Saturday, June 02, 2018

ଆନ୍ତର୍ଜାତିକ ନାରୀ ଦିବସର ଏକ ଉଦ୍ଧୃତିଭିତ୍ତିକ ଗାଥା

ଜ୍ୟୋତି ନନ୍ଦ


 
ଦ୍ୱାଦଶ ଶତାବ୍ଦୀର ଖ୍ରୀଷ୍ଟୀୟ ଚିନ୍ତକ ହିଲ୍‌ଡେଗାର୍ଡ଼ଙ୍କର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମାର୍ଚ୍ଚମାସ ଆଠ ତାରିଖ ଦିନ ଆନ୍ତର୍ଜାତିକ ନାରୀ ଦିବସ ପାଳିତ ହୁଏ । ଆରମ୍ଭରେ ଗୋଟିଏ ଲଘୁ ମନ୍ତବ୍ୟ କରିବାର ଅଳି କରୁଛି । ଆଜିର ଉଦ୍ଧୃତି ସର୍ବସ୍ୱ ଯୁଗରେ କିଏ ବେଶି ଉଦ୍ଧୃତି ଦିଏ, ପୁରୁଷ ନା ନାରୀ ? ଏଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ଉପରେ ଆମେ ପତିପତ୍ନୀ ନିହାତି ପେଶାଦାର ଆଇନଜୀବୀଙ୍କ ଭଳି 'ଅମୁକ ଦିନ ଅମୁକ' ଭଳି ପ୍ରିସିଡେନ୍ସ ବା ପୂର୍ବ ଉଦାହାରଣମାନକୁ ଯଥାଯଥ ଉପସ୍ଥାପନ କରି ଆନ୍ତର୍ଜାତିକ ନାରୀ ଦିବସଟି ଦିନେ ପାଳନ କଲୁ । ସୌଭାଗ୍ୟର ବିଷୟ ମୋତେ ସକାଳର ନିତ୍ୟ ନିର୍ଦ୍ଧାରିତ ଚା' ଦୁଇ କପ ପାଇଁ 'ଟେପିଡୋଫୋବିଆ' ବା 'ଖରାପ ସ୍ୱାଦର ଚା' ମିଳିବାର ଭୟ' ଭୋଗିବାକୁ ହୋଇ ନାହିଁ । ଚା' ଦୁଇ କପ୍ ଯାକ ଆବଶ୍ୟକତାଠାରୁ ଭଲ ଥିଲା, ଆଉ ବାକି ଯାହା ସର୍ବସାଧାରଣରେ ଅପ୍ରକାଶ୍ୟ, ତାହାକୁ ମୁଁ ଛେଳି ଯୁଦ୍ଧ, ଋଷି ଶ୍ରାଦ୍ଧ ଆଉ ସକାଳର ମେଘାଡ଼ମ୍ବର ଭଳି ବହ୍ୟୁାରମ୍ଭେ ଲଘୁକ୍ରିୟା ବୋଲି କହିବି ।

