Friday, April 20, 2018

କ୍ଲଦ୍ ଲେଭି-ସ୍ତ୍ରସ୍‌ଙ୍କର "ଆଦିମ" ଚିନ୍ତା ଓ "ସଭ୍ୟ" ମନ

ଅନୁବାଦ - ଜ୍ୟୋତି ନନ୍ଦ


୨୦୦୫ ମସିହାରେ ଉତ୍ତୋଳିତ କ୍ଲଦ୍ ଲେଭି-ସ୍ତ୍ରସ୍‌ଙ୍କର ଚିତ୍ର (ୱିକିମିଡିଆ କମନ୍ସ୍)

ସେମାନଙ୍କୁ ଆମେ ସାଧାରଣତଃ ଆଉ ଭୁଲରେ କହିଥାଉ 'ଆଦିମ' ମଣିଷ । (ସେମାନେ ଲେଖି ପାରନ୍ତି ନାହିଁ ବୋଲି ସେମାନଙ୍କୁ ସଂସାରରେ କେବଳ ଡକା ଯାଇଥାଏ ଆଉ ଏଇ ଲେଖିବା କାମଟିର ଫରକ୍ ରହିଛି ତାଙ୍କର ଆଉ ଆମ ଭିତରେ।ସେମାନଙ୍କୁ ସାଧାରଣତଃ ଯେଉଁ ଦୁଇଟି ଭାବରେ ବର୍ଣ୍ଣନା କରାଯାଇଥାଏ, ସେଇ ଦୁଇଟିରୁ କେଉଁ ଗୋଟିକ ବି ମୋ ମତରେ ଠିକ୍ ନୁହଁ । ପ୍ରଥମ ଧାରା ଅନୁସାରେସେମାନଙ୍କର ଭାବନାର ଧରଣଟି ବେଶ୍ ସ୍ଥୁଳ । ସମସାମୟିକ ନୃତତ୍ତ୍ୱରେ ଏଇ ଧାରାର ପ୍ରବକ୍ତାଙ୍କ ଭିତରୁ ଯାହାଙ୍କର ନାଆଁ ମୋ ମନକୁ ଆସୁଛି, ସେ ହେଲେ ମାଲିନୋସ୍କି । ଏହା ସହିତ ମାଲିନୋସ୍କି ମୁଁ ମୋର ଶ୍ରଦ୍ଧା ଜଣାଇବାକୁ ଚାହିଁବି । ନିଃସନ୍ଦେହରେ ସେ ମହାନ ନୃତତ୍ତ୍ୱବିତ୍‌ମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ତାଙ୍କର ଅବଦାନକୁ ମୁଁ କୌଣସି ପ୍ରକାରରେ ବିଦୃପ କରୁନାହିଁ । ତଥାପି ଅସ୍ୱୀକାର କରିବାର ଉପାୟ ନାହିଁ ଯେ, ସେ ଯେଉଁ ଜନଗୋଷ୍ଠୀ ଉପରେ କାମ କରିଛନ୍ତି ସେମାନଙ୍କ ସହିତ ଆଉ ଯେଉଁ ସବୁ ଜନଗୋଷ୍ଠୀ ରହିଛନ୍ତି ଯାହାର କୌଣସି ଲିଖିତ ଭାଷା ନାହିଁସେ ସମସ୍ତଙ୍କର ବଞ୍ଚି ରହିବାଟା ଏକାନ୍ତ ଭାବରେ ହିଁ ମୌଳିକ ଜୈବିକ ଚାହିଦା ଉପରେ ନିର୍ଭରଶୀଳ ବୋଲି ସେ ମନେ କରନ୍ତି । ତାଙ୍କ ମତରେ କୌଣସି ଜନଗୋଷ୍ଠୀ ଏକାନ୍ତ ଜୈବ ଚାହିଦା ଯେପରି ଅନ୍ନ ସଂସ୍ଥାନ,ଯୌନ ତୃପ୍ତି ସମ୍ପାଦନ ଇତ୍ୟାଦି କେନ୍ଦ୍ରିକ ହେଲେ, ଜଣେ ତାହାର ସାମାଜିକ ପ୍ରତିଷ୍ଟାନମିଥୋଲଜି ଇତ୍ୟାଦି ଅନେକ କିଛିର ବ୍ୟାଖ୍ୟା କରି ପାରିବ । ନୃତତ୍ତ୍ୱରେ ବ୍ୟାପକ ଭାବରେ ପ୍ରଚଳିତ ଏହି ଧାରଣା ସାଧାରଣ ଭାବରେ ଫଙ୍କସନାଲିଜମ୍ ନାମରେ ପରିଚିତ ।

ଏ ସମ୍ପର୍କିତ ଅନ୍ୟ ଘରାନାର ଚିନ୍ତାଟି ହେଉଛିଏ ଧରଣର ଜନଗୋଷ୍ଠୀର ଭାବନାର ଧାରାଟି ଠିକ୍ ନିମ୍ନମାନର ନୁହେଁ, ତେବେ ମୂଳଗତ ଭାବେ ଭିନ୍ନ ପ୍ରକୃତିର । ଏହି ଘରାନା ଟି ଦେଖାଯାଏ, ଲେଭି ବୃହଲ୍‌ଙ୍କ ଲେଖାରେ । ତାଙ୍କ ମତରେ 'ଆଦିମ' ଚିନ୍ତା ସହିତ ଆଧୁନିକ ଚିନ୍ତାର ତଫାତ୍ ହେଉଛିପ୍ରଥମ ଧାରାଟିର ପ୍ରଧାନତମ ନିର୍ଣ୍ଣାୟକ ଆବେଗ ଏବଂ ଆଧ୍ୟାତ୍ମିକ ବା ମିଷ୍ଟିକ୍ ପ୍ରକାଶ । କହିବାକୁ ଗଲେ ମାଲିନୋସ୍କିଙ୍କ ତତ୍ତ୍ୱ ଉପଯୋଗବାଦୀ ଆଉ ଅନ୍ୟଟି ଆବେଗିକ ଧାରଣାର ପ୍ରବକ୍ତା । ମୁଁ ବରାବର ଜୋର୍ ଦେଇ ଯାହା କହିବାକୁ ଚେଷ୍ଟା କରିଛି, ତାହା ହେଉଛିଲେଖାବିହୀନ ଜନଗୋଷ୍ଠୀର ଭାବନା ଯଥେଷ୍ଟ ପରିମାଣରେ ନୈର୍ବ୍ୟକ୍ତିକ ହେବାକୁ ସକ୍ଷମଯାହା ମାଲିନୋସ୍କିଙ୍କ ଧାରଣାର ବିପରୀତ । ଅନ୍ୟ ପକ୍ଷରେ ସେମାନଙ୍କର ଧାରଣା ବୁଦ୍ଧିବୃତ୍ତିକ ହେବାକୁ ସକ୍ଷମଯାହା ଲେଭି ବ୍ରୁହଲ୍‌ଙ୍କ ଧାରଣାର ବି ବିପରୀତ ।

'ଟୋଟେମିଜମ୍' ଏବଂ 'ଦି ସାଭେଜ ମାଇଣ୍ଡ' ବହି ଦୁଇଟିରେ ମୁଁ ଦେଖାଇବାକୁ ଚାହିଁଛି ଯେ, ଏହି ସବୁ ଜନଗୋଷ୍ଠୀ ଯେଉଁମାନଙ୍କୁ ଆମେ ପୁରାପୁରି ଜୈବିକ ପ୍ରୟୋଜନକ୍ଷୁଧା ନିବୃତ୍ତି ଏବଂ କଠୋର ପାରିପାର୍ଶ୍ୱିକ ଜୀବନ ରକ୍ଷା କରିବାର ନିରନ୍ତର ପ୍ରଚେଷ୍ଟାର ଅଧୀନ ବୋଲି ମନେ କରୁଛେ, ସେମାନେ ବି ଚମତ୍କାର ନୈର୍ବ୍ୟକ୍ତିକ ଚିନ୍ତାର ଅଧିକାରୀ ହୋଇ ପାରନ୍ତି । ଏହାର ଅର୍ଥ ଏହିପରି ହେବ ଯେ,ଚାରିପଟର ଜଗତଏଇ ପ୍ରକୃତି ଓ ନିଜର ସମାଜକୁ ବୁଝିବାର ପ୍ରେରଣା ସେମାନଙ୍କର ପାଖରେ ଖୁବ୍ ଭଲ ଭାବରେ ରହିଛି । ଅନ୍ୟ ଦିଗରେ ଏଇ ଅଭୀଷ୍ଟଟି ଅର୍ଜନ ପାଇଁ ସେମାନେ ଦାର୍ଶନିକ ଭଳି ବା ବେଳେବେଳେ କେଉଁଠି ଜଣେ ବୈଜ୍ଞାନିକ ଭଳି ବୁଦ୍ଧିବୃତ୍ତିକ ଉପାୟରେ ଅଗ୍ରସର ହୋଇଥାନ୍ତି ।

