Saturday, April 28, 2018

ଶିକ୍ଷା ଓ ପିଲାଙ୍କ ପାଇଁ ଗିଜୁଭାଇଙ୍କ ସ୍ୱପ୍ନ

('ଗିଜୁଭାଇ ଶିକ୍ଷାନିଧି'ର ଭୂମିକା)

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ




ମଣିଷର ଜୀବନରେ ସବୁବେଳେ ଶିକ୍ଷାର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଆସିଛି । ଚାହିଦା ଓ ସୁବିଧା ଅନୁସାରେ ନିଜ ନିଜଠାରୁ ଦେଖି ଓ ଶୁଣି ଶିଖିବାଟା ଦିନେ ଆମର ପୂର୍ବପୁରୁଷମାନଙ୍କ ପାଇଁ ଯଥେଷ୍ଟ ଥିଲା । ସମୟକ୍ରମେ କିନ୍ତୁ ଏହା ଯଥେଷ୍ଟ ହେଲାନାହିଁ । ଆସ୍ତେ ଆସ୍ତେ ଏହି ଶିକ୍ଷା ଗୋଟିଏ ଆନୁଷ୍ଠାନିକ ରୂପ ନେଲା ଏବଂ ସମୟର ନିୟମ ମାନି ଗୋଟିଏ ଗତାନୁଗତିକ ରୀତି ହୋଇଗଲା । ସମାଜର ଆଖିରେ ଶିକ୍ଷା ଅନୁଷ୍ଠାନଗୁଡିକ ବେଶୀ ବଡ଼ ହୋଇ ଉଠିଲେ । ବିଦେଶୀ ଶାସନ ଭିତରେ ଆମ ଦେଶରେ ଗଢ଼ି ଉଠିଥିବା ଅନୁଷ୍ଠାନଗୁଡିକ ଶିକ୍ଷାଠାରୁ ଆହୁରି ଦୂରେଇ ଗଲେ ।


ବିଂଶ ଶତାଦ୍ଦୀର ପ୍ରଥମ ଭାଗରେ ଦେଶରେ ଜାତୀୟତାବାଦର ଏବଂ ସ୍ୱାଧୀନତାର ଚିନ୍ତା ମୁଣ୍ଡ ଟେକିଲା ବେଳେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଦୁରବସ୍ଥା ଚିନ୍ତାନାୟକମାନଙ୍କୁ ବ୍ୟଥିତ କଲା । ଏହାର ପ୍ରତିକାର ପାଇଁ ସ୍ୱାମୀ ବିବେକାନନ୍ଦ ମଣିଷ ଗଠନକାରୀ ଶିକ୍ଷା ପାଇଁ ଆହ୍ୱାନ ଦେଲେ । ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଠାକୁର, ଶ୍ରୀ ଅରବିନ୍ଦ ଆଦି ନୂଆ ପ୍ରକାରର ଶିକ୍ଷା ପଦ୍ଧତିର ମୂଳଦୁଆ ପକାଇଲେ । ଶିକ୍ଷା ବ୍ୟବସ୍ଥାର ସଂସ୍କାର ପାଇଁ ଦେଶ ସାରା ବିଭିନ୍ନ ପରୀକ୍ଷା ଆରମ୍ଭ ହେଲା । ଗୁଜୁରାଟ ବିଦ୍ୟାପୀଠ, ଶାନ୍ତି ନିକେତନ, ଜାମିଆ ମିଲିଆ, କାଶୀ ବିଦ୍ୟାପୀଠ, ଗୁରୁକୂଳ କାଙ୍ଗଡ଼ି, ଦକ୍ଷିଣାମୂର୍ତ୍ତୀ ବିଦ୍ୟାଭବନ, ହିନ୍ଦୁସ୍ଥାନୀ ତାଲିମି ସଙ୍ଘ, ସତ୍ୟବାଦୀ ବନ ବିଦ୍ୟାଳୟ ଭଳି ଅନେକ ନୂଆ ଢାଞ୍ଚାର ଶିକ୍ଷାନୁଷ୍ଠାନ ଗଢ଼ି ଉଠିଲେ । ପରାଧୀନ ଭାରତର ଶିକ୍ଷା ପଦ୍ଧତିକୁ ତାହାର ସଙ୍କୀର୍ଣ୍ଣତାରୁ ମୁକ୍ତ କରିବା ପାଇଁ ଏହି ସବୁ ଅନୁଷ୍ଠାନରେ ଅନେକ କର୍ମୀ ଲାଗିପଡ଼ିଲେ । ସମସ୍ତଙ୍କର ଲକ୍ଷ୍ୟ ଥିଲା ପ୍ରଚଳିତ ଶିକ୍ଷାକୁ ପୁସ୍ତକ, ପରୀକ୍ଷା, ପ୍ରତିଯୋଗିତା, ପ୍ରମାଣପତ୍ର ଇତ୍ୟାଦିର କବଳରୁ ମୁକୁଳାଇବା । “ଶିକ୍ଷିତ”ମାନଙ୍କ ଭିତରେ ଗୋଲାମି ମନୋବୃତ୍ତି ପୁରାଇବା ବଦଳରେ ସ୍ୱାଧୀନ ଭାରତ ପାଇଁ ଯୋଗ୍ୟ ସନ୍ତାନ ସୃଷ୍ଟି କରିବା ଏହି ସଂସ୍କାରବାଦୀ ଆନ୍ଦୋଳନର ପ୍ରଧାନ ଚିନ୍ତା ଥିଲା । କହିବାକୁ ଗଲେ ଏହି ସମୟଟି ଭାରତୀୟ ଶିକ୍ଷା ପାଇଁ ଏକ ସୁବର୍ଣ୍ଣ ଯୁଗ ଥିଲା ।

