Monday, September 24, 2018

ଚରିତ୍ରଂ ହି ପରଂ ବଳଂ” - ୯

ଗୋପବନ୍ଧୁ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଚରିତ୍ରର ବଳ ଅନନ୍ତ । ସେ ବଳ ପାଖେ ଅନ୍ୟ ବଳ ବଳ ନୁହେଁ । ମନୁଷ୍ୟ ଯାହା ହେବ ବା ଯାହା କରିବ, ସବୁ ତାହାର ଚରିତ୍ରର ଅନ୍ତର୍ଗତ; ଚରିତ୍ରରେ ସ୍ଥିତି, ଚରିତ୍ରରେ ମୁକ୍ତି, ଅର୍ଥାତ୍ ମାନବ ଜୀବନର ସାର୍ଥକତା । ମନୁଷ୍ୟର ଆଉ କି ବଳ ଲୋଡ଼ା ? ଶରୀର ମନର ଅଧୀନ । କ୍ରିୟା ଇଚ୍ଛାର ଦାସ । ଶରୀର ବଳ ବଳ ନୁହେଁ । ଶାରୀରିକ କର୍ମ କର୍ମ ନୁହେଁ । ସବୁ ବଳର ଆଧାର ମନରେ । କାର୍ଯ୍ୟ ହିଁ ବଳର ଅଭିବ୍ୟକ୍ତି । କାର୍ଯ୍ୟର କେନ୍ଦ୍ର ଇଚ୍ଛାରେ ପ୍ରଭାବରେ ସାଂଘାତିକ ଆଘାତ ପାଇ ମଧ୍ୟ ସୈନିକ ଜାଣି ନପାରି ଅନନ୍ତ ଉତ୍ସାହରେ ଯୁଦ୍ଧରେ ମାତି ରହି ଥାଏ । 

ଯୋଗୀମାନେ ସେହି ମନକୁ ଅଧୀନ କରିଥାନ୍ତି ବୋଲି, ଶରୀରରେ ଉପଦ୍ରବ ହେଲେ ଜାଣି ପାରନ୍ତି ନାହିଁ । ତୁମ୍ଭେ‌ ଜାଣିଥିବ, ବେଳେବେଳେ ଗଭୀର ଭାବରେ ଚିନ୍ତା କଲା ବେଳେ, ଅମିତ ମନୋନିବେଶ ସହିତ ଅଙ୍କ କଷିଲା ବେଳେ, ଚିମୁଟି ଦେଲେ ତୁମ୍ଭଙ୍କୁ ଜଣା ପଡ଼େ ନାହିଁ । ଶରୀର ମନର ସମ୍ପୂର୍ଣ୍ଣ ଅଧୀନ ଓ ଦାସ । ଅଭ୍ୟାସରେ ଚରିତ୍ରବଳରେ ତାହା ସମ୍ୟକ୍ ରୂପେ ସିଦ୍ଧ କରି ନେବାକୁ ହୁଏ ।ଚରିତ୍ର ଗଠିତ ହେଲେ, ଏଥିରେ ଆଉ ଆୟାସ ବା ଅସୁବିଧା ରହେ ନାହିଁ ।

ଅତଏବ ଏହି ଚରିତ୍ର କଥାଟିରେ ଜୀବନର ସମସ୍ତ ନୀତି ସମସ୍ତ ଆଦର୍ଶ ନିହିତ ଅଛି । ତୁମ୍ଭେମାନେ ବାଳକ । ହୁଏତ ଜୀବନର ନୀତି ଓ ଆଦର୍ଶ ସମ୍ୱନ୍ଧରେ ସ୍ପଷ୍ଟ କିଛି ତୁମ୍ଭଙ୍କୁ ବୁଝାପଡ଼ୁ ନ ଥିବ । ସେଥି ପାଇଁ କହେ, ଯାହା ତୁମ୍ଭର ନୀତି, ତୁମ୍ଭର ଆଦର୍ଶ ବୋଲି ତୁମ୍ଭଙ୍କୁ କୁହା ଯାଉ ଅଛି, ସେ ସବୁ ଆଗ୍ରହରେ ସମସ୍ତ ପ୍ରାଣର ସହିତ ଗ୍ରହଣ କର । ସେସବୁକୁ ଏହି ବୟସରୁ ଜୀବନର ଅଙ୍ଗୀଭୂତ କର । ଉପଦେଶ ଗ୍ରହଣ କରିବାକୁ ପ୍ରାଣ ସର୍ବଦା ପିପାସିତ ଓ ଉନ୍ମୁଖ ରଖ । ଯାହା କାର୍ଯ୍ୟରେ କରୁଅଛ, ଇଚ୍ଛାକୁ ସର୍ବଦା ସର୍ବତୋଭାବରେ ତାହାର ଅନୁଗାମୀ କରି ରଖ । 

ଥରେ ଇଚ୍ଛାର ସଂଯମରେ ସିଦ୍ଧ ହେଲେ, ଜ୍ଞାନ ବଳରେ ତୁମ୍ଭର ଯେ ଉଦ୍ଦେଶ୍ୟ ଫିଟୁ, ଇଚ୍ଛା ଅତି ସହଜରେ ସେ ଆଡ଼କୁ ଯିବ । ପ୍ରତିଷ୍ଠିତ ଚରିତ୍ର ପକ୍ଷରେ ସେ କଥା କଷ୍ଟକର ନୁହେଁ । ଇଚ୍ଛାକୁ ଅଧୀନ କରିବା ହିଁ କଷ୍ଟ । ଥରେ ଅଧୀନ କରିବାକୁ ପ୍ରକଟ କରି ନେଲେ, ଚରିତ୍ର ଆସିଲା । ଆଉ ଚିନ୍ତା ନାହିଁ । ନିଜେନିଜେ ପ୍ରାଣରେ ପ୍ରେମ ଓ ବିସ୍ତୀର୍ଣ୍ଣତା ଆସିବ । ଜୀବନ ପୂର୍ଣ୍ଣ ଓ ମହନୀୟ ହେବ । ମାନବତ୍ୱ ତୁମ୍ଭ ଭିତରେ ଫୁଟି ଉଠିବ । ବିଧାତା ତୁମ୍ଭ ପ୍ରତି ବରଦ ହେବେ । ତୁମ୍ଭର ପଶୁତ୍ୱ ଛିନ୍ନ ହେବ  ଜୀବନ ଦେବତ୍ୱରେ ଉଦ୍‌ଭାସିତ ହେବ ।

ଏହି ଚରିତ୍ର ହିଁ ମାନବର ମାନବତ୍ୱ ଓ ମହତ୍ୱ, ନିଜର ନିଜତ୍ୱ ଓ ବ୍ୟକ୍ତିତ୍ୱ । ମାନବ ମଧ୍ୟରେ ଏହା ମହାଶକ୍ତି । ସେ ଚରିତ୍ର ମାନବର ନିଜର । ସେଥିରେ ଅନ୍ୟର ଦାବୀ ବା ଅଧିକାରୀ ନାହିଁ । ତୁମ୍ଭର ଆଚରଣ ଲୋକେ ସମାଲୋଚନା କରନ୍ତି । କିନ୍ତୁ ଚରିତ୍ର ତୁମ୍ଭ ଛଡ଼ା ଆଉ କେହି ଜାଣନ୍ତି ନାହିଁ । ଚରିତ୍ରର ଆଧାର ହେଲା ଇଚ୍ଛା । ତୁମ୍ଭ ଇଚ୍ଛା ତୁମ୍ଭର । ତାହା କେବଳ ତୁମ୍ଭେ ଜାଣ ଆଉ ବିଧାତା ଜାଣନ୍ତି । ସେଥି ପାଇଁ ତୁମ୍ଭେ କେବଳ ତୁମ୍ଭ ପାଖେ ଓ ଈଶ୍ୱରଙ୍କ ପାଖେ ଦାୟୀ । 

ସେ ଇଚ୍ଛାର ସଂଯମ ପାଇଁ ଭଗବାନ ତୁମ୍ଭଙ୍କୁ ବୁଦ୍ଧି ଓ ବଳ ଦେଇଛନ୍ତି । ତୁମ୍ଭେ ଅତିନ୍ଦ୍ରିୟ ଆଗ୍ରହ ଓ ପରିଶ୍ରମରେ ସେ ଇଚ୍ଛା ସଂଯତ କରି ଶିଖିବ । ତୁମ୍ଭେ ଏହା କରି ପାରିବ । ମାତ୍ର ନ କଲେ ଆଉ କେହି କରି ଦେବେ ନାହିଁ । ମନେ ଥିବ ତୁମ୍ଭଙ୍କୁ କେତେ ଥର କହି ଅଛି, ପଢ଼ାରେ ମନ ନ ଲାଗିବା ଚରିତ୍ର ଦୋଷ । କେହି କେହି କହନ୍ତି, ମୋତେ ପ୍ରବୃତ୍ତି ହେଉ ନାହିଁ । ମୁଁ କହେ ସେ ସବୁ ତୁମ୍ଭମାନଙ୍କର ଚରିତ୍ର ଦୋଷ । 

