Monday, February 17, 2020

ଭଲ ଛାତ୍ର ଓ 'ଖରାପ' ଛାତ୍ର

ଶଶିଭୂଷଣ ରାୟ


ଚିତ୍ର -  'ଗ୍ରୀଷ୍ମ ରାତ୍ରିରେ ମାତା ଓ ସନ୍ତାନ'
ଚିତ୍ରଶିଳ୍ପୀ - କାତ୍ସୁଶିକା ହୋକୁସାଇ (୧୭୬୦-୧୮୪୯)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଶତ ଶତ ବାଳକ ଜ୍ଞାନଲାଭ ସକାଶେ ଆମ୍ଭମାନଙ୍କ ବିଦ୍ୟାଳୟସମୂହରେ ପଢୁଅଛନ୍ତି । ଯେବେ କଲେଜର ଡିଗ୍ରି ପାଇବା ହିଁ ବିଦ୍ୟାଳୟ ଶିକ୍ଷାର ଚରମ ସାର୍ଥକତା ବୋଲି ବିବେଚିତ ହୋଇଥାଏ, ତେବେ ଏହି ଶତଶତ ଶିକ୍ଷାର୍ଥିଙ୍କ ମଧ୍ୟରେ କେତେ ଜଣଙ୍କର ସେହି ସାର୍ଥକତା ଲାଭ ହୁଏ ? ବିଦ୍ୟାଳୟ ସମୂହର ଅବସ୍ଥା, କାର୍ଯ୍ୟ ଓ ଫଳାଫଳ ସମ୍ୱନ୍ଧରେ ଯେଉଁମାନଙ୍କର ଅଭିଜ୍ଞତା ରହିଅଛି, ସେମାନେ ସମସ୍ତେ ଏକବାକ୍ୟରେ ସ୍ୱୀକାର କରିବେ ଯେ, ଶିକ୍ଷା ସକାଶେ ବିଦ୍ୟାଳୟ ସମୂହରେ ଯେତେ ଛାତ୍ର ପଢ଼ନ୍ତି, ତାଙ୍କ ମଧ୍ୟରୁ ହାରାହାରି ଶତକଡା ୨୫|୩୦ ଜଣରୁ ଅଧିକ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ନାହିଁ । ଯେଉଁ ସମସ୍ତ ଉତ୍ତୀର୍ଣ୍ଣ ଛାତ୍ର ବିଶ୍ୱବିଦ୍ୟାଳୟର ଉଚ୍ଚ ଶିକ୍ଷାମନ୍ଦିରରେ ପ୍ରବେଶ ଲାଭ କରନ୍ତି, ତାଙ୍କ ମଧ୍ୟରୁ ଏକ ଚତୁର୍ଥାଂଶରୁ ବେଶି ଛାତ୍ର ଡିଗ୍ରି ଅର୍ଥାତ୍ ଉପାଧି ଲାଭରେ ଅସମର୍ଥ ହୋଇଥାଆନ୍ତି । 

ସୁତରାଂ ଉପାଧି ପାଇବା ହିଁ ଯେବେ ଜ୍ଞାନଲାଭର ଚରମ ସାର୍ଥକତା ବୋଲି ଧରାଯିବ, ତେବେ ଏହି ଶତ ଶତ ଛାତ୍ରଙ୍କ ମଧ୍ୟରେ ଶତକଡା ୮|୧୦ ଜଣଙ୍କ ମଧ୍ୟରେ ସେ ସାର୍ଥକତା ଲାଭ ହୋଇଥାଏ । ଶତକଡା ୧୫|୧୬ ଜଣଙ୍କ ପକ୍ଷରେ ଜ୍ଞାନଲାଭ ଚେଷ୍ଟା ଅର୍ଦ୍ଧସାର୍ଥକ ମାତ୍ର । ବାକୀ ସମସ୍ତଙ୍କ ପକ୍ଷରେ ତାହା ଏକ ପ୍ରକାର ବୃଥା କହିଲେ ଚଳେ ।

