Sunday, June 24, 2018

ମଫସଲ ଶିକ୍ଷକଙ୍କ ଦୁର୍ଗତ

ଗୋପବନ୍ଧୁ ଦାଶ


୧୮୫୯ ମସିହାରେ ଅଙ୍କିତ ବାଙ୍ଗାଲୋର ନିକଟସ୍ଥ ଏକ ଗ୍ରାମ୍ୟ ବିଦ୍ୟାଳୟର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମଫସଲ ପ୍ରାଇମେରୀ ସ୍କୁଲର ଶିକ୍ଷକମାନେ ତିନ ମାସରେ ଥରେ ଲେଖାଁଏ ଦରମା ପାଇବାର କଥା । ମାତ୍ର ଅଧିକାଂଶ ଛଅ ଛଅ ମାସରେ ଥରେ ଲେଖାଏଁ ପାଇବା କଷ୍ଟ । ସେ ଗରିବମାନେ ଯେ ଏ ମଲାମାଇଲା କାଳରେ ଚଳନ୍ତି କିପରି, ତାହା କେହି ବୁଝିବାକୁ ନାହିଁ । ଏଥିରେ ପୁଣି ସ୍କୁଲ ତଦନ୍ତି କରିବାକୁ ମାସେ ଦୁଇ ମାସରେ ଯେ ହାକିମ ଯିବେ, ତାଙ୍କୁ ପରିତୁଷ୍ଟ କରିବା ସେମାନଙ୍କର ଦରକାର । ଜିଲ୍ଲାବୋର୍ଡର ପ୍ରାୟ ପ୍ରତ୍ୟେକ ମେମ୍ୱର ଗାଁ ପ୍ରାଇମେରୀ ସ୍କୁଲ ଶିକ୍ଷକମାନଙ୍କର ଏ ଅବସ୍ଥା ଜାଣନ୍ତି, ମାତ୍ର ଏହାର କୌଣସି ଭଲ ବନ୍ଦୋବସ୍ତ ହେଉ ନାହିଁ  ଆମ୍ଭେମାନେ ଏ ବିଷୟରେ ଇତି ପୂର୍ବ ଥରେ ଲେଖିଥିଲୁ । ଏହାର କାରଣ ଆମ୍ଭେମାନେ ଯେତେଦୂର ଜାଣୁ, ଶିକ୍ଷା ବିଭାଗ କର୍ମଚାରୀଙ୍କର ଅବହେଳା ଏବଂ ଜିଲ୍ଲା ବୋର୍ଡ଼ ଅଫିସରେ କର୍ମଚାରୀର ଅଭାବ । 

ଶିକ୍ଷା ବିଭାଗ ନିମନ୍ତେ ବୋର୍ଡ଼ରେ ଗୋଟିଏ ମାତ୍ର କିରାଣୀ । ତାଙ୍କ ପ୍ରତି କାମ ବଳେ । କର୍ମଚାରୀ ଅଭାବ ହେଉ ବା ଅନ୍ୟ ଯେ କାରଣ ହେଉ, ଜିଲ୍ଲାବୋର୍ଡ଼ର ଚେୟାରମ୍ୟାନ ଭାଇସଚେୟାରମ୍ୟାନ ଏବଂ ମେମ୍ୱରମାନେ ଶୀଘ୍ର ଏଥିର ପ୍ରତିକାର କରିବା ଉଚିତ । ଏଥି ଲାଗି ଆଗାମୀ ବଜେଟରେ ଯଦି କିଛି ବ୍ୟବସ୍ଥା କରିବା ଦରକାର ହୁଏ ଆମ୍ଭେମାନେ ଆଶା କରୁ ଓଡ଼ିଶାର କୌଣସି ଜିଲ୍ଲାବୋର୍ଡ଼ ସେଥିରେ କୁଣ୍ଠିତ ହେବେ ନାହିଁ । କୌଣସି କୌଣସିଠାରେ ବ୍ୟାପାର ବାସ୍ତବିକ ଅତି ଜଘନ୍ୟ ହୋଇଅଛି । ଆମ୍ଭମାନଙ୍କ ମତରେ ତିନି ମାସରେ ଦିଆ ନ ହୋଇ ପ୍ରତି ମାସ ଶେଷରେ ସେମାନେ ଯେପରି ନିଜନିଜ ବେତନ ପାଇବେ ତହିଁର ବ୍ୟବସ୍ଥା ହେଲେ ଭଲ । ମନିଅର୍ଡ଼ର ଖର୍ଚ୍ଚା କିଛି ବେଶି ପଡ଼ି ପାରେ, ପଡ଼ୁ । ମାତ୍ର ଗୁରୁ ବିଚାର ଅନ୍ୟଠାରୁ ଟଙ୍କା କରଜ ଆଣି ଯେ ସୁଧ ଦିଏ ତହିଁରୁ ତ ମନିଅର୍ଡ଼ର କମିଶନ ଖର୍ଚ୍ଚ। ବେଶୀ ନୁହେଁ । ଅନେକଙ୍କୁ କରଜା ସୁଦ୍ଧା ମିଳେ ନାହିଁ । ଏ ଅବସ୍ଥାରେ ପ୍ରାଇମେରୀ ଶିକ୍ଷା ଆମ୍ଭମାନଙ୍କ ମଫସଲରେ କିପରି ଚଳୁଛି କହିବା ଦରକାର ନାହିଁ । 

