Friday, May 19, 2017

ସମାଜ ବିଜ୍ଞାନ କାହିଁକି ଗୁରୁତ୍ୱପୂର୍ଣ୍ଣ -୨


ସୀମନ୍ତିନୀ ଧୁରୁ



ବିଭିନ୍ନ ପ୍ରକାରର ପ୍ରକଳ୍ପ କାର୍ଯ୍ୟ ଦ୍ୱାରା ସମାଜ ବିଜ୍ଞାନ ଅଧ୍ୟୟନ ଅଧିକ ଆନନ୍ଦଦାୟୀ ଓ ଉପଯୋଗୀ ହୋଇପାରିବ । 


ଏ ବଜାରୀକରଣର ଦୁନିଆରେ ଯେତେବେଳେ ସବୁକିଛି ପଣ୍ୟ ପାଲଟିଲାଣି ସମାଜ ବିଜ୍ଞାନ କଥା ପଚାରେ କିଏ ! ଏହା ହେଉଛି କାରଣ ଓ ଏହା ହିଁ ପରିଣାମ । ସମାଜ ବିଜ୍ଞାନକୁ ଅର୍ଥହୀନ ତଥ୍ୟସମ୍ଭାରରେ ବୋଝଗ୍ରସ୍ତ କରି ରଖିଥିବାରୁ, ଗହନ ମନନ ଚିନ୍ତନ ଓ ନୂଆ କିଛି ସୃଷ୍ଟି କରିବାର ଉତ୍ସାହ ଅଭାବରୁ ଏହି ବିଷୟ ରସହୀନ ତଥା ଅଲୋଡା ହୋଇ ପଡିଛି । ଅପର ପକ୍ଷେ, ଗହନ ଚିନ୍ତନ ପାଇଁ ସୁଯୋଗ ମିଳୁ ନଥିବାରୁ ପିଲାଙ୍କ ମନରେ ପ୍ରଶ୍ନ ପଚାରିବାର ଯେଉଁ ସ୍ୱାଭାବିକ ପ୍ରବୃତ୍ତି ରହିଛି ତାହାର ଅବକ୍ଷୟ ଘଟୁଛି । ଏଣୁ ଧୀରେ ଧୀରେ, ଅଳ୍ପ କେତେ ଜଣଙ୍କୁ ଲାଭ ଯୋଗାଉଥିବା ଯନ୍ତ୍ରବିଦ୍ୟାର କୁପ୍ରଭାବ, ବିକାଶ ନାଁ’ରେ ମାନବ ଅଧିକାର କ୍ଷୁର୍ଣ୍ଣ କରୁଥିବା ଓ ପରିବେଶକୁ ଧ୍ୱଂସ କରୁଥିବା କାର୍ଯ୍ୟକଳାପ ଆଉ କୌଣସି ପ୍ରଶ୍ନର ସମ୍ମୁଖୀନ ହେଉ ନାହିଁ । ଯେଉଁ ବିଜ୍ଞାନ ବାସ୍ତବତାର ଭିତ୍ତିରେ ଓ ପ୍ରଶ୍ନ କରିବାର ସ୍ୱଭାବ ଯୋଗୁଁ ତିଷ୍ଠିଥିଲା ତାହା ହିଁ ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଛି ।


ଏଇଠୁଁ ଆମେ ଲେଖାର ଆରମ୍ଭରେ ଉଠିଥିବା କଥା ପାଖକୁ ଚାଲିଯିବା । ଶିକ୍ଷାର ଲକ୍ଷ୍ୟ ଓ ଚରିତ୍ରରେ ହିଁ ଉପରୋକ୍ତ ଆହ୍ୱାନ ଗୁଡିକ ପାଇଁ ଉତ୍ତର ମିଳିବ । ଶିକ୍ଷାର ଉଦ୍ଦେଶ୍ୟ ବିଷୟରେ ଚିନ୍ତା କଲେ ସମାଜ ବିଜ୍ଞାନ ଶିକ୍ଷଣ ତଥା ଅନ୍ୟ ସମସ୍ତ ବିଷୟ ଶିକ୍ଷଣ ପଦ୍ଧତି ପରିବର୍ତ୍ତନ ପାଇଁ ବାଟ ଦିଶିବ । ଶିକ୍ଷାର ଉଦ୍ଦେଶ୍ୟ କ’ଣ ପରୀକ୍ଷାରେ ଭଲ ମାର୍କ ରଖିବା? କୋଚିଙ୍ଗ ଇତ୍ୟାଦିରେ ପଇସା ସାରି ଡିଗ୍ରୀଧାରୀ ହେବା ? ଏମିତି ଚାକିରୀ କରିବା ଯହିଁରେ ସୃଜନର ଆନନ୍ଦ ନଥିବ ବରଂ ଥିବ ଗରିବ ଓ ପରିବେଶ ଧ୍ୱଂସକାରୀ କାର୍ଯ୍ୟକଳାପ ? କ’ଣ ଏହା ହିଁ ହେଉଛି ଆମ ପ୍ରଗତି ? ଏସବୁରୁ ଆମକୁ ଏକ ସୁଖୀ ସମାଜ ମିଳିଯିବ କି? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଆଜି ଅତ୍ୟନ୍ତ ଆବଶ୍ୟକୀୟ ମନେହୁଏ । ଶିକ୍ଷା ବ୍ୟବସ୍ଥାରେ ଏସବୁ ସମସ୍ୟାର ଆଲୋଚନାର ଦାୟିତ୍ୱ ହିଁ ସମାଜ ବିଜ୍ଞାନର ମୂଳପିଣ୍ଡ ।

