ଗିଜୁଭାଇଙ୍କ ଶିକ୍ଷାକର୍ମର ଭାରତୀୟ ପୃଷ୍ଠଭୂମି
ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ
୧୯୧୩ ମସିହାରେ ଉତ୍ତୋଳିତ ମାରିଆ ମଣ୍ଟେସୋରିଙ୍କର ଟିତ୍ର ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ପରାଧୀନ ଭାରତରେ
ଶିକ୍ଷାର ଅବସ୍ଥା ଖୁବ ସଙ୍କଟାପନ୍ନ
ଥିଲା । ଶିକ୍ଷକମାନଙ୍କର ସଙ୍ଖ୍ୟା
ଦିନକୁ ଦିନ କମିବାରେ ଲାଗିଥିଲା ।
ଶିକ୍ଷାର ଉନ୍ନତି ଦିଗରେ କୌଣସି
କାର୍ଯ୍ୟକ୍ରମ ଚାଲୁ ନ ଥିଲା ।
ଭାରତୀୟମାନେ ମଧ୍ୟ ନିଜକୁ ବେଶ୍
ସୀମିତ କରି ରଖିଥିଲେ । ଶିକ୍ଷା
ପାଇଁ ବିଦେଶ ଗଲା ବେଳେ ଏହି ସୀମିତ
ମନୋଭାବ ପାଇଁ ଗାନ୍ଧିଜୀଙ୍କୁ
ଅନେକ ଅସୁବିଧା ସହିବାକୁ ପଡ଼ିଥିଲା ।
ନାରୀଶିକ୍ଷାକୁ ଅଦରକାରୀ ମନେ
କରା ଯାଉ ଥିଲା । ସେହି ସମୟରେ ଗୋଖଲେ
ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା
ଉପରେ ଖୁବ୍ ଜୋର ଦେଇଥିଲେ । କିନ୍ତୁ
ଆମ ଦେଶର ଲୋକଙ୍କର ଏ ଦିଗରେ କୌଣସି
ଆଗ୍ରହ ନ ଥିଲା । ଏଭଳି ପରିସ୍ଥିତିରେ
ନୂଆ ଶିକ୍ଷାପଦ୍ଧତି ପ୍ରଚଳନର
ସମ୍ଭାବନା ହିଁ ନ ଥିଲା ।
ସେତେବେଳେ
ସମସ୍ତଙ୍କର ଧାରଣା ଥିଲା ଯେ, ପିଲାମାନେ କଞ୍ଚାମାଟିର ଗୁଳା
ଭଳି । ଆମେ ସେମାନଙ୍କୁ ଯେଭଳି
ରୂପ ଦେବାକୁ ଚାହିଁବା, ସେଭଲି
ଶିକ୍ଷା ଦେବା । ଏଥିପାଇଁ କିଛି
ଅଧିକ ଚିନ୍ତାର ଆବଶ୍ୟକତା ନାହିଁ ।
ଲୋକମାନଙ୍କର ଏଭଳି ମଧ୍ୟ ଧାରଣା
ଥିଲା ଯେ, ଛୋଟ ପିଲାମାନେ କିଛି
ବି ବୁଝି ପାରନ୍ତି ନାହିଁ । ବିବେକ
ବୋଲି ସେମାନଙ୍କର କିଛି ନ ଥାଏ ।
କେଉଁ ଥିରେ ତା'ର ମଙ୍ଗଳ ହେବ, ସେକଥା
ସେ ଜାଣି ପାରେ ନାହିଁ । ତା'ର ଭଲ
ପାଇଁ ଆମେ ହିଁ ତା'କୁ ଗାଳି ମାଡ଼ ଦେଇ ଯାହା ଦରକାର ତାହା ଶିଖାଇବା ।
ଶିକ୍ଷା
ସହିତ ଖୁସି ହେବାର ସମ୍ପର୍କ
ବିଲେଇ-ମୂଷାର
ସମ୍ପର୍କ ଭଳି ଥିଲା । ପାଠକୁ
ସେତେ ବେଳେ ଘୋଷି ମନେ ରଖିବା ହିଁ
