ଗାନ୍ଧୀଙ୍କର ଶିକ୍ଷାବିଚାର - 'ବାଳଶିକ୍ଷା'
ଅନୁବାଦ - ଚିତ୍ତରଞ୍ଜନ ଦାସ
ନିଜର ଚାରି ପୁତ୍ରସନ୍ତାନଙ୍କ ସହ କସ୍ତୁରବା ଗାନ୍ଧୀ: ୱିକିମିଡିଆ କମନ୍ସ୍ (୧୯୦୨ ମସିହାରେ ଦକ୍ଷିଣ ଆଫ୍ରିକାରେ ଉତ୍ତୋଳିତ ଚିତ୍ର) |
ଅଠରଶହ-ସତାନବେ
ସାଲ ଜାନୁୟାରୀ ମାସରେ ଯେତେବେଳେ
ମୁଁ ଡରବାନଠାରେ ଓହ୍ଲାଇଲି, ସେତେବେଳେ
ମୋ ସଙ୍ଗରେ ତିନୋଟି ପିଲା
ଥାଆନ୍ତି । ଦଶ ବର୍ଷ
ବୟସର ଭଣଜା, ପୁଅ
ଦୁଇଟିକୁ ଗୋଟିକୁ ନଅ ବର୍ଷ, ଆରଟିକୁ
ପାଞ୍ଚ ବର୍ଷ । ଏମାନଙ୍କୁ କେଉଁଠି ପଢ଼ାଇବି - ଏହି
ହେଲା ମୋର ପ୍ରଧାନ ଚିନ୍ତା ।
ଗୋରା
ପିଲାଙ୍କ ପାଇଁ ଯେଉଁ ସବୁ ସ୍କୁଲ
ଥାଏ, ସେଠାକୁ
ମୋ ପିଲାମାନଙ୍କୁ ମୁଁ ପଠାଇ
ପାରିଥା'ନ୍ତି; କିନ୍ତୁ
ଏହା ମୋ' ପ୍ରତି ଗୋଟାଏ ବିଶେଷ
ଅନୁଗ୍ରହ ଦେଖାଇ ସ୍ୱତନ୍ତ୍ର
ବ୍ୟବସ୍ଥା ରୂପେ ହୋଇଥା'ନ୍ତା
ମାତ୍ର । ଅନ୍ୟ ଭାରତୀୟ ପିଲାଙ୍କୁ
ପଢ଼ାଇବାକୁ ଖ୍ରୀଷ୍ଟ ମିଶନ୍ର
ପାଠଶାଳା ଥିଲା । ସେଠାକୁ ମୋ' ପିଲାଙ୍କୁ ପଠାଇବାକୁ ମୁଁ ପ୍ରସ୍ତୁତ
ନ ଥିଲି । ସେଠାରେ ଦିଆ ଯାଉଥିବା
ଶିକ୍ଷା ମୋ' ମନକୁ ପାଉ ନ ଥିଲା ।
ଗୁଜୁରାତି ଭାଷାର ଜରିଆରେ ଶିକ୍ଷା
ଦିଆଯାଏ, ନଚେତ୍
ବହୁ ଚେଷ୍ଟା କଲେ ଅଶୁଦ୍ଧ ତାମିଲ
କିମ୍ୱା ହିନ୍ଦୀ ଭାଷାରେ ଶିକ୍ଷା
ମିଳିବାର ଟିକିଏ ସୁବିଧା ହୁଏ ।
ଶିକ୍ଷାରେ ଏସବୁ ତୃଟି ମୁଁ
ବରଦାସ୍ତ କରନ୍ତି କିପରି ? ମୁଁ
ନିଜେ ପିଲାଙ୍କୁ ପଢ଼ାଇବାକୁ
ଅଳ୍ପ ବହୁତ ଚେଷ୍ଟା କଲି; ମାତ୍ର
ତାହା ଅତି ଅନିୟମିତ ହେଉଥାଏ ।
ମୋ ମନକୁ ପାଇଲା ଭଳି ଗୁଜୁରାତି ଶିକ୍ଷକ ମୁଁ ପାଉ ନ ଥାଏ ।
ଏହିପରି
ମୁଁ ମହା ଭାବନାରେ ପଡ଼ିଗଲି ।
ମୋ ରୁଚି ଅନୁସାରେ ମୋ ପିଲାଙ୍କୁ