ଏହା ମୋର ମୂଳ ପ୍ରସ୍ତାବନା ।


କ୍ଲଦ୍ ଲେଭି-ସ୍ତ୍ରସ୍‌ଙ୍କର ବହି ଦି ସ୍ୟାଭେଜ ମାଇଣ୍ଡର
ପ୍ରଥମ ସଂସ୍କରଣର ଚିତ୍ର (ୱିକିମିଡିଆ କମନ୍ସ୍) 

ଏଇ ସୁଯୋଗରେ ମୁଁ ଗୋଟିଏ ଭୁଲ ବୁଝାମଣାକୁ ଦୂର କରିଦେବାକୁ ଚାହିଁବି । କୌଣସି ଗୋଟିଏ ଭାବନାକୁ ନୈର୍ବ୍ୟକ୍ତିକ ଏବଂ ବୁଦ୍ଧିବୃତ୍ତିକ ଚିନ୍ତା ବୋଲି କହିବାର ମାନେ ତାହାକୁ ବୈଜ୍ଞାନିକ ଭାବନା ହିସାବରେ ସ୍ୱୀକୃତି ଦେବା ନୁହଁ । ଏଇ ଧରଣର ଚିନ୍ତା ଯେ ଭିନ୍ନ ତାହା ଗୋଟିଏ କାରଣ ଆଉ ଏହାର ଗୌଣତାର କାରଣ ଆଉ ଗୋଟିଏ । ଏଇ ଚିନ୍ତାର ଭିନ୍ନତାର କାରଣ ଏହା ଯେ, ଏହି ଚିନ୍ତା ସବୁଠାରୁ ସହଜ ଓ ସଂକ୍ଷିପ୍ତ ବାଟରେ ମହାଜାଗତିକ ସତ୍ୟର ସ୍ୱରୂପକୁ ବୁଝିବାକୁ ଚାହେଁଖାଲି ବୁଝିବାକୁ ଚାହେଁ ନୁହଁ ସାମଗ୍ରିକ ଭାବରେ ବୁଝିବାକୁ ଚାହେଁ । ଏଇଟି ଏମିତି ଗୋଟିଏ ଧରଣର ଚିନ୍ତା ଯାହାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଇଙ୍ଗିତ ଏଇ ଭଳି ଯେ, ସବୁ କିଛି ବୁଝି ନ ପାରିଲେ ଆପଣ କିଛି ହେଲେ ବ୍ୟାଖ୍ୟା କରି ପାରିବେ ନାହିଁ । ଏହା ସାଧାରଣତଃ ବୈଜ୍ଞାନିକ ଚିନ୍ତା ଯାହା କରିଥାଏ, ତାହାର ପୂରା ବିପରୀତ । ବୈଜ୍ଞାନିକ ଚିନ୍ତା ପାଦେ ପାଦେ ଆଗାଏଗୋଟିଏ ସୀମିତ ଓ ସାମାନ୍ୟ ଘଟଣାର ବ୍ୟାଖ୍ୟା ଦେବାପାଇଁ ଚେଷ୍ଟା କରିଥାଏ ଓ ତାହା ପରେ ପରବର୍ତ୍ତି ଘଟଣା ଆଡକୁ ଯାଇଥାଏ । ଠିକ୍ ଯେମିତି ଦେକାର୍ତେ କହିଥିଲେବୈଜ୍ଞାନିକ ଚିନ୍ତା କୌଣସି ସମସ୍ୟାକୁ ବ୍ୟାଖ୍ୟା କରିବା ପାଇଁ ସମସ୍ୟାଟିକୁ ଯେତିକି ସମ୍ଭବ ହେବ ସେତିକି ପ୍ରକାରର ଛୋଟ ଛୋଟ ଅଂଶରେ ଏହାକୁ ଭାଗ କରି ନେଇଥାଏ ।

ଫଳସ୍ୱରୂପ ଆଦିମ ମନନରେ ସାମଗ୍ରିକତାର ଏଇ ଆକାଂକ୍ଷା ବୈଜ୍ଞାନିକ ଚିନ୍ତାର ପ୍ରକ୍ରିୟା ଠାରୁ ଅଲଗା । ସବୁଠୁ ବଡ ତଫାତ୍ ଅବଶ୍ୟ ଏଇ ଆକାଂକ୍ଷା କେବେହେଲେ ତୃପ୍ତ ହୁଏ ନାହିଁ । ବୈଜ୍ଞାନିକ ପ୍ରକ୍ରିୟାରେ ଚିନ୍ତା ଆମକୁ ପ୍ରକୃତି ଉପରେ ପ୍ରଭୂତ୍ୱ ବିସ୍ତାର ପାଇଁ ସାହାଯ୍ୟ କରିଛି, ତାହା ଯଥେଷ୍ଠ ସ୍ପଷ୍ଟ ବୋଲି କୌଣସି ବ୍ୟାଖ୍ୟାର ଆବଶ୍ୟକ ନାହିଁ । ଅନ୍ୟ ପକ୍ଷରେ ମିଥ୍ ମଣିଷକୁ ପରିବେଶର ଉପରେ ବସ୍ତୁଗତ ଅଧିକାର ଦେବାକୁ ଅପାରଗ । ତେବେ ମିଥ୍ ମଣିଷକୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଭ୍ରମଟି ଦେଇଥାଏ ତାହା ହେଉଛି, ସେ ଅର୍ଥାତ୍ ମଣିଷ ବିଶ୍ୱପ୍ରକୃତିକୁ ବୁଝିବାକୁ ସକ୍ଷମ । ତାହା କହିବାକୁ ଗଲେ ବିଭ୍ରମଟିଏ,ସତ ନୁହେଁ ।

ଏହି ପ୍ରସଙ୍ଗରେ ଆମର ମନେ ରଖିବା ଦରକାର ଯେ, ବୈଜ୍ଞାନିକ ପଦ୍ଧତିରେ ଚିନ୍ତା କରିବାକୁ ଗଲା ବେଳେ ଆମେ ଆମର ମସ୍ତିଷ୍କର କ୍ଷମତାକୁ ଖୁବ୍ କମ୍ ବ୍ୟବହାର କରିଥାଉ । ଆମେ ସାଧାରଣତଃ ଆମର ଚିନ୍ତା କ୍ଷମତା ସେତିକି ବ୍ୟବହାର କରିଥାଉ, ଯେତିକି ଆମର ପେଶାବ୍ୟବସାୟ ବା ଆମର ସେହି ସମୟର ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଦରକାର ହୋଇଥାଏ । ଏହା ସହିତ ଆମେ ସମସ୍ତେ ଯେ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ଆଗ୍ରହୀ ହେବୁ, ଏମିତି ଆଶା କରିବା ଠିକ୍ ହେବନାହିଁତେଣୁ ଆମର ଯାହାର ଯେଉଁ ବିଷୟରେ ଆଗ୍ରହ, ସେହି ବିଷୟରେ ଆମେ ଆମର ମାନସିକ ଶକ୍ତିର ଏକ ନିର୍ଦ୍ଦିଷ୍ଟ ଅଂଶର ବ୍ୟବହାର କରିଥାଉ । ଆହୁରି ଏ କଥା କୁହାଯାଇ ପାରିବ ଯେ, ଯଦି ଜଣେ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ଦୀର୍ଘ ଦିନ ଧରି କାମ କରିଆସୁଥାଏ, ତେବେ ସେହି କ୍ଷେତ୍ରରେ ସେ ଅଭ୍ୟାସବଶତଃ ତାହାର ମାନସିକ ଶକ୍ତିର ଖୁବ୍ କମ୍ ଅଂଶ ବିନିଯୋଗ କରିଥାଏ ।