ଶିକ୍ଷଣ ଉପଯୋଗୀ କିଟ୍

ସଙ୍ଗତି (ମୁମ୍ବାଇସ୍ଥିତ ଆଭେହି-ଆବାକସ ପ୍ରକଳ୍ପର ଅନ୍ତର୍ଭୁକ୍ତ) ହେଉଛି ଛଅଟି ଶିକ୍ଷଣ ଉପଯୋଗୀ କିଟ୍ ର ସମାହାର । ଏହି କିଟ୍ ଗୁଡିକ ପିଲାଙ୍କୁ ଭାବିବା, ଚିନ୍ତା କରିବା ପାଇଁ ପ୍ରବର୍ତ୍ତାଏ । ‘କ’ଣ ପଢାଯିବ’ ଓ ‘କେମିତି ପଢାଯିବ’ - ଏ ଦୁଇଟିରେ ଗୁଣାତ୍ମକ ମାନ ବୃଦ୍ଧି କରି ସ୍କୁଲ ଶିକ୍ଷାକୁ ଅଧିକ ପ୍ରାସଙ୍ଗିକ ଓ ଜୀବନ୍ତ କରିବାକୁ ଚେଷ୍ଟା କରେ । ପ୍ରତ୍ୟେକ କିଟ୍ ରେ ଶିକ୍ଷକଙ୍କ ପାଇଁ ଏକ ମାନୁଆଲ, ତିନୋଟି ଭାଷାରେ ଆନୁସଙ୍ଗିକ ଭିଜୁଆଲ୍ ଟିଏଲଏମ ରହିଛି । ଏହା ସହିତ ଅଛି ପିଲାଙ୍କ ପାଇଁ ୱାର୍କସିଟ୍, କାହାଣୀ ଓ ପଢିବା ପାଇଁ ଅନ୍ୟାନ୍ୟ ଜିନିଷ (ଆଠଟି ଭାଷାରେ) ।

ସଙ୍ଗତି  ପୃଥକ ପୃଥକ ଥିବା ତଥ୍ୟଗୁଡିକୁ ପରଷି ଦେବା ପରିବର୍ତ୍ତେ ବିଭିନ୍ନ ପ୍ରସଙ୍ଗ ବା ଥିମ୍ ଭିତରେ ଥିବା ସମ୍ପର୍କକୁ ଗୁରୁତ୍ୱ ଦିଏ । ଏହି ଥିମ୍ ଗୁଡିକ ଏପରି ସଜାହୋଇଛି ଯେପରି ଆମ ଚାରିପଟେ ଯାହା ଘଟୁଛି ତାହା ବୁଝିବା ଓ ବିଶ୍ଳେଷଣ କରିବା ପାଇଁ ଆମକୁ ଏକ ଦୃଷ୍ଟିଭଙ୍ଗୀ ମିଳିଯିବ ।

ଏହି ଥିମ୍ ଗୁଡିକ ହେଲା :