ସରକାରୀ ଏବେ ବିଚାର କରୁଛନ୍ତି କି ଗାଁ ପାଠଶାଳା ଶିକ୍ଷକମାନଙ୍କୁ ଦରମା ପ୍ରତି ମାସ ଗାଁର ଚୌକିଦାର ପଞ୍ଚାୟତଙ୍କଠାରୁ ଆସିବ, ସେ ଶିକ୍ଷକଙ୍କୁ ଦେଇ ତାଙ୍କ ରସିଦ ବୋର୍ଡ଼କୁ ପଠାଇ ଦେବେ । ଜଣେ ପଞ୍ଚାୟତଙ୍କ ଇଲାକାରେ ଯେତେ ପ୍ରାଇମେରୀ ସ୍କୁଲର ଶିକ୍ଷକ ଥିବେ, ସେ ସମସ୍ତଙ୍କ ଦରମା ତାଙ୍କଠାକୁ ଆସିବ । ଏ ବ୍ୟବସ୍ଥା ମନ୍ଦ ନୁହେଁ । ପଞ୍ଚାୟତମାନେ ଭଲ ମନୁଷ୍ୟ ହେଲେ ଏହିପରି କେତେ କାର୍ଯ୍ୟର ସୁବିଧା ହୋଇ ପାରନ୍ତା । ମାତ୍ର ତାଙ୍କର ଗୋଟିଏ ପାହିଆ ବଢ଼ିଲା ବୋଲି ଯେବେ ମନେ କରି କେହି କେହି ଲାଭର ବାଟ ଦେଖନ୍ତି, ତେବେ ଗରିବ ଶିକ୍ଷକ, 'ପଳାଇ ମାଉସୀ ଘର ମାଉସୀ ମାଇଲା' । ପୁଣି ସେ ବିଚାରମାନଙ୍କ ଉପରେ ହାକିମ ସଙ୍ଖ୍ୟା ଯେତେ ବଢ଼େ, ସେମାନଙ୍କର ତେତେ ବିପଦର ଆଶଙ୍କା ଅଛି । ତଥାପି ଏ ଉପାୟର ଶୀଘ୍ର ପରୀକ୍ଷା ହେବା ଉଚିତ । ଗ୍ରାମପଞ୍ଚାୟତମାନେ ନିଜର ମାନ ଗୌରବ ଏବ‌ଂ କ୍ଷମତା ବୁଝିବେ ବୋଲି ଆଶା କରାଯାଏ । ନୂତନ ସଂସ୍କାର ଆଇନ ପ୍ରବର୍ତ୍ତିଲେ ସେମାନଙ୍କୁ ଅନେକ ବିଷୟରେ ଆହୁରି ଅଧିକାର ମିଳି ପାରେ ସେମାନେ ଭଳ ମନୁଷ୍ୟ ହେଲେ ଗ୍ରାମର ଭଲ ହେବଏବଂ ଦେଶର ଭଲ ହେବ ।

(ସମାଜ ତା ୩--୧୯୨୦)

No comments:

Post a Comment