ପଢ଼ାଇବା ଲାଗି ଜଣେ ଇଂରାଜୀ
ଶିକ୍ଷକ ପାଇଁ ବିଜ୍ଞାପନ ଦେଲି
। ଶିକ୍ଷକ ପ୍ରତିଦିନ ନିୟମିତ
ସେମାନଙ୍କୁ ଶିକ୍ଷା ଦେବେ ମୁଁ
ଅବଶ୍ୟ କେତେବେଳେ କେମିତି ଯାହା
ଶିକ୍ଷା ଦେଇ ପାରିବି ସେଥିରେ
ସନ୍ତୁଷ୍ଟ ରହିବେ । ଏହିପରି ବିଚାରି ମାସକୁ ସାତ ପାଉଣ୍ତ ଦରମାରେ ଜଣେ
ଇଁରେଜ ମହିଳାଙ୍କୁ ବିମୁକ୍ତ କଲି
। ଏମିତି ଦିନାକେତେ ଚାଲିଲା ।
ପିଲାମାନେ
ମୋ ସଙ୍ଗେ କେବଳ ଗୁଜୁରାତିରେ
କଥାବାର୍ତ୍ତା କରି ଗୁଜୁରାତି ଭାଷାକୁ କେତେକ ପରିମାଣରେ ଶିଖିଗଲେ
। ସେମାନଙ୍କୁ ଦେଶକୁ ଲେଉଟାଇ
ଦେବାକୁ ମୋର ଇଚ୍ଛା ନ ଥାଏ ।
ସେତେବେଳେ ସୁଦ୍ଧା ମୋର ବିଶ୍ୱାସ
ଯେ, ସାନପିଲାଙ୍କୁ ବାପ ମାଆଙ୍କଠାରୁ
ଅଲଗା ରଖିବା ଉଚିତ୍ ନୁହେଁ ।
ସୁବ୍ୟବସ୍ଥିତ ଘରେ ପିଲାମାନଙ୍କୁ
ଯେଭଳି ଶିକ୍ଷା ମିଳେ, ସେ
ଶିକ୍ଷା ଛାତ୍ରାବାସରେ ମିଳେ ନାହିଁ
। ତେଣୁ ପିଲାମାନଙ୍କୁ ମୋ ପାଖରେ
ରଖିଲି । ଅବଶ୍ୟ ଭଣଜା ଓ ବଡ଼ ପୁଅକୁ
ଭାରତର ସ୍କୁଲ ବୋର୍ଡ଼ିଂରେ ରହି
ପାଠ ପଢ଼ିବାକୁ କେତେ ମାସ ପଠାଇଦେଲି । କିନ୍ତୁ ଅଳ୍ପ ସମୟ ପରେ ସେମାନଙ୍କୁ
ଫେରାଇ ନେଲି । ପରେ ମୋର ବଡ଼ ପୁଅ
ହେତୁ ପାଇଯିବାର ଅନେକ ଦିନ ପରେ
ନିଜ ଇଚ୍ଛାରେ ମୋ ପାଖରୁ ଆସି
ଅହମଦାବାଦର ଗୋଟିଏ ହାଇସ୍କୁଲରେ
ପଢ଼ିଲା । ମୋର ମନେହୁଏ ଭଣଜାଟି ମୋଠୁଁ ଯାହା ଶିକ୍ଷା ପାଇଲା, ସେଥିରେ ସନ୍ତୁଷ୍ଟ ରହୁଥିଲା । ମୋର ଦୁର୍ଭାଗ୍ୟକୁ ସେ
ପିଲାଟି ଯୌବନର ଆରମ୍ଭରେ ଅଳ୍ପ
କେତେ ଦିନ ବେମାର ପଡ଼ି ସଂସାରରୁ
ଚାଲିଗଲା । ମୋର ଅନ୍ୟ ପୁଅ ତିନୋଟି
କେବେ କୌଣସି ପାଠଶାଳା ଦୁଆର ମାଡ଼ି
ନାହାନ୍ତି । ତଥାପି ଦକ୍ଷିଣ
ଆଫ୍ରିକା ସତ୍ୟାଗ୍ରହ ସମ୍ପର୍କରେ
