Wednesday, April 18, 2018

ଖୋଲାସ୍କୁଲ

ଗୋପବନ୍ଧୁ ଦାଶ


ଶାନ୍ତି ନିକେତନର ଆମ୍ରକୁଞ୍ଜ (ୱିକିମିଡିଆ କମନ୍ସ୍)

ଭାରତର ବିଦ୍ୟାଳୟ ବିଶାଳ ବନ ପ୍ରାନ୍ତରରେ ଉନୁକ୍ତ ଆକାଶ ତଳେ ଏବଂ ସ୍ୱଚ୍ଛନ୍ଦବାୟୁ ପ୍ରବାହରେ । ଆବଦ୍ଧ କୋଠରୀରେ ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉ ନ ଥିଲା । ଖୋଲାଜାଗାରେ ସ୍କୁଲ ହେଉଥିବାରୁ ବର୍ଷା ସମୟରେ ଅଧ୍ୟାପନା ବନ୍ଦ ରହୁଥିଲା । ବର୍ଷା ଋତୁରେ ଉପାଧ୍ୟାୟ ଏବଂ ଛାତ୍ରମାନେ ଚତୁର୍ମାସ୍ୟା ବ୍ରତ ପାଳନ କରୁଥିଲେ । ଅନ୍ୟ କୌଣସି ସମୟରେ ଆକାଶରେ ମେଘାଗମ ଦେଖାଇଲେ ଅଧ୍ୟୟନ ହେଉ ନ ଥିଲା । ଏହି ପ୍ରାଚୀନ ଆଶ୍ରମବିଧି କ୍ରମାଗତ ଏ ଦେଶରେ ଏପରି ଭାବରେ ଚାଲି ଆସିଥିଲା ଯେ, ପୂର୍ବର ଗ୍ରାମ ପାଠଶାଳାମାନ ମଧ୍ୟ ଖୋଲା ଜାଗାରେ ହେଉଥିଲା । ଯେଉଁସ୍ଥାନେ ଶିକ୍ଷା ଦିଆଯାଏ, ସଂସ୍କୃତରେ ତାକୁ ଚତୁଷ୍ପାଠୀ କହନ୍ତି । ଆମ୍ଭମାନଙ୍କ ଦେଶୀୟ ପ୍ରଚଳିତ ଭାଷାରେ ତାହାର ନାମ ଚଉପାଢ଼ୀ । ଏହା କେବଳ ଏକ ଉଚ୍ଚ ପ୍ରଶସ୍ତ ବେଦୀ ଏବଂ ତା' ଉପରେ ଚାଳ ବା ଅନ୍ୟ କୌଣସି ପ୍ରକାର ଆବରଣ ଥାଏ । ମାତ୍ର ଚାରିପାଖ ମେଲା । ଏହା ହିଁ ଗ୍ରାମ ବିଦ୍ୟାଳୟ ।

ଆଜିକାଲି ପଲ୍ଲୀର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଘର ସଂଲଗ୍ନରେ ଏପରି ଚଉପାଢ଼ୀ ଦେଖାଯାଏ । ସେଠାରେ ଗ୍ରାମର ସାମୟିକ ବୈଠକ ହୁଏ, ପୁରାଣ ପାଠ ହୁଏ । ବିଦ୍ୟାଳୟ ପ୍ରାୟ ଆଉ ସେଠାରେ ହୁଏ ନାହିଁ । ସ୍କୁଲଘର ତିଆରିରେ ବର୍ତ୍ତମାନ ଅନେକ ଟଙ୍କା ଖର୍ଚ୍ଚ ହେଉଛି, ମାତ୍ର ଏ ଘର ପୂର୍ବର ଚଉପୀଢ଼ୀ ପରି ଛାତ୍ରମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟର ତେତେ ଉପଯୋଗୀ ହେଉଅଛି କି ନାହିଁ, ସନ୍ଦେହ । ଆମ୍ଭମାନଙ୍କର ବିଶ୍ୱାସ ଏପରି ଆବଦ୍ଧ ଘର ଛାତ୍ରମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱଚ୍ଛନ୍ଦ ବିକାଶ ପକ୍ଷରେ ପ୍ରଧାନ ଅନ୍ତରାୟ । ଉନ୍ମୁକ୍ତବାୟୁ ଏବଂ ଆଲୋକର ଉପକାରିତା ଆଜିକାଲି ସମୟର ଡାକ୍ତରମାନେ ଯଥେଷ୍ଟ ଭାବରେ ସ୍ୱୀକାର କରନ୍ତି । ଶିକ୍ଷା ବିଭାଗର ଭାଗ୍ୟ ନିୟନ୍ତାମାନେ ମଧ୍ୟ ବିଦ୍ୟାଳୟ ନିର୍ମାଣରେ ଏହି ତିନି ବିଷୟ ପ୍ରତି ବିଶେଷ ଦୃଷ୍ଟି ଦେଇଥାନ୍ତି । ମାତ୍ର ବାୟୁ ଆଲୋକ ଯେବେ ମୁଖ୍ୟ ପ୍ରୟୋଜନ ହେଲା ତେବେ ଆବଦ୍ଧ ଘର ଆବଶ୍ୟକ କାହିଁକି ? ପ୍ରାଚୀନ ଚତୁଷ୍ପାଠୀ ଦ୍ୱାରା ତ ଏ ପ୍ରୟୋଜନ ସୁନ୍ଦର ନିର୍ବାହିତ ହେଉଥିଲା ।

