପିଲାଙ୍କର ଇଂରାଜୀ ଶିକ୍ଷା ନେଇ ପୋଲକ୍ ଓ ମୋ ଭିତରେ ଅନେକ ଥର ବହୁତ ଗରମ ଆଲୋଚନା ହୋଇଛି । ମୋର ମୂଳରୁ ବିଶ୍ୱାସ ଯେ, ଯେଉଁ ଭାରତୀୟ ବାପ ମା' ପିଲାମାନଙ୍କୁ ପିଲାଦିନୁ ଇଂରାଜୀ କହିବାକୁ ଶିଖେଇ ଥାଆନ୍ତି ,ସେମାନେ ପିଲାଙ୍କର ତଥା ଦେଶର ଦ୍ରୋହ କରିଥା'ନ୍ତି । ମୁଁ ଏହା ମଧ୍ୟ ବିଶ୍ୱାସ କରେ ଯେ, ଏହା ଫଳରେ ପିଲାମାନେ ଜାତିର ସାମାଜିକ ଓ ଆଧ୍ୟାତ୍ମିକ ଉତ୍ତରାଧିକାରରୁ ରହିତ ହୋଇଥାନ୍ତି ଓ ସେତିକି ପରିମାଣରେ ସେମାନେ ଦେଶ କଥା ଦୁନିଆର ସେବା ପାଇଁ କମ୍ ଉପଯୁକ୍ତ ହୋଇ ଥାଆନ୍ତି । ମୋର ଏଭଳି ବିଶ୍ୱାସ ଯୋଗୁଁ ମୁଁ ସବୁବେଳେ ପିଲାଙ୍କ ସଙ୍ଗେ ଜାଣିଶୁଣି ଗୁଜୁରାତିରେ କଥାବାର୍ତ୍ତା କରୁଥିଲି । ପୋଲକ୍ ତାହା ପସନ୍ଦ କରୁ ନ ଥିଲେ । ସେ ବିଚାରୁଥିଲେ ଯେ, ତଦ୍ଦ୍ୱାରା ମୁଁ ସେମାନଙ୍କର ଭବିଷ୍ୟତ ବିଗାଡ଼ି ଦେଉଛି । ପୋଲକ୍ ଆଗ୍ରହ ଓ ସ୍ନେହସହକାରେ ମତେ ବୁଝାନ୍ତି ଯେ, ପିଲାମାନ ପିଲାଦିନୁ ଇଂରାଜୀ ଭଳି ଗୋଟିଏ ବ୍ୟାପକ ଭାଷା ଶିଖିଗଲେ ସେମାନେ ସହଜରେ ଦୁନିଆରେ ଚଳନ୍ତି-ଜୀବନ-ଯୁଦ୍ଧରେ ଅନ୍ୟମାନଙ୍କ ଠାରୁ ବହୁତ ଆଗେଇ ଯିବେ । କିନ୍ତୁ ସେ ଯୁକ୍ତି ମୋ ମନକୁ ପାଉ ନ ଥିଲା । ମୋର ମତର ଯଥାର୍ଥତା ମୁଁ ତାଙ୍କୁ ବୁଝେଇ ପାରିଥିଲି । କିମ୍ୱା ମୋର ଜିଦ୍ ଦେଖି ସେ ତୁନି ପଡ଼ିଥିଲେ, ସେ କଥା ମୋର ଠିକ ମନେ ନାହିଁ । ଏ ପ୍ରାୟ କୋଡ଼ିଏ ବର୍ଷର କଥା । ତଥାପି ସେତେବେଳେର ବିଶ୍ୱାସ ମୋର ଅଭିଜ୍ଞତା ସଙ୍ଗେ ସଙ୍ଗେ ବେଶି ଦୃଢ଼ ହୋଇଅଛି, ଯଦ୍ୟପି ମୋର ପୁଅମାନେ ଅକ୍ଷର ଜ୍ଞାନରେ କଞ୍ଚା ରହି ଯାଇଛନ୍ତି ।

ତଥାପି ମାତୃଭାଷାର ସାଧାରଣ ଜ୍ଞାନ ସହଜରେ ଯାହା ପାଇଥିଲେତା' ଫଳରେ ତାଙ୍କ ଦେଶର ଓ ଆପାଣର ନିଶ୍ଚୟ ଲାଭ ହୋଇଛି ଏବ‌ଂ ଏବେ ସେମାନେ ପରଦେଶୀ ଭଳି ହୋଇ ରହି ନାହାନ୍ତି । ସେମାନେ ସହଜରେ ଦୋଭାଷୀ ହୋଇ ଯାଇଥିଲେ । କାରଣ, ପ୍ରତ୍ୟହ ଅନେକ ଇଂରେଜ ବନ୍ଧୁଙ୍କ ସମ୍ପର୍କରେ ଆସିବା ଫଳରେ ସେମାନେ ଇଂରାଜୀ କହି ପାରିଥିଲେ ଓ ସାମାନ୍ୟ ଲେଖି ପାରିଥିଲେ ।

[ବି.ଦ୍ର. - ଏହି ଲେଖାଟି 'ଗାନ୍ଧୀ ରଚନାବଳୀ ୫ ଖଣ୍ଡ - ଶିକ୍ଷା' ଶୀର୍ଷକ ପୁସ୍ତକରୁ ନିଆଯାଇଅଛି । ଅନୁବାଦ କରିଥିଲେ ଚିତ୍ତରଞ୍ଜନ ଦାସ ଓ ଅନ୍ୟମାନେ । ବହିଟି କଟକସ୍ଥ 'ଉତ୍କଳ ଗାନ୍ଧୀ ସ୍ମାରକ ନିଧି ସଂସ୍ଥା' ଛପାଇଥିଲେ । ପ୍ରକାଶନର କାଳ ଉଭୟ ୧୯୬୯ ଓ ୧୯୮୬ ବୋଲି ଦିଆଯାଇଅଛି ]

Sunday, June 24, 2018

ମଫସଲ ଶିକ୍ଷକଙ୍କ ଦୁର୍ଗତ

ଗୋପବନ୍ଧୁ ଦାଶ


୧୮୫୯ ମସିହାରେ ଅଙ୍କିତ ବାଙ୍ଗାଲୋର ନିକଟସ୍ଥ ଏକ ଗ୍ରାମ୍ୟ ବିଦ୍ୟାଳୟର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମଫସଲ ପ୍ରାଇମେରୀ ସ୍କୁଲର ଶିକ୍ଷକମାନେ ତିନ ମାସରେ ଥରେ ଲେଖାଁଏ ଦରମା ପାଇବାର କଥା । ମାତ୍ର ଅଧିକାଂଶ ଛଅ ଛଅ ମାସରେ ଥରେ ଲେଖାଏଁ ପାଇବା କଷ୍ଟ । ସେ ଗରିବମାନେ ଯେ ଏ ମଲାମାଇଲା କାଳରେ ଚଳନ୍ତି କିପରି, ତାହା କେହି ବୁଝିବାକୁ ନାହିଁ । ଏଥିରେ ପୁଣି ସ୍କୁଲ ତଦନ୍ତି କରିବାକୁ ମାସେ ଦୁଇ ମାସରେ ଯେ ହାକିମ ଯିବେ, ତାଙ୍କୁ ପରିତୁଷ୍ଟ କରିବା ସେମାନଙ୍କର ଦରକାର । ଜିଲ୍ଲାବୋର୍ଡର ପ୍ରାୟ ପ୍ରତ୍ୟେକ ମେମ୍ୱର ଗାଁ ପ୍ରାଇମେରୀ ସ୍କୁଲ ଶିକ୍ଷକମାନଙ୍କର ଏ ଅବସ୍ଥା ଜାଣନ୍ତି, ମାତ୍ର ଏହାର କୌଣସି ଭଲ ବନ୍ଦୋବସ୍ତ ହେଉ ନାହିଁ  ଆମ୍ଭେମାନେ ଏ ବିଷୟରେ ଇତି ପୂର୍ବ ଥରେ ଲେଖିଥିଲୁ । ଏହାର କାରଣ ଆମ୍ଭେମାନେ ଯେତେଦୂର ଜାଣୁ, ଶିକ୍ଷା ବିଭାଗ କର୍ମଚାରୀଙ୍କର ଅବହେଳା ଏବଂ ଜିଲ୍ଲା ବୋର୍ଡ଼ ଅଫିସରେ କର୍ମଚାରୀର ଅଭାବ । 

ଶିକ୍ଷା ବିଭାଗ ନିମନ୍ତେ ବୋର୍ଡ଼ରେ ଗୋଟିଏ ମାତ୍ର କିରାଣୀ । ତାଙ୍କ ପ୍ରତି କାମ ବଳେ । କର୍ମଚାରୀ ଅଭାବ ହେଉ ବା ଅନ୍ୟ ଯେ କାରଣ ହେଉ, ଜିଲ୍ଲାବୋର୍ଡ଼ର ଚେୟାରମ୍ୟାନ ଭାଇସଚେୟାରମ୍ୟାନ ଏବଂ ମେମ୍ୱରମାନେ ଶୀଘ୍ର ଏଥିର ପ୍ରତିକାର କରିବା ଉଚିତ । ଏଥି ଲାଗି ଆଗାମୀ ବଜେଟରେ ଯଦି କିଛି ବ୍ୟବସ୍ଥା କରିବା ଦରକାର ହୁଏ ଆମ୍ଭେମାନେ ଆଶା କରୁ ଓଡ଼ିଶାର କୌଣସି ଜିଲ୍ଲାବୋର୍ଡ଼ ସେଥିରେ କୁଣ୍ଠିତ ହେବେ ନାହିଁ । କୌଣସି କୌଣସିଠାରେ ବ୍ୟାପାର ବାସ୍ତବିକ ଅତି ଜଘନ୍ୟ ହୋଇଅଛି । ଆମ୍ଭମାନଙ୍କ ମତରେ ତିନି ମାସରେ ଦିଆ ନ ହୋଇ ପ୍ରତି ମାସ ଶେଷରେ ସେମାନେ ଯେପରି ନିଜନିଜ ବେତନ ପାଇବେ ତହିଁର ବ୍ୟବସ୍ଥା ହେଲେ ଭଲ । ମନିଅର୍ଡ଼ର ଖର୍ଚ୍ଚା କିଛି ବେଶି ପଡ଼ି ପାରେ, ପଡ଼ୁ । ମାତ୍ର ଗୁରୁ ବିଚାର ଅନ୍ୟଠାରୁ ଟଙ୍କା କରଜ ଆଣି ଯେ ସୁଧ ଦିଏ ତହିଁରୁ ତ ମନିଅର୍ଡ଼ର କମିଶନ ଖର୍ଚ୍ଚ। ବେଶୀ ନୁହେଁ । ଅନେକଙ୍କୁ କରଜା ସୁଦ୍ଧା ମିଳେ ନାହିଁ । ଏ ଅବସ୍ଥାରେ ପ୍ରାଇମେରୀ ଶିକ୍ଷା ଆମ୍ଭମାନଙ୍କ ମଫସଲରେ କିପରି ଚଳୁଛି କହିବା ଦରକାର ନାହିଁ । 

ସରକାରୀ ଏବେ ବିଚାର କରୁଛନ୍ତି କି ଗାଁ ପାଠଶାଳା ଶିକ୍ଷକମାନଙ୍କୁ ଦରମା ପ୍ରତି ମାସ ଗାଁର ଚୌକିଦାର ପଞ୍ଚାୟତଙ୍କଠାରୁ ଆସିବ, ସେ ଶିକ୍ଷକଙ୍କୁ ଦେଇ ତାଙ୍କ ରସିଦ ବୋର୍ଡ଼କୁ ପଠାଇ ଦେବେ । ଜଣେ ପଞ୍ଚାୟତଙ୍କ ଇଲାକାରେ ଯେତେ ପ୍ରାଇମେରୀ ସ୍କୁଲର ଶିକ୍ଷକ ଥିବେ, ସେ ସମସ୍ତଙ୍କ ଦରମା ତାଙ୍କଠାକୁ ଆସିବ । ଏ ବ୍ୟବସ୍ଥା ମନ୍ଦ ନୁହେଁ । ପଞ୍ଚାୟତମାନେ ଭଲ ମନୁଷ୍ୟ ହେଲେ ଏହିପରି କେତେ କାର୍ଯ୍ୟର ସୁବିଧା ହୋଇ ପାରନ୍ତା । ମାତ୍ର ତାଙ୍କର ଗୋଟିଏ ପାହିଆ ବଢ଼ିଲା ବୋଲି ଯେବେ ମନେ କରି କେହି କେହି ଲାଭର ବାଟ ଦେଖନ୍ତି, ତେବେ ଗରିବ ଶିକ୍ଷକ, 'ପଳାଇ ମାଉସୀ ଘର ମାଉସୀ ମାଇଲା' । ପୁଣି ସେ ବିଚାରମାନଙ୍କ ଉପରେ ହାକିମ ସଙ୍ଖ୍ୟା ଯେତେ ବଢ଼େ, ସେମାନଙ୍କର ତେତେ ବିପଦର ଆଶଙ୍କା ଅଛି । ତଥାପି ଏ ଉପାୟର ଶୀଘ୍ର ପରୀକ୍ଷା ହେବା ଉଚିତ । ଗ୍ରାମପଞ୍ଚାୟତମାନେ ନିଜର ମାନ ଗୌରବ ଏବ‌ଂ କ୍ଷମତା ବୁଝିବେ ବୋଲି ଆଶା କରାଯାଏ । ନୂତନ ସଂସ୍କାର ଆଇନ ପ୍ରବର୍ତ୍ତିଲେ ସେମାନଙ୍କୁ ଅନେକ ବିଷୟରେ ଆହୁରି ଅଧିକାର ମିଳି ପାରେ ସେମାନେ ଭଳ ମନୁଷ୍ୟ ହେଲେ ଗ୍ରାମର ଭଲ ହେବଏବଂ ଦେଶର ଭଲ ହେବ ।

(ସମାଜ ତା ୩--୧୯୨୦)

Saturday, June 23, 2018

ଗିଜୁଭାଇଙ୍କ ଅନୁଭୂତି

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଗୁଜୁରାଟର ଗୀର ଅଞ୍ଚଳର ଏକ ଶିକ୍ଷକ
୨୦୧୫ରେ ଉତ୍ତୋଳିତ ଚିତ୍ର: ୱିକିମିଡିଆ କମନ୍ସ୍