ପାଠ ପଢ଼ାର ଏକମାତ୍ର ଧାରା ଥିଲା ।
ଶିକ୍ଷା କ୍ଷେତ୍ରରେ ପିଲାର ରୁଚି, ତା'ର କିଛି ସିଦ୍ଧାନ୍ତ ବା
ଅନୁଭବ, ନିଜକୁ
ପ୍ରକାଶ କରିବାର ଇଚ୍ଛା, ସ୍ୱାଧୀନତା ଆଦିର କୌଣସି ସ୍ଥାନ ନ ଥିଲା । ତେବେ
ଗୁରୁକୂଳ ଆଶ୍ରମର ଶିକ୍ଷା ପଦ୍ଧତି
ଏ ଦିଗରେ କିଛି ବାଟ ଦେଖାଇଥିଲା ।
ହରିଦ୍ୱାରର ସ୍ୱାମୀ ଶ୍ରଦ୍ଧାନନ୍ଦ
ତାଙ୍କ ଶିକ୍ଷା ବ୍ୟବସ୍ଥାରେ
ରାଷ୍ଟ୍ରୀୟତା, ଭାରତୀୟ
ସଂସ୍କୃତି, ସଂସ୍କୃତ
ଭାଷା, ଶାରୀରିକ
ବିକାଶ ଆଦି ବିଷୟକୁ ସ୍ଥାନ ଦେଇଥିଲେ ।
ଶାନ୍ତି ନିକେତନରେ ଆଧ୍ୟାତ୍ମିକତା, ଖୁସିରେ
ଶିଖିବା ଆଦି ନୂଆ ନୂଆ କଥା ସବୁ
ସ୍ଥାନ ପାଇଥିଲା । ସେମାନେ ସେଠାରେ
ଅନ୍ତର୍ରାଷ୍ଟ୍ରୀୟ ସଦ୍ଭାବ ଶିକ୍ଷା
ଦେବାରେ ମଧ୍ୟ ଗୁରୁତ୍ୱ ଦେଉଥିଲେ ।
ମାଡ୍ରାସର ଗୋଟିଏ ସଂସ୍ଥାରେ
ମଧ୍ୟ ନୂତନ ଶିକ୍ଷା ପ୍ରୟୋଗ କରା
ଯାଉ ଥିଲା ।
ଧୀରେ ଧୀରେ
ଜନ ସଚେତନତା ବଢ଼ିଲା ଓ ଭାରତୀୟମାନେ
ମଧ୍ୟ ଆଉ କାହାକୁ ଅନୁକରଣ କରିବା
ବଦଳରେ ନିଜ ଦେଶର ଆବଶ୍ୟକତା
ଅନୁଯାୟୀ ଶିକ୍ଷା ପଦ୍ଧତିର ପ୍ରଚଳନ
ହେବା ଉଚିତ ବୋଲି ଅନୁଭବ କରି ପାରିଲେ ।
ଗୁଜୁରାଟରେ
ଶିକ୍ଷା
ଗୁଜୁରାଟରେ
ପ୍ରଥମେ କେବଳ ସରକାରୀ ଶିକ୍ଷା
ବ୍ୟବସ୍ଥା ପ୍ରଚଳନ ଥିଲା । ପରେ
ବେସରକାରୀ ଉଦ୍ୟମରେ କିଛି ଶିକ୍ଷା
କାର୍ଯ୍ୟକ୍ରମ ମଧ୍ୟ ଚାଲିଲା । [ବରୋଦାର] ମହାରାଜ ଗାଏକୱାଡ଼ ବିଦେଶରୁ ବହି
ମଗାଇ ଲୋକଙ୍କ ଭିତରେ ନୂଆ ବିଚାରଧାରା
ସୃଷ୍ଟି ପାଇଁ ଚେଷ୍ଟା କରୁଥିଲେ ।
ଗୋପାଳଦାସ ତାଙ୍କ ଗାଁର ପିଲାଙ୍କୁ
ମଣ୍ଟେସୋରୀ ପଦ୍ଧତିରେ ପଢ଼ାଇବାର
ବ୍ୟବସ୍ଥା କରିଥିଲେ । ମଣ୍ଟେସୋରୀ
ପଦ୍ଧତିର ଅନେକ ବହି ସେ ଗୁଜୁରାଟି
ଭାଷାରେ ଅନୁବାଦ କରିଥିଲେ । କେତେ
ଜାଗାରେ କିଣ୍ଡରଗାର୍ଟନ ଶିକ୍ଷା
ବ୍ୟବସ୍ଥା ମଧ୍ୟ ଚଳାଯାଉଥିଲା ।
ବି.ଦ୍ର. - ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।
No comments:
Post a Comment