କେହି କେହି କହିପାରନ୍ତି, ଉନ୍ମୁକ୍ତ ବିଦ୍ୟାଳୟରେ ଛାତ୍ରମାନଙ୍କର ଚିତ୍ତ ବିକ୍ଷେପ ଘଟିବାର ସମ୍ଭାବନା ଆବଦ୍ଧ ଘରର ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ମନ ଏଣେତେଣେ ଖେଳିବା ଲାଗି ପ୍ରାୟ ସୁବିଧା ପାଏ ନାହିଁ । ଖୋଲାଜାଗାରେ ଚଞ୍ଚଳମତି ଶିଶୁମାନଙ୍କର ପ୍ରଥମାବସ୍ଥାରେ ଚିତ୍ତବିକ୍ଷେପ ଘଟିପାରେ, ମଧ୍ୟ ସାଧାରଣତଃ ଘଟିଥାଏ । ମାତ୍ର ତାହା ଅଧିକ ଦିନ ରହେ ନାହିଁ । ବରଂ ଭାରତୀୟ ବିଧି ଅନୁସାରେ ଚିତ୍ତର ଏକାଗ୍ରତା ସାଧନା ନିମନ୍ତେ ଏହାହିଁ ପ୍ରଶସ୍ତ କ୍ଷେତ୍ର । ଏଠାରେ ମନ ନିଶ୍ଚଳ ରଖି ପାରିଲେ ଆଉ କୁତ୍ରାପି ଚାଞ୍ଚଲ୍ୟର ଆଶଙ୍କା ନଥିବ । ଉନ୍ମୁକ୍ତ ସ୍ଥାନରେ ଚିତ୍ତର ଏକାଗ୍ରତା ନିମନ୍ତେ ପ୍ରୟାସ ଆମ୍ଭମାନଙ୍କ ଦେଶର ଚିରନ୍ତର ରୀତି । ନଦୀ ପୁଷ୍କରିଣୀ ଆଦିରେ ସ୍ନାନ କରି ସେହିଠାରେ ସନ୍ଧ୍ୟା ବନ୍ଦାପନା କରିବାର ବିଧାନ ଏବେ ସୁଦ୍ଧା ଅକ୍ଷୁର୍ଣ୍ଣ ରହିଅଛି । ଉପରେ ଉନ୍ମୁକ୍ତ ଆକାଶ ତଳେ ପ୍ରଶସ୍ତ ଜଳରାଶି ଏବଂ ଶ୍ୟାମଳ ଘାସବୃକ୍ଷ ଇତ୍ୟାଦି ପରିଶୋଭିତ ଭୂଭାଗ ଏ ଉଭୟ ମଧ୍ୟରେ ଉନ୍ମୁକ୍ତ ଶୀତଳ ପବନର ସ୍ୱଚ୍ଛନ୍ଦ ପ୍ରବାହ । ଏହିଠାରେ ମାନସିକ ନିଶ୍ଚଳତା ଏବଂ ଧ୍ୟାନ ବଳରେ ଭଗବତ ଧାରଣା ନିମନ୍ତେ ଭାରତୀୟ ଆର୍ଯ୍ୟର ପ୍ରତ୍ୟହ ନିୟମିତ ପ୍ରଯତ୍ନ । ଚିତ୍ତ ବିକ୍ଷେପର ଅସଙ୍ଖ୍ୟ ଉପକରଣ ମଧ୍ୟରେ ଚିତ୍ତ ସଞ୍ଜମ ହିଁ ପ୍ରକୃତ ସଞ୍ଜମ ।