ମୁଁ ଯେଉଁ ପାଠଶାଳାଟି ବସାଇଥିଲି, ସେଥିରେ
ସେମାନେ ଅଳ୍ପ କେତେ କାଳ ପଢ଼ିଥିଲେ
।
ଏସବୁ
ଦିଗରେ ମୋର ପ୍ରୟୋଗ ଅପୂର୍ଣ୍ଣ
ରହିଥାଏ । ମୁଁ ନିଜେ ପିଲାଙ୍କ
ପାଇଁ ଯେତେ ସମୟ ଦେବାକୁ ଇଚ୍ଛା
କରୁଥିଲି, ତାହା ଦେଇ ପାରୁ ନ ଥାଏ
। ସେଥି ଲାଗି ଓ ଆଉ କେତେକ ଅନିବାର୍ଯ୍ୟ
କାରଣରୁ ଯେତେ ଅକ୍ଷର ଜ୍ଞାନ
ତାଙ୍କର ଦରକାର, ତାହା ହେଉ ନ ଥାଏ
। ଏବେ ମଧ୍ୟ ମୋ ପୁଅମାନଙ୍କର ଏସବୁ
ବିଷୟରେ ମୋ ବିରୁଦ୍ଧରେ ଅଳ୍ପ
ବହୁତ ଅଭିଯୋଗ ରହିଛି । କାରଣ
ସେମାନେ ଯେତେ ବେଳେ ଏମ୍.ଏ., ବି.ଏ., ଏପରି
କି ଜଣେ ମାଟ୍ରିକୁଲେଟ୍ଙ୍କ
ସମ୍ପର୍କରେ ଆସନ୍ତି, ସେତେବେଳେ
ସେମାନେ ସ୍କୁଲ ଶିକ୍ଷା ପାଇ
ନାହାନ୍ତି, ଏଥି ପାଇଁ
ଦୁଃଖ କରନ୍ତି ।
ଏହା
ସତ୍ତ୍ୱେ ମୋର ନିଜର ଏହି ଦୃଢ଼
ମତ ଯେ ଅନୁଭବ ଜ୍ଞାନ ସେମାନେ
ପାଇଛନ୍ତି, ମାଆ
ବାପାଙ୍କ ସାଙ୍ଗରେ ରହିବାର ସୁଯୋଗ
ସେମାନଙ୍କୁ ଯାହା କିଛି
ମିଳୁଛି, ସ୍ୱାଧୀନତାର
ଯେଉଁ ପଦାର୍ଥ-ପାଠ
ସେମାନେ ପାଇଛନ୍ତି, ମୁଁ
ଯଦି ସେମାନଙ୍କୁ ଇଚ୍ଛାନୁସାରେ
ସ୍କୁଲରେ ପଢ଼ାଇବାର ବ୍ୟବସ୍ଥା
କରିଥାନ୍ତି, ତେବେ
ସେତକ ସେମାନଙ୍କୁ ମିଳି ନ ଥାନ୍ତା
। ସେମାନଙ୍କ ସମ୍ୱନ୍ଧରେ ମୋ ମନରେ
ଯେଉଁ ନିଶ୍ଚିନ୍ତତା ଅଛି ତା' ବି
ନ ଥାନ୍ତା । ମୋ' ପାଖରେ ଯାଇ ଇଂଲଣ୍ତରେ
ବା ଆଫ୍ରିକାରେ ଯେବେ ଅପ୍ରାକୃତ
ଶିକ୍ଷା ପାଇଥା'ନ୍ତେ, ତେବେ ସେମାନଙ୍କ ପକ୍ଷରେ ବର୍ତ୍ତମାନ ପରି ସରଳ ଓ କର୍ମମୟ ଜୀବନ କଟାଇବା ସମ୍ଭବ
ହୋଇ ନ ଥା'ନ୍ତା । ସେମାନେ ଏବେ
ସରଳ ଭାବରେ ଜୀବନ କଟାଇ ଦେଶ-କାର୍ଯ୍ୟରେ
ଲାଗିଛନ୍ତି । ସେମାନେ ଜୀବିକା
ନିର୍ବାହ ପାଇଁ ନୂଆ ଫେସନ୍ର
