Monday, April 30, 2018

ଉଚ୍ଚ ଶିକ୍ଷାରେ ଗରିବଙ୍କ ସ୍ଥାନ କାହିଁ ?

ଗୋପବନ୍ଧୁ ଦାଶ


କଟକସ୍ଥ ରାଭେନ୍‌ସ କଲେଜ (ୱିକିମିଡିଆ କମନ୍ସ୍)

କଟକରେ ଅଧିକ କଲେଜ ବସିବ ବା ବିଶ୍ୱବିଦ୍ୟାଳୟ ହେବ ଏ କଥା କହିବା ବେଳେ ହଠାତ୍ ମନେ ହୁଏ ଆମ୍ଭେମାନେ କି ପାଗଲ ? ‌ଆମ୍ଭେମାନେ କି ସ୍ୱପ୍ନରେ ବିଳିବିଳାଉଛୁ ? କେଉଁଠାରେ ଲାଟସାହେବ ବକ୍ତୃତାରେ ତ କେତେ କଥା କୁହାଯାଏ । ବିହାର-ଓଡ଼ିଶା ପ୍ରଦେଶରେ ଓଡ଼ିଶା ସରକାରଙ୍କ ଆଦର ଅନୁଗ୍ରହରୁ ଅଧେ ପାଇବ ବୋଲି ବକ୍ତୃତାରେ କୁହା ହୋଇଥିଲା ପରା ? କେତେ ପାଇଲା ? ଏ ପ୍ରଦେଶର ପ୍ରଥମ ଲାଟ୍ ଦେଲି ସାହେବ କଟକରେ କହିଥିଲେ ପରା ରାଭେନ୍‌ସା ସାହେବ ତାଙ୍କର ପୁରାତନ ବନ୍ଧୁ, ଯେ କଲେଜ ସଙ୍ଗେ ତାଙ୍କ ନାମ ଯୋଗ ରହିଛି ତହିଁ ପ୍ରତି ସେ ବିଶେଷ ମନଯୋଗ ଦେବେ ଏବଂ ତହିଁର ଉନ୍ନତି କରିବେ ? ଖଣ୍ଡେ ଇଞ୍ଜିନିୟରିଂ ସ୍କୁଲ ହେବ ହେବ ବୋଲି ତ ଆଜି କି ପନ୍ଦର ସତର ବର୍ଷ ଚାଲିଗଲା, ତଥାପି ହୋଇପାରି ନାହିଁ ? ତେବେ ଆଉ କଟକରେ ବିଶ୍ୱବିଦ୍ୟାଳୟର ଆଶା କାହିଁକି ? ରାଭେନ୍‌ସା କଲେଜରେ ଆଗେ ଯେ ସବୁ ବିଷୟ ପଢ଼ାଯାଉଥିଲା ଏବେ ତ ସେଥିରୁ କେତେକ ନାହିଁ । ପୁଣି ପିଲା ମଧ୍ୟ ଦିନୁଁଦିନ କମୁଛନ୍ତି । ଗଲା ଥର ଲାଟ ସାହେବଙ୍କ ସଭାରେ ମାନ୍ୟବର ଗୋପବନ୍ଧୁ ଦାଶଙ୍କ ପ୍ରଶ୍ନର ଉତ୍ତରରେ ସରକାର ତରଫରୁ ଯେ ଉତ୍ତର ମିଳିଥିଲା, ସେଥିରୁ ଦେଖାଯାଏ ୧୯୧୭ ମସିହାରେ କଲେଜର ପ୍ରଥମ ବର୍ଷ ଶ୍ରେଣୀରେ ଛାତ୍ର ଥିଲେ ୨୨୩୧୯୧୮ରେ ୧୯୬ ପୂର୍ବ ବର୍ଷଠାରୁ ୨୭ଜଣ କମ୍ । ତହିଁ ପରବର୍ଷ ଅର୍ଥାତ୍ ବର୍ତ୍ତମାନ ସେହି ଶ୍ରେଣୀରେ ଛାତ୍ର ସଂଖ୍ୟା ୧୮୪, ଗଲା ବର୍ଷଠାରୁ ଆହୁରି ୧୨ଜଣ କମ୍ । ତୃତୀୟ ବର୍ଷ ଶ୍ରେଣୀରେ ୧୯୧୭୧୯୧୮ ଏବଂ ୧୯୧୯ ସାନମାନଙ୍କର ଛାତ୍ର ସଙ୍ଖ୍ୟା କ୍ରମାନ୍ୱୟରେ ୮୫୭୩, ଏବଂ ୬୭ । ଏ ସଙ୍ଖ୍ୟାମାନଙ୍କରେ ଦେଶରେ ଉଚ୍ଚ ଶିକ୍ଷା ବଢ଼ୁଛି ବୋଲି କୁହାଯିବ କି ? ତଥାପି କଲେଜ କ୍ଲାସମାନଙ୍କରେ ଦରମା ବଢ଼ୁଛି । ବେଶି ଦୁଃଖର କଥା ଯେ, ଏହି ଦୁର୍ଭିକ୍ଷ ବର୍ଷରେ ଦରମା ବଢ଼ିବାକୁ ଥିଲା । ଚାରି ଟଙ୍କା ଜାଗାରେ ସାତ ଟଙ୍କା ପର୍ଯ୍ୟନ୍ତ ହୋଇଅଛି । ବେଡ଼ି ଉପରେ କୋରଡ଼ା । କଟକ କଲେଜର ଛାତ୍ରମାନଙ୍କ ମଧ୍ୟରୁ ଅଧିଂକାଶଙ୍କର ଅବସ୍ଥା ଯେପରି, ସେଥିରେ ମାସ ମୁଣ୍ଡରେ ଅଧିକ ଟଙ୍କାଏ ଖର୍ଚ୍ଚ ଚଳାଇପାରିବା ସେମାନଙ୍କର ପକ୍ଷେ ଅସମ୍ଭବ । କର୍ତ୍ତାମାନେ କହିବେ ଏପରି ଗରିବମାନଙ୍କ ନିମନ୍ତେ କଲେଜ କି ଦରକାର ? ତେବେ ଆଉ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନୂଆ କଲେଜ ଘର ତିଆରି କାହିଁକି ? କେତେ ଜଣ ସେଠାରେ ପଢ଼ିବେ ?

(ସମାଜ ତା ୧୧-୧୦-୧୯୧୯)

Saturday, April 28, 2018

ଶିକ୍ଷା ଓ ପିଲାଙ୍କ ପାଇଁ ଗିଜୁଭାଇଙ୍କ ସ୍ୱପ୍ନ

('ଗିଜୁଭାଇ ଶିକ୍ଷାନିଧି'ର ଭୂମିକା)

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ




ମଣିଷର ଜୀବନରେ ସବୁବେଳେ ଶିକ୍ଷାର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଆସିଛି । ଚାହିଦା ଓ ସୁବିଧା ଅନୁସାରେ ନିଜ ନିଜଠାରୁ ଦେଖି ଓ ଶୁଣି ଶିଖିବାଟା ଦିନେ ଆମର ପୂର୍ବପୁରୁଷମାନଙ୍କ ପାଇଁ ଯଥେଷ୍ଟ ଥିଲା । ସମୟକ୍ରମେ କିନ୍ତୁ ଏହା ଯଥେଷ୍ଟ ହେଲାନାହିଁ । ଆସ୍ତେ ଆସ୍ତେ ଏହି ଶିକ୍ଷା ଗୋଟିଏ ଆନୁଷ୍ଠାନିକ ରୂପ ନେଲା ଏବଂ ସମୟର ନିୟମ ମାନି ଗୋଟିଏ ଗତାନୁଗତିକ ରୀତି ହୋଇଗଲା । ସମାଜର ଆଖିରେ ଶିକ୍ଷା ଅନୁଷ୍ଠାନଗୁଡିକ ବେଶୀ ବଡ଼ ହୋଇ ଉଠିଲେ । ବିଦେଶୀ ଶାସନ ଭିତରେ ଆମ ଦେଶରେ ଗଢ଼ି ଉଠିଥିବା ଅନୁଷ୍ଠାନଗୁଡିକ ଶିକ୍ଷାଠାରୁ ଆହୁରି ଦୂରେଇ ଗଲେ ।


ବିଂଶ ଶତାଦ୍ଦୀର ପ୍ରଥମ ଭାଗରେ ଦେଶରେ ଜାତୀୟତାବାଦର ଏବଂ ସ୍ୱାଧୀନତାର ଚିନ୍ତା ମୁଣ୍ଡ ଟେକିଲା ବେଳେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଦୁରବସ୍ଥା ଚିନ୍ତାନାୟକମାନଙ୍କୁ ବ୍ୟଥିତ କଲା । ଏହାର ପ୍ରତିକାର ପାଇଁ ସ୍ୱାମୀ ବିବେକାନନ୍ଦ ମଣିଷ ଗଠନକାରୀ ଶିକ୍ଷା ପାଇଁ ଆହ୍ୱାନ ଦେଲେ । ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଠାକୁର, ଶ୍ରୀ ଅରବିନ୍ଦ ଆଦି ନୂଆ ପ୍ରକାରର ଶିକ୍ଷା ପଦ୍ଧତିର ମୂଳଦୁଆ ପକାଇଲେ । ଶିକ୍ଷା ବ୍ୟବସ୍ଥାର ସଂସ୍କାର ପାଇଁ ଦେଶ ସାରା ବିଭିନ୍ନ ପରୀକ୍ଷା ଆରମ୍ଭ ହେଲା । ଗୁଜୁରାଟ ବିଦ୍ୟାପୀଠ, ଶାନ୍ତି ନିକେତନ, ଜାମିଆ ମିଲିଆ, କାଶୀ ବିଦ୍ୟାପୀଠ, ଗୁରୁକୂଳ କାଙ୍ଗଡ଼ି, ଦକ୍ଷିଣାମୂର୍ତ୍ତୀ ବିଦ୍ୟାଭବନ, ହିନ୍ଦୁସ୍ଥାନୀ ତାଲିମି ସଙ୍ଘ, ସତ୍ୟବାଦୀ ବନ ବିଦ୍ୟାଳୟ ଭଳି ଅନେକ ନୂଆ ଢାଞ୍ଚାର ଶିକ୍ଷାନୁଷ୍ଠାନ ଗଢ଼ି ଉଠିଲେ । ପରାଧୀନ ଭାରତର ଶିକ୍ଷା ପଦ୍ଧତିକୁ ତାହାର ସଙ୍କୀର୍ଣ୍ଣତାରୁ ମୁକ୍ତ କରିବା ପାଇଁ ଏହି ସବୁ ଅନୁଷ୍ଠାନରେ ଅନେକ କର୍ମୀ ଲାଗିପଡ଼ିଲେ । ସମସ୍ତଙ୍କର ଲକ୍ଷ୍ୟ ଥିଲା ପ୍ରଚଳିତ ଶିକ୍ଷାକୁ ପୁସ୍ତକ, ପରୀକ୍ଷା, ପ୍ରତିଯୋଗିତା, ପ୍ରମାଣପତ୍ର ଇତ୍ୟାଦିର କବଳରୁ ମୁକୁଳାଇବା । “ଶିକ୍ଷିତ”ମାନଙ୍କ ଭିତରେ ଗୋଲାମି ମନୋବୃତ୍ତି ପୁରାଇବା ବଦଳରେ ସ୍ୱାଧୀନ ଭାରତ ପାଇଁ ଯୋଗ୍ୟ ସନ୍ତାନ ସୃଷ୍ଟି କରିବା ଏହି ସଂସ୍କାରବାଦୀ ଆନ୍ଦୋଳନର ପ୍ରଧାନ ଚିନ୍ତା ଥିଲା । କହିବାକୁ ଗଲେ ଏହି ସମୟଟି ଭାରତୀୟ ଶିକ୍ଷା ପାଇଁ ଏକ ସୁବର୍ଣ୍ଣ ଯୁଗ ଥିଲା ।

ଗିଜୁଭାଇ ବଧେକା (୧୮୮୫-୧୯୩୯) ଏହି ସୁବର୍ଣ୍ଣ ଯୁଗର ଜଣେ ସୁଦକ୍ଷ କର୍ମୀ ଥିଲେ । ଆଇନଜୀବୀ ଗିଜୁଭାଇ ଶିକ୍ଷା ବିଷୟରେ ବେଶ୍ ଆଗ୍ରହୀ ଥିଲେ ଏବଂ ସମୟକ୍ରମେ ସେ ଓକିଲାତି ଛାଡି ଶିକ୍ଷା ସଂସ୍କାର ଆନ୍ଦୋଳନରେ ନିଜକୁ ସାମିଲ କଲେ । ୧୯୧୬ ମସିହାରେ ଦକ୍ଷିଣାମୂର୍ତ୍ତୀ ବିଦ୍ୟାଥୀ ଭବନରେ ସେ ଯୋଗ ଦେଲେ । ପରେ ତାଙ୍କର ଶିକ୍ଷା ଦର୍ଶନର ପ୍ରୟୋଗ ପାଇଁ ୧୯୨୦ ମସିହାରେ ସେ ଭାବନଗରଠାରେ “ବାଲମନ୍ଦିର” ନାମରେ ଗୋଟିଏ ପ୍ରାଥମିକ ଶିକ୍ଷାନୁଷ୍ଠାନର ଆରମ୍ଭ କରିଥିଲେ । ଏଠାରେ ଅଢ଼େଇ ବର୍ଷରୁ ଛଅ ବର୍ଷ ବୟସର ପିଲାମାନେ ମୁକ୍ତ ବାତାବରଣ ଭିତରେ ସବୁ କିଛି କରି ପାରୁଥିଲେ । ସେଠାରେ ପିଲାମାନେ ନାଚ, ଗୀତ, ଖେଳକୁଦ, ଗପ, ଚିତ୍ର, ଗଛଚଢ଼ା ଭଳି ସବୁ କାମ ସବୁ ସମୟରେ କରିପାରୁଥିଲେ । ସେଠି ମାଡ଼, ଗାଳି ବା ଧମକର ଛାଇ ବି ପଡ଼ୁ ନ ଥିଲା । ଏ ସବୁ ଭିତରେ ସେମାନେ “ପାଠ” ବି ଶିଖୁଥିଲେ, ଅନୁଷ୍ଠାନ ବାହାରର ଦୁନିଆ ବୁଲି ଦେଖୁଥିଲେ, ନୂଆ ନୂଆ ଅନୁଭୂତି ପାଉଥିଲେ । “ବାଲମନ୍ଦିର”ରେ ପଢ଼ୁ ନ ଥିବା ପିଲାଙ୍କ ପାଇଁ ଓ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଗିଜୁଭାଇ ଅନେକ ବହି ଲେଖିଥିଲେ । ଏହି ସମୟରେ ସ୍ୱାଧୀନତା ଆନ୍ଦୋଳନର ହାୱା ଏବଂ ଗାନ୍ଧୀଙ୍କର ଚିନ୍ତା ଗିଜୁଭାଇଙ୍କ ଚିନ୍ତାଧାରା ଓ କାମକୁ ତୀବ୍ରତର କରିଥିଲା ।

