Monday, May 29, 2017

ଚିଲିକାର ବିଭବ - ୧


ଡାକ୍ତର ରାଧାଚରଣ ପଣ୍ଡା


ଚିଲିକା ହ୍ରଦରେ ନଉକା ଚାଳନା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

"କର୍ପୂର ଉଡ଼ିଯାଇ କନା ପଡ଼ିଛି" ବୋଲି ସମସ୍ତେ କହନ୍ତି---, କିନ୍ତୁ ସେଇ କନାରେ ଯେ କର୍ପୁରର ଗନ୍ଧ ରହିଛି, ଏକଥା ଜାଣିବାକୁ କେଇହେଲେ ଇଚ୍ଛା କରନ୍ତି ନାଇଁ--- ଏହାହିଁ ଚିନ୍ତାର ବିଷୟ !

କର୍ପୁର ଉଡ଼ିଯାଉ--- କନା ଯେତେବେଳେ ଆମହାତରେ ରହିଛି---ଚାଲ--- ପୁଣି ନୂଆ କର୍ପୂର ଆଣି ତହିଁରେ ବାନ୍ଧିବା--- ଜଣେତ କେଇ ଏପରି କର୍ପୂର ବାନ୍ଧିଥିଲା--- ଆମେ କିଆଁ ସେପରି ନବାନ୍ଧିବା ? ଏପରି ମନୋଭାବ ଆମର କାଇଁ ? 

ଆମ ଓଡ଼ିଶାର ସବୁ 'ବଡ଼' - ବଡ଼ ଠାକୂର, ବଡ଼ନଦୀ, ବଡ଼ଦାଣ୍ଡ, ବଡ଼ପଣ୍ଡା--- ଓଗେର ତା' ପଛକୁ ବଡ଼ ବନ୍ୟା, ବଡ଼ ଦୁର୍ଭିକ୍ଷ, ବଡ଼ ରୋଗ, ବଡ଼ ଗରିବ, ବଡ଼ କୂଲି--- ଇତ୍ୟାଦି, ଏସବୁ---

"ପୂର୍ବ ପୁରୁଷର ପ୍ରତିଷ୍ଠା ବିଶାଳ
ବିକି ଭାଙ୍ଗି ଖାଉଥିବା କେତେ କାଳ"? 

ଓଡ଼ିଶାର ପ୍ରକୃତି ସୁନ୍ଦରୀ - ଶୋକ ପାସୋରା ଅପସରା ଭୁବନ--- ଏବଂ ମରାଳ ମାଳିନୀ - ନୀଳାମ୍ବୁ ଚିଲିକା କହିଲେ ଆମଦେଶର ପାଠୁଆ ମାନେ କେବଳ ରାଧାନାଥଙ୍କର 'ଚିଲିକା' କାବ୍ୟଟିକୁ  ମନେ ପକାନ୍ତି --- କିନ୍ତୁ ଏ ପ୍ରକୃତି ସୁନ୍ଦରୀ ଗର୍ଭରେ ଓଡ଼ିଶାର କି ବିଭବ-ସମ୍ପଦ ରହିଛି ତା' ଜାଣିବା ପାଇଁ କେତେଜଣ - ବିଶେଷତଃ, ଓଡ଼ିଶାବାସୀ- ଇଚ୍ଛା କରନ୍ତି ? ପ୍ରତିବର୍ଷ ବହୁ ସଙ୍ଖ୍ୟକ ସ୍ଲୁଲଛାତ୍ର --- ଶିକ୍ଷକ---ଦର୍ଶକ ଆସି ଚିଲିକା ଦେଖିଯାନ୍ତି, କିନ୍ତୁ କେଇ ହେଲେ ଏହାର ବିଭବ ନେଇ କିଛି ଆଲୋଚନା ଓ ଅନୁସନ୍ଧାନ କରନ୍ତି କି ନାହିଁ ସନ୍ଦେହ । ଯା' ହେଉ ଏକ୍ଷଣି ଏଇ ଚିଲିକା ବିଭବ ନେଇଁ କେତେକଥା ଏଠାରେ ବର୍ଣ୍ଣନା କରିବି:-

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Saturday, May 27, 2017

ପିଲାଙ୍କ ପାଇଁ କବିତା - 'ଡର'


କବି - ଜଗନ୍ନାଥ ପ୍ରସାଦ ଦାସ



ଗ୍ରୀକେ ସୁରାଭାଣ୍ଡରେ ଛାଗଯୁଥଙ୍କର ଦୃଶ୍ୟ (ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଛାଗର ଡର ବାଘକୁ
ଫାଗକୁ ଡରେ ବାଘ
ଫାଗ ଡରିଥାଏ ଛାଗକୁ
ତିନିହେଁ ତିନିଙ୍କି ଆଗ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Monday, May 22, 2017

ଓଟ ମେଳା

ବିଶ୍ୱଜିତ ଆପଟ 



ଭାରତର ଉତ୍ତର-ପଶ୍ଚିମ ସୀମାରେ ପାକିସ୍ତାନକୁ ଲାଗି ଯେଉଁ ରାଜ୍ୟଟି ରହିଛି, ତାହାର ନାମ ହେଲା ରାଜସ୍ଥାନ । ରାଜସ୍ଥାନର ଆଜମେର ଜିଲ୍ଲାରେ ପୁଷ୍କର ବୋଲି ଗୋଟିଏ ସହର ଅଛି । ଏହି ସହରରେ କାର୍ତ୍ତିକ ଏକାଦଶୀ ଠାରୁ ପୂନେଇ ଯାଏଁ ପାଞ୍ଚ ଦିନ ଧରି ଏକ ବଡ ମେଳା ଲାଗେ । ଇଂରାଜୀ କାଲେଣ୍ଡର ଅନୁସାରେ ମେଳା ପ୍ରାୟ ଅକ୍ଟୋବର-ନଭେମ୍ବର ମାସରେ ପଡେ । ପଚାଶ ହାଜାର ଓଟଙ୍କ ସହିତ ତିନି ଲକ୍ଷ ଲୋକ ମଧ୍ୟ ଏଠାରେ ଏକାଠି ହୁଅନ୍ତି । ଏହି ମେଳାକୁ “ପୁଷ୍କର ଓଟ ମେଳା” ବା କେବଳ “ପୁଷ୍କର ମେଳା” ବୋଲି ଲୋକେ କହିଥାଆନ୍ତି । ଏହା ପୃଥିବୀର ସବୁଠାରୁ ବଡ ଓଟ ମେଳା । କେବଳ ଓଟ ନୁହେଁ, ଅନ୍ୟାନ୍ୟ ପାଳିତ ପଶୁ ଯେପରିକି ଗାଇ, ଛେଳି, ମେଣ୍ଢା, ଏପରିକି ଘୋଡା ମଧ୍ୟ ବିକ୍ରି କରିବାକୁ ଏଠାକୁ ଅଣାଯାଇଥାଏ । ପଶୁ କିଣାବିକା ବ୍ୟତୀତ ଏଠାରେ ଅନେକ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୁଏ; ଯେମିତିକି, ମାଠିଆ ଭାଙ୍ଗିବା ପ୍ରତିଯୋଗିତା, ଲମ୍ବା ନିଶ ପ୍ରତିଯୋଗିତା ଓ ଆହୁରି କେତେ କ’ଣ । ଏଣୁ ଧୀରେ ଧୀରେ ପୁଷ୍କର ମେଳା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ହୋଇଉଠିଛି । କେତେ ବର୍ଷ ହେଲା ସ୍ଥାନୀୟ ପିଲାଏ ବିଦେଶୀ ପର୍ଯ୍ୟଟକଙ୍କ ସହ କ୍ରିକେଟ ମ୍ୟାଚ ମଧ୍ୟ ଆୟୋଜନ କରୁଛନ୍ତି । 



ପଶୁ ବେପାର, ପର୍ଯ୍ୟଟନ, ପ୍ରତିଯୋଗିତା ଇତ୍ୟାଦି ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଅଛି – ତୀର୍ଥଯାତ୍ରା । ଏ ମେଳାର ଏକ ଧାର୍ମିକ ମହତ୍ତ୍ୱ ରହିଛି । ପୁଷ୍କର ଏକ ଛୋଟିଆ ସହର, କିନ୍ତୁ ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ ଏହା ଏକ ପବିତ୍ର ସ୍ଥାନ ଅଟେ । ଏହି ସହର ପୁଷ୍କର ନାମକ ହ୍ରଦ ଉପକୂଳରେ ଗଢିଉଠିଛି । ସହରଟିର ଓ ହ୍ରଦର ରାମାୟଣ, ମହାଭାରତ ତଥା ପୁରାଣଗୁଡିକରେ ବର୍ଣ୍ଣନା ରହିଛି ।

ଯେମିତିକି ପଦ୍ମ ପୁରାଣରେ କୁହାଯାଇଛି ଯେ, ବଜ୍ରନାଭ ବୋଲି ଜଣେ ଦାନବ ଲୋକଙ୍କୁ ଅତ୍ୟାଚାର କରୁଥିଲା ଓ ନିଜ ପିଲାମାନଙ୍କୁ ହତ୍ୟା କରିବାକୁ ଚେଷ୍ଚା କରୁଥିଲା । ଏହା ବ୍ରହ୍ମାଙ୍କ ଆଖିରେ ପଡିଲା ଓ ସେ ତତକ୍ଷଣାତ ସେ ନିଜ ଅସ୍ତ୍ର ଦ୍ୱାରା ସେହି ଦାନବକୁ ବଧ କଲେ । ବ୍ରହ୍ମା ପ୍ରୟୋଗ କରିଥିବା ଅସ୍ତ୍ରଟି ହେଉଛି ଏକ ପଦ୍ମ ଫୁଲ । ସେହି ପଦ୍ମ ଫୁଲର ପାଖୁଡା ତିନୋଟି ସ୍ଥାନରେ ପଡିଲା ଓ ସେ ଜାଗାରୁ ଝରଣାଟିଏ ବାହାରିଲା । ତିନୋଟି ଝରଣାରୁ ତିନୋଟି ହ୍ରଦ ସୃଷ୍ଟି ହେଲା – ଜ୍ୟେଷ୍ଠ ପୁଷ୍କର, ମଧ୍ୟ ପୁଷ୍କର ଓ କନିଷ୍ଠ ପୁଷ୍କର । ବ୍ରହ୍ମାଙ୍କ ‘କର’ ବା ହାତରୁ ‘ପୁଷ୍ପ’ ପଡି ସେ ହ୍ରଦଟିମାନ ସୃଷ୍ଟି ହୋଇଥିବାରୁ ନାମ ରହିଲା ପୁଷ୍କର । ଏଠାରେ ବ୍ରହ୍ମାଙ୍କର ଏକ ମନ୍ଦିର ଅଛି । ଭାରତରେ ବ୍ରହ୍ନାଙ୍କ ମନ୍ଦିର ଆଉ କେଉଁଠାରେ ଅଛି କହିପାରିବ କି ? 