କାହିଁକି ଏପରି ହୋଇଥାଏ ? ଏ ଦେଶର ଭଦ୍ରବଂଶୀୟ ବାଳକମାନଙ୍କ ମଧ୍ୟରେ ଶତକଡା ପ୍ରାୟ ୮୦ ଜଣ କଅଣ ଏକା ବେଳକେ ବୁଦ୍ଧିହୀନ ? ଏ ଦେଶ କଅଣ ସତେ ଏଡେ ଦୁର୍ଭାଗ୍ୟ-ଜଡ଼ିତ ? ଏ ଦେଶର ଫଳ-ଜଳ-ଜାତ ମାନବଶୋଣିତ କଅଣ ଏକାବେଳକେ ଅସାର ? କିନ୍ତୁ ବାସ୍ତବିକ ତାହା ନୁହେ । ସ୍କୁଲ-ପାଠ ମନେ ରଖିପାରନ୍ତି ନାହିଁ, ଶଦ୍ଦର ଅର୍ଥ କହିପାରନ୍ତି ନାହିଁ, ବନାନ ଭୁଲ କରନ୍ତି, ବ୍ୟାକରଣ-ସୂତ୍ର ମୁଖସ୍ଥ କରି ପାରନ୍ତି ନାହିଁ, ଅଙ୍କ ବୁଝି ପାରନ୍ତି ନାହିଁ, ଇତିହାସ ଭୂଗୋଳ ପ୍ରଭୃତି କିଛି ଜାଣନ୍ତି ନାହିଁ, କୌଣସି ପରୀକ୍ଷାରେ ନମ୍ୱର ପାଆନ୍ତି ନାହିଁ, ଏଭଳି ଶତ ଶତ ଛାତ୍ର ଦେଖିଥାଉଁ । 

ଅଥଚ ସେହିମାନେ ବାହାରର ଅନେକ କଥା ଭଲ କରି ମନରେ ରଖନ୍ତି, ଅନେକ ଦେଖା ଶୁଣା ବିଷୟ ଖୁବ କହିପାରନ୍ତି, ଅନେକ କାର୍ଯ୍ୟରେ ଖୁବ ହିସାବ କରି ଚଳନ୍ତି-ପ୍ରକୃତ ଚତୁରତା ଦେଖାନ୍ତି । ଗ୍ରାମର କ୍ଷେତ, ବଗିଚା, ଶସ୍ୟ, ଗଛ, ପୋଖରୀ, ପଥ, ଏ ସାହି, ଆର ସାହି ପ୍ରଭୃତିରେ କେତେ ଲୋକ, କେତେ ଲୋକଙ୍କର କିପରି ଖବର, କାହାର କେତେ ଟଙ୍କା ଅଛି, କିଏ କିପରି ଖର୍ଚ୍ଚ କରନ୍ତି, ହାଟ ବଜାରରେ କେଉଁ ଜିନିଷ କିପରି ମୂଲ୍ୟରେ ବିକ୍ରୟ ହୁଏ, ସମସ୍ତ ସେମାନେ ଉତ୍ତମରୂପେ ଜାଣନ୍ତି; କେହି ପଚାରିଲେ ଏଗୁଡିକ ରୀତିମତ କହିପାରନ୍ତି । କୌଣସି ସ୍ଥାନରେ ନିମନ୍ତ୍ରଣ ହେଲେ ସମସ୍ତ ବିଷୟ ଏଭଳି କହି ଦିଅନ୍ତି ଯେ, ଆସ୍ୱାଦର ଭଲ ମନ୍ଦ ସୁଦ୍ଧା ବୁଝି ହେବ । 