ଜୀବନର ଉଦ୍ଦେଶ୍ୟ ତଥା କର୍ତ୍ତବ୍ୟ ଦୃଷ୍ଟିରେ ଇଚ୍ଛାକୁ ଚଳାଇବା ତୁମ୍ଭ ହାତରେ ଅଛି । ଆମ୍ଭ ଉପଦେଶ ଦେବୁ । ମାତ୍ର, କିନ୍ତୁ ତୁମ୍ଭ ଇଚ୍ଛାର ଚଳାଇ ପାରିବୁ ନାହିଁ । ସେ ଇଚ୍ଛା ତୁମ୍ଭେ ଚଳାଇବ । ନ ଚଳାଇବା ତୁମ୍ଭର ପାପ ହେବ । ବିଧାତାଙ୍କ ରାଜ୍ୟରେ ତୁମ୍ଭେ ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ଭ୍ରଷ୍ଟ ହୋଇ ନଷ୍ଟ ହେବ । ତୁମ୍ଭର ମାନବ ଚରିତ୍ର ଫୁଟିବ ନାହିଁ । ତୁମ୍ଭେ କାର୍ଯ୍ୟରେ ଇତର ଜନ୍ତୁଠାରୁ ହୀନ ହେବ । ଅତଏବ ତୁମ୍ଭେ ମାନବ ସନ୍ତାନ । ଚରିତ୍ର, ଅନନ୍ତ ବଳରେ ତୁମ୍ଭର ଅଧିକାର । ସେ ଅଧିକାର ନିଜର କର । ସଂଯତ ଇଚ୍ଛା ଶକ୍ତିରେ ଜୀବନକୁ ମିଶାଇ ଦିଅ । କର୍ତ୍ତବ୍ୟ ବେଳେବେଳେ କଷ୍ଟକର ହେଉଥିବ । ଜୀବନର ଉଦ୍ଦେଶ୍ୟ ବୁଝି, ସେ କଷ୍ଟକୁ ସୁଖ ବିଚାର । ଚରିତ୍ର ଫୁଟିବ, ଆନନ୍ଦ ମିଳିବ । ଜୀବନ ମାନବ ଜୀବନରେ ପରିଣତ ହେବ ।

ବି.ଦ୍ର.ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ ।  

ଚରିତ୍ରଂ ହି ପରଂ ବଳଂ” - ୮

ଗୋପବନ୍ଧୁ ଦାସ


ଚିତ୍ର - 'ବାନିଅନ୍ - ଷ୍ଟଡ଼ି' (୧୯୨୨ ମସିହାରେ ଅଙ୍କିତ)
ଚିତ୍ରକର - ହ୍ୟୁକ୍ ମାଜିଲେତ୍ ଲୁକିନ୍ସ୍ (୧୮୮୧-୧୯୬୧)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ବାଳକମାନେ, ତୁମ୍ଭର ଏ ନବୀନ ବୟସରେ ତୁମ୍ଭେ ଯେ ଏତେ ଭାବି ଉଦ୍ଦେଶ୍ୟ ଓ ଆଦର୍ଶ ସ୍ଥିର କରିବ ତାହା ନୁହେଁ । ତାହା ସମସ୍ତେ ପାରିବ ନାହିଁ । ତୁମ୍ଭ ପକ୍ଷରେ ଚରିତ୍ରର ସାଧନା ହିଁ ଲୋଡ଼ା । ଯାହା ଭଲ ବୋଲି ବୁଝୁ ଅଛ, ତାହା ପ୍ରାଣପଣେ ଅଭ୍ୟାସରେ କରିବାକୁ ଯତ୍ନ କର । ଅଭ୍ୟାସରେ ଆଦର୍ଶ ସ୍ଥିର ହୋଇଯିବ ଓ କର୍ତ୍ତବ୍ୟରେ ପ୍ରୀତି ଆସିବ । ସେଥି ପାଇଁ କହୁଥିଲି, ତୁମ୍ଭର ପିତୃପିତାମହମାନେ ଯୁଗଯୁଗାନ୍ତବ୍ୟାପୀ ଅଭ୍ୟାସରେ ତୁମ୍ଭ ପାଇଁ ଆଦର୍ଶ ଗଢ଼ି ରଖି ଅଛନ୍ତି । ତୁମ୍ଭଙ୍କୁ ତାହା ଖୋଜିବାକୁ ହେବ ନାହିଁ । ଯାହା ସ୍ଥୂଳ ଭାବରେ ଭଲ ମନ୍ଦ ବୋଲି ତୁମ୍ଭଙ୍କୁ ଜଣା ଅଛି, ତାହା ହିଁ ଦୃଢ଼ତାର ସହିତ ଚରିତ୍ରରେ ପରିଣତ କର । ଥରେ ପୁରୋଦୃଷ୍ଟିରେ ଇଚ୍ଛା ସଂଯତ କରିବା ତୁମ୍ଭର ଅଭ୍ୟାସ ହେଲେ ଆଉ ଚିନ୍ତା ନାହିଁ । ଇଚ୍ଛା ଉପରେ ତୁମ୍ଭର ଅଧିକାର ଆସି ଯିବ । ଚରିତ୍ରବଳରେ ତୁମ୍ଭେ ମହତ୍ ହେବ । ଜୀବନରେ କେତେବେଳେ ହୁଏ ତ ଭିନ୍ନ ଉଦ୍ଦେଶ୍ୟ ବିକାଶ ପାଇ ପାରେ । କିନ୍ତୁ ତାହା ଚରିତ୍ରର ଅଙ୍ଗୀଭୂତ କରିବା ପାଇଁ ଆଉ ଆୟାସ ଲୋଡ଼ା ହେବ ନାହିଁ । ଇଚ୍ଛାଶକ୍ତି ନିଜେ ନିଜେ ଏହି ଆଦର୍ଶ ସଂଯତ ହେବ ।

ଯେ କୌଣସି ଆଦର୍ଶରେ ଇଚ୍ଛା, ସଂଯମ ବିଧାନ ହିଁ ଚରିତ୍ରର ସାଧନା । ଭଲ ମନ୍ଦର ଯେକୌଣସି ସାଧାରଣ ଧାରଣରେ ଏହି ଦିନୁ ଦୃଢ଼ ହୋଇ ଚରିତ୍ର ଗଠନ କର । ତୁମ୍ଭଙ୍କୁ ଏଠାରେ ଜୀବନ ଆଦର୍ଶ ସମ୍ୱନ୍ଧରେ ବେଶି କିଛି ଭାବିବାକୁ କହୁ ନାହିଁ । କେବଳ ମହାପୁରୁଷମାନଙ୍କର ଜୀବନ ଆଲୋଚନା କର । ପୁଣି ବିଶେଷରେ ତୁମ୍ଭର ଏ ବୟସରେ ତୁମ୍ଭ ପାଇଁ ଆଦର୍ଶ ଖୋଜି ଦେବାକୁ ଆମ୍ଭେମାନେ ଅଛୁ । ବିଧାତା ଆମ୍ଭମାନଙ୍କୁ ତୁମ୍ଭ ଚରିତ୍ର ଗଢ଼ିବା କାମରେ ଲଗାଇ ଅଛନ୍ତି । ଆମ୍ଭେମାନେ ବିଧାତାଙ୍କର ସେ ବର  ଗ୍ରହଣ କରି ଅଛୁ । ଯଥାଶକ୍ତି ଭାବି ତୁମ୍ଭଙ୍କୁ ଉପଦେଶ ଦେଉ ଅଛୁ, ଶାସନ କରୁ ଅଛୁ । ଭଲ ମନ୍ଦ ବୁଝାଇ ଦେଉ ଅଛୁ । ସେହି କଥା ମାନି, ସେହି ଉପଦେଶ ପାଳି, ସେହି ଶାସନରୁ ଶିଖି, ଚରିତ୍ର ଗଢ଼ । ବର୍ତ୍ତମାନ ସେତିକିରେ ତୁମ୍ଭର ସମ୍ପୂର୍ଣ୍ଣ ଅଧିକାର । ବିଧାନରେ ଭ୍ରମ ଥିଲେ, ସେଥି ପାଇଁ ବିଧାତାଙ୍କ ପାଖେ ଦାୟୀ ତୁମ୍ଭେ ନୁହେଁ, ଦାୟୀ ଆମେ ।

ଏ ସମସ୍ତ ମଧ୍ୟରେ ଗୋଟିଏ କଥା ମନେ ରଖ । ଆଶୁ ପ୍ରୀତି ଛାଡ଼ି ଯେ କୌଣସି ଆଦର୍ଶରେ ଇଚ୍ଛାର ସଂଯମ ଅଭ୍ୟାସ କର, ଚରିତ୍ର ଆସିବ । ତୁମ୍ଭଙ୍କୁ କହିଛି, ବିଚାର ହିଁ ମନୁଷ୍ୟର ବିଶେଷତ୍ୱ । ତାହାର ପ୍ରକୃତ ଆଦର୍ଶ ଯାହା ହେଉ, ତାହା ନିକଟରେ ନୁହେଁ, ଦୂରରେ । ସେ ସବୁବେଳେ ଭବିଷ୍ୟତକୁ ଚାହେଁ । ଯାହା କରିବାକୁ ଇଚ୍ଛା କର, ତାହା ଆଦର୍ଶର ଅନୁକୂଳ ହେବ କି ନାହିଁପୁରୋଦୃଷ୍ଚି ବଳରେ ସ୍ଥିର କରି ଇଚ୍ଛାର ସଂଯମ ବିଧାନ କର । 