ଏଣୁ ପୁଷ୍କର ସହର ଏକ ତୀର୍ଥସ୍ଥଳୀ ଅଟେ । କାର୍ତ୍ତିକ ପୂର୍ଣ୍ଣିମା ଦିନର ପାହାନ୍ତାରେ ପୁଷ୍କର ହ୍ରଦରେ ବୁଡ ପକାଇବା ଏକ ପବିତ୍ର କଥା ବୋଲି ମାନ୍ୟତା ରହିଛି । ସ୍ନାନ ପରେ ଲୋକେ ବ୍ରହ୍ମାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି ।


୧୮୭୮ ମସିହାରେ ନର୍ଥ ମାରିଏନ ଆଙ୍କିଥିବା ପୁଷ୍କର ହ୍ରଦର ଚିତ୍ର

ମେଳାରେ ପୁରୁଷମାନେ ପଶୁ କିଣାବିକା କଲାବେଳେ ମହିଳାମାନେ ଚୁଡି ଓ ଲୁଗାପଟା ଦେକାନଗୁଡିକରେ ଭିଡ ଜମାନ୍ତି । ଅନେକ ଦୋକାନରେ ସ୍ଥାନୀୟ କଳା ଓ ଶିଳ୍ପ ଦେଖିବାକୁ ମିଳେ । ମେଳା ଆରମ୍ଭ ହୁଏ ଓଟ ଦୌଡରୁ । ଓଟମାନଙ୍କୁ ଭଲ ଭାବେ ଗାଧୋଇ ସୁନ୍ଦର ଭାବେ ସଜାଇ ଦିଆଯାଇଥାଏ । ଭିନ୍ନ ଭିନ୍ନ ପ୍ରତିଯୋଗିତା କରି ସବୁଠାରୁ ସୁନ୍ଦର ଭାବେ ସଜାଯାଇଥିବା ଓଟ, ସବୁଠାରୁ ବେଶୀ ଲୋକଙ୍କୁ ପିଠିରେ ବୋହିନେଇ ପାରୁଥିବା ଓଟ ଆଦିଙ୍କୁ ପୁରସ୍କାର ଦିଆଯାଏ । ତାହା ପରେ କେତେ ପ୍ରକାରର ସଙ୍ଗୀତ, ନୃତ୍ୟ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆଦି ପାଞ୍ଚ ଦିନ ଧରି ଚାଲେ । ମହିଳାମାନଙ୍କର ରଙ୍ଗବେରଙ୍ଗ ପୋଷାକ, ପୁରୁଷଙ୍କର ସଫେଦ ପୋଷାକ, ପାରମ୍ପରିକ ଗହଣାଗାଣ୍ଠି, ପଶୁଙ୍କ ଗହଣା, ରାଜସ୍ଥାନୀ ଖାଦ୍ୟ, ଭଳିକିଭଳି ଦୋଳି, ଉଡନ୍ତା ବେଲୁନ ଓ ବିଦେଶୀ ପର୍ଯ୍ୟଟକଙ୍କ ସମାହାରରେ ଏକ ରଙ୍ଗୀନ ପରିବେଶ ସୃଷ୍ଟି ହୁଏ । ପାଖରେ ଥିବା ଆରାବଳୀ ପର୍ବତ ଚଢି ମଧ୍ୟ ଏ ଦୃଶ୍ୟ ଉପଭୋଗ କରାଯାଇପାରେ ।



ଆରାବଳୀ ପର୍ବତ ଉପରୁ ପୁଷ୍କର ସହର ହ୍ରଦର ଦୃଶ୍ୟ


ସମସ୍ତ ଚିତ୍ରର ଉତ୍ସ: ୱିକିମିଡିଆ କମନସ୍

ଆଲୋଚନା ବିନ୍ଦୁ:
୧. ପିଲାମାନେ ପାକିସ୍ତାନ, ରାଜସ୍ଥାନ, ଆଜମେର, ପୁଷ୍କର ସହର ଓ ହ୍ରଦର ଅବସ୍ଥିତି ମାନଚିତ୍ରରେ ଦେଖାଇବେ 

୨. ଆରାବଳୀ ପର୍ବତ 

୩. ହିନ୍ଦୁ କାଲେଣ୍ଡର

୪. ରାଜସ୍ଥାନୀ ଜନଜୀବନରେ ଓଟ କାହିଁକି ମହତ୍ୱପୂର୍ଣ୍ଣ 

୫. ରାଜସ୍ଥାନର ପାରମ୍ପାରିକ କଳାଶିଳ୍ପ, ସଙ୍ଗୀତ, ଖାଦ୍ୟ ଓ ବେଶ ପୋଷାକ

୬. ପର୍ଯ୍ୟଟନ ଓ ତୀର୍ଥଯାତ୍ରା

୭. ସ୍ଥାନୀୟ ଅର୍ଥନୀତି ପାଇଁ ମେଳାର କ’ଣ ଗୁରୁତ୍ୱ ରହିଛି

Sunday, May 21, 2017

ପିଲାଙ୍କ ପାଇଁ କବିତା - 'ଦୁଇ ଦାସ'


କବି - ଜଗନ୍ନାଥ ପ୍ରସାଦ ଦାସ


ମଧୁସୂଦନ ଦାସ (୧୮୪୮-୧୯୩୪)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଜାତି ପ୍ରେମ ବହ୍ନିରେ ଦେଲେ ଝାସ
ମିଷ୍ଟର ଦାସ;
ଦେଶ ମାଟିରେ ମିଶାଇ ଦେଲେ ପ୍ରାଣ
ଦାସ ଆପଣ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Friday, May 19, 2017

ସମାଜ ବିଜ୍ଞାନ କାହିଁକି ଗୁରୁତ୍ୱପୂର୍ଣ୍ଣ -୨


ସୀମନ୍ତିନୀ ଧୁରୁ



ବିଭିନ୍ନ ପ୍ରକାରର ପ୍ରକଳ୍ପ କାର୍ଯ୍ୟ ଦ୍ୱାରା ସମାଜ ବିଜ୍ଞାନ ଅଧ୍ୟୟନ ଅଧିକ ଆନନ୍ଦଦାୟୀ ଓ ଉପଯୋଗୀ ହୋଇପାରିବ । 


ଏ ବଜାରୀକରଣର ଦୁନିଆରେ ଯେତେବେଳେ ସବୁକିଛି ପଣ୍ୟ ପାଲଟିଲାଣି ସମାଜ ବିଜ୍ଞାନ କଥା ପଚାରେ କିଏ ! ଏହା ହେଉଛି କାରଣ ଓ ଏହା ହିଁ ପରିଣାମ । ସମାଜ ବିଜ୍ଞାନକୁ ଅର୍ଥହୀନ ତଥ୍ୟସମ୍ଭାରରେ ବୋଝଗ୍ରସ୍ତ କରି ରଖିଥିବାରୁ, ଗହନ ମନନ ଚିନ୍ତନ ଓ ନୂଆ କିଛି ସୃଷ୍ଟି କରିବାର ଉତ୍ସାହ ଅଭାବରୁ ଏହି ବିଷୟ ରସହୀନ ତଥା ଅଲୋଡା ହୋଇ ପଡିଛି । ଅପର ପକ୍ଷେ, ଗହନ ଚିନ୍ତନ ପାଇଁ ସୁଯୋଗ ମିଳୁ ନଥିବାରୁ ପିଲାଙ୍କ ମନରେ ପ୍ରଶ୍ନ ପଚାରିବାର ଯେଉଁ ସ୍ୱାଭାବିକ ପ୍ରବୃତ୍ତି ରହିଛି ତାହାର ଅବକ୍ଷୟ ଘଟୁଛି । ଏଣୁ ଧୀରେ ଧୀରେ, ଅଳ୍ପ କେତେ ଜଣଙ୍କୁ ଲାଭ ଯୋଗାଉଥିବା ଯନ୍ତ୍ରବିଦ୍ୟାର କୁପ୍ରଭାବ, ବିକାଶ ନାଁ’ରେ ମାନବ ଅଧିକାର କ୍ଷୁର୍ଣ୍ଣ କରୁଥିବା ଓ ପରିବେଶକୁ ଧ୍ୱଂସ କରୁଥିବା କାର୍ଯ୍ୟକଳାପ ଆଉ କୌଣସି ପ୍ରଶ୍ନର ସମ୍ମୁଖୀନ ହେଉ ନାହିଁ । ଯେଉଁ ବିଜ୍ଞାନ ବାସ୍ତବତାର ଭିତ୍ତିରେ ଓ ପ୍ରଶ୍ନ କରିବାର ସ୍ୱଭାବ ଯୋଗୁଁ ତିଷ୍ଠିଥିଲା ତାହା ହିଁ ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଛି ।


