Sunday, November 27, 2016

ଲଦ୍ଦାଖ ଓ କେରଳ : ଭାରତରେ ବିବିଧତା


ଲଦ୍ଦାଖର ହେମିସ ମଠର ଚିତ୍ର (୧୮୭୬ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଲଦ୍ଦାଖ ଜାମ୍ମୁ କାଶ୍ମୀର ରାଜ୍ୟର ପୂର୍ବଭାଗରେ ଅବସ୍ଥିତ ପର୍ବତାଞ୍ଚଳର ଏକ ମରୁଭୂମି ଏଠାରେ ବହୁତ ଅଳପ ଭାବରେ ଚାଷବାସ ସମ୍ଭବ କାରଣ ଏହି ଅଞ୍ଚଳରେ ପ୍ରାୟତଃ ବରଷା ହୁଏ ନାହିଁ ବରଷଯାକର ଅଧିକାଂଶ ସମୟ ଭୂଇଁ ବରଫରେ ଢାଙ୍କି ହେଇଥାଏ ଏହି ଅଞ୍ଚଳରେ ବହୁତ କମ ପ୍ରକାରର ଗଛବୁରୁଛ ଉଧେଇପାରିବେ ଖରାଦିନେ ତରଳୁଥିବା ବରଫ ଉପରେ ହିଁ ଲୋକମାନେ ନିଜର ପିଇବା ପାଣି ପାଇଁ ନିର୍ଭର କରନ୍ତି

ଏଠାକାର ଲୋକେ ମେଣ୍ଢା ପୋଷନ୍ତି ଏହି ମେଣ୍ଢାଗୁଡ଼ିକ ଏକ ବିଶେଷ ପ୍ରକାରର ମେଣ୍ଢା କାରଣ ଏମାନଙ୍କର ରୁମରୁ ପଶ୍ମିନା ଉଲ ମିଳେ ଏହି ଉଲ  ଚାହିଦା ବହୁତ ପଶ୍ମିନାରୁ ବୁଣାହୋଇଥିବା ଚାଦରର ଦାମ ବହୁତ ବେଶୀ ଲଦ୍ଦାଖର ଲୋକମାନେ ଏହି ମେଣ୍ଢାଙ୍କର ଉଲ କୁ ଅତି ଯତ୍ନର ସହିତ ସଙ୍ଗ୍ରହ କରନ୍ତି ଏହି ଉଲକୁ ସେମାନେ କାଶ୍ମୀରର ବେପାରୀମାନଙ୍କୁ ବିକନ୍ତି ପଶ୍ମିନା ଚାଦର କାଶ୍ମୀରରେ ହିଁ ବୁଣାଯାଏ

ଲୋକେ ପ୍ରାୟତଃ ମାଂସ ଖାଆନ୍ତି ଦୁଗ୍ଧଜାତ ପଦାର୍ଥ, ଯଥା ଛେନା ଲହୁଣୀ ଆଦି ଖାଆନ୍ତି ପ୍ରତ୍ୟେକ ପରିବାରର କେତୋଟି ଲେଖାଏଁ ଛେଳି, ଗାଇ ଜୋ ( ଏକ ପ୍ରକାରର ଚମରୀ ଗାଇ) ଥାଏ ଲଦ୍ଦାଖ ଗୋଚିଏ ମରୁଭୂମି ନିଶ୍ଚୟ । ମାତ୍ର ତାହାର ମାନେ ଏହା ନୁହେଁ ଯେ ଏଠାକୁ ବେପାର ବଣିଜ କରିବା ପାଇଁ ବେପାରୀମାନେ ଆସୁନଥିଲେ ଏହି ଅଞ୍ଚଳ ଗୋଟିଏ ଭଲ ବୈପାରିକ ରାସ୍ତା ଭାବରେ ଅତୀତରେ ଜଣାଶୁଣା ଥିଲା କାରଣ ଲଦ୍ଦାଖରେ ଅନେକ ଘାଟିରାସ୍ତା ଅଛି ଯାହା ଦେଇ ଆଜିକାଲିର ତିବ୍ବତକୁ କାର୍ୱାଁ ଯାଉଥିଲା ଏହି କାର୍ୱାଁରେ ଲୁଗାପଟା, ମସଲା, କଞ୍ଚା ରେଶମ ଇତ୍ୟାଦି ବୁହାହୋଇ ନିଆଯାଉଥିଲା