ଗିଜୁଭାଇ ତାଙ୍କର ମନପ୍ରାଣ ଦେଇ ଶିଶୁମାନଙ୍କୁ ଭଲ ପାଉଥିଲେ । ସେମାନଙ୍କ ପ୍ରତି କୌଣସି ପ୍ରକାରର କଠୋରତା ସେ ସହି ପାରୁ ନ ଥିଲେ। ସେ କହୁଥିଲେ, “ପିଲାମାନେ ଯେ ପର୍ଯ୍ୟନ୍ତ ଘରେ ଓ ସ୍କୁଲରେ ଗାଳିମାଡ଼ ଖାଉଥିବେ, ସେ ପର୍ଯ୍ୟନ୍ତ ମୋର ଶାନ୍ତି କାହିଁ ?” ପିଲାମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନାର ପ୍ରତିରୋଧ କରିବା ପାଇଁ, ସେ ଛୋଟ ପିଲାଙ୍କୁ ନେଇ ଗୋଟିଏ 'ବାନର ସେନା' ଦଳ ଗଢିଥିଲେ । ପିଲାଙ୍କ ପ୍ରତି ଏଭଳି ଗଭୀର ଶ୍ରଦ୍ଧା ଯୋଗୁ ସେ “ନିଶବାଲୀ ମା” ଓ “ପିଲାଙ୍କ ଗାନ୍ଧିଜୀ” ନାଁରେ ମଧ୍ୟ ଜଣାଥିଲେ ।

ତାଙ୍କ ଶିକ୍ଷା ଦର୍ଶନର ମୂଳରେ ରହିଥିଲା ପିଲାଙ୍କ ପ୍ରତି ତାଙ୍କର ଏହି ଆଦର । ଏ ବିଷୟରେ ସେ କହିଥିଲେ, “ମୁଁ କିନ୍ତୁ ଲକ୍ଷ ଲକ୍ଷ ପିଲାଙ୍କ କଥା ଭାବୁଛି । ଆମରି ଆଖି ଆଗରେ ଏମାନଙ୍କର ଶୈଶବକୁ ହତ୍ୟା କରାଯାଇଛି, ସେମାନେ କଷ୍ଟ ପାଉଛନ୍ତି, ଅଥଚ ଆମେ ଚୁପଚାପ ଦେଖୁଛେ । ବର୍ତ୍ତମାନ ଆମର ମୂଳ କାମ ହେବ ଏ ହତ୍ୟାକୁ ବନ୍ଦ କରାଇବା । ଏଥିପାଇଁ ଆମକୁ ଖୁବ୍ ଜୋରରେ ସ୍ୱର ଉଠାଇବାକୁ ପଡ଼ିବ । ଆମର ଶଙ୍ଖନାଦ ଏପରି ତୀବ୍ର ହେବ, ଯେପରି କାଲର ମଧ୍ୟ କାନ ଏଥିରେ ଖୋଲିଯିବ । ଅନେକ ଲୋକ ଏଥିରେ ବିରକ୍ତ ହେବେ, ରାଗିବେ । କିନ୍ତୁ ଏହି ବିରକ୍ତି ବା ରାଗକୁ ଡରି କଣ ଆମେ ପିଲାମାନଙ୍କର ହତ୍ୟାକୁ ସହିଯିବୁ ? ଆଜି ମୋ ପାଇଁ ଯଥେଷ୍ଟ ହେବ ଯଦି ଆମର ସମାଜ ଏହି ଶିଶୁ ଦେବତାମାନଙ୍କୁ ଚିହ୍ନିପାରିବ । ଏ ଦିଗରେ ହାୱା ସୃଷ୍ଟି କରିବା, ତରଙ୍ଗ ଖେଳାଇବା ମୋର କାମ । ଏଥି ପାଇଁ ମୁଁ ସମସ୍ତଙ୍କର ସାହାଯ୍ୟ କାମନା କରୁଛି ।”

ପିଲାମାନଙ୍କ ବିଷୟରେ ଏବଂ ଶିକ୍ଷା ଉପରେ ତାଙ୍କର ଚିନ୍ତା ଓ ଦର୍ଶନକୁ ନେଇ ଗିଜୁଭାଇ ଛୋଟବଡ଼ ସମସ୍ତଙ୍କ ପାଇଁ ୨୦୦ରୁ ଅଧିକ ବହି ଲେଖିଥିଲେ । ଶିକ୍ଷା ପଦ୍ଧତି ଉପରେ ତାଙ୍କର ପରୀକ୍ଷା ଓ ଅନୁଭୂତି ସବୁକୁ ନେଇ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଧରଣର ତାଲିମ ବ୍ୟବସ୍ଥା ମଧ୍ୟ ସେ କରିଥିଲେ । ନୂଆ ଶିକ୍ଷାର ଯୋଜନାକୁ ନେଇ ଲେଖା ହୋଇଥିବା “ଦିବାସ୍ୱପ୍ନ” ବହିଟି ହେଉଛି ତାଙ୍କର ସର୍ବଶ୍ରେଷ୍ଠ କୃତି ।

୧୯୩୨ ମସିହାରେ ପ୍ରକାଶିତ ଏହି ବହିଟିରେ ସେ ସମୟର ଶିକ୍ଷାର ବ୍ୟବସ୍ଥାର ଦୋଷତୃଟିର ତାଲିକା ବା ସେସବୁର ତାତ୍ତ୍ୱିକ ଆଲୋଚନା ରହିନାହିଁ । ବରଂ ସେସବୁ ଦୋଷ ତୃଟିକୁ ଆଖି ଆଗରେ ରଖି ଗଠନମୂଳକ ଭାବରେ ଗୋଟିଏ ବିକଳ୍ପ ଯୋଜନା ବାଢ଼ି ଦିଆ ଯାଇଛି । ଏହି ଯୋଜନାଟିର ଉପଯୋଗିତା ସେ ସମୟ ପାଇଁ ଯେତିକି ଥିଲା, ବର୍ତ୍ତମାନ ପାଇଁ ମଧ୍ୟ ସେତିକି ରହିଛି । ବରଂ ଶିକ୍ଷାବ୍ୟବସ୍ଥା ଯେପରି ଭାବରେ ବିପର୍ଯ୍ୟସ୍ତ ହୋଇଚାଲିଛି, ଗିଜୁଭାଇଙ୍କର ଚିନ୍ତା ଓ ଯୋଜନାର ଗୁରୁତ୍ୱ ଅନେକ ଗୁଣରେ ବଢି ଯାଇଛି ।

ଗିଜୁଭାଇଙ୍କର ସେହି ଶଙ୍ଖନାଦ ହାୱା ଓ ତରଙ୍ଗକୁ ବଞ୍ଚାଇ ରଖିବା ଓ ବ୍ୟାପକତାର କରାଇବା ଉଦ୍ଦେଶ୍ୟରେ ଏହି ସଂସ୍କରଣଟିର ଉପସ୍ଥାପନା ।

('ଗିଜୁଭାଇ ଶିକ୍ଷା ନିଧି' ବହିଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।) 

Thursday, April 26, 2018

ଇତିହାସ କଣ, କେଉଁଠି, କେମିତି ଓ କେତେବେଳେ ?


ଅନୁବାଦ - କାମିଲେଶ୍ୱରୀ ପଟ୍ଟନାୟକ


ଚୀନ ଦେଶର ପ୍ରଥମ ମହିଳା ଐତିହାସିକ ବାନ୍ ଝାଓ (ପ୍ରଥମ-ଦ୍ୱିତୀୟ ଖ୍ରୀଷ୍ଟାବ୍ଦ)
ସପ୍ତଦଶ ଶତାବ୍ଦୀର ଚିତ୍ର (ୱିକିମିଡିଆ କମନ୍ସ୍)

ରସିଦାର ପ୍ରଶ୍ନ

ଥରେ ରସିଦା ଖବର କାଗଜ ପଢୁଥିବା ସମୟରେ ହଠାତ୍ ତା'ର ନଜର ପଡିଲା ଗୋଟିଏ ଛୋଟ ସମାଚାର ଉପରେ - ‘ଏକ ଶହ ବର୍ଷ ତଳର ଘଟଣା’ - ସେ ଆଶ୍ଚର୍ଯ୍ୟ ହୋଇଗଲା, କାରଣ ଜଣେ କେମିତି ଶହେ ବର୍ଷ ପୂର୍ବ ଘଟଣାକୁ ଜାଣି ପାରିବ ?

ପୁରାତନ କାଳ ବିଷୟରେ ଆସ ଆମେ ଖୋଜି ବାହାର କରିବା ।
ଗତକାଲି - ଗତକାଲି ଆମେ ରେଡିଓ ଶୁଣିପାରୁଥିଲୁ ଟେଲିଭିଜନ ଦେଖିପାରୁଥିଲୁ ଏବଂ ସମାଚାର ପତ୍ର ପଢ଼ି ପାରୁଥିଲୁ ।
ଗତବର୍ଷ - ଗତବର୍ଷ ବିଷୟରେ ଆମେ କାହାକୁ ପଚାରିଲେ ସେ ମନେ ରଖିଛନ୍ତି କିଛି କିଛି । କିନ୍ତୁ, ପୁରାତନ କାଳର କଥା ସବୁ କେହି ଖାଲି ମନେ ରଖି ପାରି ନାହାନ୍ତି ତେଣୁ ସେ ସବୁକୁ ମନେ ରଖିବା ପାଇଁ କଣ କରାଯାଇ ପାରେ, ଆସ ଆମେ ଜାଣିବା ।
ଆମେ ପୂରାତନ କାଳ ବିଷୟରେ କଣ ସବୁ ଜିନିଷରୁ ଜାଣି ପାରିବା ?

ପୁରାତନ କାଳ ବିଷୟରେ ଜାଣିବା ପାଇଁ ଅନେକ ଜିନିଷ ଅଛି, ଯାହାକୁ ଆମେ ଆସ ଖୋଜି ବାହାର କରିବା । ଉଦାହରଣ ସ୍ୱରୂପ ପୂରାତନ କାଳର ଲୋକମାନେ କଣ ଖାଉଥିଲେ, କି ପ୍ରକାର ଲୁଗାପଟା ପିନ୍ଧୁଥିଲେ, ସେମାନେ କିପରି ଘର ସବୁରେ ବସବାସ କରୁଥିଲେ ଇତ୍ୟାଦି ଇତ୍ୟାଦି । ଶାସକ, ଶିକାରୀ, ଯାଯାବର, କୃଷକ, ବ୍ୟବସାୟୀ, ପୂଜକ, ଶିଳ୍ପୀ, କଳାକାର, ସଙ୍ଗୀତଜ୍ଞ ଓ ବୈଜ୍ଞାନିକମାନଙ୍କ ବିଷୟରେ ଜାଣି ପାରିବା ଓ ସେମାନଙ୍କ ବିଷୟରେ ଆହୁରି ଖୋଜି ବାହାର କରିପାରିବା । ଆଉ ମଧ୍ୟ ପିଲାମାନଙ୍କ ଚାଲିଚଳନ ସେ ସମୟରେ କିପରି ଥିଲା; ଯଥା, ସେମାନେ କି କି ଖେଳ ସବୁ ଖେଳୁଥିଲେ, କେଉଁ ଗପ ସବୁ ଶୁଣୁଥିଲେ, କି ପ୍ରକାର ନାଟକ ସବୁ ଦେଖୁଥିଲେ ଓ କଣ ସବୁ ଗୀତ ବୋଲୁଥିଲେ ଇତ୍ୟାଦି ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଇତିହାସ ପାଠ୍ୟପୁସ୍ତକର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Tuesday, April 24, 2018

ପିଲାଙ୍କ ପାଇଁ କବିତା - 'ସାପ ନିଶାପ'

ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସାପ ହେଉଥିଲା ଭୋକରେ ବିକଳ
ଖାଇଲା ଲାଞ୍ଜକୁ ପାଟିରେ ନେଇ,
ପୂରା ଖାଇ ଦେଲା ନିଜକୁ ଏଥର
କିଛି ବି ବଳକା ରହିଲା ନାହିଁ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Sunday, April 22, 2018

ନିଖିଳ ଓଡ଼ିଶାର ଛାତ୍ର ସମ୍ମିଳନୀ

ଗୋପବନ୍ଧୁ ଦାଶ


ପ୍ରଥମ ବିଶ୍ୱଯୁଦ୍ଧର ଭାରତୀୟ ଯୋଦ୍ଧାଙ୍କ ପାଇଁ ସ୍ମୃତିସ୍ତମ୍ଭ
ପଣ୍ଡିଚେରୀ ଠାରେ ସ୍ଥିତ (ୱିକିମିମିଡିଆ କମନ୍ସ୍)