ଏଇଠୁଁ ଆମେ ଲେଖାର ଆରମ୍ଭରେ ଉଠିଥିବା କଥା ପାଖକୁ ଚାଲିଯିବା । ଶିକ୍ଷାର ଲକ୍ଷ୍ୟ ଓ ଚରିତ୍ରରେ ହିଁ ଉପରୋକ୍ତ ଆହ୍ୱାନ ଗୁଡିକ ପାଇଁ ଉତ୍ତର ମିଳିବ । ଶିକ୍ଷାର ଉଦ୍ଦେଶ୍ୟ ବିଷୟରେ ଚିନ୍ତା କଲେ ସମାଜ ବିଜ୍ଞାନ ଶିକ୍ଷଣ ତଥା ଅନ୍ୟ ସମସ୍ତ ବିଷୟ ଶିକ୍ଷଣ ପଦ୍ଧତି ପରିବର୍ତ୍ତନ ପାଇଁ ବାଟ ଦିଶିବ । ଶିକ୍ଷାର ଉଦ୍ଦେଶ୍ୟ କ’ଣ ପରୀକ୍ଷାରେ ଭଲ ମାର୍କ ରଖିବା? କୋଚିଙ୍ଗ ଇତ୍ୟାଦିରେ ପଇସା ସାରି ଡିଗ୍ରୀଧାରୀ ହେବା ? ଏମିତି ଚାକିରୀ କରିବା ଯହିଁରେ ସୃଜନର ଆନନ୍ଦ ନଥିବ ବରଂ ଥିବ ଗରିବ ଓ ପରିବେଶ ଧ୍ୱଂସକାରୀ କାର୍ଯ୍ୟକଳାପ ? କ’ଣ ଏହା ହିଁ ହେଉଛି ଆମ ପ୍ରଗତି ? ଏସବୁରୁ ଆମକୁ ଏକ ସୁଖୀ ସମାଜ ମିଳିଯିବ କି? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଆଜି ଅତ୍ୟନ୍ତ ଆବଶ୍ୟକୀୟ ମନେହୁଏ । ଶିକ୍ଷା ବ୍ୟବସ୍ଥାରେ ଏସବୁ ସମସ୍ୟାର ଆଲୋଚନାର ଦାୟିତ୍ୱ ହିଁ ସମାଜ ବିଜ୍ଞାନର ମୂଳପିଣ୍ଡ ।

ଶିକ୍ଷଣ ଉପଯୋଗୀ କିଟ୍

ସଙ୍ଗତି (ମୁମ୍ବାଇସ୍ଥିତ ଆଭେହି-ଆବାକସ ପ୍ରକଳ୍ପର ଅନ୍ତର୍ଭୁକ୍ତ) ହେଉଛି ଛଅଟି ଶିକ୍ଷଣ ଉପଯୋଗୀ କିଟ୍ ର ସମାହାର । ଏହି କିଟ୍ ଗୁଡିକ ପିଲାଙ୍କୁ ଭାବିବା, ଚିନ୍ତା କରିବା ପାଇଁ ପ୍ରବର୍ତ୍ତାଏ । ‘କ’ଣ ପଢାଯିବ’ ଓ ‘କେମିତି ପଢାଯିବ’ - ଏ ଦୁଇଟିରେ ଗୁଣାତ୍ମକ ମାନ ବୃଦ୍ଧି କରି ସ୍କୁଲ ଶିକ୍ଷାକୁ ଅଧିକ ପ୍ରାସଙ୍ଗିକ ଓ ଜୀବନ୍ତ କରିବାକୁ ଚେଷ୍ଟା କରେ । ପ୍ରତ୍ୟେକ କିଟ୍ ରେ ଶିକ୍ଷକଙ୍କ ପାଇଁ ଏକ ମାନୁଆଲ, ତିନୋଟି ଭାଷାରେ ଆନୁସଙ୍ଗିକ ଭିଜୁଆଲ୍ ଟିଏଲଏମ ରହିଛି । ଏହା ସହିତ ଅଛି ପିଲାଙ୍କ ପାଇଁ ୱାର୍କସିଟ୍, କାହାଣୀ ଓ ପଢିବା ପାଇଁ ଅନ୍ୟାନ୍ୟ ଜିନିଷ (ଆଠଟି ଭାଷାରେ) ।

ସଙ୍ଗତି  ପୃଥକ ପୃଥକ ଥିବା ତଥ୍ୟଗୁଡିକୁ ପରଷି ଦେବା ପରିବର୍ତ୍ତେ ବିଭିନ୍ନ ପ୍ରସଙ୍ଗ ବା ଥିମ୍ ଭିତରେ ଥିବା ସମ୍ପର୍କକୁ ଗୁରୁତ୍ୱ ଦିଏ । ଏହି ଥିମ୍ ଗୁଡିକ ଏପରି ସଜାହୋଇଛି ଯେପରି ଆମ ଚାରିପଟେ ଯାହା ଘଟୁଛି ତାହା ବୁଝିବା ଓ ବିଶ୍ଳେଷଣ କରିବା ପାଇଁ ଆମକୁ ଏକ ଦୃଷ୍ଟିଭଙ୍ଗୀ ମିଳିଯିବ ।

ଏହି ଥିମ୍ ଗୁଡିକ ହେଲା :

  • ନିଜ ବିଷୟରେ ଜାଣିବା ଅର୍ଥାତ ବୁଝିବା ଯେ ମୁଁ ସ୍ୱତନ୍ତ୍ର ଅଟେ କିନ୍ତୁ ଅନ୍ୟ ପ୍ରତିଟି ମଣିଷ ସହ ମୋର କିଛି ସମାନତା ମଧ୍ୟ ଅଛି । ନିଜ ଶରୀରର କ୍ଷମତା ଓ ସୀମା ବିଷୟରେ ସଚେତନ ହେବା ଓ ଅନୁଭବ କରିବା ଯେ ଆମ ଭିତରେ ଯାହା ଭିନ୍ନତା ଥାଉ ପଛେ ସବୁ ମଣିଷଙ୍କର ମୂଳ ଆବଶ୍ୟକତା ସମାନ ।
  • ଆମ ପୃଥିବୀ ଆମକୁ ଯେଉଁ ସମ୍ପଦ ଯୋଗାଏ ସେଥିରୁ ଆମେ ଆମ ଆବଶ୍ୟକତା ପୂରଣ କରିପାରୁ । ମଣିଷ ସମେତ ପୃଥିବୀରେ ସମସ୍ତ ଜୀବ ଏକ ଜଟିଳ ଓ ନିରନ୍ତର ପ୍ରକ୍ରିୟାରେ ବିକଶିତ ହୋଇଛନ୍ତି । ଏଣୁ ଆମେ ସମସ୍ତେ ଜୀବସମୂହର ଏକ ଅଂଶ ।
  • ହଜାର ହଜାର ବର୍ଷ ଧରି ଲୋକେ ପୃଥିବୀର ସମ୍ପଦର ବ୍ୟବହାର କରିବା ଓ ସମାଜରେ ଏକାଠି ରହିବା ଶିଖିଛନ୍ତି ପୃଥିବୀରେ ସମାଜଗୁଡିକ କିପରି ବିକଶିତ ହେଲେ ଜାଣିଲେ ଆମେ ଆମ ଜୀବନକୁ ମଧ୍ୟ ଭଲ ଭାବରେ ବୁଝିପାରିବା ।
  • ଯନ୍ତ୍ରବିଦ୍ୟାରେ ନିରନ୍ତର ପରିବର୍ତ୍ତନ ଓ ବିଭିନ୍ନ ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ଅନୁଷ୍ଠାନ ଆମର ଆଜିର ଜୀବନକୁ କିପରି ପ୍ରଭାବିତ କରୁଛନ୍ତି ।
  • ଆମର ପରିବେଶ ସହିତ, ଅନ୍ୟ ଜୀବଙ୍କ ସହିତ ଓ ପରସ୍ପର ସହିତ ସମ୍ପର୍କ ସବୁ ପରିବର୍ତ୍ତନ ହେଉଛି । ଏହି ପରିବର୍ତ୍ତନ ଗୁଡିକ କ’ଣ ଓ ସଗୁଡିକର ପ୍ରଭାବ କ’ଣ ବୁଝିପାରିଲେ ଯାଇ ଆମେ ପରିବର୍ତ୍ତନ ଗୁଡିକୁ ଆପଣେଇ ନେଇ ପାରିବା ଓ ସାମାଜିକ ନ୍ୟାୟ ଓ ପରିବେଶ ସନ୍ତୁଳନ ଅନୁକୂଳ ଏକ ସମାଜ ସୃଷ୍ଟି କରିପାରିବା ।
  • ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା – ଏପରି କୌଶଳ, ମନୋଭାବ ଓ ମୂଲ୍ୟବୋଧ ଆହରଣ କରିବା ଯାହା ବ୍ୟକ୍ତିଗତ ଭାବେ ଆମ ପାଇଁ ତଥା ଆମ ସମାଜ ଓ ଆମ ପୃଥିବୀ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହେବ ।

ବିଗତ ଛଅ ବର୍ଷ ହେଲା ସଙ୍ଗତି ୯୦୫ଟି ମୁନସିପାଲ ସ୍କୁଲରେ ବ୍ୟବହୃତ ହେଉଛି ।
ଦେଖିଲେ ଯାଇ ବିଶ୍ୱାସ ହେବ
ଏହି ଖେଳଟି ପାଇଁ ଛଅ ଜଣ ପିଲାଙ୍କୁ ଆଗକୁ ଡାକନ୍ତୁ । ପ୍ରତ୍ୟେକ ପିଲାଙ୍କୁ କୋଠରୀର ଅଲଗା ଅଲଗା ଭାଗକୁ ଯିବାକୁ କୁହନ୍ତୁ । ସେମାନେ ଭିନ୍ନ ଭିନ୍ନ ମୁଦ୍ରାରେ ରୁହନ୍ତୁ ଯେମିତି କି ଜଣେ ପିଲା ଚିତ୍ ହୋଇ ଶୋଇ ଛାତକୁ ଦେଖିପାରେ, ଆଉ ଜଣେ କୌଣସି ଏକ କୋଣରେ ପେଟେଇ ଶୋଇପାରେ, ଆଉ ଜଣେ ଝର୍କା ପାଖରେ ବସିପାରେ ଇତ୍ୟାଦି ।  