ଶିକ୍ଷା ଦିଗରେ କାମ କରିବାରେ ଆଗ୍ରହୀ ଗିଜୁଭାଇ ସେ ସମୟର ଓ ନିଜର ପାଖ ଅଞ୍ଚଳର ପରିସ୍ଥିତିକୁ ଅନୁଧ୍ୟାନ କରିବା ସହିତ କର୍ମୀ ସୃଷ୍ଟି କରିବା ଦିଗରେ ମଧ୍ୟ ଧ୍ୟାନ ଦେଉଥିଲେ । ଏଥି ପାଇଁ ଏବଂ ଅନ୍ୟମାନଙ୍କର ପ୍ରତିକ୍ରିୟା ସାହାଯ୍ୟରେ ନିଜର ଚିନ୍ତନକୁ ପାକଳ କରିବା ପାଇଁ ସେ ଲେଖାଲେଖି ଉପରେ ବେଶ୍ ଜୋର ଦେଉଥିଲେ । ତାତ୍ତ୍ୱିକ ବିଶ୍ଳେଷଣ ସହିତ ବାସ୍ତବ ଅବସ୍ଥାକୁ ଲକ୍ଷ୍ୟ କରି ପ୍ରତିକାର ଖୋଜିବା ତାଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ପରିପ୍ରେକ୍ଷୀରେ ତଳେ ରହିଥିବା ତାଙ୍କର କିଛି ବର୍ଣ୍ଣନା ତାଙ୍କ ଚିନ୍ତାଧାରାର ଭିତ୍ତିଭୂମି ବିଷୟରେ ଧାରଣା ଦିଏ ।

ପ୍ରାଥମିକ ବିଦ୍ୟାଳୟରେ ଅନୁଭୂତି

କିଛି ମାସ ତଳେ ମୁଁ ଗୋଟିଏ ଗାଁରେ ଯାଇ ପହଞ୍ଚିଲି । ଗୋଟିଏ ଛୋଟ କୋଠରୀରେ ଶିକ୍ଷକ 'କୋଲି' ଜାତିର କିଛି ପିଲାଙ୍କୁ ପାଠ ପଢ଼ାଉଥିଲେ । ସେ ପିଲାଙ୍କୁ କେବଳ ଗାଳି ଦେଉଥିଲେ ଓ ହାତରେ ବିଡ଼ି ଓ ଜର୍ଦା ଧରିଥିଲେ । ଗାଳି ଦେଇ ଦେଇ ଓ ବିଡ଼ି ଫୁଙ୍କି ଫୁଙ୍କି ସେ ପିଲାଙ୍କୁ ସଙ୍ଖ୍ୟା ଗଣିବା ଶିଖାଉ ଥିଲେ ।”

ପଚାରିବାରୁ ଜଣାଗଲା ଯେ, ଶିକ୍ଷକ ଜଣକ ସେଠାରୁ ପ୍ରାୟ କୋଶେ ଦୂରରୁ ପଢାଇବାକୁ ଆସନ୍ତି । ଗାଁରେ ପହଞ୍ଚି ପ୍ରଥମେ ଅଟା ମାଗନ୍ତି । ତା' ପରେ ବିଦ୍ୟାଳୟ ପାଖର ହୋଟେଲ ଚଳାନ୍ତି ଓ ପରେ ପାଠ ପଢ଼ାନ୍ତି । ଘରେ ସ୍ତ୍ରୀ ପିଲାଙ୍କର ଭରଣପୋଷଣ ପାଇଁ ତାଙ୍କୁ ଏଭଳି ଦୟନୀୟ ଜୀବନ ବିତାଇବାକୁ ପଡ଼େ । ତାଙ୍କ ଅବସ୍ଥା ଦେଖିଲି । ତାଙ୍କର ପଢ଼ାଇବାର ଢଙ୍ଗ ମଧ୍ୟ ଦେଖିଲି । ମାସକୁ ଅଣାଏ ଲେଖାଏଁ ପଇସା ଓ ପ୍ରତିଦିନ କିଛି ଅଟା ମାଗି ବଞ୍ଚିବାର ସଙ୍ଘର୍ଷ ଦେଖି ମୁଁ ସ୍ତବ୍ଧ ହୋଇଗଲି ଓ ଅତି ଦୁଃଖରେ ଫେରିଲି ।”

ବି.ଦ୍ର ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Friday, June 22, 2018

ପିଲାଙ୍କ ପାଇଁ କବିତା - 'ଟୁପୁରୁ ଟୁପୁ'

କବି - ଅନନ୍ତ ପଟ୍ଟନାୟକ 


'ଆଡ଼୍‌ଭେଞ୍ଚର୍ସ୍ ଅଫ୍ ପିନୋକିଓ' ବହିର କଥାକୁହା ଝିଣ୍ଟିକା
ଚିତ୍ରକର - ଏନ୍ରିକୋ ମଜ୍ଜାନ୍ତି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଟୁପୁରୁ ଟୁପୁ ବରଷେ ମେଘ
ଅଗଣାଯାକ ପାଣି,
ଆଆରେ ଆଆ ! ପାଣି ଫୋଟକା
ହାତରେ ନେବା ଛାଣି !
ଆହା ରେ ସେ ତ ନ ଛୁଉଁ ଛୁଉଁ
ମିଳାଇ ଯ।ଏ କାହିଁ ?
ତାକୁଇ ସିନା ପାରିଲେ ଧରି
ଅସଲ ମଜା, ଭାଇ !

ଟୁପୁରୁ ଟୁପୁ ପତର ଝଡ଼େ
ସୁଲୁସୁଲିଆ ବାଆ !
ଛକିଛକିକା ପତର ଚକି
ଉଡ଼ାଇ ଦେବା, ଆଆ !
ଗୋଟିକ ପରେ ଗୋଟିଏ ଯିବ,
ରହିବା କି ରେ ଚାହିଁ ?
ପବନ ସୁଏ ଭାସିଭାସିକା
ଧରିବା ନିକି ଧାଇଁ ?

ଖୁପୁରୁ ଖୁପୁ ବେଙ୍ଗ ଡିଏଁ
ଝରିଆ ପୋକ ଉଡ଼େ,
ଭିଜିଭିଜିକା କଙ୍କିଟିଏ
ହୁଡ଼େ କି ବାଟ, ହୁଡ଼େ !
ପିଢ଼ାରେ ଅନା ! କଖାରୁଫୁଲ,
ସୁନାର ଦୀପ ଅବା !
ଚାଳିଆ ତଳେ ଚିଇଁ ଚିଇଁକା
ଚଢ଼େଇକୁଳ ସଭା ।

ସୁରୁସୁରିଆ ପତର ନାଆ
ନାଇଁରେ ତାର ଛାତ,
ଝିଣ୍ଟିକାଟି, ଗୋଡ଼ରେ ତା'ର
ମାରୁଚି ବସି କାତ !
ଆଆରେ ଆଆ ! କାଗଜେ ଗଢ଼ି
ଜାହାଜ ଦେବା ଛାଡ଼ି,
ଆଣିବା ଯାଇ ମାଣିକ ମୋତି
ଦରିଆ-ପୁର ଝାଡ଼ି !

ଟୁପୁରୁ ଟୁପୁ ଡାକୁଚି ମେଘ,
ବାହାରେ କେତେ ସାଥୀ !
ଆଆରେ ଆଆ ! ସବୁର ମେଳେ
ଖେଳିବା ଆଜି ମାତି !
ଥାଉରେ ଥାଉ, କାଞ୍ଜିପଟା
କଉଡ଼ି ଖେଳ, ଥାଉ !
କ୍ୟାରମ୍-ଗୋଟି ଯାଉରେ ଗଡ଼ି,
କଣକୁ କାହିଁ, ଯାଉ !

ବି. ଦ୍ର. - ଏହି କବିତାଟି କଟକର ପ୍ରକାଶକ କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର୍ ୧୯୯୧ ମସିହାରେ ଛାପିଥିବା ବହି 'ଅନନ୍ତ ବିଚିତ୍ରା' ବହିଟିରୁ ନିଆଯାଇ ଅଛି ।

Thursday, June 21, 2018

ଗାନ୍ଧୀଙ୍କର ଶିକ୍ଷାବିଚାର - 'ବାଳଶିକ୍ଷା'

ଅନୁବାଦ - ଚିତ୍ତରଞ୍ଜନ ଦାସ


ନିଜର ଚାରି ପୁତ୍ରସନ୍ତାନଙ୍କ ସହ କସ୍ତୁରବା ଗାନ୍ଧୀ: ୱିକିମିଡିଆ କମନ୍ସ୍
(୧୯୦୨ ମସିହାରେ ଦକ୍ଷିଣ ଆଫ୍ରିକାରେ ଉତ୍ତୋଳିତ ଚିତ୍ର)

ଅଠରଶହ-ସତାନବେ ସାଲ ଜାନୁୟାରୀ ମାସରେ ଯେତେବେଳେ ମୁଁ ଡରବାନଠାରେ ଓହ୍ଲାଇଲିସେତେବେଳେ ମୋ ସଙ୍ଗରେ ତିନୋଟି ପିଲା ଥାଆନ୍ତି । ଦଶ ବର୍ଷ ବୟସର ଭଣଜାପୁଅ ଦୁଇଟିକୁ ଗୋଟିକୁ ନଅ ବର୍ଷଆରଟିକୁ ପାଞ୍ଚ ବର୍ଷ । ଏମାନଙ୍କୁ କେଉଁଠି ପଢ଼ାଇବି ଏହି ହେଲା ମୋର ପ୍ରଧାନ ଚିନ୍ତା ।

ଗୋରା ପିଲାଙ୍କ ପାଇଁ ଯେଉଁ ସବୁ ସ୍କୁଲ ଥାଏସେଠାକୁ ମୋ ପିଲାମାନଙ୍କୁ ମୁଁ ପଠାଇ ପାରିଥା'ନ୍ତିକିନ୍ତୁ ଏହା ମୋ' ପ୍ରତି ଗୋଟାଏ ବିଶେଷ ଅନୁଗ୍ରହ ଦେଖାଇ ସ୍ୱତନ୍ତ୍ର ବ୍ୟବସ୍ଥା ରୂପେ ହୋଇଥା'ନ୍ତା ମାତ୍ର । ଅନ୍ୟ ଭାରତୀୟ ପିଲାଙ୍କୁ ପଢ଼ାଇବାକୁ ଖ୍ରୀଷ୍ଟ ମିଶନ୍‌ର ପାଠଶାଳା ଥିଲା । ସେଠାକୁ ମୋ' ପିଲାଙ୍କୁ ପଠାଇବାକୁ ମୁଁ ପ୍ରସ୍ତୁତ ନ ଥିଲି । ସେଠାରେ ଦିଆ ଯାଉଥିବା ଶିକ୍ଷା ମୋ' ମନକୁ ପାଉ ନ ଥିଲା । ଗୁଜୁରାତି ଭାଷାର ଜରିଆରେ ଶିକ୍ଷା ଦିଆଯାଏନଚେତ୍ ବହୁ ଚେଷ୍ଟା କଲେ ଅଶୁଦ୍ଧ ତାମିଲ କିମ୍ୱା ହିନ୍ଦୀ ଭାଷାରେ ଶିକ୍ଷା ମିଳିବାର ଟିକିଏ ସୁବିଧା ହୁଏ । ଶିକ୍ଷାରେ ଏସବୁ ତୃଟି ମୁଁ ବରଦାସ୍ତ କରନ୍ତି କିପରି ମୁଁ ନିଜେ ପିଲାଙ୍କୁ ପଢ଼ାଇବାକୁ ‌ ଅଳ୍ପ ବହୁତ ଚେଷ୍ଟା କଲିମାତ୍ର ତାହା ଅତି ଅନିୟମିତ ହେଉଥାଏ । ମୋ ମନକୁ ପାଇଲା ଭଳି ଗୁଜୁରାତି ଶିକ୍ଷକ ମୁଁ ପାଉ ନ ଥାଏ ।

ଏହିପରି ମୁଁ ମହା ଭାବନାରେ ପଡ଼ିଗଲି । ମୋ ରୁଚି ଅନୁସାରେ ମୋ ପିଲାଙ୍କୁ ପଢ଼ାଇବା ଲାଗି ଜଣେ ଇଂରାଜୀ ଶିକ୍ଷକ ପାଇଁ ବିଜ୍ଞାପନ ଦେଲି । ଶିକ୍ଷକ ପ୍ରତିଦିନ ନିୟମିତ ସେମାନଙ୍କୁ ଶିକ୍ଷା ଦେବେ ମୁଁ ଅବଶ୍ୟ କେତେବେଳେ କେମିତି ଯାହା ଶିକ୍ଷା ଦେଇ ପାରିବି ସେଥିରେ ସନ୍ତୁଷ୍ଟ ରହିବେ । ଏହିପରି ବିଚାରି ମାସକୁ ସାତ ପାଉଣ୍ତ ଦରମାରେ ଜଣେ ଇଁରେଜ ମହିଳାଙ୍କୁ ବିମୁକ୍ତ କଲି । ଏମିତି ଦିନାକେତେ ଚାଲିଲା ।