ତୁମ୍ଭେ ହୁଏତ ବର୍ତ୍ତମାନ ଆଦର୍ଶର କଥା ନ ଭାବିବ । ଆମ୍ଭର ଉପଦେଶ ହିଁ ତୁମ୍ଭର ବର୍ତ୍ତମାନ ଆଦର୍ଶ । ଧର, ଉପଦେଶ ଓ ଶାସନ ଇଙ୍ଗିତରୁ ତୁମ୍ଭେ ତାହା ଗ୍ରହଣ କଲ । କିନ୍ତୁ ସେତିକିରେ ଚରିତ୍ରଗଠନ ହେଲା ନାହିଁ । ସର୍ବଦା ଗୋଟିଏ ଇଚ୍ଛା ମନରେ ଉଦିତ ହେଲେ, ତାହା କାର୍ଯ୍ୟରେ କରିବା ପୂର୍ବରୁ, ଭବିଷ୍ୟତକୁ ଦେଖ । କାର୍ଯ୍ୟର ଫଳ ଉପଦେଶ ବା ଶାସନ ଇଙ୍ଗିତର ଅନୁକୂଳ ହେଲେ ସେ ଇଚ୍ଛା କାର୍ଯ୍ୟରେ ପରିଣତ କରିବ । ନୋଚେତ, ସେ ଇଚ୍ଛା ତୁମ୍ଭଙ୍କୁ ସଂଯତ କରି ଭିନ୍ନ ଦିଗରେ ଫେରାଇବାକୁ ହେବ । ତା

ହା ହେଲେ ଚରିତ୍ରଗଠନର ସାଧନା ସୁପନ୍ଥାରେ ପଡ଼ି ଯିବ । ଏ ସାଧନାରେ ସିଦ୍ଧି ଆସିଲେ, କର୍ତ୍ତବ୍ୟ ହିଁ ତୁମ୍ଭର ଜୀବନ ହେବ । ତାହାର ସାଧନାରେ ଅମିତ ବଳ ଆସିବ । ଜୀବନରେ କିଛି ଅସାଧ୍ୟ ହେବ ନାହିଁ । କୌଣସି କର୍ତ୍ତବ୍ୟ କଠୋର ବା ଅରୁଚିକର ଲାଗିବ ନାହିଁ । ଜୀବନରେ ଆନନ୍ଦ ଓ ଶାନ୍ତି ପାଇବ । ଜଗତରେ ତୁମ୍ଭର ଜୀବନ ସାର୍ଥକ ହେବ ।

ଚରିତ୍ର କଥା ସହିଲା ବେଳେ ଦେଖୁଥିବ, ମୁଁ ସର୍ବଦା ଇଚ୍ଛା ଶକ୍ତିର କଥା କହୁ ଅଛି । କାର୍ଯ୍ୟ, କ୍ରିୟା, କର୍ମ, ପ୍ରଭୃତି ଶବ୍ଦ ବ୍ୟବହାର କରା ଯାଇ ଅଛି । କିନ୍ତୁ, ସେ ସର୍ବତ୍ର କର୍ମର ମୂଳ । କ୍ରିୟାର କେନ୍ଦ୍ର ସେହି ଇଚ୍ଛାକୁ ବୁଝିବାକୁ ହେବ । ଇଚ୍ଛାରୁ କର୍ମ ବାହାରେ । ବରଂ କୁହା ଯାଇ ପାରେ, ଇଚ୍ଛା ମନ ମଧ୍ୟରେ ଅତି ଦୃଢ଼ ହେଲେ, ସେ ସ୍ୱତଃ କାର୍ଯ୍ୟରେ ପରିଣତ ହୁଏ । ତେବେ ଯାହାର ଇଚ୍ଛା ସୁସଂଯତ ତାହାର କାର୍ଯ୍ୟରେ ମଧ୍ୟ ସେଇଆ ହେବ । ସଚ୍ଚରିତ୍ର ଲୋକର କର୍ମପରମ୍ପରା ସତ୍ ଓ ସାଧୁ ହେବ, ସନ୍ଦେହ ନାହିଁ । କିନ୍ତୁ ମନେ ରଖ ଯାହାର କର୍ମ ସବୁ ସର୍ବଦା ସତ୍ ଓ ସାଧୁ ବୋଲି ବୋଧ ହୁଏ, ସେ ଯେ ନିଶ୍ଚେ ସଚ୍ଚରିତ୍ର ହୋଇ ଥିବ, ଏହା ବୋଲା ଯାଇ ନ ପାରେ । 

ଅନେକ ଲୋକ ଏହା କଲେ ଲୋକେ ଭଲ କହିବେ, ଏହାକୁ ହିଁ ଜୀବନର ଆଦର୍ଶ କରି ଲୋକେ ଦେଖିଲା ଭଳି କାର୍ଯ୍ୟ କଲା ବେଳେ ଇଚ୍ଛାକୁ ସଂଯତ କରନ୍ତି । ଏହା ଜୀବନରେ ବଡ଼ ହୀନ ଆଦର୍ଶ । ଏଥିରେ ଇଚ୍ଛା ପ୍ରତ୍ୟେକ କ୍ରିୟାରେ ସଂଯତ ହୋଇ ରହି ପାରେ । କିନ୍ତୁ, ଇଚ୍ଛା ଶକ୍ତିର ସୁସଂଯମ ଆସେ ନାହିଁ, ଚରିତ୍ର ତିଆରି ହୁଏ ନାହିଁ । ଏପରି ଲୋକେ ଲୋକଚକ୍ଷୁର ଅନ୍ତରାଳରେ ଅପର୍କମ କରିବାକୁ କୁଣ୍ଠିତ ହେବେ ନାହିଁ । କୁଣ୍ଠିତ ହେବା ପାଇଁ ତାଙ୍କ ଜୀବନରେ ଆଦର୍ଶ ଇଚ୍ଛା କିଛି ନାହିଁ । 

ସେଥି ପାଇଁ ଇଂରେଜୀରେ କ୍ୟାରେକ୍ଟର ଓ କଣ୍ଡକ୍ଟ ବୋଲି ଦୁଇଟି କଥା ଅଛି । ଓଡିଶାରେ ତାକୁ ଯଥାକ୍ରମେ ଚରିତ୍ର ଓ ସ୍ୱଭାବ ବୋଲି କହନ୍ତି । କିନ୍ତୁ ପ୍ରକୃତରେ ଚରିତ୍ର ଓ ଆଚରଣ ବୋଲି ସେ ଦୁଇଟିର ନାମ ଦେବା ଉଚିତ ସଦାଚରଣ ବା 'ଗୁଡ଼ କଣ୍ଡକ୍ଟ' ନିମନ୍ତେ ସ୍କୁଲରେ ପିଲାମାନଙ୍କୁ ପୁରସ୍କାର ଦିଆଯାଏ । 

ସଚ୍ଚରିତ୍ର ପାଇଁ ପାଇଁ କେହି ମନୁଷ୍ୟ କାହାକୁ ପୁରସ୍କାର ଦେଇ ନ ପାରେ । ସେ ପୁରସ୍କାର ଭଗବାନ ଦିଅନ୍ତି । ଯାହାର ସଦାଚରଣ ଦେଖା ଯାଏ, ତାହାର ଚରିତ୍ର ଉତ୍ତମ ହୋଇ ପାରେ। କିନ୍ତୁ ନିଶ୍ଚୟ ଯେ ହୋଇ ଥିବ, ତାହା କେହି କହି ପାରିବେ ନାହିଁ । ମାତ୍ର, ସଚ୍ଚରିତ୍ର ହେଲେ ସଦାଚାର ତାହାର ଅବଶ୍ୟମ୍ଭାବୀ ଫଳ । 