ବସିପାରେ ଇତ୍ୟାଦି ଏବେ ପ୍ରତ୍ୟେକ ପିଲା ନିଜ ନିଜ ସ୍ଥିତିରେ ଥାଇ ଯାହା ଦେଖୁଛନ୍ତି ବର୍ଣ୍ଣନା କରିବେ । ଏ ବର୍ଣ୍ଣନାଗୁଡିକୁ ଧ୍ୟାନ ଦେଇ ଶୁଣିବା ପାଇଁ ଅନ୍ୟ ପିଲାଙ୍କୁ ଅନୁରୋଧ କରନ୍ତୁ । ଛଅ ଜଣ ଯାକ ନିଜ ନିଜ ଦୃଶ୍ୟର ବର୍ଣ୍ଣନା ଦେଇ ସାରିବା ପରେ ସେମାନେ ଯାଇ ନିଜ ସ୍ଥାନରେ ବସିଯାଆନ୍ତୁ ।

ନିମ୍ନଲିଖିତ ପ୍ରଶ୍ନମାନଙ୍କ ସହାୟତାରେ ଖେଳଟି ବିଷୟରେ ଆଲୋଚନା କରନ୍ତୁ ।

·         ଛଅ ଜଣ ପ୍ରତ୍ୟେକ କ’ଣ କ’ଣ ଦେଖୁଥିବାର ବିବରଣୀ ଦେଲେ ?
·         ସେମାନଙ୍କର ବର୍ଣ୍ଣନା ସବୁ ସମାନ କି? କାହିଁକି?
·         ଏମାନଙ୍କ ଭିତରୁ କ’ଣ କେହି ଜଣେ ହେଲେ ଶ୍ରେଣୀଗୃହର ସମ୍ପୂର୍ଣ୍ଣ ବିବରଣୀ ଦେଇପାରିଲେ କି? କାହିଁକି?
·         ଯଦି ଏହି ଛଅଟି ଯାକ ବର୍ଣ୍ଣନା ଏକାଠି କରିଦେବା ତେବେ ଆମକୁ ଶ୍ରେଣୀଗୃହର ସମ୍ପୂର୍ଣ୍ଣ ବିବରଣୀ ମିଳିଯିବ କି?

ନିମ୍ନଲିଖିତ ବିନ୍ଦୁଗୁଡିକୁ ଉପସ୍ଥାପନ କରି ଆଲୋଚନା ଶେଷ କରନ୍ତୁ ।

ଛଅ ଜଣ ଯାକ ପିଲା କୋଠରୀର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମୁଦ୍ରାରେ ଥିବାରୁ ପ୍ରତ୍ୟେକଙ୍କୁ କଠୋରୀଟି ଭିନ୍ନ ଦିଶିଲା । ଏମାନଙ୍କ ଭିତରୁ କେହି ବି ଭୁଲ କହୁନଥିଲେ କିନ୍ତୁ ଶ୍ରେଣୀଗୃହଟି ପ୍ରକୃତରେ କେମିତି ଦିଶୁଛି କେହି ଜଣେ ହେଲେ ସମ୍ପୂର୍ଣ୍ଣ ଭାବେ କହି ପାରିଲେ ନାହିଁ । ଏପରିକି ସବୁ ବର୍ଣ୍ଣନା ଏକାଠି କଲେ ମଧ୍ୟ ସମ୍ପୂର୍ଣ୍ଣ ବିବରଣୀ ମିଳୁନାହିଁ, କିନ୍ତୁ ଆମ ଧାରଣା ବଢୁଛି । ଅନ୍ୟ ପ୍ରକାରରେ କହିଲେ, କୌଣସି ଜିନିଷକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖିଲେ ହିଁ ଏହା ସମ୍ବନ୍ଧରେ ଆମକୁ ଭଲ ଧାରଣା ମିଳିପାରିବ ।







ଲେଖିକା ପରିଚୟ: ଲେଖିକା ମୁମ୍ବାଇସ୍ଥିତ ଆଭେହି-ଆବାକସ ପ୍ରକଳ୍ପର ନିର୍ଦ୍ଦେଶିକା ଓ ରାଜ୍ୟ ତଥା ଜାତୀୟ ସ୍ତରରେ ପାଠ୍ୟକ୍ରମ ସଂଶୋଧନରେ ନିବିଷ୍ଟ । ସର୍ବ ଶିକ୍ଷା ଅଭିଜାନର ‘ଜାତୀୟ କାର୍ଯ୍ୟକାରୀ ସମିତି’ ର ଓ ‘ଅଲ୍ ଇଣ୍ଡିଆ ଫୋରମ ଫର୍ ରାଇଟ୍ ଟୁ ଏଜୁକେସନ’ ର  ସେ ଜଣେ ସଦସ୍ୟ । ତାଙ୍କୁ ଯୋଗାଯୋଗ ଠିକଣା : simantinidhuru@gmail.com.     

ଲେଖାଟିର ମୂଳପାଠର ଠିକଣା : http://www.teacherplus.org/things-to-think-about/why-social-sciences-are-important 

Tuesday, May 16, 2017

ଗ୍ରାମର ସ୍ୱାସ୍ଥ୍ୟ

ଗୋପୀନାଥ ମହାନ୍ତି 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗ୍ରାମ-ସଙ୍ଗଠନକାରୀମାନେ ଗ୍ରାମର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦେଲେ । ଗ୍ରାମର ଲୋକେ ଅଶିକ୍ଷା ଓ ଅଯତ୍ନ ଫଳରୁ ରୋଗ କବଳରେ ପଡ଼ୁଛନ୍ତି । ସ୍ୱାସ୍ଥ୍ୟରକ୍ଷା ବିଷୟରେ ସେମାନଙ୍କର ସାଧାରଣ ଜ୍ଞାନ ମଧ୍ୟ ଅଭାବ । ପରିଷ୍କାର ପରିଛନ୍ନ ନ ରହି, ଖାଦ୍ୟ, ବାସଗୃହ ପ୍ରଭୃତିକୁ ଅବହେଳା କରି ସେମାନେ ରୋଗକୁ ନିମନ୍ତ୍ରଣ କରୁଛନ୍ତି । ରୋଗ ହେଲେ ପ୍ରଥମେ ଚିକିତ୍ସା ନ କରାଇ ଶେଷ ଅବସ୍ଥାରେ ରୋଗ ଅସାଧ୍ୟ ହୋଇଗଲେ ସତର୍କ ହେଉଛନ୍ତି । ତେଣୁ ସେମାନଙ୍କୁ ପ୍ରଥମ ଉପଦେଶ, “ସାମାନ୍ୟ ଯତ୍ନ କଲେ ଅକାଳରେ ମରିବାର ଭୟ ରହିବ ନାହିଁ । ରୋଗରେ ମର ନାହଁ ବଞ୍ଚି ରହିବାକୁ ଚେଷ୍ଟା କର; ଆପେ ବଞ୍ଚିଲେ ବାପର ନାମ ।”

କିନ୍ତୁ ଗ୍ରାମବାସୀଙ୍କର ସବୁଥିରେ ଅବହେଳା । ଯଦିବା କେହି ନିଜ ଘରକୁ ପରିଷ୍କାର ରଖିବାକୁ ମନ ବଳାଏ, ନିଜର ଆଖ ପାଖକୁ ଓ ଗ୍ରାମକୁ ପରିଷ୍କାର ରଖିବାକୁ କେହି ଚେଷ୍ଟା କରେ ନାହିଁ । ଗ୍ରାମର ଅପରିଷ୍କୃତ ପରିସ୍ଥିତିରୁ ଯେଉଁ ରୋଗ ଜୀବାଣୁ ଜନ୍ମ ହେବେ, ସେମାନେ ସମସ୍ତଙ୍କୁ ଗ୍ରାସିବେ । ଗ୍ରାମର ଜଳାଭୂଇଁରେ ଯେଉଁ ମଶା ଜନ୍ମିବେ, ସେମାନେ ସମସ୍ତଙ୍କୁ ମ୍ୟାଲେରିୟା ଜ୍ୱର ଭୋଗାଇବେ; କିନ୍ତୁ ଯାହା ସମସ୍ତଙ୍କର କାମ, ତାହା ଯେପରି କାହାରି ଜଣକର କାମ ନୁହେଁ ।

