Tuesday, November 29, 2016

ନାରୀମାନଙ୍କ ପାଇଁ ମତଦାନର ଅଧିକାର


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କୌଣସିଠାରେ ସରକାରମାନେ ସ୍ୱେଚ୍ଛାପୂର୍ବକ କ୍ଷମତାରେ ଭାଗପ୍ରଦାନ କରିନାହାନ୍ତି ସରକାରରେ ଅଂଶଗ୍ରହଣର ଅଧିକାର ପାଇଁ ସାରା ୟୁରୋପରେ ଆମେରିକାରେ ଗରୀବ ଲୋକଙ୍କୁ ମହିଳାମାନଙ୍କୁ ଲଢ଼ିବାକୁ ପଡ଼ିଛି ମହିଳାମାନଙ୍କର ମତାଧିକାର ପାଇଁ ଆନ୍ଦୋଳନ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୟୁରୋପରେ ବଳସଙ୍ଗ୍ରହ କଲା ଏହି ଆନ୍ଦୋଳନକୁ ନିର୍ବାଚନାଧିକାର ଆନ୍ଦୋଳନ କୁହାଯାଏ

ଏହି ସମୟରେ ଅନେକ ପୁରୁଷଲୋକେ ଯୁଦ୍ଧ ପାଇଁ ଦୂରଦେଶରେ ଥିଲେ ଆଗରୁ ଯେଉଁ ସବୁ କାମକୁ ପୁରୁଷଜନୋଚିତ କାମ ବୋଲି ଗଣା ଯାଉଥିଲା, ସେସବୁ କ୍ଷେତ୍ରଗୁଡ଼ିକରେ ଏବେ ସ୍ତ୍ରୀଲୋକମାନେ କାମ କରିବାକୁ ଲାଗିଲେ ଅନେକ ମହିଳାମାନେ ନାନା ପ୍ରକାରର କାମ ସଙ୍ଗଠିତ କରିବାକୁ ପରିଚାଳିତ କରିବାକୁ ଲାଗିଲେ ଏହା ଦେଖି ଲୋକେ ସ୍ତ୍ରୀଲୋକମାନଙ୍କ ବିଷୟରେ ସେମାନଙ୍କର ନାନାଦି କାମ କରିବାର କ୍ଷମତା ବିଷୟରେ ସେମାନଙ୍କ ନିଜର ଧରାବନ୍ଧାଚିତ୍ରଗୁଡ଼ିକ ନେଇ ପ୍ରଶ୍ନ ଉଠାଇବାକୁ ଲାଗିଲେ ଏଣୁ ସ୍ତ୍ରୀଲୋକମାନେ ନିଜକୁ ନିଷ୍ପତ୍ତି ନେବାରେ ସମାନ ବୋଲି ଜ୍ଞାନ କରିବାକୁ ଲାଗିଲେ

ନିର୍ବାଚନାଧିକାରର ଆନ୍ଦୋଳନକାରୀମାନେ ମହିଳାମାନଙ୍କ ପାଇଁ ଭୋଟ ଦେବାର ଅଧିକାର ଦାବୀ କଲେ ଏଥି ପ୍ରତି ଦାବୀ ଆକର୍ଷିତ କରିବା ପାଇଁ ସେମାନେ ନିଜକୁ ଶିକୁଳିରେ ରେଲିଙ୍ଗ ଇତ୍ୟାଦିରେ ବାନ୍ଧୁଥିଲେ ସେମାନଙ୍କ ମଧ୍ୟରୁ ଅନେକ ଜେଲ ମଧ୍ୟ ଗଲେ ଅନଶନରେ ମଧ୍ୟ ବସିଲେ ଅନଶନରେ ବସିଥିବା ଅନେକ ଆନ୍ଦୋଳନକାରୀଙ୍କୁ ବଳପୂର୍ବକ ଖାଦ୍ୟ ଖୁଆଯାଉଥିଲା ଆମେରିକାର ମହିଳାମାନେ ୧୯୨୦ ମସିହାରେ ଭୋଟ ଦେବାର ଅଧିକାର ପାଇଲେ ପୁରୁଷମାନଙ୍କ ସହିତ ସମତା ଭିତ୍ତିରେ ଭୋଟ ଦେବାର ଅଧିକାର ବିଲାତର ମହିଳାମାନଙ୍କୁ ୧୯୨୮ ମସିହାରେ ମିଳିଲା

