ଦେବନାଗରୀ ଲିପି ଶିକ୍ଷା
ଗୋପବନ୍ଧୁ ଦାଶ
ଭେଷଜ ବିଜ୍ଞାନ ଉପରେ ଦେବନାଗରୀ ଲିପିରେ ଲିଖିତ ଏକ ପାଣ୍ଡୁଲିପି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) |
ମାଟ୍ରିକୁଲେସନ
ଆଇ.ଏ., ଏବଂ
ବି.ଏ. ଛାତ୍ରମାନେ ପରୀକ୍ଷାରେ ସଂସ୍କୃତ
ପ୍ରଶ୍ନର ଉତ୍ତର ଦେବନାଗରୀ
ଅକ୍ଷରରେ ଲେଖିବେ ବୋଲି ପାଟଣା
ବିଶ୍ୱବିଦ୍ୟାଳୟ ନିୟମ କରି ଅଛନ୍ତି ।
୧୯୨୧ ସାଲଠାରୁ ଆଇ.ଏ., ବି.ଏ. ପରୀକ୍ଷାରେ
ଏବଂ ୧୯୨୨ଠାରୁ ମାଟ୍ରିକୁଲେଶନ
ପରୀକ୍ଷାରେ ଏହି ନିୟମ ଜାରି ହେବାର
ସ୍ଥିର ହୋଇଅଛି । କଲିକତା
ବିଶ୍ୱବିଦ୍ୟାଳୟରେ ଏ ନିୟମ ନାହିଁ ।
ଯେ ଯାହା ଦେଶୀୟ ଅକ୍ଷରରେ ସଂସ୍କୃତ
ଭାଷାରେ ଉତ୍ତର ଲେଖନ୍ତି । ଅବଶ୍ୟ
କଲିକତା ଛଡ଼ା ଭାରତର ଆଉ ସବୁ
ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଦେବନାଗରୀ ଅକ୍ଷରରେ ଲେଖିବାର
ନିୟମ । ଦେବନାଗରୀ ସଂସ୍କୃତ ଭାଷାର
ଅକ୍ଷର ବୋଲି ସବୁ ଆଡ଼େ ଧରା ଯାଉଛି
ଏବଂ ପ୍ରାୟ ସମୁଦାୟ ସଂସ୍କୃତ
ଗ୍ରନ୍ଥ ଦେବନାଗରୀ ଅକ୍ଷରରେ
ପ୍ରକାଶିତ ହେଉଛି । ତେଣୁ ଭାରତବର୍ଷର ଚାରିଆଡ଼େ ଉଣା ଅଧିକେ ଏହାର
ପ୍ରଚାର ଅଛି । ଭାରତରେ ଗୋଟିଏ
ଲିପି ଚଳାଇବା ଲାଗି କେତେ ଲୋକଙ୍କର
ଉଦ୍ୟମ ଲାଗିଛି । ହେଲେ ଅବଶ୍ୟ
ଦେବନାଗରୀ ହେବ । ସୁତରାଂ ସଂସ୍କୃତ
ପଢ଼ୁଆମାନେ ଦେବନାଗରୀ ଲେଖି ଜାଣିବା
ଭଲ । ଆମ ଦେଶରେ ଆଗେ କେହି କେହି
ପୁରୁଣା ପଣ୍ଡିତ ନାଗରୀ ଲେଖି ପାରୁଥିଲେ
ସେଥି ଲାଗି ସେମାନଙ୍କର ବେଶ ଆଦର
ହେଉଥିଲା ।
ଦେବନାଗରୀ ଅକ୍ଷରରେ
ନ ଛପାଇ ପାରିଲେ ଓଡିଶାର କୌଣସି
ସଂସ୍କୃତ ଗ୍ରନ୍ଥ ଭାରତରେ ପ୍ରସିଦ୍ଧି
ପାଇ ପାରିବ ନାହିଁ। ଆମ୍ଭମାନଙ୍କ
ମଧ୍ୟରେ ଦେବନାଗରୀ ଲେଖି ଜାଣିବା
ଲୋକ ପ୍ରାୟ ନ ଥିବାରୁ ଓଡ଼ିଆ
ଲେଖା ସଂସ୍କୃତ ପୁସ୍ତକ ନାଗରୀରେ
ଛପାଇବାରେ ବଡ଼ ଅସୁବିଧା ହୁଏ ।
ଯେ ଅକ୍ଷରରେ ସାଧାରଣତଃ କୌଣସି
