Monday, May 15, 2017

ଚାଷୀ ଭାଇର ସଂଘ ଓ ସମବାୟ


ଗୋପୀନାଥ ମହାନ୍ତି 


ସମବାୟ ଆନ୍ଦୋଳନର ପ୍ରବର୍ତ୍ତକ ରବର୍ଟ ଓୱେନ(୧୭୭୧-୧୮୫୮)
ଚିତ୍ରକର ଜନ କ୍ରାଞ୍ଚ୍
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍



ପରି ବାବୁ କହିଲେ, “ଜଣେ ଲୋକର ନିଜର ଟଙ୍କା ନାହିଁ ବୋଲି ଯେ ସେ ବଡ଼ କାମ କରିପାରିବ ନାହିଁ, ଏପରି ଭାବିବା ଅତି ଭୁଲ । କାରଣ ସମସ୍ତଙ୍କର ସାମାନ୍ୟ ପୁଞ୍ଜି ଏକାଠି କଲେ ଅନେକ ଟଙ୍କା ହୋଇଯିବ; ତହିଁରେ ବଡ଼ କାରବାର ଚଳିପାରିବ । ଏକମନ ହୋଇ ପରିଶ୍ରମ କଲେ ହେଲା ।”

ତେଣୁ ସମସ୍ତଙ୍କୁ ବୁଝାଇ ଶୁଝାଇ ସମବାୟ-ସମିତି ଗଢ଼ା ହେଲା । ଗ୍ରାମ ଲୋକଙ୍କର ଅନେକ ସମୟରେ ଅନେକ ଟଙ୍କା ଦରକାର ପଡେ଼ । ସେମାନେ ଅତି ବେଶୀ ସୁଧରେ ମହାଜନଠାରୁ ଟଙ୍କା କରଜ ନେଇଥାନ୍ତି । ତାହା ଅପେକ୍ଷା ନିଜେ ଗୋଟିଏ ପାଣ୍ଠି କରି ଦରକାର ବେଳେ ତହିଁରୁ ଟଙ୍କା କରଜ ନିଆଯାଇ ପାରନ୍ତା । ତେଣୁ ସମସ୍ତେ ଏକମନ ହୋଇ ଲାଗିପଡ଼ିଲେ ।

ଗୋଟିଏ ଖାତା ତିଆରି ହେଲା । ଯେ ଯାହା ପରିଲା ତାହା ସମିତିରେ ପକାଇ ସମିତିର ସଭ୍ୟ ହେଲା । କିଏ ଚାର’ଣା, କିଏ ଆଠଣା, କିଏ ଟଙ୍କାଏ --- ଯେ ଯାହା ପାରିଲା ଦେଲା । ଅତି ଗରିବ ମାଧିଆ ମା ସୁଦ୍ଧା ଧାନ କୁଟା ପଇସାରୁ ଅଣାଏ ପଇସା ବାହାର କରି ଦେଲା । ପରି ବାବୁଙ୍କ ପାଖେ ଟଙ୍କା ଜମା ରହିଲା । କ୍ରମେ ପଚାଶଟି ଟଙ୍କା ଠୁଳ ହେଲା । ଗରିବ ଗ୍ରାମବାସୀମାନେ ଆଉ ବେଶୀ କେଉଁଠୁ ଦେଇ ପାରନ୍ତେ ?

ସେ ଟଙ୍କାରୁ କିିଛି ମୂଳପାଣ୍ଠି ବାବଦ ରଖିଦେଇ ଅନ୍ୟ ଟଙ୍କାରେ ସାମାନ୍ୟ କାରବାର ଆରମ୍ଭ ହେଲା । ଗ୍ରାମବାସୀଙ୍କର ଳୁଗା ଦରକାର । ସହରରୁ ଲୁଗା କିଣା ହୋଇ ଆସି ଗ୍ରାମରେ ବିକ୍ରୀ ହେଲା, ଲୋକେ ଶସ୍ତାରେ ଭଲ ପଦାର୍ଥ ପାଇଲେ । ସମବାୟ ସମିତିର ମଧ୍ୟ କିଛି ଲାଭ ହେଲା । ଏହିପରି ଅନ୍ୟାନ୍ୟ ବ୍ୟବସାୟ ହେଉ ହେଉ ସମିତିର ଗ୍ରାମରେ ଗୋଟିଏ ଛୋଟ ଦୋକାନ ଖୋଲାହେଲା । ସେ ଦୋକାନରେ କାର୍ଯ୍ୟ କରିବା ପାଇଁ ବେତନ ପାଇ ଜଣେ ଲୋକ ବନ୍ଦୋବସ୍ତ ହେଲା; ତେଣୁ ତାହାର ଭରଣ ପୋଷଣର ବ୍ୟବସ୍ଥା ମଧ୍ୟ ହୋଇଗଲା ।