ପ୍ରତ୍ୟେକ ଗ୍ରାମରେ ପହଞ୍ଚିଲେ ଦେଖାଯାଏ ଯେ, ଗ୍ରାମର ଲୋକାଳୟ ନିକଟରେ ବନ୍ଧ କଡ଼ରେ ବା ଅରମାରେ ଲୋକେ ଝାଡ଼ା ଫେରୁଛନ୍ତି । ଏହାଦ୍ୱାରା କେବଳ ଯେ ମଫସଲର ଅଶିକ୍ଷା ଓ ଅଭଦ୍ରତା ପଦାକୁ ଫୁଟି ବାହାରେ ତାହା ନୁହେଁ, ଦୁର୍ଗନ୍ଧ ହୋଇ ବାୟୁ ଦୂଷିତ ହୁଏ । ମାଛିମାନେ ମଇଳା ଉପରେ ବସି ଉଡ଼ିଯାଇ ପୁଣି ମନୁଷ୍ୟ ଖାଦ୍ୟ ଉପରେ ବସନ୍ତି । ପାଣି ଚାରିଆଡ଼କୁ ଗଡ଼ିଯାଇ ମଇଳା ବ୍ୟାପି ଯାଏ, ରୋଗ ବଢେ଼ । ତେଣୁ ଗ୍ରାମବାସୀଙ୍କୁ ଶିକ୍ଷା ଦିଆ ହେଲା ଯେ, ସେମାନେ ଲୋକାଳୟଠାରୁ ଦୂରକୁ ଯାଇ ସେଠି ଗାତ ଖୋଳି ତହିଁରେ ଝାଡ଼ା ଫେରିବେ ଓ ଗାତକୁ ମାଟି ପାଉଁଶରେ ପୋତି ଦେଇ ଆସିବେ । ତାହା ହେଲେ ମଇଳା ଚାରିଆଡେ଼ ବ୍ୟାପିବ ନାହିଁ ବା ଦୁର୍ଗନ୍ଧ ହେବ ନାହିଁ; ମଇଳା ମାଟିରେ ମିଶିଯିବ, ମାଟି ଉର୍ବର ହେବ ।

ଗ୍ରାମର ପୋଖରୀପାଖେ ପହଞ୍ଚିଲେ ଦେଖାଯାଏ, ସତେ ଯେପରି ଲୋକେ ଏକମନ ହୋଇ ଆତ୍ମହତ୍ୟା କରିବା ପାଇଁ ବ୍ୟବସ୍ଥା କରୁଛନ୍ତି । କାରଣ ଏ ଅପରିଷ୍କୃତ ପୋଖରୀରୁ ଗରା ମାଠିଆ ପୂର୍ଣ୍ଣ ହୋଇ ପିଇବା ପାଇଁ ପ୍ରତି ଘରକୁ ପାଣି ଯାଉଛି; ଅଥଚ ଏଠି ମନୁଷ୍ୟ, ଗାଈ ଓ ମଇଁଷି ଗାଧୋଉଛନ୍ତି, ଧୋବା ଲୁଗା କାଚୁଛି, କେହି କେହି ନିତ୍ୟକର୍ମ କରୁଛନ୍ତି । ଗ୍ରାମରେ କାହାରିକୁ ଅମାଶୟ, ଆନ୍ତ୍ରିକ ଜ୍ୱର ବା ହଇଜା ହେଲେ ରୋଗ ଜୀବାଣୁ ତାହାର ଲୁଗାପଟାରୁ ଏ ପୋଖରୀକୁ ଓ ଏଠୁ ଗ୍ରାମର ପ୍ରତିଘରକୁ ଚାଲିଯାଆନ୍ତି ।

କୂଅର ଅବସ୍ଥା ମଧ୍ୟ ସେହିପରି । କୂଅ ଚାରିପାଖ ଅସନା କଲେ ଅସନା ପାଣି ମାଟି ଭିତରକୁ ଭେଦି ଶେଷରେ କୂଅ-ଝରରେ ମିଶେ ତଥାପି ଲୋକେ କୂଅ ପାଖେ ଗାଧୋଉଛନ୍ତି, ଳୁଗା ଧୋଉଛନ୍ତି । ବାସନ ମାଜୁଛନ୍ତି ଓ ଅପରିଷ୍କାର କରୁଛନ୍ତି । ଲୋକଙ୍କୁ ଏହାର ଅପକାରିତା ବୁଝାଇ କୂଅରେ ଚୂନ ଓ ବ୍ଳିଚିଂ ପାଉଡ଼ର ପକାଇ ସଫା କରାଗଲା; କୂଅ ଚାରିପାଖ ପରିଷ୍କାର ରଖାଗଲା ।

ଅତିଶୟ ସ୍ୱାସ୍ଥ୍ୟକର ଓ ନିରାପଦ ପିଇବା ପାଣି ବ୍ୟବହାର କରିବାକୁ ସମସ୍ତଙ୍କ ଚାନ୍ଦାରେ ଗୋଟିଏ ନଳ-କୂଅ ବସାଗଲା । ଏକଶହ ଅଶୀ ଫୁଟ ଗଭୀରକୁ ଗୋଟିଏ ଲୁହା ନଳ ପୋତା ହେଲା । ତହିଁରେ ଗୋଟିଏ ପମ୍ପ୍ ଲାଗିଥାଏ; ଉପରେ ଦାବିଲେ ପାଣି ଝରେ । ଏ ପାଣି ଅତି ନୀରୋଗ ।

ତାହା ଉତ୍ତାରୁ ବାସଗୃହ ସଂସ୍କାର । ଗ୍ରାମରେ ଫରଚା ଫରଚା ଛାଡ଼ି ଛାଡ଼ି ଘର କରିବାକୁ ସ୍ଥାନର ଅଭାବ ନାହିଁ; କିନ୍ତୁ ଲୋକେ ଏତେ ରକ୍ଷଣଶୀଳ ଯେ ପୁରୁଷକୁ ପୁରୁଷ ନିଜର ସଂଖ୍ୟା ବଢ଼ୁଥିଲେ ସୁଦ୍ଧା ସେମାନେ ପୁରୁଣା ଗୃହ ଛାଡ଼ି ଯିବାକୁ ଅନିଛୁକ । ସେମାନଙ୍କ ଘର ସବୁ ଏକାଠି ଲଗାଲଗି, ସଙ୍କୀର୍ଣ୍ଣ, ପାରାଖୋପ ପରି ଛୋଟ ଛୋଟ ଆଡ଼ ଉଢ଼ାଳକୁ ଜଗି ଝରକା ଫିଟା ହୋଇନାହିଁ, ପବନ ଓ ଆଲୁଅ ଯିବାକୁ ସୁବିଧା ନାହିଁ, ତେଣୁ ଘର ସବୁ ସନ୍ତସନ୍ତିଆ । ଶୋଇବା ଘର, ରୋଷାଇ ଘର ଓ ଗୁହାଳ ଘର ଏକାଠି ଲଗାଲଗି । ଏ ଅନ୍ଧାର ଓ ଦୁଷିତ ପବନରେ ରୋଗର ଜୀବାଣୁ ଜନ୍ମନ୍ତି ପବନର ଦୁଷିତ ଅଂଶ ରକ୍ତରେ ରହିଯାଇ ଅପକାର କରେ । ନୁଆ ବୋହୁମାନଙ୍କୁ ଏ ସଙ୍କୀର୍ଣ୍ଣ ଘରେ ଓଢ଼ଣା ପକାଇ କବାଟ କଣରେ ଲୁଚି ଲୁଚି ଚଳିବାକୁ ହୁଏ, ତେଣୁ ସେମାନଙ୍କର ସତେଜ ଦେହ ବୋହୁପଣିଆ କରି ଭାଙ୍ଗି ପଡେ଼ ।

ଗ୍ରାମର ଘରମାନଙ୍କରେ ବଡ଼ ବଡ଼ ଝରକା ଖୋଲାହେଲା, ଅନ୍ଧାର କରୁଥିବା କାନ୍ଥ ଓ ଅଧାକାନ୍ଥି ଭାଙ୍ଗି ଦିଆ ହେଲା । ଯେ ନୁଆ ଘର ତୋଳୁଥିଲେ ତାଙ୍କୁ ପ୍ରବର୍ତ୍ତାଇ ନୁତନ ଧରଣର ଆଦର୍ଶ ଘର ତୋଳା ହେଲା । ନିଗିଡ଼ା ମାଟି ଓ ଢ଼ିପ ଭୂଇଁ ଦେଖି ଏ ସବୁ ଘର ତିଆରି କରାଗଲା । ଏଥିରେ ବଡ଼ ବଡ଼ ଝରକା, ଫର୍ଚ୍ଚା କବାଟ, ବଡ଼ ବଡ଼ କୋଠରୀ ଓ ଚଉଡ଼ା ଦ୍ୱାର । ରୋଷାଇ ଘର ଶୋଇବା ଘରଠାରୁ ଦୁରରେ । ଗୁହାଳ ଘର ଖଞ୍ଜାର ପଦାରେ ଓ ଶୋଇବା ଘରଠାରୁ ଦୁରରେ । ସେ ଖୁବ ପରିଷ୍କୃତ ପରିଛନ୍ନ, ତଳେ କାଦୁଅ ବା ଅସନା ନାହିଁ, ପାଣି ଓ ମୂତ ବୋହିଯିବା ପାଇଁ ପଦାକୁ ନାଳି କଟା ହୋଇଛି । ଶୋଇବା ଘର ଖୁବ ଖୋଲା ଖୋଲା । ସେଠି ଜିନିଷ ପତ୍ର ଖୁନ୍ଦା ଖୁନ୍ଦି ହୋଇନାହିଁ କାରଣ ତାହା ହେଲେ ମାଛି, ମଶା ଓ ମୁଶା ପ୍ରଭୃତି ରୋଗବାହକ ଜନ୍ତୁ ହେବେ । ଦୁଆରଟି ବାଲି ଓ ପଥର ପଡ଼ି ଚଉରସ ହୋଇଛି । ନାଳିବାଟେ ପାଣି ବୋହିଯାଉଛି । ଫିନାଇଲ ଓ ଚୁନ ପକାଇ ରୋଗ ଜୀବାଣୁ ଧ୍ୱଂସ କରାହେଉଛି । ଚାରିଆଡେ଼ ପରିଷ୍କୃତ ପରିଛନ୍ନ ।

