Monday, June 11, 2018

ଏକ ଦୁଃଖଦ ଖବର

ଜ୍ୟୋତି ନନ୍ଦ

ମୃତ୍ୟୁର ଚିହ୍ନ (ୱିକିମିଡିଆ କମନ୍ସ୍)
ଖବରଟି ନିହାତି ଦୁଃଖର ।
ଗୋଟିଏ ମୃତ୍ୟୁ ସମ୍ବାଦ ଆପଣଙ୍କୁ ଦେବାକୁ ଯାଉଛି ।

ମୋର ବିଚାରରେ ପୃଥିବୀର ଏଇ ଏକମାତ୍ର ମୃତ୍ୟୁ ସମ୍ବାଦ ଯାହାକୁ ପଢ଼ିବା ପରେ ଆପଣମାନେ ସମ୍ଭବତଃ ହସି ପାରନ୍ତି ।

ଏଇ ମୃତ୍ୟୁସମ୍ବାଦଟି ଅସଲରେ ଯାହାର ମୃତ୍ୟୁ ବିଷୟକ ଥିଲା, ସେହି ବ୍ୟକ୍ତି ଜଣକ ତାହାକୁ ନିଜେ ପଢ଼ି ଏକ ଅଟ୍ଟହାସ୍ୟ ଦେଇ କିଛି ସମୟ ଚୁପ୍ ରହିବା ପରେ କହିଥିଲେ:

"ମୋର ମୃତ୍ୟୁର ବିବରଣୀଟି ପ୍ରକୃତରେ ଏକ ଅତିରଞ୍ଜନ ଥିଲା ।" ଇଂରାଜୀରେ - "ଦି ରିପୋର୍ଟ ଅଫ୍ ମାଇ ଡେଥ୍ ୱାଜ୍ ଆନ୍ ଏକ୍‌ସାଜରେସନ୍।"

ସେହି ବ୍ୟକ୍ତି ଜଣକଙ୍କର ଏହି ପ୍ରତିକ୍ରିୟାଟି ଖବରକାଗଜରେ ପ୍ରକାଶ ପାଇବା ପରେ ଏହି ବିଶେଷ ବାକ୍ୟଟି ଇଂରାଜୀ ଭାଷାରେ ଏକ ଜନପ୍ରିୟ ପ୍ରୟୋଗରେ ପରିଣତ ହୋଇ ଯାଇଥିଲା ।

ଜୁନ୍ ମାସ ଦୁଇ ତାରିଖ ଦିନ ଅଠରଶହ ସତାନବେ ମସିହାରେ 'ଦି ନ୍ୟୁୟର୍କ ଜର୍ଣ୍ଣାଲ୍' ରେ ନିଜ ମୃତ୍ୟୁ ସମ୍ବାଦ ପଢ଼ିବା ପରର ତାଙ୍କର ଉପରୋକ୍ତ ପ୍ରତିକ୍ରିୟାଟିକୁ ବେଶ୍ ପ୍ରମୁଖତାର ସହ ପ୍ରକାଶ କରାଯାଇଥିଲା । ସେ ସେତେବେଳକୁ ଜଣେ ପ୍ରସିଦ୍ଧ ବିଶ୍ୱସ୍ତରର ଖ୍ୟାତିମାନ ଲେଖକ ।

ତାଙ୍କର କେତୋଟି ଉକ୍ତି ଓ ଉଦ୍ଧୃତି:

"ମଣିଷ ଯେତେବେଳେ ନିଜକୁ ମିଥ୍ୟାବାଦୀ ବୋଲି ସ୍ୱୀକାର କରେ ସେତେବେଳେ ସେ ସବୁଠାରୁ ବେଶି ସତ୍ୟବାଦୀ ।"

"ସାଧାରଣ କଥାବାର୍ତ୍ତାରେ ମଣିଷ ପ୍ରାୟତଃ ଯେଉଁ ବିଶେଷଣ ଗୁଡିକୁ ବ୍ୟବହାର କରୁଥାଏ ତାହା ସାଧାରଣତଃ ଯେଉଁ ଚରିତ୍ରଟି ପାଇଁ ବେଶି ପ୍ରଯୁଜ୍ୟ ହେବ, ତାହା ସେ ନିଜେ ।"

"ମଣିଷ କହେ ପଶୁ ହେଉଛି ମୂକ ଆଉ ଏମିତି କହିବା ମଣିଷର ଗର୍ବ ଆଉ ଅବାନ୍ତରପଣ, କାରଣ ମଣିଷ ନିଜର ନିର୍ବୋଧ ଅବବୋଧ ପ୍ରତି ସର୍ବଦା ମୂକ ।"

"ଗଳ୍ପ ହେଉଛି ସର୍ବଦା ସମ୍ଭାବନାମୟ,ସତ୍ୟ ନୁହଁ ।"

"ସବୁଠାରୁ ଶ୍ରେଷ୍ଠ ଆବିଷ୍କାରକ ହେଉଛି, ଦୁର୍ଘଟଣା ।"

