Monday, May 22, 2017

ଓଟ ମେଳା

ବିଶ୍ୱଜିତ ଆପଟ 



ଭାରତର ଉତ୍ତର-ପଶ୍ଚିମ ସୀମାରେ ପାକିସ୍ତାନକୁ ଲାଗି ଯେଉଁ ରାଜ୍ୟଟି ରହିଛି, ତାହାର ନାମ ହେଲା ରାଜସ୍ଥାନ । ରାଜସ୍ଥାନର ଆଜମେର ଜିଲ୍ଲାରେ ପୁଷ୍କର ବୋଲି ଗୋଟିଏ ସହର ଅଛି । ଏହି ସହରରେ କାର୍ତ୍ତିକ ଏକାଦଶୀ ଠାରୁ ପୂନେଇ ଯାଏଁ ପାଞ୍ଚ ଦିନ ଧରି ଏକ ବଡ ମେଳା ଲାଗେ । ଇଂରାଜୀ କାଲେଣ୍ଡର ଅନୁସାରେ ମେଳା ପ୍ରାୟ ଅକ୍ଟୋବର-ନଭେମ୍ବର ମାସରେ ପଡେ । ପଚାଶ ହାଜାର ଓଟଙ୍କ ସହିତ ତିନି ଲକ୍ଷ ଲୋକ ମଧ୍ୟ ଏଠାରେ ଏକାଠି ହୁଅନ୍ତି । ଏହି ମେଳାକୁ “ପୁଷ୍କର ଓଟ ମେଳା” ବା କେବଳ “ପୁଷ୍କର ମେଳା” ବୋଲି ଲୋକେ କହିଥାଆନ୍ତି । ଏହା ପୃଥିବୀର ସବୁଠାରୁ ବଡ ଓଟ ମେଳା । କେବଳ ଓଟ ନୁହେଁ, ଅନ୍ୟାନ୍ୟ ପାଳିତ ପଶୁ ଯେପରିକି ଗାଇ, ଛେଳି, ମେଣ୍ଢା, ଏପରିକି ଘୋଡା ମଧ୍ୟ ବିକ୍ରି କରିବାକୁ ଏଠାକୁ ଅଣାଯାଇଥାଏ । ପଶୁ କିଣାବିକା ବ୍ୟତୀତ ଏଠାରେ ଅନେକ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୁଏ; ଯେମିତିକି, ମାଠିଆ ଭାଙ୍ଗିବା ପ୍ରତିଯୋଗିତା, ଲମ୍ବା ନିଶ ପ୍ରତିଯୋଗିତା ଓ ଆହୁରି କେତେ କ’ଣ । ଏଣୁ ଧୀରେ ଧୀରେ ପୁଷ୍କର ମେଳା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ହୋଇଉଠିଛି । କେତେ ବର୍ଷ ହେଲା ସ୍ଥାନୀୟ ପିଲାଏ ବିଦେଶୀ ପର୍ଯ୍ୟଟକଙ୍କ ସହ କ୍ରିକେଟ ମ୍ୟାଚ ମଧ୍ୟ ଆୟୋଜନ କରୁଛନ୍ତି । 



ପଶୁ ବେପାର, ପର୍ଯ୍ୟଟନ, ପ୍ରତିଯୋଗିତା ଇତ୍ୟାଦି ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଅଛି – ତୀର୍ଥଯାତ୍ରା । ଏ ମେଳାର ଏକ ଧାର୍ମିକ ମହତ୍ତ୍ୱ ରହିଛି । ପୁଷ୍କର ଏକ ଛୋଟିଆ ସହର, କିନ୍ତୁ ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ ଏହା ଏକ ପବିତ୍ର ସ୍ଥାନ ଅଟେ । ଏହି ସହର ପୁଷ୍କର ନାମକ ହ୍ରଦ ଉପକୂଳରେ ଗଢିଉଠିଛି । ସହରଟିର ଓ ହ୍ରଦର ରାମାୟଣ, ମହାଭାରତ ତଥା ପୁରାଣଗୁଡିକରେ ବର୍ଣ୍ଣନା ରହିଛି ।

ଯେମିତିକି ପଦ୍ମ ପୁରାଣରେ କୁହାଯାଇଛି ଯେ, ବଜ୍ରନାଭ ବୋଲି ଜଣେ ଦାନବ ଲୋକଙ୍କୁ ଅତ୍ୟାଚାର କରୁଥିଲା ଓ ନିଜ ପିଲାମାନଙ୍କୁ ହତ୍ୟା କରିବାକୁ ଚେଷ୍ଚା କରୁଥିଲା । ଏହା ବ୍ରହ୍ମାଙ୍କ ଆଖିରେ ପଡିଲା ଓ ସେ ତତକ୍ଷଣାତ ସେ ନିଜ ଅସ୍ତ୍ର ଦ୍ୱାରା ସେହି ଦାନବକୁ ବଧ କଲେ । ବ୍ରହ୍ମା ପ୍ରୟୋଗ କରିଥିବା ଅସ୍ତ୍ରଟି ହେଉଛି ଏକ ପଦ୍ମ ଫୁଲ । ସେହି ପଦ୍ମ ଫୁଲର ପାଖୁଡା ତିନୋଟି ସ୍ଥାନରେ ପଡିଲା ଓ ସେ ଜାଗାରୁ ଝରଣାଟିଏ ବାହାରିଲା । ତିନୋଟି ଝରଣାରୁ ତିନୋଟି ହ୍ରଦ ସୃଷ୍ଟି ହେଲା – ଜ୍ୟେଷ୍ଠ ପୁଷ୍କର, ମଧ୍ୟ ପୁଷ୍କର ଓ କନିଷ୍ଠ ପୁଷ୍କର । ବ୍ରହ୍ମାଙ୍କ ‘କର’ ବା ହାତରୁ ‘ପୁଷ୍ପ’ ପଡି ସେ ହ୍ରଦଟିମାନ ସୃଷ୍ଟି ହୋଇଥିବାରୁ ନାମ ରହିଲା ପୁଷ୍କର । ଏଠାରେ ବ୍ରହ୍ମାଙ୍କର ଏକ ମନ୍ଦିର ଅଛି । ଭାରତରେ ବ୍ରହ୍ନାଙ୍କ ମନ୍ଦିର ଆଉ କେଉଁଠାରେ ଅଛି କହିପାରିବ କି ? 