ରଙ୍ଗ ଢଙ୍ଗ ଧରିଥିଲେ ମୋର ସାଧାରଣ
କାର୍ଯ୍ୟରେ ଘୋର ବାଧା ଘଟିଥା'ନ୍ତା
।
ତେଣୁ
ଯଦିବା ମୁଁ ସେମାନଙ୍କୁ ମୋ
ଇଚ୍ଛାନୁରୂପେ ଭାଷାଜ୍ଞାନ
ଦେଇ ପାରି ନାହିଁ, ତଥାପି ମୋର ସେହି
ପୁରୁଣା କାଳର କଥା ବିଚାର କରି
ଦେଖୁଛି ଯେ, ସେମାନଙ୍କ ପ୍ରତି
ମୋର କର୍ତ୍ତବ୍ୟ ମୁଁ ଠିକ୍ ଠିକ୍
ପାଳନ କରିନାହିଁ ବୋଲି ମୋର ମନେ
ହେଉ ନାହିଁ , କି
ସେ ସବୁ ପାଇଁ ମୋର ଅନୁତାପ ମଧ୍ୟ
ଆସୁ ନାହିଁ । ଅନ୍ୟ ପକ୍ଷରେ ମୁଁ
ମୋ ବଡ଼ ପୁଅର ଯେଉଁ ଶୋଚନୀୟ ପରିଣାମ
ଦେଖୁଛି, ସେ
ସବୁ ମୋର ସେହି ଅପରିପକ୍ୱ ଯୌବନର
ପ୍ରତିଧ୍ୱନି ବୋଲି ମୋ ମନରେ
ସବୁବେଳେ ରହିଛି । ମୁଁ ସେହି
ସମୟକୁ ମୋର ସବୁ ପ୍ରକାର 'ମୋହ-ନିଦ୍ରା'ର
ସମୟ ବୋଲି ବିଚାରି ଥାଏ । ମୋର ବିଭବର
ସମୟ ବୋଲି ମଧ୍ୟ ମନେ କରେ । ସେତେବେଳେକୁ
ତା'ର ହେତୁ ହୋଇ ଯାଇ ଥାଏ । ସେ ବା
କାହିଁକି ସେ ସମୟରେ ମୋର ‘ମୋହ
ନିଦ୍ରା ‘ ବୋଲି ବିଚାରିବ, ବରଂ
ତାର ବିଶ୍ୱାସ ଯେ ସେହି ସମୟ ହିଁ
ମୋ ଜୀବନର ପ୍ରକୃତ ସୁଖମୟ ସମୟ । ପରେ
ମୋ ଜୀବନରେ ଯେଉଁ ପରିବର୍ତ୍ତନ
ଆସିଛି, ତାହା ବରଂ ମୋର ମୋହଜନିତ
ଅଯୋଗ୍ୟତା ଆଉ ମଧ୍ୟ ସେ ଭାବିପାରେ
ଯେ, ସେତେବେଳେ ମୁଁ ଯେଉଁ ବାଟରେ
ଚାଲୁଥିଲି, ତାହା ଜଗତର ସାଧାରଣ
ବାଟ ଓ ସୁଗମ୍ୟ ପନ୍ଥା । ପରେ ଯେଉଁ
ବାଟରେ ଚାଲୁଥିଲି ତାହା ମୋର
ସୂକ୍ଷ୍ମ ଅହଙ୍କାର ଓ ଅଜ୍ଞାନର
ଚିହ୍ନ ମାତ୍ର । ମୋ ପୁଅ ଯଦି
ବାରିଷ୍ଟର ପ୍ରଭୃତି ପଦ ପାଇଥାନ୍ତା
ତେବେ ମନ୍ଦ କ'ଣ ହୋଇଥାନ୍ତା ? ତା'ର
ପକ୍ଷ କାଟି ପକାଇ ଦେବାରେ ମୋ'ର ବା
କି ଅଧିକାର ଥିଲା ? ମୁଁ
ବା କାହିଁକି ତା'କୁ ସେ ସବୁ ପଦ ଓ
ପ୍ରତିଷ୍ଠା ପାଇଁ ଜୀବନରେ ନିଜର