ଆଚରଣ ଜୀବନର କାର୍ଯ୍ୟମାନଙ୍କରେ ଦେଖା ଯାଏ । ଲୋକେ ତାହା ଦେଖନ୍ତି । କିନ୍ତୁ ଚରିତ୍ର ଭିତରେ । ତାହା ମନୁଷ୍ୟର ଇଚ୍ଛା ବା ସ୍ପୃହାରେ । ଅସଦିଚ୍ଛା ତୁମ୍ଭର ହୋଇ ପାରେ । ତୁମ୍ଭେ ଲୋକ ଭୟରେ, ସମାଜ ଭୟରେ, ତାଡ଼ନା ଭୟରେ ତାହା ଚିପି ରଖ, କାର୍ଯ୍ୟରେ କର ନାହିଁ । ସେଠାରେ ତୁମ୍ଭର ଚରିତ୍ର ଭଲ  ହୋଇ ନାହିଁ । ଇଚ୍ଛା ଜୀବନର ଆଦର୍ଶ ଉଦ୍ଦେଶ୍ୟ ଓ ସାର୍ଥକତା ଦୃଷ୍ଟିରେ ସଂଯତ ହୋଇ ନାହିଁ । ସେଥି ପାଇଁ କହେ ତୁମ୍ଭ ଚରିତ୍ରର ସାକ୍ଷୀ ତୁମ୍ଭେ, ଆଉ ସାକ୍ଷୀ ଭଗବାନ, ଅନ୍ୟ କାହାରି ତୁମ୍ଭେ ଚରିତ୍ର ଜାଣିବାର ଅଧିକାର ନାହିଁ । ଚରିତ୍ର ତୁମ୍ଭର ନିଗୂଢ଼ ସମ୍ପଦ, ପ୍ରାଣର ପ୍ରାଣ ଜୀବନର ସର୍ବସ୍ୱ । ଏଥିରେ ତୁମ୍ଭ ଜୀବନ ଜୀବନ୍ତ । ଏହି ବଳରେ ତୁମ୍ଭେ ପ୍ରକୃତ ମାନବତ୍ୱ ଲଭିବ ।

ବି.ଦ୍ର.ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ 

Sunday, September 23, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ଇଟିିଲି ମିଟିଲି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ୱିକିମିଡ଼ିଆ କମନ୍ସ୍

ଇଟିଲି ମିଟିଲି ଜାମୁ ଟିଲି ଟିଲି
କଠାଉ ମାଡ଼ିଲି ଚୋର
ସାରୁ ଖଣ୍ଡ ଖଣ୍ଡ ପିଚିକା ପାଣି
ବୋଉ ଲୋ !
ତୋ'ର ଏଇ ଗୁଡ଼ଖଣ୍ଡ ଭଲ ।

ପିଲାଙ୍କ ଖେଳ କଉତୁକ ଗୀତ - 'କୋଇଲି ତୁ କେଇଲା'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଜାପାନୀ ଚିତ୍ରକର କାତ୍ସୁସିକା ହୋକୁସାଇ(୧୭୬୦-୧୮୪୯)ଙ୍କ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କୋଇଲି ତୁ କେଇଲା
କୋଇଲି ତୁ କେଇଲା,
ପାଟ ମହାଦେଇ ଗାଧୋଇଗଲା
ସୁନା ଝିକ୍ ଝିକେଇଲା
ରୂପା ଝିକ୍ ଝିକେଇଲା ।

Thursday, September 20, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ଜଗ ଜଗ ନାରୀ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଚିତ୍ର - ପୋଲେନୋଭା ବାକୟାର୍ଡ଼
ଚିତ୍ରକର - ୟେଲେନା ପୋଲେନୋଭା (୧୮୫୦ - ୧୮୯୮)

ଜଗ ଜଗ ନାରୀ
ଯେ ପାଇବ ତା'ରି
(ବାଲିରେ ଲୁଚା ହୋଇଥିବା କାଠିକୁ ଖୋଜିବା ବେଳର ଗୀତ)
ଇକନ୍ ମିକନ୍ ଚାଇଁକି ଚିକନ୍
ପବନ ଘଣ୍ଟା, ନାରଙ୍ଗ ଲଟା
ଓଲ୍ ମୋର
କହ୍ନାଇ ବାଡ଼ିର ଦନାଇ ଚୋର ।

Wednesday, September 19, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ଏକନ୍ ଦୋକନ୍'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ



 ଏକନ୍ ଦୋକନ୍
ତିଉକ୍ ଚେକନ୍
ଓଲ୍ ଡୋଲ୍
ମାମୁର କକେଇର ବାଡ଼ିଆଡ଼େ ଚୋର ।

Tuesday, September 18, 2018

ଚରିତ୍ରଂ ହି ପରଂ ବଳଂ” - ୭


ଗୋପବନ୍ଧୁ ଦାସ


ଟୋକିଓର ଦାଇଏଞ୍ଜି ମନ୍ଦିର (୨୦୦୪ ମସିହାରେ ଉତ୍ତୋଳିତ ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବିଧାତାଙ୍କ କରୁଣାରେ ଆମ୍ଭେମାନେ ବୁଦ୍ଧି ଓ ବିଚାର ପାଇଅଛୁ । ତାଙ୍କରି ଅନନ୍ତ ଦୟାରେ ବଞ୍ଚି ଅଛୁ । ସେହି ଦୟାରେ ଜଗତ ଅଛି, ଚଳୁ ଅଛି । ବିଧାତା ସମସ୍ତଙ୍କୁ ଦୟା କରନ୍ତି, ସ୍ନେହ କରନ୍ତି । ଯେଉଁଠାରେ ଦୟା, ସ୍ନେହ, ସତ୍ୟ, ପ୍ରୀତି ଆମ୍ଭେ ଦେଖୁ, ତାହା ସେହି ବିଧାତାଙ୍କଠାରୁ  ଆସି ଅଛି । ପିତା ପୁତ୍ରକୁ ସ୍ନେହ କଲା ବେଳେ ମଧ୍ୟ ଆମ୍ଭେମାନେ ସେହି ବିଧାତାଙ୍କ ସ୍ନେହର କଣିକାଏ ସେଠାରେ ପାଉ । ସେଥି ପାଇଁ ଆମ୍ଭେ ବିଧାତାଙ୍କୁ କହୁଁ ବିଶ୍ୱପିତା, ବିଶ୍ୱନିୟନ୍ତା, ବିଶ୍ୱବନ୍ଧୁ ଓ ବିଶ୍ୱରାଟ୍ । ସେହି ଅନନ୍ତ କରୁଣାମୟ ପ୍ରୀତିମୟ ବିଧାତା ହିଁ ତେଣୁ ଆମ୍ଭର ଆଦର୍ଶ । 

ବିଧାତାଙ୍କର ପ୍ରେମ ଦେଖି ମୁଗ୍‌ଧ ହୁଅ ଏବଂ ଜୀବନରେ ସେହି ପ୍ରେମର ଯଥାସାଧ୍ୟ ଅନୁକରଣ କର । ମହାପୁରୁଷମାନେ ତାହା ହିଁ କରନ୍ତି । ତୁମ୍ଭେମାନେ ମହାପୁରୁଷମାନଙ୍କର ଜୀବନୀରୁ ଏହା ହିଁ ଶିଖିବ । ସେମାନେ ଅନନ୍ତ ପ୍ରେମରେ ନିଜ ଜୀବନକୁ ଫିଟାଇ ରଖି ଥିଲେ । ତୁମ୍ଭମାନଙ୍କୁ ମଧ୍ୟ ସେହି ଶିକ୍ଷା ଦିଆ ଯାଏ । ତୁମ୍ଭେ ଅନ୍ୟଠାରୁ ଯେ ବ୍ୟବହାର ପାଇବାକୁ ଇଚ୍ଛା କର, ଅନ୍ୟ ପ୍ରତି ସେହି ପରି ବ୍ୟବହାର କର । ବରଂ ଆହୁରି ଟିକିଏ ଭଲ କରି କହିଲେ କୁହାଯିବ, ବିଧାତାଙ୍କଠାରୁ ଯାହା ତୁମ୍ଭେ ପାଉ ଅଛ, ଜଗତ ପାଉ ଅଛିତୁମ୍ଭ ଜୀବନରେ ସେହି ଭାବ ବ୍ୟକ୍ତ କର । ପର ପାଇଁ ଜୀବନଧାରଣ କର । ପରର ଦୁଃଖ ଅନୁଭବ କର । ତୁମ୍ଭର ଆତ୍ମା ପ୍ରସାରିତ ହେଉ, ଜଗତରେ ବିସ୍ତୀର୍ଣ୍ଣ ହେଉ ।

ହଠାତ୍ ହୁଏ ତ ଏକଥା ବୁଝି ପାରୁ ନ ଥିବ । ଏହା ତୁମ୍ଭଙ୍କୁ ବଡ଼ କଥା ପରି ଲାଗୁ ଥିବ । କିନ୍ତୁ ତୁମ୍ଭେ ଯେ ବୁଦ୍ଧଦେବଙ୍କ ଚରିତ୍ର ପଢ଼ି ମୁଗ୍‌ଧ ହୁଅ, କାହିଁକି ? ଜଗତ୍ ପାଇଁ ସେ ପ୍ରାଣ ଢ଼ାଳି ଦେଇ ଥିଲେ । ରାମଚନ୍ଦ୍ର ପିତାଙ୍କ ପାଇଁ, ପତ୍ନୀ ପାଇଁ, ପରେ ପ୍ରଜାଙ୍କ ପାଇଁ, ଆତ୍ମସୁଖ ତ୍ୟାଗ କରି ଥିଲେ । ଅନ୍ୟାନ୍ୟ ମହାତ୍ମାମାନଙ୍କ ଅନୁକରଣୀୟ ଚରିତ୍ରରେ ସେହି କଥା । 