ବି.ଦ୍ର. - ଏନ.ସି.ଇ.ଆର.ଟି. ଛାପିଥିବା ଷଷ୍ଠ ଶ୍ରେଣୀର ସମାଜ ବିଜ୍ଞାନ ପୁସ୍ତକ 'ସୋସାଲ ଆଣ୍ଡ ପଲିଟିକାଲ ଲାଇଫ - ୧'ର ତୃତୀୟ ଅଧ୍ୟାୟର କିଛି ଅନୁଦିତ ତଥା ସମ୍ପାଦିତ ଅଂଶ ।

Sunday, November 27, 2016

ଲଦ୍ଦାଖ ଓ କେରଳ : ଭାରତରେ ବିବିଧତା


ଲଦ୍ଦାଖର ହେମିସ ମଠର ଚିତ୍ର (୧୮୭୬ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଲଦ୍ଦାଖ ଜାମ୍ମୁ କାଶ୍ମୀର ରାଜ୍ୟର ପୂର୍ବଭାଗରେ ଅବସ୍ଥିତ ପର୍ବତାଞ୍ଚଳର ଏକ ମରୁଭୂମି ଏଠାରେ ବହୁତ ଅଳପ ଭାବରେ ଚାଷବାସ ସମ୍ଭବ କାରଣ ଏହି ଅଞ୍ଚଳରେ ପ୍ରାୟତଃ ବରଷା ହୁଏ ନାହିଁ ବରଷଯାକର ଅଧିକାଂଶ ସମୟ ଭୂଇଁ ବରଫରେ ଢାଙ୍କି ହେଇଥାଏ ଏହି ଅଞ୍ଚଳରେ ବହୁତ କମ ପ୍ରକାରର ଗଛବୁରୁଛ ଉଧେଇପାରିବେ ଖରାଦିନେ ତରଳୁଥିବା ବରଫ ଉପରେ ହିଁ ଲୋକମାନେ ନିଜର ପିଇବା ପାଣି ପାଇଁ ନିର୍ଭର କରନ୍ତି

ଏଠାକାର ଲୋକେ ମେଣ୍ଢା ପୋଷନ୍ତି ଏହି ମେଣ୍ଢାଗୁଡ଼ିକ ଏକ ବିଶେଷ ପ୍ରକାରର ମେଣ୍ଢା କାରଣ ଏମାନଙ୍କର ରୁମରୁ ପଶ୍ମିନା ଉଲ ମିଳେ ଏହି ଉଲ  ଚାହିଦା ବହୁତ ପଶ୍ମିନାରୁ ବୁଣାହୋଇଥିବା ଚାଦରର ଦାମ ବହୁତ ବେଶୀ ଲଦ୍ଦାଖର ଲୋକମାନେ ଏହି ମେଣ୍ଢାଙ୍କର ଉଲ କୁ ଅତି ଯତ୍ନର ସହିତ ସଙ୍ଗ୍ରହ କରନ୍ତି ଏହି ଉଲକୁ ସେମାନେ କାଶ୍ମୀରର ବେପାରୀମାନଙ୍କୁ ବିକନ୍ତି ପଶ୍ମିନା ଚାଦର କାଶ୍ମୀରରେ ହିଁ ବୁଣାଯାଏ

ଲୋକେ ପ୍ରାୟତଃ ମାଂସ ଖାଆନ୍ତି ଦୁଗ୍ଧଜାତ ପଦାର୍ଥ, ଯଥା ଛେନା ଲହୁଣୀ ଆଦି ଖାଆନ୍ତି ପ୍ରତ୍ୟେକ ପରିବାରର କେତୋଟି ଲେଖାଏଁ ଛେଳି, ଗାଇ ଜୋ ( ଏକ ପ୍ରକାରର ଚମରୀ ଗାଇ) ଥାଏ ଲଦ୍ଦାଖ ଗୋଚିଏ ମରୁଭୂମି ନିଶ୍ଚୟ । ମାତ୍ର ତାହାର ମାନେ ଏହା ନୁହେଁ ଯେ ଏଠାକୁ ବେପାର ବଣିଜ କରିବା ପାଇଁ ବେପାରୀମାନେ ଆସୁନଥିଲେ ଏହି ଅଞ୍ଚଳ ଗୋଟିଏ ଭଲ ବୈପାରିକ ରାସ୍ତା ଭାବରେ ଅତୀତରେ ଜଣାଶୁଣା ଥିଲା କାରଣ ଲଦ୍ଦାଖରେ ଅନେକ ଘାଟିରାସ୍ତା ଅଛି ଯାହା ଦେଇ ଆଜିକାଲିର ତିବ୍ବତକୁ କାର୍ୱାଁ ଯାଉଥିଲା ଏହି କାର୍ୱାଁରେ ଲୁଗାପଟା, ମସଲା, କଞ୍ଚା ରେଶମ ଇତ୍ୟାଦି ବୁହାହୋଇ ନିଆଯାଉଥିଲା