ଖେଳ ଦେଖିବାକୁ ଗଲେ ଅବିରତ ଇତସ୍ତତଃ ଧାବମାନ ପ୍ରତ୍ୟେକ ବାଳକର କ୍ରୀଡ଼ାକୌଶଳ, କିଏ କାହାକୁ କିପରି ଧରିଥିଲା, ଛୁଇଁଲା ଇତ୍ୟାଦି ସମସ୍ତ ତାଙ୍କ ମନରେ ଆଲୋକଚିତ୍ର ଭଳି ଦର୍ଶନ ମାତ୍ରକେ ଲାଖି ରହିଯାଏ । ନାଟ ଦେଖିବାକୁ ଗଲେ, ସମସ୍ତ ବିଷୟ ତାଙ୍କର ଉତ୍ତମରୂପେ ମନରେ ରହିଯାଏ, କିଏ କେଉଁ ସାଜସଜ୍ଜାରେ କିପରି ଦିଶୁଥିଲା, କିଏ କିପରି କେଉଁ ରାଗିଣୀରେ ଗୀତ ଗାଇଥିଲା; ସମସ୍ତ ଚିତ୍ର ଭଳି ମନରେ ଅଙ୍କିତ ରହିଥାଏ । ହାଟବଜାରରୁ ସଉଦା କିଣିବାକୁ, ଖେଳର ବନ୍ଦୋବସ୍ତ କରିବାକୁ, ଉତ୍ସବରେ ଘର ପ୍ରଭୃତି ସଜାଇବାକୁ, ନିମନ୍ତ୍ରଣ ପ୍ରଭୃତିରେ ପରିବେଷଣ କରିବାକୁ ସେମାନେ ପ୍ରକୃତ ପାରଦର୍ଶୀ । କଳହରେ ସେମାନେ କଥାରେ ଠକନ୍ତି ନାହିଁ କି ମରାମରିରେ ସେମାନେ ହଟନ୍ତି ନାହିଁ ।

ଏମାନେ ଯଦି ଏତେ କାର୍ଯ୍ୟ କରିପାରନ୍ତି, ତେବେ ସ୍କୁଲର ପଢ଼ାପଢ଼ି କରିପାରନ୍ତ ନାହିଁ କାହିଁକି ? ପାରନ୍ତି ନାହିଁ - ସେମାନଙ୍କର ସୂକ୍ଷ୍ମ ଦୃଷ୍ଟି ଓ ମେଧା ବୁଦ୍ଧି ପ୍ରଭୃତି ଯେ ଏକାବେଳକେ ନାହିଁ ବୋଲି, ତାହା ନୁହେ, - କି କୌଶଳରେ ପାଠ୍ୟ ବିଷୟ ସେମାନଙ୍କର ଦୃଷ୍ଟି, ମେଧା ଓ ବୁଦ୍ଧିରେ ପ୍ରବିଷ୍ଟ କରାଇବାକୁ ହେବ, ଶିକ୍ଷକମାନେ ତାହା ଭଲରୂପେ ଜାଣନ୍ତି ନାହିଁ, ଅଥବା ଜାଣି ମଧ୍ୟ ସେ କୌଶଳ ଅବଲମ୍ୱନର କଷ୍ଟ ସ୍ୱୀକାର କରନ୍ତି ନାହିଁ ଏହା ହିଁ ପ୍ରକୃତ ହେତୁ ।

ବି.ଦ୍ର. - ଏହି ଲେଖାଟି ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ବହିଟିର କିୟଦଂଶ । ପୁସ୍ତକଟିର ଆମେ ବ୍ୟବହାର କରିଥିବା ପ୍ରଥମ ସଂସ୍କରଣଟି ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Sunday, February 09, 2020

ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥାରାଜପୁତ ଜାତି


କେଦାରନାଥ ମହାପାତ୍ର


୧୯୦୭ରେ ଉତ୍ତୋଳିତ ଅଲୱାରର ଏକ ସାଗରର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ହର୍ଷବର୍ଦ୍ଧନଙ୍କ ପରେ ଉତ୍ତର ଭାରତ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇଥିଲା । ରାଜପୁତ ନାମକ ଗୋଟିଏ ବୀର ଜାତି ପଶ୍ଚିମ ଭାରତରେ ବିଶେଷ କ୍ଷମତାଶାଳୀ ହୋଇ ଉଠିଲେ । ରାଜପୁତ ଶବ୍ଦର ଅର୍ଥ ରାଜପୁତ୍ର ବା କ୍ଷତ୍ରିୟ । ସେମାନେ ଭାରି ସାହସୀ ଓ ଯୋଦ୍ଧା ଥିଲେ ଏବଂ ସ୍ୱାଧୀନତା ରକ୍ଷା କରିବା ପାଇଁ ନିଜ ଜୀବନ ଦେବାକୁ ସର୍ବଦା ପ୍ରସ୍ତୁତ ଥିଲେ । ପରବର୍ତ୍ତୀ କାଳରେ ସେମାନେ ହିନ୍ଦୁ ଧର୍ମ ଓ ଭାରତର ସ୍ୱାଧୀନତା ପାଇଁ ମୁସଲମାନମାନଙ୍କ ସହିତ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ । 

ସେମାନେ ନିଜକୁ ସୂର୍ଯ୍ୟବଂଶୀ ଓ ଚନ୍ଦ୍ରବଂଶୀ କ୍ଷତ୍ରିୟ ବୋଲି କହନ୍ତି । ସେମାନଙ୍କ ଉତ୍ପତ୍ତି ସମ୍ୱନ୍ଧରେ ନାନାପ୍ରକାର ମତ ଦେଖାଯାଏ । କେତେକ ପଣ୍ଡିତଙ୍କ ମତରେ ସେମାନେ ଶକ, ପଲ୍ଲବ, ହୁନ ପ୍ରଭୃତି ବୈଦେଶିକ ଜାତିମାନଙ୍କର ବଂଶଧର । ସେମାନେ ଭାରତକୁ ଆସି ହିନ୍ଦୁ ଧର୍ମ ଗ୍ରହଣ କରି, ନିଜର ଯୁଦ୍ଧ କୌଶଳ ଯୋଗୁଁ କ୍ଷତ୍ରିୟ ବା ରାଜପୁତ୍ର ବୋଲି କଥିତ ହେଲେ । ଅନ୍ୟ କେତେକଙ୍କ ମତରେ ଆମ୍ଭ ଦେଶରେ ବୈଦିକ ଯୁଗରୁ ରାଜପୁତମାନଙ୍କ ପରି ସାହସୀ ଓ ବୀର କ୍ଷତ୍ରିୟ ଜାତି ଥିଲେ । ରାଜପୁତମାନେ ସେହି ପ୍ରାଚୀନ କ୍ଷତ୍ରିୟମାନଙ୍କର ବଂଶଧର । 

ପରବର୍ତ୍ତୀ କାଳରେ ବୈଦେଶିକମାନେ ଏମାନଙ୍କ ସହିତ ମିଶି ଯାଇଥିଲେ । ଚୌହ୍ୱାନ, ରାଠୋର, ଶିଶୋଦୀୟ, ଚାନ୍ଦେଲ, ବାଘେଲ, ଗୁର୍ଚ୍ଛର ପ୍ରତିହର, ପରମାର ବା ପ୍ରାମାର, ଶୋଲାଙ୍କି ପ୍ରଭୃତି ରାଜପୁତ ଜାତିର ଭିନ୍ନ ଭିନ୍ନ ଶାଖା ଅଟେ । ହର୍ଷଙ୍କ ମୃତ୍ୟୁର କିଛି କାଳ ପରେ ଏହି ଜାତିର ଗୁର୍ଚ୍ଛର ପ୍ରତିହର ଶାଖା କ୍ଷମତାଶାଳୀ ହୋଇଥିଲା ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।