ଗତ ଅପ୍ରେଲ ମାସରେ ଉତ୍କଳ ସମ୍ମିଳନୀ ଅଧବେଶନ ସଙ୍ଗେ ସଙ୍ଗେ କଟକରେ ନିଖିଳ ଓଡିଶାର ଛାତ୍ର ସମ୍ମିଳନୀ ଅଧିବେଶନ ହୋଇଥିଲା । ପୁରୀର ସୁପରିଚିତ ଶ୍ରଦ୍ଧେୟ ବାବୁ ଜଗବନ୍ଧୁ ସିଂହ ସଭାପତି ହୋଇଥିଲେ । ଏ ଅନୁଷ୍ଟାନର ନାମ କାର୍ଯ୍ୟତଃ ଯଥାର୍ଥରେ ଏଥର ସାର୍ଥକ ହୋଇଅଛି । ଛାତ୍ରମାନଙ୍କ ମଧ୍ୟରେ ପୂର୍ବବର୍ଷମାନଙ୍କ ପରି କୌଣସି ପ୍ରକାର ଭେଦବାଦ ଦଳଗତ ମତାନ୍ତର ବା ଅନୈକ୍ୟ ଅଧିବେଶନରେ ଦେଖାଯାଇ ନଥିଲା । ଆଗରୁ ଯେ କେତେକ ସ୍ୱତନ୍ତ୍ର ଅନୁଷ୍ଠାନ ଥିଲା, ସେ ସବୁ ଏହି ସମ୍ମିଳନୀର ଅନ୍ତର୍ଭୁକ୍ତ ହୋଇଥିଲା । ଓଡିଆଭାଷୀ ପ୍ରଦେଶର ଯେ କୌଣସି ଛାତ୍ର ବର୍ଣ୍ଣଧର୍ମଜାତି ନିର୍ବିଶେଷରେ ଏହି ସମ୍ମିଳନୀର ସଭ୍ୟ ହୋଇପାରିବେ । ଏହାଦ୍ୱାରା ଯୁବକମାନଙ୍କ ହୃଦୟରେ ବିଦ୍ୟାଳୟରୁ ଓଡ଼ିଆଭାଷୀ ଅଞ୍ଚଳର ଏକତ୍ୱ ସମ୍ୱନ୍ଧେ ଦୃଢ଼ ଧାରଣା ଓ ପ୍ରବଳ ଆକାଂକ୍ଷା ଯେ ଜାଗ୍ରତ ହେଉଅଛି ଏହା ବୋଲିବା ବାହୁଲ୍ୟ । ମାତ୍ର ଏହା ବୋଲି ଛାତ୍ର ସମ୍ମିଳନୀ ଅବଶ୍ୟ ରାଜନୈତିକ ଆନ୍ଦୋଳନ ନୁହେଁ । ନିଖିଳ ଉତ୍କଳର ଛାତ୍ରମାନଙ୍କ ମଧ୍ୟରେ ସ୍ନେହ ସୌନ୍ଦର୍ଯ୍ୟ ଏବଂ ଏକତା ଜନ୍ମାଇବା ଏହାର ମୁଖ୍ୟ କାର୍ଯ୍ୟ । ଏଥର ଅଧିବେଶନରେ ସମ୍ମିଳନୀର ଗଠନ ଏବଂ କାର୍ଯ୍ୟ ନିର୍ବାଦ ନିମନ୍ତେ କେତେକ ନିୟମ ପ୍ରଣୟନ କରାଯାଇଅଛି । ଛାତ୍ରମାନଙ୍କ ଛଡ଼ା ସ୍କୁଲ କଲେଜ ଶିକ୍ଷକ ଓ ଅଧ୍ୟାପକ ଏବଂ ବାହାରେ କେତେକ ଶିକ୍ଷାନୁରାଗୀ ବ୍ୟକ୍ତି କାର୍ଯ୍ୟନିର୍ବାହିକା ସଭାରେ ନିଆଯାଇ ଅଛନ୍ତି । ସ୍ଥୁଳରେ ଛାତ୍ର ସମ୍ମିଳନୀର ଉଦାରତା ଏବଂ ସାମ୍ୟବାଦ ନୀତି ଅତୀବ ପ୍ରଶଂସନୀୟ ।

ଆଜକୁ ପ୍ରାୟ ବାର ବର୍ଷ ପୂର୍ବ ଛାତ୍ରମାନଙ୍କ ଦ୍ୱାରା କଟକରେ ଉତ୍କଳ ଯୁବକ ସମିତି ଗଠିତ ହୋଇଥିଲା । ପ୍ରଥମ ତିନି ଚାରି ବର୍ଷ ଏହାଦ୍ୱାରା କେତେଗୁଡ଼ିଏ ଦେଶହିତକର ସାଧାରଣ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ମାତ୍ର ନାନା ଘଟଣା ପ୍ରବାହରେ ଏହାର ମୌଳିକ ସ୍ୱାତନ୍ତ୍ର୍ୟ ଓ ସ୍ୱାଧୀନତା ରହି ପାରିଲା ନାହିଁ । ଏହା କଲେଜରେ ଏକ ନୀରସ ଆଲୋଚନା ସମିତିରେ ପରିଣତ ହେଲା । ଓଡ଼ିଶାର ନାନା ସ୍ଥାନରେ ଏହାର ଶାଖା ସମିତିମାନ ସ୍ଥାପିତ ହୋଇଥିଲା । ମାତ୍ର କେନ୍ଦ୍ର ସମିତିର ତିରୋଧାନ ସେଗୁଡି଼କ କ୍ରମେ ଅନୁସାରଣ କଲେ ସମସ୍ତେ ଅକୁଣ୍ଠିତ ଚିତ୍ତରେ ସ୍ୱୀକାର କରିବେ । ଆମ୍ଭମାନଙ୍କର ଧାରଣା ଯେଡ଼େ ସାମାନ୍ୟ ଏବଂ ସ୍ୱଳ୍ପକାଳ ସ୍ଥାୟୀ ହେଲେ ସୁଦ୍ଧାକୌଣସି ସଦନୁଷ୍ଠାନ ଏକାବେଳକେ ଧ୍ୱଂସ ପାଏ ନାହିଁ ଏହା ଭାଙ୍ଗିଗଲେ ପୁଣି ନୂତନ ଓ ଉନ୍ନତତର ଆକାରରେ ଅନ୍ୟ ଅନୁଷ୍ଠାନର ସୂତ୍ରପାତ ହୁଏ । ପୂର୍ବ ଅନୁଷ୍ଠାନ ଏହି ପରବର୍ତ୍ତୀ ଅନୁଷ୍ଠାନ ନିୟାମକ ଏବଂ ପଥ ପ୍ରଦର୍ଶକ ।

ନିଖିଳ ଓଡ଼ିଶାର ଛାତ୍ରସମ୍ମିଳନୀ ଛ' ବର୍ଷ ହେଲା ହୋଇଥିଲା ସୁଦ୍ଧା ଏ ପର୍ଯ୍ୟନ୍ତ ତାହାର ମୂଳଭିତ୍ତି ଦୃଢ଼ ହୋଇନଥିଲା । ଏ ପର୍ଯ୍ୟନ୍ତ ଏହା ସାର୍ବଜନୀନ ଆଦର ଓ ସହାନୁଭୂତି ପାଇ ନଥିଲା । ବ୍ୟକ୍ତିଗତ ଅହଙ୍କାର ବିବାଦ ବିଦ୍ୱେଷରେ ଏହା କଳୁଷିତ ହୋଇଥିଲା । ଯଥାର୍ଥାରେ ଏହି ବର୍ଷ କଟକରେ ଏହାର ପ୍ରାଣ ପ୍ରତିଷ୍ଠା ହୋଇଅଛି । ଉତ୍କଳ ଯୁବକ ସମିତି ପ୍ରାରମ୍ଭରେ କେନ୍ଦ୍ରାପଡ଼ା ଯାଜପୁରର ଦୁର୍ଭିକ୍ଷରେ ସାହାର୍ଯ୍ୟ କରି କଠିନ ସାଧନାରେ ପ୍ରାଣ ପ୍ରତିଷ୍ଠା କରିଥିଲେ । ନିଖିଳ ଓଡିଶାର ଛାତ୍ର ସମ୍ମିଳନୀ ମଧ୍ୟ ବର୍ତ୍ତମାନ ସେହିପରି ଗୁରୁତର ସାଧନାର ସମ୍ମୁଖୀନ । ଦେଶବ୍ୟାପୀ ଭୀଷଣ ଦୁର୍ଭିକ୍ଷରେ ଯଥା ସାଧ୍ୟ ସାହାଯ୍ୟ କରିବା ନିମନ୍ତେ ସ୍ଥାନେ ସ୍ଥାନେ ଛାତ୍ର ସମାଜ ଆଜି ବଦ୍ଧପରିକର ହୋଇଅଛନ୍ତି । ଛାତ୍ରମାନଙ୍କର ଅର୍ଥବଳ ନାହିଁ । ଆପାଣାର ଶକ୍ତିସମୟ ଓ ଜୀବନକୁ ଦେଶବାସୀଙ୍କ କାର୍ଯ୍ୟରେ ଲଗାଇବା ନିମନ୍ତେ ଅଛି କେବଳ ପ୍ରବଳ ଆକାଂକ୍ଷା । ଏ ପବିତ୍ର ଆକାଂକ୍ଷା ଚରିତାର୍ଥ କରିବାରେ ଦେଶବାସୀ ସେମାନଙ୍କର ସହାୟ ନ ହେଲେ ସେମାନଙ୍କର ଆଉ ଚାରା କଅଣ ?

ଏବ ର୍ଷ ଛାତ୍ର ସମ୍ମିଳନୀ କେତେଗୁଡିଏ କାର୍ଯ୍ୟର ପ୍ରସ୍ତାବ କରିଅଛନ୍ତି । ତାହିଁ ମଧ୍ୟରୁ ଦୁଇଟି ମୁଖ୍ୟ ଓଡିଶାର ଶିକ୍ଷା କେନ୍ଦ୍ର କଟକରେ ଏକ ସାଧାରଣ ପାଠାଗାର ସ୍ଥାପନ ଏବଂ ସାମରିକ ଶିକ୍ଷାରେ ଛାତ୍ରମାନଙ୍କର ଯୋଗଦାନ । ଆମ୍ଭେମାନେ ଦୁଇ ପ୍ରସ୍ତାବକୁ ଅନ୍ତରରେ ସହିତ ସମର୍ଥନ କରୁଅଛୁଁ । କଟକରେ ଏକ ସାଧାରଣ ପାଠାଗାରର ଅଭାବ ବହୁ ଦିନ ହେଲା ଅନେକେ ଉପଲବ୍‌ଧି କରୁଅଛନ୍ତି । ସ୍କୁଲ କଲେଜ ଛଡ଼ା ଏପରି କୌଣସି ସ୍ଥାନ ନାହିଁ ଯେଉଁଠାରେ ବୟସ୍କ ଛାତ୍ରମାନେ ସ୍ୱଚ୍ଛନ୍ଦରେ ମିଳିମିଶି ଜ୍ଞାନ ଆଲୋଚନା ସଦାଳାପବା ଅନ୍ୟ କୌଣସି ପ୍ରକାର ନିର୍ଦ୍ଦୋଷ ଅଥଚ ସରସ ଆମୋଦରେ ବିଶ୍ରାମ ସମୟ କଟାଇ ପାରିବେ । ଅନ୍ୟାନ୍ୟ ବଡ଼ବଡ଼ ସହରରେ ଏପରି ବହୁ ଅନୁଷ୍ଠାନ ରହିଅଛି । ଏହି ଅନୁଷ୍ଠାନମାନ ଛାତ୍ରମାନଙ୍କର ଜ୍ଞାନର ସ୍ୱଚ୍ଛନ୍ଦ ସମ୍ପ୍ରସାରଣରେ ବହୁ ସାହାଯ୍ୟ କରେ । କେତେ ସୂତ୍ରରେ କେତେ ଉପାୟରେ ଆଜିକାଲି ଯେ ସଭ୍ୟଦେଶମାନଙ୍କରେ ଜ୍ଞାନର ବିକିରଣ ହେଉଅଛିତହିଁର ଇୟତ୍ତା ନାହିଁ । ଓଡିଶାରେ ଏବେ ସ୍କୁଲ କଲେଜ ସଂଖ୍ୟା ଯଥେଷ୍ଟ ନୁହେଁ ପୁଣି ତାହା ଛଡ଼ା ଜ୍ଞାନ ପ୍ରସାରର ଅନ୍ୟ କୌଣସି ପ୍ରକାରର ପନ୍ଥାନାହିଁ । ଏଥିରେ ଆମ୍ଭମାନଙ୍କ ଛାତ୍ରମାନେ ଅନ୍ୟାନ୍ୟ ପ୍ରଦେଶର ଛାତ୍ରମାନଙ୍କ ପରି ଉନ୍ନତି ନ ଦେଖାଇ ପାରିବା ତ ଆଶ୍ଚର୍ଯ୍ୟ ନୁହେଁ । ଛାତ୍ର ସମ୍ମିଳନୀ ଛାତ୍ର ସମାଜର ଏ ଅଭାବ ହୃଦୟଙ୍ଗମ କରିବା ଅତ୍ୟନ୍ତ ଆଶାର ବିଷୟ । ମାତ୍ର ସାଧାରଣଙ୍କର ଆର୍ଥିକ ସାହାଯ୍ୟ ବିନା ଏ ଉଦ୍ୟମ କେବଳ ପ୍ରସ୍ତାବରେ ପର୍ଯ୍ୟବସିତ ହେବ ।