ନାରୀଟିଏ ସାଧାରଣତଃ ବେଶି ଉଦ୍ଧୃତି ଦେଇଥାଏ ବୋଲି ଆମେ ପୁରୁଷମାନେ ସଚରାଚର କହୁଥିଲେ ବି (ଏଇ ଉଦ୍ଧୃତି କଥାକୁ ନେଇ ମୋ' ଭଳି ଆପଣଙ୍କର ସକାଳଟି ମେଘାଡ଼ମ୍ବର ନ ହେଉ ବୋଲି ଅନୁରୋଧ କରିବି) ହଜାର ହଜାର ବର୍ଷ ଧରି ବିଶିଷ୍ଟ ଚିନ୍ତକମାନେ ନାରୀ ବିଷୟରେ ହିଁ ଉଦ୍ଧୃତି ଦେଇ ଆସିଛନ୍ତି । ସେମାନେ ସବୁ ପୁରୁଷ । ତେଣୁ କହିବାକୁ ଗଲେ ପୁରୁଷମାନଙ୍କୁ ନାରୀଚିନ୍ତା ସବୁ ବାଇମୁଣ୍ଡିଙ୍କ କଟକ ଚିନ୍ତାଠୁ ଅଧିକ । ଆଜିକାଲି ଆମେ ଯେଉଁମାନେ ବିଶେଷତଃ ହ୍ୱାଟସ୍‌ଆପ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଅଛୁ, ସେମାନେ ଯେତିକି ଉତ୍ସାହର ସହ ଆମ ବନ୍ଧୁପରିଜନଙ୍କୁ ଉଦ୍ଧୃତିମାଳାରେ ଦୀପାବଳି କରିଦେବା ପାଇଁ ବଦ୍ଧ ପରିକର ରହିଛୁ, ସମାନୁରୂପରେ ଆମେ ନାରୀ ସମ୍ପର୍କରେ ପୁରୁଷଚିନ୍ତକଙ୍କ ଉଦ୍ଧୃତିକୁ ସବୁବେଳେ ସଠିକ୍ ବୋଲି ଏକ ପରିବେଶ ତିଆରି କରିବାରେ ବି ଲାଗି ପଡ଼ିଛୁ ।

ଅଳ୍ପ କେତୋଟି ମହାନ୍ ପୁରୁଷବାଦୀ ଉଦ୍ଧୃତି ରଖୁଛି ।

ଦାର୍ଶନିକ ଆରିଷ୍ଟୋଟଲ୍‌ଙ୍କ ମତରେ, "ନାରୀ ହେଉଛି ଏକ ଅସମ୍ପୂର୍ଣ୍ଣ ପୁରୁଷ" ।

ସନ୍ଥ ଥମାସ୍ ଆକ୍ୱିନାସ୍‌ଙ୍କ ମତରେ "ନାରୀ ହେଉଛି ପୁରୁଷ ବୀଜର ଏକ ତୃଟିଭାଗର ନିନ୍ଦନୀୟ ପରିପ୍ରକାଶ।"

ମାର୍ଟିନ୍ ଲୁଥର୍‌ଙ୍କ ମତରେ "ପୁରୁଷର ଚଉଡା କାନ୍ଧ ଆଉ ସରୁ ଅଣ୍ଟା ଥାଏ ଆଉ ସେଇଥି ପାଇଁ ସେମାନେ ବୁଦ୍ଧିମାନ । ନାରୀର ସରୁ କାନ୍ଧ ଓ ଚଉଡା ଅଣ୍ଟା ଥାଏ, ସେଇଥି ପାଇଁ ସେମାନେ ଘରକରଣା କାମ କରନ୍ତି ଓ ସନ୍ତାନ ଜନ୍ମ ଦିଅନ୍ତି ।

ଏଇ ଉଦ୍ଧୃତିକୁ ଆପଣ କେମିତି ଦେଖିବେ ଆଜି ?

ସକ୍ରେଟିସ୍, ଯାହାଙ୍କୁ ଆମେ ବିଶ୍ୱର ସବୁଠାରୁ ଉଦ୍ଧୃତିଯୋଗ୍ୟ ଚିନ୍ତାନାୟକ ବୋଲି ସ୍ୱୀକାର କରୁ, ତାଙ୍କ ଭିତରର ପୁରୁଷାକାରଟି ବି କହିପାରିଥିଲା ଯେ, ନାରୀର ବୁଦ୍ଧିବୃତ୍ତି ସାଧାରଣତଃ କମ୍ । ତାହାର କାରଣ ଦେବାକୁ ଯାଇ ଆମର ଏଇ ଚିନ୍ତାରାଜ୍ୟର ବିଶ୍ୱସମ୍ରାଟ ଜଣକ ଯେଉଁ ହାସ୍ୟକର ତର୍କଟି ଦେଇଥିଲେ ତାହା ଏହି ପରି, ନାରୀର ପୁରୁଷ ତୁଳନାରେ ପାଟିରେ ଥିବା ଦାନ୍ତ ସଙ୍ଖ୍ୟା କମ୍, ତେଣୁ ବୁଦ୍ଧି ସେମାନଙ୍କର କମ୍ । ପରିଣତ ବୟସରେ ବିବାହ କରିଥିବା ତରୁଣୀ ପତ୍ନୀ ଜାନଥିପିଙ୍କ ନିକଟରୁ ନାରୀର ଦନ୍ତ-ସୁମାରି କରି ବୁଦ୍ଧିର ଏହି ଦନ୍ତ-ତତ୍ତ୍ୱକୁ ପରୀକ୍ଷା କରିନେବାର ସିଦ୍ଧାନ୍ତକୁ ସକ୍ରେଟିସ୍ ଉଚିତ ମଣି ନାହାନ୍ତି ।