ଆଜିକାଲି ଦେଖିଲେ ଆମେ ଅତୀତ ଅପେକ୍ଷା କେତେବେଳେ କମ୍ ବା କେତେବେଳେ ବେଶି ମାନସିକ ଶକ୍ତିର ବ୍ୟବହାର କରିଥାଉଏବଂ ଆଗରୁ ଯେଉଁ ଧରଣର ମାନସିକ ଶକ୍ତି ଆମେମାନେ ବ୍ୟବହାର କରୁଥିଲୁ, ଏବେ ଆଜିକାଲିର ଯୁଗରେ ବ୍ୟବହୃତ ମାନସିକ ଶକ୍ତିର ପ୍ରକୃତି ସେଇଭଳି ରହିନାହିଁ । ଯେପରି,ଏବେ ଆମେମାନେ ଇନ୍ଦ୍ରିୟଜ ଧାରଣା ଅନେକ କମ୍ ବ୍ୟବହାର କରୁଛୁ । ମୁଁ ଯେତେବେଳେ 'ମିଥଲଜିକସ୍' ('ଇଣ୍ଟ୍ରୋଡକସନ୍ ଟୁ ଏ ସାଇନ୍ସ ଅଫ୍ ମିଥଲଜି'ଲେଖୁଥିଲି, ସେତେବେଳେ ଖୁବ୍ ରହସ୍ୟମୟ କଥାଟିଏ ମୋ ଆଖିରେ ପଡିଥିଲା । ମୁଁ ଏମିତି ଗୋଟିଏ ଜନଗୋଷ୍ଠୀର କଥା ଜାଣିବାକୁ ପାଇଥିଲି, ଯେଉଁମାନେ ପ୍ରଥମେ ସୂର୍ଯ୍ୟାଲୋକରେ ସନ୍ଧ୍ୟା ତାରା ଦେଖିପାରୁଥିଲେ । ମୋତେ କଥାଟି ବିଶ୍ୱାସଯୋଗ୍ୟ ଲାଗିଲା ନାହିଁ । ଯେତେବେଳେ ଏଇ କଥାଟିକୁ ମୁଁ ପେଶାଦାର ଜ୍ୟୋତିର୍ବିଦ ମାନଙ୍କ ପାଖକୁ ନେଲି, ସେମାନେ କହିଲେଶୁକ୍ର ଗ୍ରହରୁ ଦିନ ବେଳା ଯେତିକି ପରିମାଣର ଆଲୁଅ ପ୍ରତିଫଳିତ ହୋଇ ଆସେ, ସେଥିରେ ଆମେମାନେ ତାହାକୁ ଦେଖି ନ ପାରିଲେ ବି, କିଛି ଲୋକ ଯଦି ତାହାକୁ ଦେଖି ପାରୁଥାନ୍ତି, ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ପରେ ମୁଁ ଆମର ନିଜ ସଭ୍ୟତାର ଅନ୍ତର୍ଗତ ପ୍ରାଚୀନ ମଣିଷମାନଙ୍କର ନୌଯାତ୍ରାର ବିବରଣୀ ଘାଣ୍ଟି ଦେଖିଲି ଯେ, ସେତେବେଳର ନାବିକମାନେ ପ୍ରଖର ସୂର୍ଯ୍ୟାଲୋକରେ ଶୁକ୍ର ଗ୍ରହକୁ ବି ଦେଖିପାରୁଥିଲେ । ହୁଏତ ଏବେ ଆମେ ବି ସେମିତି ଦେଖି ପାରୁଥାଆନ୍ତୁ ଯଦି ଆମର ସେମିତି ଚର୍ଚ୍ଚା ଅବ୍ୟାହତ ହୋଇ ରହିଥାଆନ୍ତା ।

ଲେଭି-ସ୍ତ୍ରସ୍‌ଙ୍କର ଏକ ରେଖାଚିତ୍ର (ୱିକିମିଡିଆ କମନ୍ସ୍) 

ଗଛ ବା ପଶୁପକ୍ଷୀ ମାନଙ୍କର ବିଷୟରେ ଆମର ସେମିତି ସମାନ ଅବସ୍ଥା । ଯେଉଁ ସବୁ ଜନଗୋଷ୍ଠୀର ଲିଖିତ ଭାଷା ନାହିଁ ସେମାନେ ତାଙ୍କର ପରିବେଶ ଓ ସବୁ ପ୍ରାକୃତିକ ବିଷୟରେ ବିପୁଳ ଜ୍ଞାନର ଅଧିକାରୀ ହୋଇ ରହିଥାନ୍ତି । ଏହି ସବୁ ଜ୍ଞାନ ଆମେମାନେ ହରାଇ ବସିଛୁ ତେବେ ତାହା ବିନା କାରଣରେ ଘଟିନାହିଁ । ଏହା ବଦଳରେ ଆମେ ଏବେ ଦୁର୍ଘଟଣାରହିତ ବେଗରେ ଗାଡ଼ି ଚଲାଇପାରୁ ଅଥବା ସନ୍ଧ୍ୟାରେ ଟେଲିଭିଜନକୁ ବାଦ ଦେଇ ବସି ରହି ପାରୁଛୁ । ବିଷୟଟି ଗୋଟିଏ ପ୍ରକାର ମାନସିକ ସକ୍ଷମତାର ଆଭାସ ଦିଏ, ଯାହାର ପ୍ରୟୋଜନ 'ଦିମ' ମଣିଷର ନାହିଁ । ମୁଁ ଯାହା ଅନୁଭବ କରେ, 'ଆଦିମ' ମଣିଷର ଯେଉଁ ସାମର୍ଥ୍ୟ ରହିଛି ତାହାକୁ ସମ୍ବଳ କରି ସେମାନେ ନିଜ ନିଜର ଜୀବନର ମାନକୁ ଆମୂଳ ବଦଳାଇ ଦେଇ ପାରିବେକିନ୍ତୁ ଯେଉଁ ଧରଣର ଜୀବନ ସେମାନ ଯାପନ କରନ୍ତି ବା ପ୍ରକୃତି ସହ ସେମାନଙ୍କର ଯେଉଁ ସମ୍ପର୍କ, ସେଥିରେ ଏହି ସବୁର ଦରକାର ଆଦୌ ନାହିଁ । ସାମଗ୍ରିକ ଭାବରେ ମାନବ ଜାତିର ଯେଉଁ ମାନସିକ ସାମର୍ଥ୍ୟ ରହିଛି, ସେଇ ସବୁକୁ ଆପଣ ଏକା ଥରକରେ ପାଇ ପାରିବେ ନାହିଁ।ଆ ପ ଣ କେବଳ ମାତ୍ର ଗୋଟିଏ କ୍ଷୁଦ୍ର କ୍ଷେତ୍ର ବ୍ୟବହାର କରିପାରନ୍ତିଏବଂ ସଂସ୍କୃତିର ଫରକରେ ସେଇ କ୍ଷେତ୍ରଟି ଏକା ନୁହଁ । ଏଇଟି ସବୁଠୁ ବଡ କଥା । ନୃତାତ୍ତ୍ୱିକ ଗବେଷଣାରେ ଗୁରୁତ୍ୱପୂର୍ଣ୍ଣ ଉପସଂହାର ଗୁଡିକ ମଧ୍ୟରୁ ଗୋଟିଏ ସମ୍ଭବତଃ ଏହିପରି ଯେମାନବ ଜାତିର ବିଭିନ୍ନ ଅଂଶରେ ବିଭାଜିତ ସଂସ୍କୃତିର ଭିନ୍ନତା ସତ୍ତ୍ୱେ ମାନବମସ୍ତିଷ୍କ ସର୍ବତ୍ର ହିଁ ଏକ ଏବଂ ଏକା ଧରଣର ସାମର୍ଥ୍ୟର ଅଧିକାରୀ । ମୋର ମନେ ହୁଏ ଏଇ କଥାକୁ ସମସ୍ତେ ସ୍ୱୀକାର କରନ୍ତି ।

