Sunday, May 31, 2020

କବିତା - ପାତିର ମାଛଧରା

କବି - କୃଷ୍ଣଚନ୍ଦ୍ର କର (୧୯୦୬ - ୧୯୯୫)


ଚିତ୍ର -'ମାଙ୍କଡ଼'
ଚିତ୍ରକର - ମୋରି ସୋସେନ୍ (୧୭୪୭-୧୮୨୧)

ନଈକୂଳ ବରଗଛେ ବସି ବୁଢ଼ା ପାତି
ଦେଖିଲା କେଉଟ ଜାଲ ନଈରେ ପକାନ୍ତି ।

ମାଛ ଧରି ଅତାଡ଼ିରେ ଜାଲ ଦେଇ ପାରି
ଆନନ୍ଦେ କେଉଟ ଗଲେ ଘରକୁ ବାହାରି ।

ତା' ଦେଖି ପାତିଟି ଗଛୁଁ ଆସିଲା ଓହ୍ଲାଇ
କେଉଟଙ୍କ ପରି ଜାଲ ପକାଇବା ପାଇଁ ।

ବୋଇଲା, "ଏ ଜାଲେ ଆଜି ମାଛ ମୁଁ ଧରିବି
ପରମ ଆଦରେ ନେଇ ମାଙ୍କଡ଼ୀକି ଦେବି ।"

ଏତେ ବୋଲି ଜାଲମୁଠା ଧଇଲା ହାତରେ
ପକାଇ ଆସିଲା ତାକୁ ନଦୀର ଜଳରେ ।

ନିର୍ବୁଦ୍ଧିଆ ଜୀବ ପୁଣି ସହଜେ ତ ପାତି,
ସେ କାହୁଁ ଜାଣିବ ଜାଲ ପକାଇବା ରୀତି !

ତରତରେ ଶେଷେ ଜାଲ ଦିଅନ୍ତେ ପକାଇ
ଆପେ ଛନ୍ଦି ହୋଇ ଜଳେ ପଡ଼ିଲା ସେ ଯାଇ ।

ଚାହୁଁ ଚାହୁଁ ଜାଲ ସଙ୍ଗେ ପାତି ଗଲା ବୁଡ଼ି
ସେକାଳେ ବୋଇଲା ଦୁଃଖେ ଛାଡ଼ି ଘୋର ରଡ଼ି ।

"ଏ ପାପର ଏହି ଏକା ଉପଯୁକ୍ତ ଫଳ
ଭୋଗିଲି ମୁଁ ଆପେ ଆପେ ମୋ କରମ ଫଳ ।"

ଦିନେ ସୁଦ୍ଧା ନ ଜାଣେ ଯେ ଜାଲ ବ୍ୟବହାର
ତା' ପକ୍ଷେ ଏକାର୍ଯ୍ୟ ଅହୋ! କେଡ଼େ ଅବିଚାର !

ବି.ଦ୍ର. - ଏହି କବିତାଟି ମହେଶ୍ୱର ମହାନ୍ତିଙ୍କର ସମ୍ପାଦନାରେ ପ୍ରସ୍ତୁତ ବହି 'ଓଡ଼ିଆ ଶିଶୁକିଶୋର କବିତା'ରୁ ନିଆ ଯାଇଛି । ବହିଟି ଦିଲ୍ଲୀସ୍ଥ କେନ୍ଦ୍ରୀୟ ସାହିତ୍ୟ ଅକାଦେମି ୨୦୧୫ ମସିହାରେ ପ୍ରଥମ ଥର ପାଇଁ ଛପାଇଥିଲେ । ସମ୍ପାଦକଙ୍କ ଅନୁସାରେ କବିତାଟି ପ୍ରଥମ ଥର ପାଇଁ 'ପଞ୍ଚାମୃତ' ପତ୍ରିକାର ଦ୍ୱିତୀୟ ଖଣ୍ଡର ୧୩୩୩ ସାଲର ଜ୍ୟେଷ୍ଠ ମାସରେ ପ୍ରକାଶିତ ଦ୍ୱିତୀୟ ସଙ୍ଖ୍ୟାରେ ଛପିଥିଲା ।