ବୌଦ୍ଧ ଧର୍ମ ତିବ୍ବତ ଦେଇ ଲଦ୍ଦାଖରେ ପହଞ୍ଚିଲା । ଲଦ୍ଦାଖକୁ କୁନି ତିବ୍ବତ ମଧ୍ୟ କୁହାଯାଏ । ଚାରିଶହ ବରଷ ପୂର୍ବେ ଏହି ଅଞ୍ଚଳରେ ଇସଲାମ ଧର୍ମର ପ୍ରସାର ଆରମ୍ଭ ହେଲା । ଏବେ ଏଠାରେ ବଡ଼ ଆକାରରେ ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ଦେଖିବାକୁ ମିଳନ୍ତି । ଲଦ୍ଦାଖରେ ମୌଖିକ ଭାବରେ ପ୍ରଚଳିତ ଗୀତ ଓ କବିତାର ଏକ ସମୃଦ୍ଧ ପରମ୍ପରା ପ୍ରଚଳିତ ଅଛି । ତିବ୍ବତୀୟ ଜାତୀୟ ପୁରାଣ କେଶର ଗାଥାର ସ୍ଥାନୀୟ ସଂସ୍କରଣ ଲଦ୍ଦାଖରେ ପ୍ରଦର୍ଶିତ ଓ ଗାୟନ କରାଯାଏ ।

କେରଳ ଦେଶର ଦକ୍ଷିଣ ପଶ୍ଚିମ କୋଣରେ ଅବସ୍ଥିତ ଏକ ରାଜ୍ୟ । ଏହାର ଗୋଟିଏ ପଟେ ପାହାଡମାଳା ତ ଅନ୍ୟ ପଟେ ସମୁଦ୍ର । ଏହି ରାଜ୍ୟରେ ପର୍ବତମାନଙ୍କରେ ଗୋଲମରିଚ, ଲବଙ୍ଗ ଓ ଡାଲଚିନି ଆଦି ମସଲା ଚାଷ କରାଯାଏ । ଏହି ମସଲାଗୁଡ଼ିକ ପାଇଁ ଏହି ଅଞ୍ଚଳ ପ୍ରତି ବ୍ୟବସାୟୀମାନେ ସର୍ବଦା ଆକର୍ଷିତ ହୋଇ ଆସିଛନ୍ତି । ଇହୁଦୀ ଓ ଆରବ ବେପାରୀମାନେ ଏଠାକୁ ସବୁଠୁ ଆଗେ ଆସିଥିଲେ । ଯୀଶୁଙ୍କର ଧର୍ମଦୂତ ସନ୍ଥ ଥମା ଏଠାକୁ ପାଖାପାଖି ଦୁଇ ହଜାର ବରଷ ଆଗରୁ ଆସିଥିବାର ବିଶ୍ୱାସ କରାଯାଏ । ତାଙ୍କୁ ଭାରତକୁ ଖ୍ରୀଷ୍ଟଧର୍ମର ଆଗମନ ପାଇଁ ଶ୍ରେୟ ମଧ୍ୟ ଦିଆଯାଏ ।

ଅନେକ ଆରବ ବଣିକମାନେ ମଧ୍ୟ ଏଠାକୁ ଆସି ଏଠାରେ ବସବାସ କରିବା ଆରମ୍ଭ କଲେ । ଇବନ ବତୁତା ନାମକ ପ୍ରସିଦ୍ଧ ପରିବ୍ରାଜକ ମଧ୍ୟ ସାତଶହ ବରଷ ଆଗରୁ ଏଠାକୁ ଭ୍ରମଣକରିବାକୁ ଆସି ଏଠିକାର ଅନୁଭୂତି ବିଷୟରେ ଏକ ଭ୍ରମଣ କାହାଣୀ ଲେଖିଥିଲେ । ସେଥିରେ ସେ ସ୍ଥାନୀୟ ମୁସଲମାନମାନଙ୍କର ଜୀବନଚର୍ଯ୍ୟା ବିଷୟରେ ବର୍ଣ୍ଣନା କରି କୁହନ୍ତି ଯେ ସେମାନେ ଏକ ସମ୍ମାନାଷ୍ପଦ ଭାବରେ ଜୀବନଯାପନ କରୁଥିଲେ । ଯେତେବେଳେ ଭାସ୍କୋଡିଗାମା ୟୁରୋପରୁ ଭାରତକୁ ସିଧା ସାମୁଦ୍ରିକ ପଥର ଆବିଷ୍କାର କଲେ, ସେତେବେଳେ ତାଙ୍କର ଜାହଜ ଆସି କେରଳ ଉପକୁଳରେ ହିଁ ଲାଗିଲା ।