ପିଲାମାନେ ମୋ ସଙ୍ଗେ କେବଳ ଗୁଜୁରାତିରେ କଥାବାର୍ତ୍ତା କରି ଗୁଜୁରାତି ଭାଷାକୁ କେତେକ ପରିମାଣରେ ଶିଖିଗଲେ । ସେମାନଙ୍କୁ ଦେଶକୁ ଲେଉଟାଇ ଦେବାକୁ ମୋର ଇଚ୍ଛା ନ ଥାଏ । ସେତେବେଳେ ସୁଦ୍ଧା ମୋର ବିଶ୍ୱାସ ଯେ, ସାନପିଲାଙ୍କୁ ବାପ ମାଆଙ୍କଠାରୁ ଅଲଗା ରଖିବା ଉଚିତ୍ ନୁହେଁ । ସୁବ୍ୟବସ୍ଥିତ ଘରେ ପିଲାମାନଙ୍କୁ ଯେଭଳି ଶିକ୍ଷା ମିଳେସେ ଶିକ୍ଷା ଛାତ୍ରାବାସରେ ମିଳେ ନାହିଁ । ତେଣୁ ପିଲାମାନଙ୍କୁ ମୋ ପାଖରେ ରଖିଲି । ଅବଶ୍ୟ ଭଣଜା ଓ ବଡ଼ ପୁଅକୁ ଭାରତର ସ୍କୁଲ ବୋର୍ଡ଼ିଂରେ ରହି ପାଠ ପଢ଼ିବାକୁ କେତେ ମାସ ପଠାଇଦେଲି । କିନ୍ତୁ ଅଳ୍ପ ସମୟ ପରେ ସେମାନଙ୍କୁ ଫେରାଇ ନେଲି । ପରେ ମୋର ବଡ଼ ପୁଅ ହେତୁ ପାଇଯିବାର ଅନେକ ଦିନ ପରେ ନିଜ ଇଚ୍ଛାରେ ମୋ ପାଖରୁ ଆସି ଅହମଦାବାଦର ଗୋଟିଏ ହାଇସ୍କୁଲରେ ପଢ଼ିଲା । ମୋର ମନେହୁଏ ଭଣଜାଟି ମୋଠୁଁ ଯାହା ଶିକ୍ଷା ପାଇଲା, ସେଥିରେ ସନ୍ତୁଷ୍ଟ ରହୁଥିଲା । ମୋର ଦୁର୍ଭାଗ୍ୟକୁ ସେ ପିଲାଟି ଯୌବନର ଆରମ୍ଭରେ ଅଳ୍ପ କେତେ ଦିନ ବେମାର ପଡ଼ି ସଂସାରରୁ ଚାଲିଗଲା । ମୋର ଅନ୍ୟ ପୁଅ ତିନୋଟି କେବେ କୌଣସି ପାଠଶାଳା ଦୁଆର ମାଡ଼ି ନାହାନ୍ତି । ତଥାପି ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ ସମ୍ପର୍କରେ ମୁଁ ଯେଉଁ ପାଠଶାଳାଟି ବସାଇଥିଲିସେଥିରେ ସେମାନେ ଅଳ୍ପ କେତେ କାଳ ପଢ଼ିଥିଲେ ।

ଏସବୁ ଦିଗରେ ମୋର ପ୍ରୟୋଗ ଅପୂର୍ଣ୍ଣ ରହିଥାଏ । ମୁଁ ନିଜେ ପିଲାଙ୍କ ପାଇଁ ଯେତେ ସମୟ ଦେବାକୁ ଇଚ୍ଛା କରୁଥିଲି, ତାହା ଦେଇ ପାରୁ ନ ଥାଏ । ସେଥି ଲାଗି ଓ ଆଉ କେତେକ ଅନିବାର୍ଯ୍ୟ କାରଣରୁ ଯେତେ ଅକ୍ଷର ଜ୍ଞାନ ତାଙ୍କର ଦରକାର, ତାହା ହେଉ ନ ଥାଏ । ଏବେ ମଧ୍ୟ ମୋ ପୁଅମାନଙ୍କର ଏସବୁ ବିଷୟରେ ମୋ ବିରୁଦ୍ଧରେ ଅଳ୍ପ ବହୁତ ଅଭିଯୋଗ ରହିଛି । କାରଣ ସେମାନେ ଯେତେ ବେଳେ ଏମ୍.., ବି.., ଏପରି କି ଜଣେ ମାଟ୍ରିକୁଲେଟ୍‌ଙ୍କ ସମ୍ପର୍କରେ ଆସନ୍ତି, ସେତେବେଳେ ସେମାନେ ସ୍କୁଲ ଶିକ୍ଷା ପାଇ ନାହାନ୍ତିଏଥି ପାଇଁ ଦୁଃଖ କରନ୍ତି ।

ଏହା ସତ୍ତ୍ୱେ ମୋର ନିଜର ଏହି ଦୃଢ଼ ମତ ଯେ ଅନୁଭବ ଜ୍ଞାନ ସେମାନେ ପାଇଛନ୍ତିମାଆ ବାପାଙ୍କ ସାଙ୍ଗରେ ରହିବାର ସୁଯୋଗ ସେମାନଙ୍କୁ ଯାହା କିଛି ମିଳୁଛିସ୍ୱାଧୀନତାର ଯେଉଁ ପଦାର୍ଥ-ପାଠ ସେମାନେ ପାଇଛନ୍ତିମୁଁ ଯଦି ସେମାନଙ୍କୁ ଇଚ୍ଛାନୁସାରେ ସ୍କୁଲରେ ପଢ଼ାଇବାର ବ୍ୟବସ୍ଥା କରିଥାନ୍ତିତେବେ ସେତକ ସେମାନଙ୍କୁ ମିଳି ନ ଥାନ୍ତା । ସେମାନଙ୍କ ସମ୍ୱନ୍ଧରେ ମୋ ମନରେ ଯେଉଁ ନିଶ୍ଚିନ୍ତତା ଅଛି ତା' ବି ନ ଥାନ୍ତା । ମୋ' ପାଖରେ ଯାଇ ଇଂଲଣ୍ତରେ ବା ଆଫ୍ରିକାରେ ଯେବେ ଅପ୍ରାକୃତ ଶିକ୍ଷା ପାଇଥା'ନ୍ତେ, ତେବେ ସେମାନଙ୍କ ପକ୍ଷରେ ବର୍ତ୍ତମାନ ପରି ସରଳ ଓ କର୍ମମୟ ଜୀବନ କଟାଇବା ସମ୍ଭବ ହୋଇ ନ ଥା'ନ୍ତା । ସେମାନେ ଏବେ ସରଳ ଭାବରେ ଜୀବନ କଟାଇ ଦେଶ-କାର୍ଯ୍ୟରେ ଲାଗିଛନ୍ତି । ସେମାନେ ଜୀବିକା ନିର୍ବାହ ପାଇଁ ନୂଆ ଫେସନ୍‌ର ରଙ୍ଗ ଢଙ୍ଗ ଧରିଥିଲେ ମୋର ସାଧାରଣ କାର୍ଯ୍ୟରେ ଘୋର ବାଧା ଘଟିଥା'ନ୍ତା ।

ତେଣୁ ଯଦିବା ମୁଁ ସେମାନଙ୍କୁ ମୋ ଇଚ୍ଛାନୁରୂପେ ଭାଷାଜ୍ଞାନ ଦେଇ ପାରି ନାହିଁ, ତଥାପି ମୋର ସେହି ପୁରୁଣା କାଳର କଥା ବିଚାର କରି ଦେଖୁଛି ଯେ, ସେମାନଙ୍କ ପ୍ରତି ମୋର କର୍ତ୍ତବ୍ୟ ମୁଁ ଠିକ୍ ଠିକ୍ ପାଳନ କରିନାହିଁ ବୋଲି ମୋର ମନେ ହେଉ ନାହିଁ କି ସେ ସବୁ ପାଇଁ ମୋର ଅନୁତାପ ମଧ୍ୟ ଆସୁ ନାହିଁ । ଅନ୍ୟ ପକ୍ଷରେ ମୁଁ ମୋ ବଡ଼ ପୁଅର ଯେଉଁ ଶୋଚନୀୟ ପରିଣାମ ଦେଖୁଛିସେ ସବୁ ମୋର ସେହି ଅପରିପକ୍ୱ ଯୌବନର ପ୍ରତିଧ୍ୱନି ବୋଲି ମୋ ମନରେ ସବୁବେଳେ ରହିଛି । ମୁଁ ସେହି ସମୟକୁ ମୋର ସବୁ ପ୍ରକାର 'ମୋହ-ନିଦ୍ରା'ର ସମୟ ବୋଲି ବିଚାରି ଥାଏ । ମୋର ବିଭବର ସମୟ ବୋଲି ମଧ୍ୟ ମନେ କରେ । ସେତେବେଳେକୁ ତା'ର ହେତୁ ହୋଇ ଯାଇ ଥାଏ । ସେ ବା କାହିଁକି ସେ ସମୟରେ ମୋର ‘ମୋହ ନିଦ୍ରା ‘ ବୋଲି ବିଚାରିବବରଂ ତାର ବିଶ୍ୱାସ ଯେ ସେହି ସମୟ ହିଁ ମୋ ଜୀବନର ପ୍ରକୃତ ସୁଖମୟ ସମୟ । ପରେ ମୋ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ବରଂ ମୋର ମୋହଜନିତ ଅଯୋଗ୍ୟତା ଆଉ ମଧ୍ୟ ସେ ଭାବିପାରେ ଯେ, ସେତେବେଳେ ମୁଁ ଯେଉଁ ବାଟରେ ଚାଲୁଥିଲି, ତାହା ଜଗତର ସାଧାରଣ ବାଟ ଓ ସୁଗମ୍ୟ ପନ୍ଥା । ପରେ ଯେଉଁ ବାଟରେ ଚାଲୁଥିଲି ତାହା ମୋର ସୂକ୍ଷ୍ମ ଅହଙ୍କାର ଓ ଅଜ୍ଞାନର ଚିହ୍ନ ମାତ୍ର । ମୋ ପୁଅ ଯଦି ବାରିଷ୍ଟର ପ୍ରଭୃତି ପଦ ପାଇଥାନ୍ତା ତେବେ ମନ୍ଦ କ'ଣ ହୋଇଥାନ୍ତା ତା'ର ପକ୍ଷ କାଟି ପକାଇ ଦେବାରେ ମୋ'ର ବା କି ଅଧିକାର ଥିଲା ମୁଁ ବା କାହିଁକି ତା'କୁ ସେ ସବୁ ପଦ ଓ ପ୍ରତିଷ୍ଠା ପାଇଁ ଜୀବନରେ ନିଜର ଖୁସି ବାଟକୁ ବାଛି ନେବାର ସୁବିଧା ଦେଲି ନାହିଁମୋର କେତେକ ବନ୍ଧୁ ଏହି ଭଳି ଯୁକ୍ତିମାନ ମୋ' ଆଗରେ କରିଥାନ୍ତି ।

ଏସବୁ ଯୁକ୍ତିରେ କିଛି ସାର ଥିଲା ପରି ମୋତେ ଜଣା ଯାଏ ନାହିଁ । ମୁଁ ବହୁତ ଛାତ୍ରଙ୍କ ସମ୍ପର୍କରେ ଆସିଛି । ଅନ୍ୟ ପିଲାମାନଙ୍କ ଉପରେ ମୁଁ ଅନ୍ୟ ପ୍ରକାର ପ୍ରୟୋଗ ମଧ୍ୟ କରିଛି, ବା ସେଭଳି ପ୍ରୟୋଗ କରାଇବାରେ ସାହାର୍ଯ୍ୟ ମଧ୍ୟ କରିଛି । ସେ ସବୁର ପରିମାଣକୁ ଉତ୍ତମ ରୂପେ ଲକ୍ଷ୍ୟ କରିଛି । ସେ ସବୁ ପିଲା ଓ ପୁଅମାନଙ୍କୁ ସମସ୍ତେ ଏକ ନାଆରେ ବସିଛନ୍ତି । ମୁଁ ମନେ କରେ ମନୁଷ୍ୟତା ଦୃଷ୍ଟିରୁ ସେମାନେ ମୋ' ପୁଅଙ୍କଠାରୁ କୌଣସି ପ୍ରକାରେ ଅଧିକ ନୁହଁନ୍ତି କିମ୍ୱା ମୋ ପିଲାମାନଙ୍କର ସେମାନଙ୍କଠାରୁ ଶିଖିବାର ମଧ୍ୟ କିଛି ନାହିଁ ।

ତଥାପି ମୋ' ପ୍ରୟୋଗର ଶେଷ ଫଳ ଏବେ ସୁଦ୍ଧା ଭବିଷ୍ୟତ ଗର୍ଭରେ ନିହିତ ଅଛି । ଏ ବିଷୟରେ ଚର୍ଚ୍ଚ। କରିବାର ତାତ୍ପର୍ଯ୍ୟ ଏହି ଯେ, ଯେଉଁମାନେ ମଣିଷ ଜାତିର ବିକାଶ ସାଧନ କରୁଛନ୍ତି, ସେମାନେ ଘରୋଇ ଶିକ୍ଷା ଓ ସ୍କୁଲ ଶିକ୍ଷା ମଧ୍ୟରେ ପ୍ରଭେଦର ଯତ୍‌କିଞ୍ଚିତ କଳନା କରିପାରିବେ ଏବଂ ମା' ବାପାଙ୍କର ଆପଣା ଜୀବନରେ କରିଥିବା ପରିବର୍ତ୍ତନର ଫଳାଫଳ ପିଲାଙ୍କ ଉପରେ କି ପ୍ରଭାବ ପକାଇ ଥାଏତାହାର ଏକ ମାପକାଠି ପାଇଯିବେ ।

ପୁଣି ଯେ ସତ୍ୟର ଉପାସକ, ଏଭଳି ପ୍ରୟୋଗ ସେ ସତ୍ୟର ପୂଜାରେ କେଉଁ ଯାଏ ଆଗେଇ ପାରୁଛି, ତାହା ମଧ୍ୟ ଜାଣି ପାରିବେ । ସ୍ୱାଧୀନତାର ଉପାସକ ମଧ୍ୟ ଦେଖି ପାରିବେ ଯେ, ସ୍ୱାଧୀନତାର ଦେବୀ କି ଭଳି ଭେଗାବଳୀ ଚାହାଁନ୍ତି । ଏ ଅଧ୍ୟାୟର ତାତ୍ପର୍ଯ୍ୟ ଏଇଆ । ଆତ୍ମମର୍ଯାଦା ପ୍ରତି ଅନ୍ଧ ହୋଇ ଯଦି ମୁଁ ସାଧାରଣ ପିଲାମାନେ ଯେଉଁ ଶିକ୍ଷା ପାଉ ନାହାନ୍ତି ସେଭଳି ବିଶେଷ ଶିକ୍ଷା ସେମାନଙ୍କୁ ଦେଇଛି ବୋଲି ମୋ ମନରେ ଆନନ୍ଦ ଅନୁଭବ କରନ୍ତି, ତେବେ ସେମାନଙ୍କୁ ଅବଶ୍ୟ ଭାଷା ଶିକ୍ଷା ଦେଇଥା'ନ୍ତି । କିନ୍ତୁ ଭାଷା ଶିକ୍ଷାରେ ଜଳାଞ୍ଜଳି ଦେଇ ଆତ୍ମ-ମର୍ଯ୍ୟଦା ଓ ସ୍ୱାଧୀନ ଜୀବନ ବିଷୟରେ ମୁଁ ଯେଉଁ ପ୍ରତ୍ୟକ୍ଷ ଶିକ୍ଷା ଦେଇଛି, ତାହା କେବେ ହେଲେ ସମ୍ଭବ ହୋଇ ନ ଥାଆନ୍ତା।ସେମାନେ ସେଥିରୁ ବଞ୍ଚିତ ହୋଇଥା'ନ୍ତେ । ଯେତେବେଳେ ଭାଷାଜ୍ଞାନ ଓ ସ୍ୱାଧୀନତା ଏ ଦୁଇଟି ମଧ୍ୟରୁ ଗୋଟିକୁ ବାଛି ନେବାକୁ ହେବ, ସେତେବେଳେ ସ୍ୱାଧୀନତା ଯେ ସହସ୍ର ଗୁଣରେ ଶ୍ରେୟସ୍କରଏକଥା କିଏ ଅସ୍ୱୀକାର କରିବ ?