ଭାଷା ଶିଖାଯାଏ ସେ ଅକ୍ଷର ଲେଖି
ନ ଜାଣିବା ଅବଶ୍ୟ ଟିକିଏ ବିଡ଼ମ୍ୱନା ।
ଏହି କାରଣରୁ ଅନେକ ସମୟରେ ବି.ଏ., ଏମ.ଏ
ପର୍ଯ୍ୟନ୍ତ ସଂସ୍କୃତ ପଢ଼ି କେହିକେହି ସ୍ଫଷ୍ଟ ପ୍ରାଞ୍ଜଳ
ଭାବରେ ଦେବନାଗରୀ ଛାପା ସଂସ୍କୃତ
ପୁସ୍ତକ ପଢ଼ି ନ ପାରିବାର ଦେଖାଯାଏ ।
ବିଶେଷତଃ ବି.ଏ. ପ୍ରଭୃତି ଉଚ୍ଚ ପରୀକ୍ଷାରେ
ଦେବନାଗରୀ ସଂସ୍କୃତ ଉତ୍ତର ଲେଖିଲେ
ପରୀକ୍ଷକମାନଙ୍କ ପକ୍ଷେ ସୁବିଧା । ଇଉରୋପର ଯେଉଁ ବଡ଼ବଡ଼ ପଣ୍ଡିତମାନେ
ସଂସ୍କୃତଚର୍ଚ୍ଚ। କରନ୍ତି ସେମାନେ
ଦେବନାଗରୀରେ ଲେଖନ୍ତି ।
ଦେବନାଗରୀରେ
ଲେଖିବା ଏପରି କିଛି ଅସାଧ୍ୟ
ନୁହେଁ । ଏଥିରେ ଅନ୍ୟ କୌଣସି
ପ୍ରାଦେଶିକ ଭାଷା ବା ଅକ୍ଷରର
ଅବମାନନା ହେଉନାହିଁ । କିମ୍ୱା
କାହାରି ଜାତୀୟତାରେ ହାନି ଘଟିବାର
କଥା ନୁହେଁ । ମୋଟ କଥା ଆମ୍ଭେମାନେ
ଦେବନାଗରୀରେ ସଂସ୍କୃତ ଲେଖାର
ବିରୋଧୀ ନୋହୁ । ମାତ୍ର ଯେ ଅଳ୍ପ
ସମୟ ମଧ୍ୟରେ ଏ ନିୟମ ଜାରି ହେବାର
କଥା ହୋଇଅଛି ସେଥିରେ ପରୀକ୍ଷାର୍ଥୀମାନଙ୍କର ବିଶେଷ କ୍ଷତି ହେବାର
ଆଶଙ୍କା । ପରୀକ୍ଷାରେ ଯେପରି
ତରତର ଲେଖିବା ଦରକାର ପଡ଼େ ସେଥିରେ
ନୂଆ ଶିଖା କୌଣସି ଅକ୍ଷରରେ ଲେଖିବା
ଅନେକଙ୍କ ପକ୍ଷେ ବଡ଼ ବିପଦ ।
କେତେ ଦିନ ଅଭ୍ୟାସ ହୋଇଗଲେ ତେତେ
ପଡ଼ିବ ନାହିଁ । ମାତ୍ର ଛାତ୍ରମାନଙ୍କୁ
ଏଥିଲାଗି ଯଥେଷ୍ଟ ସମୟ ଦିଆ ହୋଇଅଛି
ବୋଲି ଆମ୍ଭେମାନେ କହି ନ ପାରୁ ।
ପୁଣି ଯେଉଁମାନେ ମାଟ୍ରିକୁଲେସନ
ବା ସ୍କୁଲ ଫାଇନାଲ ପଢ଼ା ଶେଷ
କରିବେ, ଭବିଷ୍ୟତରେ ସଂସ୍କୃତ
ସଙ୍ଗେ ସେମାନଙ୍କର କିଛି ସମ୍ପର୍କ
ରହିବାର ସମ୍ଭାବନା ନାହିଁ ।
ଆମ୍ଭମାନଙ୍କ ମତରେ ସେମାନଙ୍କୁ
ପରୀକ୍ଷାରେ ନାଗରୀ ଲେଖିବାକୁ
ବାଧ୍ୟ କରିବାରେ କିଛି ଲାଭ ନାହିଁ ।
ତେବେ ଯେଉଁମାନେ କଲେଜରେ ସଂସ୍କୃତ
ନେବେ ସେମାନେ ଦେବନାଗରୀ ଲେଖିବା
ବାଞ୍ଚନୀୟ । ଭାବୀ ଜୀବନରେ ସେମାନେ
ସଂସ୍କୃତ ସାହିତ୍ୟର ଅନୁସନ୍ଧାନ