ପୃଥିବୀରେ ବିରାଜମାନ କରୁଥିବା ବିଭିନ୍ନ ସଂସ୍କୃତି ଖୁବ୍ ପଦ୍ଧତିଗତ ଭାବେ ବା ନିୟମମାଫିକ୍ ଜଣେ ଅନ୍ୟଠୁ କେଉଁ ପରି ଛୁଆଁ ହେବନି, ଯେମିତି ସେଇ କଥାକୁ ବଞ୍ଚାଇ ରଖି ନିଜର ସ୍ୱାତନ୍ତ୍ର୍ୟ ରକ୍ଷା କରିବାର ଚେଷ୍ଟା କରୁଛିଏଇ କଥା ମୋ ମନକୁ ପାଉ ନାହିଁ । ସତଟି ହେଉଛି ହଜାରହଜାର ବର୍ଷ ଯାଏଁ ପୃଥିବୀର ବୁକୁରେ ମଣିଷର ସଙ୍ଖ୍ୟା ଖୁବ୍ ବେଶି ନଥିଲା । ଛୋଟ ଛୋଟ ଗୋଷ୍ଠୀରେ ଭାଗ ହୋଇ ମଣିଷ ବିଭିନ୍ନ ଜାଗାରେ ଅନ୍ୟ ଜନଗୋଷ୍ଠୀ ଠାରୁ ବିଛିନ୍ନ ଅବସ୍ଥାରେ ବାସ କରୁଥିଲା । ଫଳରେ ସ୍ୱାଭାବିକ ଭାବେ ପ୍ରତ୍ୟେକର ତିଆରି ହୋଇଥିଲା ସ୍ୱତନ୍ତ୍ର ଜୀବନଧାରା । ଏପରି ହେବା ଯେ ସେମାନଙ୍କର ଲକ୍ଷ୍ୟ ଥିଲା ସେକଥା ନୁହଁ । ବରଂ ଏହା ଥିଲା ଇତିହାସରେ ଦୀର୍ଘ ସମୟ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ତାହାର ସ୍ୱାଭାବିକ ଫସଲ ।

ଏବେ ଏଇ ସ୍ୱାତନ୍ତ୍ର୍ୟର ଘଟଣାଟିକୁ ଆପଣମାନେ କ୍ଷତିକର ଭାବୁଛନ୍ତି କି ଗୋଷ୍ଠୀସମୂହର ସାଂସ୍କୃତିକ ଫରକକୁ ବାଦ୍ ଦେଇ ସମସ୍ତେ ଏକ ହୋଇଯିବାକୁ ହେବ ବୋଲି ମନେ କରନ୍ତିତାହା ମୋର ଅଭିପ୍ରେତ ନୁହଁ । ପ୍ରକୃତ କଥାଟି ହେଲା ଏଇ ଫରକଗୁଡିକ ଖୁବ୍ ଫଳଦାୟକ ଏଇ ଅର୍ଥରେ ଯେ, ଏଇ ସବୁ ଫରକଗୁଡିକ ମଧ୍ୟ ଦେଇ ପ୍ରଗତି ସମ୍ଭବ ହୋଇଛି । ଏଇ ସମୟରେ ଆମ ପାଇଁ ଯାହା ବିପଜ୍ଜନକ ଭାବରେ ଦେଖା ଦେଇଛି, ତାହାକୁ ଆମେ ଅତି-ଯୋଗାଯୋଗ ବା 'ଓଭର-କମ୍ୟୁନିକେସନ୍' ବୋଲି କହିପାରିବୁ । ଅର୍ଥାତ୍ ପୃଥିବୀର ଗୋଟିଏ ପ୍ରାନ୍ତରେ ବସି ଆଉ ସବୁ ପ୍ରାନ୍ତରେ କ'ଣ ସବୁ ଘଟି ଚାଲିଛି ତାହାକୁ ପୁଙ୍ଖାନୁପୁଙ୍ଖ ଜାଣି ନେବାର ପ୍ରବଣତା । ଗୋଟିଏ ସଂସ୍କୃତି ପକ୍ଷରେ ଠିକ୍ ନିଜ ଭଳି ହୋଇ ଉଠିବାର ପାଇଁ ଏବଂ ମୌଳିକ କିଛି ଜନ୍ମ ଦେବାର ପାଇଁସେଇ ସଂସ୍କୃତିକୁ ଓ ଏହାର ସଦସ୍ୟମାନଙ୍କର ନିଜେ ନିଜର ଅନନ୍ୟତା ସମ୍ପର୍କରେ ଯେଉଁ ପରି ଆସ୍ଥାଶୀଳ ହେବାକୁ ପଡିବ ସେହିପରି ଅନ୍ତତଃ କିଛି ପରିମାଣରେ ହେଉ ପଛକେ ଅନ୍ୟ ଗୋଷ୍ଠୀର ଉପରେ ନିଜର ଶ୍ରେଷ୍ଠତ୍ୱର ଏକ ଧରଣର ଭାବ ରହିବା ଦରକାର । ଏକମାତ୍ର 'ଅଣ୍ଡର-କମ୍ୟୁନିକେସନ୍'ର ସର୍ତ୍ତରେ ଗୋଟିଏ ସଂସ୍କୃତି ମୌଳିକ କିଛି ସୃଷ୍ଟି କରିବାକୁ ସକ୍ଷମ ହୋଇପାରିବ । ଏଇ ଯୁଗରେ ଭୋକ୍ତା ହୋଇ ଉଠିବାର ସମ୍ଭାବନା ନାହିଁ, ଯେମିତି ଆମର ସବୁଠୁ ବଡ ବିପଦ ହୋଇ ଛିଡା ହୋଇଛିଆମେ ଏବେ ଦୁନିଆର ଯେ କୌଣସି ଜାଗାର ସକଳ ସଂସ୍କୃତିର ଯାହା କିଛି ବି ଆତ୍ମସାତ୍ କରିପାରୁକିନ୍ତୁ ତାହା ଫଳରେ ନିଜର ମୌଳିକତା ହରାଇ ବସିବାର ଉପକ୍ରମ ହୋଇଥାଏ ।

ଲେଭି-ସ୍ତ୍ରସ୍‌ଙ୍କର ଖାଦ୍ୟ ତ୍ରିକୋଣ

ଆମେ ଏବେ ଏମିତି ଏକ ପୃଥିବୀର ଛବି ଆଖି ଆଗରେ ଦେଖିବାକୁ ପାଉ, ଯେଉଁଠି ସାରା ଦୁନିଆରେ କେବଳ ଗୋଟିଏ ବୋଲି ସଂସ୍କୃତି ବିରାଜ କରୁଥିବ । ଏଇମିତି କଥା ଆଦୌ ଘଟିଯିବ ବୋଲି ମୁଁ ବିଶ୍ୱାସ କରେ ନାହିଁ, କାରଣ ପୃଥିବୀରେ ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱର ପ୍ରବଣତା ସବୁବେଳେ କାର୍ଯ୍ୟ କରୁଥିବ । କହିବାକୁ ଗଲେଗୋଟିଏ ପଟରେ ଥିବ ଏକୀକରଣର ଚେଷ୍ଟା ଆଉ ଆର ପଟରେ କାମ କରି ଚାଲିଥିବ ସ୍ୱାତନ୍ତ୍ର୍ୟକୁ ଧରି ରଖିବାର ପ୍ରବଣତା । ଗୋଟିଏ ସଭ୍ୟତା ଯେତେ ବେଶି ସମଧର୍ମୀ ହେବା ବାଟରେ ଆଗେଇଯାଉଥିବଏହା ଭିତରେ ବିଭାଜିତ ଫରକର ରେଖାଗୁଡିକ ସେତେ ବେଶି ସ୍ପଷ୍ଟ ହୋଇଆସୁଥିବ । ଗୋଟିଏ ପର୍ଯ୍ୟାୟରେ ଯାହା ଅର୍ଜନ ଆଉ ଗୋଟିଏ ପର୍ଯ୍ୟାୟରେ ତାହା ହରାଇ ବସିବାକୁ ହେଉଥିବ । ଏଇଟି ମୋର ଏକାନ୍ତ ନିଜର ଅନୁଭବଏହି ଦ୍ୱାନ୍ଦିକ ପ୍ରକ୍ରିୟାଟିର କୌଣସି ବାସ୍ତବ ପ୍ରମାଣ ମୋ ହାତରେ ନାହିଁ । ତଥାପି ମାନବ ଜାତି ଆଭ୍ୟନ୍ତରିଣ କୌଣସି ବୈଚିତ୍ର୍ୟ ବ୍ୟତୀତ ବଞ୍ଚି ରହିଛି, ସେମିତି କଥା ମୁଁ କଳ୍ପନା କରି ପାରିବି ନାହିଁ ।