ଖୁସି ବାଟକୁ ବାଛି ନେବାର ସୁବିଧା
ଦେଲି ନାହିଁ, ମୋର
କେତେକ ବନ୍ଧୁ ଏହି ଭଳି ଯୁକ୍ତିମାନ
ମୋ' ଆଗରେ କରିଥାନ୍ତି ।
ଏସବୁ
ଯୁକ୍ତିରେ କିଛି ସାର ଥିଲା ପରି
ମୋତେ ଜଣା ଯାଏ ନାହିଁ । ମୁଁ ବହୁତ
ଛାତ୍ରଙ୍କ ସମ୍ପର୍କରେ ଆସିଛି
। ଅନ୍ୟ ପିଲାମାନଙ୍କ ଉପରେ ମୁଁ
ଅନ୍ୟ ପ୍ରକାର ପ୍ରୟୋଗ ମଧ୍ୟ କରିଛି, ବା ସେଭଳି ପ୍ରୟୋଗ କରାଇବାରେ
ସାହାର୍ଯ୍ୟ ମଧ୍ୟ କରିଛି । ସେ
ସବୁର ପରିମାଣକୁ ଉତ୍ତମ ରୂପେ
ଲକ୍ଷ୍ୟ କରିଛି । ସେ ସବୁ ପିଲା
ଓ ପୁଅମାନଙ୍କୁ ସମସ୍ତେ ଏକ ନାଆରେ
ବସିଛନ୍ତି । ମୁଁ ମନେ କରେ
ମନୁଷ୍ୟତା ଦୃଷ୍ଟିରୁ
ସେମାନେ ମୋ' ପୁଅଙ୍କଠାରୁ କୌଣସି
ପ୍ରକାରେ ଅଧିକ ନୁହଁନ୍ତି କିମ୍ୱା
ମୋ ପିଲାମାନଙ୍କର ସେମାନଙ୍କଠାରୁ
ଶିଖିବାର ମଧ୍ୟ କିଛି ନାହିଁ ।
ତଥାପି
ମୋ' ପ୍ରୟୋଗର ଶେଷ ଫଳ ଏବେ ସୁଦ୍ଧା
ଭବିଷ୍ୟତ ଗର୍ଭରେ ନିହିତ ଅଛି ।
ଏ ବିଷୟରେ ଚର୍ଚ୍ଚ। କରିବାର ତାତ୍ପର୍ଯ୍ୟ
ଏହି ଯେ, ଯେଉଁମାନେ ମଣିଷ ଜାତିର
ବିକାଶ ସାଧନ କରୁଛନ୍ତି, ସେମାନେ
ଘରୋଇ ଶିକ୍ଷା ଓ ସ୍କୁଲ ଶିକ୍ଷା
ମଧ୍ୟରେ ପ୍ରଭେଦର ଯତ୍କିଞ୍ଚିତ
କଳନା କରିପାରିବେ ଏବଂ ମା' ବାପାଙ୍କର
ଆପଣା ଜୀବନରେ କରିଥିବା ପରିବର୍ତ୍ତନର
ଫଳାଫଳ ପିଲାଙ୍କ ଉପରେ କି ପ୍ରଭାବ
ପକାଇ ଥାଏ, ତାହାର
ଏକ ମାପକାଠି ପାଇଯିବେ ।
ପୁଣି
ଯେ ସତ୍ୟର ଉପାସକ, ଏଭଳି ପ୍ରୟୋଗ
ସେ ସତ୍ୟର ପୂଜାରେ କେଉଁ ଯାଏ ଆଗେଇ
ପାରୁଛି, ତାହା ମଧ୍ୟ ଜାଣି ପାରିବେ
। ସ୍ୱାଧୀନତାର ଉପାସକ ମଧ୍ୟ ଦେଖି
ପାରିବେ ଯେ, ସ୍ୱାଧୀନତାର ଦେବୀ କି
ଭଳି ଭେଗାବଳୀ ଚାହାଁନ୍ତି । ଏ
ଅଧ୍ୟାୟର ତାତ୍ପର୍ଯ୍ୟ ଏଇଆ ।
ଆତ୍ମମର୍ଯାଦା ପ୍ରତି ଅନ୍ଧ ହୋଇ