ଏହି ସବୁ ନାନାଦି ଐତିହାସିକ ପ୍ରଭାବଗୁଡ଼ିକ ଯୋଗୁଁ କେରଳର ଲୋକେ ଇହୁଦୀ ଧର୍ମ, ଇସଲାମ, ଖ୍ରୀଷ୍ଟଧର୍ମ, ହିନ୍ଦୁଧର୍ମ ଓ ବୈଦ୍ଧଧର୍ମ ଆଦି ଅନେକ ଧାର୍ମିକ ପରମ୍ପରାର ଅନୁସରଣ କରନ୍ତି ।

ଏଠାରେ ପ୍ରଚଳିତ ମାଛମରା ଜାଲ ଚୀନ ଦେଶର ଜାଲ ପରି ଦୁଶେ ଓ ଏହାକୁ ଚୀନା-ଭାଲ ମଧ୍ୟ କୁହାଯାଏ । ଏପରିକି ଛଣାଛଣି ପାଇଁ ବ୍ୟବହାର କରାଯାଉଥିବା ବାସନକୁ ଚୀନାଚଟ୍ଟି କୁହାଯାଏ । ଏହା ବିଶ୍ୱାସ କରାଯାଏ ଯେ ଚୀନ ଶବ୍ଦଟି ଚୀନ ଦେଶରୁ ହିଁ ଆସିଛି । ଏଠିକାର ଉର୍ବର ମାଟି ଓ ଜଳବାୟୁ ଧାନ ଚାଷ ପାଇଁ ଉପଯୁକ୍ତ । ଏଠିକାର ଅଧିକାଂଶ ଲୋକେ ଭାତ, ମାଛ ଓ ପନିପରିବା ଖାଆନ୍ତି । 

ନିଜର ଭୌଗଳିକ ବୈଶିଷ୍ଟ୍ୟ ଦୃଷ୍ଟିରୁ କେରଳ ଓ ଲଦ୍ଦାଖ ପରସ୍ପରଠାରୁ ଅଲଗା ହେଲେ ମଧ୍ୟ ଏହି ଦୁଇଟି ଅଞ୍ଚଳର ଇତିହାସରେ ଆମେ ବିବିଧ ସାଂସ୍କୃତିକ ପ୍ରଭାବର ସ୍ପର୍ଷ ଦେଖିବାକୁ ପାଇବା । ଉଭୟ ଅଞ୍ଚଳ ଚୈନିକ ଓ ଆରବୀୟ ବଣିକ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । କେରଳର ଭୂଗୋଳ ଯୋଗୁଁ ହିଁ ସେଠାରେ ମସଲାମସଲି ଇତ୍ୟାଦିର ଚାଷବାସ ହୋଇପାରିଲା ତଥା ଲଦ୍ଦାଖର ବିଶେଷ ଭୌଗଳିକ ଅବସ୍ଥିତି ଓ ଏହାର ପଶମ ଯୋଗୁଁ ହିଁ ଏହି ଅଞ୍ଚଳଗୁଡ଼ିକୁ ବେପାରିମାନେ ଆକର୍ଷିତ ହୋଇ ଆସିଲେ । ଅତଏବ ଗୋଟିଏ ଅଞ୍ଚଳର ସାଂସ୍କୃତିକ ଜୀବନରେ ଅନେକ ସମୟରେ ଇତିହାସ ଓ ଭୂଗୋଳ ଛନ୍ଦିହୋଇଥାଆନ୍ତି ।

ବିଭିନ୍ନ ସଂସ୍କୃତିର ପ୍ରଭାବ ପଡ଼ିବା କେବଳ ଅତୀତର କଥା ନୁହେଁ । ଆମର ସମସାମୟିକ ଜୀବନରେ ମଧ୍ୟ ଆମେ ଯେତେବେଳେ ଜୀବିକା ଅର୍ଜନ ପାଇଁ ସ୍ଥାନରୁ ସ୍ଥାନାନ୍ତର ହେଲାବେଳେ ଆମର ସାଂସ୍କୃତିକ ପରମ୍ପରା ଓ ଜୀବନଶୈଳୀ ଆମର ନୂଆ ବାସସ୍ଥାନର ଅଂଶବିଶେଷ ବନିଯାଏ । ସେହିପରିଭାବରେ ଆମେ ଆମର ନିଜର ପଡ଼ିଶାରେ ମଧ୍ୟ ଭିନ୍ନଭିନ୍ନ ଜନଗୋଷ୍ଠୀର ଲୋକମାନଙ୍କ ସହିତ ମିଶି ଚଳୁଛୁ । ପରସ୍ପରର କାମ କରିବାର ବାଟ ବିଷୟରେ ଜାଣିବା ତଥା ନିଜର ଓ ଅନ୍ୟର ଜୀବନ, ପରମ୍ପରା ଓ ଚଳଣୀ ବିଷୟରେ ଗପଟିମାନ ଶୁଣିବାରେ ଆମେ ଆମର ଦୈନନ୍ଦିନ ଜୀବନ ଅତିବାହିତ କରୁ ।
 