ପରି ବାବୁ କହିଲେ, “ଏତିକି କଣ ଦେଖୁଛ ? ଆମ ସମବାୟ ସମିତିର ଉନ୍ନତି ହେଲେ, ଭବଷ୍ୟତରେ ଆହୁରି କେତେ ଲୋକ ଏଥିରେ ନିଯୁକ୍ତ ରହିବେ ।”

ଯେତେବେଳେ ମଞ୍ଜି କିଣିବା ଦରକାର ହୁଏ, ସମବାୟ ସମିତି ପକ୍ଷରୁ ଏକାଠି ପେଣ୍ଠସ୍ଥାନରୁ ମଞ୍ଜି କିଣା ହୋଇ ଆସେ, ଗ୍ରାମରେ ବିକ୍ରୀ ହୁଏ, ଲୋକେ ଶସ୍ତାରେ ପାଆନ୍ତି, ଏଣେ ଲାଭ ଅଂଶ ସମିତିର ପାଣ୍ଠିକୁ ଯାଏ । ପ୍ରତି ଲୋକର ଚାନ୍ଦା ଅଂଶ ଉପରେ ସୁଧ ବସା ହୋଇ ଲେଖାଥାଏ । କାଳେ କିଏ ଭବିଷ୍ୟତରେ ନାମ କଟାଇନେଲେ ତାକୁ ଫେରସ୍ତ ଦିଆହେବ ବୋଲି ।

ଏଣେ ଦୋକାନର କାରବାର ଚାଲିଥାଏ । ଗ୍ରାମର ସମସ୍ତେ ସେଠୁ ଆବଶ୍ୟକ ଦ୍ରବ୍ୟ କିଣନ୍ତି ।

ଅତିଶୟ ଅଭାବ ନ ଥିଲେ କାହାରିକୁ ସହଜରେ କାଳି ଦିଆ ହୁଏ ନାହିଁ; ଲୋକଙ୍କୁ ବୁଝାଇ ଦିଆଯାଏ, “ଯଦି ତୁମେ ସହଜରେ କାଳି ପାଇପାରିବ, ତାହା ହେଲେ ଅନେକ କରଜ କରି ପକାଇବ, ଶୁଝି ପାରିବ ନାହିଁ ।” କାହାରିକୁ କାଳି ଦେଲେ ତାର ଶୁଝିପାରିବା ଅବସ୍ଥାକୁ ଦେଖି ଦିଆଯାଏ ।

ଲୋକେ ସମିତିରୁ ଟଙ୍କା ଉଧାର ଦେବାକୁ ଆସନ୍ତି । ଯେଉଁଠି ଉଧାର ଦେଲେ ଲୋକ ବ୍ୟବସାୟ କିମ୍ବା ଫସଲ କରି ଟଙ୍କାକ ଦୁଇଟଙ୍କା କରିପାରିବ, ସେଠି ତାର ଜିନିଷ ବା ଜମିଜମା ବନ୍ଧକ ରଖି ଟଙ୍କା ଉଧାର ଦିଆଯାଏ । ଯେଉଁଠି କେହି ଲୋକ ପୂଜା ପାର୍ବଣ, ବ୍ରତ, କାନଫୋଡ଼ା, ଶ୍ରାଦ୍ଧ ବା ବିଭାଘର ପାଇଁ ଟଙ୍କା କରଜ ମାଗେ, ତାକୁ ସମିତି କୁଣ୍ଠିତ ହୋଇ ଟଙ୍କା ଦିଏ । ପରି ବାବୁ ବୁଝାଇ ଦିଅନ୍ତି :-


ତୁମ ନିଜ ପାଖେ ଯଦି ଟଙ୍କା ନାହିଁ, ତେବେ ଖାଲି ଆଡ଼ମ୍ବର କରିବା ପାଇଁ କରଜ କର ନାହିଁ । ଯାହା ନ ହେଲେ ନ ହେବ ତାହା ହିଁ କର । ବିଭାଘରକୁ ବାଣ ରୋସନି କରିପାରିବ ନାହିଁ ବୋଲି ମନ ଉଣା କରୁଛ, ମାତୃଶ୍ରାଦ୍ଧକୁ ଅଧିକ ବ୍ରାହ୍ମଣ ନିମନ୍ତ୍ରଣ କରିପାରୁନାହଁ ବୋଲି ଦୁଃଖିତ ହେଉଛ; କିନ୍ତୁ ଭାବି ଦେଖିଲ, ବର୍ତ୍ତମାନ ଆଡ଼ମ୍ବର କରି ପଇସା ଖର୍ଚ୍ଚ କରିଦେଲେ, ପରେ ଯେତେବେଳେ ମହାଜନ ଘରବାଡ଼ି ନିଲାମ କରି ତମକୁ ଖପରାରେ ଖୁଆଇବ, ସେତେବେଳେ ଲୁହ ପୋଛି ପୋଛି ଦିନ ସରିବ ନାହିଁ । ସବୁ ଦିନ ସମାନ ଯାଏ ନାର୍ହି । ଅଭାବର ଦିନ ମଧ୍ୟ ଆସେ, ସେତେବେଳକୁ ପ୍ରସ୍ତୁତ ହୋଇ ଖର୍ଚ୍ଚ କରୁଥାଅ ।”


ନିଜେ ଆଗୁସାର ହୋଇ ପରି ବାବୁ ଓ ମାଷ୍ଟରେ ବିଭାଘର ପ୍ରଭୃତିର ଖର୍ଚ୍ଚ କମ କରିଦେଲେ । ଦୋଳ ସମୟରେ ଅନ୍ୟ ଗ୍ରାମ ସହିତ ପ୍ରତିଦ୍ୱନ୍ଦିତା କରି ଗ୍ରାମବାସୀଏ ଯେତେବେଳେ ଠାକୁରଙ୍କ ପାଇଁ ମେଳଣକୁ ଯିବାଲାଗି ବଡ଼ ରୋସନି ବନ୍ଦୋବସ୍ତ କଲେ, ସେତେବେଳେ ପରି ବାବୁ କହିଲେ, “ତୁମର ଅନ୍ୟ ଗ୍ରାମ ଉପରେ ଟେକ ରହିପାରିବ, ---ଯଦି ପ୍ରକୃତରେ ତୁମେ ଗ୍ରାମର ଉନ୍ନତି କରିପାରିବ । ଦିନିକିଆ ବଡ଼ଲୋକି କୌଣସି କାର୍ଯ୍ୟରେ ଲାଗିବ ନାହିଁ । ଠାକୁରଙ୍କୁ ବେଶ କରି ପଇସା ଖର୍ଚ୍ଚ କରିବା ଅପେକ୍ଷା ନିଜର ଦରିଦ୍ରତା ଦୂର କର, ସେଥିରେ ଠାକୁରେ ବେଶୀ ଖୁସି ହେବେ ।” ତେଣୁ ଦୋଳ ଭେଦାରୁ ଅନେକ ଟଙ୍କା ଦାତାମାନଙ୍କ ଭାଗ ସ୍ୱରୁପ ସମବାୟ ସମିତିରେ ଜମା ହେଲା । କାହାରି କୌଣସି ଉତ୍ସବ ହେଲେ ସେ ଗ୍ରାମ ସମବାୟ ପାଣ୍ଠିକୁ କିଛି ଦିଏ ।

ଏ ପାଣ୍ଠିରୁ ଅନ୍ୟାନ୍ୟ ବ୍ୟବସାୟ ବ୍ୟତୀତ ଦରିଦ୍ରମାନଙ୍କୁ ସାହାଯ୍ୟ ଦେବା, ସ୍କୁଲ ଘରର ଉନ୍ନତି କରିବା ପ୍ରଭୃତି ଅନେକ ଲୋକ ହିତକର କାର୍ଯ୍ୟ ହେଲା । ଚାଷୀମାନଙ୍କ ହଳ, ବଳଦ, ସାର ଓ ବିହନ କିଣିବା ପାଇଁ ଟଙ୍କା ବରାବର ଧାର ଦିଆଯାଉଥାଏ । ଯେତେବେଳେ ପ୍ରତ୍ୟେକେ ପୃଥକ ପୃଥକ ହୋଇ ଫସଲ ଓ ଶିଳ୍ପ କାର୍ଯ୍ୟ ବିକ୍ରୀ କରିବା ପାଇଁ ଉଦଯୋଗ କଲେ, ସେତେବେଳେ ସେମାନଙ୍କୁ କୁହାଗଲା, “ଆସ, ଆମେ ସମସ୍ତେ ଯେପରି ଏକାଠି ହୋଇ କିଣା କିଣି କରୁଥାଇଁ, ସେହିପରି ଏକାଠି ହୋଇ ବିକ୍ରୀ କରିବା । ତହିଁରେ ମୂଳ ବେପାରିମାନେ ସିଧା ଆମଠାରୁ କିଣି ନେବେ; ଆମର ଲାଭ ବଢ଼ିବ, ଯାହାହେବ, ତାହା ଭାଗ ଅନୂସାରେ ବାଣ୍ଟିନେବା ।”