ଯଦିଓ ହେମଲକ୍ ବୋଲି ବିଶ୍ୱବିଦିତ ବିଷ ପାନ କରିବାର କିଛି ସମୟ ପୂର୍ବରୁ ସତୁରି ବୟସର ସକ୍ରେଟିସ୍‌ଙ୍କ ତୃତୀୟ ତଥା କୋଳପୋଛା ପୁଅଟି ଜାନଥିପିଙ୍କ କୋଳରେ ମାଆ ସହ କାନ୍ଦୁଥିଲା । କାରାଗାରର ପ୍ରକୋଷ୍ଠ ଭିତରେ ହେମଲକ୍‌ର ଯଥାଯଥ ମିଶ୍ରଣର ପାନୀୟ ପାତ୍ରଟିର ପ୍ରସ୍ତୁତି ଚାଲିଥିଲା ସମସ୍ତଙ୍କ ସାମ୍ନାରେ । ସକ୍ରେଟିସ୍‌ଙ୍କୁ ବନ୍ଧନମୁକ୍ତ କରାଗଲା । ଜାନଥିପି ଜଣେ କଳିହୁଡ଼ି ସ୍ତ୍ରୀ ବୋଲି ଅପଖ୍ୟାତି ପାଇଛନ୍ତି ଇତିହାସରେ, ହୁଏତ ତାଙ୍କର ସ୍ୱାମୀ ବିଶିଷ୍ଟ ଚିନ୍ତାନାୟକ ବୋଲି । ନିଜର କଳିହୁଡ଼ି ବୋଲି ଅପଖ୍ୟାତିଟିକୁ ଘୋଡ଼ାଇ ରଖିବା ଭଳି ରୂପ କି କ୍ଷମତା କି ଜ୍ଞାନ ର ଆଭରଣଟିଏ ଜାନଥିପିଙ୍କ ପାଖରେ ନ ଥିଲା । ତେଣୁ ସେ ଇତିହାସରେ ଅନ୍ୟାନ୍ୟ ଗୌଣ ଚରିତ୍ରମାନଙ୍କ ଭଳି, କେବଳ ସକ୍ରେଟିସ୍‌ଙ୍କ ପତ୍ନୀ ହୋଇ ରହିଗଲେ, ଯେଉଁଠୁ ତାଙ୍କୁ ସେମିତି ମୁଣ୍ଡ ଟେକି ଚାହିଁବାର ଅବକାଶ ନାହିଁ । ଅନ୍ୟ ପକ୍ଷରେ ସ୍ୱାମୀ ସକ୍ରେଟିସ୍ ସବୁକାଳ ପରିବେଷ୍ଟିତ ହୋଇ ରହିଛନ୍ତି ନିଜର ଜ୍ଞାନର ପ୍ରଭାମଣ୍ଡଳରେ ଯାହା ତାଙ୍କର ଛୋଟ ଛୋଟ ତୃଟିର ଅନ୍ଧାରକୁ ରହିବାକୁ ଦେବ ନାହିଁ । ସାମ୍ନାରେ ପ୍ରସ୍ତୁତ ହେମଲକ୍, ବନ୍ଧନମୁକ୍ତ ସକ୍ରେଟିସ୍ ଓ ସମବେତ ତାଙ୍କର କିଛି ଅନୁଗାମୀଙ୍କୁ ଦେଖି କୋଳରେ କାନ୍ଦୁଥିବା ପିଲାଟି ସହ କାନ୍ଦକାନ୍ଦ ଗଳାରେ ଏକଦା ସେଇ କଳିହୁଡ଼ି ପତ୍ନୀ ଜାନଥିପି କହି ଥିଲେ, ଶେଷ ବେଳ ହେଲା, କିଛି କହିବ ?