ତୁମ୍ଭେ ମଧ୍ୟ ସମାଜର କଲ୍ୟାଣ, ଜାତିର ଉନ୍ନତି, ଦେଶର ମଙ୍ଗଳ, ପ୍ରଭୃତି ନାନା ପ୍ରକାରରେ ସେହି ଆତ୍ମପ୍ରସାର କରିବାକୁ ଲକ୍ଷ୍ୟ କରୁ ଅଛ । ଏସବୁ ଉଦ୍ଦେଶ୍ୟରେ ସେହି ଏକ ବିଶ୍ୱପ୍ରେମର ବିକାଶ । ସବୁଥିରେ ସେହି ଏକ ସାର୍ବଜନୀନ ମାନବ ଚରିତ୍ର ଫୁଟି ଉଠିବ । ସବୁଠାରେ ଏହି ଏକ ଉଦ୍ଦେଶ୍ୟ ଏହି ଏକ ଆଦର୍ଶ । ଏହି ଆଦର୍ଶରେ ଇଚ୍ଛା ସଂଯତ କରି ଚରିତ୍ର ଗଢ଼ିବାକୁ ହେବ । ତାହା ନ କଲେ ଚରିତ୍ର ଦୂଷିତ ହେବ । କର୍ତ୍ତବ୍ୟର ସମାଧାନ ସୁସଙ୍ଗତ ବା ସତ୍ ହେବ ନାହିଁ ।

ଏପରି ମହାପୁରୁଷମାନଙ୍କ ଜୀବନୀରୁ ଶିଖି ବିଧାତାଙ୍କ ଅନନ୍ତ ଦୟା ଓ ପ୍ରେମକୁ ଆଦର୍ଶ କରି ଚରିତ୍ର ଗଢିବା ସତ, ମାତ୍ର ବାଳକମାନେ ଏ ବଡ଼ ସୁସାଧ୍ୟ କର୍ମ ନୁହେଁ । ଭୌତିକ ଶରୀରର ସୁଖବିଳାସ କାମନା ଲୋଭ ବଡ଼ ପ୍ରବଳ । ସେହି ଆଶୁ-ପ୍ରୀତିକର ଇଚ୍ଛାର କବଳରେ ପଡ଼ି ମାନବ ସର୍ବଦା ପଥଭ୍ରଷ୍ଟ ହୁଏ । ସେଥି ପାଇଁ ସାବଧାନ । ଆଶୁ ପ୍ରୀତି ବା ଆପାତସୁଖ ଉଦ୍ଦେଷ୍ୟ ହେଲେ, ତାହା ହୁଏ ତ କାର୍ଯ୍ୟ ସଙ୍ଗେସଙ୍ଗେ ମିଳିଯାଏ । ତାହାର ପରିମାଣ ଭଲ  ନହେଉ ପଛେ, ମନୁଷ୍ୟ ମୁହୂର୍ତ୍ତକ ପାଇଁ ସେଥିରେ ପ୍ରୀତି ପାଏ । ମାତ୍ର ଜୀବନର ମହତ୍ ଉଦ୍ଦେଶ୍ୟ ସ୍ଥିର ଓ ଦୃଢ଼ ନ ହେଲେ, ସେଥିରେ ପ୍ରୀତି ସହଜରେ ମିଳେ ନାହିଁ । ଉଦ୍ଦେଷ୍ୟରେ ଆଗ୍ରହ ନ ଆସିଲେ, କର୍ତ୍ତବ୍ୟରେ ରୁଚି ଆସେ ନାହିଁ ।

ସେଥିପାଇଁ ଏହି ନବୀନ ବୟସରେ ତୁମ୍ଭଙ୍କୁ ଭଲ କଥା କହିଲେ, ବେଳବେଳେ ତୁମ୍ଭର ଅରୁଚି ହୁଏ। ନୂଆ କରି ଶିଖିଲା ବେଳେ ଆଶୁ ପ୍ରୀତି ଦମନ କରିବାକୁ ହୁଏ। ସହଜ ଇଚ୍ଛା ଟିକିଏ କ୍ଲେଶରେ ସଂଯତ କରିବାକୁ ହୁଏ ସତ ମାତ୍ର ଆଦର୍ଶ ଥରେ ସ୍ଥିର ହେଲେ ଥରେ ଉଦ୍ଦେଷ୍ୟର ମହତ୍ତ୍ୱ ବୁଝିଲେ, କର୍ତ୍ତବ୍ୟରେ ପରମାନନ୍ଦ ଆସେ, ଜୀବନର ମୂଲ୍ୟ ବଢିଯାଏ। ଆଗ୍ରହର ସୀମା ରହେ ନାହିଁ । ଚରିତ୍ର ନିଜେ ନିଜେ ତିଆରି ହୁଏ । 

ଥରେ ବଦ୍ଧପରିକର ହୋଇ ଏହି ଚରିତ୍ର-ବଳ ସଞ୍ଚୟ କରିବାକୁ ସଂକଳ୍ପ କର । ଦେଖିବ ଆଜି ଯାହାକୁ କଠୋର କର୍ତ୍ତବ୍ୟ ବୋଲି କହୁ ଅଛ, ସେଥିରେ ଅନନ୍ତ ଆଦର ଆସିବ, ଶକ୍ତିରେ ପ୍ରାଣ ପୁଲକିତ ହେବ, ଏବଂ ବିଶ୍ୱପ୍ରେମରେ ହୃଦୟ ଭାସି ଯିବ । ତୁମ୍ଭେ ନିଜ ଜୀବନରେ ରାମଚନ୍ଦ୍ର ହେବବୁଦ୍ଧ ହେବ, ପ୍ରତାପ ହେବ । ସେ ସବୁ ଅଧିକାର ତୁମ୍ଭର ଅଛି, ବିଧାତାଙ୍କ କରୁଣାରେ ତାହା ପାଇ ଅଛ ।

ବି.ଦ୍ର.ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ 

Monday, September 17, 2018

ଚରିତ୍ରଂ ହି ପରଂ ବଳଂ” - ୬


ଗୋପବନ୍ଧୁ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତୁମ୍ଭର ଆତ୍ମା ଏ ସବୁଥିରେ ବ୍ୟାପ୍ତ । ପ୍ରାଣ ସର୍ବଦା ଆତ୍ମପ୍ରସାରରେ ଉନ୍ମୁକ୍ତ । ଏହି ବିସ୍ତୀର୍ଣ୍ଣ ଆତ୍ମା ହିଁ ତୁମ୍ଭର ବ୍ୟକ୍ତିତ୍ୱ । ଏଥିରେ ହିଁ ତୁମ୍ଭର ଚରିତ୍ର ପ୍ରତିଭାତ ହୁଏ । ତୁମ୍ଭର ପ୍ରତ୍ୟେକ କାର୍ଯ୍ୟ ନିମନ୍ତେ ତୁମ୍ଭେ ଏ ସମସ୍ତଙ୍କ ପାଖରେ ଦାୟୀ । ପବିତ୍ର ଭାରତ ସନ୍ତାନ, ତୁମ୍ଭର ଏ ମଧ୍ୟ ଗୋଟିଏ ବିଶେଷ ସୁଯୋଗ । ପରିବାର, ସମାଜ ଜାତି ଧର୍ମ ପ୍ରଭୃତି ଏ ଦେଶରେ ଆଜିର ନୁହେଁ, ବହୁ କାଳର ଅଭ୍ୟାସ ଓ ଭୂୟୋଦର୍ଶନ ଫଳରେ ଏସବୁ ଏକ ପ୍ରକାର ସ୍ଥିର ହୋଇ ଅଛି । ଏ ସବୁରେ କିପରି ଚଳିବାକୁ ହେବ, କି ଉଦ୍ଦେଶ୍ୟରେ କାର୍ଯ୍ୟ କରିବାକୁ ହେବ, ସେ ସବୁ ତୁମ୍ଭଙ୍କୁ ଶିଖିବାକୁ ହେବ ନାହିଁ । ଏ ସବୁରେ ତୁମ୍ଭର ଜୀବନର ଉଦ୍ଦେଶ୍ୟ ଗଢ଼ା ହୋଇ ଅଛି, କର୍ତ୍ତବ୍ୟ ନିଦ୍ଦିଷ୍ଟ ହୋଇ ଅଛି । ତୁମ୍ଭର ଅତୀତ ସ୍ମୃତି ଦୃଢ଼ ଅଛି ଏବଂ ସେହି ସ୍ମୃତିବଳରେ ପୁରୋଦୃଷ୍ଟି ଫିଟି ଅଛି । ସେ ଅତୀତ ଓ ଭବିଷ୍ୟତ କଳ୍ପନାରେ ନିଜର ସାଧୁ ଆଲୋଚନା ମିଶାଇ ତୁମ୍ଭେ ଜୀବନର ଉଦ୍ଦେଶ୍ୟ ସ୍ଥିର କରିବ ଏବଂ ସେହି ଉଦ୍ଦେଶ୍ୟ ନିକଟରେ ତୁମ୍ଭର ଇଚ୍ଛାଶକ୍ତିର ସଂଯମ ବିଧାନ କରିବ, ଚରିତ୍ର ଗଠନ କରିବ ।