  • ନିଜ ବିଷୟରେ ଜାଣିବା ଅର୍ଥାତ ବୁଝିବା ଯେ ମୁଁ ସ୍ୱତନ୍ତ୍ର ଅଟେ କିନ୍ତୁ ଅନ୍ୟ ପ୍ରତିଟି ମଣିଷ ସହ ମୋର କିଛି ସମାନତା ମଧ୍ୟ ଅଛି । ନିଜ ଶରୀରର କ୍ଷମତା ଓ ସୀମା ବିଷୟରେ ସଚେତନ ହେବା ଓ ଅନୁଭବ କରିବା ଯେ ଆମ ଭିତରେ ଯାହା ଭିନ୍ନତା ଥାଉ ପଛେ ସବୁ ମଣିଷଙ୍କର ମୂଳ ଆବଶ୍ୟକତା ସମାନ ।
  • ଆମ ପୃଥିବୀ ଆମକୁ ଯେଉଁ ସମ୍ପଦ ଯୋଗାଏ ସେଥିରୁ ଆମେ ଆମ ଆବଶ୍ୟକତା ପୂରଣ କରିପାରୁ । ମଣିଷ ସମେତ ପୃଥିବୀରେ ସମସ୍ତ ଜୀବ ଏକ ଜଟିଳ ଓ ନିରନ୍ତର ପ୍ରକ୍ରିୟାରେ ବିକଶିତ ହୋଇଛନ୍ତି । ଏଣୁ ଆମେ ସମସ୍ତେ ଜୀବସମୂହର ଏକ ଅଂଶ ।
  • ହଜାର ହଜାର ବର୍ଷ ଧରି ଲୋକେ ପୃଥିବୀର ସମ୍ପଦର ବ୍ୟବହାର କରିବା ଓ ସମାଜରେ ଏକାଠି ରହିବା ଶିଖିଛନ୍ତି ପୃଥିବୀରେ ସମାଜଗୁଡିକ କିପରି ବିକଶିତ ହେଲେ ଜାଣିଲେ ଆମେ ଆମ ଜୀବନକୁ ମଧ୍ୟ ଭଲ ଭାବରେ ବୁଝିପାରିବା ।
  • ଯନ୍ତ୍ରବିଦ୍ୟାରେ ନିରନ୍ତର ପରିବର୍ତ୍ତନ ଓ ବିଭିନ୍ନ ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ଅନୁଷ୍ଠାନ ଆମର ଆଜିର ଜୀବନକୁ କିପରି ପ୍ରଭାବିତ କରୁଛନ୍ତି ।
  • ଆମର ପରିବେଶ ସହିତ, ଅନ୍ୟ ଜୀବଙ୍କ ସହିତ ଓ ପରସ୍ପର ସହିତ ସମ୍ପର୍କ ସବୁ ପରିବର୍ତ୍ତନ ହେଉଛି । ଏହି ପରିବର୍ତ୍ତନ ଗୁଡିକ କ’ଣ ଓ ସଗୁଡିକର ପ୍ରଭାବ କ’ଣ ବୁଝିପାରିଲେ ଯାଇ ଆମେ ପରିବର୍ତ୍ତନ ଗୁଡିକୁ ଆପଣେଇ ନେଇ ପାରିବା ଓ ସାମାଜିକ ନ୍ୟାୟ ଓ ପରିବେଶ ସନ୍ତୁଳନ ଅନୁକୂଳ ଏକ ସମାଜ ସୃଷ୍ଟି କରିପାରିବା ।
  • ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା – ଏପରି କୌଶଳ, ମନୋଭାବ ଓ ମୂଲ୍ୟବୋଧ ଆହରଣ କରିବା ଯାହା ବ୍ୟକ୍ତିଗତ ଭାବେ ଆମ ପାଇଁ ତଥା ଆମ ସମାଜ ଓ ଆମ ପୃଥିବୀ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହେବ ।

ବିଗତ ଛଅ ବର୍ଷ ହେଲା ସଙ୍ଗତି ୯୦୫ଟି ମୁନସିପାଲ ସ୍କୁଲରେ ବ୍ୟବହୃତ ହେଉଛି ।
ଦେଖିଲେ ଯାଇ ବିଶ୍ୱାସ ହେବ
ଏହି ଖେଳଟି ପାଇଁ ଛଅ ଜଣ ପିଲାଙ୍କୁ ଆଗକୁ ଡାକନ୍ତୁ । ପ୍ରତ୍ୟେକ ପିଲାଙ୍କୁ କୋଠରୀର ଅଲଗା ଅଲଗା ଭାଗକୁ ଯିବାକୁ କୁହନ୍ତୁ । ସେମାନେ ଭିନ୍ନ ଭିନ୍ନ ମୁଦ୍ରାରେ ରୁହନ୍ତୁ ଯେମିତି କି ଜଣେ ପିଲା ଚିତ୍ ହୋଇ ଶୋଇ ଛାତକୁ ଦେଖିପାରେ, ଆଉ ଜଣେ କୌଣସି ଏକ କୋଣରେ ପେଟେଇ ଶୋଇପାରେ, ଆଉ ଜଣେ ଝର୍କା ପାଖରେ ବସିପାରେ ଇତ୍ୟାଦି ।  