ଉଣେଇଶ କୋଡ଼ିଏ ସାଲରେ ଦେଶର ଯୁବକମାନଙ୍କୁ ମୁଁ ସ୍କୁଲ କଲେଜରୁ ବାହାରି ଆସିବା ଲାଗି ଡାକ ଦେଇଥିଲି । ଏ ସ୍କୁଲ କଲେଜ ସବୁ ଯଥାର୍ଥରେ ଦାସତ୍ୱର କାରଖାନା । ସେତେବେଳେ ମୁଁ ଏମାନଙ୍କୁ କହିଥିଲିବରଂ ନିରକ୍ଷର ହୋଇ ସ୍ୱାଧୀନତା ସକାଶେ ଦାଣ୍ତରେ ଗୋଡ଼ି ପିଟିବା ଶ୍ରେୟସ୍କର, କିନ୍ତୁ ଦାସତ୍ୱର ବନ୍ଧନରେ ବେଡ଼ି ପିନ୍ଧି ଏ ପ୍ରକାର ଭାଷା ଶିକ୍ଷା କଦାପି ଗ୍ରହଣୀୟ ନୁହେଁ । ସେହି ଯୁବକମାନେ ଏବେ ମୋ କଥାର ମୂଲ୍ୟ ହୁଏତ ବୁଝି ପାରୁ ଥିବେ ।

[ବି.ଦ୍ର. - ଏହି ଲେଖାଟି 'ଗାନ୍ଧୀ ରଚନାବଳୀ ୫ ଖଣ୍ଡ - ଶିକ୍ଷା' ଶୀର୍ଷକ ପୁସ୍ତକରୁ ନିଆଯାଇଅଛି । ଅନୁବାଦ କରିଥିଲେ ଚିତ୍ତରଞ୍ଜନ ଦାସ ଓ ଅନ୍ୟମାନେ । ବହିଟି କଟକସ୍ଥ 'ଉତ୍କଳ ଗାନ୍ଧୀ ସ୍ମାରକ ନିଧି ସଂସ୍ଥା' ଛପାଇଥିଲେ । ପ୍ରକାଶନର କାଳ ଉଭୟ ୧୯୬୯ ଓ ୧୯୮୬ ବୋଲି ଦିଆଯାଇଅଛି ]

Saturday, June 16, 2018

ଦେବନାଗରୀ ଲିପି ଶିକ୍ଷା

ଗୋପବନ୍ଧୁ ଦାଶ


ଭେଷଜ ବିଜ୍ଞାନ ଉପରେ ଦେବନାଗରୀ ଲିପିରେ ଲିଖିତ ଏକ ପାଣ୍ଡୁଲିପି
(ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) 

ମାଟ୍ରିକୁଲେସନ ଆଇ.ଏ.ଏବଂ ବି.ଏ. ଛାତ୍ରମାନେ ପରୀକ୍ଷାରେ ସଂସ୍କୃତ ପ୍ରଶ୍ନର ଉତ୍ତର ଦେବନାଗରୀ ଅକ୍ଷରରେ ଲେଖିବେ ବୋଲି ପାଟଣା ବିଶ୍ୱବିଦ୍ୟାଳୟ ନିୟମ କରି ଅଛନ୍ତି । ୧୯୨୧ ସାଲଠାରୁ ଆଇ.ଏ.ବି.ପରୀକ୍ଷାରେ ଏବଂ ୧୯୨୨ଠାରୁ ମାଟ୍ରିକୁଲେଶନ ପରୀକ୍ଷାରେ ଏହି ନିୟମ ଜାରି ହେବାର ସ୍ଥିର ହୋଇଅଛି । କଲିକତା ବିଶ୍ୱବିଦ୍ୟାଳୟରେ ଏ ନିୟମ ନାହିଁ । ଯେ ଯାହା ଦେଶୀୟ ଅକ୍ଷରରେ ସଂସ୍କୃତ ଭାଷାରେ ଉତ୍ତର ଲେଖନ୍ତି । ଅବଶ୍ୟ କଲିକତା ଛଡ଼ା ଭାରତର ଆଉ ସବୁ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଦେବନାଗରୀ ଅକ୍ଷରରେ ଲେଖିବାର ନିୟମ । ଦେବନାଗରୀ ସଂସ୍କୃତ ଭାଷାର ଅକ୍ଷର ବୋଲି ସବୁ ଆଡ଼େ ଧରା ଯାଉଛି ଏବଂ ପ୍ରାୟ ସମୁଦାୟ ସଂସ୍କୃତ ଗ୍ରନ୍ଥ ଦେବନାଗରୀ ଅକ୍ଷରରେ ପ୍ରକାଶିତ ହେଉଛି । ତେଣୁ ଭାରତବର୍ଷର ଚାରିଆଡ଼େ ଉଣା ଅଧିକେ ଏହାର ପ୍ରଚାର ଅଛି । ଭାରତରେ ଗୋଟିଏ ଲିପି ଚଳାଇବା ଲାଗି କେତେ ଲୋକଙ୍କର ଉଦ୍ୟମ ଲାଗିଛି । ହେଲେ ଅବଶ୍ୟ ଦେବନାଗରୀ ହେବ । ସୁତରାଂ ସଂସ୍କୃତ ପଢ଼ୁଆମାନେ ଦେବନାଗରୀ ଲେଖି ଜାଣିବା ଭଲ । ଆମ ଦେଶରେ ଆଗେ କେହି କେହି ପୁରୁଣା ପଣ୍ଡିତ ନାଗରୀ ଲେଖି ପାରୁଥିଲେ ସେଥି ଲାଗି ସେମାନଙ୍କର ବେଶ ଆଦର ହେଉଥିଲା । 

ଦେବନାଗରୀ ଅକ୍ଷରରେ ନ ଛପାଇ ପାରିଲେ ଓଡିଶାର କୌଣସି ସଂସ୍କୃତ ଗ୍ରନ୍ଥ ଭାରତରେ ପ୍ରସିଦ୍ଧି ପାଇ ପାରିବ ନାହିଁ। ଆମ୍ଭମାନଙ୍କ ମଧ୍ୟରେ ଦେବନାଗରୀ ଲେଖି ଜାଣିବା ଲୋକ ପ୍ରାୟ ନ ଥିବାରୁ ଓଡ଼ିଆ ଲେଖା ସଂସ୍କୃତ ପୁସ୍ତକ ନାଗରୀରେ ଛପାଇବାରେ ବଡ଼ ଅସୁବିଧା ହୁଏ । ଯେ ଅକ୍ଷରରେ ସାଧାରଣତଃ କୌଣସି ଭାଷା ଶିଖାଯାଏ ସେ ଅକ୍ଷର ଲେଖି ନ ଜାଣିବା ଅବଶ୍ୟ ଟିକିଏ ବିଡ଼ମ୍ୱନା । ଏହି କାରଣରୁ ଅନେକ ସମୟରେ ବି.ଏ., ଏମ.ଏ ପର୍ଯ୍ୟନ୍ତ ସଂସ୍କୃତ ପଢ଼ି କେହିକେହି ସ୍ଫଷ୍ଟ ପ୍ରାଞ୍ଜଳ ଭାବରେ ଦେବନାଗରୀ ଛାପା ସଂସ୍କୃତ ପୁସ୍ତକ ପଢ଼ି ନ ପାରିବାର ଦେଖାଯାଏ । ବିଶେଷତଃ ବି.ଏ. ପ୍ରଭୃତି ଉଚ୍ଚ ପରୀକ୍ଷାରେ ଦେବନାଗରୀ ସଂସ୍କୃତ ଉତ୍ତର ଲେଖିଲେ ପରୀକ୍ଷକମାନଙ୍କ ପକ୍ଷେ ସୁବିଧା । ଇଉରୋପର ଯେଉଁ ବଡ଼ବଡ଼ ପଣ୍ଡିତମାନେ ସଂସ୍କୃତଚର୍ଚ୍ଚ। କରନ୍ତି ସେମାନେ ଦେବନାଗରୀରେ ଲେଖନ୍ତି । 

ଦେବନାଗରୀରେ ଲେଖିବା ଏପରି କିଛି ଅସାଧ୍ୟ ନୁହେଁ । ଏଥିରେ ଅନ୍ୟ କୌଣସି ପ୍ରାଦେଶିକ ଭାଷା ବା ଅକ୍ଷରର ଅବମାନନା ହେଉନାହିଁ । କିମ୍ୱା କାହାରି ଜାତୀୟତାରେ ହାନି ଘଟିବାର କଥା ନୁହେଁ । ମୋଟ କଥା ଆମ୍ଭେମାନେ ଦେବନାଗରୀରେ ସଂସ୍କୃତ ଲେଖାର ବିରୋଧୀ ନୋହୁ । ମାତ୍ର ଯେ ଅଳ୍ପ ସମୟ ମଧ୍ୟରେ ଏ ନିୟମ ଜାରି ହେବାର କଥା ହୋଇଅଛି ସେଥିରେ ପରୀକ୍ଷାର୍ଥୀମାନଙ୍କର ବିଶେଷ କ୍ଷତି ହେବାର ଆଶଙ୍କା । ପରୀକ୍ଷାରେ ଯେପରି ତରତର ଲେଖିବା ଦରକାର ପଡ଼େ ସେଥିରେ ନୂଆ ଶିଖା କୌଣସି ଅକ୍ଷରରେ ଲେଖିବା ଅନେକଙ୍କ ପକ୍ଷେ ବଡ଼ ବିପଦ । କେତେ ଦିନ ଅଭ୍ୟାସ ହୋଇଗଲେ ତେତେ ପଡ଼ିବ ନାହିଁ । ମାତ୍ର ଛାତ୍ରମାନଙ୍କୁ ଏଥିଲାଗି ଯଥେଷ୍ଟ ସମୟ ଦିଆ ହୋଇଅଛି ବୋଲି ଆମ୍ଭେମାନେ କହି ନ ପାରୁ । ପୁଣି ଯେଉଁମାନେ ମାଟ୍ରିକୁଲେସନ ବା ସ୍କୁଲ ଫାଇନାଲ ପଢ଼ା ଶେଷ କରିବେ, ଭବିଷ୍ୟତରେ ସଂସ୍କୃତ ସଙ୍ଗେ ସେମାନଙ୍କର କିଛି ସମ୍ପର୍କ ରହିବାର ସମ୍ଭାବନା ନାହିଁ । 

ଆମ୍ଭମାନଙ୍କ ମତରେ ସେମାନଙ୍କୁ ପରୀକ୍ଷାରେ ନାଗରୀ ଲେଖିବାକୁ ବାଧ୍ୟ କରିବାରେ କିଛି ଲାଭ ନାହିଁ । ତେବେ ଯେଉଁମାନେ କଲେଜରେ ସଂସ୍କୃତ ନେବେ ସେମାନେ ଦେବନାଗରୀ ଲେଖିବା ବାଞ୍ଚନୀୟ । ଭାବୀ ଜୀବନରେ ସେମାନେ ସଂସ୍କୃତ ସାହିତ୍ୟର ଅନୁସନ୍ଧାନ କରିବେ ବୋଲି ଆଶା କରାଯାଏ । ମାତ୍ର ମାଟିକ୍ୟୁଲେସନଠାରୁ ଅଭ୍ୟାସ ନ ଥିଲେ କଲେଜରେ ତରତର ଲେଖିବା କଷ୍ଟକର ହେବ । ତେଣୁ ମାଟ୍ରିକ୍ୟୁଲେସନ ଛାତ୍ରମାନେ ଉପର ଚାରି ଶ୍ରେଣୀରେ ଦେବନାଗରୀ ଲେଖା ଅଭ୍ୟାସ କରନ୍ତୁ । ସେମାନେ ପରୀକ୍ଷା ଦେବା ବେଳେ ସ୍କୁଲର ହେଡ୍‌ମାଷ୍ଟର ଏ ବିଷୟର ସାର୍ଟିଫିକେଟ ପାଇ ନ ଥିବେ ସେମାନେ କଲେଜରେ ସଂସ୍କୃତ ନେଇ ପାରିବେ ନାହିଁ । ତାହା ହେଲେ କଲେଜରେ ପରୀକ୍ଷା ସଂସ୍କୃତର ଉତ୍ତର ଦେବନାଗରୀରେ ଲେଖିବାକୁ କାହାରି କିଛି କଷ୍ଟ ହେବନାହିଁ । କିମ୍ୱା ସେପରି ଗୁରୁତର ଆପତ୍ତି ଉଠିବ ନାହିଁ । 

ଏ ପ୍ରସଙ୍ଗ ଗଲା ଉତ୍କଳ ସମ୍ମିଳନୀରେ ବିଚାର କରାଯାଇଥିଲା ଏବଂ ଦେବନାଗରୀ ଲେଖା ବିରୁଦ୍ଧେ ଏକ ନିର୍ଦ୍ଧାରଣ ହୋଇଥିଲା । ଓଡିଶା ଛାତ୍ର ସମ୍ମିଳନୀରେ ଏ ବିଷୟରେ ଏକ ପ୍ରସ୍ତାବ କରାଯାଇଅଛି । ଉତ୍କଳ ଲୋକସଭା ମଧ୍ୟ ଏଥିର ପ୍ରତିବାଦ କରି ଅଛନ୍ତି । ମୋଟରେ ଓଡିଶାର ସାଧାରଣ ମତ ପାଟଣା ବିଶ୍ୱବିଦ୍ୟାଳୟ ସିଣ୍ଡିକେଟରେ ଏ ପ୍ରସଙ୍ଗ ପଡ଼ିଥିଲା । ସଂସ୍କୃତ ଶିକ୍ଷାବୋର୍ଡ ଏବଂ ଫାକଲଟିଙ୍କ ନିକଟକୁ ପୁନର୍ବିଚାର ନିମନ୍ତେ ଏହା ପଠା ହୋଇଅଛି। ସେମାନେ ବିଚାର କରି ସିଣ୍ଡିକେଟକୁ ପଠାଇଲେ ଶେଷ ନିଷ୍ପତ୍ତି ହେବ । ବୋର୍ଡ ଏବଂ ଫାକଲିଟିର ଓଡ଼ିଶା ମେମ୍ୱରମାନେ ଏ ପ୍ରସଙ୍ଗରେ ଆଲୋଚନା ସମୟରେ ଉପସ୍ଥିତ ରହି ଯଥା ସାଧ୍ୟ କର୍ତ୍ତବ୍ୟ ପାଳନ କରିବାକୁ ଆମ୍ଭୋମାନେ ଏକାନ୍ତ ଅନୁରୋଧ କରୁ । ଆମ୍ଭେମାନେ ଏକାବେଳେକେ ଦେବନାଗରୀ ପ୍ରସ୍ତାବରେ ବିରୋଧୀ ନୋହୁ କିମ୍ୱା ପାଟଣା ବିଶ୍ୱବିଦ୍ୟାଳୟଙ୍କର ନୋହିଲେ ଏବେ ନ ହେବ କେବେ ନୀତି ସମର୍ଥନ କରୁ ନାହୁଁ । ଆଶା କରୁ ଏ ମଝିବାଟରେ ଯିବା ଲାଗି ବୋର୍ଡ ଏବଂ ଫାକଲଟି ମେମ୍ୱରମାନଙ୍କର ତେତେ ଅସୁବିଧା ବା ଆପତ୍ତି ହେବନାହିଁ ।

(ସମାଜ ତା ୩୧--୧୯୨୦)

Thursday, June 14, 2018

ପିଲାଙ୍କ ପାଇଁ କବିତା - 'ପାରିବାର ପରିବାର'

କବି - ଜଗନ୍ନାଥ ପ୍ରସାଦ ଦାସ


ପନ୍ଦର ଶହ ଶତାବ୍ଦୀର ଶ୍ରୀଲଙ୍କାର କଳା (ୱିକିମିଡିଆ କମନ୍ସ୍)

ପାରିବାର ଘର ମୋର
ହାତୀ ମୋର ସାଥୀ,
ସାପ ମୋର ବାପ ଆଉ
ପାତି ମୋର ନାତି ।

ମୂଷା ମୋର ମଉସା
ମଇଁଷୀ ମୋ ମାଉସୀ
ହାଇନା ମୋ ଭାଇନା
ପୁଷି ମୋର ପିଉସୀ ।

ତଥାପି ନ ଡର ଯଦି 
ଶୁଣି ନିଅ ଏଥର
ହେଟା ମୋର ବେଟା ଆଉ
ଅସୁର ମୋ ଶଶୁର । 

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Wednesday, June 13, 2018

ଗିଜୁଭାଇଙ୍କ ଶିକ୍ଷାକର୍ମର ଭାରତୀୟ ପୃଷ୍ଠଭୂମି

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


୧୯୧୩ ମସିହାରେ ଉତ୍ତୋଳିତ ମାରିଆ ମଣ୍ଟେସୋରିଙ୍କର ଟିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍
ଭାରତରେ ଶିକ୍ଷା

ପରାଧୀନ ଭାରତରେ ଶିକ୍ଷାର ଅବସ୍ଥା ଖୁବ ସଙ୍କଟାପନ୍ନ ଥିଲା । ଶିକ୍ଷକମାନଙ୍କର ସଙ୍ଖ୍ୟା ଦିନକୁ ଦିନ କମିବାରେ ଲାଗିଥିଲା । ଶିକ୍ଷାର ଉନ୍ନତି ଦିଗରେ କୌଣସି କାର୍ଯ୍ୟକ୍ରମ ଚାଲୁ ନ ଥିଲା । ଭାରତୀୟମାନେ ମଧ୍ୟ ନିଜକୁ ବେଶ୍ ସୀମିତ କରି ରଖିଥିଲେ । ଶିକ୍ଷା ପାଇଁ ବିଦେଶ ଗଲା ବେଳେ ଏହି ସୀମିତ ମନୋଭାବ ପାଇଁ ଗାନ୍ଧିଜୀଙ୍କୁ ଅନେକ ଅସୁବିଧା ସହିବାକୁ ପଡ଼ିଥିଲା । ନାରୀଶିକ୍ଷାକୁ ଅଦରକାରୀ ମନେ କରା ଯାଉ ଥିଲା । ସେହି ସମୟରେ ଗୋଖଲେ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଉପରେ ଖୁବ୍ ଜୋର ଦେଇଥିଲେ । କିନ୍ତୁ ଆମ ଦେଶର ଲୋକଙ୍କର ଏ ଦିଗରେ କୌଣସି ଆଗ୍ରହ ନ ଥିଲା । ଏଭଳି ପରିସ୍ଥିତିରେ ନୂଆ ଶିକ୍ଷାପଦ୍ଧତି ପ୍ରଚଳନର ସମ୍ଭାବନା ହିଁ ନ ଥିଲା ।

ସେତେବେଳେ ସମସ୍ତଙ୍କର ଧାରଣା ଥିଲା ଯେ, ପିଲାମାନେ କଞ୍ଚାମାଟିର ଗୁଳା ଭଳି । ଆମେ ସେମାନଙ୍କୁ ଯେଭଳି ରୂପ ଦେବାକୁ ଚାହିଁବା, ସେଭଲି ଶିକ୍ଷା ଦେବା । ଏଥିପାଇଁ କିଛି ଅଧିକ ଚିନ୍ତାର ଆବଶ୍ୟକତା ନାହିଁ । ଲୋକମାନଙ୍କର ଏଭଳି ମଧ୍ୟ ଧାରଣା ଥିଲା ଯେ, ଛୋଟ ପିଲାମାନେ କିଛି ବି ବୁଝି ପାରନ୍ତି ନାହିଁ । ବିବେକ ବୋଲି ସେମାନଙ୍କର କିଛି ନ ଥାଏ । କେଉଁ ଥିରେ ତା'ର ମଙ୍ଗଳ ହେବ, ସେକଥା ସେ ଜାଣି ପାରେ ନାହିଁ । ତା'ର ଭଲ ପାଇଁ ଆମେ ହିଁ ତା'କୁ ଗାଳି ମାଡ଼ ଦେଇ ଯାହା ଦରକାର ତାହା ଶିଖାଇବା ।

ଶିକ୍ଷା ସହିତ ଖୁସି ହେବାର ସମ୍ପର୍କ ବିଲେଇ-ମୂଷାର ସମ୍ପର୍କ ଭଳି ଥିଲା । ପାଠକୁ ସେତେ ବେଳେ ଘୋଷି ମନେ ରଖିବା ହିଁ ପାଠ ପଢ଼ାର ଏକମାତ୍ର ଧାରା ଥିଲା । ଶିକ୍ଷା କ୍ଷେତ୍ରରେ ପିଲାର ରୁଚି, ତା'ର କିଛି ସିଦ୍ଧାନ୍ତ ବା ଅନୁଭବନିଜକୁ ପ୍ରକାଶ କରିବାର ଇଚ୍ଛାସ୍ୱାଧୀନତା ଆଦିର କୌଣସି ସ୍ଥାନ ନ ଥିଲା । ତେବେ ଗୁରୁକୂଳ ଆଶ୍ରମର ଶିକ୍ଷା ପଦ୍ଧତି ଏ ଦିଗରେ କିଛି ବାଟ ଦେଖାଇଥିଲା । ହରିଦ୍ୱାରର ସ୍ୱାମୀ ଶ୍ରଦ୍ଧାନନ୍ଦ ତାଙ୍କ ଶିକ୍ଷା ବ୍ୟବସ୍ଥାରେ ରାଷ୍ଟ୍ରୀୟତାଭାରତୀୟ ସଂସ୍କୃତିସଂସ୍କୃତ ଭାଷାଶାରୀରିକ ବିକାଶ ଆଦି ବିଷୟକୁ ସ୍ଥାନ ଦେଇଥିଲେ । ଶାନ୍ତି ନିକେତନରେ ଆଧ୍ୟାତ୍ମିକତାଖୁସିରେ ଶିଖିବା ଆଦି ନୂଆ ନୂଆ କଥା ସବୁ ସ୍ଥାନ ପାଇଥିଲା । ସେମାନେ ସେଠାରେ ଅନ୍ତର୍ରାଷ୍ଟ୍ରୀୟ ସଦ୍ଭାବ ଶିକ୍ଷା ଦେବାରେ ମଧ୍ୟ ଗୁରୁତ୍ୱ ଦେଉଥିଲେ । ମାଡ୍ରାସର ଗୋଟିଏ ସଂସ୍ଥାରେ ମଧ୍ୟ ନୂତନ ଶିକ୍ଷା ପ୍ରୟୋଗ କରା ଯାଉ ଥିଲା ।

ଧୀରେ ଧୀରେ ଜନ ସଚେତନତା ବଢ଼ିଲା ଓ ଭାରତୀୟମାନେ ମଧ୍ୟ ଆଉ କାହାକୁ ଅନୁକରଣ କରିବା ବଦଳରେ ନିଜ ଦେଶର ଆବଶ୍ୟକତା ଅନୁଯାୟୀ ଶିକ୍ଷା ପଦ୍ଧତିର ପ୍ରଚଳନ ହେବା ଉଚିତ ବୋଲି ଅନୁଭବ କରି ପାରିଲେ ।

ଗୁଜୁରାଟରେ ଶିକ୍ଷା

ଗୁଜୁରାଟରେ ପ୍ରଥମେ କେବଳ ସରକାରୀ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଥିଲା । ପରେ ବେସରକାରୀ ଉଦ୍ୟମରେ କିଛି ଶିକ୍ଷା କାର୍ଯ୍ୟକ୍ରମ ମଧ୍ୟ ଚାଲିଲା । [ବରୋଦାର] ମହାରାଜ ଗାଏକୱାଡ଼ ବିଦେଶରୁ ବହି ମଗାଇ ଲୋକଙ୍କ ଭିତରେ ନୂଆ ବିଚାରଧାରା ସୃଷ୍ଟି ପାଇଁ ଚେଷ୍ଟା କରୁଥିଲେ । ଗୋପାଳଦାସ ତାଙ୍କ ଗାଁର ପିଲାଙ୍କୁ ମଣ୍ଟେସୋରୀ ପଦ୍ଧତିରେ ପଢ଼ାଇବାର ବ୍ୟବସ୍ଥା କରିଥିଲେ । ମଣ୍ଟେସୋରୀ ପଦ୍ଧତିର ଅନେକ ବହି ସେ ଗୁଜୁରାଟି ଭାଷାରେ ଅନୁବାଦ କରିଥିଲେ । କେତେ ଜାଗାରେ କିଣ୍ଡରଗାର୍ଟନ ଶିକ୍ଷା ବ୍ୟବସ୍ଥା ମଧ୍ୟ ଚଳାଯାଉଥିଲା ।

ବି.ଦ୍ର.ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Monday, June 11, 2018

ଏକ ଦୁଃଖଦ ଖବର

ଜ୍ୟୋତି ନନ୍ଦ

ମୃତ୍ୟୁର ଚିହ୍ନ (ୱିକିମିଡିଆ କମନ୍ସ୍)
ଖବରଟି ନିହାତି ଦୁଃଖର ।
ଗୋଟିଏ ମୃତ୍ୟୁ ସମ୍ବାଦ ଆପଣଙ୍କୁ ଦେବାକୁ ଯାଉଛି ।

ମୋର ବିଚାରରେ ପୃଥିବୀର ଏଇ ଏକମାତ୍ର ମୃତ୍ୟୁ ସମ୍ବାଦ ଯାହାକୁ ପଢ଼ିବା ପରେ ଆପଣମାନେ ସମ୍ଭବତଃ ହସି ପାରନ୍ତି ।

ଏଇ ମୃତ୍ୟୁସମ୍ବାଦଟି ଅସଲରେ ଯାହାର ମୃତ୍ୟୁ ବିଷୟକ ଥିଲା, ସେହି ବ୍ୟକ୍ତି ଜଣକ ତାହାକୁ ନିଜେ ପଢ଼ି ଏକ ଅଟ୍ଟହାସ୍ୟ ଦେଇ କିଛି ସମୟ ଚୁପ୍ ରହିବା ପରେ କହିଥିଲେ:

"ମୋର ମୃତ୍ୟୁର ବିବରଣୀଟି ପ୍ରକୃତରେ ଏକ ଅତିରଞ୍ଜନ ଥିଲା ।" ଇଂରାଜୀରେ - "ଦି ରିପୋର୍ଟ ଅଫ୍ ମାଇ ଡେଥ୍ ୱାଜ୍ ଆନ୍ ଏକ୍‌ସାଜରେସନ୍।"

ସେହି ବ୍ୟକ୍ତି ଜଣକଙ୍କର ଏହି ପ୍ରତିକ୍ରିୟାଟି ଖବରକାଗଜରେ ପ୍ରକାଶ ପାଇବା ପରେ ଏହି ବିଶେଷ ବାକ୍ୟଟି ଇଂରାଜୀ ଭାଷାରେ ଏକ ଜନପ୍ରିୟ ପ୍ରୟୋଗରେ ପରିଣତ ହୋଇ ଯାଇଥିଲା ।

ଜୁନ୍ ମାସ ଦୁଇ ତାରିଖ ଦିନ ଅଠରଶହ ସତାନବେ ମସିହାରେ 'ଦି ନ୍ୟୁୟର୍କ ଜର୍ଣ୍ଣାଲ୍' ରେ ନିଜ ମୃତ୍ୟୁ ସମ୍ବାଦ ପଢ଼ିବା ପରର ତାଙ୍କର ଉପରୋକ୍ତ ପ୍ରତିକ୍ରିୟାଟିକୁ ବେଶ୍ ପ୍ରମୁଖତାର ସହ ପ୍ରକାଶ କରାଯାଇଥିଲା । ସେ ସେତେବେଳକୁ ଜଣେ ପ୍ରସିଦ୍ଧ ବିଶ୍ୱସ୍ତରର ଖ୍ୟାତିମାନ ଲେଖକ ।

ତାଙ୍କର କେତୋଟି ଉକ୍ତି ଓ ଉଦ୍ଧୃତି:

"ମଣିଷ ଯେତେବେଳେ ନିଜକୁ ମିଥ୍ୟାବାଦୀ ବୋଲି ସ୍ୱୀକାର କରେ ସେତେବେଳେ ସେ ସବୁଠାରୁ ବେଶି ସତ୍ୟବାଦୀ ।"

"ସାଧାରଣ କଥାବାର୍ତ୍ତାରେ ମଣିଷ ପ୍ରାୟତଃ ଯେଉଁ ବିଶେଷଣ ଗୁଡିକୁ ବ୍ୟବହାର କରୁଥାଏ ତାହା ସାଧାରଣତଃ ଯେଉଁ ଚରିତ୍ରଟି ପାଇଁ ବେଶି ପ୍ରଯୁଜ୍ୟ ହେବ, ତାହା ସେ ନିଜେ ।"

"ମଣିଷ କହେ ପଶୁ ହେଉଛି ମୂକ ଆଉ ଏମିତି କହିବା ମଣିଷର ଗର୍ବ ଆଉ ଅବାନ୍ତରପଣ, କାରଣ ମଣିଷ ନିଜର ନିର୍ବୋଧ ଅବବୋଧ ପ୍ରତି ସର୍ବଦା ମୂକ ।"

"ଗଳ୍ପ ହେଉଛି ସର୍ବଦା ସମ୍ଭାବନାମୟ,ସତ୍ୟ ନୁହଁ ।"

"ସବୁଠାରୁ ଶ୍ରେଷ୍ଠ ଆବିଷ୍କାରକ ହେଉଛି, ଦୁର୍ଘଟଣା ।"

"ତମର ବନ୍ଧୁମାନେ ଯେତେବେଳେ ତମକୁ ବେଶ୍ ତରୁଣ ଦେଖାଯାଉଛ ବୋଲି ପ୍ରଶଂସା କରନ୍ତି, ମାନେ ବୁଝିବାକୁ ହେବ ଯେ ତମେ ବୁଢ଼ା ଦିଶିଲଣି ।"

"ବ୍ୟଙ୍ଗ ଏମିତିରେ କୌଣସି ଶିକ୍ଷା ନୁହଁ କି କୌଣସି ଜ୍ଞାନ ନୁହଁ, ମାତ୍ର ଦୀର୍ଘ ଦିନ ରହିଗଲେ ଏହା ଉଭୟ ।"

"ଶହୀଦତ୍ୱ ବହୁବିଧ ପାପକୁ ଆବୃତ କରି ରଖିଥାଏ ।"

"ମିଛ ଅଛି, ଦି ପ୍ରକାର; ନିନ୍ଦନୀୟ ମିଛ ଓ ତଥ୍ୟାବଳୀ (ବା ଷ୍ଟାଟି।ଷ୍ଟିକ୍‌ସ୍) ।"

"ଭଲ ବନ୍ଧୁ, ଭଲ ବହି ଆଉ ସୁପ୍ତ ବିବେକ; ଏହା ହିଁ ଆଦର୍ଶ ଜୀବନ।"

ସେଇ ଲେଖକର ଉଦ୍ଧୃତିକୁ ସହଜରେ ଛାଡ଼ି ହେବ ନାହିଁ । ଇଚ୍ଛା ହେଉଛି ଯେମିତି ହଜାରେ ଉଦ୍ଧୃତିକୁ ବାଛି ଅନୁବାଦ କରି ପକାଇଲେ ନିଜକୁ ଘଡ଼ିଏ ତୃପ୍ତ ଲାଗିବ ।

ସେଇ ବିଶିଷ୍ଟ ଲେଖକଙ୍କର ଦୁର୍ଭାଗ୍ୟ ହେଉଛି, ତାଙ୍କର ଜଣେ ଭାଇର ପୁଅ ଥିଲା, ତାହାର ନାଆଁ ହେଉଛି ଜେମସ୍ ରସ୍ କ୍ଲେମେନ୍ସ ।ତାହାର ଶରୀର ଅସୁସ୍ଥ ହେଲେ ସମ୍ବାଦ ପତ୍ରରେ ଖବର ବାହାରୁ ଥିଲା ଯେ, ଏହି ଲେଖକ ଜଣକ ଅସୁସ୍ଥ । ସେହି ଭାଇର ପୁଅଟି ଅର୍ଥାତ୍ ଜେମସ୍ ରସ୍ କ୍ଲେମେନ୍ସ୍‌ଙ୍କ ମୃତ୍ୟୁ ସମ୍ବାଦ ଟି ବାହାରିଥିଲା ଲେଖକଙ୍କ ମୃତ୍ୟୁ ସମ୍ବାଦ ଆକାରରେ ।

ଏହି କମେଡ଼ି ଅଫ୍ ଏରର୍ ପାଇଁ ଲେଖକଙ୍କ ନାଆଁଟି ହିଁ ବିଶେଷତଃ ଦାୟୀ । ଏହି ବିଶ୍ୱପ୍ରସିଦ୍ଧ ଲେଖକଙ୍କ ନାଆଁଟି ଥିଲା, ସାମୁଏଲ୍ ଲଙ୍ଗହର୍ଣ୍ଣ କ୍ଲେମେନ୍ସ୍ । ମୁଖ୍ୟତଃ ନାଆଁର ଏହି କ୍ଲେମେନ୍ସ୍ ଭାଗକୁ ନେଇ ସବୁ ଜଟିଳତା ।

ଆଉ ଅଧିକ ରହସ୍ୟ ନାହିଁ  । ଏଇ ପ୍ରସିଦ୍ଧ ଆମେରିକୀୟ ଲେଖକଙ୍କୁ ସାମୁଏଲ୍ ଲଙ୍ଗହର୍ଣ୍ଣ କ୍ଲେମେନ୍ସ୍ ବୋଲି କହିଲେ କେହି ଚିହ୍ନିବେ ନାହିଁ । ସେ ଜଣେ ଦୁଃସାହସିକ ଯାତ୍ରୀ । 'ହକଲବରୀ ଫିନ୍‌ର ଦୁଃସାହସିକ ଯାତ୍ରା' ଓ 'ଟମ୍ ସାୟାର୍‌ର ଦୁଃସାହସିକ ଯାତ୍ରା'ର ଏଇ ବିଖ୍ୟାତ ଲେଖକଙ୍କୁ ସମସ୍ତେ ମାର୍କ ଟ୍ୱେନ୍ (୧୮୩୫-୧୯୧୦) ବୋଲି ଚିହ୍ନନ୍ତି ଓ ଶ୍ରଦ୍ଧା କରନ୍ତି ।

Friday, June 08, 2018


ଦେଶୀୟ ଭାଷାରେ ଶିକ୍ଷାଦାନ


ଗୋପବନ୍ଧୁ ଦାଶ


 ୧୮୭୦ ମସିହାରେ କଲିକତା ବିଶ୍ୱବିଦ୍ୟାଳୟର ଚିତ୍ର (ୱିକିମିଡିଆ କମନ୍ସ୍)

କଲିକତା ବିଶ୍ୱବିଦ୍ୟାଳୟର କାର୍ଯ୍ୟ ଦିନକୁ ଦିନ ବଢ଼ୁଅଛିମ। ବିଶ୍ୱବିଦ୍ୟାଳୟର ଶିକ୍ଷା ଓ କାର୍ଯ୍ୟ ପ୍ରଣାଳୀରେ କେତେକ ପରିବର୍ତ୍ତନ ଆବଶ୍ୟକମ। ତାହା ସ୍ଥିର କରିବା କାରଣ ବଡ଼ ସାହେବ ଆଦେଶ ମତେ ଏକ କମିଶନ ନିଯୁକ୍ତ ହୋଇଥିଲେମ। ଇଉରୋପର ବିଶ୍ୱବିଦ୍ୟାଳୟମାନଙ୍କର କେତେଜଣ ପ୍ରଧାନ ଅଧ୍ୟକ୍ଷ ଏ କମିଶନର ସଭ୍ୟମଥିଲେମ। ବଙ୍ଗଳାର ଭିନ୍ନଭିନ୍ନ କଲେଜମାନ ପରିବର୍ତ୍ତନ କଲେ, କୌଣସି କୌଣସି ସ୍କୁଲ ମଧ୍ୟ ଦେଖିଲେମ। ଭାରତର ଆଉ କେତେକ ସ୍ଥାନର ପ୍ରସିଦ୍ଧି ଶିକ୍ଷା ଅନୁଷ୍ଠାନ ମଧ୍ୟ ଦେଖିଲେ । ବର୍ତ୍ତମାନ କମିଶନଙ୍କ ରିପୋର୍ଟ ବାହାରିଅଛି । ସମ୍ୱାଦପତ୍ରମାନଙ୍କରେ ତହିଁରୁ ଆଲୋଚନା ଚାଲିଅଛି । ମ୍ୟାଟ୍ରିକୁଲେସନ ବା ପ୍ରବେଶିକା ପାଶ୍ କରିଥିବା ଛାତ୍ରମାନେ ମଧ୍ୟ କଲେଜରେ [ପଢ଼ିବା ନିମନ୍ତେ] ଉପଯୁକ୍ତ ନୁହନ୍ତି ବୋଲି କମିଶନଙ୍କ ମତ । ଏ ମତ ଅନେକ ପରିମାଣରେ ଠିକ୍ । ଉପଯୁକ୍ତ ଶିକ୍ଷକଙ୍କ ଅଭାବ ଏଥିର ମୁଖ୍ୟ କାରଣ ବୋଲି କମିଶନ ନିର୍ଦ୍ଦେଶ କରି ଅଛନ୍ତି । ଅବଶ୍ୟ ଯୋଗ୍ୟତର ଶିକ୍ଷକମାନଙ୍କ ଦ୍ୱାରା ଅଧିକ ସୁଫଳ ଫଳିବାରେ ସନ୍ଦେହ ନାହିଁ । କିନ୍ତୁ ଶିକ୍ଷକର ଅଭାବ ଏକମାତ୍ର କାରଣ ନୁହେଁ ।

ବର୍ତ୍ତମାନର ପରୀକ୍ଷା ପ୍ରଣାଳୀକୁ କମିଶନ ନିନ୍ଦା କରି ଅଛନ୍ତି । ବାସ୍ତବରେ ଏଥିରେ ଛାତ୍ରମାନଙ୍କୁ ଯେତେ ପରିଶ୍ରମ ଯେତେ ଉଦ୍‌ବେଗ ସହିବାକୁ ପଡ଼ୁଅଛି, ଫଳ ଦୃଷ୍ଟିରେ ତାହା ଅତ୍ୟଧିକ ଏବଂ ସେଥିରେ ଅନେକ ଛାତ୍ରଙ୍କର ଜୀବନନଷ୍ଟ ହେଉଅଛି । ଗୋଟାଏ ନମ୍ୱର ଲାଗି କେହି କେହି ଛାତ ଏକାଧିକଥର ଅକୃତକାର୍ଯ୍ୟ ହୋଇ ପ୍ରାଣରେ ଯେ ଆଘାତ ପାଉଛନ୍ତି, ସେଥିରେ ସେମାନେ ଏକା ବେଳେକେ ଅକର୍ମଣ୍ୟ ହୋଇ ପଡ଼ୁ ଅଛନ୍ତି । ଏହି ପରି ବିଶ୍ୱବିଦ୍ୟାଳୟ ଶିକ୍ଷାରେ ଯେସବୁ ତୃଟି ଅଛି, ତାହାର ନିବାରଣ ଲାଗି କୌଣସି କମିଶନ କୌଣସି ବିହିତ ପ୍ରତିକାର ପ୍ରସ୍ତାବ କରିଛନ୍ତି ବୋଲି ଆମ୍ଭମାନଙ୍କୁ ବୋଧ ହେଉ ନାହିଁ । ଏଥିର ଯଥାର୍ଥ ନିଦାନ ମଧ୍ୟ ନିରୁପଣ କରି ନାହାନ୍ତି । ଇଂରାଜୀ ଭାଷା ସାହାଯ୍ୟରେ ଶିକ୍ଷା ଦିଆ ଯାଉଥିବା ଏ ଦୋଷମାନ କଦାପି ଘୁଞ୍ଚିବ ନାହିଁ । ଆମ୍ଭମାନଙ୍କ ସ୍କୁଲ କଲେଜରେ ଛାତ୍ରମାନଙ୍କର ବିଷୟବୋଧ ପ୍ରତି ତେତେ ଦୃଷ୍ଟି ନାହିଁ । କେବଳ ଇଂରାଜୀ ଭାଷା ଶିଖୁ ଶିଖୁ ସାରା ଜୀବନ ଅତିବାହିତ ହେଉ ଅଛି । ତଥାପି ଇଂରାଜୀରେ ତୃଟି କେବେ ପୂରଣ ହେଉ ନାହିଁ ।...
 
କମିଶନଙ୍କ ମତରେ ମାଟ୍ରିକ୍ୟୁଲେସନ ପାସ କରି କଲେଜରେ ପଶିବା ଠିକ୍ ନୁହେଁ । କଲେଜର ଆଇ.ଏ. ଏବଂ ଆଇ.ଏସ୍‌.ସି. କ୍ଲାସମାନଙ୍କୁ ସ୍କୁଲରେ ସାମିଲ କରିବା ସେମାନଙ୍କର ପ୍ରସ୍ତାବ । ସେଥିରେ ଉତ୍ତୀର୍ଣ୍ଣ ହେଲେ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ଉପାଧି ନିମନ୍ତେ କଲେଜରେ ପ୍ରବେଶ କରିବେ । ବି.ଏ. ତିନି ବର୍ଷର ପାଠ ହେବ। ଏ ସବୁ ପ୍ରସ୍ତାବ କାର୍ଯ୍ୟରେ ପରିଣତ କରିବାକୁ ବହୁ ବ୍ୟୟ ଲାଗିବ । ମାତ୍ର ଏହା ଦ୍ୱାରା କଲେଜ ଶିକ୍ଷା ଭଲ ହେବ ସନ୍ଦେହ ନାହିଁ । ବାସ୍ତବିକ ମାଟ୍ରିକ୍ୟୁଲେସନ ପାଶ କରିଥିବା ଅନେକ ଛାତ୍ର କଲେଜର ପାଠ୍ୟ ବିଷୟ ସହଜରେ ଅନୁଧାବନ କରି ପାରନ୍ତି ନାହିଁ ।

କଲିକତା ବିଶ୍ୱବିଦ୍ୟାଳୟ ଦେଶୀୟ ଭାଷାରେ ଏମ୍.ଶିକ୍ଷାର ବ୍ୟବସ୍ଥା କରି ଅଛନ୍ତି। ଦେଶୀୟ ଭାଷାମାନ କ୍ରମେ ଉନ୍ନତ ହେଉଅଛି । ଆମ୍ଭମାନଙ୍କର ଆଶା ଥିଲା କମିଶନ ଶିକ୍ଷା ବିଧାନରେ ଦେଶୀୟ ଭାଷାର ଅଧିକ ପ୍ରୟୋଜନୀୟତା ସ୍ୱୀକାର କରିବେ । ମାତ୍ର ଫଳରେ 'ବିଷସ୍ୟ ବିଷମୌଷଧଂ' ନୀତିର ଅନୁସରଣ ହେବାର ଦେଖି ଅନେକେ ହତାଶ ହୋଇଛନ୍ତି ।

(ସମାଜ)

Wednesday, June 06, 2018

ପିଲାଙ୍କ ପାଇଁ କବିତା - 'ଭୁଲା ଚଲା'

କବି - ଜଗନ୍ନାଥ ପ୍ରସାଦ ଦାସ


ଜର୍ମାନ ଦାର୍ଶନିକ ମାର୍କ୍ସ ଷ୍ଟର୍ଣ୍ଣର୍‌ (୧୮୦୬-୧୮୫୬) ଙ୍କର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସଡ଼କେ ଯାଉ ଯାଉ ଚମକିଲି ଦେଖି
ନାକରେ ଚଷମା ଅଛି ନାହିଁ ମୋର ଆଖି ।
ଚାଲିଛନ୍ତି ମଚ ମଚ ମୋର ଜୋତା ଯୋଡ଼ି
ଯଦିଓ ପାଦକୁ ଘରେ ଆସିଛି ମୁଁ ଛାଡ଼ି ।


ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Monday, June 04, 2018

ଗିଜୁଭାଇଙ୍କ ଶିକ୍ଷାକର୍ମର ପୃଷ୍ଠଭୂମି

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଆମେରିକୀୟ ଶିକ୍ଷାବିଦ୍  ଜନ ଡୁଇ (୧୮୫୯-୧୯୫୨)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଗିଜୁଭାଇଙ୍କର ବିଚାର ଓ ଶିକ୍ଷାର ଧାରାକୁ ବୁଝିବାକୁ ହେଲେ, ସେ ସମୟରେ ଶିକ୍ଷାର ପରିସ୍ଥିତି ବିଷୟରେ ପ୍ରଥମେ କିଛି ଜାଣିବା ଦରକାର । ଏହି ସମୟଟି ଥିଲା ବିଂଶ ଶତାଦ୍ଦୀର ପ୍ରଥମ ଦଶକ । ଗୋଟିଏ ଦିଗରେ ଭାରତରେ ସ୍ୱାଧୀନତା ଚିନ୍ତା ମୁଣ୍ଡ ଟେକିଥାଏ । ଅନ୍ୟ ଦିଗରେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ମଧ୍ୟ ବଢ଼ୁଥାଏ । ଦେଶର ଭବିଷ୍ୟତ ବିକାଶ ଆମର ପରମ୍ପରାକୁ ଆଧାର କରିବା ବା ପାଶ୍ଚାତ୍ୟ ଧାରାକୁ ଆଦରିବା, ସେ ବିଷୟରେ ବିତର୍କ ଉଠୁଥାଏ । ଶିକ୍ଷା କ୍ଷେତ୍ର ମଧ୍ୟ ଏହି ବିତର୍କ ଭିତରକୁ ଆସୁଥିଲା ଏବଂ ସମାଧାନର ବାଟ ପାଇବା ପାଇଁ ବିଭିନ୍ନ ପରୀକ୍ଷା ଚାଲୁଥିଲା ।

ଇଉରୋପର ଶିକ୍ଷା ବ୍ୟବସ୍ଥା

୧୮୦୦ ମସିହା ବେଳକୁ ଇଉରୋପରେ ବ୍ୟକ୍ତି ସ୍ୱାଧୀନତା ସହିତ ପଛୁଆ ବର୍ଗର ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟକ୍ରମମାନ ଚାଲୁଥିଲା । ସେଠାର ପ୍ରଗତିଶୀଳ ଶିକ୍ଷାଧାରାର ଦୁଇଟି ପ୍ରାଧାନ୍ୟ ରହିଥିଲାପିଲାମାନଙ୍କୁ ବିନା ଦଣ୍ଡରେ ଶିକ୍ଷା ଦେବା; ଏବଂସେମାନଙ୍କର ଇଚ୍ଛା ଓ ଆବଶ୍ୟକତାକୁ ଚାହିଁ ଶିକ୍ଷା ଦେବା ।

ବିଂଶ ଶତାଦ୍ଦୀର ଆରମ୍ଭରେ ସେଠାରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନୂଆ ନୂଆ ଶିକ୍ଷା ପ୍ରୟୋଗମାନ ଚାଲି ପାରୁଥିଲା । ଗୋଟିଏ ପଟେ ଋଷୋହର୍ବାଟପେଷ୍ଟୋଲୋଜି ଏବଂ ଫ୍ରୋବେଲ ପିଲାଙ୍କ ପାଇଁ ନୂତନ ଶିକ୍ଷା ପଦ୍ଧତିମାନ ପ୍ରସ୍ତୁତ କରୁଥିଲେ । ଆଉ ଅନ୍ୟ ପଟେ, ଇଟାର୍ଡ଼ ଓ ସେରୁଇନଙ୍କ ଧାରାରେ ରୋମ ନଗରୀର ଗରିବ ବସ୍ତିରେ ମାରିଆ ମଣ୍ଟେସୋରୀ ତାଙ୍କର ନୂତନ ପଦ୍ଧତି ବାହାର କରିଥିଲେ । ମଣ୍ଟେସୋରୀଙ୍କର ଶିକ୍ଷା ପଦ୍ଧତି କେବଳ ପ୍ରାଥମିକ ସ୍ତରରେ ନୁହେଁମାଧ୍ୟମିକ ସ୍ତରରେ ମଧ୍ୟ ବ୍ୟବହୃତ ହେବା ପାଇଁ ଉପଯୋଗୀ ଥିଲା । ମହର୍ଷି ଟଲଷ୍ଟୟ ମଧ୍ୟ ଶିକ୍ଷା ଦିଗରେ ତାଙ୍କର ବିଚାରଧାରା ପ୍ରୟୋଗ କରୁଥିଲେ । ଦାର୍ଶନିକ ତଥା ଶିକ୍ଷାବିତ ଜନ ଡୁଇ ମଧ୍ୟ ନୂତନ ବିଚାରଧାରାର ଶିକ୍ଷା ପଦ୍ଧତି ବାହାର କରି ଏ ଦିଗରେ ପଥ ପ୍ରଦର୍ଶନ କରିଥିଲେ ।

(ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।) 

Saturday, June 02, 2018

ଆନ୍ତର୍ଜାତିକ ନାରୀ ଦିବସର ଏକ ଉଦ୍ଧୃତିଭିତ୍ତିକ ଗାଥା

ଜ୍ୟୋତି ନନ୍ଦ


 
ଦ୍ୱାଦଶ ଶତାବ୍ଦୀର ଖ୍ରୀଷ୍ଟୀୟ ଚିନ୍ତକ ହିଲ୍‌ଡେଗାର୍ଡ଼ଙ୍କର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମାର୍ଚ୍ଚମାସ ଆଠ ତାରିଖ ଦିନ ଆନ୍ତର୍ଜାତିକ ନାରୀ ଦିବସ ପାଳିତ ହୁଏ । ଆରମ୍ଭରେ ଗୋଟିଏ ଲଘୁ ମନ୍ତବ୍ୟ କରିବାର ଅଳି କରୁଛି । ଆଜିର ଉଦ୍ଧୃତି ସର୍ବସ୍ୱ ଯୁଗରେ କିଏ ବେଶି ଉଦ୍ଧୃତି ଦିଏ, ପୁରୁଷ ନା ନାରୀ ? ଏଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ଉପରେ ଆମେ ପତିପତ୍ନୀ ନିହାତି ପେଶାଦାର ଆଇନଜୀବୀଙ୍କ ଭଳି 'ଅମୁକ ଦିନ ଅମୁକ' ଭଳି ପ୍ରିସିଡେନ୍ସ ବା ପୂର୍ବ ଉଦାହାରଣମାନକୁ ଯଥାଯଥ ଉପସ୍ଥାପନ କରି ଆନ୍ତର୍ଜାତିକ ନାରୀ ଦିବସଟି ଦିନେ ପାଳନ କଲୁ । ସୌଭାଗ୍ୟର ବିଷୟ ମୋତେ ସକାଳର ନିତ୍ୟ ନିର୍ଦ୍ଧାରିତ ଚା' ଦୁଇ କପ ପାଇଁ 'ଟେପିଡୋଫୋବିଆ' ବା 'ଖରାପ ସ୍ୱାଦର ଚା' ମିଳିବାର ଭୟ' ଭୋଗିବାକୁ ହୋଇ ନାହିଁ । ଚା' ଦୁଇ କପ୍ ଯାକ ଆବଶ୍ୟକତାଠାରୁ ଭଲ ଥିଲା, ଆଉ ବାକି ଯାହା ସର୍ବସାଧାରଣରେ ଅପ୍ରକାଶ୍ୟ, ତାହାକୁ ମୁଁ ଛେଳି ଯୁଦ୍ଧ, ଋଷି ଶ୍ରାଦ୍ଧ ଆଉ ସକାଳର ମେଘାଡ଼ମ୍ବର ଭଳି ବହ୍ୟୁାରମ୍ଭେ ଲଘୁକ୍ରିୟା ବୋଲି କହିବି ।

ନାରୀଟିଏ ସାଧାରଣତଃ ବେଶି ଉଦ୍ଧୃତି ଦେଇଥାଏ ବୋଲି ଆମେ ପୁରୁଷମାନେ ସଚରାଚର କହୁଥିଲେ ବି (ଏଇ ଉଦ୍ଧୃତି କଥାକୁ ନେଇ ମୋ' ଭଳି ଆପଣଙ୍କର ସକାଳଟି ମେଘାଡ଼ମ୍ବର ନ ହେଉ ବୋଲି ଅନୁରୋଧ କରିବି) ହଜାର ହଜାର ବର୍ଷ ଧରି ବିଶିଷ୍ଟ ଚିନ୍ତକମାନେ ନାରୀ ବିଷୟରେ ହିଁ ଉଦ୍ଧୃତି ଦେଇ ଆସିଛନ୍ତି । ସେମାନେ ସବୁ ପୁରୁଷ । ତେଣୁ କହିବାକୁ ଗଲେ ପୁରୁଷମାନଙ୍କୁ ନାରୀଚିନ୍ତା ସବୁ ବାଇମୁଣ୍ଡିଙ୍କ କଟକ ଚିନ୍ତାଠୁ ଅଧିକ । ଆଜିକାଲି ଆମେ ଯେଉଁମାନେ ବିଶେଷତଃ ହ୍ୱାଟସ୍‌ଆପ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଅଛୁ, ସେମାନେ ଯେତିକି ଉତ୍ସାହର ସହ ଆମ ବନ୍ଧୁପରିଜନଙ୍କୁ ଉଦ୍ଧୃତିମାଳାରେ ଦୀପାବଳି କରିଦେବା ପାଇଁ ବଦ୍ଧ ପରିକର ରହିଛୁ, ସମାନୁରୂପରେ ଆମେ ନାରୀ ସମ୍ପର୍କରେ ପୁରୁଷଚିନ୍ତକଙ୍କ ଉଦ୍ଧୃତିକୁ ସବୁବେଳେ ସଠିକ୍ ବୋଲି ଏକ ପରିବେଶ ତିଆରି କରିବାରେ ବି ଲାଗି ପଡ଼ିଛୁ ।

ଅଳ୍ପ କେତୋଟି ମହାନ୍ ପୁରୁଷବାଦୀ ଉଦ୍ଧୃତି ରଖୁଛି ।

ଦାର୍ଶନିକ ଆରିଷ୍ଟୋଟଲ୍‌ଙ୍କ ମତରେ, "ନାରୀ ହେଉଛି ଏକ ଅସମ୍ପୂର୍ଣ୍ଣ ପୁରୁଷ" ।

ସନ୍ଥ ଥମାସ୍ ଆକ୍ୱିନାସ୍‌ଙ୍କ ମତରେ "ନାରୀ ହେଉଛି ପୁରୁଷ ବୀଜର ଏକ ତୃଟିଭାଗର ନିନ୍ଦନୀୟ ପରିପ୍ରକାଶ।"

ମାର୍ଟିନ୍ ଲୁଥର୍‌ଙ୍କ ମତରେ "ପୁରୁଷର ଚଉଡା କାନ୍ଧ ଆଉ ସରୁ ଅଣ୍ଟା ଥାଏ ଆଉ ସେଇଥି ପାଇଁ ସେମାନେ ବୁଦ୍ଧିମାନ । ନାରୀର ସରୁ କାନ୍ଧ ଓ ଚଉଡା ଅଣ୍ଟା ଥାଏ, ସେଇଥି ପାଇଁ ସେମାନେ ଘରକରଣା କାମ କରନ୍ତି ଓ ସନ୍ତାନ ଜନ୍ମ ଦିଅନ୍ତି ।

ଏଇ ଉଦ୍ଧୃତିକୁ ଆପଣ କେମିତି ଦେଖିବେ ଆଜି ?