ଏଠି ଖଟ ଉପରେ ମସାରି ପକାଇ ଝରକା ଖୋଲି ସମସ୍ତେ ଶୁଅନ୍ତି । ଘରେ ଝୁଣା ଧୂଆଁ ଦିଆଯାଏ । 

ଗ୍ରାମରେ ଚିକିତ୍ସାର ସୁବିଧା ପାଇଁ ଜଣେ ହୋମିଓପ୍ୟାଥି ପାଶ୍ କରିଥିବା ନୁଆ ଡ଼ାକ୍ତରଙ୍କୁ ବ୍ୟବସାୟରେ ଉନ୍ନତି ହେବ ବୋଲି ଭରଷା ଦିଆହୋଇ ଗ୍ରାମରେ ଅଣାଇ ରଖାହେଲା ଓ ତାଙ୍କର ସବୁ ସୁବିଧା କରିଦିଆହେଲା । ହେମିଓପ୍ୟାଥି ଓୌଷଧ ଅତି ଶସ୍ତା ଓ ଏଥିରେ ରୋଗ ନିର୍ମୁଳ ହୁଏ । ରୋଗ ଠିକ କରି ଓୌଷଧ ଦେଇପାରିଲେ ଏପରି ସୁନ୍ଦର ଓୌଷଧ ଆଉ ନାହିଁ । ବୁଦ୍ଧିମାନ ଡ଼ାକ୍ତର ଗ୍ରାମର ଗୋଟିଏ ଆଶ୍ରା ହୋଇ ରହିଲେ । ଆଖପାଖ ଦଶଖଣ୍ଡି ମୌଜାର ଉପକାର ହେଲା । ବସନ୍ତ ରୋଗ ଆରମ୍ଭ ହେଲେ ସମସ୍ତଙ୍କୁ ବସନ୍ତ ପ୍ରତିଶେଧକ ଓୌଷଧ ଦିଆଯାଏ ।  ଥରେ ଖାଇଲେ ବର୍ଷେ ପର୍ଯ୍ୟନ୍ତ ଆଉ ଚିନ୍ତା ନାହିଁ । ଟିକା ଘେନିବା ଅପେକ୍ଷା ଏହାର ଗୁଣ ଅଧିକ ଅବ୍ୟର୍ଥ ।

ନିଖିଳ ଉକ୍ରଳ ଗ୍ରାମ ସଙ୍ଗଠନ ସଙ୍ଘର କର୍ମିମାନେ ସରକାରୀ ଏପି଼ଡେମିକ୍ ଡ଼ାକ୍ତର ଓ ସ୍ୱାସ୍ଥ୍ୟ ପରିଦର୍ଶକମାନେ ଆସି ସ୍ଥିର ବାଇସ୍କୋପ ଛବି ଦେଖାଇ ବକ୍ତୃତା କରି ଭିନ୍ନ ଭିନ୍ନ ରୋଗ ଓ ସାଧାରଣ ସ୍ୱାସ୍ଥ୍ୟରକ୍ଷା ବିଷୟରେ ଥରକୁ ଥର ବୁଝାଇ ଦେଇଯାଆନ୍ତି ।

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ । ଏହି ପାଠଟି ଅସମ୍ପୂର୍ଣ୍ଣ ।

Monday, May 15, 2017

ଚାଷୀ ଭାଇର ସଂଘ ଓ ସମବାୟ


ଗୋପୀନାଥ ମହାନ୍ତି 


ସମବାୟ ଆନ୍ଦୋଳନର ପ୍ରବର୍ତ୍ତକ ରବର୍ଟ ଓୱେନ(୧୭୭୧-୧୮୫୮)
ଚିତ୍ରକର ଜନ କ୍ରାଞ୍ଚ୍
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍



ପରି ବାବୁ କହିଲେ, “ଜଣେ ଲୋକର ନିଜର ଟଙ୍କା ନାହିଁ ବୋଲି ଯେ ସେ ବଡ଼ କାମ କରିପାରିବ ନାହିଁ, ଏପରି ଭାବିବା ଅତି ଭୁଲ । କାରଣ ସମସ୍ତଙ୍କର ସାମାନ୍ୟ ପୁଞ୍ଜି ଏକାଠି କଲେ ଅନେକ ଟଙ୍କା ହୋଇଯିବ; ତହିଁରେ ବଡ଼ କାରବାର ଚଳିପାରିବ । ଏକମନ ହୋଇ ପରିଶ୍ରମ କଲେ ହେଲା ।”

ତେଣୁ ସମସ୍ତଙ୍କୁ ବୁଝାଇ ଶୁଝାଇ ସମବାୟ-ସମିତି ଗଢ଼ା ହେଲା । ଗ୍ରାମ ଲୋକଙ୍କର ଅନେକ ସମୟରେ ଅନେକ ଟଙ୍କା ଦରକାର ପଡେ଼ । ସେମାନେ ଅତି ବେଶୀ ସୁଧରେ ମହାଜନଠାରୁ ଟଙ୍କା କରଜ ନେଇଥାନ୍ତି । ତାହା ଅପେକ୍ଷା ନିଜେ ଗୋଟିଏ ପାଣ୍ଠି କରି ଦରକାର ବେଳେ ତହିଁରୁ ଟଙ୍କା କରଜ ନିଆଯାଇ ପାରନ୍ତା । ତେଣୁ ସମସ୍ତେ ଏକମନ ହୋଇ ଲାଗିପଡ଼ିଲେ ।

ଗୋଟିଏ ଖାତା ତିଆରି ହେଲା । ଯେ ଯାହା ପରିଲା ତାହା ସମିତିରେ ପକାଇ ସମିତିର ସଭ୍ୟ ହେଲା । କିଏ ଚାର’ଣା, କିଏ ଆଠଣା, କିଏ ଟଙ୍କାଏ --- ଯେ ଯାହା ପାରିଲା ଦେଲା । ଅତି ଗରିବ ମାଧିଆ ମା ସୁଦ୍ଧା ଧାନ କୁଟା ପଇସାରୁ ଅଣାଏ ପଇସା ବାହାର କରି ଦେଲା । ପରି ବାବୁଙ୍କ ପାଖେ ଟଙ୍କା ଜମା ରହିଲା । କ୍ରମେ ପଚାଶଟି ଟଙ୍କା ଠୁଳ ହେଲା । ଗରିବ ଗ୍ରାମବାସୀମାନେ ଆଉ ବେଶୀ କେଉଁଠୁ ଦେଇ ପାରନ୍ତେ ?

ସେ ଟଙ୍କାରୁ କିିଛି ମୂଳପାଣ୍ଠି ବାବଦ ରଖିଦେଇ ଅନ୍ୟ ଟଙ୍କାରେ ସାମାନ୍ୟ କାରବାର ଆରମ୍ଭ ହେଲା । ଗ୍ରାମବାସୀଙ୍କର ଳୁଗା ଦରକାର । ସହରରୁ ଲୁଗା କିଣା ହୋଇ ଆସି ଗ୍ରାମରେ ବିକ୍ରୀ ହେଲା, ଲୋକେ ଶସ୍ତାରେ ଭଲ ପଦାର୍ଥ ପାଇଲେ । ସମବାୟ ସମିତିର ମଧ୍ୟ କିଛି ଲାଭ ହେଲା । ଏହିପରି ଅନ୍ୟାନ୍ୟ ବ୍ୟବସାୟ ହେଉ ହେଉ ସମିତିର ଗ୍ରାମରେ ଗୋଟିଏ ଛୋଟ ଦୋକାନ ଖୋଲାହେଲା । ସେ ଦୋକାନରେ କାର୍ଯ୍ୟ କରିବା ପାଇଁ ବେତନ ପାଇ ଜଣେ ଲୋକ ବନ୍ଦୋବସ୍ତ ହେଲା; ତେଣୁ ତାହାର ଭରଣ ପୋଷଣର ବ୍ୟବସ୍ଥା ମଧ୍ୟ ହୋଇଗଲା ।

ପରି ବାବୁ କହିଲେ, “ଏତିକି କଣ ଦେଖୁଛ ? ଆମ ସମବାୟ ସମିତିର ଉନ୍ନତି ହେଲେ, ଭବଷ୍ୟତରେ ଆହୁରି କେତେ ଲୋକ ଏଥିରେ ନିଯୁକ୍ତ ରହିବେ ।”

ଯେତେବେଳେ ମଞ୍ଜି କିଣିବା ଦରକାର ହୁଏ, ସମବାୟ ସମିତି ପକ୍ଷରୁ ଏକାଠି ପେଣ୍ଠସ୍ଥାନରୁ ମଞ୍ଜି କିଣା ହୋଇ ଆସେ, ଗ୍ରାମରେ ବିକ୍ରୀ ହୁଏ, ଲୋକେ ଶସ୍ତାରେ ପାଆନ୍ତି, ଏଣେ ଲାଭ ଅଂଶ ସମିତିର ପାଣ୍ଠିକୁ ଯାଏ । ପ୍ରତି ଲୋକର ଚାନ୍ଦା ଅଂଶ ଉପରେ ସୁଧ ବସା ହୋଇ ଲେଖାଥାଏ । କାଳେ କିଏ ଭବିଷ୍ୟତରେ ନାମ କଟାଇନେଲେ ତାକୁ ଫେରସ୍ତ ଦିଆହେବ ବୋଲି ।

ଏଣେ ଦୋକାନର କାରବାର ଚାଲିଥାଏ । ଗ୍ରାମର ସମସ୍ତେ ସେଠୁ ଆବଶ୍ୟକ ଦ୍ରବ୍ୟ କିଣନ୍ତି ।

ଅତିଶୟ ଅଭାବ ନ ଥିଲେ କାହାରିକୁ ସହଜରେ କାଳି ଦିଆ ହୁଏ ନାହିଁ; ଲୋକଙ୍କୁ ବୁଝାଇ ଦିଆଯାଏ, “ଯଦି ତୁମେ ସହଜରେ କାଳି ପାଇପାରିବ, ତାହା ହେଲେ ଅନେକ କରଜ କରି ପକାଇବ, ଶୁଝି ପାରିବ ନାହିଁ ।” କାହାରିକୁ କାଳି ଦେଲେ ତାର ଶୁଝିପାରିବା ଅବସ୍ଥାକୁ ଦେଖି ଦିଆଯାଏ ।