ସାମରିକ ଶିକ୍ଷା ସମ୍ୱନ୍ଧୀୟ ପ୍ରସ୍ତାବରେ ଛାତ୍ରମାନେ ସାଧାରଣ ସାହାଯ୍ୟ ଉପରେ ନିର୍ଭର କରିବା ପ୍ରୟୋଜନ ନାହିଁ । ପ୍ରତ୍ୟେକ ବ୍ୟକ୍ତି ପକ୍ଷରେ ସାମରିକ ଶିକ୍ଷା ଯେ ଆବଶ୍ୟକ ଏହା ଭାରତୀୟ ରାଜନୈତିକ ନେତାମାନେ ବହୁ କାଳ ହେଲା ସରକାରଙ୍କୁ କହି ଆସୁଥିଲେ ସୁଦ୍ଧା ଇଂରାଜୀ ଗଭର୍ଣ୍ଣମେଣ୍ଟ ତହିଁରେ କର୍ଣ୍ଣପାତ କରି ନ ଥିଲେ । ଇଉରୋପର ମହାଯୁଦ୍ଧରେ ଏ ଆବଶ୍ୟକତା ବିଶେଷ ଭାବରେ ଅନୁଭୂତ ହୋଇଅଛି । ଇଂଲଣ୍ଡଜର୍ମାନୀଫ୍ରାନ୍‌ସ ପ୍ରଭୃତି ଦେଶର କେତେ ପ୍ରତିଭାଶାଳୀ ଯୁବକ ଜାତୀୟ ସମ୍ମାନ ରକ୍ଷା ନିମନ୍ତେ ଶିକ୍ଷା ପ୍ରକୋଷ୍ଠ ଛାଡ଼ି ଭୀଷଣ ସମରପ୍ରାଙ୍ଗଣରେ ଅବତୀର୍ଣ୍ଣ ହୋଇଥିଲେ ତାହାର ସଙ୍ଖ୍ୟା ନାହିଁ । ସେମାନଙ୍କର ମଧ୍ୟରୁ ଅନେକେ ପିତା ମାତା ପରିବାରବର୍ଗଙ୍କୁ ଚିରଦିନ ଲାଗି ଶୋକସାଗରରେ ଭସାଇ ସ୍ୱର୍ଗରାଜ୍ୟକୁ ପ୍ରୟାଣ କରିଅଛନ୍ତିଆଉ କେତେକ ହୁଏତ ଚିରଜୀବନ ଅକର୍ମଣ୍ୟ ହୋଇଅଛନ୍ତିକେହି ବିଜୟ ଗୌରବରେ ଅଳଙ୍କୃତ ହୋଇ ଫେରି ଅଛନ୍ତି । ସେ ଯାହା ହେଉ ଏ ଯୁବକମାନଙ୍କର ଆତ୍ମୋତ୍ସର୍ଗ ଜାତୀୟ ଉନ୍ନତିର ପ୍ରକୃଷ୍ଟ ଉପାଦାନ । ଆତ୍ମାରକ୍ଷା କରିବାର ଯାହାର ଶକ୍ତି ନାହିଁ ସେ ମନୁ‌ଷ୍ୟ ନୁହେଁ । ସେହିପରି ଅନ୍ୟର ଆକ୍ରମଣରୁ ରକ୍ଷା ପାଇବା ନିମନ୍ତେ ଯେଉଁ ଜାତିର ସମ୍ୱଳ ବା ସାମର୍ଥ୍ୟ ନାହିଁ ସେ ଜାତି ନୁହେଁ । ଆମ୍ଭେମାନେ ଜାତୀୟ ଜୀବନର ଯେତେ ଆସ୍ଫାଳନ କରେ ପଛକେ ଆତ୍ମରକ୍ଷା କରିବା ଲାଗି ସକ୍ଷମ ନ ହେବା ଯାଏ ଭାରତବାସୀ ଜାତି ବୋଲି କଦାପି ପରିଗଣିତ ହେବେ ନାହିଁ । ଇଂରେଜ ସରକାର ବର୍ତ୍ତମାନ ଯୁଦ୍ଧ ଶିକ୍ଷା ଲାଗି ଭାରତୀୟ ଯୁବକମାନଙ୍କୁ କେତେକ ସୁବିଧା ଦେବାର ଆଶା ଦେଖାଯାଉଅଛି । ଏହା ଭାରତ ପକ୍ଷରେ ତଥା ବ୍ରିଟିଶ ସାମ୍ରାଜ୍ୟ ପକ୍ଷେ ଅଶେଷ କଲ୍ୟାଣକର ହେବ । ଏ ସୁଯୋଗ ଛାଡ଼ିବା ଆମ୍ଭମାନଙ୍କ ପକ୍ଷେ ନିତାନ୍ତ ଅଦୂରଦର୍ଶିତା ହେବା । ମଧ୍ୟ ଇଂରେଜ ସରକାର ଅକୁଣ୍ଠିତ ଭାବରେ ଶୀଘ୍ର ଭାରତୀୟ ଯୁବକମାନଙ୍କ ମଧ୍ୟରେ ସାମରିକ ଶିକ୍ଷା ବିସ୍ତାରର ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡ଼ିବା ବିଚିତ୍ର ନୁହେଁ । ଭାରତୀୟ ଯୁବକମାନଙ୍କର ଅସ୍ତ୍ରଶସ୍ତ୍ର ଶିକ୍ଷା ଲାଗି ଏ ଦେଶର ପ୍ରତ୍ୟେକ ପ୍ରଦେଶରେ କଲେଜ ସ୍ଥାପନ ବର୍ତ୍ତମାନ ଆବଶ୍ୟକ ହୋଇଅଛି । ଆମ୍ଭମାନଙ୍କର ଆଶା ଏଭଳି କଲେଜ ଅନ୍ତତଃ ଦୁଇ ଏକ ପ୍ରଧାନ କେନ୍ଦ୍ର ସ୍ଥାନରେ ଶୀଘ୍ର ବସିବ । ସେଥିରେ ପ୍ରବେଶ କରିବା ଲାଗି ଉତ୍କଳୀୟ ଯୁବକ ଆଗହିଁ ପ୍ରସ୍ତୁତ ହୁଅ । ଯଥା ସମୟରେ କାର୍ଯ୍ୟ କ୍ଷେତ୍ରରେ ଅବତୀର୍ଣ୍ଣ ନ ହୋଇ ଓଡ଼ିଶା ସକଳ ବିଷୟରେ ପଶ୍ଚାତ୍‌ପଦ ହୋଇ ପଡ଼ିଅଛି । ଏଣିକି ପ୍ରତ୍ୟେକ କାର୍ଯ୍ୟରେ ଆଗଭର ହେବା ଦରକାର । 'ନ ସାହସ ମନାରୁହ୍ୟ ନରୋ ଭଦ୍ରାଣି ପଶ୍ୟତି', ଏହି ସାଧାରଣ ପ୍ରାଚୀନ ପ୍ରବଚନକୁ ଆମ୍ଭମାନଙ୍କର ସର୍ବଦା ମନେ ରଖିବା ଉଚିତ ।

ବିହାର ଛାତ୍ର ସମ୍ମିଳନ ଉତ୍କଳ ଯୁବକ ସମତିର ସମସାମୟିକ । ଏହା ବାର ବର୍ଷର ଅନୁଷ୍ଠାନ ମାତ୍ର । ମାତ୍ର କାର୍ଯ୍ୟ ଶୃଙ୍ଖଳା ଏବଂ କର୍ମଠତା ଯୋଗୁଁ ଏହି ଅଳ୍ପ ସମୟ ମଧ୍ୟରେ ଏହା ବିହାର ଛାତ୍ର ସମାଜର ଏକ ସୁପରିଚାଳିତ ଶକ୍ତିଶାଳୀ ଦଳଗତ ଉଦ୍ୟମରେ ପରିଣତ ହୋଇଅଛି । ଏହି ସମ୍ମିଳନୀ କି ପ୍ରାଦେଶିକ ଭିତ୍ତି ଉପରେ ସ୍ଥାପନ କରିବା ବିହାରୀ ଛାତ୍ରମାନଙ୍କର ଏକାନ୍ତ ଇଚ୍ଛା । ସୁତରାଂ ସେମାନେ ଏଥିରେ ଓଡିଶାର ଛାତ୍ରମାନଙ୍କର ସହଯୋଗିତା ଏବଂ ସାହଚର୍ଯ୍ୟ ଲୋଡ଼ନ୍ତି । ଆମ୍ଭେମାନେ ବରାବର କହୁ ନିଜର ସ୍ୱାତନ୍ତ୍ର୍ୟ ରଖି ଓଡିଆମାନେ ଯେତେ ବିସ୍ତୀର୍ଣ୍ଣ ଉଦାର କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପାଆନ୍ତି ତେତେ ଶ୍ରେୟ । ବିହାର ଛାତ୍ର ସମାଜର ଆହ୍ୱାନ ଉତ୍କଳ ଛାତ୍ର ସମ୍ମିଳନୀ କଦାପି ଉପେକ୍ଷା କରିବେ ନାହିଁ, ଏହା ଆମ୍ଭେମାନେ ଆଶା କରୁଁ । ମାନ୍ଦ୍ରାଜ ଏବଂ ବମ୍ୱେଇ ପ୍ରଦେଶରେ ଛାତ୍ରମାନଙ୍କର ଏକ ମହାସମ୍ମିଳନୀର ପ୍ରସ୍ତାବ କରନ୍ତି । ବର୍ତ୍ତମାନ ସମସ୍ତଙ୍କ ମନକୁ ମହାଭାରତୀୟ ଭାବ ଯାଇଅଛି । କ୍ରମେ ଏ ଭାବ ପରିପୁଷ୍ଟ ହେଉଅଛି । ଆମ୍ଭମାନଙ୍କର ପ୍ରାଚୀନ ପୁଣ୍ୟ ପର୍ବ ଆଦି ନାନାବିଧ ଧର୍ମ ଏବଂ ସମାଜଗତ ବିଧାନ ଓ ଅନୁଷ୍ଠାନଦ୍ୱାରା ଯେଉଁ ମହାଭାରତଭାବ ହୃଦୟରେ ଜୀବିତ ଥିଲା ଇଂରେଜ ଶାସନର ନାନା ରାଷ୍ଟ୍ରୀୟ କ୍ରିୟା ଦ୍ୱାରା ତାହା ଅଧିକ ଜାଗ୍ରତ ହେଉଅଛି । ମହାଭାରତ ଛାତ୍ର ସମ୍ମିଳନୀ କାର୍ଯ୍ୟରେ ପରିଣତ ହେଲେ ଭାରତ ଜାତୀୟତାର ଭବିଷ୍ୟତ ବହୁ ପରିମାଣରେ ଉଜ୍ଜ୍ୱଳ ଏବଂ ସୁନିଶ୍ଚିତ ହେବ । ଉତ୍କଳୀୟ ଛାତ୍ରମାନେ ଏହି ମହାମିଳନରେ ଯଥୋଚିତ ସ୍ଥାନ ଏବଂ ଅଧିକାର ପଇବାର ଦେଖିଲେ ଆମ୍ଭେମାନେ କୃତକୃତ୍ୟ ହେବୁ ।

(ସତ୍ୟବାଦୀ-୧୯୧୮)

Friday, April 20, 2018

କ୍ଲଦ୍ ଲେଭି-ସ୍ତ୍ରସ୍‌ଙ୍କର "ଆଦିମ" ଚିନ୍ତା ଓ "ସଭ୍ୟ" ମନ

ଅନୁବାଦ - ଜ୍ୟୋତି ନନ୍ଦ


୨୦୦୫ ମସିହାରେ ଉତ୍ତୋଳିତ କ୍ଲଦ୍ ଲେଭି-ସ୍ତ୍ରସ୍‌ଙ୍କର ଚିତ୍ର (ୱିକିମିଡିଆ କମନ୍ସ୍)

ସେମାନଙ୍କୁ ଆମେ ସାଧାରଣତଃ ଆଉ ଭୁଲରେ କହିଥାଉ 'ଆଦିମ' ମଣିଷ । (ସେମାନେ ଲେଖି ପାରନ୍ତି ନାହିଁ ବୋଲି ସେମାନଙ୍କୁ ସଂସାରରେ କେବଳ ଡକା ଯାଇଥାଏ ଆଉ ଏଇ ଲେଖିବା କାମଟିର ଫରକ୍ ରହିଛି ତାଙ୍କର ଆଉ ଆମ ଭିତରେ।ସେମାନଙ୍କୁ ସାଧାରଣତଃ ଯେଉଁ ଦୁଇଟି ଭାବରେ ବର୍ଣ୍ଣନା କରାଯାଇଥାଏ, ସେଇ ଦୁଇଟିରୁ କେଉଁ ଗୋଟିକ ବି ମୋ ମତରେ ଠିକ୍ ନୁହଁ । ପ୍ରଥମ ଧାରା ଅନୁସାରେସେମାନଙ୍କର ଭାବନାର ଧରଣଟି ବେଶ୍ ସ୍ଥୁଳ । ସମସାମୟିକ ନୃତତ୍ତ୍ୱରେ ଏଇ ଧାରାର ପ୍ରବକ୍ତାଙ୍କ ଭିତରୁ ଯାହାଙ୍କର ନାଆଁ ମୋ ମନକୁ ଆସୁଛି, ସେ ହେଲେ ମାଲିନୋସ୍କି । ଏହା ସହିତ ମାଲିନୋସ୍କି ମୁଁ ମୋର ଶ୍ରଦ୍ଧା ଜଣାଇବାକୁ ଚାହିଁବି । ନିଃସନ୍ଦେହରେ ସେ ମହାନ ନୃତତ୍ତ୍ୱବିତ୍‌ମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ତାଙ୍କର ଅବଦାନକୁ ମୁଁ କୌଣସି ପ୍ରକାରରେ ବିଦୃପ କରୁନାହିଁ । ତଥାପି ଅସ୍ୱୀକାର କରିବାର ଉପାୟ ନାହିଁ ଯେ, ସେ ଯେଉଁ ଜନଗୋଷ୍ଠୀ ଉପରେ କାମ କରିଛନ୍ତି ସେମାନଙ୍କ ସହିତ ଆଉ ଯେଉଁ ସବୁ ଜନଗୋଷ୍ଠୀ ରହିଛନ୍ତି ଯାହାର କୌଣସି ଲିଖିତ ଭାଷା ନାହିଁସେ ସମସ୍ତଙ୍କର ବଞ୍ଚି ରହିବାଟା ଏକାନ୍ତ ଭାବରେ ହିଁ ମୌଳିକ ଜୈବିକ ଚାହିଦା ଉପରେ ନିର୍ଭରଶୀଳ ବୋଲି ସେ ମନେ କରନ୍ତି । ତାଙ୍କ ମତରେ କୌଣସି ଜନଗୋଷ୍ଠୀ ଏକାନ୍ତ ଜୈବ ଚାହିଦା ଯେପରି ଅନ୍ନ ସଂସ୍ଥାନ,ଯୌନ ତୃପ୍ତି ସମ୍ପାଦନ ଇତ୍ୟାଦି କେନ୍ଦ୍ରିକ ହେଲେ, ଜଣେ ତାହାର ସାମାଜିକ ପ୍ରତିଷ୍ଟାନମିଥୋଲଜି ଇତ୍ୟାଦି ଅନେକ କିଛିର ବ୍ୟାଖ୍ୟା କରି ପାରିବ । ନୃତତ୍ତ୍ୱରେ ବ୍ୟାପକ ଭାବରେ ପ୍ରଚଳିତ ଏହି ଧାରଣା ସାଧାରଣ ଭାବରେ ଫଙ୍କସନାଲିଜମ୍ ନାମରେ ପରିଚିତ ।

ଏ ସମ୍ପର୍କିତ ଅନ୍ୟ ଘରାନାର ଚିନ୍ତାଟି ହେଉଛିଏ ଧରଣର ଜନଗୋଷ୍ଠୀର ଭାବନାର ଧାରାଟି ଠିକ୍ ନିମ୍ନମାନର ନୁହେଁ, ତେବେ ମୂଳଗତ ଭାବେ ଭିନ୍ନ ପ୍ରକୃତିର । ଏହି ଘରାନା ଟି ଦେଖାଯାଏ, ଲେଭି ବୃହଲ୍‌ଙ୍କ ଲେଖାରେ । ତାଙ୍କ ମତରେ 'ଆଦିମ' ଚିନ୍ତା ସହିତ ଆଧୁନିକ ଚିନ୍ତାର ତଫାତ୍ ହେଉଛିପ୍ରଥମ ଧାରାଟିର ପ୍ରଧାନତମ ନିର୍ଣ୍ଣାୟକ ଆବେଗ ଏବଂ ଆଧ୍ୟାତ୍ମିକ ବା ମିଷ୍ଟିକ୍ ପ୍ରକାଶ । କହିବାକୁ ଗଲେ ମାଲିନୋସ୍କିଙ୍କ ତତ୍ତ୍ୱ ଉପଯୋଗବାଦୀ ଆଉ ଅନ୍ୟଟି ଆବେଗିକ ଧାରଣାର ପ୍ରବକ୍ତା । ମୁଁ ବରାବର ଜୋର୍ ଦେଇ ଯାହା କହିବାକୁ ଚେଷ୍ଟା କରିଛି, ତାହା ହେଉଛିଲେଖାବିହୀନ ଜନଗୋଷ୍ଠୀର ଭାବନା ଯଥେଷ୍ଟ ପରିମାଣରେ ନୈର୍ବ୍ୟକ୍ତିକ ହେବାକୁ ସକ୍ଷମଯାହା ମାଲିନୋସ୍କିଙ୍କ ଧାରଣାର ବିପରୀତ । ଅନ୍ୟ ପକ୍ଷରେ ସେମାନଙ୍କର ଧାରଣା ବୁଦ୍ଧିବୃତ୍ତିକ ହେବାକୁ ସକ୍ଷମଯାହା ଲେଭି ବ୍ରୁହଲ୍‌ଙ୍କ ଧାରଣାର ବି ବିପରୀତ ।

'ଟୋଟେମିଜମ୍' ଏବଂ 'ଦି ସାଭେଜ ମାଇଣ୍ଡ' ବହି ଦୁଇଟିରେ ମୁଁ ଦେଖାଇବାକୁ ଚାହିଁଛି ଯେ, ଏହି ସବୁ ଜନଗୋଷ୍ଠୀ ଯେଉଁମାନଙ୍କୁ ଆମେ ପୁରାପୁରି ଜୈବିକ ପ୍ରୟୋଜନକ୍ଷୁଧା ନିବୃତ୍ତି ଏବଂ କଠୋର ପାରିପାର୍ଶ୍ୱିକ ଜୀବନ ରକ୍ଷା କରିବାର ନିରନ୍ତର ପ୍ରଚେଷ୍ଟାର ଅଧୀନ ବୋଲି ମନେ କରୁଛେ, ସେମାନେ ବି ଚମତ୍କାର ନୈର୍ବ୍ୟକ୍ତିକ ଚିନ୍ତାର ଅଧିକାରୀ ହୋଇ ପାରନ୍ତି । ଏହାର ଅର୍ଥ ଏହିପରି ହେବ ଯେ,ଚାରିପଟର ଜଗତଏଇ ପ୍ରକୃତି ଓ ନିଜର ସମାଜକୁ ବୁଝିବାର ପ୍ରେରଣା ସେମାନଙ୍କର ପାଖରେ ଖୁବ୍ ଭଲ ଭାବରେ ରହିଛି । ଅନ୍ୟ ଦିଗରେ ଏଇ ଅଭୀଷ୍ଟଟି ଅର୍ଜନ ପାଇଁ ସେମାନେ ଦାର୍ଶନିକ ଭଳି ବା ବେଳେବେଳେ କେଉଁଠି ଜଣେ ବୈଜ୍ଞାନିକ ଭଳି ବୁଦ୍ଧିବୃତ୍ତିକ ଉପାୟରେ ଅଗ୍ରସର ହୋଇଥାନ୍ତି ।

ଏହା ମୋର ମୂଳ ପ୍ରସ୍ତାବନା ।


କ୍ଲଦ୍ ଲେଭି-ସ୍ତ୍ରସ୍‌ଙ୍କର ବହି ଦି ସ୍ୟାଭେଜ ମାଇଣ୍ଡର
ପ୍ରଥମ ସଂସ୍କରଣର ଚିତ୍ର (ୱିକିମିଡିଆ କମନ୍ସ୍) 

ଏଇ ସୁଯୋଗରେ ମୁଁ ଗୋଟିଏ ଭୁଲ ବୁଝାମଣାକୁ ଦୂର କରିଦେବାକୁ ଚାହିଁବି । କୌଣସି ଗୋଟିଏ ଭାବନାକୁ ନୈର୍ବ୍ୟକ୍ତିକ ଏବଂ ବୁଦ୍ଧିବୃତ୍ତିକ ଚିନ୍ତା ବୋଲି କହିବାର ମାନେ ତାହାକୁ ବୈଜ୍ଞାନିକ ଭାବନା ହିସାବରେ ସ୍ୱୀକୃତି ଦେବା ନୁହଁ । ଏଇ ଧରଣର ଚିନ୍ତା ଯେ ଭିନ୍ନ ତାହା ଗୋଟିଏ କାରଣ ଆଉ ଏହାର ଗୌଣତାର କାରଣ ଆଉ ଗୋଟିଏ । ଏଇ ଚିନ୍ତାର ଭିନ୍ନତାର କାରଣ ଏହା ଯେ, ଏହି ଚିନ୍ତା ସବୁଠାରୁ ସହଜ ଓ ସଂକ୍ଷିପ୍ତ ବାଟରେ ମହାଜାଗତିକ ସତ୍ୟର ସ୍ୱରୂପକୁ ବୁଝିବାକୁ ଚାହେଁଖାଲି ବୁଝିବାକୁ ଚାହେଁ ନୁହଁ ସାମଗ୍ରିକ ଭାବରେ ବୁଝିବାକୁ ଚାହେଁ । ଏଇଟି ଏମିତି ଗୋଟିଏ ଧରଣର ଚିନ୍ତା ଯାହାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଇଙ୍ଗିତ ଏଇ ଭଳି ଯେ, ସବୁ କିଛି ବୁଝି ନ ପାରିଲେ ଆପଣ କିଛି ହେଲେ ବ୍ୟାଖ୍ୟା କରି ପାରିବେ ନାହିଁ । ଏହା ସାଧାରଣତଃ ବୈଜ୍ଞାନିକ ଚିନ୍ତା ଯାହା କରିଥାଏ, ତାହାର ପୂରା ବିପରୀତ । ବୈଜ୍ଞାନିକ ଚିନ୍ତା ପାଦେ ପାଦେ ଆଗାଏଗୋଟିଏ ସୀମିତ ଓ ସାମାନ୍ୟ ଘଟଣାର ବ୍ୟାଖ୍ୟା ଦେବାପାଇଁ ଚେଷ୍ଟା କରିଥାଏ ଓ ତାହା ପରେ ପରବର୍ତ୍ତି ଘଟଣା ଆଡକୁ ଯାଇଥାଏ । ଠିକ୍ ଯେମିତି ଦେକାର୍ତେ କହିଥିଲେବୈଜ୍ଞାନିକ ଚିନ୍ତା କୌଣସି ସମସ୍ୟାକୁ ବ୍ୟାଖ୍ୟା କରିବା ପାଇଁ ସମସ୍ୟାଟିକୁ ଯେତିକି ସମ୍ଭବ ହେବ ସେତିକି ପ୍ରକାରର ଛୋଟ ଛୋଟ ଅଂଶରେ ଏହାକୁ ଭାଗ କରି ନେଇଥାଏ ।

ଫଳସ୍ୱରୂପ ଆଦିମ ମନନରେ ସାମଗ୍ରିକତାର ଏଇ ଆକାଂକ୍ଷା ବୈଜ୍ଞାନିକ ଚିନ୍ତାର ପ୍ରକ୍ରିୟା ଠାରୁ ଅଲଗା । ସବୁଠୁ ବଡ ତଫାତ୍ ଅବଶ୍ୟ ଏଇ ଆକାଂକ୍ଷା କେବେହେଲେ ତୃପ୍ତ ହୁଏ ନାହିଁ । ବୈଜ୍ଞାନିକ ପ୍ରକ୍ରିୟାରେ ଚିନ୍ତା ଆମକୁ ପ୍ରକୃତି ଉପରେ ପ୍ରଭୂତ୍ୱ ବିସ୍ତାର ପାଇଁ ସାହାଯ୍ୟ କରିଛି, ତାହା ଯଥେଷ୍ଠ ସ୍ପଷ୍ଟ ବୋଲି କୌଣସି ବ୍ୟାଖ୍ୟାର ଆବଶ୍ୟକ ନାହିଁ । ଅନ୍ୟ ପକ୍ଷରେ ମିଥ୍ ମଣିଷକୁ ପରିବେଶର ଉପରେ ବସ୍ତୁଗତ ଅଧିକାର ଦେବାକୁ ଅପାରଗ । ତେବେ ମିଥ୍ ମଣିଷକୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଭ୍ରମଟି ଦେଇଥାଏ ତାହା ହେଉଛି, ସେ ଅର୍ଥାତ୍ ମଣିଷ ବିଶ୍ୱପ୍ରକୃତିକୁ ବୁଝିବାକୁ ସକ୍ଷମ । ତାହା କହିବାକୁ ଗଲେ ବିଭ୍ରମଟିଏ,ସତ ନୁହେଁ ।

ଏହି ପ୍ରସଙ୍ଗରେ ଆମର ମନେ ରଖିବା ଦରକାର ଯେ, ବୈଜ୍ଞାନିକ ପଦ୍ଧତିରେ ଚିନ୍ତା କରିବାକୁ ଗଲା ବେଳେ ଆମେ ଆମର ମସ୍ତିଷ୍କର କ୍ଷମତାକୁ ଖୁବ୍ କମ୍ ବ୍ୟବହାର କରିଥାଉ । ଆମେ ସାଧାରଣତଃ ଆମର ଚିନ୍ତା କ୍ଷମତା ସେତିକି ବ୍ୟବହାର କରିଥାଉ, ଯେତିକି ଆମର ପେଶାବ୍ୟବସାୟ ବା ଆମର ସେହି ସମୟର ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଦରକାର ହୋଇଥାଏ । ଏହା ସହିତ ଆମେ ସମସ୍ତେ ଯେ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ଆଗ୍ରହୀ ହେବୁ, ଏମିତି ଆଶା କରିବା ଠିକ୍ ହେବନାହିଁତେଣୁ ଆମର ଯାହାର ଯେଉଁ ବିଷୟରେ ଆଗ୍ରହ, ସେହି ବିଷୟରେ ଆମେ ଆମର ମାନସିକ ଶକ୍ତିର ଏକ ନିର୍ଦ୍ଦିଷ୍ଟ ଅଂଶର ବ୍ୟବହାର କରିଥାଉ । ଆହୁରି ଏ କଥା କୁହାଯାଇ ପାରିବ ଯେ, ଯଦି ଜଣେ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ଦୀର୍ଘ ଦିନ ଧରି କାମ କରିଆସୁଥାଏ, ତେବେ ସେହି କ୍ଷେତ୍ରରେ ସେ ଅଭ୍ୟାସବଶତଃ ତାହାର ମାନସିକ ଶକ୍ତିର ଖୁବ୍ କମ୍ ଅଂଶ ବିନିଯୋଗ କରିଥାଏ ।

ଆଜିକାଲି ଦେଖିଲେ ଆମେ ଅତୀତ ଅପେକ୍ଷା କେତେବେଳେ କମ୍ ବା କେତେବେଳେ ବେଶି ମାନସିକ ଶକ୍ତିର ବ୍ୟବହାର କରିଥାଉଏବଂ ଆଗରୁ ଯେଉଁ ଧରଣର ମାନସିକ ଶକ୍ତି ଆମେମାନେ ବ୍ୟବହାର କରୁଥିଲୁ, ଏବେ ଆଜିକାଲିର ଯୁଗରେ ବ୍ୟବହୃତ ମାନସିକ ଶକ୍ତିର ପ୍ରକୃତି ସେଇଭଳି ରହିନାହିଁ । ଯେପରି,ଏବେ ଆମେମାନେ ଇନ୍ଦ୍ରିୟଜ ଧାରଣା ଅନେକ କମ୍ ବ୍ୟବହାର କରୁଛୁ । ମୁଁ ଯେତେବେଳେ 'ମିଥଲଜିକସ୍' ('ଇଣ୍ଟ୍ରୋଡକସନ୍ ଟୁ ଏ ସାଇନ୍ସ ଅଫ୍ ମିଥଲଜି'ଲେଖୁଥିଲି, ସେତେବେଳେ ଖୁବ୍ ରହସ୍ୟମୟ କଥାଟିଏ ମୋ ଆଖିରେ ପଡିଥିଲା । ମୁଁ ଏମିତି ଗୋଟିଏ ଜନଗୋଷ୍ଠୀର କଥା ଜାଣିବାକୁ ପାଇଥିଲି, ଯେଉଁମାନେ ପ୍ରଥମେ ସୂର୍ଯ୍ୟାଲୋକରେ ସନ୍ଧ୍ୟା ତାରା ଦେଖିପାରୁଥିଲେ । ମୋତେ କଥାଟି ବିଶ୍ୱାସଯୋଗ୍ୟ ଲାଗିଲା ନାହିଁ । ଯେତେବେଳେ ଏଇ କଥାଟିକୁ ମୁଁ ପେଶାଦାର ଜ୍ୟୋତିର୍ବିଦ ମାନଙ୍କ ପାଖକୁ ନେଲି, ସେମାନେ କହିଲେଶୁକ୍ର ଗ୍ରହରୁ ଦିନ ବେଳା ଯେତିକି ପରିମାଣର ଆଲୁଅ ପ୍ରତିଫଳିତ ହୋଇ ଆସେ, ସେଥିରେ ଆମେମାନେ ତାହାକୁ ଦେଖି ନ ପାରିଲେ ବି, କିଛି ଲୋକ ଯଦି ତାହାକୁ ଦେଖି ପାରୁଥାନ୍ତି, ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ପରେ ମୁଁ ଆମର ନିଜ ସଭ୍ୟତାର ଅନ୍ତର୍ଗତ ପ୍ରାଚୀନ ମଣିଷମାନଙ୍କର ନୌଯାତ୍ରାର ବିବରଣୀ ଘାଣ୍ଟି ଦେଖିଲି ଯେ, ସେତେବେଳର ନାବିକମାନେ ପ୍ରଖର ସୂର୍ଯ୍ୟାଲୋକରେ ଶୁକ୍ର ଗ୍ରହକୁ ବି ଦେଖିପାରୁଥିଲେ । ହୁଏତ ଏବେ ଆମେ ବି ସେମିତି ଦେଖି ପାରୁଥାଆନ୍ତୁ ଯଦି ଆମର ସେମିତି ଚର୍ଚ୍ଚା ଅବ୍ୟାହତ ହୋଇ ରହିଥାଆନ୍ତା ।

ଲେଭି-ସ୍ତ୍ରସ୍‌ଙ୍କର ଏକ ରେଖାଚିତ୍ର (ୱିକିମିଡିଆ କମନ୍ସ୍) 

ଗଛ ବା ପଶୁପକ୍ଷୀ ମାନଙ୍କର ବିଷୟରେ ଆମର ସେମିତି ସମାନ ଅବସ୍ଥା । ଯେଉଁ ସବୁ ଜନଗୋଷ୍ଠୀର ଲିଖିତ ଭାଷା ନାହିଁ ସେମାନେ ତାଙ୍କର ପରିବେଶ ଓ ସବୁ ପ୍ରାକୃତିକ ବିଷୟରେ ବିପୁଳ ଜ୍ଞାନର ଅଧିକାରୀ ହୋଇ ରହିଥାନ୍ତି । ଏହି ସବୁ ଜ୍ଞାନ ଆମେମାନେ ହରାଇ ବସିଛୁ ତେବେ ତାହା ବିନା କାରଣରେ ଘଟିନାହିଁ । ଏହା ବଦଳରେ ଆମେ ଏବେ ଦୁର୍ଘଟଣାରହିତ ବେଗରେ ଗାଡ଼ି ଚଲାଇପାରୁ ଅଥବା ସନ୍ଧ୍ୟାରେ ଟେଲିଭିଜନକୁ ବାଦ ଦେଇ ବସି ରହି ପାରୁଛୁ । ବିଷୟଟି ଗୋଟିଏ ପ୍ରକାର ମାନସିକ ସକ୍ଷମତାର ଆଭାସ ଦିଏ, ଯାହାର ପ୍ରୟୋଜନ 'ଦିମ' ମଣିଷର ନାହିଁ । ମୁଁ ଯାହା ଅନୁଭବ କରେ, 'ଆଦିମ' ମଣିଷର ଯେଉଁ ସାମର୍ଥ୍ୟ ରହିଛି ତାହାକୁ ସମ୍ବଳ କରି ସେମାନେ ନିଜ ନିଜର ଜୀବନର ମାନକୁ ଆମୂଳ ବଦଳାଇ ଦେଇ ପାରିବେକିନ୍ତୁ ଯେଉଁ ଧରଣର ଜୀବନ ସେମାନ ଯାପନ କରନ୍ତି ବା ପ୍ରକୃତି ସହ ସେମାନଙ୍କର ଯେଉଁ ସମ୍ପର୍କ, ସେଥିରେ ଏହି ସବୁର ଦରକାର ଆଦୌ ନାହିଁ । ସାମଗ୍ରିକ ଭାବରେ ମାନବ ଜାତିର ଯେଉଁ ମାନସିକ ସାମର୍ଥ୍ୟ ରହିଛି, ସେଇ ସବୁକୁ ଆପଣ ଏକା ଥରକରେ ପାଇ ପାରିବେ ନାହିଁ।ଆ ପ ଣ କେବଳ ମାତ୍ର ଗୋଟିଏ କ୍ଷୁଦ୍ର କ୍ଷେତ୍ର ବ୍ୟବହାର କରିପାରନ୍ତିଏବଂ ସଂସ୍କୃତିର ଫରକରେ ସେଇ କ୍ଷେତ୍ରଟି ଏକା ନୁହଁ । ଏଇଟି ସବୁଠୁ ବଡ କଥା । ନୃତାତ୍ତ୍ୱିକ ଗବେଷଣାରେ ଗୁରୁତ୍ୱପୂର୍ଣ୍ଣ ଉପସଂହାର ଗୁଡିକ ମଧ୍ୟରୁ ଗୋଟିଏ ସମ୍ଭବତଃ ଏହିପରି ଯେମାନବ ଜାତିର ବିଭିନ୍ନ ଅଂଶରେ ବିଭାଜିତ ସଂସ୍କୃତିର ଭିନ୍ନତା ସତ୍ତ୍ୱେ ମାନବମସ୍ତିଷ୍କ ସର୍ବତ୍ର ହିଁ ଏକ ଏବଂ ଏକା ଧରଣର ସାମର୍ଥ୍ୟର ଅଧିକାରୀ । ମୋର ମନେ ହୁଏ ଏଇ କଥାକୁ ସମସ୍ତେ ସ୍ୱୀକାର କରନ୍ତି ।

ପୃଥିବୀରେ ବିରାଜମାନ କରୁଥିବା ବିଭିନ୍ନ ସଂସ୍କୃତି ଖୁବ୍ ପଦ୍ଧତିଗତ ଭାବେ ବା ନିୟମମାଫିକ୍ ଜଣେ ଅନ୍ୟଠୁ କେଉଁ ପରି ଛୁଆଁ ହେବନି, ଯେମିତି ସେଇ କଥାକୁ ବଞ୍ଚାଇ ରଖି ନିଜର ସ୍ୱାତନ୍ତ୍ର୍ୟ ରକ୍ଷା କରିବାର ଚେଷ୍ଟା କରୁଛିଏଇ କଥା ମୋ ମନକୁ ପାଉ ନାହିଁ । ସତଟି ହେଉଛି ହଜାରହଜାର ବର୍ଷ ଯାଏଁ ପୃଥିବୀର ବୁକୁରେ ମଣିଷର ସଙ୍ଖ୍ୟା ଖୁବ୍ ବେଶି ନଥିଲା । ଛୋଟ ଛୋଟ ଗୋଷ୍ଠୀରେ ଭାଗ ହୋଇ ମଣିଷ ବିଭିନ୍ନ ଜାଗାରେ ଅନ୍ୟ ଜନଗୋଷ୍ଠୀ ଠାରୁ ବିଛିନ୍ନ ଅବସ୍ଥାରେ ବାସ କରୁଥିଲା । ଫଳରେ ସ୍ୱାଭାବିକ ଭାବେ ପ୍ରତ୍ୟେକର ତିଆରି ହୋଇଥିଲା ସ୍ୱତନ୍ତ୍ର ଜୀବନଧାରା । ଏପରି ହେବା ଯେ ସେମାନଙ୍କର ଲକ୍ଷ୍ୟ ଥିଲା ସେକଥା ନୁହଁ । ବରଂ ଏହା ଥିଲା ଇତିହାସରେ ଦୀର୍ଘ ସମୟ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ତାହାର ସ୍ୱାଭାବିକ ଫସଲ ।

ଏବେ ଏଇ ସ୍ୱାତନ୍ତ୍ର୍ୟର ଘଟଣାଟିକୁ ଆପଣମାନେ କ୍ଷତିକର ଭାବୁଛନ୍ତି କି ଗୋଷ୍ଠୀସମୂହର ସାଂସ୍କୃତିକ ଫରକକୁ ବାଦ୍ ଦେଇ ସମସ୍ତେ ଏକ ହୋଇଯିବାକୁ ହେବ ବୋଲି ମନେ କରନ୍ତିତାହା ମୋର ଅଭିପ୍ରେତ ନୁହଁ । ପ୍ରକୃତ କଥାଟି ହେଲା ଏଇ ଫରକଗୁଡିକ ଖୁବ୍ ଫଳଦାୟକ ଏଇ ଅର୍ଥରେ ଯେ, ଏଇ ସବୁ ଫରକଗୁଡିକ ମଧ୍ୟ ଦେଇ ପ୍ରଗତି ସମ୍ଭବ ହୋଇଛି । ଏଇ ସମୟରେ ଆମ ପାଇଁ ଯାହା ବିପଜ୍ଜନକ ଭାବରେ ଦେଖା ଦେଇଛି, ତାହାକୁ ଆମେ ଅତି-ଯୋଗାଯୋଗ ବା 'ଓଭର-କମ୍ୟୁନିକେସନ୍' ବୋଲି କହିପାରିବୁ । ଅର୍ଥାତ୍ ପୃଥିବୀର ଗୋଟିଏ ପ୍ରାନ୍ତରେ ବସି ଆଉ ସବୁ ପ୍ରାନ୍ତରେ କ'ଣ ସବୁ ଘଟି ଚାଲିଛି ତାହାକୁ ପୁଙ୍ଖାନୁପୁଙ୍ଖ ଜାଣି ନେବାର ପ୍ରବଣତା । ଗୋଟିଏ ସଂସ୍କୃତି ପକ୍ଷରେ ଠିକ୍ ନିଜ ଭଳି ହୋଇ ଉଠିବାର ପାଇଁ ଏବଂ ମୌଳିକ କିଛି ଜନ୍ମ ଦେବାର ପାଇଁସେଇ ସଂସ୍କୃତିକୁ ଓ ଏହାର ସଦସ୍ୟମାନଙ୍କର ନିଜେ ନିଜର ଅନନ୍ୟତା ସମ୍ପର୍କରେ ଯେଉଁ ପରି ଆସ୍ଥାଶୀଳ ହେବାକୁ ପଡିବ ସେହିପରି ଅନ୍ତତଃ କିଛି ପରିମାଣରେ ହେଉ ପଛକେ ଅନ୍ୟ ଗୋଷ୍ଠୀର ଉପରେ ନିଜର ଶ୍ରେଷ୍ଠତ୍ୱର ଏକ ଧରଣର ଭାବ ରହିବା ଦରକାର । ଏକମାତ୍ର 'ଅଣ୍ଡର-କମ୍ୟୁନିକେସନ୍'ର ସର୍ତ୍ତରେ ଗୋଟିଏ ସଂସ୍କୃତି ମୌଳିକ କିଛି ସୃଷ୍ଟି କରିବାକୁ ସକ୍ଷମ ହୋଇପାରିବ । ଏଇ ଯୁଗରେ ଭୋକ୍ତା ହୋଇ ଉଠିବାର ସମ୍ଭାବନା ନାହିଁ, ଯେମିତି ଆମର ସବୁଠୁ ବଡ ବିପଦ ହୋଇ ଛିଡା ହୋଇଛିଆମେ ଏବେ ଦୁନିଆର ଯେ କୌଣସି ଜାଗାର ସକଳ ସଂସ୍କୃତିର ଯାହା କିଛି ବି ଆତ୍ମସାତ୍ କରିପାରୁକିନ୍ତୁ ତାହା ଫଳରେ ନିଜର ମୌଳିକତା ହରାଇ ବସିବାର ଉପକ୍ରମ ହୋଇଥାଏ ।

ଲେଭି-ସ୍ତ୍ରସ୍‌ଙ୍କର ଖାଦ୍ୟ ତ୍ରିକୋଣ

ଆମେ ଏବେ ଏମିତି ଏକ ପୃଥିବୀର ଛବି ଆଖି ଆଗରେ ଦେଖିବାକୁ ପାଉ, ଯେଉଁଠି ସାରା ଦୁନିଆରେ କେବଳ ଗୋଟିଏ ବୋଲି ସଂସ୍କୃତି ବିରାଜ କରୁଥିବ । ଏଇମିତି କଥା ଆଦୌ ଘଟିଯିବ ବୋଲି ମୁଁ ବିଶ୍ୱାସ କରେ ନାହିଁ, କାରଣ ପୃଥିବୀରେ ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱର ପ୍ରବଣତା ସବୁବେଳେ କାର୍ଯ୍ୟ କରୁଥିବ । କହିବାକୁ ଗଲେଗୋଟିଏ ପଟରେ ଥିବ ଏକୀକରଣର ଚେଷ୍ଟା ଆଉ ଆର ପଟରେ କାମ କରି ଚାଲିଥିବ ସ୍ୱାତନ୍ତ୍ର୍ୟକୁ ଧରି ରଖିବାର ପ୍ରବଣତା । ଗୋଟିଏ ସଭ୍ୟତା ଯେତେ ବେଶି ସମଧର୍ମୀ ହେବା ବାଟରେ ଆଗେଇଯାଉଥିବଏହା ଭିତରେ ବିଭାଜିତ ଫରକର ରେଖାଗୁଡିକ ସେତେ ବେଶି ସ୍ପଷ୍ଟ ହୋଇଆସୁଥିବ । ଗୋଟିଏ ପର୍ଯ୍ୟାୟରେ ଯାହା ଅର୍ଜନ ଆଉ ଗୋଟିଏ ପର୍ଯ୍ୟାୟରେ ତାହା ହରାଇ ବସିବାକୁ ହେଉଥିବ । ଏଇଟି ମୋର ଏକାନ୍ତ ନିଜର ଅନୁଭବଏହି ଦ୍ୱାନ୍ଦିକ ପ୍ରକ୍ରିୟାଟିର କୌଣସି ବାସ୍ତବ ପ୍ରମାଣ ମୋ ହାତରେ ନାହିଁ । ତଥାପି ମାନବ ଜାତି ଆଭ୍ୟନ୍ତରିଣ କୌଣସି ବୈଚିତ୍ର୍ୟ ବ୍ୟତୀତ ବଞ୍ଚି ରହିଛି, ସେମିତି କଥା ମୁଁ କଳ୍ପନା କରି ପାରିବି ନାହିଁ ।