ବସିପାରେ ଇତ୍ୟାଦି ଏବେ ପ୍ରତ୍ୟେକ ପିଲା ନିଜ ନିଜ ସ୍ଥିତିରେ ଥାଇ ଯାହା ଦେଖୁଛନ୍ତି ବର୍ଣ୍ଣନା କରିବେ । ଏ ବର୍ଣ୍ଣନାଗୁଡିକୁ ଧ୍ୟାନ ଦେଇ ଶୁଣିବା ପାଇଁ ଅନ୍ୟ ପିଲାଙ୍କୁ ଅନୁରୋଧ କରନ୍ତୁ । ଛଅ ଜଣ ଯାକ ନିଜ ନିଜ ଦୃଶ୍ୟର ବର୍ଣ୍ଣନା ଦେଇ ସାରିବା ପରେ ସେମାନେ ଯାଇ ନିଜ ସ୍ଥାନରେ ବସିଯାଆନ୍ତୁ ।

ନିମ୍ନଲିଖିତ ପ୍ରଶ୍ନମାନଙ୍କ ସହାୟତାରେ ଖେଳଟି ବିଷୟରେ ଆଲୋଚନା କରନ୍ତୁ ।

·         ଛଅ ଜଣ ପ୍ରତ୍ୟେକ କ’ଣ କ’ଣ ଦେଖୁଥିବାର ବିବରଣୀ ଦେଲେ ?
·         ସେମାନଙ୍କର ବର୍ଣ୍ଣନା ସବୁ ସମାନ କି? କାହିଁକି?
·         ଏମାନଙ୍କ ଭିତରୁ କ’ଣ କେହି ଜଣେ ହେଲେ ଶ୍ରେଣୀଗୃହର ସମ୍ପୂର୍ଣ୍ଣ ବିବରଣୀ ଦେଇପାରିଲେ କି? କାହିଁକି?
·         ଯଦି ଏହି ଛଅଟି ଯାକ ବର୍ଣ୍ଣନା ଏକାଠି କରିଦେବା ତେବେ ଆମକୁ ଶ୍ରେଣୀଗୃହର ସମ୍ପୂର୍ଣ୍ଣ ବିବରଣୀ ମିଳିଯିବ କି?

ନିମ୍ନଲିଖିତ ବିନ୍ଦୁଗୁଡିକୁ ଉପସ୍ଥାପନ କରି ଆଲୋଚନା ଶେଷ କରନ୍ତୁ ।

ଛଅ ଜଣ ଯାକ ପିଲା କୋଠରୀର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମୁଦ୍ରାରେ ଥିବାରୁ ପ୍ରତ୍ୟେକଙ୍କୁ କଠୋରୀଟି ଭିନ୍ନ ଦିଶିଲା । ଏମାନଙ୍କ ଭିତରୁ କେହି ବି ଭୁଲ କହୁନଥିଲେ କିନ୍ତୁ ଶ୍ରେଣୀଗୃହଟି ପ୍ରକୃତରେ କେମିତି ଦିଶୁଛି କେହି ଜଣେ ହେଲେ ସମ୍ପୂର୍ଣ୍ଣ ଭାବେ କହି ପାରିଲେ ନାହିଁ । ଏପରିକି ସବୁ ବର୍ଣ୍ଣନା ଏକାଠି କଲେ ମଧ୍ୟ ସମ୍ପୂର୍ଣ୍ଣ ବିବରଣୀ ମିଳୁନାହିଁ, କିନ୍ତୁ ଆମ ଧାରଣା ବଢୁଛି । ଅନ୍ୟ ପ୍ରକାରରେ କହିଲେ, କୌଣସି ଜିନିଷକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖିଲେ ହିଁ ଏହା ସମ୍ବନ୍ଧରେ ଆମକୁ ଭଲ ଧାରଣା ମିଳିପାରିବ ।







ଲେଖିକା ପରିଚୟ: ଲେଖିକା ମୁମ୍ବାଇସ୍ଥିତ ଆଭେହି-ଆବାକସ ପ୍ରକଳ୍ପର ନିର୍ଦ୍ଦେଶିକା ଓ ରାଜ୍ୟ ତଥା ଜାତୀୟ ସ୍ତରରେ ପାଠ୍ୟକ୍ରମ ସଂଶୋଧନରେ ନିବିଷ୍ଟ । ସର୍ବ ଶିକ୍ଷା ଅଭିଜାନର ‘ଜାତୀୟ କାର୍ଯ୍ୟକାରୀ ସମିତି’ ର ଓ ‘ଅଲ୍ ଇଣ୍ଡିଆ ଫୋରମ ଫର୍ ରାଇଟ୍ ଟୁ ଏଜୁକେସନ’ ର  ସେ ଜଣେ ସଦସ୍ୟ । ତାଙ୍କୁ ଯୋଗାଯୋଗ ଠିକଣା : simantinidhuru@gmail.com.     

ଲେଖାଟିର ମୂଳପାଠର ଠିକଣା : http://www.teacherplus.org/things-to-think-about/why-social-sciences-are-important 

No comments:

Post a Comment