କାନାଡାର ଗୋଟିଏ ମିଥ୍ ବିଷୟରେ ଟିକିଏ କଥା ହେବା । ଗୋଟିଏ ସ୍କେଟ୍ ମାଛର ଦକ୍ଷିଣାପବନକୁ ବନ୍ଦୀ କରିବାର ଗପ ଏଇଟି । ଏହା ଏମିତି ଏକ ସମୟର ଗପ, ଯେତେବେଳେ ପୃଥିବୀରେ ମଣିଷ ନ ଥିଲେ, ଅର୍ଥାତ୍ ଯେତେବେଳେ ଜଗତରେ ପଶୁ ଆଉ ମଣିଷ ଆଜି ଯେମିତି ଅଲଗା ଅଲଗା ପ୍ରକାରର ସେମିତି ହୋଇ ନ ଥିଲେମାନେ ସବୁ ପ୍ରାଣୀ ସମସ୍ତେ ଅଧା ମଣିଷ ଆଉ ଅଧା ପଶୁ ଭଳି ଥିଲେ ।ସେ ସମୟର ଭୀଷଣ ବତାସରେ ସବୁ କିଛି ବିପର୍ଯ୍ୟସ୍ତ ହୋଇ ଉଠୁଥିଲାକାରଣ ବତାସ, ବିଶେଷ କରି ଖରାପ ବତାସ, ସବୁ ସମୟରେ ବହୁଥିଲା । ଆଉ ତାହା ଫଳରେ ମାଛ ଧରିବା ଆଉ ସମୁଦ୍ର କୂଳରୁ ମୁକ୍ତା ସଙ୍ଗ୍ରହ କରିବା ଅସମ୍ଭବ ହୋଇ ଉଠୁଥିଲା । ତେଣୁ ପ୍ରାଣୀକୂଳ ଏଇ ବତାସକୁ ଶାସ୍ତି ଦେବାକୁ ସିଦ୍ଧାନ୍ତ ନେଲେ । ଗୋଟିଏ ଅଭିଯାନ ଆରମ୍ଭ ହେଲା ଯେଉଁଠି ଦକ୍ଷିଣା ପବନକୁ ପରାସ୍ତ କରିବା ପାଇଁ ସ୍କେଟ୍ ମାଛ ସହିତ କିଛି ମଣିଷ-ପଶୁ ଓ କିଛି ପଶୁ-ମଣିଷ ଭାଗ ନେଲେ । ଦକ୍ଷିଣାପବନ ପରାସ୍ତ ହୋଇ ବନ୍ଦୀ ହେଲା । ଭବିଷ୍ୟତରେ ଏମିତି ଖରାପ ଭାବରେ ନ ବହି ସେ ମଝିରେ ମଝିରେ ବହିବ ବୋଲି ସର୍ତ୍ତରେ ରାଜି ହେବାରୁ, ତାହାକୁ ଛାଡ଼ି ଦିଆଗଲା । ସେଇ ଦିନଠୁ ଦକ୍ଷିଣା ପବନ ସାରା ବର୍ଷରେ ମାତ୍ର କେତେ ଦିନ ବହିଥାଏ, ଆଉ ବାକି ସମୟତକ ଲୋକେ ତେଣୁ ସେମାନଙ୍କର କାମଧନ୍ଦା ସୁରୁଖୁରୁରେ କରି ପାରୁଛନ୍ତି ।

ଏଇ ଘଟଣାଟି ବାସ୍ତବରେ କେବେ ଘଟିନାହିଁ । ଏହାକୁ ଭାବି ତୃପ୍ତ ହେବାର କିଛି ଅବକାଶ ନାହିଁ, କାରଣ ଘଟଣାଟି ଭାରି ଅଦ୍ଭୁତ, ଏବଂ ବାୟୁଗ୍ରସ୍ତ ମସ୍ତିଷ୍କର ଅତ୍ୟୁର୍ବର କଳ୍ପନାର ଫସଲ । କାହାଣୀଟିକୁ ଆମକୁ ଗୁରୁତ୍ୱର ସହ ନେବାକୁ ହେବ ଏବଂ ନିଜକୁ ପ୍ରଶ୍ନ ପଚାରିବାକୁ ପଡିବ । ପ୍ରଶ୍ନଟି ହେଉଛିକାହିଁକି ସ୍କେଟ୍ ମାଛକାହିଁକି ଦକ୍ଷିଣା ପବନ ?

ମନ ଦେଇ କାହାଣୀଟିକୁ ଲକ୍ଷ୍ୟ କଲେ ସ୍କେଟ୍ ମାଛର କିଛି ବୈଶିଷ୍ଟ୍ୟ ଆଖିକୁ ଆସିବ । ଏଠାରେ ବର୍ଣ୍ଣିତ ସ୍କେଟ୍ ମାଛର ଚରିତ୍ରରେ ଦୁଇ ଧରଣର ବୈଶିଷ୍ଟ୍ୟ ଦେଖା ଯାଉଛି । ପ୍ରଥମ ବୈଶିଷ୍ଟ୍ୟ ହେଉଛି ଏହା ଦେଖିବାକୁ ଆଉ କେତେ ମାଛ ପରି ଚେପେଟାଏହାର ତଳ ଭାଗଟି ବେଶ୍ ପିଚ୍ଛିଳ ଆଉ ପିଠିପଟଟି ରୁକ୍ଷ । ସ୍କେଟ୍ ମାଛର ଆଉ ଗୋଟିଏ ବଡ କ୍ଷମତା ହେଲା, ସେ ଶତୃ ମୁକାବିଲା ସମୟରେ ଅତି ଶିଘ୍ର ଶତୃ କବଳରୁ ଚମ୍ପଟ ମାରିପାରିଥାଏ । ଏହି କାମରେ ମାଛଟିକୁ ଯାହା ସାହାଯ୍ୟ କରିଥାଏ, ତାହା ତାହାର ଶରୀର । ସ୍କେଟ୍ ମାଛକୁ ଉପରୁ ବା ତଳୁ ଦେଖିଲେ ବିରାଟ ମନେ ହୁଏ, କିନ୍ତୁ ପାଖରୁ ଦେଖିଲେ ବୁଝାଯିବ ଯେ, ଏହାର ବେଧ ଖୁବ୍ କମ୍, ଅର୍ଥାତ୍ ତାହାର ପିଠି ଆଉ ପେଟ ମଝିରେ ଦୈର୍ଘ୍ୟ ଅତି ଅଳ୍ପ । ଶତୃ ହୁଏତ ଦେଖିଲେ ସ୍କେଟ ମାଛକୁ ଭାବିବ ଯେ ମାଛଟି ଢେର୍ ବଡସହଜରେ ତୀର ମାରି ଘାଏଲ୍ କରାଯାଇ ପାରିବ । କିନ୍ତୁ ତୀର ନିଶାନା କଲେ ଦେଖାଯିବ, ମାଛଟି ନିମିଷ ମାତ୍ରକେ ଘୁରି ଯାଉଛି ବା ପିଛଳି ଯାଉଛି । ଆଉ ଗୋଟିଏ ପାଖରୁ ତ ତୀର ମାରି ତାହାକୁ ଆଘାତ କରିବା ସମ୍ଭବ ନୁହେଁ, କାରଣ ପେଟ ଆଉ ପିଠି ଭିତରେ ବେଧଟି ଢେର୍ କମ । ତେଣୁ ସ୍କେଟ୍ ମାଛର କାହାଣୀଟିକୁ ଆମଦାନୀ କରାଯାଇଛି, ଯାହାର କାରଣଟିକୁ ସାଇବରନେଟିକ୍ସର ଭାଷାରେ କହିଲେଏହି ଚରିତ୍ରଟି କେବଳ 'ହଁ' ବା 'ନାଁ' ରେ ଉତ୍ତର ଦେଇ ପାରିବାକୁ ସକ୍ଷମ । ସ୍କେଟ୍ ମାଛ କେବଳ ଦୁଇଟି ବିପରୀତ ବିପରୀତ ଅବସ୍ଥା ତିଆରି କରି ପାରେଗୋଟିଏ ଅସ୍ତିବାଚକ ବା ପଜିଟିଭ୍ ଆଉ ଆରଟି ନାସ୍ତିବାଚକ ବା ନେଗେଟିଭ୍ । ଏଇ ମିଥ୍‌ଟିରେ ସ୍କେଟ୍ ମାଛକୁ ଯେଉଁ ଧରଣର କାମରେ ଲଗା ଯାଇଛି, ତାହା ସହିତ (ମୁଁ ଅବଶ୍ୟ ସାଦୃଶ୍ୟର ବିଷୟଟିକୁ ଖୁବ୍ ବେଶି ଲମ୍ବେଇବାକୁ ଚାହେଁ ନାହିଁଆଧୁନିକ କମ୍ପ୍ୟୁଟରରେ ଯେମିତି 'ହଁ/ନାଁ' (ବାଇନାରି ପଦ୍ଧତିପଦ୍ଧତି ବ୍ୟବହାର କରି ଖୁବ୍ ଜଟିଳ ସମସ୍ତ ସମସ୍ୟାର ସମାଧାନ କରାଯାଉଛି, ତାହାର ତୁଳନା କରାଯିବା ପ୍ରାସଙ୍ଗିକ ।

ପଲ କ୍ଲୀଙ୍କର ଚିତ୍ର 'ଫ୍ଲାୱାର୍ ମିଥ୍'

ବାସ୍ତବତାର ଆଧାରରେ ଆମେ ସମସ୍ତେ ବୁଝିଛୁ ଯେ, ମାଛ ପକ୍ଷରେ ବତାସ ସହ ଯୁଦ୍ଧ ହେବା ସମ୍ଭବ ନୁହଁକିନ୍ତୁ ଅଭିଜ୍ଞତାଜାତ ଚିତ୍ରକଳ୍ପ କାହିଁକି ବ୍ୟବହାର କରାଯାଏ, ତାହାର ଯୁକ୍ତିଟି ମୋର ଅଜଣା ନାହିଁ । ମିଥଜ ଭାବନାର ଏଇଟି ମୌଳିକ ଦିଗଧାରଣାଗତ ଚିନ୍ତାର ଭୂମିକା ପାଳନ କରିଥାଏ, ଏହା ଯୁକ୍ତି ଦୃଷ୍ଟିରୁବାଇନାରିର ଜଟିଳତା ଥିବା ଏଇ ଧରଣର ସମସ୍ୟା ସହିତ ଯୁକ୍ତ କରି ଏକ ପ୍ରାଣୀକୁ ବ୍ୟବହାର କରାଯାଇପାରେ, ଯାହାକୁ ମୁଁ ବାଇନାରି ଅପରେଟର୍ ବୋଲି ସେଇ ହିସାବରେ ନାଆଁ ଦେଉଛି । ଦକ୍ଷିଣା ପବନ ଯଦି ବର୍ଷର ସବୁ ଦିନ ବହିବ, ତେବେ ମଣିଷ ପକ୍ଷରେ ଜୀବନଯାପନ ଅସମ୍ଭବ ହୋଇ ପଡିବ । ଯଦି ଦିନେ ଦୁଇ ଦିନ ବହେ, ଅର୍ଥାତ୍ ଦିନେ ହେବ 'ହଁ'ଦିନେ ହେବ 'ନାଁ' ଇତ୍ୟାଦିତାହା ହେଲେ ପୃଥିବୀରେ ମଣିଷର ପ୍ରୟୋଜନ ଆଉ ପ୍ରକୃତିରେ ବିରାଜିତ ଅବସ୍ଥା ସମୂହର ଭିତରେ ଏକ ଭାରସାମ୍ୟ ତିଆରି ହୋଇପାରିବ ।

ଏଇଭଳି ଯୁକ୍ତିଦୃଷ୍ଟିରୁ ସ୍କେଟ୍ ମାଛ ଭଳି ପ୍ରାଣୀ ଆଉ ମିଥ୍‌ଟି ଯେଉଁ ଧରଣର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛି, ତାହା ଭିତରେ ସାଯୁଜ୍ୟ ରହିଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ମିଥ୍‌ଟି ସତ ନୁହଁକିନ୍ତୁ ଆମେ ମିଥ୍‌ର ଅସଲ ଚରିତ୍ର ଉପଲବ୍ଧି କରିପାରୁଛୁ, ଏମିତି ଏକ ସମୟରେ ଯେତେବେଳେ ସାଇବରନେଟିକ୍ସ ଆଉ କମ୍ପ୍ୟୁଟର ଆସିଯାଇଛି । କିନ୍ତୁ ବାଇନାରି ଅପରେସନର ଏଇ କଥାଟି ଖୁବ୍ ଭିନ୍ନ ପରିପ୍ରେକ୍ଷୀରେ ହୋଇଥିଲେ ବି, ମିଥୀୟ ଭାବନାରେ ବସ୍ତୁ ବା ପ୍ରାଣୀର କ୍ଷେତ୍ରରେ କାମରେ ବ୍ୟବହାର ହେଉଛି । ଫଳରେ ଏଇ ସମୟରେ ପହଞ୍ଚି ମିଥୀୟ ଚିନ୍ତା ଆଉ ଓ ବିଜ୍ଞାନ ଭିତରେ ବିଭେଦ ଘଟୁଛିଏମିତି ଭାବିବାଟା ଠିକ୍ ହେବ ନାହିଁ । ବିଜ୍ଞାନଭିତ୍ତିକ ଚିନ୍ତାର ବର୍ତ୍ତମାନ ଅବସ୍ଥା ହିଁ ଆମକୁ ଏଇ ମିଥ୍‌ରେ ଅସଲରେ କ'ଣ ଅଛି, ତାହା ବୁଝିବାରେ ସାହାଯ୍ୟ କରିଛି । ବାଇନାରି ପ୍ରକ୍ରିୟାର ସହିତ ପରିଚିତ ହେବା ଆଗରୁ ମିଥ୍‌ର ଏଇ ତାତ୍ପର୍ଯ୍ୟ ସମ୍ପର୍କରେ ଆମେ ସଚେତନ ନ ଥିଲେ ।

ମୁଁ ଅସଲରେ ଚାହେଁ ନାହିଁ ଆପଣମାନେ ଏମିତି ମନେ କରନ୍ତୁ ଯେ, ମୁଁ ବୈଜ୍ଞାନିକ ବିଶ୍ଳେଷଣ ଓ ମିଥୀୟ ବ୍ୟାଖ୍ୟା, ଏଇ ଦୁଇଟିକୁ ଏକ ସ୍ତରରେ ରଖିବାକୁ ଚାହୁଁଛି । ମୁଁ କହିବାକୁ ଚାହେଁବୈଜ୍ଞାନିକ ବ୍ୟାଖ୍ୟାର ମହତ୍ୱ ଓ ଉଚ୍ଚତର ଅବସ୍ଥାନ ବିଜ୍ଞାନର ବାସ୍ତବ ଏବଂ ବୁଦ୍ଧିବୃତ୍ତିକ ସାଫଲ୍ୟ ଭିତରେ କେବଳ ନିହିତ ନାହିଁ । ବରଂ ଆମେ କ୍ରମଶଃ ଯାହା ଦେଖିବାକୁ ପାଉଛେବିଜ୍ଞାନ କେବଳ ଯେ ନିଜର ସତ୍ୟତାର ବ୍ୟାଖ୍ୟା ଦେଇପାରୁଛି ତାହା ନୁହଁବିଜ୍ଞାନ ବ୍ୟାଖ୍ୟା ଦେଇପାରୁଛି ମିଥୀୟ ଚିନ୍ତା ଭିତରେ ବିଦ୍ୟମାନ ସତ୍ୟକୁ ମଧ୍ୟ । ଗୁରୁତ୍ୱପୂର୍ଣ୍ଣ ହେଲା ଆମେ ଦିନକୁ ଦିନ ଏଇ ଗୁଣଗତ ଦିଗଗୁଡିକ ପ୍ରତି ଆଗ୍ରହୀ ହୋଇ ଉଠୁଛୁ ଏବଂ ବିଜ୍ଞାନ ଯେଉଁଠି ସତର ଶତକ ଠାରୁ ଊଣେଇଶ ଶତକ ପର୍ଯ୍ୟନ୍ତ କେବଳ ପରିମାଣଗତ ବିଷୟରେ ଆଗ୍ରହୀ ଥିଲାସେଇଠି ଏବେ ଏହା ବାସ୍ତବର ଗୁଣଗତ ଦିଗଗୁଡିକର ବିବେଚନାରେ କେନ୍ଦ୍ରିତ ହେବାରେ ଲାଗିଛି । ଏହା ଫଳରେ ଆମେ ମିଥୀୟ ଭାବନାର ଅନେକଗୁଡିଏ ଦିଗ, ଯେଉଁ ଗୁଡିକ ଅତୀତରେ ଅର୍ଥହୀନ ଏବଂ ଅଦ୍ଭୁତ ମନେ କରି ଆମେ ଉପେକ୍ଷା କରି ଆସୁଥିଲେସେଗୁଡିକୁ ଏବେ ଗୁରୁତ୍ୱର ସହିତ ବିବେଚନା କରିବାର ଅବକାଶ ମିଳିବ । ଏଇ ପ୍ରବଣତା ଜୀବନ ଓ ଚିନ୍ତାର ମଝିରେ ଅପୂରଣନୀୟ ଶୂନ୍ୟତା ବିରାଜମାନ ସତର ଶତକରୁ ଏଇ ଦାର୍ଶନିକ ଦ୍ୱୈତତାରୁ ଆମ ବିଶ୍ୱାସକୁ ମୁକ୍ତିର ବାଟ ଦେଖାଇବ । ଆମ ଚେତନାରେ ଯାହା ଘଟୁଛି, ତାହା ଆମ ଜୀବନର ମୌଳିକ ପ୍ରପଞ୍ଚଗୁଡିକ ଠାରୁ ଖୁବ୍ ବେଶି ଅଲଗା କିଛି ନୁହଁହୁଏତ ଏମିତି ଏକ ବିଶ୍ୱାସରେ ଆମେ ଦିନେ ପହଞ୍ଚି ପାରିବା । ସେହି ବିଶ୍ୱାସର ଧାରାବାହିକତାରେ ମାନବ ଜାତି ଏବଂ ଅନ୍ୟ ପ୍ରାଣୀକୂଳ ଓ ଉଦ୍ଭିଦମାନଙ୍କର ମଧ୍ୟରେ ତଫାତ୍ ଅପୂରଣନୀୟ ନୁହଁଏଇ ଉପଲବ୍ଧି ଆମର ଜ୍ଞାନକୁ ହୁଏତ ଏମିତି ଏକ ପର୍ଯ୍ୟାୟରେ ପହଞ୍ଚାଇ ଦେବ, ଯାହା ଆମ ନିଜର ଜ୍ଞାନର ସାମର୍ଥ୍ୟ ସମ୍ପର୍କରେ ଆମ ଧାରଣାଠାରୁ ଅନେକ ଉଚ୍ଚ ।

'ଦି ର ଆଣ୍ଡ ଦି କୁକ୍‌ଡ଼୍'ର ପ୍ରଥମ ସଂସ୍କରଣ
ୱିକିମିଡିଆ କମନ୍ସ୍

[ ହଜାର ହଜାର ବର୍ଷ ଧରି ମାନବ ସମାଜର ବୁଦ୍ଧିବୃତ୍ତି ଓ ସୃଜନଶୀଳତାର ମୂଳରେ ରହିଛି ମିଥ୍ । ଖ୍ରୀଷ୍ଟାବ୍ଦ ସପ୍ତଦଶ ଶତକରେ ଇଉରୋପ୍‌ରେ ବୈଜ୍ଞାନିକ ଚିନ୍ତାପଦ୍ଧତିର ପ୍ରସାର ଘଟିଲା ଆଉ ଉପନିବେଶବାଦ ମାର୍ଫତ୍‌ରେ ତାହା ସାରା ପୃଥିବୀରେ ବିସ୍ତାର ଲାଭ କଲା । ଏହାର ପ୍ରଭାବରେ ମଣିଷର ଚିନ୍ତାଜଗତରେ ମିଥ୍‌ର ଏହି ବୁଦ୍ଧିବୃତ୍ତି ଆଉ ସୃଜନଶୀଳତାର ପ୍ରଭାବଶାଳୀ ଭୂମିକା କଥାଟିର ପ୍ରାୟ ଅବସାନ ହେବାକୁ ଲାଗିଲା । ବିଂଶ ଶତକରେ ନୃତତ୍ୱବିଦ୍ୟାର ବିକାଶ ସହିତ ମାନବ ଇତିହାସରେ ମିଥ୍‌ର ବ୍ୟାପକତା ନୂଆ କରି ଅନୁଧାବନର ଆରମ୍ଭ ହୁଏ । ମାନବ ଇତିହାସରେ ପ୍ରଥମ ଅବସ୍ଥାରେ ମଣିଷର ସମାଜର ଗଠନ କେମିତି ଥିଲାକେଉଁ କେଉଁ ସର୍ତ୍ତରେ କିପରି ମଣିଷର ପାରସ୍ପରିକ ସମ୍ପର୍କ ବିକଶିତ ହୋଇଛିଆତ୍ମୀୟତାର ବନ୍ଧନପ୍ରଥାସାମଗ୍ରିକ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାପନାକୁ କେନ୍ଦ୍ରକରି ନୃତତ୍ତ୍ୱର ରୂପ ଓ ରୂପାନ୍ତର ।