ଏ ଉପାୟରେ ଲାଭ ବେଶୀ, ଠକିବାର ଭୟ ଅଳ୍ପ । ସହରରେ କିଣାଳି ବନ୍ଦୋବସ୍ତ କରିସାରି ଗ୍ରାମର ଦ୍ରବ୍ୟ ସେଠି ବିକ୍ରୀ କରି ଦିଆହୁଏ । ମଝି ବେପାରିମାନେ ଜଣ ଜଣ କରି ଶସ୍ତାରେ ଯେପରି କିଣି ନେଉଥିଲେ, ସେପରି ଆଉ ହେଲା ନାହିଁ । ମୂଳ ପଦ୍ଧତି ରହିଲା,---ଆମଦାନି କଲା ଲୋକଙ୍କଠାରୁ ବ୍ୟବହାର କରିବା ଲୋକେ ପଦାର୍ଥକୁ ସିଧା କିଣିବେ । ତଦ୍ଧ୍ୱାରା ଦୁଇ ପକ୍ଷର ଲାଭ, କିଣାଳିଙ୍କୁ ଶସ୍ତା ପଡ଼ିଲା, ବିକାଳିଙ୍କୁ ପୂର୍ବ ଅପେକ୍ଷା ଅଧିକ ଲାଭ ପଡ଼ିଲା ।

ଏଣେ ଗ୍ରାମ ସମବାୟ ସମିତି ଉନ୍ନତିରୁ ଉନ୍ନତିକୁ ଡେ଼ଇଁ ଡେ଼ଇଁ ଚାଲିଲା । କ୍ରମେ ତାହାର ନିଜର ଜମି, ନିଜର ଘର ହେଲା, କମ୍ପାନୀ ସରକାରୀ-ରେଜିଷ୍ଟ୍ରି ହୋଇ ରହିଲା, ସରକାରୀ ସମୀକ୍ଷକ ଆସି ଟଙ୍କା ପଇସାର ହିସାବ ତଦାରଖ କରିଗଲେ । ଏହାର ଦୁଇଟି ଶାଖା ହୋଇଗଲା---ଗୋଟିଏ ବ୍ୟବସାୟ; ଧାର, ଆରଟି ଗ୍ରାମର ଉନ୍ନତି କରିବା ପାଇଁ । ଦ୍ୱିତୀୟ ପାଣ୍ଠିରେ ଯେତେ ଚାନ୍ଦା ହୁଏ, ତହିଁରେ ଦାନ ଖଇରାତ ଓ ଖର୍ଚ୍ଚ ଭାଗ ବେଶୀ । ଦରିଦ୍ର ଲୋକେ ତହିଁରୁ ସାହାଯ୍ୟ ପାଆନ୍ତି । ତହିଁରେ ଗ୍ରାମର ଖଣ୍ଡିଏ ପୁସ୍ତକାଗାର ହେଲା । କାରଣ ଗ୍ରାମର ଶିକ୍ଷା ବିସ୍ତାର ହେବା ସଙ୍ଗେ ସଙ୍ଗେ ପୁସ୍ତକର ଆବଶ୍ୟକ ବଢ଼ିଲା । ଏ ପୁସ୍ତକାଗାରରେ କୃଷି, ଶିଳ୍ପ, ଗ୍ରାମ ସଙ୍ଗଠନ, ପଶୁପାଳନ, ସାଧାରଣ ବ୍ୟାଧି ଏହି ସମ୍ପର୍କୀୟ ପୁସ୍ତକ ଅଧିକ । ରାତ୍ରି ବିଦ୍ୟାଳୟ ପରେ ଅନେକ ସମୟରେ ଏଠି ସେସବୁ ବିଷୟ ଚର୍ଚ୍ଚା ହୁଏ । “ନିଖିଳ-ଉକ୍ରଳ ଗ୍ରାମ ସଙ୍ଗଠନ ସଙ୍ଘ” ପ୍ରଭୃତିରୁ ବିଶାରଦମାନେ ଆସି ଲୋକଙ୍କୁ ବୁଝାଇଯାଆନ୍ତି ଓ ପୁସ୍ତକ ଦାନ କରି ଯାଆନ୍ତି ।
ଏହା ଛଡ଼ା ଅନ୍ୟାନ୍ୟ ପୁସ୍ତକ ମଧ୍ୟ ଏଠି ରହିଲା । ବଡ଼ ବଡ଼ ଲେଖକମାନଙ୍କଠାରୁ ସେମାନଙ୍କ ପୁସ୍ତକ ସବୁ ଅଣାହେଲା । କ୍ରମେ ଦେଖାଗଲା, ଗ୍ରାମର ଚାଷୀ ଭାଇମାନଙ୍କ ମଧ୍ୟରୁ କେତେକ ଲୋକ ରାତ୍ରି ସ୍କୁଲର ବିଦ୍ୟା ଶେଷ ପରେ ନିଜର ଅବସ୍ଥାର ଉନ୍ନତି କରିବା ପାଇଁ ଜ୍ଞାନ ଅର୍ଜନ କରିବାକୁ ମନ ଦେଉଛନ୍ତି ।

ବି.ଦ୍ର. -  ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଉଦ୍ଧୃତ ।

No comments:

Post a Comment