ବି.ଦ୍ର. - ଏନ.ସି.ଇ.ଆର.ଟି. ଛାପିଥିବା ଷଷ୍ଠ ଶ୍ରେଣୀର ସମାଜ ବିଜ୍ଞାନ ପୁସ୍ତକ 'ସୋସାଲ ଆଣ୍ଡ ପଲିଟିକାଲ ଲାଇଫ - ୧'ର ପ୍ରଥମ ଅଧ୍ୟାୟର କିଛି ଅନୁଦିତ ତଥା ସମ୍ପାଦିତ ଅଂଶ ।

Thursday, November 24, 2016

ଉପେନ୍ଦ୍ର ଭଞ୍ଜ 


ଶ୍ରୀ ରାମଚନ୍ଦ୍ର ଆଚାର୍ଯ୍ୟ, ବି.ଏ. 


କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ

ଅନେକ ଦିନ ପୂର୍ବେ ଗଞ୍ଜାମ ଜିଲ୍ଲାର ଗୁମସରରେ ଭଞ୍ଜବଂଶର ରାଜାମାନେ ରାଜପଣ କରୁଥିଲେ । କୁଲାଡ଼ ସେମାନଙ୍କର ରାଜଧାନୀ ଥିଲା । ସେହି ବଂଶର ରାଜାମାନେ ସେଠାରେ ଆଉ ନାହାନ୍ତି । ଗୁମସର ଏବେ ଇଂରାଜ ସରକାରଙ୍କ ଅଧୀନ ହୋଇଅଛି । 

ଆଜକୁ ପ୍ରାୟ ୨୨୨ ବର୍ଷ ତଳେ ସେହି ବଂଶର ନୀଳକଣ୍ଠ ଭଞ୍ଜ ନାମକ ଜଣେ ରାଜା ସେଠାରେ ରାଜୁତି କରୁଥିଲେ । ସେ କେବଳ ଦୁଇ ବର୍ଷ କାଳ ରାଜା ହୋଇଥିଲେ । ତାଙ୍କ ଭାଇମାନେ ଶତୃ ହୋଇ ରାଜ୍ୟରୁ ତାଙ୍କୁ ତଡ଼ି ଦେବାରୁ, ସେ ନିଜ ପରିବାର ସହିତ ନୂଆଗଡ଼କୁ ପଳାଇଥିଲେ । ଉପେନ୍ଦ୍ର ଭଞ୍ଜ ନୀଳକଣ୍ଠ ଭଞ୍ଜଙ୍କ ପୁତ୍ର ।

ଉପେନ୍ଦ୍ର ଭଞ୍ଜ ପ୍ରାୟ ୧୬୮୫ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ରାଜ୍ୟ ଛାଡ଼ି ପଳାଇବା ବେଳକୁ ଉପେନ୍ଦ୍ର ଭଞ୍ଜ ଅଳ୍ପ ବୟସର ବାଳକ ଥିଲେ । ବାଲ୍ୟକାଳରେ ସେ ମନ୍ଦ ବାଳକମାନଙ୍କ ସଙ୍ଗେ ମିଶି ସର୍ବଦା ଦୁଷ୍ଟ କାମ କରିଥାନ୍ତି ।

ଯୁବକ ହେବା ମାତ୍ରେ ତାଙ୍କ ମନରେ ବିଦ୍ୟା ଶିକ୍ଷା କରିବାର ଇଚ୍ଛା ଜାତ ହେଲା । ସେ ବହୁ ପରିଶ୍ରମ ସହିତ ଜ୍ଞାନ ଅର୍ଜନ କରିବାକୁ ଲାଗିଲେ । ସେ ଜଣେ ପ୍ରଧାନ ରାମଭକ୍ତ । ସେ ଶ୍ରୀ ରାମଚନ୍ଦ୍ରଙ୍କ ଠାରେ ଦୃଢ଼ ବିଶ୍ୱାସ ରଖି ଲେଖା ପଢ଼ା ଆରମ୍ଭ କଲେ । ସେ ପ୍ରତ୍ୟହ ରାମତାରକ ମନ୍ତ୍ର ଜପୁଥାନ୍ତି । ସାଧନା ବଳରେ ସେ ସକଳ ଶାସ୍ତ୍ରରେ ଗଭୀର ଜ୍ଞାନ ଲାଭ କରି ପାରିଲେ । ଇଶ୍ୱରଙ୍କ ପ୍ରତି ଦୃଢ଼ ଭକ୍ତି, ବିଶ୍ୱାସ ରଖି ପରିଶ୍ରମ ସହିତ ପାଠ ପଢ଼ିଲେ ଉତ୍ତମ ବୁଦ୍ଧି ଓ ଜ୍ଞାନ ହୁଏ । ସଂସ୍କୃତ ବ୍ୟାକରଣ, ଜ୍ୟୋତିଷ, ଆୟୁର୍ବେଦ ଇତ୍ୟାଦି ଶାସ୍ତ୍ରରେ ଉପେନ୍ଦ୍ର ଭଞ୍ଜଙ୍କର ଜ୍ଞାନ ଥିଲା । 

ପରେ ସେ ଅନେକ କବିତା ରଚନା କଲେ । ତାଙ୍କର କବିତା ସବୁ ଅତ୍ୟନ୍ତ ସୁନ୍ଦର ଓ ସରସ । ତାଙ୍କର ପଦ୍ୟ ଲେଖାରେ ସେହି ସମୟର ପଣ୍ଡିତମାନେ ବିଶେଷ ପ୍ରୀତ ହେଲେ । ଏଣୁ ଉପେନ୍ଦ୍ର ଭଞ୍ଜ ଅଧିକ ଉତ୍ସାହରେ ଅନେକ ପୁସ୍ତକ ଲେଖିଗଲେ । ତାଙ୍କ ଲେଖାରେ ସନ୍ତୁଷ୍ଟ ହୋଇ ସେହି ସମୟର ନୂଆଗଡ଼ ରାଜା ତାଙ୍କୁ 'ବୀରବର' ଉପାଧି ଦେଇଥିଲେ । 

ପୁସ୍ତକ ଲେଖାରେ ତାଙ୍କର ବଡ଼ ନାମ ହେଲା । ସେହି ସମୟର ବାଣପୁର ରାଜା ଉପେନ୍ଦ୍ର ଭଞ୍ଜଙ୍କ ସହିତ ନିଜ କନ୍ୟାଙ୍କର ବିବାହ ଦେଲେ । ଉପେନ୍ଦ୍ର ଭଞ୍ଜ ବାଣପୁରରେ କେତେକ ଦିନ କଟାଇଲେ । ତାଙ୍କ ପତ୍ନୀ ମଧ୍ୟ ପଣ୍ଡିତା ଥିଲେ । 

ଉପେନ୍ଦ୍ର ଭଞ୍ଜ ରାଜପୁତ୍ର ହେଲେ ହେଁ ରାଜପଣ କରିପାରି ନଥିଲେ ।  କିନ୍ତୁ ସେଥିପାଇଁ ତାଙ୍କର ଦୁଃଖ ନଥିଲା । ସେ ତାଙ୍କର ଜୀବନଟା ଶାସ୍ତ୍ର ପାଠ ଓ ପୁସ୍ତକ ରଚନାରେ କଟାଇଥିଲେ । 

ଆଜି ପର୍ଯ୍ୟନ୍ତ ତାଙ୍କର କୋଡ଼ିଏ ଖଣ୍ଡ ମାତ୍ର ଗ୍ରନ୍ଥ ପ୍ରକାଶିତ ହୋଇଅଛି । ସେଥି ମଧ୍ୟରୁ 'ବୈଦେହୀଶବିଳାଶ' ପ୍ରଧାନ ।

ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଭାଷାର ଅଶେଷ ଉପକାର କରିଅଛନ୍ତି । ତାଙ୍କର ଲେଖା ଓଡ଼ିଆର ଗୌରବ ରଖିପାରିଛି । ସେ ପ୍ରାୟ ୪୦ ବର୍ଷ ଜୀବିତ ଥିଲେ । ସେ ୧୭୨୧ ଖ୍ରୀଷ୍ଟାବ୍ଦରେ ପରଲୋକ ଯାତ୍ରା କରିଥିଲେ । 

ବି.ଦ୍ର. ଏହି ଲେଖାଟି ପ୍ରଥମେ ପିଲାଙ୍କ ପତ୍ରିକା ପଞ୍ଚାମୃତର ତୃତୀୟ ଖଣ୍ଡର ତୃତୀୟ (୧୯୨୬?) ସଂଖ୍ୟାରେ ଛପାଯାଇଥିଲା । 

Monday, November 07, 2016

ଜାତିରେ ମୁଁ ମାହାର


ନଅ ବର୍ଷ ବୟସରେ ଆମ୍ବେଦକର ଭୋଗିଥିବା ଜାତିଗତ ବିଦ୍ୱେଷର କାହାଣୀ



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଭାରତର ମହାନତମ ନେତାଙ୍କ ଭିତରେ ଅନ୍ୟତମ ଡକ୍ଟର ଭୀମରାଓ ଆମ୍ବେଦକର ୧୯୦୧ ମସିହାରେ ତାଙ୍କୁ ନଅ ବରଷ ହୋଇଥିବା ସମୟରେ ସେ ଭୋଗିଥିବା ଜାତିଗତ ବିଦ୍ୱେଷର ଅନୁଭୁତିର ଏକ ବିବରଣୀ ଆମକୁ ଦିଅନ୍ତି । ସେ ନିଜ ଭାଇ ଓ କୁଟୁମ୍ବର ଲୋକମାନଙ୍କ ସହିତ ବର୍ତ୍ତମାନର ମହାରାଷ୍ଟ୍ରର କୋରେଗାଓଁ ଯାଇଥିଲେ ନିଜର ବାପାଙ୍କୁ ଭେଟିବା ପାଇଁ ।

" ଆମେ ବହୁତ ସମୟ ଅପେକ୍ଷା କଲୁ । ହେଲେ କେହି ଆସିଲେ ନାହିଁ । ଘଣ୍ଟେ ଚାଲିଗଲା । ଷ୍ଟେସନ ମାଷ୍ଟର ପଚରାଉଚରା କରିବାକୁ ଆସିଲେ । ସେ ଆମକୁ ଟିକଟ ଦେଖାଇବାକୁ କହିଲେ । ଆମେ ତାଙ୍କୁ ଦେଖାଇଲୁ । ସେ ଆମକୁ ପଚାରିଲେ ଯେ ଆମେ ସେଠାରେ କାହିଁକି ଲନ୍ଦରପନ୍ଦର ହେଉଛୁ । ଆମେ ତାଙ୍କୁ କହିଲୁ ଯେ ଆମକୁ କୋରେଗାଓଁକୁ ଯିବାର ଅଛି । ଆମେ ଆମର ବାପା ଓ ଚାକରବାକରଙ୍କ ପାଇଁ ଅପେକ୍ଷା କରୁଛୁ । ହେଲେ ସେମାନଙ୍କ ଭିତରୁ କେହି ଏ ପର୍ଯ୍ୟନ୍ତ ଆସିନାହାନ୍ତି । ଆମେ କିପରି କୋରେଗାଓଁ ଯିବୁ ଆମକୁ ଜଣାନାହିଁ ।

ଆମେ ଭଦ୍ରଜନୋଚିତ ଲୁଗାପଟା ପିନ୍ଧିଥିଲୁ । ଆମର ଜାମା କିମ୍ବା କଥାବାର୍ତ୍ତାରୁ କେହି ଜାଣିପାରିବ ନାହିଁ ଯେ ଆମେ ଅଛୁଆଁମାନଙ୍କର ପିଲା ଥିଲୁ । ଷ୍ଟେସନ ମାଷ୍ଟର ପୂରା ନିଶ୍ଚିତ ଥିଲେ ଯେ ଆମେ ବ୍ରାହ୍ମଣ ପରିବାରର ବୋଲି ଓ ଆମକୁ ସେପରି ଅବସ୍ଥାରେ ଦେଖି ସେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ସାଧାରଣ ହିନ୍ଦୁ ଚଳଣି ଅନୁସାରେ ସେ ଆମକୁ ପଚାରିଲେ ଯେ ଆମେ କିଏ । ମୁଁ ଆଦୌ ମୂହୁର୍ତ୍ତକର ଚିନ୍ତା ଭାବନା ନ କରି କହିପକାଇଲି ଯେ ଆମେମାନେ ମାହାର । (ମାହାର ସେ ସମୟର ବମ୍ବେ ପ୍ରେସିଡେନ୍ସିରେ ଅଛୁଆଁ ବୋଲି ଗଣାଯାଉଥିବା ଜାତିମାନଙ୍କ ଭିତରୁ ଗୋଟିଏ ଥିଲା ।) ସେ ଏହା ଶୁଣି ସ୍ତବ୍ଧ ହୋଇଗଲେ । ତାଙ୍କର ମୁହଁରେ ହଠାତ କରି ଏକ ପରିବର୍ତ୍ତନ ଆସିଲା । ଆମେ ଦେଖି ପାରିଲୁ ଯେ ସେ ଜୁଗୁପ୍ସାର ବିଚିତ୍ର ଭାବନା ତାଙ୍କୁ ବଶକରିଦେଲା । ସେ ମୋର ଉତ୍ତର ଶୁଣି ତତକ୍ଷଣାତ ନିଜର କୋଠରୀକୁ ଚାଲିଗଲେ । ଆମେ ଯେଉଁଠାରେ ଥିଲୁ, ସେହିଠାରେ ଠିଆହୋଇରହିଲୁ । ପନ୍ଦର କୋଡ଼ିଏ ମିନିଟି କଟିଗଲା । ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥିଲା । ଆମ ବାପା ସେ ପର୍ଯ୍ୟନ୍ତ ଆସିନଥିଲେ । ନା ସେ ଚାକରବାକରମାନଙ୍କୁ କାହାକୁ ପଠାଇଥିଲେ । ଏବେ ଷ୍ଟେସନମାଷ୍ଟର ମଧ୍ୟ ଆମକୁ ଛାଡ଼ି ଚାଲିଯାଇଥିଲେ । ଆମେ କିଂକର୍ତ୍ତବ୍ୟବିମୂଢ଼ ହୋଇଯାଇଥିଲୁ । ଯାତ୍ରାରମ୍ଭ ସମୟର ଆନନ୍ଦ ଓ ଖୁସିର ସ୍ଥାନ ଏବେ ଉତ୍କଟ ଦୁଃଖ ନେବାକୁ ଆରମ୍ଭ କରିଥିଲା ।

ଅଧ ଘଣ୍ଟାଏ ପରେ ଷ୍ଟେସନମାଷ୍ଟର ଫେରିଆସିଲେ । ସେ ଆମକୁ ଆମର ଭବିଷ୍ୟତ କର୍ମପନ୍ଥା ବିଷୟରେ ପଚାରିଲେ । ଆମେ କହିଲୁ ଯେ ଆମେ ଯଦି ଭଡ଼ାରେ ବଳଦଗାଡ଼ି ଗୋଟିଏ ପାଇବୁ ତାହାହେଲେ ଆମେ କୋରେଗାଓଁ ଅଭିମୁଖେ ଯାତ୍ରା ଆରମ୍ଭ କରିବୁ । ଯଦି ଗନ୍ତବ୍ୟସ୍ଥାନ ବେଶୀ ଦୂର ନୁହେଁ ତାହାହେଲେ ଆମେ ସାଙ୍ଗେସାଙ୍ଗେ ଚାଲିଯିବା ପାଇଁ ଚାହିଁବୁ । ଭଡ଼ାପାଇଁ ସେଠାରେ ଅନେକ ବଳଦଗାଡ଼ି ଥିଲେ । କିନ୍ତୁ ଆମେ ଯେ ମାହାର ଜାତିର ପିଲା, ସେ ବିଷୟରେ ଷ୍ଟେସନ ମାଷ୍ଟରଙ୍କୁ ମୋର ଉତ୍ତର ଶଗଡ଼ିଆମାନଙ୍କ ଭିତରେ ଖେଳିଯାଇଥିଲା । ଅଛୁଆଁ ଜାତିର ଲୋକଙ୍କୁ ଗାଡ଼ିରେ ନେଇ ଜାତି ଚାଲିଯିବାର ଭୟରେ ସେମାନଙ୍କ ଭିତରୁ କେହି ଜଣେ ବି ଆମକୁ ନେବାପାଇଁ ରାଜି ନଥିଲେ । ଆମେ ସାଧାରଣ ଭଡ଼ାର ଦୁଇଗୁଣା ଅଧିକା ମଧ୍ୟ ଦେବାପାଇଁ ରାଜିଥିଲୁ । ହେଲେ ଆମକୁ ଜଣାପଡ଼ିଲା ଯେ ସେଠାରେ ଟଙ୍କାକଉଡ଼ିର କିଛି ମୂଲ୍ୟ ନଥିଲା । ଆମ ପାଇଁ କଥାବାର୍ତ୍ତା କରୁଥିବା ଷ୍ଟେସନ ମାଷ୍ଟର କଅଣ କରିବେ ଜାଣି ନପାରି ଚୁପ ହୋଇ ଠିଆ ହୋଇଥିଲେ । "


[ ଉତ୍ସ – ଡ. ବି.ଆର. ଆମ୍ବେଦକର, ରଚନାବଳୀ ଓ ଭାଷଣ । ଦ୍ୱାଦଶ ଭାଗ । ବସନ୍ତ ମୁନ (ସମ୍ପାଦକ) । ବମ୍ବେ : ଶିକ୍ଷା ବିଭାଗ, ମହାରାଷ୍ଟ୍ର ସରକାର ]