ବୌଦ୍ଧ ଧର୍ମ ତିବ୍ବତ ଦେଇ ଲଦ୍ଦାଖରେ ପହଞ୍ଚିଲା । ଲଦ୍ଦାଖକୁ କୁନି ତିବ୍ବତ ମଧ୍ୟ କୁହାଯାଏ । ଚାରିଶହ ବରଷ ପୂର୍ବେ ଏହି ଅଞ୍ଚଳରେ ଇସଲାମ ଧର୍ମର ପ୍ରସାର ଆରମ୍ଭ ହେଲା । ଏବେ ଏଠାରେ ବଡ଼ ଆକାରରେ ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ଦେଖିବାକୁ ମିଳନ୍ତି । ଲଦ୍ଦାଖରେ ମୌଖିକ ଭାବରେ ପ୍ରଚଳିତ ଗୀତ ଓ କବିତାର ଏକ ସମୃଦ୍ଧ ପରମ୍ପରା ପ୍ରଚଳିତ ଅଛି । ତିବ୍ବତୀୟ ଜାତୀୟ ପୁରାଣ କେଶର ଗାଥାର ସ୍ଥାନୀୟ ସଂସ୍କରଣ ଲଦ୍ଦାଖରେ ପ୍ରଦର୍ଶିତ ଓ ଗାୟନ କରାଯାଏ ।

କେରଳ ଦେଶର ଦକ୍ଷିଣ ପଶ୍ଚିମ କୋଣରେ ଅବସ୍ଥିତ ଏକ ରାଜ୍ୟ । ଏହାର ଗୋଟିଏ ପଟେ ପାହାଡମାଳା ତ ଅନ୍ୟ ପଟେ ସମୁଦ୍ର । ଏହି ରାଜ୍ୟରେ ପର୍ବତମାନଙ୍କରେ ଗୋଲମରିଚ, ଲବଙ୍ଗ ଓ ଡାଲଚିନି ଆଦି ମସଲା ଚାଷ କରାଯାଏ । ଏହି ମସଲାଗୁଡ଼ିକ ପାଇଁ ଏହି ଅଞ୍ଚଳ ପ୍ରତି ବ୍ୟବସାୟୀମାନେ ସର୍ବଦା ଆକର୍ଷିତ ହୋଇ ଆସିଛନ୍ତି । ଇହୁଦୀ ଓ ଆରବ ବେପାରୀମାନେ ଏଠାକୁ ସବୁଠୁ ଆଗେ ଆସିଥିଲେ । ଯୀଶୁଙ୍କର ଧର୍ମଦୂତ ସନ୍ଥ ଥମା ଏଠାକୁ ପାଖାପାଖି ଦୁଇ ହଜାର ବରଷ ଆଗରୁ ଆସିଥିବାର ବିଶ୍ୱାସ କରାଯାଏ । ତାଙ୍କୁ ଭାରତକୁ ଖ୍ରୀଷ୍ଟଧର୍ମର ଆଗମନ ପାଇଁ ଶ୍ରେୟ ମଧ୍ୟ ଦିଆଯାଏ ।

ଅନେକ ଆରବ ବଣିକମାନେ ମଧ୍ୟ ଏଠାକୁ ଆସି ଏଠାରେ ବସବାସ କରିବା ଆରମ୍ଭ କଲେ । ଇବନ ବତୁତା ନାମକ ପ୍ରସିଦ୍ଧ ପରିବ୍ରାଜକ ମଧ୍ୟ ସାତଶହ ବରଷ ଆଗରୁ ଏଠାକୁ ଭ୍ରମଣକରିବାକୁ ଆସି ଏଠିକାର ଅନୁଭୂତି ବିଷୟରେ ଏକ ଭ୍ରମଣ କାହାଣୀ ଲେଖିଥିଲେ । ସେଥିରେ ସେ ସ୍ଥାନୀୟ ମୁସଲମାନମାନଙ୍କର ଜୀବନଚର୍ଯ୍ୟା ବିଷୟରେ ବର୍ଣ୍ଣନା କରି କୁହନ୍ତି ଯେ ସେମାନେ ଏକ ସମ୍ମାନାଷ୍ପଦ ଭାବରେ ଜୀବନଯାପନ କରୁଥିଲେ । ଯେତେବେଳେ ଭାସ୍କୋଡିଗାମା ୟୁରୋପରୁ ଭାରତକୁ ସିଧା ସାମୁଦ୍ରିକ ପଥର ଆବିଷ୍କାର କଲେ, ସେତେବେଳେ ତାଙ୍କର ଜାହଜ ଆସି କେରଳ ଉପକୁଳରେ ହିଁ ଲାଗିଲା ।

ଏହି ସବୁ ନାନାଦି ଐତିହାସିକ ପ୍ରଭାବଗୁଡ଼ିକ ଯୋଗୁଁ କେରଳର ଲୋକେ ଇହୁଦୀ ଧର୍ମ, ଇସଲାମ, ଖ୍ରୀଷ୍ଟଧର୍ମ, ହିନ୍ଦୁଧର୍ମ ଓ ବୈଦ୍ଧଧର୍ମ ଆଦି ଅନେକ ଧାର୍ମିକ ପରମ୍ପରାର ଅନୁସରଣ କରନ୍ତି ।