ଗିଜୁଭାଇ ବଧେକା (୧୮୮୫-୧୯୩୯) ଏହି ସୁବର୍ଣ୍ଣ ଯୁଗର ଜଣେ ସୁଦକ୍ଷ କର୍ମୀ ଥିଲେ । ଆଇନଜୀବୀ ଗିଜୁଭାଇ ଶିକ୍ଷା ବିଷୟରେ ବେଶ୍ ଆଗ୍ରହୀ ଥିଲେ ଏବଂ ସମୟକ୍ରମେ ସେ ଓକିଲାତି ଛାଡି ଶିକ୍ଷା ସଂସ୍କାର ଆନ୍ଦୋଳନରେ ନିଜକୁ ସାମିଲ କଲେ । ୧୯୧୬ ମସିହାରେ ଦକ୍ଷିଣାମୂର୍ତ୍ତୀ ବିଦ୍ୟାଥୀ ଭବନରେ ସେ ଯୋଗ ଦେଲେ । ପରେ ତାଙ୍କର ଶିକ୍ଷା ଦର୍ଶନର ପ୍ରୟୋଗ ପାଇଁ ୧୯୨୦ ମସିହାରେ ସେ ଭାବନଗରଠାରେ “ବାଲମନ୍ଦିର” ନାମରେ ଗୋଟିଏ ପ୍ରାଥମିକ ଶିକ୍ଷାନୁଷ୍ଠାନର ଆରମ୍ଭ କରିଥିଲେ । ଏଠାରେ ଅଢ଼େଇ ବର୍ଷରୁ ଛଅ ବର୍ଷ ବୟସର ପିଲାମାନେ ମୁକ୍ତ ବାତାବରଣ ଭିତରେ ସବୁ କିଛି କରି ପାରୁଥିଲେ । ସେଠାରେ ପିଲାମାନେ ନାଚ, ଗୀତ, ଖେଳକୁଦ, ଗପ, ଚିତ୍ର, ଗଛଚଢ଼ା ଭଳି ସବୁ କାମ ସବୁ ସମୟରେ କରିପାରୁଥିଲେ । ସେଠି ମାଡ଼, ଗାଳି ବା ଧମକର ଛାଇ ବି ପଡ଼ୁ ନ ଥିଲା । ଏ ସବୁ ଭିତରେ ସେମାନେ “ପାଠ” ବି ଶିଖୁଥିଲେ, ଅନୁଷ୍ଠାନ ବାହାରର ଦୁନିଆ ବୁଲି ଦେଖୁଥିଲେ, ନୂଆ ନୂଆ ଅନୁଭୂତି ପାଉଥିଲେ । “ବାଲମନ୍ଦିର”ରେ ପଢ଼ୁ ନ ଥିବା ପିଲାଙ୍କ ପାଇଁ ଓ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଗିଜୁଭାଇ ଅନେକ ବହି ଲେଖିଥିଲେ । ଏହି ସମୟରେ ସ୍ୱାଧୀନତା ଆନ୍ଦୋଳନର ହାୱା ଏବଂ ଗାନ୍ଧୀଙ୍କର ଚିନ୍ତା ଗିଜୁଭାଇଙ୍କ ଚିନ୍ତାଧାରା ଓ କାମକୁ ତୀବ୍ରତର କରିଥିଲା ।