ଏଣୁ ପୁଷ୍କର ସହର ଏକ ତୀର୍ଥସ୍ଥଳୀ ଅଟେ । କାର୍ତ୍ତିକ ପୂର୍ଣ୍ଣିମା ଦିନର ପାହାନ୍ତାରେ ପୁଷ୍କର ହ୍ରଦରେ ବୁଡ ପକାଇବା ଏକ ପବିତ୍ର କଥା ବୋଲି ମାନ୍ୟତା ରହିଛି । ସ୍ନାନ ପରେ ଲୋକେ ବ୍ରହ୍ମାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି ।


୧୮୭୮ ମସିହାରେ ନର୍ଥ ମାରିଏନ ଆଙ୍କିଥିବା ପୁଷ୍କର ହ୍ରଦର ଚିତ୍ର

ମେଳାରେ ପୁରୁଷମାନେ ପଶୁ କିଣାବିକା କଲାବେଳେ ମହିଳାମାନେ ଚୁଡି ଓ ଲୁଗାପଟା ଦେକାନଗୁଡିକରେ ଭିଡ ଜମାନ୍ତି । ଅନେକ ଦୋକାନରେ ସ୍ଥାନୀୟ କଳା ଓ ଶିଳ୍ପ ଦେଖିବାକୁ ମିଳେ । ମେଳା ଆରମ୍ଭ ହୁଏ ଓଟ ଦୌଡରୁ । ଓଟମାନଙ୍କୁ ଭଲ ଭାବେ ଗାଧୋଇ ସୁନ୍ଦର ଭାବେ ସଜାଇ ଦିଆଯାଇଥାଏ । ଭିନ୍ନ ଭିନ୍ନ ପ୍ରତିଯୋଗିତା କରି ସବୁଠାରୁ ସୁନ୍ଦର ଭାବେ ସଜାଯାଇଥିବା ଓଟ, ସବୁଠାରୁ ବେଶୀ ଲୋକଙ୍କୁ ପିଠିରେ ବୋହିନେଇ ପାରୁଥିବା ଓଟ ଆଦିଙ୍କୁ ପୁରସ୍କାର ଦିଆଯାଏ । ତାହା ପରେ କେତେ ପ୍ରକାରର ସଙ୍ଗୀତ, ନୃତ୍ୟ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆଦି ପାଞ୍ଚ ଦିନ ଧରି ଚାଲେ । ମହିଳାମାନଙ୍କର ରଙ୍ଗବେରଙ୍ଗ ପୋଷାକ, ପୁରୁଷଙ୍କର ସଫେଦ ପୋଷାକ, ପାରମ୍ପରିକ ଗହଣାଗାଣ୍ଠି, ପଶୁଙ୍କ ଗହଣା, ରାଜସ୍ଥାନୀ ଖାଦ୍ୟ, ଭଳିକିଭଳି ଦୋଳି, ଉଡନ୍ତା ବେଲୁନ ଓ ବିଦେଶୀ ପର୍ଯ୍ୟଟକଙ୍କ ସମାହାରରେ ଏକ ରଙ୍ଗୀନ ପରିବେଶ ସୃଷ୍ଟି ହୁଏ । ପାଖରେ ଥିବା ଆରାବଳୀ ପର୍ବତ ଚଢି ମଧ୍ୟ ଏ ଦୃଶ୍ୟ ଉପଭୋଗ କରାଯାଇପାରେ ।



ଆରାବଳୀ ପର୍ବତ ଉପରୁ ପୁଷ୍କର ସହର ହ୍ରଦର ଦୃଶ୍ୟ


ସମସ୍ତ ଚିତ୍ରର ଉତ୍ସ: ୱିକିମିଡିଆ କମନସ୍

ଆଲୋଚନା ବିନ୍ଦୁ:
୧. ପିଲାମାନେ ପାକିସ୍ତାନ, ରାଜସ୍ଥାନ, ଆଜମେର, ପୁଷ୍କର ସହର ଓ ହ୍ରଦର ଅବସ୍ଥିତି ମାନଚିତ୍ରରେ ଦେଖାଇବେ 

୨. ଆରାବଳୀ ପର୍ବତ 

୩. ହିନ୍ଦୁ କାଲେଣ୍ଡର

୪. ରାଜସ୍ଥାନୀ ଜନଜୀବନରେ ଓଟ କାହିଁକି ମହତ୍ୱପୂର୍ଣ୍ଣ 

୫. ରାଜସ୍ଥାନର ପାରମ୍ପାରିକ କଳାଶିଳ୍ପ, ସଙ୍ଗୀତ, ଖାଦ୍ୟ ଓ ବେଶ ପୋଷାକ

୬. ପର୍ଯ୍ୟଟନ ଓ ତୀର୍ଥଯାତ୍ରା

୭. ସ୍ଥାନୀୟ ଅର୍ଥନୀତି ପାଇଁ ମେଳାର କ’ଣ ଗୁରୁତ୍ୱ ରହିଛି

No comments:

Post a Comment