କରିବେ ବୋଲି ଆଶା କରାଯାଏ । ମାତ୍ର
ମାଟିକ୍ୟୁଲେସନଠାରୁ ଅଭ୍ୟାସ
ନ ଥିଲେ କଲେଜରେ ତରତର ଲେଖିବା
କଷ୍ଟକର ହେବ । ତେଣୁ ମାଟ୍ରିକ୍ୟୁଲେସନ
ଛାତ୍ରମାନେ ଉପର ଚାରି ଶ୍ରେଣୀରେ
ଦେବନାଗରୀ ଲେଖା ଅଭ୍ୟାସ କରନ୍ତୁ ।
ସେମାନେ ପରୀକ୍ଷା ଦେବା ବେଳେ
ସ୍କୁଲର ହେଡ୍ମାଷ୍ଟର ଏ ବିଷୟର
ସାର୍ଟିଫିକେଟ ପାଇ ନ ଥିବେ ସେମାନେ
କଲେଜରେ ସଂସ୍କୃତ ନେଇ ପାରିବେ
ନାହିଁ । ତାହା ହେଲେ କଲେଜରେ
ପରୀକ୍ଷା ସଂସ୍କୃତର ଉତ୍ତର
ଦେବନାଗରୀରେ ଲେଖିବାକୁ କାହାରି
କିଛି କଷ୍ଟ ହେବନାହିଁ । କିମ୍ୱା ସେପରି
ଗୁରୁତର ଆପତ୍ତି ଉଠିବ ନାହିଁ ।
ଏ ପ୍ରସଙ୍ଗ ଗଲା ଉତ୍କଳ ସମ୍ମିଳନୀରେ
ବିଚାର କରାଯାଇଥିଲା ଏବଂ ଦେବନାଗରୀ
ଲେଖା ବିରୁଦ୍ଧେ ଏକ ନିର୍ଦ୍ଧାରଣ
ହୋଇଥିଲା । ଓଡିଶା ଛାତ୍ର
ସମ୍ମିଳନୀରେ ଏ ବିଷୟରେ ଏକ ପ୍ରସ୍ତାବ
କରାଯାଇଅଛି । ଉତ୍କଳ ଲୋକସଭା
ମଧ୍ୟ ଏଥିର ପ୍ରତିବାଦ କରି ଅଛନ୍ତି ।
ମୋଟରେ ଓଡିଶାର ସାଧାରଣ ମତ ପାଟଣା
ବିଶ୍ୱବିଦ୍ୟାଳୟ ସିଣ୍ଡିକେଟରେ
ଏ ପ୍ରସଙ୍ଗ ପଡ଼ିଥିଲା । ସଂସ୍କୃତ
ଶିକ୍ଷାବୋର୍ଡ ଏବଂ ଫାକଲଟିଙ୍କ
ନିକଟକୁ ପୁନର୍ବିଚାର ନିମନ୍ତେ
ଏହା ପଠା ହୋଇଅଛି। ସେମାନେ
ବିଚାର କରି ସିଣ୍ଡିକେଟକୁ ପଠାଇଲେ
ଶେଷ ନିଷ୍ପତ୍ତି ହେବ । ବୋର୍ଡ
ଏବଂ ଫାକଲିଟିର ଓଡ଼ିଶା ମେମ୍ୱରମାନେ
ଏ ପ୍ରସଙ୍ଗରେ ଆଲୋଚନା ସମୟରେ
ଉପସ୍ଥିତ ରହି ଯଥା ସାଧ୍ୟ କର୍ତ୍ତବ୍ୟ
ପାଳନ କରିବାକୁ ଆମ୍ଭୋମାନେ ଏକାନ୍ତ
ଅନୁରୋଧ କରୁ । ଆମ୍ଭେମାନେ
ଏକାବେଳେକେ ଦେବନାଗରୀ ପ୍ରସ୍ତାବରେ
ବିରୋଧୀ ନୋହୁ କିମ୍ୱା ପାଟଣା
ବିଶ୍ୱବିଦ୍ୟାଳୟଙ୍କର ନୋହିଲେ
ଏବେ ନ ହେବ କେବେ ନୀତି ସମର୍ଥନ
କରୁ ନାହୁଁ । ଆଶା କରୁ ଏ ମଝିବାଟରେ
ଯିବା ଲାଗି ବୋର୍ଡ ଏବଂ ଫାକଲଟି ମେମ୍ୱରମାନଙ୍କର ତେତେ ଅସୁବିଧା
ବା ଆପତ୍ତି ହେବନାହିଁ ।
(ସମାଜ
ତା ୩୧-୧-୧୯୨୦)
No comments:
Post a Comment