ଲୋକେ ସମିତିରୁ ଟଙ୍କା ଉଧାର ଦେବାକୁ ଆସନ୍ତି । ଯେଉଁଠି ଉଧାର ଦେଲେ ଲୋକ ବ୍ୟବସାୟ କିମ୍ବା ଫସଲ କରି ଟଙ୍କାକ ଦୁଇଟଙ୍କା କରିପାରିବ, ସେଠି ତାର ଜିନିଷ ବା ଜମିଜମା ବନ୍ଧକ ରଖି ଟଙ୍କା ଉଧାର ଦିଆଯାଏ । ଯେଉଁଠି କେହି ଲୋକ ପୂଜା ପାର୍ବଣ, ବ୍ରତ, କାନଫୋଡ଼ା, ଶ୍ରାଦ୍ଧ ବା ବିଭାଘର ପାଇଁ ଟଙ୍କା କରଜ ମାଗେ, ତାକୁ ସମିତି କୁଣ୍ଠିତ ହୋଇ ଟଙ୍କା ଦିଏ । ପରି ବାବୁ ବୁଝାଇ ଦିଅନ୍ତି :-


ତୁମ ନିଜ ପାଖେ ଯଦି ଟଙ୍କା ନାହିଁ, ତେବେ ଖାଲି ଆଡ଼ମ୍ବର କରିବା ପାଇଁ କରଜ କର ନାହିଁ । ଯାହା ନ ହେଲେ ନ ହେବ ତାହା ହିଁ କର । ବିଭାଘରକୁ ବାଣ ରୋସନି କରିପାରିବ ନାହିଁ ବୋଲି ମନ ଉଣା କରୁଛ, ମାତୃଶ୍ରାଦ୍ଧକୁ ଅଧିକ ବ୍ରାହ୍ମଣ ନିମନ୍ତ୍ରଣ କରିପାରୁନାହଁ ବୋଲି ଦୁଃଖିତ ହେଉଛ; କିନ୍ତୁ ଭାବି ଦେଖିଲ, ବର୍ତ୍ତମାନ ଆଡ଼ମ୍ବର କରି ପଇସା ଖର୍ଚ୍ଚ କରିଦେଲେ, ପରେ ଯେତେବେଳେ ମହାଜନ ଘରବାଡ଼ି ନିଲାମ କରି ତମକୁ ଖପରାରେ ଖୁଆଇବ, ସେତେବେଳେ ଲୁହ ପୋଛି ପୋଛି ଦିନ ସରିବ ନାହିଁ । ସବୁ ଦିନ ସମାନ ଯାଏ ନାର୍ହି । ଅଭାବର ଦିନ ମଧ୍ୟ ଆସେ, ସେତେବେଳକୁ ପ୍ରସ୍ତୁତ ହୋଇ ଖର୍ଚ୍ଚ କରୁଥାଅ ।”


ନିଜେ ଆଗୁସାର ହୋଇ ପରି ବାବୁ ଓ ମାଷ୍ଟରେ ବିଭାଘର ପ୍ରଭୃତିର ଖର୍ଚ୍ଚ କମ କରିଦେଲେ । ଦୋଳ ସମୟରେ ଅନ୍ୟ ଗ୍ରାମ ସହିତ ପ୍ରତିଦ୍ୱନ୍ଦିତା କରି ଗ୍ରାମବାସୀଏ ଯେତେବେଳେ ଠାକୁରଙ୍କ ପାଇଁ ମେଳଣକୁ ଯିବାଲାଗି ବଡ଼ ରୋସନି ବନ୍ଦୋବସ୍ତ କଲେ, ସେତେବେଳେ ପରି ବାବୁ କହିଲେ, “ତୁମର ଅନ୍ୟ ଗ୍ରାମ ଉପରେ ଟେକ ରହିପାରିବ, ---ଯଦି ପ୍ରକୃତରେ ତୁମେ ଗ୍ରାମର ଉନ୍ନତି କରିପାରିବ । ଦିନିକିଆ ବଡ଼ଲୋକି କୌଣସି କାର୍ଯ୍ୟରେ ଲାଗିବ ନାହିଁ । ଠାକୁରଙ୍କୁ ବେଶ କରି ପଇସା ଖର୍ଚ୍ଚ କରିବା ଅପେକ୍ଷା ନିଜର ଦରିଦ୍ରତା ଦୂର କର, ସେଥିରେ ଠାକୁରେ ବେଶୀ ଖୁସି ହେବେ ।” ତେଣୁ ଦୋଳ ଭେଦାରୁ ଅନେକ ଟଙ୍କା ଦାତାମାନଙ୍କ ଭାଗ ସ୍ୱରୁପ ସମବାୟ ସମିତିରେ ଜମା ହେଲା । କାହାରି କୌଣସି ଉତ୍ସବ ହେଲେ ସେ ଗ୍ରାମ ସମବାୟ ପାଣ୍ଠିକୁ କିଛି ଦିଏ ।

ଏ ପାଣ୍ଠିରୁ ଅନ୍ୟାନ୍ୟ ବ୍ୟବସାୟ ବ୍ୟତୀତ ଦରିଦ୍ରମାନଙ୍କୁ ସାହାଯ୍ୟ ଦେବା, ସ୍କୁଲ ଘରର ଉନ୍ନତି କରିବା ପ୍ରଭୃତି ଅନେକ ଲୋକ ହିତକର କାର୍ଯ୍ୟ ହେଲା । ଚାଷୀମାନଙ୍କ ହଳ, ବଳଦ, ସାର ଓ ବିହନ କିଣିବା ପାଇଁ ଟଙ୍କା ବରାବର ଧାର ଦିଆଯାଉଥାଏ । ଯେତେବେଳେ ପ୍ରତ୍ୟେକେ ପୃଥକ ପୃଥକ ହୋଇ ଫସଲ ଓ ଶିଳ୍ପ କାର୍ଯ୍ୟ ବିକ୍ରୀ କରିବା ପାଇଁ ଉଦଯୋଗ କଲେ, ସେତେବେଳେ ସେମାନଙ୍କୁ କୁହାଗଲା, “ଆସ, ଆମେ ସମସ୍ତେ ଯେପରି ଏକାଠି ହୋଇ କିଣା କିଣି କରୁଥାଇଁ, ସେହିପରି ଏକାଠି ହୋଇ ବିକ୍ରୀ କରିବା । ତହିଁରେ ମୂଳ ବେପାରିମାନେ ସିଧା ଆମଠାରୁ କିଣି ନେବେ; ଆମର ଲାଭ ବଢ଼ିବ, ଯାହାହେବ, ତାହା ଭାଗ ଅନୂସାରେ ବାଣ୍ଟିନେବା ।”

ଏ ଉପାୟରେ ଲାଭ ବେଶୀ, ଠକିବାର ଭୟ ଅଳ୍ପ । ସହରରେ କିଣାଳି ବନ୍ଦୋବସ୍ତ କରିସାରି ଗ୍ରାମର ଦ୍ରବ୍ୟ ସେଠି ବିକ୍ରୀ କରି ଦିଆହୁଏ । ମଝି ବେପାରିମାନେ ଜଣ ଜଣ କରି ଶସ୍ତାରେ ଯେପରି କିଣି ନେଉଥିଲେ, ସେପରି ଆଉ ହେଲା ନାହିଁ । ମୂଳ ପଦ୍ଧତି ରହିଲା,---ଆମଦାନି କଲା ଲୋକଙ୍କଠାରୁ ବ୍ୟବହାର କରିବା ଲୋକେ ପଦାର୍ଥକୁ ସିଧା କିଣିବେ । ତଦ୍ଧ୍ୱାରା ଦୁଇ ପକ୍ଷର ଲାଭ, କିଣାଳିଙ୍କୁ ଶସ୍ତା ପଡ଼ିଲା, ବିକାଳିଙ୍କୁ ପୂର୍ବ ଅପେକ୍ଷା ଅଧିକ ଲାଭ ପଡ଼ିଲା ।

ଏଣେ ଗ୍ରାମ ସମବାୟ ସମିତି ଉନ୍ନତିରୁ ଉନ୍ନତିକୁ ଡେ଼ଇଁ ଡେ଼ଇଁ ଚାଲିଲା । କ୍ରମେ ତାହାର ନିଜର ଜମି, ନିଜର ଘର ହେଲା, କମ୍ପାନୀ ସରକାରୀ-ରେଜିଷ୍ଟ୍ରି ହୋଇ ରହିଲା, ସରକାରୀ ସମୀକ୍ଷକ ଆସି ଟଙ୍କା ପଇସାର ହିସାବ ତଦାରଖ କରିଗଲେ । ଏହାର ଦୁଇଟି ଶାଖା ହୋଇଗଲା---ଗୋଟିଏ ବ୍ୟବସାୟ; ଧାର, ଆରଟି ଗ୍ରାମର ଉନ୍ନତି କରିବା ପାଇଁ । ଦ୍ୱିତୀୟ ପାଣ୍ଠିରେ ଯେତେ ଚାନ୍ଦା ହୁଏ, ତହିଁରେ ଦାନ ଖଇରାତ ଓ ଖର୍ଚ୍ଚ ଭାଗ ବେଶୀ । ଦରିଦ୍ର ଲୋକେ ତହିଁରୁ ସାହାଯ୍ୟ ପାଆନ୍ତି । ତହିଁରେ ଗ୍ରାମର ଖଣ୍ଡିଏ ପୁସ୍ତକାଗାର ହେଲା । କାରଣ ଗ୍ରାମର ଶିକ୍ଷା ବିସ୍ତାର ହେବା ସଙ୍ଗେ ସଙ୍ଗେ ପୁସ୍ତକର ଆବଶ୍ୟକ ବଢ଼ିଲା । ଏ ପୁସ୍ତକାଗାରରେ କୃଷି, ଶିଳ୍ପ, ଗ୍ରାମ ସଙ୍ଗଠନ, ପଶୁପାଳନ, ସାଧାରଣ ବ୍ୟାଧି ଏହି ସମ୍ପର୍କୀୟ ପୁସ୍ତକ ଅଧିକ । ରାତ୍ରି ବିଦ୍ୟାଳୟ ପରେ ଅନେକ ସମୟରେ ଏଠି ସେସବୁ ବିଷୟ ଚର୍ଚ୍ଚା ହୁଏ । “ନିଖିଳ-ଉକ୍ରଳ ଗ୍ରାମ ସଙ୍ଗଠନ ସଙ୍ଘ” ପ୍ରଭୃତିରୁ ବିଶାରଦମାନେ ଆସି ଲୋକଙ୍କୁ ବୁଝାଇଯାଆନ୍ତି ଓ ପୁସ୍ତକ ଦାନ କରି ଯାଆନ୍ତି ।
ଏହା ଛଡ଼ା ଅନ୍ୟାନ୍ୟ ପୁସ୍ତକ ମଧ୍ୟ ଏଠି ରହିଲା । ବଡ଼ ବଡ଼ ଲେଖକମାନଙ୍କଠାରୁ ସେମାନଙ୍କ ପୁସ୍ତକ ସବୁ ଅଣାହେଲା । କ୍ରମେ ଦେଖାଗଲା, ଗ୍ରାମର ଚାଷୀ ଭାଇମାନଙ୍କ ମଧ୍ୟରୁ କେତେକ ଲୋକ ରାତ୍ରି ସ୍କୁଲର ବିଦ୍ୟା ଶେଷ ପରେ ନିଜର ଅବସ୍ଥାର ଉନ୍ନତି କରିବା ପାଇଁ ଜ୍ଞାନ ଅର୍ଜନ କରିବାକୁ ମନ ଦେଉଛନ୍ତି ।