କାନାଡାର ଗୋଟିଏ ମିଥ୍ ବିଷୟରେ ଟିକିଏ କଥା ହେବା । ଗୋଟିଏ ସ୍କେଟ୍ ମାଛର ଦକ୍ଷିଣାପବନକୁ ବନ୍ଦୀ କରିବାର ଗପ ଏଇଟି । ଏହା ଏମିତି ଏକ ସମୟର ଗପ, ଯେତେବେଳେ ପୃଥିବୀରେ ମଣିଷ ନ ଥିଲେ, ଅର୍ଥାତ୍ ଯେତେବେଳେ ଜଗତରେ ପଶୁ ଆଉ ମଣିଷ ଆଜି ଯେମିତି ଅଲଗା ଅଲଗା ପ୍ରକାରର ସେମିତି ହୋଇ ନ ଥିଲେମାନେ ସବୁ ପ୍ରାଣୀ ସମସ୍ତେ ଅଧା ମଣିଷ ଆଉ ଅଧା ପଶୁ ଭଳି ଥିଲେ ।ସେ ସମୟର ଭୀଷଣ ବତାସରେ ସବୁ କିଛି ବିପର୍ଯ୍ୟସ୍ତ ହୋଇ ଉଠୁଥିଲାକାରଣ ବତାସ, ବିଶେଷ କରି ଖରାପ ବତାସ, ସବୁ ସମୟରେ ବହୁଥିଲା । ଆଉ ତାହା ଫଳରେ ମାଛ ଧରିବା ଆଉ ସମୁଦ୍ର କୂଳରୁ ମୁକ୍ତା ସଙ୍ଗ୍ରହ କରିବା ଅସମ୍ଭବ ହୋଇ ଉଠୁଥିଲା । ତେଣୁ ପ୍ରାଣୀକୂଳ ଏଇ ବତାସକୁ ଶାସ୍ତି ଦେବାକୁ ସିଦ୍ଧାନ୍ତ ନେଲେ । ଗୋଟିଏ ଅଭିଯାନ ଆରମ୍ଭ ହେଲା ଯେଉଁଠି ଦକ୍ଷିଣା ପବନକୁ ପରାସ୍ତ କରିବା ପାଇଁ ସ୍କେଟ୍ ମାଛ ସହିତ କିଛି ମଣିଷ-ପଶୁ ଓ କିଛି ପଶୁ-ମଣିଷ ଭାଗ ନେଲେ । ଦକ୍ଷିଣାପବନ ପରାସ୍ତ ହୋଇ ବନ୍ଦୀ ହେଲା । ଭବିଷ୍ୟତରେ ଏମିତି ଖରାପ ଭାବରେ ନ ବହି ସେ ମଝିରେ ମଝିରେ ବହିବ ବୋଲି ସର୍ତ୍ତରେ ରାଜି ହେବାରୁ, ତାହାକୁ ଛାଡ଼ି ଦିଆଗଲା । ସେଇ ଦିନଠୁ ଦକ୍ଷିଣା ପବନ ସାରା ବର୍ଷରେ ମାତ୍ର କେତେ ଦିନ ବହିଥାଏ, ଆଉ ବାକି ସମୟତକ ଲୋକେ ତେଣୁ ସେମାନଙ୍କର କାମଧନ୍ଦା ସୁରୁଖୁରୁରେ କରି ପାରୁଛନ୍ତି ।

ଏଇ ଘଟଣାଟି ବାସ୍ତବରେ କେବେ ଘଟିନାହିଁ । ଏହାକୁ ଭାବି ତୃପ୍ତ ହେବାର କିଛି ଅବକାଶ ନାହିଁ, କାରଣ ଘଟଣାଟି ଭାରି ଅଦ୍ଭୁତ, ଏବଂ ବାୟୁଗ୍ରସ୍ତ ମସ୍ତିଷ୍କର ଅତ୍ୟୁର୍ବର କଳ୍ପନାର ଫସଲ । କାହାଣୀଟିକୁ ଆମକୁ ଗୁରୁତ୍ୱର ସହ ନେବାକୁ ହେବ ଏବଂ ନିଜକୁ ପ୍ରଶ୍ନ ପଚାରିବାକୁ ପଡିବ । ପ୍ରଶ୍ନଟି ହେଉଛିକାହିଁକି ସ୍କେଟ୍ ମାଛକାହିଁକି ଦକ୍ଷିଣା ପବନ ?

ମନ ଦେଇ କାହାଣୀଟିକୁ ଲକ୍ଷ୍ୟ କଲେ ସ୍କେଟ୍ ମାଛର କିଛି ବୈଶିଷ୍ଟ୍ୟ ଆଖିକୁ ଆସିବ । ଏଠାରେ ବର୍ଣ୍ଣିତ ସ୍କେଟ୍ ମାଛର ଚରିତ୍ରରେ ଦୁଇ ଧରଣର ବୈଶିଷ୍ଟ୍ୟ ଦେଖା ଯାଉଛି । ପ୍ରଥମ ବୈଶିଷ୍ଟ୍ୟ ହେଉଛି ଏହା ଦେଖିବାକୁ ଆଉ କେତେ ମାଛ ପରି ଚେପେଟାଏହାର ତଳ ଭାଗଟି ବେଶ୍ ପିଚ୍ଛିଳ ଆଉ ପିଠିପଟଟି ରୁକ୍ଷ । ସ୍କେଟ୍ ମାଛର ଆଉ ଗୋଟିଏ ବଡ କ୍ଷମତା ହେଲା, ସେ ଶତୃ ମୁକାବିଲା ସମୟରେ ଅତି ଶିଘ୍ର ଶତୃ କବଳରୁ ଚମ୍ପଟ ମାରିପାରିଥାଏ । ଏହି କାମରେ ମାଛଟିକୁ ଯାହା ସାହାଯ୍ୟ କରିଥାଏ, ତାହା ତାହାର ଶରୀର । ସ୍କେଟ୍ ମାଛକୁ ଉପରୁ ବା ତଳୁ ଦେଖିଲେ ବିରାଟ ମନେ ହୁଏ, କିନ୍ତୁ ପାଖରୁ ଦେଖିଲେ ବୁଝାଯିବ ଯେ, ଏହାର ବେଧ ଖୁବ୍ କମ୍, ଅର୍ଥାତ୍ ତାହାର ପିଠି ଆଉ ପେଟ ମଝିରେ ଦୈର୍ଘ୍ୟ ଅତି ଅଳ୍ପ । ଶତୃ ହୁଏତ ଦେଖିଲେ ସ୍କେଟ ମାଛକୁ ଭାବିବ ଯେ ମାଛଟି ଢେର୍ ବଡସହଜରେ ତୀର ମାରି ଘାଏଲ୍ କରାଯାଇ ପାରିବ । କିନ୍ତୁ ତୀର ନିଶାନା କଲେ ଦେଖାଯିବ, ମାଛଟି ନିମିଷ ମାତ୍ରକେ ଘୁରି ଯାଉଛି ବା ପିଛଳି ଯାଉଛି । ଆଉ ଗୋଟିଏ ପାଖରୁ ତ ତୀର ମାରି ତାହାକୁ ଆଘାତ କରିବା ସମ୍ଭବ ନୁହେଁ, କାରଣ ପେଟ ଆଉ ପିଠି ଭିତରେ ବେଧଟି ଢେର୍ କମ । ତେଣୁ ସ୍କେଟ୍ ମାଛର କାହାଣୀଟିକୁ ଆମଦାନୀ କରାଯାଇଛି, ଯାହାର କାରଣଟିକୁ ସାଇବରନେଟିକ୍ସର ଭାଷାରେ କହିଲେଏହି ଚରିତ୍ରଟି କେବଳ 'ହଁ' ବା 'ନାଁ' ରେ ଉତ୍ତର ଦେଇ ପାରିବାକୁ ସକ୍ଷମ । ସ୍କେଟ୍ ମାଛ କେବଳ ଦୁଇଟି ବିପରୀତ ବିପରୀତ ଅବସ୍ଥା ତିଆରି କରି ପାରେଗୋଟିଏ ଅସ୍ତିବାଚକ ବା ପଜିଟିଭ୍ ଆଉ ଆରଟି ନାସ୍ତିବାଚକ ବା ନେଗେଟିଭ୍ । ଏଇ ମିଥ୍‌ଟିରେ ସ୍କେଟ୍ ମାଛକୁ ଯେଉଁ ଧରଣର କାମରେ ଲଗା ଯାଇଛି, ତାହା ସହିତ (ମୁଁ ଅବଶ୍ୟ ସାଦୃଶ୍ୟର ବିଷୟଟିକୁ ଖୁବ୍ ବେଶି ଲମ୍ବେଇବାକୁ ଚାହେଁ ନାହିଁଆଧୁନିକ କମ୍ପ୍ୟୁଟରରେ ଯେମିତି 'ହଁ/ନାଁ' (ବାଇନାରି ପଦ୍ଧତିପଦ୍ଧତି ବ୍ୟବହାର କରି ଖୁବ୍ ଜଟିଳ ସମସ୍ତ ସମସ୍ୟାର ସମାଧାନ କରାଯାଉଛି, ତାହାର ତୁଳନା କରାଯିବା ପ୍ରାସଙ୍ଗିକ ।

ପଲ କ୍ଲୀଙ୍କର ଚିତ୍ର 'ଫ୍ଲାୱାର୍ ମିଥ୍'

ବାସ୍ତବତାର ଆଧାରରେ ଆମେ ସମସ୍ତେ ବୁଝିଛୁ ଯେ, ମାଛ ପକ୍ଷରେ ବତାସ ସହ ଯୁଦ୍ଧ ହେବା ସମ୍ଭବ ନୁହଁକିନ୍ତୁ ଅଭିଜ୍ଞତାଜାତ ଚିତ୍ରକଳ୍ପ କାହିଁକି ବ୍ୟବହାର କରାଯାଏ, ତାହାର ଯୁକ୍ତିଟି ମୋର ଅଜଣା ନାହିଁ । ମିଥଜ ଭାବନାର ଏଇଟି ମୌଳିକ ଦିଗଧାରଣାଗତ ଚିନ୍ତାର ଭୂମିକା ପାଳନ କରିଥାଏ, ଏହା ଯୁକ୍ତି ଦୃଷ୍ଟିରୁବାଇନାରିର ଜଟିଳତା ଥିବା ଏଇ ଧରଣର ସମସ୍ୟା ସହିତ ଯୁକ୍ତ କରି ଏକ ପ୍ରାଣୀକୁ ବ୍ୟବହାର କରାଯାଇପାରେ, ଯାହାକୁ ମୁଁ ବାଇନାରି ଅପରେଟର୍ ବୋଲି ସେଇ ହିସାବରେ ନାଆଁ ଦେଉଛି । ଦକ୍ଷିଣା ପବନ ଯଦି ବର୍ଷର ସବୁ ଦିନ ବହିବ, ତେବେ ମଣିଷ ପକ୍ଷରେ ଜୀବନଯାପନ ଅସମ୍ଭବ ହୋଇ ପଡିବ । ଯଦି ଦିନେ ଦୁଇ ଦିନ ବହେ, ଅର୍ଥାତ୍ ଦିନେ ହେବ 'ହଁ'ଦିନେ ହେବ 'ନାଁ' ଇତ୍ୟାଦିତାହା ହେଲେ ପୃଥିବୀରେ ମଣିଷର ପ୍ରୟୋଜନ ଆଉ ପ୍ରକୃତିରେ ବିରାଜିତ ଅବସ୍ଥା ସମୂହର ଭିତରେ ଏକ ଭାରସାମ୍ୟ ତିଆରି ହୋଇପାରିବ ।

ଏଇଭଳି ଯୁକ୍ତିଦୃଷ୍ଟିରୁ ସ୍କେଟ୍ ମାଛ ଭଳି ପ୍ରାଣୀ ଆଉ ମିଥ୍‌ଟି ଯେଉଁ ଧରଣର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛି, ତାହା ଭିତରେ ସାଯୁଜ୍ୟ ରହିଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ମିଥ୍‌ଟି ସତ ନୁହଁକିନ୍ତୁ ଆମେ ମିଥ୍‌ର ଅସଲ ଚରିତ୍ର ଉପଲବ୍ଧି କରିପାରୁଛୁ, ଏମିତି ଏକ ସମୟରେ ଯେତେବେଳେ ସାଇବରନେଟିକ୍ସ ଆଉ କମ୍ପ୍ୟୁଟର ଆସିଯାଇଛି । କିନ୍ତୁ ବାଇନାରି ଅପରେସନର ଏଇ କଥାଟି ଖୁବ୍ ଭିନ୍ନ ପରିପ୍ରେକ୍ଷୀରେ ହୋଇଥିଲେ ବି, ମିଥୀୟ ଭାବନାରେ ବସ୍ତୁ ବା ପ୍ରାଣୀର କ୍ଷେତ୍ରରେ କାମରେ ବ୍ୟବହାର ହେଉଛି । ଫଳରେ ଏଇ ସମୟରେ ପହଞ୍ଚି ମିଥୀୟ ଚିନ୍ତା ଆଉ ଓ ବିଜ୍ଞାନ ଭିତରେ ବିଭେଦ ଘଟୁଛିଏମିତି ଭାବିବାଟା ଠିକ୍ ହେବ ନାହିଁ । ବିଜ୍ଞାନଭିତ୍ତିକ ଚିନ୍ତାର ବର୍ତ୍ତମାନ ଅବସ୍ଥା ହିଁ ଆମକୁ ଏଇ ମିଥ୍‌ରେ ଅସଲରେ କ'ଣ ଅଛି, ତାହା ବୁଝିବାରେ ସାହାଯ୍ୟ କରିଛି । ବାଇନାରି ପ୍ରକ୍ରିୟାର ସହିତ ପରିଚିତ ହେବା ଆଗରୁ ମିଥ୍‌ର ଏଇ ତାତ୍ପର୍ଯ୍ୟ ସମ୍ପର୍କରେ ଆମେ ସଚେତନ ନ ଥିଲେ ।