ଯଦି ମୁଁ ସାଧାରଣ ପିଲାମାନେ ଯେଉଁ
ଶିକ୍ଷା ପାଉ ନାହାନ୍ତି ସେଭଳି
ବିଶେଷ ଶିକ୍ଷା ସେମାନଙ୍କୁ ଦେଇଛି ବୋଲି ମୋ ମନରେ ଆନନ୍ଦ ଅନୁଭବ କରନ୍ତି, ତେବେ ସେମାନଙ୍କୁ ଅବଶ୍ୟ
ଭାଷା ଶିକ୍ଷା ଦେଇଥା'ନ୍ତି ।
କିନ୍ତୁ ଭାଷା ଶିକ୍ଷାରେ ଜଳାଞ୍ଜଳି
ଦେଇ ଆତ୍ମ-ମର୍ଯ୍ୟଦା
ଓ ସ୍ୱାଧୀନ ଜୀବନ ବିଷୟରେ ମୁଁ
ଯେଉଁ ପ୍ରତ୍ୟକ୍ଷ ଶିକ୍ଷା ଦେଇଛି, ତାହା କେବେ ହେଲେ ସମ୍ଭବ ହୋଇ ନ ଥାଆନ୍ତା।ସେମାନେ ସେଥିରୁ ବଞ୍ଚିତ ହୋଇଥା'ନ୍ତେ
। ଯେତେବେଳେ ଭାଷାଜ୍ଞାନ ଓ
ସ୍ୱାଧୀନତା ଏ ଦୁଇଟି ମଧ୍ୟରୁ
ଗୋଟିକୁ ବାଛି ନେବାକୁ ହେବ, ସେତେବେଳେ ସ୍ୱାଧୀନତା ଯେ ସହସ୍ର
ଗୁଣରେ ଶ୍ରେୟସ୍କର, ଏକଥା
କିଏ ଅସ୍ୱୀକାର କରିବ ?
ଉଣେଇଶ
କୋଡ଼ିଏ ସାଲରେ ଦେଶର ଯୁବକମାନଙ୍କୁ
ମୁଁ ସ୍କୁଲ କଲେଜରୁ ବାହାରି ଆସିବା
ଲାଗି ଡାକ ଦେଇଥିଲି । ଏ ସ୍କୁଲ
କଲେଜ ସବୁ ଯଥାର୍ଥରେ ଦାସତ୍ୱର
କାରଖାନା । ସେତେବେଳେ ମୁଁ ଏମାନଙ୍କୁ
କହିଥିଲି, ବରଂ
ନିରକ୍ଷର ହୋଇ ସ୍ୱାଧୀନତା ସକାଶେ
ଦାଣ୍ତରେ ଗୋଡ଼ି ପିଟିବା ଶ୍ରେୟସ୍କର, କିନ୍ତୁ ଦାସତ୍ୱର ବନ୍ଧନରେ ବେଡ଼ି
ପିନ୍ଧି ଏ ପ୍ରକାର ଭାଷା ଶିକ୍ଷା
କଦାପି ଗ୍ରହଣୀୟ ନୁହେଁ । ସେହି
ଯୁବକମାନେ ଏବେ ମୋ କଥାର ମୂଲ୍ୟ
ହୁଏତ ବୁଝି ପାରୁ ଥିବେ ।
[ବି.ଦ୍ର. - ଏହି ଲେଖାଟି 'ଗାନ୍ଧୀ ରଚନାବଳୀ ୫ ଖଣ୍ଡ - ଶିକ୍ଷା' ଶୀର୍ଷକ ପୁସ୍ତକରୁ ନିଆଯାଇଅଛି । ଅନୁବାଦ କରିଥିଲେ ଚିତ୍ତରଞ୍ଜନ ଦାସ ଓ ଅନ୍ୟମାନେ । ବହିଟି କଟକସ୍ଥ 'ଉତ୍କଳ ଗାନ୍ଧୀ ସ୍ମାରକ ନିଧି ସଂସ୍ଥା' ଛପାଇଥିଲେ । ପ୍ରକାଶନର କାଳ ଉଭୟ ୧୯୬୯ ଓ ୧୯୮୬ ବୋଲି ଦିଆଯାଇଅଛି ]
No comments:
Post a Comment