ବି.ଦ୍ର. -  ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଉଦ୍ଧୃତ ।

Sunday, May 14, 2017

ଅନ୍ୟାନ୍ୟ କୂଟୀର ଶିଳ୍ପ


ଗୋପୀନାଥ ମହାନ୍ତି 


ବେତ ଚଉକି ତିଆରିର ଚିତ୍ର (୧୭୫୯ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍



ଗ୍ରାମର ଚାଷୀ ଚେତି ଉଠି ଦେଖିଲା, ସେ ନିଜର ଅବସ୍ଥାକୁ ନିଜ ଚେଷ୍ଟାରେ ଅନେକ ଅଂଶରେ ବଦଳାଇ ପାରୁଛି । 

ଚାଷର ଉନ୍ନତି ଘଟିଛି । ଚାରିଆଡେ଼ ପ୍ରଚୁର ବାରିବଗିଚା, ଘରେ ଘରେ ଅରଟ । କେହି କେହି ଏଣ୍ଡି ଚାଷ ଆରମ୍ଭ କରି ଦେଲେଣି ।

ବଢେ଼ଇ ଓ କମାରଶାଳରେ ବେଶୀ ଲୋକ ଜମା, କେବଳ ଦେଖିବାକୁ ନୁହେଁ, ଶିଖିବାକୁ । କେବଳ ଜାତି ବଢ଼େଇ ନ ହେଲେ ବଢ଼େଇ କାମ କରିବା ଉଚିତ ନୁହେଁ କିମ୍ବା କେବଳ ଜାତି ଅନୂସାରେ କର୍ମବିଭାଗ,---ଏପରି ଧାରଣା ଲୋକଙ୍କ ମନରୁ କ୍ରମେ ଗଲାଣି । ସେମାନେ ଶିଖୁଛନ୍ତି, “ପେଟ ପୋଷ, ନାହିଁ ଦୋଷ” । କାହାରିକୁ ଠକିବା ଉଚିତ ନୁହେ କିମ୍ବା କୌଣସି କାମକୁ ଛୋଟ ବୋଲି ଭାବିବା ଉଚିତ ନୁହେଁ । ଯେଉଁ ଉପାୟରେ ସାଧୂ ଭାବରେ ଦୁଇ ପଇସା ଆସି ପାରିବ, ତାର ବ୍ୟବସ୍ଥା କରିବା ଉଚିତ ।

ଏ ଗ୍ରାମରେ ପୂର୍ବେ ଯେପରି ଛୋଟ ଜାତିମାନଙ୍କ ପ୍ରତି ଘୃଣା ବିଦ୍ୱେଷ ଥିଲା, ତା ଯେପରି କ୍ରମେ କ୍ରମେ ଲୋପ ହୋଇଯାଉଛି । କାରଣ ସମସ୍ତେ ବୁଝିଲେଣି, ନିଜର ଦୁର୍ଦ୍ଦଶା ହୋଇଛି । ନିଜର ଅବସ୍ଥାର ଉନ୍ନତି କରିବାକୁ ହେଲେ ସମସ୍ତଙ୍କର ସମ୍ମିଳିତ ଉଦଯୋଗ ଦରକାର ।

ବାଉଁଶ ଓ ବେତ କାମ ଚାଲିଛି । ବେତ କାମ ଶିଖାଇବା ପାଇଁ ଗ୍ରାମ-ସଙ୍ଗଠନ ସଙ୍ଘରୁ ଜଣେ ଶିଖାଳି ଆସିଛି । ବେତର ଚଉକି, ଟେବୁଲ ପ୍ରଭୃତି ତିଆରି ହୋଇ ସହରକୁ ବିକ୍ରି ପାଇଁ ପଠା ଯାଉଛି । ବେତ କାମରେ ପ୍ରଚୁର ଲାଭ; ତେଣୁ ଗ୍ରାମର ବେତ ବ୍ୟବସାୟଟି କ୍ରମେ ବଡ଼ ହୋଇ ଉଠୁଛି । ଏଥିରେ ବାଉରିମାନେ ବିଶେଷ ଉଦଯୋଗ ଦେଖାଉଛନ୍ତି ।

ଏ ଗ୍ରାମ ଓ ତାର ଆଖପାଖରେ ଲୋକସମାଗମ ଯେପରି ବଢ଼ୁଛି, ଉନ୍ନତି ମଧ୍ୟ ସେହିପରି ପରିଷ୍କାର ଆଖିରେ ପଡ଼ୁଛି । କେଉଁଠି ହେଁସ ବୁଣା, କେଉଁଠି ବେତ ବୁଣା, କେଉଁଠି ନାନାପ୍ରକାର ମାଟିକାମ ଓ କଣ୍ଢେଇ ତିଆରି, କେଉଁଠି ଲୁଗା ବୁଣା, କେଉଁଠି ମଠା ବୁଣା, କେଉଁଠି ଶସ୍ତାରେ ଦଉନା-ଖଟ ତିଆରି, କେଉଁଠି ବା ବଢେ଼ଇ କାମ । ହଠାତ ହୋଇ ଏଥିରେ ବେଶୀ ଟଙ୍କା ଲଗାଇ ଦିଆ ହୋଇ ନାହିଁ; କିନ୍ତୁ ଅଳ୍ପ ଧନରେ ବ୍ୟବସାୟ କ୍ରମେ ବଢ଼ୁଛି ।

ପୂର୍ବେ ଏ ଅଞ୍ଚଳରେ ଲୋକେ ସାବୁନ୍ ବ୍ୟବହାର କରୁ ନ ଥିଲେ । ବର୍ତ୍ତମାନ ଗ୍ରାମର ବ୍ୟବହାର ଲାଗି ସାବୁନ୍ ତିଆରି ହୋଇ ପାରୁଛି । କେବଳ ତେଲ, କଷ୍ଟିକ ସୋଡ଼ା ଓ ପାଣି ମିଶାଇ ଆଉଟିଲେ ବା ସେହିପରି ଏକାଠି ରଖି ଘାଣ୍ଟିଲେ ସାବୁନ ହେଲା । ସେଥିରେ ବୁନ୍ଦାଏ ନେଇ ପାଣିରେ ପକାଇଦେଲେ ଯଦି ବୁଡ଼ିଯିବ, ତେବେ ଜଣା ପଡ଼ିବ, ସାବୁନ ଠିକ ହେଲାଣି । ତା ପରେ ଶୁଖିଗଲେ ବ୍ୟବହାରରେ ଲାଗିଲା । କଷ୍ଟିକ୍-ସୋଡ଼ା ସହରର ଦୋକାନମାନଙ୍କରେ ମିଳେ । ସାବୁନ ତିଆରି କରିବା ଅତି ସହଜ । ଯେତେ ଶସ୍ତାରେ ବିକିଲେ ମଧ୍ୟ ଲାଭ ଉଠିବ । ଗାଁରେ ଲୋକେ ସାଧାରଣତଃ ପରିଷ୍କାର ପରିଛନ୍ନତା ପାଇଁ ଆଦୌ ନିଘା କରନ୍ତି ନାହିଁ; କିନ୍ତୁ କ୍ରମେ ଯେତେବେଳେ ସେମାନେ ବୁଝିଲେ, ପିନ୍ଧା ଲୁଗାଟି ଛିଣ୍ଡାହେଲେ ସୁଦ୍ଧା ଦୋବ ଧାଉଳିଆ ଥିଲେ ତହିଁରେ କେତେ ଆନନ୍ଦ ଓ କେତେ ଗୌରବ ଓ ଯେତେବେଳେ ଦେଖିଲେ ଯେ, ନିଜ ଘରେ ନିଜର ବ୍ୟବହାର ଲାଗି ସାବୁନ ତିଆରି ହୋଇପାରେ କିମ୍ବା ଗାଁ-ତିଆରି ସାବୁନ ଶସ୍ତାରେ କିଣାଯାଇ ପାରେ, - ସେମାନେ ତହିଁରେ ପଛଘୁଞ୍ଚା ଦେଲେ ନାହିଁ ।

ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଆହୃତ ।