Thursday, April 30, 2020

ଗାନ୍ଧୀଜୀଙ୍କର ଶିକ୍ଷାବିଚାରବିଦ୍ୟାଳୟରେ ସଙ୍ଗୀତର ସ୍ଥାନ

ଅନୁବାଦକ - ଚିତ୍ତରଞ୍ଜନ ଦାସ


ମହାତ୍ମା ଗାନ୍ଧୀ
୧୯୩୭ ମସିହା; ଦିଲ୍ଲୀ
ୱିକିମିଡିଆ କମନ୍ସ୍

ବାଳକବାଳିକାମାନଙ୍କ ମଧ୍ୟରେ ଶୁଦ୍ଧ ସଙ୍ଗୀତର ପ୍ରସାର ଲାଗି ଗାନ୍ଧିଜୀ ମହାବିଦ୍ୟାଳୟର ପଣ୍ଡିତ ଖାରେ ଜୀବନୋତ୍ସର୍ଗ କରିଅଛନ୍ତି । ଏ ଦିଗରେ ଯେଉଁ ଚମତ୍କାର ପ୍ରଗତି ଗୁଜରାତ ମଧ୍ୟରେ; ବିଶେଷ କରି ଅହମଦାବାଦରେ ହୋଇ ପାରିଛି, ତାହାର ଏକ ବିବରଣୀ ସେ ପଠାଇଛନ୍ତି । ଶିକ୍ଷା ବିଭାଗର କର୍ତ୍ତୃପକ୍ଷବୃନ୍ଦ ସଙ୍ଗୀତକୁ ଶିକ୍ଷାକ୍ରମ ମଧ୍ୟରେ ସ୍ଥାନ ଦେବାକୁ ଆଗ୍ରହୀ ନ ଥିଲା ଭଳି ଜଣାଯାଉଥିବା ଦେଖି ସେ ଦୁଃଖ ପ୍ରକାଶ କରିଅଛନ୍ତି । ପଣ୍ଡିତ ମହାଶୟଙ୍କ ମତରେ ସଙ୍ଗୀତ ପ୍ରାଥମିକ ଶିକ୍ଷାର ପାଠ୍ୟକ୍ରମରେ ମଧ୍ୟ ସ୍ଥାନ ପାଇବା ଏକାନ୍ତ ଆବଶ୍ୟକ । ନିଜର ବ୍ୟାପକ ଅଭିଜ୍ଞତା ଭିତ୍ତିରେ ସେ ଏପରି ମତ ବ୍ୟକ୍ତ କରିଛନ୍ତି । ତାଙ୍କର ପ୍ରସ୍ତାବ ପ୍ରତି ମୁଁ ମୋର ଆନ୍ତରିକ ଅନୁମୋଦନ ଜଣାଉଅଛି ।

ନୂତନ ପ୍ରଣାଳୀକୁ କାର୍ଯ୍ୟାନ୍ୱିତ କରିବା ପାଇଁ ଆମ ପାଖରେ ଅବଶ୍ୟ ଯଥେଷ୍ଟ ଶିକ୍ଷକ ନାହାନ୍ତି । ମାତ୍ର ଯେ କୌଣସି ଉଦ୍ୟମ ନୂଆକରି ଆରମ୍ଭ କଲାବେଳେ ଏହି ଅସୁବିଧା ରହିବ ହିଁ ରହିବ । ବର୍ତ୍ତମାନ ଆମ ହାତରେ ଯେତିକି ଶିକ୍ଷକ ଅଛନ୍ତି ସେମାନେ ନୂତନ ପ୍ରଣାଳୀ ଜାଣିବା ପାଇଁ ଇଚ୍ଛୁକ ଥିଲେ, ସେମାନଙ୍କୁ ଅବଶ୍ୟ ସେ ସୁବିଧା ମିଳିବା ଉଚିତ ଏବଂ ଆବଶ୍ୟକ ବିଷୟମାନ ଶିକ୍ଷା କରିସାରିବା ପରେ ସେମାନଙ୍କ ବେତନ ଆଶାନୁରୂପ ବୃଦ୍ଧି କରାଯିବ, ଏପରି ବ୍ୟବସ୍ଥା ହେବା ଉଚିତ । 

ପ୍ରାଥମିକ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ହେବାକୁ ଯାଉଥିବା ପ୍ରତ୍ୟେକ ନୂତନ ବିଷୟ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗାଇ ଦେବା ସମ୍ଭବ ବୋଲି ମୁଁ କଳ୍ପନା କରିପାରୁ ନାହିଁ । ତଦ୍ଦ୍ୱାରା ଅତିରିକ୍ତ ଖର୍ଚ୍ଚ ବଢ଼ିବ ଏବଂ ତାହା ଅନାବଶ୍ୟକ । ହୁଏତ ଏପରି ହୋଇପାରେ ଯେ ପ୍ରାଥମିକ ଶିକ୍ଷା କାର୍ଯ୍ୟରେ ନିଯୁକ୍ତ ଥିବା କେତେକ ଶିକ୍ଷକ ଅଳ୍ପ ସମୟ ମଧ୍ୟରେ ନୂତନ ବିଷୟ ଶିକ୍ଷା କରିବାକୁ ଅସମର୍ଥ ହୋଇ ପାରନ୍ତି ମାତ୍ର ଯେଉଁ ପିଲା ମ୍ୟାଟ୍ରିକ୍ୟୁଲେସନ୍ ପର୍ଯ୍ୟନ୍ତ ପଢ଼ି ସାରିଛି ତା' ପକ୍ଷରେ ସଙ୍ଗୀତ, ଚିତ୍ରାଙ୍କନ,, ଶାରୀରିକ ବ୍ୟାୟାମ ଓ କୌଣସି ଏକ ଧନ୍ଦାର ମୌଳିକ ଜ୍ଞାନ ଅର୍ଜନ କରିବାକୁ ତିନି ମାସରୁ ଅଧିକ ସମୟ ଲାଗିବ ନାହିଁ । 

ଏ ସବୁ ବିଷୟରେ ଅନ୍ତତଃ ପକ୍ଷେ କାମ ଚଳିଲା ଭଳି ଜ୍ଞାନ ଅର୍ଜନ କରିପାରିଲେ, ସେ ଅଧ୍ୟାପନା ସଙ୍ଗେ ସଙ୍ଗେ ଅଧିକ ଜ୍ଞାନ ଅର୍ଜନ କରିପାରିବ । ଅବଶ୍ୟ ଏଥିପାଇଁ ଶିକ୍ଷକଙ୍କ ଭିତରେ ଆବଶ୍ୟକ ଆଗ୍ରହ ଓ ଉତ୍ସାହ ଥିବା ଦରକାର, ଏଥିରେ ସନ୍ଦେହ ନାହିଁ । ରାଷ୍ଟ୍ରୀୟ ପୁନର୍ଜାଗରଣ ଲାଗି ନିଜକୁ ଯଥାଶକ୍ତି ଉପଯୋଗୀ କରି ଗଢିବା ଉଦ୍ଦେଶ୍ୟରେ ସେହିପରି ଆଗ୍ରହ ଓ ଉତ୍ସାହ ଲୋଡା ।

-ହରିଜନ, ତା ୧୧.୯.୧୯୩୭

Wednesday, April 29, 2020

ଗିଜୁଭାଇଙ୍କ ଶିକ୍ଷାଦର୍ଶନ

ପ୍ରାଥମିକ ଶିକ୍ଷାର ପ୍ରସାର: ମଣ୍ଟେସୋରୀ ପଦ୍ଧତିର ଉପକରଣ ପ୍ରସ୍ତୁତି

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


୧୮୨୦ ମସିହାର ଏକ ଶ୍ରେଣୀକକ୍ଷର ଚିତ୍ର (ୱିକିମିଡିଆ କମନ୍ସ୍)