ଏଠାରେ ପ୍ରଚଳିତ ମାଛମରା ଜାଲ ଚୀନ ଦେଶର ଜାଲ ପରି ଦୁଶେ ଓ ଏହାକୁ ଚୀନା-ଭାଲ ମଧ୍ୟ କୁହାଯାଏ । ଏପରିକି ଛଣାଛଣି ପାଇଁ ବ୍ୟବହାର କରାଯାଉଥିବା ବାସନକୁ ଚୀନାଚଟ୍ଟି କୁହାଯାଏ । ଏହା ବିଶ୍ୱାସ କରାଯାଏ ଯେ ଚୀନ ଶବ୍ଦଟି ଚୀନ ଦେଶରୁ ହିଁ ଆସିଛି । ଏଠିକାର ଉର୍ବର ମାଟି ଓ ଜଳବାୟୁ ଧାନ ଚାଷ ପାଇଁ ଉପଯୁକ୍ତ । ଏଠିକାର ଅଧିକାଂଶ ଲୋକେ ଭାତ, ମାଛ ଓ ପନିପରିବା ଖାଆନ୍ତି । 

ନିଜର ଭୌଗଳିକ ବୈଶିଷ୍ଟ୍ୟ ଦୃଷ୍ଟିରୁ କେରଳ ଓ ଲଦ୍ଦାଖ ପରସ୍ପରଠାରୁ ଅଲଗା ହେଲେ ମଧ୍ୟ ଏହି ଦୁଇଟି ଅଞ୍ଚଳର ଇତିହାସରେ ଆମେ ବିବିଧ ସାଂସ୍କୃତିକ ପ୍ରଭାବର ସ୍ପର୍ଷ ଦେଖିବାକୁ ପାଇବା । ଉଭୟ ଅଞ୍ଚଳ ଚୈନିକ ଓ ଆରବୀୟ ବଣିକ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । କେରଳର ଭୂଗୋଳ ଯୋଗୁଁ ହିଁ ସେଠାରେ ମସଲାମସଲି ଇତ୍ୟାଦିର ଚାଷବାସ ହୋଇପାରିଲା ତଥା ଲଦ୍ଦାଖର ବିଶେଷ ଭୌଗଳିକ ଅବସ୍ଥିତି ଓ ଏହାର ପଶମ ଯୋଗୁଁ ହିଁ ଏହି ଅଞ୍ଚଳଗୁଡ଼ିକୁ ବେପାରିମାନେ ଆକର୍ଷିତ ହୋଇ ଆସିଲେ । ଅତଏବ ଗୋଟିଏ ଅଞ୍ଚଳର ସାଂସ୍କୃତିକ ଜୀବନରେ ଅନେକ ସମୟରେ ଇତିହାସ ଓ ଭୂଗୋଳ ଛନ୍ଦିହୋଇଥାଆନ୍ତି ।

ବିଭିନ୍ନ ସଂସ୍କୃତିର ପ୍ରଭାବ ପଡ଼ିବା କେବଳ ଅତୀତର କଥା ନୁହେଁ । ଆମର ସମସାମୟିକ ଜୀବନରେ ମଧ୍ୟ ଆମେ ଯେତେବେଳେ ଜୀବିକା ଅର୍ଜନ ପାଇଁ ସ୍ଥାନରୁ ସ୍ଥାନାନ୍ତର ହେଲାବେଳେ ଆମର ସାଂସ୍କୃତିକ ପରମ୍ପରା ଓ ଜୀବନଶୈଳୀ ଆମର ନୂଆ ବାସସ୍ଥାନର ଅଂଶବିଶେଷ ବନିଯାଏ । ସେହିପରିଭାବରେ ଆମେ ଆମର ନିଜର ପଡ଼ିଶାରେ ମଧ୍ୟ ଭିନ୍ନଭିନ୍ନ ଜନଗୋଷ୍ଠୀର ଲୋକମାନଙ୍କ ସହିତ ମିଶି ଚଳୁଛୁ । ପରସ୍ପରର କାମ କରିବାର ବାଟ ବିଷୟରେ ଜାଣିବା ତଥା ନିଜର ଓ ଅନ୍ୟର ଜୀବନ, ପରମ୍ପରା ଓ ଚଳଣୀ ବିଷୟରେ ଗପଟିମାନ ଶୁଣିବାରେ ଆମେ ଆମର ଦୈନନ୍ଦିନ ଜୀବନ ଅତିବାହିତ କରୁ ।
 
ବି.ଦ୍ର. - ଏନ.ସି.ଇ.ଆର.ଟି. ଛାପିଥିବା ଷଷ୍ଠ ଶ୍ରେଣୀର ସମାଜ ବିଜ୍ଞାନ ପୁସ୍ତକ 'ସୋସାଲ ଆଣ୍ଡ ପଲିଟିକାଲ ଲାଇଫ - ୧'ର ପ୍ରଥମ ଅଧ୍ୟାୟର କିଛି ଅନୁଦିତ ତଥା ସମ୍ପାଦିତ ଅଂଶ ।

No comments:

Post a Comment