ଗିଜୁଭାଇ ତାଙ୍କର ମନପ୍ରାଣ ଦେଇ ଶିଶୁମାନଙ୍କୁ ଭଲ ପାଉଥିଲେ । ସେମାନଙ୍କ ପ୍ରତି କୌଣସି ପ୍ରକାରର କଠୋରତା ସେ ସହି ପାରୁ ନ ଥିଲେ। ସେ କହୁଥିଲେ, “ପିଲାମାନେ ଯେ ପର୍ଯ୍ୟନ୍ତ ଘରେ ଓ ସ୍କୁଲରେ ଗାଳିମାଡ଼ ଖାଉଥିବେ, ସେ ପର୍ଯ୍ୟନ୍ତ ମୋର ଶାନ୍ତି କାହିଁ ?” ପିଲାମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନାର ପ୍ରତିରୋଧ କରିବା ପାଇଁ, ସେ ଛୋଟ ପିଲାଙ୍କୁ ନେଇ ଗୋଟିଏ 'ବାନର ସେନା' ଦଳ ଗଢିଥିଲେ । ପିଲାଙ୍କ ପ୍ରତି ଏଭଳି ଗଭୀର ଶ୍ରଦ୍ଧା ଯୋଗୁ ସେ “ନିଶବାଲୀ ମା” ଓ “ପିଲାଙ୍କ ଗାନ୍ଧିଜୀ” ନାଁରେ ମଧ୍ୟ ଜଣାଥିଲେ ।

ତାଙ୍କ ଶିକ୍ଷା ଦର୍ଶନର ମୂଳରେ ରହିଥିଲା ପିଲାଙ୍କ ପ୍ରତି ତାଙ୍କର ଏହି ଆଦର । ଏ ବିଷୟରେ ସେ କହିଥିଲେ, “ମୁଁ କିନ୍ତୁ ଲକ୍ଷ ଲକ୍ଷ ପିଲାଙ୍କ କଥା ଭାବୁଛି । ଆମରି ଆଖି ଆଗରେ ଏମାନଙ୍କର ଶୈଶବକୁ ହତ୍ୟା କରାଯାଇଛି, ସେମାନେ କଷ୍ଟ ପାଉଛନ୍ତି, ଅଥଚ ଆମେ ଚୁପଚାପ ଦେଖୁଛେ । ବର୍ତ୍ତମାନ ଆମର ମୂଳ କାମ ହେବ ଏ ହତ୍ୟାକୁ ବନ୍ଦ କରାଇବା । ଏଥିପାଇଁ ଆମକୁ ଖୁବ୍ ଜୋରରେ ସ୍ୱର ଉଠାଇବାକୁ ପଡ଼ିବ । ଆମର ଶଙ୍ଖନାଦ ଏପରି ତୀବ୍ର ହେବ, ଯେପରି କାଲର ମଧ୍ୟ କାନ ଏଥିରେ ଖୋଲିଯିବ । ଅନେକ ଲୋକ ଏଥିରେ ବିରକ୍ତ ହେବେ, ରାଗିବେ । କିନ୍ତୁ ଏହି ବିରକ୍ତି ବା ରାଗକୁ ଡରି କଣ ଆମେ ପିଲାମାନଙ୍କର ହତ୍ୟାକୁ ସହିଯିବୁ ? ଆଜି ମୋ ପାଇଁ ଯଥେଷ୍ଟ ହେବ ଯଦି ଆମର ସମାଜ ଏହି ଶିଶୁ ଦେବତାମାନଙ୍କୁ ଚିହ୍ନିପାରିବ । ଏ ଦିଗରେ ହାୱା ସୃଷ୍ଟି କରିବା, ତରଙ୍ଗ ଖେଳାଇବା ମୋର କାମ । ଏଥି ପାଇଁ ମୁଁ ସମସ୍ତଙ୍କର ସାହାଯ୍ୟ କାମନା କରୁଛି ।”