ବାଲ ଶିକ୍ଷଣର ନୂଆ ପଦ୍ଧତି ଅନୁସାରେ ବାଲମନ୍ଦିର ସଙ୍ଖ୍ୟା ବଢିବାରେ ଲାଗିଲା  ସେସବୁ ପାଇଁ ମଣ୍ଟେସୋରୀ ପଦ୍ଧତିର ଉପକରଣ ମିଳିବା ଏକ ବଡ ସମସ୍ୟା ଥିଲା  ବିଦେଶରୁ ଉପକରଣ ଆମଦାନୀ କରିବା ବେଶ୍ ବ୍ୟୟବହୁଳ ଥିଲା  ପୁଣି ଦରକାର ସମୟରେ ତାହା ମିଳି ପାରୁନଥିଲା।  ସ୍ଥାନୀୟ ସାମଗ୍ରୀ ନେଇ ବାଲ ଶିକ୍ଷଣ ସଂସ୍ଥା ଏସବୁ ପ୍ରସ୍ତୁତ କରିବାର ଯୋଜନା କଲେ ସେ ସମୟରେ ଏହା ଗୋଟିଏ ବଡ଼ ସାହସିକ ପଦକ୍ଷେପ ଥିଲା 

ସେ ସମୟରେ (୧୯୨୦-୧୯୪୦) ସ୍ୱାଧୀନତା ଆନ୍ଦୋଳନ ଜୋରରେ ଚାଲିଥିଲା  ବିଦେଶୀ ଜିନିଷ ସବୁକୁ ବର୍ଜନ କରାଯାଉଥିଲା  ସ୍ୱଦେଶୀ ବିଦେଶୀ ଭାବନା ନେଇ ଲୋକମାନେ ବହୁତ ସ୍ପର୍ଶକାତର ଥିଲେ  ସେଥିପାଇଁ ଅନେକ ଲୋକ ମଣ୍ଟେସୋରୀ ପଦ୍ଧତିକୁ ବିଦେଶୀ ପଦ୍ଧତି, ପାଶ୍ଚାତ୍ୟ ସଂସ୍କୃତିର ଶିକ୍ଷା, ଭାରତୀୟ ସଂସ୍କୃତିରେ ଏହା ଖାପ ଖାଇବ ନାହିଁ ଆଦି କହି ଏହାକୁ ବିରୋଧ କରିବାକୁ ଲାଗିଥିଲେ  କିନ୍ତୁ ଗିଜୁଭାଇ ଆମ ଦେଶ ପାଇଁ ଅନୁକୂଳ ମଣ୍ଟେସୋରୀ ପଦ୍ଧତି ବିଷୟରେ କହି ଲୋକଙ୍କୁ ଜବାବ ଦେଉଥିଲେ 

ଆଉ ଗୋଟିଏ ଭୁଲ ଧାରଣା ମଧ୍ୟ ସୃଷ୍ଟି ହୋଇଥିଲା ଯେ, ମଣ୍ଟେସୋରୀ ପଦ୍ଧତି ସହରର ଧନୀ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ, ଭାରତର ଲକ୍ଷ ଲକ୍ଷ ଗାଁର ପିଲାଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ  ଏକଥାର ଉତ୍ତର ଦେବାକୁ ଯାଇ ଗିଜୁଭାଇ କିଛି ଯୁକ୍ତି କରିବା ବଦଳରେ କାମ କରି ଦେଖାଇ ଦେଇଥିଲେ  ଦକ୍ଷିଣାମୂର୍ତ୍ତି ବାଲମନ୍ଦିର ସାମନାରେ ରହୁଥିବା କୃଷକ ଏବଂ ଶ୍ରମିକ ଶ୍ରେଣୀର ପିଲାଙ୍କ ପାଇଁ ବାଲ ବିଦ୍ୟାଳୟ ସେ ଚଳାଇଥିଲେ 

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।