"ତମର ବନ୍ଧୁମାନେ ଯେତେବେଳେ ତମକୁ ବେଶ୍ ତରୁଣ ଦେଖାଯାଉଛ ବୋଲି ପ୍ରଶଂସା କରନ୍ତି, ମାନେ ବୁଝିବାକୁ ହେବ ଯେ ତମେ ବୁଢ଼ା ଦିଶିଲଣି ।"

"ବ୍ୟଙ୍ଗ ଏମିତିରେ କୌଣସି ଶିକ୍ଷା ନୁହଁ କି କୌଣସି ଜ୍ଞାନ ନୁହଁ, ମାତ୍ର ଦୀର୍ଘ ଦିନ ରହିଗଲେ ଏହା ଉଭୟ ।"

"ଶହୀଦତ୍ୱ ବହୁବିଧ ପାପକୁ ଆବୃତ କରି ରଖିଥାଏ ।"

"ମିଛ ଅଛି, ଦି ପ୍ରକାର; ନିନ୍ଦନୀୟ ମିଛ ଓ ତଥ୍ୟାବଳୀ (ବା ଷ୍ଟାଟି।ଷ୍ଟିକ୍‌ସ୍) ।"

"ଭଲ ବନ୍ଧୁ, ଭଲ ବହି ଆଉ ସୁପ୍ତ ବିବେକ; ଏହା ହିଁ ଆଦର୍ଶ ଜୀବନ।"

ସେଇ ଲେଖକର ଉଦ୍ଧୃତିକୁ ସହଜରେ ଛାଡ଼ି ହେବ ନାହିଁ । ଇଚ୍ଛା ହେଉଛି ଯେମିତି ହଜାରେ ଉଦ୍ଧୃତିକୁ ବାଛି ଅନୁବାଦ କରି ପକାଇଲେ ନିଜକୁ ଘଡ଼ିଏ ତୃପ୍ତ ଲାଗିବ ।

ସେଇ ବିଶିଷ୍ଟ ଲେଖକଙ୍କର ଦୁର୍ଭାଗ୍ୟ ହେଉଛି, ତାଙ୍କର ଜଣେ ଭାଇର ପୁଅ ଥିଲା, ତାହାର ନାଆଁ ହେଉଛି ଜେମସ୍ ରସ୍ କ୍ଲେମେନ୍ସ ।ତାହାର ଶରୀର ଅସୁସ୍ଥ ହେଲେ ସମ୍ବାଦ ପତ୍ରରେ ଖବର ବାହାରୁ ଥିଲା ଯେ, ଏହି ଲେଖକ ଜଣକ ଅସୁସ୍ଥ । ସେହି ଭାଇର ପୁଅଟି ଅର୍ଥାତ୍ ଜେମସ୍ ରସ୍ କ୍ଲେମେନ୍ସ୍‌ଙ୍କ ମୃତ୍ୟୁ ସମ୍ବାଦ ଟି ବାହାରିଥିଲା ଲେଖକଙ୍କ ମୃତ୍ୟୁ ସମ୍ବାଦ ଆକାରରେ ।

ଏହି କମେଡ଼ି ଅଫ୍ ଏରର୍ ପାଇଁ ଲେଖକଙ୍କ ନାଆଁଟି ହିଁ ବିଶେଷତଃ ଦାୟୀ । ଏହି ବିଶ୍ୱପ୍ରସିଦ୍ଧ ଲେଖକଙ୍କ ନାଆଁଟି ଥିଲା, ସାମୁଏଲ୍ ଲଙ୍ଗହର୍ଣ୍ଣ କ୍ଲେମେନ୍ସ୍ । ମୁଖ୍ୟତଃ ନାଆଁର ଏହି କ୍ଲେମେନ୍ସ୍ ଭାଗକୁ ନେଇ ସବୁ ଜଟିଳତା ।

ଆଉ ଅଧିକ ରହସ୍ୟ ନାହିଁ  । ଏଇ ପ୍ରସିଦ୍ଧ ଆମେରିକୀୟ ଲେଖକଙ୍କୁ ସାମୁଏଲ୍ ଲଙ୍ଗହର୍ଣ୍ଣ କ୍ଲେମେନ୍ସ୍ ବୋଲି କହିଲେ କେହି ଚିହ୍ନିବେ ନାହିଁ । ସେ ଜଣେ ଦୁଃସାହସିକ ଯାତ୍ରୀ । 'ହକଲବରୀ ଫିନ୍‌ର ଦୁଃସାହସିକ ଯାତ୍ରା' ଓ 'ଟମ୍ ସାୟାର୍‌ର ଦୁଃସାହସିକ ଯାତ୍ରା'ର ଏଇ ବିଖ୍ୟାତ ଲେଖକଙ୍କୁ ସମସ୍ତେ ମାର୍କ ଟ୍ୱେନ୍ (୧୮୩୫-୧୯୧୦) ବୋଲି ଚିହ୍ନନ୍ତି ଓ ଶ୍ରଦ୍ଧା କରନ୍ତି ।

No comments:

Post a Comment