ପିଲାମାନଙ୍କ ବିଷୟରେ ଏବଂ ଶିକ୍ଷା ଉପରେ ତାଙ୍କର ଚିନ୍ତା ଓ ଦର୍ଶନକୁ ନେଇ ଗିଜୁଭାଇ ଛୋଟବଡ଼ ସମସ୍ତଙ୍କ ପାଇଁ ୨୦୦ରୁ ଅଧିକ ବହି ଲେଖିଥିଲେ । ଶିକ୍ଷା ପଦ୍ଧତି ଉପରେ ତାଙ୍କର ପରୀକ୍ଷା ଓ ଅନୁଭୂତି ସବୁକୁ ନେଇ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଧରଣର ତାଲିମ ବ୍ୟବସ୍ଥା ମଧ୍ୟ ସେ କରିଥିଲେ । ନୂଆ ଶିକ୍ଷାର ଯୋଜନାକୁ ନେଇ ଲେଖା ହୋଇଥିବା “ଦିବାସ୍ୱପ୍ନ” ବହିଟି ହେଉଛି ତାଙ୍କର ସର୍ବଶ୍ରେଷ୍ଠ କୃତି ।

୧୯୩୨ ମସିହାରେ ପ୍ରକାଶିତ ଏହି ବହିଟିରେ ସେ ସମୟର ଶିକ୍ଷାର ବ୍ୟବସ୍ଥାର ଦୋଷତୃଟିର ତାଲିକା ବା ସେସବୁର ତାତ୍ତ୍ୱିକ ଆଲୋଚନା ରହିନାହିଁ । ବରଂ ସେସବୁ ଦୋଷ ତୃଟିକୁ ଆଖି ଆଗରେ ରଖି ଗଠନମୂଳକ ଭାବରେ ଗୋଟିଏ ବିକଳ୍ପ ଯୋଜନା ବାଢ଼ି ଦିଆ ଯାଇଛି । ଏହି ଯୋଜନାଟିର ଉପଯୋଗିତା ସେ ସମୟ ପାଇଁ ଯେତିକି ଥିଲା, ବର୍ତ୍ତମାନ ପାଇଁ ମଧ୍ୟ ସେତିକି ରହିଛି । ବରଂ ଶିକ୍ଷାବ୍ୟବସ୍ଥା ଯେପରି ଭାବରେ ବିପର୍ଯ୍ୟସ୍ତ ହୋଇଚାଲିଛି, ଗିଜୁଭାଇଙ୍କର ଚିନ୍ତା ଓ ଯୋଜନାର ଗୁରୁତ୍ୱ ଅନେକ ଗୁଣରେ ବଢି ଯାଇଛି ।

ଗିଜୁଭାଇଙ୍କର ସେହି ଶଙ୍ଖନାଦ ହାୱା ଓ ତରଙ୍ଗକୁ ବଞ୍ଚାଇ ରଖିବା ଓ ବ୍ୟାପକତାର କରାଇବା ଉଦ୍ଦେଶ୍ୟରେ ଏହି ସଂସ୍କରଣଟିର ଉପସ୍ଥାପନା ।

('ଗିଜୁଭାଇ ଶିକ୍ଷା ନିଧି' ବହିଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।) 

No comments:

Post a Comment