ଶୀତ ପ୍ରଧାନ ପାଶ୍ଚାତ୍ୟ ଦେଶରେ ଉନ୍ମୁକ୍ତ ବିଦ୍ୟାଳୟର କଳ୍ପନା ଅସମ୍ଭବ । ସେଠାରେ ଘରର ଚାରିଆଡ଼େ ଆବଦ୍ଧ ରଖିବା ଆବଶ୍ୟକ । ମାତ୍ର ଏ ଦେଶରେ ଘରେ କାନ୍ଥ ତେତେ ଲୋଡ଼ା ନୁହେଁ, ବରଂ କାନ୍ଥ ଦେହରେ ଜଳା ଫିଟାଇବା ପ୍ରୟୋଜନ । ଏ ଦେଶରେ ଅବସ୍ଥା ଅନୁସାରେ ମୂଳରୁ ବ୍ୟବସ୍ଥା ହୋଇଥିଲେ କେବଳ ଘର ତୋଳାରେ ଏତେ ବିସ୍ତର ଅର୍ଥ ବ୍ୟୟ ହୋଇ ନଥାନ୍ତା । ଆମ୍ଭେମାନଙ୍କ ଦେଶରେ ଶିକ୍ଷାନୁରାଗୀ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ମନଯୋଗ ଏଥି ପ୍ରତି କ୍ରମେ ବିଶେଷ ଭାବରେ ଆକୃଷ୍ଟ ହେଉଅଛି । ବଙ୍ଗଦେଶରେ ସାର୍ ରବୀନ୍ଦ୍ରନାଥ ଆଜିକୁ ପ୍ରାୟ କୋଡ଼ିଏ ବର୍ଷ ହେଲା ଖୋଲାସ୍କୁଲର ସୃଷ୍ଟି କରିଅଛନ୍ତି । ଆମ୍ଭମାନଙ୍କର କ୍ଷୁଦ୍ର ସତ୍ୟବାଦୀ ବିଦ୍ୟାଳୟରେ ଆଜିକୁ ଦଶ ବର୍ଷ ହେଲା ଗଛମୂଳେ ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉଅଛି। ଆମ୍ଭମାନଙ୍କୁ ପକ୍ଷେ ପରମ ସୁଖର ବିଷୟ ଏହି ଯେ, ବିହାର ଓଡ଼ିଶା ସରକାର ଏ ପ୍ରଣାଳୀର ବିଦ୍ୟାଳୟକୁ ମଞ୍ଜୁର କରିଅଛନ୍ତି । ଏଣିକି ସୁବିଧା ଅନୁସାରେ ସ୍ଥଳ ବିଶେଷରେ ଖୋଲା ସ୍କୁଲ କରାଯାଇପାରେ । ସରକାରଙ୍କର ଏଥିରେ କୌଣସି ଆପତ୍ତି ହେବ ନାହିଁ । ଯଥେଷ୍ଟ ଆଲୋକ ପ୍ରବେଶ ଏବଂ ବାୟୁ ସଞ୍ଚାରର ସୁବିଧା ଥାଇ ଏକ ଶ୍ରେଣୀର ଗୋଳମାଳ ଅନ୍ୟ ଶ୍ରେଣୀରେ ପହଞ୍ଚି ନ ପାରିବା ଲାଗି ବ୍ୟବସ୍ଥା ରହିଲେ ହେଲା । ସ୍କୁଲ ଅଗଣାରେ ଛାୟାପ୍ରଦ ବୃକ୍ଷ ରହିବା ଆବଶ୍ୟକ ଏହା ଦ୍ୱାରା ସ୍ଥାନର ସୌନ୍ଦର୍ଯ୍ୟ ବଢ଼େ । ଗ୍ରୀଷ୍ମ ପ୍ରଧାନ ଦେଶରେ ସ୍ନିଗ୍‌ଧତା ଅବସାଦ ଅନ୍ତର କରେ ଏ ଦେଶରେ ପ୍ରାୟ ପ୍ରତ୍ୟେକ ଗ୍ରାମରେ ଛାୟାପ୍ରଦ ଆମ୍ୱ ପଣସର ସୁପ୍ରଶସ୍ତ ସୁନ୍ଦର ଉଦ୍ୟାନ ଅଛି । ସେଠାରେ ସାମାନ୍ୟ ବ୍ୟୟରେ ଖୋଲାସ୍କୁଲ ହୋଇପାରେ ଏବଂ ବର୍ଷା ଦିନ ଲାଗି ଗୋଟିଏ ଖୋଲା ଚାଳ ଘର ହେଲେ ନିର୍ବାଧାରେ କାର୍ଯ୍ୟ ଚଳିବ। ଆଶା ହୁଏ । ଏଣିକି ଜିଲ୍ଲା ବୋର୍ଡ଼ମାନ ଏବଂ ସ୍ଥାନୀୟ ବିଭାଗୀୟ କର୍ତ୍ତାମାନେ ଏ ଶ୍ରେଣୀର ବିଦ୍ୟାଳୟ ସ୍ଥାପନରେ ଲୋକସାଧାରଣଙ୍କୁ ଉତ୍ସାହିତ କରିବେ ।

No comments:

Post a Comment