କିନ୍ତୁ ସ୍ଥୁଳଭାବରେ ଦେଖିଲେ ଦେଖା ଯାଏ, ଜଗତରେ କୌଣସି ଦୁଇ ବ୍ୟକ୍ତିର ଉଦ୍ଦେଶ୍ୟ ସମାନ ନୁହେଁ । ତୁମ୍ଭ ମଧ୍ୟରେ ମଧ୍ୟ ପ୍ରତ୍ୟେକର ସ୍ୱତନ୍ତ୍ର ଉଦ୍ଦେଶ୍ୟ ଥିବ । ସେଥିରେ କାର୍ଯ୍ୟ ମଧ୍ୟ ସ୍ୱତନ୍ତ୍ର ହେବ । କିଏ ଇଞ୍ଜିନିଅର ହେବ ବୋଲି ଅଙ୍କ ପ୍ରତି ଏହି ଦିନୁ ବିଶେଷ ଶ୍ରଦ୍ଧାବାନ୍ । କିଏ ଡାକ୍ତର ହେବ ବୋଲି ସ୍ୱାସ୍ଥ୍ୟରକ୍ଷା ଭଲ କରି ଆଲୋଚନା କରେ । କିଏ ବା ବଣିକ କିମ୍ୱା ବ୍ୟବସ୍ଥାଦାତା ହେବା ପାଇଁ ଭୂଗୋଳ ଓ ଇତିହାସରେ ବେଶି ଶ୍ରଦ୍ଧା ଦେଖାନ୍ତି । 

ଏଥିରେ ଯେ ଚରିତ୍ରର ସ୍ୱାତନ୍ତ୍ର୍ୟ ଫୁଟି ନ ଉଠେ ନୁହେଁ । ମାତ୍ର ଏ ସ୍ୱାତନ୍ତ୍ର୍ୟ ମାନବ ଚରିତ୍ରରେ ଗୌଣ ସ୍ୱାତନ୍ତ୍ର୍ୟ । ସାଧାରଣ ସାମାଜିକ ମାନବର କେତେକ ନିତ୍ୟ ଓ ସ୍ଥିର ଉଦ୍ଦେଶ୍ୟ ଅଛି, ଏବଂ ସେ ମଧ୍ୟରୁ କେତେକ ପୁଣି ସମସ୍ତ ମାନବ ଜାତି ପକ୍ଷରେ ଏକାନ୍ତ ଉପାଦେୟ । ସେଥିରେ ହିଁ ପ୍ରକୃତି ମାନବ ଚରିତ୍ରର ବିକାଶ । ସତ୍ୟ କହିବା, ବ୍ୟବହାରରେ ସତ୍ ହେବା, ମାନବ ପ୍ରତି ଅନୁକମ୍ପା ପ୍ରକାଶ କରିବା, ପ୍ରଭୃତି କେତେଗୁଡ଼ିକ କର୍ତ୍ତବ୍ୟ, ମାନବର ସ୍ଥିର ଚରିତ୍ରର ବିକାଶ । ଭାବ, ଦେଖିବ, ସେସବୁ ନ ହେଲେ ଦିନେ ମାନବର ସ୍ଥିତି ଅସମ୍ଭବ ହୋଇ ପଡ଼ିବ, କେହି କାହାରିକୁ ବିଶ୍ୱାସ କରିବେ ନାହିଁ । ଫଳରେ ମାନବସମାଜ ବିଶୃଙ୍ଖଳ ହେବ । ତେଣୁ ଏସବୁ ବିଧାତାଙ୍କର ବିଧାନ । ସେହି ମଙ୍ଗଳମୟଙ୍କ ନିର୍ଦ୍ଦେଶରେ ମାନବ ଏସବୁ କର୍ତ୍ତବ୍ୟର ଅଧିକାରୀ । ସେହି ନିର୍ଦ୍ଦେଶରେ ଜୀବ ଯନ୍ତ୍ର ପରି ଚଳେ, ମାତ୍ର ମାନବ ବୁଝିବିଚାରି ଉଦ୍ଦେଶ୍ୟରେ କ୍ରିୟା ଚଳାଏ ।

ଏ ସମସ୍ତ ମଧ୍ୟରେ ବିଧାତା ହିଁ ଆମ୍ଭର ଚରମ ଆଦର୍ଶ । ତାଙ୍କର ଅନନ୍ତ ଦୟା ଓ ଅନନ୍ତ ସ୍ନେହ କରୁଣା ଓ ପ୍ରେମରେ ସୃଷ୍ଟି ଚଳୁ ଅଛି । ସେ ଜଗତ ଚଳାଉ ଅଛନ୍ତି । ଜୀବ ଜଡ଼ । ସବୁ ସୃଷ୍ଟି କରି ସେ ସବୁକୁ ଚଳାଉ ଅଛନ୍ତି । ତାଙ୍କରି କରୁଣା ଓ ପ୍ରେମରେ ସୃଷ୍ଟି ମଧୁମୟ । ସେହି ପ୍ରେମ ନିର୍ଦ୍ଦେଶରେ ଯେପରି କି ସୂର୍ଯ୍ୟ ଜଗତକୁ କିରଣ ଦିଏ, ତାରାମାନେ ଜଳନ୍ତି, ଚନ୍ଦ୍ରିକା ପାଇଲେ କୁମୁଦିନୀ ହୃଦୟ ଫିଟାଇ ଦିଏ । ସେହି ପ୍ରେମବଳରେ ଡିମ୍ୱ ଦେବାର ସମୟ ହେଲେ, ପକ୍ଷୀ କାଠିକୁଟା ଲୋଡ଼େ । ଜୀବମାନଙ୍କ ପ୍ରତି ବିଧାତାଙ୍କର ଅନନ୍ତ ଦୟା ସେଥିରେ ସେ ସବୁ କରାଉ ଅଛନ୍ତି, ଚଳାଉ ଅଛନ୍ତି। ତାହା ନ ହେଲେ କେହି ରହିବେ ନାହିଁ । ସର୍ଗ ଚଳିବ ନାହିଁ । 

ଭାବି ଦେଖ ବିଧାତାଙ୍କର ଯେ ମହିମାମୟ ଅନନ୍ତ କରୁଣା ଓ ପ୍ରେମ ଜଗତକୁ ନିତ୍ୟ ବିଭାସିତ କରି ରଖି କି ଅନନ୍ତ ନିଗୁଢ଼ ନିର୍ଦ୍ଦେଶରେ ଚଳାଉ ଅଛି, ସେହି ପ୍ରେମବଳରେ ମନୁଷ୍ୟ ମନରେ ବୁଦ୍ଧି ଓ ବିଚାରଶକ୍ତି ବିକଶି ଉଠେ । ଅର୍ଥାତ୍, ଯେଉଁ ବୃଦ୍ଧି ଓ ବିଚାର ମନୁଷ୍ୟର ସ୍ୱାତନ୍ତ୍ର୍ୟ, ତାହା ସେ ବିଧାତାଙ୍କର କରୁଣାରେ ପାଇ ଅଛି । ବିଧାତା ସ୍ନେହରେ ଦୟାରେ ସ୍ୱାଧୀନ ଇଚ୍ଛାକୁ ସଂଯତ କରିବାର ଅଧିକାର ତାହାକୁ ଦେଇ ଅଛନ୍ତି । ଇତର ପ୍ରାଣୀଙ୍କୁ ତାହା ଦେଇ ନାହାନ୍ତି । ସେଥି ପାଇଁ ମନୁଷ୍ୟ ଯେବେ ସେ ବୃଦ୍ଧି ଓ ବିଚାରରେ ଇଚ୍ଛାର ବିହିତ ସଂଯମ ନ କରେ, ତେବେ ସେ ଇତର ଜନ୍ମଠାରୁ ହୀନ । ସେ ବିଧାତ ସର୍ଜନାରେ ପତିତ, ହୀନ ଓ ପଥଭ୍ରଷ୍ଟ ।