ସକ୍ରେଟିସ୍ ତାଙ୍କର ଅନୁଗାମୀମାନଙ୍କୁ ନିର୍ଦ୍ଦେଶ ଦେଲେ ଜାନଥିପି ଆଉ ଶିଶୁପୁତ୍ରକୁ କାରାଗାର ଗୃହରୁ ବାହାରକୁ ନେଇ ଯିବା ପାଇଁ ।ସକ୍ରେଟିସ୍‌ଙ୍କ ଏହି କାର୍ଯ୍ୟର ପୁରୁଷୋଚିତ ତର୍ଜମା ଆମର ରହିଛି, ଯାହା ଅନୁସାରେ ସେ ନିଜର ପ୍ରିୟତମା ପତ୍ନୀଙ୍କ ଦୁଃଖକୁ ବହନ କରି ନିଜର ଶେଷ ଯାଏଁ ଯିବାକୁ ଚାହୁଁ ନ ଥିଲେ । କିନ୍ତୁ ପ୍ରକୃତ କଥାଟି ହେଲା, ସେ ତାଙ୍କର ଶେଷ ଦାର୍ଶନିକ ସୁସମାଚାରରେ କୌଣସି ବିଘ୍ନ ଚାହୁଁ ନ ଥିଲେ ।

ବିଶ୍ୱ ଇତିହାସରେ ଚିନ୍ତକଗଣ ଖାଲି ରାତି ଅଧ ନୁହଁ, ସବୁବେଳେ କାହିଁକି ଏତେ ବେଶି ପୁରୁଷ ହୋଇ ଉଠନ୍ତି, ତାହାର ସଠିକ କାରଣ କିଏ କହିବ ?

୨୦୦୯ ମସିହାରେ କଲମ୍ବିଆ ଦେଶର ବୋଗୋଟାଠାରେ ନାରୀ ଦିବସ ପାଳନର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏହି ପରିପ୍ରେକ୍ଷୀରେ ନାରୀକୁ ନିଜର ଏକ କବିତାରେ ଗୋଟିଏ ସୁନ୍ଦର ସଂଜ୍ଞା ଦେଇ ଥିବା କବିଗୁରୁ ରବୀନ୍ଦ୍ରନାଥଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ସେହି କବିତାଂଶର ସୁନ୍ଦର ଉଦ୍ଧୃତିଯୋଗ୍ୟ ଅନୁବାଦଟି ନିମ୍ନରେ:

ଖାଲି ବିଧାତାର ସୃଷ୍ଟି ନୁହଁ ତୁମେ ନାରୀ,
ପୁରୁଷ ଗଢ଼େ ତୁମକୁ ସୌନ୍ଦର୍ଯ୍ୟ ସଞ୍ଚାରି
ଆପଣା ଅନ୍ତର ମଧ୍ୟେ ବସି କବିଗଣ,
ଉପମା ସୁବର୍ଣ୍ଣ ସୂତା ବୁଣନ୍ତି ବସନ ।
ଅର୍ପିଣ ତୁମ ଶରୀରେ ନୂତନ ମହିମା
ଅମର କରିଛି ଶିଳ୍ପୀ ତୁମରି ପ୍ରତିମା ।
ସମସ୍ତ ଭୂଷଣ ଆଉ ଗନ୍ଧ ଯେତେ ବର୍ଣ୍ଣ
ସିନ୍ଧୁ ଦିଏ ମୁକ୍ତା ଖଣି ଗରଭୁ ସୁବର୍ଣ୍ଣ ,
ବସନ୍ତର ଉପବନୁ ଆସେ ପୁଷ୍ପଭାର,
ଚରଣ ରଞ୍ଜନେ କୀଟ ବିସର୍ଜେ ଶରୀର ।
ଲଜ୍ଜା ଦାନ, ସଜ୍ଜା ଦାନ, ଦାନେ ଆବରଣ,
ତୁମକୁ ଦୁର୍ଲ୍ଲଭ ବେଶେ କରେ ସଙ୍ଗୋପନ ।
ଆରୋପି ଶରୀରେ ତୁମ ପ୍ରଦୀପ୍ତ ବାସନା,
ଅର୍ଦ୍ଧେକ ମାନବୀ ତୁମେ ଅର୍ଦ୍ଧେକ କଳ୍ପନା ।

କବିଗୁରୁଙ୍କ ନାରୀକୁ "ଅର୍ଦ୍ଧେକ ମାନବୀ ଆଉ ଅର୍ଦ୍ଧେକ କଳ୍ପନା"ବୋଲି ବ୍ୟାଖ୍ୟାନ ଟି ଆଜି ବି ବହୁଳ ଭାବରେ ଉଦ୍ଧୃତ । ଏହା ଭିତରେ ଆମର ନାରୀବୋଧଟି ଅତି ଯତ୍ନରେ ସୁରକ୍ଷିତ ହୋଇ ରହିଛି ବୋଲି ମୋର ବିଚାର ।

ଆଜିର ନାରୀଦିବସରେ ଆଉ ଜଣେ କବିଙ୍କୁ ସ୍ମରଣ କରୁଛି । ପ୍ରତିବେଶୀ କବି ଜଣକ ହେଲେ ଜୀବନାନନ୍ଦ ଦାସ, ଆଉ କବିତାଂଶଟି ମୋର ଅତିପ୍ରିୟ ପ୍ରେମାନୁଭବର କବିତା 'ବନଲତା ସେନ୍'ରୁ ଗୃହୀତ । ଅନୁବାଦଟି ଏହିଭଳି :

କେଶ ତା'ର କେବେକାର ଅନ୍ଧକାର ବିଦିଶାର ନିଶା,
ମୁଖ ତା'ର ଶ୍ରାବସ୍ତୀର କାରୁକାର୍ଯ୍ୟ, ଅତି ଦୂର ସମୁଦ୍ରରେ
ହାଲ୍‌ଭଙ୍ଗା ନାବିକ ସେ ହରାଇଛି ଦିଗ
ସବୁଜ ଘାସର ଦେଶ ଦେଖେ ଯେତେବେଳେ 
ଦାରୁଚିନି ଦ୍ୱୀପର ଭିତରେ;
ସେମିତି ଦେଖିଛି ତା'କୁ ଅନ୍ଧାରରେ, କହିଛି ସେ,
"ଏତେ ଦିନ କେଉଁଠି ଥିଲ ମ"
ପକ୍ଷୀର ନୀଡ଼ର ଭଳି ଆଖି ମେଲି ନାଟୋର୍‌ର 
ବନଲତା ସେନ୍ ।