ଯେଉଁ ସମାଜତତ୍ତ୍ୱବିତ୍‌ମାନେ ଏଇ ବିଷୟରେ ପଥିକୃତ ମହାନ ଫରାସୀ ନୃତାତ୍ୱିକ କ୍ଲଦ୍ ଲେଭି-ସ୍ତ୍ରସ୍ ସେମାନଙ୍କ ଭିତରେ ଅନ୍ୟତମ । ଏଇ ମନିଷୀଙ୍କ ସମ୍ପର୍କରେ କୁହାଯାଏ ଯେ, ସେ ନୃତତ୍ତ୍ୱକୁ ଇଉରୋପୀୟ ଉପନିବେଶବାଦୀ ଚରିତ୍ରରୁ ମୁକ୍ତ କରିବାର ପ୍ରୟାସ କରିଛନ୍ତି । 
୧୯୦୮ ମସିହାରେ ଜନ୍ମିତ କ୍ଲଦ୍ ଲେଭି-ସ୍ତ୍ରସ୍ ଦର୍ଶନ ଓ ଆଇନଶାସ୍ତ୍ର ଅଧ୍ୟୟନ କରିଛନ୍ତି । ସେତେବେଳକୁ ନୃତତ୍ୱ ବୋଲି ଗୋଟିଏ ସ୍ୱତନ୍ତ୍ର ବିଷୟ ନ ଥିଲା । ସେ ସଂରଚନାବାଦ ପଦ୍ଧତି ପ୍ରୟୋଗ କରି ପୃଥିବୀର ତଥାକଥିତ ଆଦିମ ସମାଜ ଗୁଡିକର ସାମାଜିକ ସଙ୍ଗଠନର ବ୍ୟାଖ୍ୟା ଏବଂ ବିଭିନ୍ନ ସମାଜରେ ପ୍ରଚଳିତ ମିଥ୍ ସବୁର ବହୁମୁଖୀ ବିଶ୍ଳେଷଣ କରିଛନ୍ତି । ତାଙ୍କର ବିଶ୍ଳେଷଣର ପ୍ରଭାବ କେବଳ ନୃତତ୍ୱରେ ସୀମିତ ନ ହୋଇ ସାହିତ୍ୟଶିଳ୍ପ ଓ ସମାଜବିଜ୍ଞାନର ବ୍ୟାପକ ସ୍ତରରେ ବିସ୍ତୃତି ଲାଭ କରିଛି । ଏଇ ବିଶିଷ୍ଟ ଚିନ୍ତାନାୟକ ଜଣକ ମାନବ ଇତିହାସର ଆରମ୍ଭରୁ ସମାଜର ଗଠନର ସ୍ୱରୂପ ତଥା କେଉଁ ସର୍ତ୍ତର ପରିପ୍ରେକ୍ଷୀରେ ପାରସ୍ପରିକ ସମ୍ପର୍କ ପ୍ରତିଷ୍ଠିତ ହୋଇଥିଲା, ଯଥା ଆତ୍ମୀୟତାର ବନ୍ଧନପ୍ରଥାସାମଗ୍ରିକ ସାମାଜିକ ଓ ଅର୍ଥନୈତିକ ସଂରଚନା ଉପରେ ନିଜର ବିଚାରରେ ବିଶ୍ୱକୁ ଆଲୋଡିତ କରିଛନ୍ତି । ହଜାରହଜାର ବର୍ଷ ଧରି ମଣିଷ ସମାଜର ବୁଦ୍ଧିବୃତ୍ତି ଆଉ ସୃଜନଶୀଳତାର ମୂଳରେ ରହିଛି ମିଥ୍ । ସେଇ ମିଥ୍‌ର ବିସ୍ତୃତ ପରିଚର୍ଚ୍ଚା କରିଛନ୍ତି ମନୀଷୀ ଲେଭି-ସ୍ତ୍ରସ୍ ।

କ୍ଲଦ୍ ଲେଭି -ସ୍ତ୍ରସ୍‌ଙ୍କ ଲେଖାର ଅନୁବାଦ କରିବା ବ୍ୟକ୍ତିଗତ ଭାବରେ ମୁଁ ମୋର ଏକ ସୌଭାଗ୍ୟ ବୋଲି ବିଚାର କରେ । ଏବଂ ଆପଣମାନଙ୍କ ନିକଟରେ ସହଭାଗ କରିପାରିବାର ସୁଯୋଗଟି ଉପଲବ୍ଧ ଥିବାରୁ, ମୁଁ ଅଧିକ ସୌଭାଗ୍ୟବାନ୍ । ଏହି ପ୍ରବନ୍ଧଟି ଲେଭି-ସ୍ତ୍ରସ୍‌ଙ୍କ ୧୯୭୭ ମସିହାରେ ପ୍ରଦତ୍ତ 'ମିଥ୍ ଆଣ୍ଡ ମିନିଂ' ଶୀର୍ଷକ ମ୍ୟାସି ବକ୍ତୃତାମାଳାର ଅଂଶବିଶେଷ । ଏଥିରେ କେତୋଟି ଗୁରୁତ୍ୱପୂର୍ଣ୍ଣ ମୌଳିକ ପ୍ରଶ୍ନ ଉଠା ଯାଇଛି, ଯାହା ଉପରେ ଆମେ ଆମ ଚର୍ଚ୍ଚା ଜାରି ରଖିବା ।

ପ୍ରସଙ୍ଗକ୍ରମେ କହିବାକୁ ଚାହିଁବି, ଆମର ତରୁଣ ପ୍ରଜନ୍ମ ଭିତରେ ମିଥ୍‌କୁ ନେଇ ଆଗ୍ରହ ସମ୍ପ୍ରତି ବଢ଼ିବାରେ ଲାଗିଛି । ଦେବଦତ୍ତ ପଟ୍ଟନାୟକଅମିଶ ତ୍ରିପାଠୀକବିତା କାଣେଅନୁଜା ଚନ୍ଦ୍ରମୌଳିଆନନ୍ଦ ନୀଳକଣ୍ଠନଭିରଘୁନାଥନଙ୍କ ମିଥ୍‌କୁ କେନ୍ଦ୍ର କରି ପୁସ୍ତକମାନ ତରୁଣମାନଙ୍କର ପଢ଼ା ଟେବୁଲ୍‌ରେ ଶୋଭା ପାଇବା ଅତ୍ୟନ୍ତ ଆନନ୍ଦର ବିଷୟ । ସେମାନେ ଏବେ 'ହାଫ୍ ଗାର୍ଲଫ୍ରେଣ୍ଡ' ସହ ଯେତିକି ମାନସିକ ସମ୍ପୃକ୍ତି ରଖନ୍ତି, ସମାନ ପରିମାଣରେ ବା କହିବାକୁ ଗଲେ ତାହାଠାରୁ ଅଧିକ ମିଥ୍‌ର ସହ ବସବାସ କରିବାକୁ ଚାହୁଁଛନ୍ତି ।

ଅନେକେ ମନେ କରନ୍ତି, ତଥାକଥିତ ଆଦିମ ମଣିଷର ଚିନ୍ତାର ଧରଣଟି ବୈଜ୍ଞାନିକ ଚିନ୍ତାର ସ୍ୱରୂପ ଠାରୁ ନିମ୍ନ ମାନର । ଆଦିମ ମାନବର ଚିନ୍ତା ନିମ୍ନ ମାନର ବୋଲି ଆମର ଧାରଣା ପଛର କାରଣଟି ହେଉଛି ଯେ, ଆମେ ଭାବୁଛୁ, ସେମାନଙ୍କର ଚିନ୍ତାଟି ସର୍ବଦା ଭୁଲ୍ ଉପରେ ପର୍ଯ୍ୟବେସିତ । ଏହି ଜାଗାରେ ଲେଭି-ସ୍ତ୍ରସ୍ ଗୋଷ୍ଠୀ ଅବଚେତନର ଆଦିମ ବିଶ୍ୱାସ ହିସାବରେ ମିଥ୍‌କୁ ନେଇ ତାହାର ବ୍ୟବଚ୍ଛେଦ କରିବା ଦ୍ୱାରା ମଣିଷର ଜୀବନ ଓ ଚିନ୍ତା ଭିତରର ଫାଙ୍କା ଜାଗାଗୁଡିକୁ ବୁଝିବାରେ ସାହାଯ୍ୟ କରିଛନ୍ତି ।

ଅନୁବାଦର ତୃଟିଭାଗ ଅଧୀନର । ଦୟାକରି ପଢ଼ିବେ । ସବୁ ଜିନିଷର ସହଜ ଉତ୍ତରଟି କମ୍ପ୍ୟୁଟରର 'ହଁ/ନାହିଁ'ର ବାଇନାରିରେ ନ ହୋଇ ଏକ ପ୍ରକ୍ରିୟାରେ ରହିଛି ବୋଲି ଧାରଣାଟିଏ ଆସିଲେ, ଆମ ଭିତରେ କେହି ହୁଏତ ଆଦିମ ବା ଅସଭ୍ୟ ହୋଇ ରହି ନ ପାରନ୍ତି। ]

କ୍ଲଦ୍ ଲେଭି-ସ୍ତ୍ରସ୍‌ଙ୍କ ବହି   'ତ୍ରିସ୍ ତ୍ରପିକ୍‌'ର ମଲାଟର ଚିତ୍ର

No comments:

Post a Comment