ମୁଁ ଅସଲରେ ଚାହେଁ ନାହିଁ ଆପଣମାନେ ଏମିତି ମନେ କରନ୍ତୁ ଯେ, ମୁଁ ବୈଜ୍ଞାନିକ ବିଶ୍ଳେଷଣ ଓ ମିଥୀୟ ବ୍ୟାଖ୍ୟା, ଏଇ ଦୁଇଟିକୁ ଏକ ସ୍ତରରେ ରଖିବାକୁ ଚାହୁଁଛି । ମୁଁ କହିବାକୁ ଚାହେଁବୈଜ୍ଞାନିକ ବ୍ୟାଖ୍ୟାର ମହତ୍ୱ ଓ ଉଚ୍ଚତର ଅବସ୍ଥାନ ବିଜ୍ଞାନର ବାସ୍ତବ ଏବଂ ବୁଦ୍ଧିବୃତ୍ତିକ ସାଫଲ୍ୟ ଭିତରେ କେବଳ ନିହିତ ନାହିଁ । ବରଂ ଆମେ କ୍ରମଶଃ ଯାହା ଦେଖିବାକୁ ପାଉଛେବିଜ୍ଞାନ କେବଳ ଯେ ନିଜର ସତ୍ୟତାର ବ୍ୟାଖ୍ୟା ଦେଇପାରୁଛି ତାହା ନୁହଁବିଜ୍ଞାନ ବ୍ୟାଖ୍ୟା ଦେଇପାରୁଛି ମିଥୀୟ ଚିନ୍ତା ଭିତରେ ବିଦ୍ୟମାନ ସତ୍ୟକୁ ମଧ୍ୟ । ଗୁରୁତ୍ୱପୂର୍ଣ୍ଣ ହେଲା ଆମେ ଦିନକୁ ଦିନ ଏଇ ଗୁଣଗତ ଦିଗଗୁଡିକ ପ୍ରତି ଆଗ୍ରହୀ ହୋଇ ଉଠୁଛୁ ଏବଂ ବିଜ୍ଞାନ ଯେଉଁଠି ସତର ଶତକ ଠାରୁ ଊଣେଇଶ ଶତକ ପର୍ଯ୍ୟନ୍ତ କେବଳ ପରିମାଣଗତ ବିଷୟରେ ଆଗ୍ରହୀ ଥିଲାସେଇଠି ଏବେ ଏହା ବାସ୍ତବର ଗୁଣଗତ ଦିଗଗୁଡିକର ବିବେଚନାରେ କେନ୍ଦ୍ରିତ ହେବାରେ ଲାଗିଛି । ଏହା ଫଳରେ ଆମେ ମିଥୀୟ ଭାବନାର ଅନେକଗୁଡିଏ ଦିଗ, ଯେଉଁ ଗୁଡିକ ଅତୀତରେ ଅର୍ଥହୀନ ଏବଂ ଅଦ୍ଭୁତ ମନେ କରି ଆମେ ଉପେକ୍ଷା କରି ଆସୁଥିଲେସେଗୁଡିକୁ ଏବେ ଗୁରୁତ୍ୱର ସହିତ ବିବେଚନା କରିବାର ଅବକାଶ ମିଳିବ । ଏଇ ପ୍ରବଣତା ଜୀବନ ଓ ଚିନ୍ତାର ମଝିରେ ଅପୂରଣନୀୟ ଶୂନ୍ୟତା ବିରାଜମାନ ସତର ଶତକରୁ ଏଇ ଦାର୍ଶନିକ ଦ୍ୱୈତତାରୁ ଆମ ବିଶ୍ୱାସକୁ ମୁକ୍ତିର ବାଟ ଦେଖାଇବ । ଆମ ଚେତନାରେ ଯାହା ଘଟୁଛି, ତାହା ଆମ ଜୀବନର ମୌଳିକ ପ୍ରପଞ୍ଚଗୁଡିକ ଠାରୁ ଖୁବ୍ ବେଶି ଅଲଗା କିଛି ନୁହଁହୁଏତ ଏମିତି ଏକ ବିଶ୍ୱାସରେ ଆମେ ଦିନେ ପହଞ୍ଚି ପାରିବା । ସେହି ବିଶ୍ୱାସର ଧାରାବାହିକତାରେ ମାନବ ଜାତି ଏବଂ ଅନ୍ୟ ପ୍ରାଣୀକୂଳ ଓ ଉଦ୍ଭିଦମାନଙ୍କର ମଧ୍ୟରେ ତଫାତ୍ ଅପୂରଣନୀୟ ନୁହଁଏଇ ଉପଲବ୍ଧି ଆମର ଜ୍ଞାନକୁ ହୁଏତ ଏମିତି ଏକ ପର୍ଯ୍ୟାୟରେ ପହଞ୍ଚାଇ ଦେବ, ଯାହା ଆମ ନିଜର ଜ୍ଞାନର ସାମର୍ଥ୍ୟ ସମ୍ପର୍କରେ ଆମ ଧାରଣାଠାରୁ ଅନେକ ଉଚ୍ଚ ।

'ଦି ର ଆଣ୍ଡ ଦି କୁକ୍‌ଡ଼୍'ର ପ୍ରଥମ ସଂସ୍କରଣ
ୱିକିମିଡିଆ କମନ୍ସ୍

[ ହଜାର ହଜାର ବର୍ଷ ଧରି ମାନବ ସମାଜର ବୁଦ୍ଧିବୃତ୍ତି ଓ ସୃଜନଶୀଳତାର ମୂଳରେ ରହିଛି ମିଥ୍ । ଖ୍ରୀଷ୍ଟାବ୍ଦ ସପ୍ତଦଶ ଶତକରେ ଇଉରୋପ୍‌ରେ ବୈଜ୍ଞାନିକ ଚିନ୍ତାପଦ୍ଧତିର ପ୍ରସାର ଘଟିଲା ଆଉ ଉପନିବେଶବାଦ ମାର୍ଫତ୍‌ରେ ତାହା ସାରା ପୃଥିବୀରେ ବିସ୍ତାର ଲାଭ କଲା । ଏହାର ପ୍ରଭାବରେ ମଣିଷର ଚିନ୍ତାଜଗତରେ ମିଥ୍‌ର ଏହି ବୁଦ୍ଧିବୃତ୍ତି ଆଉ ସୃଜନଶୀଳତାର ପ୍ରଭାବଶାଳୀ ଭୂମିକା କଥାଟିର ପ୍ରାୟ ଅବସାନ ହେବାକୁ ଲାଗିଲା । ବିଂଶ ଶତକରେ ନୃତତ୍ୱବିଦ୍ୟାର ବିକାଶ ସହିତ ମାନବ ଇତିହାସରେ ମିଥ୍‌ର ବ୍ୟାପକତା ନୂଆ କରି ଅନୁଧାବନର ଆରମ୍ଭ ହୁଏ । ମାନବ ଇତିହାସରେ ପ୍ରଥମ ଅବସ୍ଥାରେ ମଣିଷର ସମାଜର ଗଠନ କେମିତି ଥିଲାକେଉଁ କେଉଁ ସର୍ତ୍ତରେ କିପରି ମଣିଷର ପାରସ୍ପରିକ ସମ୍ପର୍କ ବିକଶିତ ହୋଇଛିଆତ୍ମୀୟତାର ବନ୍ଧନପ୍ରଥାସାମଗ୍ରିକ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାପନାକୁ କେନ୍ଦ୍ରକରି ନୃତତ୍ତ୍ୱର ରୂପ ଓ ରୂପାନ୍ତର ।

ଯେଉଁ ସମାଜତତ୍ତ୍ୱବିତ୍‌ମାନେ ଏଇ ବିଷୟରେ ପଥିକୃତ ମହାନ ଫରାସୀ ନୃତାତ୍ୱିକ କ୍ଲଦ୍ ଲେଭି-ସ୍ତ୍ରସ୍ ସେମାନଙ୍କ ଭିତରେ ଅନ୍ୟତମ । ଏଇ ମନିଷୀଙ୍କ ସମ୍ପର୍କରେ କୁହାଯାଏ ଯେ, ସେ ନୃତତ୍ତ୍ୱକୁ ଇଉରୋପୀୟ ଉପନିବେଶବାଦୀ ଚରିତ୍ରରୁ ମୁକ୍ତ କରିବାର ପ୍ରୟାସ କରିଛନ୍ତି । 
୧୯୦୮ ମସିହାରେ ଜନ୍ମିତ କ୍ଲଦ୍ ଲେଭି-ସ୍ତ୍ରସ୍ ଦର୍ଶନ ଓ ଆଇନଶାସ୍ତ୍ର ଅଧ୍ୟୟନ କରିଛନ୍ତି । ସେତେବେଳକୁ ନୃତତ୍ୱ ବୋଲି ଗୋଟିଏ ସ୍ୱତନ୍ତ୍ର ବିଷୟ ନ ଥିଲା । ସେ ସଂରଚନାବାଦ ପଦ୍ଧତି ପ୍ରୟୋଗ କରି ପୃଥିବୀର ତଥାକଥିତ ଆଦିମ ସମାଜ ଗୁଡିକର ସାମାଜିକ ସଙ୍ଗଠନର ବ୍ୟାଖ୍ୟା ଏବଂ ବିଭିନ୍ନ ସମାଜରେ ପ୍ରଚଳିତ ମିଥ୍ ସବୁର ବହୁମୁଖୀ ବିଶ୍ଳେଷଣ କରିଛନ୍ତି । ତାଙ୍କର ବିଶ୍ଳେଷଣର ପ୍ରଭାବ କେବଳ ନୃତତ୍ୱରେ ସୀମିତ ନ ହୋଇ ସାହିତ୍ୟଶିଳ୍ପ ଓ ସମାଜବିଜ୍ଞାନର ବ୍ୟାପକ ସ୍ତରରେ ବିସ୍ତୃତି ଲାଭ କରିଛି । ଏଇ ବିଶିଷ୍ଟ ଚିନ୍ତାନାୟକ ଜଣକ ମାନବ ଇତିହାସର ଆରମ୍ଭରୁ ସମାଜର ଗଠନର ସ୍ୱରୂପ ତଥା କେଉଁ ସର୍ତ୍ତର ପରିପ୍ରେକ୍ଷୀରେ ପାରସ୍ପରିକ ସମ୍ପର୍କ ପ୍ରତିଷ୍ଠିତ ହୋଇଥିଲା, ଯଥା ଆତ୍ମୀୟତାର ବନ୍ଧନପ୍ରଥାସାମଗ୍ରିକ ସାମାଜିକ ଓ ଅର୍ଥନୈତିକ ସଂରଚନା ଉପରେ ନିଜର ବିଚାରରେ ବିଶ୍ୱକୁ ଆଲୋଡିତ କରିଛନ୍ତି । ହଜାରହଜାର ବର୍ଷ ଧରି ମଣିଷ ସମାଜର ବୁଦ୍ଧିବୃତ୍ତି ଆଉ ସୃଜନଶୀଳତାର ମୂଳରେ ରହିଛି ମିଥ୍ । ସେଇ ମିଥ୍‌ର ବିସ୍ତୃତ ପରିଚର୍ଚ୍ଚା କରିଛନ୍ତି ମନୀଷୀ ଲେଭି-ସ୍ତ୍ରସ୍ ।

କ୍ଲଦ୍ ଲେଭି -ସ୍ତ୍ରସ୍‌ଙ୍କ ଲେଖାର ଅନୁବାଦ କରିବା ବ୍ୟକ୍ତିଗତ ଭାବରେ ମୁଁ ମୋର ଏକ ସୌଭାଗ୍ୟ ବୋଲି ବିଚାର କରେ । ଏବଂ ଆପଣମାନଙ୍କ ନିକଟରେ ସହଭାଗ କରିପାରିବାର ସୁଯୋଗଟି ଉପଲବ୍ଧ ଥିବାରୁ, ମୁଁ ଅଧିକ ସୌଭାଗ୍ୟବାନ୍ । ଏହି ପ୍ରବନ୍ଧଟି ଲେଭି-ସ୍ତ୍ରସ୍‌ଙ୍କ ୧୯୭୭ ମସିହାରେ ପ୍ରଦତ୍ତ 'ମିଥ୍ ଆଣ୍ଡ ମିନିଂ' ଶୀର୍ଷକ ମ୍ୟାସି ବକ୍ତୃତାମାଳାର ଅଂଶବିଶେଷ । ଏଥିରେ କେତୋଟି ଗୁରୁତ୍ୱପୂର୍ଣ୍ଣ ମୌଳିକ ପ୍ରଶ୍ନ ଉଠା ଯାଇଛି, ଯାହା ଉପରେ ଆମେ ଆମ ଚର୍ଚ୍ଚା ଜାରି ରଖିବା ।

ପ୍ରସଙ୍ଗକ୍ରମେ କହିବାକୁ ଚାହିଁବି, ଆମର ତରୁଣ ପ୍ରଜନ୍ମ ଭିତରେ ମିଥ୍‌କୁ ନେଇ ଆଗ୍ରହ ସମ୍ପ୍ରତି ବଢ଼ିବାରେ ଲାଗିଛି । ଦେବଦତ୍ତ ପଟ୍ଟନାୟକଅମିଶ ତ୍ରିପାଠୀକବିତା କାଣେଅନୁଜା ଚନ୍ଦ୍ରମୌଳିଆନନ୍ଦ ନୀଳକଣ୍ଠନଭିରଘୁନାଥନଙ୍କ ମିଥ୍‌କୁ କେନ୍ଦ୍ର କରି ପୁସ୍ତକମାନ ତରୁଣମାନଙ୍କର ପଢ଼ା ଟେବୁଲ୍‌ରେ ଶୋଭା ପାଇବା ଅତ୍ୟନ୍ତ ଆନନ୍ଦର ବିଷୟ । ସେମାନେ ଏବେ 'ହାଫ୍ ଗାର୍ଲଫ୍ରେଣ୍ଡ' ସହ ଯେତିକି ମାନସିକ ସମ୍ପୃକ୍ତି ରଖନ୍ତି, ସମାନ ପରିମାଣରେ ବା କହିବାକୁ ଗଲେ ତାହାଠାରୁ ଅଧିକ ମିଥ୍‌ର ସହ ବସବାସ କରିବାକୁ ଚାହୁଁଛନ୍ତି ।

ଅନେକେ ମନେ କରନ୍ତି, ତଥାକଥିତ ଆଦିମ ମଣିଷର ଚିନ୍ତାର ଧରଣଟି ବୈଜ୍ଞାନିକ ଚିନ୍ତାର ସ୍ୱରୂପ ଠାରୁ ନିମ୍ନ ମାନର । ଆଦିମ ମାନବର ଚିନ୍ତା ନିମ୍ନ ମାନର ବୋଲି ଆମର ଧାରଣା ପଛର କାରଣଟି ହେଉଛି ଯେ, ଆମେ ଭାବୁଛୁ, ସେମାନଙ୍କର ଚିନ୍ତାଟି ସର୍ବଦା ଭୁଲ୍ ଉପରେ ପର୍ଯ୍ୟବେସିତ । ଏହି ଜାଗାରେ ଲେଭି-ସ୍ତ୍ରସ୍ ଗୋଷ୍ଠୀ ଅବଚେତନର ଆଦିମ ବିଶ୍ୱାସ ହିସାବରେ ମିଥ୍‌କୁ ନେଇ ତାହାର ବ୍ୟବଚ୍ଛେଦ କରିବା ଦ୍ୱାରା ମଣିଷର ଜୀବନ ଓ ଚିନ୍ତା ଭିତରର ଫାଙ୍କା ଜାଗାଗୁଡିକୁ ବୁଝିବାରେ ସାହାଯ୍ୟ କରିଛନ୍ତି ।

ଅନୁବାଦର ତୃଟିଭାଗ ଅଧୀନର । ଦୟାକରି ପଢ଼ିବେ । ସବୁ ଜିନିଷର ସହଜ ଉତ୍ତରଟି କମ୍ପ୍ୟୁଟରର 'ହଁ/ନାହିଁ'ର ବାଇନାରିରେ ନ ହୋଇ ଏକ ପ୍ରକ୍ରିୟାରେ ରହିଛି ବୋଲି ଧାରଣାଟିଏ ଆସିଲେ, ଆମ ଭିତରେ କେହି ହୁଏତ ଆଦିମ ବା ଅସଭ୍ୟ ହୋଇ ରହି ନ ପାରନ୍ତି। ]

କ୍ଲଦ୍ ଲେଭି-ସ୍ତ୍ରସ୍‌ଙ୍କ ବହି   'ତ୍ରିସ୍ ତ୍ରପିକ୍‌'ର ମଲାଟର ଚିତ୍ର