ମୋର ପ୍ରିୟ ନାରୀ ବନଲତା ସେନ୍ ଆମର କଳ୍ପିତ ପୃଥିବୀ, ଯାହାକୁ ନାଟୋର ବୋଲି ନାମକରଣରେ ଚିହ୍ନିତ କରାଯାଇ ପାରିବ, ସେଇଠେ ସେ ରହୁଛି । ବିଦିଶାର ନିଶା ଆଉ ଶ୍ରାବସ୍ତୀର କାରୁକାର୍ଯ୍ୟର ଐତିହାସିକତାରୁ କ୍ରମଶଃ ଦୃଶ୍ୟମାନ ହେବାରେ ଲାଗିଛି ସେ ।ଆମେ ଯେତେ ଯେତେ ଦିଗହଜା ନାବିକ, ଯାହାର ବୋଇତର ହାଲ୍ ସବୁ ଭାଙ୍ଗି ଯାଇଛି ସୁଦୂର ସମୁଦ୍ରରେ ଯେତେବେଳେ ହଠାତ୍ ଆଶାର ଦାରୁଚିନି ଦ୍ୱୀପର ବାସ୍ନା ସହ ସବୁଜ ଘାସର ଦେଶରେ ସେ ଉଭା ହୋଇଛି । ଅନ୍ଧାରରେ ତାହା ସହ ଆମର ଚିରକାଳ ଦେଖା । ସବୁ ହଠାତ୍ । ସେଇ ହଠାତ୍ ଭିତରେ ଆମର ସଙ୍ଗୁପ୍ତ ଚିରକାଳ, "ଏତେ ଦିନ କେଉଁଠି ଥିଲ ମ", ଅପେକ୍ଷାର ମଧୁରତମ ପଦାବଳୀ ।

ନାରୀର ଆଖିରେ ପକ୍ଷୀବସା ଆଉ ପକ୍ଷୀବସାଠୁ ଅଧିକ ଶାନ୍ତ ସମ୍ମୋହନ ଅଧିକ କିଛି ମୋ' ବିଚାରରେ ନାହିଁ । ସେଇଥିପାଇଁ ଜୀବନାନନ୍ଦଙ୍କ ଏ ଉଦ୍ଧୃତି ।

ଫଟୋଟି ଜ୍ୟୋତି ନନ୍ଦଙ୍କର ଫେସବୁକ୍ କାନ୍ଥରୁ ସଙ୍ଗୃହିତ

ଶେଷ ଉଦ୍ଧୃତିଟି ଉପରେ ସଂଲଗ୍ନ ଚିତ୍ର । ଚିତ୍ରରେ ସବୁଠାରୁ ଆଦର୍ଶ ଦେବଦମ୍ପତ୍ତିଙ୍କ ପାରିବାରିକ ଉଚ୍ଛ୍ୱାସ । ସୃଷ୍ଟି ସ୍ଥିତି ଆଉ ବିନାଶର ଅବିସମ୍ବାଦିତ ନଟରାଜଙ୍କର ପତ୍ନୀଙ୍କ ସାଧାରଣ ତାଳରେ ନାଚିବାର ମୁକ୍ତ ଛନ୍ଦ ଓ ଆନନ୍ଦ । ଆଜି ଯଦି ଏଇ ଦେବଦମ୍ପତ୍ତିଙ୍କୁ ଅନୁକରଣ କରି ଆମେ ଆମ ସାଧାରଣ ଜୀବନରେ ନିଜ ନିଜ ପତ୍ନୀଙ୍କ ତାଳରେ କିଛି କିଛି ନୃତ୍ୟାଭ୍ୟାସ କରୁଛୁ, ତେବେ ଆମର ପୁରୁଷତନ୍ତ୍ରର ଏଥିରେ ହସିବାର କିଛି ନାହିଁ ।

ଅବଶ୍ୟ ଆମ ମୁଣ୍ଡରେ ବେଳେବେଳେ, ବିଶେଷତଃ ଦାମ୍ପତ୍ୟକଳହ ସମୟରେ, ସକ୍ରେଟିସ୍ ସବାର ହୋଇ ଯାଆନ୍ତି । ତାଙ୍କ ଭଳି ଚିନ୍ତକର ବୋଝକୁ ବୋହିବା ଯେତିକି କଷ୍ଟ, ଓହ୍ଲାଇବା ତାହାଠୁ ଅଧିକ ।

No comments:

Post a Comment