ଚରିତ୍ର ଗଠନ କଲା ବେଳେ, ଉଦ୍ଦେଶ୍ୟରେ ଇଚ୍ଛାକୁ ସଂଯତ କଲା ବେଳେ, ଆମ୍ଭେମାନେ ବଡ଼ବଡ଼ ଉନ୍ନତ-ଚରିତ୍ର ଲୋକଙ୍କ କଥା ମନେ ପକାଉ। ସେହିମାନଙ୍କୁ ମନେ ମନେ ଆଦର୍ଶ କରୁ । ସେଥି ପାଇଁ ଇତିହାସ ଓ ଜୀବନଚରିତ ଆଲୋଚନା କଲେ, ଚରିତ୍ର ଉନ୍ନତ ହୁଏ ବୋଲି, ତୁମ୍ଭମାନଙ୍କୁ କେତେ ଉପଦେଶ ଦିଆ ଯାଏ । ବୁଦ୍ଧ, ଚୈତନ୍ୟ, ଇଶା, ଜନକକୃଷ୍ଣ, ରାମଚନ୍ଦ୍ର, ପ୍ରତାପ, ବିକ୍ରମାଦିତ୍ୟ ପ୍ରଭୃତିଙ୍କ ଚରିତ୍ରରୁ ଶିକ୍ଷା କରିବାକୁ ହୁଏ । ସେହିମାନଙ୍କ ଜୀବନକୁ ଉଦ୍ଦେଶ୍ୟ କରି ଇଚ୍ଛା ଗଢ଼ିବାକୁ ହୁଏ । ଆମ୍ଭେମାନେ କହୁଁ, ସେମାନେ ଈଶ୍ୱରାଂଶରେ ଲୋକ । ବାସ୍ତବିକ ସେ ସବୁ ଜୀବନରୁ ପଦେ ପଦେ ଆମ୍ଭର ଶିଖିବାର ଅଛି, ସେମାନଙ୍କ ଜୀବନ ଆଲୋଚନା କରି ଚରିତ୍ର ଗଢ଼ିବାର ଅଛି । ସେ କଥା ତୁମ୍ଭେମାନେ ଯଥାସାଧ୍ୟ କରୁଥିବ । କିନ୍ତୁ ଜୀବନର ଏ ସମସ୍ତ ଆଦର୍ଶର ଆଦର୍ଶ କିଏ ?

ବି.ଦ୍ର.ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ 

Sunday, September 16, 2018

ଚରିତ୍ରଂ ହି ପରଂ ବଳଂ” - ୫


ଗୋପବନ୍ଧୁ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଉଦ୍ଦେଶ୍ୟହୀନ ହୋଇ କେହି କର୍ମ କରି ପାରନ୍ତି ନାହିଁ । ଭଗବାନ ତାହା କରି ନାହାନ୍ତି । ମାନବ ମଧ୍ୟ ତାହା କୌଣସି ପ୍ରକାରେ ପାରେ ନାହିଁ । ଭଲ ହେଉ ମନ୍ଦ ହେଉ, ନୀଚ ହେଉ ଉଚ୍ଚ ହେଉ, ଗର୍ହିତ ହେଉ ବା ଗୌରବମୟ ହେଉ, ସବୁ କାର୍ଯ୍ୟରେ ତାହାର ଉଦ୍ଦେଶ୍ୟ ଅଛି । ଯେତେବେଳେ ସେ ଚୋରି କରେ, ଯେତେବେଳେ ମଦ୍ୟପାନ କରେ, କିମ୍ୱା ଅନ୍ୟ କୈଣସି ସେହିପରି କୁତ୍ସିତ କ୍ରିୟାର ଅନୁଷ୍ଠାନ କରିବାକୁ ଯାଏ, ସର୍ବଦା ସେ ତାହାର ଗୋଟିଏ ଲକ୍ଷ୍ୟସାଧନ କରେ, ଗୋଟିଏ ଉଦ୍ଦେଶ୍ୟ ଅନୁସରଣ କରେ । 

ଚୋରି କରିବାକୁ ଯିବା ପୂର୍ବରୁ ସେ ଯୁକ୍ତି କରେ । ଏହି ପରି କଲେ ମୁଁ ବଞ୍ଚିବି, ସୁଖରେ ରହିବି ବା ଧନୀ ହେବି ଇତ୍ୟାଦି । ଏହି ଭଳି ଯୁକ୍ତି କରି ବିବେଚନାରେ କ୍ରିୟାଟିକୁ ଉଦ୍ଦେଶ୍ୟର ଅନୁକୂଳ ବୋଲି ସ୍ଥିର କରେ । ତତ୍‌ପରେ କାର୍ଯ୍ୟରେ ପ୍ରବୃତ୍ତ ହୁଏ । ଉଚିତ ବୋଲି ଅନ୍ତତଃ ଆପାତଃ ବିଚାର ନ କଲେ ମାନବ କୌଣସି କାର୍ଯ୍ୟ କରି ପାରିବ ନାହିଁ । 

ତୁମ୍ଭେ ଥରେ ମନେ କର, ନିଜ ନିଜ ଜୀବନରେ କେତେ କାର୍ଯ୍ୟ କରି ସାରି ପରେ ଅନୁତପ୍ତ ହୋଇ ଅଛ । ପରେ ଅନୁତପ୍ତ ହୋଇ ଅଛ ସତ, କିନ୍ତୁ କାର୍ଯ୍ୟଟି କଲା ବେଳେ ଅନୁତପ୍ତ ବୋଲି ବିଚାରି ଥିଲ କି ? ବିଚାରି ଥିଲେ କରି ପାରି ଥାଆନ୍ତ କି ? ଭଲ କରି ଭାବି ଦେଖ । ହୁଏତ ପ୍ରଥମେ କର୍ମଟି ପାଇଁ ଇଚ୍ଛା ହେଲା ବେଳେ କାର୍ଯ୍ୟଟି ଅନୁଚିତ ବୋଲି ମନେ ପଡ଼ିଛି, ନିବୃତ୍ତ ହେବା ପାଇଁ ମନ ବଳିଛି । କିନ୍ତୁ, ପ୍ରଲୋଭନ ବା ପ୍ରବର୍ତ୍ତଦାନିରେ ସେଥି ପ୍ରତି ତୁମ୍ଭର ସ୍ପୃହା ହେଲା ବେଳକୁ ଅନ୍ତତଃ ସେହି ମୁହୂର୍ତ୍ତ ପାଇଁ ତୁମ୍ଭେ ତାହାକୁ ଉଚିତ ବୋଲି ସ୍ଥିର କରି ସାରିଅଛ । 

କାଲିକି ପାଠ ତିଆରି କରିବାକୁ ହେବ । କରିବା ଉଚିତ । ତୁମ୍ଭର ହୁଏତ ପ୍ରବୃତ୍ତି ହେଉ ନାହିଁ । ଅଲକ୍ଷିତ ଭାବରେ ମନରେ ହୁଏ, ଆଚ୍ଛା ବର୍ତ୍ତମାନ ଶୋଇବାକୁ ଇଚ୍ଛା ହେଉ ଅଛି, ଶରୀର ଅସୁସ୍ଥ ହେବ । ସାମାନ୍ୟ ପଢ଼ା ପାଇଁ ସ୍ୱାସ୍ଥ୍ୟ ନଷ୍ଟ କରିବି ? ଟିକିଏ ଶୋଇ ପଡ଼ିଲେ ହୁଏତ ପୁଣି ଉଠିଲା ବେଳକୁ ମନ ଥଣ୍ଡା ଓ ସ୍ୱଚ୍ଛ ହେବ । ଏହା ଭାବି ତୁମେ ଶୋଇପଡ଼ । ବେଳେବେଳେ ଶୋଇ କରି ପଢ଼ିବି ବୋଲି ବିଚାର । ଅଯଥା ଅସମୟରେ ବିଶ୍ରାମ ନାମରେ ଆଳସ୍ୟକୁ ପ୍ରଶ୍ରୟ ଦିଅ । ଫଳରେ ଶୋଇ ପଡ଼ । ପଢ଼ା ହୁଏ ନାହିଁ । 

ଭାଙ୍ଗ ଖାଇବା ଉଚିତ ନୁହେଁ । ଆଜି ଗୋଟିଏ ପର୍ବ ଦିନ । କେହି ଟିକିଏ ଖାଇବାକୁ ପ୍ରବର୍ତ୍ତାଇଲା । ପ୍ରଥମରୁ ମନ ହେଲା ନାହିଁ । ହଠାତ୍ କାହୁଁ କାହୁଁ ମନକୁ ଯୁକ୍ତି ଆସିଲା । ପ୍ରତ୍ୟେକ ଜାତିରେ ଏହି ପରି ବିଧି ଅଛି, ଲୋକେ ପର୍ବ ଦିନ ମାନଙ୍କରେ ଆମୋଦ ନିମନ୍ତେ ଟିକିଏ ଲଘୁମାଦକ ସେବନ କରି ଥାଆନ୍ତି । ଏ ବଡ଼ ନିରୀହ ଆମୋଦ । 

ବୈଦିକ ଋଷିମାନେ ତ ସୋମରସ ପିଉ ଥିଲେ । ଇଂଲଣ୍ଡରେ ମଧ୍ୟ ପର୍ବ ଦିନରେ ସମସ୍ତେ ଟିକିଏ ଟିକିଏ ମଦ ପିଇ ରାଜାଙ୍କର ସ୍ୱାସ୍ଥ୍ୟ କାମନା କରନ୍ତି । ଟିକିଏ ଭାଙ୍ଗ ଖାଇ ଦେଲେ କଣ ଚରିତ୍ର ନଷ୍ଚ ହୋଇ ଯାଏ ? ବରଂ ଟିକିଏ ଖାଇ ଜାଣିବା ଉଚିତ ଭାଙ୍ଗଟି କି ଜିନିଷ ଇତ୍ୟାଦି ପ୍ରକାରରେ ଯୁକ୍ତିରେ ଅଲକ୍ଷିତ ଭାବରେ ମନ ମଧ୍ୟରେ କେତେ ବେଳେ ଭାଙ୍ଗ ଖାଇବାର ଔଚିତ୍ୟ ସ୍ଥିର ହୋଇଥାଏ । 