ସକ୍ରେଟିସ୍, ଯାହାଙ୍କୁ ଆମେ ବିଶ୍ୱର ସବୁଠାରୁ ଉଦ୍ଧୃତିଯୋଗ୍ୟ ଚିନ୍ତାନାୟକ ବୋଲି ସ୍ୱୀକାର କରୁ, ତାଙ୍କ ଭିତରର ପୁରୁଷାକାରଟି ବି କହିପାରିଥିଲା ଯେ, ନାରୀର ବୁଦ୍ଧିବୃତ୍ତି ସାଧାରଣତଃ କମ୍ । ତାହାର କାରଣ ଦେବାକୁ ଯାଇ ଆମର ଏଇ ଚିନ୍ତାରାଜ୍ୟର ବିଶ୍ୱସମ୍ରାଟ ଜଣକ ଯେଉଁ ହାସ୍ୟକର ତର୍କଟି ଦେଇଥିଲେ ତାହା ଏହି ପରି, ନାରୀର ପୁରୁଷ ତୁଳନାରେ ପାଟିରେ ଥିବା ଦାନ୍ତ ସଙ୍ଖ୍ୟା କମ୍, ତେଣୁ ବୁଦ୍ଧି ସେମାନଙ୍କର କମ୍ । ପରିଣତ ବୟସରେ ବିବାହ କରିଥିବା ତରୁଣୀ ପତ୍ନୀ ଜାନଥିପିଙ୍କ ନିକଟରୁ ନାରୀର ଦନ୍ତ-ସୁମାରି କରି ବୁଦ୍ଧିର ଏହି ଦନ୍ତ-ତତ୍ତ୍ୱକୁ ପରୀକ୍ଷା କରିନେବାର ସିଦ୍ଧାନ୍ତକୁ ସକ୍ରେଟିସ୍ ଉଚିତ ମଣି ନାହାନ୍ତି ।

ଯଦିଓ ହେମଲକ୍ ବୋଲି ବିଶ୍ୱବିଦିତ ବିଷ ପାନ କରିବାର କିଛି ସମୟ ପୂର୍ବରୁ ସତୁରି ବୟସର ସକ୍ରେଟିସ୍‌ଙ୍କ ତୃତୀୟ ତଥା କୋଳପୋଛା ପୁଅଟି ଜାନଥିପିଙ୍କ କୋଳରେ ମାଆ ସହ କାନ୍ଦୁଥିଲା । କାରାଗାରର ପ୍ରକୋଷ୍ଠ ଭିତରେ ହେମଲକ୍‌ର ଯଥାଯଥ ମିଶ୍ରଣର ପାନୀୟ ପାତ୍ରଟିର ପ୍ରସ୍ତୁତି ଚାଲିଥିଲା ସମସ୍ତଙ୍କ ସାମ୍ନାରେ । ସକ୍ରେଟିସ୍‌ଙ୍କୁ ବନ୍ଧନମୁକ୍ତ କରାଗଲା । ଜାନଥିପି ଜଣେ କଳିହୁଡ଼ି ସ୍ତ୍ରୀ ବୋଲି ଅପଖ୍ୟାତି ପାଇଛନ୍ତି ଇତିହାସରେ, ହୁଏତ ତାଙ୍କର ସ୍ୱାମୀ ବିଶିଷ୍ଟ ଚିନ୍ତାନାୟକ ବୋଲି । ନିଜର କଳିହୁଡ଼ି ବୋଲି ଅପଖ୍ୟାତିଟିକୁ ଘୋଡ଼ାଇ ରଖିବା ଭଳି ରୂପ କି କ୍ଷମତା କି ଜ୍ଞାନ ର ଆଭରଣଟିଏ ଜାନଥିପିଙ୍କ ପାଖରେ ନ ଥିଲା । ତେଣୁ ସେ ଇତିହାସରେ ଅନ୍ୟାନ୍ୟ ଗୌଣ ଚରିତ୍ରମାନଙ୍କ ଭଳି, କେବଳ ସକ୍ରେଟିସ୍‌ଙ୍କ ପତ୍ନୀ ହୋଇ ରହିଗଲେ, ଯେଉଁଠୁ ତାଙ୍କୁ ସେମିତି ମୁଣ୍ଡ ଟେକି ଚାହିଁବାର ଅବକାଶ ନାହିଁ । ଅନ୍ୟ ପକ୍ଷରେ ସ୍ୱାମୀ ସକ୍ରେଟିସ୍ ସବୁକାଳ ପରିବେଷ୍ଟିତ ହୋଇ ରହିଛନ୍ତି ନିଜର ଜ୍ଞାନର ପ୍ରଭାମଣ୍ଡଳରେ ଯାହା ତାଙ୍କର ଛୋଟ ଛୋଟ ତୃଟିର ଅନ୍ଧାରକୁ ରହିବାକୁ ଦେବ ନାହିଁ । ସାମ୍ନାରେ ପ୍ରସ୍ତୁତ ହେମଲକ୍, ବନ୍ଧନମୁକ୍ତ ସକ୍ରେଟିସ୍ ଓ ସମବେତ ତାଙ୍କର କିଛି ଅନୁଗାମୀଙ୍କୁ ଦେଖି କୋଳରେ କାନ୍ଦୁଥିବା ପିଲାଟି ସହ କାନ୍ଦକାନ୍ଦ ଗଳାରେ ଏକଦା ସେଇ କଳିହୁଡ଼ି ପତ୍ନୀ ଜାନଥିପି କହି ଥିଲେ, ଶେଷ ବେଳ ହେଲା, କିଛି କହିବ ?

ସକ୍ରେଟିସ୍ ତାଙ୍କର ଅନୁଗାମୀମାନଙ୍କୁ ନିର୍ଦ୍ଦେଶ ଦେଲେ ଜାନଥିପି ଆଉ ଶିଶୁପୁତ୍ରକୁ କାରାଗାର ଗୃହରୁ ବାହାରକୁ ନେଇ ଯିବା ପାଇଁ ।ସକ୍ରେଟିସ୍‌ଙ୍କ ଏହି କାର୍ଯ୍ୟର ପୁରୁଷୋଚିତ ତର୍ଜମା ଆମର ରହିଛି, ଯାହା ଅନୁସାରେ ସେ ନିଜର ପ୍ରିୟତମା ପତ୍ନୀଙ୍କ ଦୁଃଖକୁ ବହନ କରି ନିଜର ଶେଷ ଯାଏଁ ଯିବାକୁ ଚାହୁଁ ନ ଥିଲେ । କିନ୍ତୁ ପ୍ରକୃତ କଥାଟି ହେଲା, ସେ ତାଙ୍କର ଶେଷ ଦାର୍ଶନିକ ସୁସମାଚାରରେ କୌଣସି ବିଘ୍ନ ଚାହୁଁ ନ ଥିଲେ ।

ବିଶ୍ୱ ଇତିହାସରେ ଚିନ୍ତକଗଣ ଖାଲି ରାତି ଅଧ ନୁହଁ, ସବୁବେଳେ କାହିଁକି ଏତେ ବେଶି ପୁରୁଷ ହୋଇ ଉଠନ୍ତି, ତାହାର ସଠିକ କାରଣ କିଏ କହିବ ?

୨୦୦୯ ମସିହାରେ କଲମ୍ବିଆ ଦେଶର ବୋଗୋଟାଠାରେ ନାରୀ ଦିବସ ପାଳନର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏହି ପରିପ୍ରେକ୍ଷୀରେ ନାରୀକୁ ନିଜର ଏକ କବିତାରେ ଗୋଟିଏ ସୁନ୍ଦର ସଂଜ୍ଞା ଦେଇ ଥିବା କବିଗୁରୁ ରବୀନ୍ଦ୍ରନାଥଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ସେହି କବିତାଂଶର ସୁନ୍ଦର ଉଦ୍ଧୃତିଯୋଗ୍ୟ ଅନୁବାଦଟି ନିମ୍ନରେ:

ଖାଲି ବିଧାତାର ସୃଷ୍ଟି ନୁହଁ ତୁମେ ନାରୀ,
ପୁରୁଷ ଗଢ଼େ ତୁମକୁ ସୌନ୍ଦର୍ଯ୍ୟ ସଞ୍ଚାରି
ଆପଣା ଅନ୍ତର ମଧ୍ୟେ ବସି କବିଗଣ,
ଉପମା ସୁବର୍ଣ୍ଣ ସୂତା ବୁଣନ୍ତି ବସନ ।
ଅର୍ପିଣ ତୁମ ଶରୀରେ ନୂତନ ମହିମା
ଅମର କରିଛି ଶିଳ୍ପୀ ତୁମରି ପ୍ରତିମା ।
ସମସ୍ତ ଭୂଷଣ ଆଉ ଗନ୍ଧ ଯେତେ ବର୍ଣ୍ଣ
ସିନ୍ଧୁ ଦିଏ ମୁକ୍ତା ଖଣି ଗରଭୁ ସୁବର୍ଣ୍ଣ ,
ବସନ୍ତର ଉପବନୁ ଆସେ ପୁଷ୍ପଭାର,
ଚରଣ ରଞ୍ଜନେ କୀଟ ବିସର୍ଜେ ଶରୀର ।
ଲଜ୍ଜା ଦାନ, ସଜ୍ଜା ଦାନ, ଦାନେ ଆବରଣ,
ତୁମକୁ ଦୁର୍ଲ୍ଲଭ ବେଶେ କରେ ସଙ୍ଗୋପନ ।
ଆରୋପି ଶରୀରେ ତୁମ ପ୍ରଦୀପ୍ତ ବାସନା,
ଅର୍ଦ୍ଧେକ ମାନବୀ ତୁମେ ଅର୍ଦ୍ଧେକ କଳ୍ପନା ।

କବିଗୁରୁଙ୍କ ନାରୀକୁ "ଅର୍ଦ୍ଧେକ ମାନବୀ ଆଉ ଅର୍ଦ୍ଧେକ କଳ୍ପନା"ବୋଲି ବ୍ୟାଖ୍ୟାନ ଟି ଆଜି ବି ବହୁଳ ଭାବରେ ଉଦ୍ଧୃତ । ଏହା ଭିତରେ ଆମର ନାରୀବୋଧଟି ଅତି ଯତ୍ନରେ ସୁରକ୍ଷିତ ହୋଇ ରହିଛି ବୋଲି ମୋର ବିଚାର ।

ଆଜିର ନାରୀଦିବସରେ ଆଉ ଜଣେ କବିଙ୍କୁ ସ୍ମରଣ କରୁଛି । ପ୍ରତିବେଶୀ କବି ଜଣକ ହେଲେ ଜୀବନାନନ୍ଦ ଦାସ, ଆଉ କବିତାଂଶଟି ମୋର ଅତିପ୍ରିୟ ପ୍ରେମାନୁଭବର କବିତା 'ବନଲତା ସେନ୍'ରୁ ଗୃହୀତ । ଅନୁବାଦଟି ଏହିଭଳି :

କେଶ ତା'ର କେବେକାର ଅନ୍ଧକାର ବିଦିଶାର ନିଶା,
ମୁଖ ତା'ର ଶ୍ରାବସ୍ତୀର କାରୁକାର୍ଯ୍ୟ, ଅତି ଦୂର ସମୁଦ୍ରରେ
ହାଲ୍‌ଭଙ୍ଗା ନାବିକ ସେ ହରାଇଛି ଦିଗ
ସବୁଜ ଘାସର ଦେଶ ଦେଖେ ଯେତେବେଳେ 
ଦାରୁଚିନି ଦ୍ୱୀପର ଭିତରେ;
ସେମିତି ଦେଖିଛି ତା'କୁ ଅନ୍ଧାରରେ, କହିଛି ସେ,
"ଏତେ ଦିନ କେଉଁଠି ଥିଲ ମ"
ପକ୍ଷୀର ନୀଡ଼ର ଭଳି ଆଖି ମେଲି ନାଟୋର୍‌ର 
ବନଲତା ସେନ୍ ।

ମୋର ପ୍ରିୟ ନାରୀ ବନଲତା ସେନ୍ ଆମର କଳ୍ପିତ ପୃଥିବୀ, ଯାହାକୁ ନାଟୋର ବୋଲି ନାମକରଣରେ ଚିହ୍ନିତ କରାଯାଇ ପାରିବ, ସେଇଠେ ସେ ରହୁଛି । ବିଦିଶାର ନିଶା ଆଉ ଶ୍ରାବସ୍ତୀର କାରୁକାର୍ଯ୍ୟର ଐତିହାସିକତାରୁ କ୍ରମଶଃ ଦୃଶ୍ୟମାନ ହେବାରେ ଲାଗିଛି ସେ ।ଆମେ ଯେତେ ଯେତେ ଦିଗହଜା ନାବିକ, ଯାହାର ବୋଇତର ହାଲ୍ ସବୁ ଭାଙ୍ଗି ଯାଇଛି ସୁଦୂର ସମୁଦ୍ରରେ ଯେତେବେଳେ ହଠାତ୍ ଆଶାର ଦାରୁଚିନି ଦ୍ୱୀପର ବାସ୍ନା ସହ ସବୁଜ ଘାସର ଦେଶରେ ସେ ଉଭା ହୋଇଛି । ଅନ୍ଧାରରେ ତାହା ସହ ଆମର ଚିରକାଳ ଦେଖା । ସବୁ ହଠାତ୍ । ସେଇ ହଠାତ୍ ଭିତରେ ଆମର ସଙ୍ଗୁପ୍ତ ଚିରକାଳ, "ଏତେ ଦିନ କେଉଁଠି ଥିଲ ମ", ଅପେକ୍ଷାର ମଧୁରତମ ପଦାବଳୀ ।

ନାରୀର ଆଖିରେ ପକ୍ଷୀବସା ଆଉ ପକ୍ଷୀବସାଠୁ ଅଧିକ ଶାନ୍ତ ସମ୍ମୋହନ ଅଧିକ କିଛି ମୋ' ବିଚାରରେ ନାହିଁ । ସେଇଥିପାଇଁ ଜୀବନାନନ୍ଦଙ୍କ ଏ ଉଦ୍ଧୃତି ।

ଫଟୋଟି ଜ୍ୟୋତି ନନ୍ଦଙ୍କର ଫେସବୁକ୍ କାନ୍ଥରୁ ସଙ୍ଗୃହିତ

ଶେଷ ଉଦ୍ଧୃତିଟି ଉପରେ ସଂଲଗ୍ନ ଚିତ୍ର । ଚିତ୍ରରେ ସବୁଠାରୁ ଆଦର୍ଶ ଦେବଦମ୍ପତ୍ତିଙ୍କ ପାରିବାରିକ ଉଚ୍ଛ୍ୱାସ । ସୃଷ୍ଟି ସ୍ଥିତି ଆଉ ବିନାଶର ଅବିସମ୍ବାଦିତ ନଟରାଜଙ୍କର ପତ୍ନୀଙ୍କ ସାଧାରଣ ତାଳରେ ନାଚିବାର ମୁକ୍ତ ଛନ୍ଦ ଓ ଆନନ୍ଦ । ଆଜି ଯଦି ଏଇ ଦେବଦମ୍ପତ୍ତିଙ୍କୁ ଅନୁକରଣ କରି ଆମେ ଆମ ସାଧାରଣ ଜୀବନରେ ନିଜ ନିଜ ପତ୍ନୀଙ୍କ ତାଳରେ କିଛି କିଛି ନୃତ୍ୟାଭ୍ୟାସ କରୁଛୁ, ତେବେ ଆମର ପୁରୁଷତନ୍ତ୍ରର ଏଥିରେ ହସିବାର କିଛି ନାହିଁ ।

ଅବଶ୍ୟ ଆମ ମୁଣ୍ଡରେ ବେଳେବେଳେ, ବିଶେଷତଃ ଦାମ୍ପତ୍ୟକଳହ ସମୟରେ, ସକ୍ରେଟିସ୍ ସବାର ହୋଇ ଯାଆନ୍ତି । ତାଙ୍କ ଭଳି ଚିନ୍ତକର ବୋଝକୁ ବୋହିବା ଯେତିକି କଷ୍ଟ, ଓହ୍ଲାଇବା ତାହାଠୁ ଅଧିକ ।