ତୁମ୍ଭେ ଭାଙ୍ଗ ଖାଅ । ହୁଏ ତ ପରେ ପରିତାପର ସୀମା ରହେ ନାହିଁ । କିନ୍ତୁ ଖାଇଲା ବେଳେ ସେ ଆଦର୍ଶ ଥିଲା, ତାହା ପରିତାପ ବେଳର ଆଦର୍ଶ ନୁହେଁ । ଭଲ କରି ଭାବି ଦେଖ । ପରିତାପ ବେଳର ଆଦର୍ଶ ଜୀବନରେ ଏହି ପରି କୌଣସି ନା କୌଣସି ଦୁର୍ବଳତାରେ ପଡ଼ି ଥିବ । ମୁହୂର୍ତ୍ତ ବିଶେଷରେ ଅନୀତିରେ ପଶି କାର୍ଯ୍ୟ କଲା ବେଳେ ହୋଇ ନ ଥାଆନ୍ତା; କାର୍ଯ୍ୟ କରିବା ପାଇଁ ହାତ ଉଠି ନ ଥାଆନ୍ତା ।

ମନୁଷ୍ୟର ଏ ସବୁ ଆପାତସୁଖ ଉଦ୍ଦେଶ୍ୟରେ କାର୍ଯ୍ୟ । ବୁଝି ପାରୁଥିବ, ଏ ସବୁ କ୍ରିୟାବିଧାନରେ ମନୁଷ୍ୟ ପ୍ରାୟ ଇତର ଜନ୍ତୁ ସଙ୍ଗେ ସମାନ । ଏ ଜୀବ ମାତ୍ରର ସହଜ ଚରିତ୍ର । ଭୌତିକ ପିଣ୍ଡର ସୁଖ ହିଁ ଜୀବମାତ୍ରର ଇଚ୍ଛା । ଏ ଚରିତ୍ରରେ ମନୁଷ୍ୟର ତାହା ହିଁ ଉଦ୍ଦେଶ୍ୟ କହିଲେ ଚଳେ । 

କିନ୍ତୁ ଏହିଠାରେ ଗୋଟିଏ କଥା ମନେ ରଖିବାକୁ ହେବ । ମନୁଷ୍ୟ କେବଳ ବଞ୍ଚିବା ପାଇଁ ବଞ୍ଚି ନାହିଁ । କେବଳ ଶରୀର ଧାରଣ ରୂପ ଭୌତିକ, ଜୀବନକ୍ରିୟାରେ ତାହାର ଜୀବନ ପରିସମାପ୍ତ ନୁହେଁ । କେବଳ ଆହାର ବିହାର ନିଦ୍ରା ଆମୋଦ ପ୍ରଭୃତି ଶାରୀରିକ କ୍ରିୟାରେ ସୁଖ ଲୋଡ଼ି ଜୀବନ କଟାଇବା ଏ ଜଗତରେ ତୁମ୍ଭର ଉଦ୍ଦେଶ୍ୟ ନୁହେଁ । ଏକଥା ସମସ୍ତେ ଅନୁଭବରେ ଜାଣ । ତେଣୁ ବୁଝାଇବାର ବିଶେଷ ପ୍ରୟୋଜନ ନାହିଁ ।

ମନ ହିଁ ମାନବର ବିଶେଷତ୍ୱ । ଶାରୀରିକ ଜୀବନ କ୍ରିୟାରେ ମନୁଷ୍ୟ ଗୋଟିଏ ଇତର ଜନ୍ତୁ ପରି । ମାନସ ପ୍ରକ୍ରିୟା ଓ ବିଚାରଶକ୍ତି ତାହାର ଅଧିକ । ତାହାର ଅତୀତର ସ୍ମୃତି ଥାଏ, ଏବଂ ସେ ଭବିଷ୍ୟତ କଳ୍ପନା କରି ଦେଖେ । ଇତର ଜନ୍ତୁମାନଙ୍କର ଜୀବନକ୍ରିୟା ଜୀବନମାତ୍ରର ସହଜ ଚରିତ୍ର । ବର୍ତ୍ତମାନରେ ସୀମାବଦ୍ଧ । ଅର୍ଥାତ୍ ଯେତେବେଳେ ଯାହା ଆଗରେ ପଡ଼େ, ତାହା ହିଁ ସେମାନେ କରି ଯାଆନ୍ତି ଭୂତ ଭବିଷ୍ୟତ ସେମାନେ ବୁଝନ୍ତି ନାହିଁ । କିନ୍ତୁ ମନୁଷ୍ୟର କ୍ରିୟା ବିସ୍ତୀର୍ଣ୍ଣ । ମନୁଷ୍ୟର ଜୀବନ ଏକ ବିରାଟ ବସ୍ତୁ । 

ଏତିକି ନୁହେଁ, ମାନବଜୀବନ ଏତିକି ମାତ୍ର ଅତୀତ ଓ ଭବିଷ୍ୟତରେ ସୀମାବଦ୍ଧ ନୁହେଁ । ଏହି ଅତୀତ ଫଳରେ ଓ ଭବିଷ୍ୟତ କଳ୍ପନା ସଙ୍ଗେ ତୁମ୍ଭର ପରିବାର ଅଛି, ସମାଜ ଅଛି, ଜାତି ଅଛି, ଧର୍ମ ଅଛି । ତୁମ୍ଭେ ନିଜେ ନିଜ କଥା ଭାବିଲା ବେଳେ, କେବଳ ନିଜ କଥା ଭାବ ନାହିଁ । ଏ ସମସ୍ତଙ୍କ କଥା ମଧ୍ୟ ଭାବ । ସମସ୍ତଙ୍କ ପ୍ରତି ତୁମ୍ଭର କର୍ତ୍ତବ୍ୟ ଅଛି ବୋଲି ମନେ କର । ମୋ ଦ୍ୱାରା ପରିବାରର ଗୌରିବ ହେବ, ଜାତିର ମହତ୍ତ୍ୱ ବଢ଼ିବ, ସମାଜର ମଙ୍ଗଳ ହେବ, ପ୍ରଭୃତି କଳ୍ପନା ପଦେ ପଦେ ତୁମ୍ଭ ଜୀବନକୁ ଅନୁପ୍ରାଣିତ କରି ରଖି ଅଛି ।

ବି.ଦ୍ର.ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ 

ଚରିତ୍ରଂ ହି ପରଂ ବଳଂ” - ୪

ଗୋପବନ୍ଧୁ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ମନୁଷ୍ୟ ପଦେ ପଦେ କ୍ରିୟାର ଗତି ଫେରାଉ ଅଛି । କିନ୍ତୁ ସେ ଫେରାଇବାରେ ଟିକିଏ ବିଶେଷତ୍ୱ ଅଛି । ଇଚ୍ଛାର ସଂଯମରେ ସେ ନିଜକୁ ଗଢ଼ୁ ଅଛି । ସେ ସବୁଥିରେ ମଧ୍ୟ ତାହାର ଗୋଟିଏ ଉପେୟ ବା ଆଦର୍ଶ ଅଛି । ସେହି ଆଦର୍ଶ କଷଟିରେ ମାପି ସେ ତାହାର କ୍ରିୟାପନ୍ଥା ସ୍ଥିର କରୁଅଛି । ଏଠାରେ ମଧ୍ୟ ସୂକ୍ଷ୍ମ ପରୀକ୍ଷା କଲେ ଦେଖା ଯିବ, ସେହି ଭୟ ହିଁ ଇଚ୍ଛା ସଂଯମର ହେତୁ । ଗୋଟିଏ କାର୍ଯ୍ୟ କରିବାକୁ  ହଠାତ୍ ଇଚ୍ଛା ହେଲେ, ସଙ୍ଗେସଙ୍ଗେ ଅଜ୍ଞାତ ଭାବରେ ଆମ୍ଭେମାନେ ଜୀବନର ଆଦର୍ଶ ପ୍ରତି ଦୃଷ୍ଟି ଦେଉ । ଯଦି ଉପସ୍ଥିତ ଈପ୍‌ସିତ କାର୍ଯ୍ୟଟିର ଆମ୍ଭେମାନେ ଜୀବନାଦର୍ଶରୁ ବ୍ୟତିକ୍ରମ ହେବାର ଆଶଙ୍କା ଦେଖୁ, ତେବେ ସେ କାର୍ଯ୍ୟକୁ ଇଚ୍ଛାକୁ ଫେରାଇ ଆଣୁ ।

ସେତେବେଳେ ଆମ୍ଭର ସେହି ଭୟ ହୁଏ ସତ । କିନ୍ତୁ, ଏ ଭୟ ସର୍ବଦା ଠିକ ମରଣର ଭୟ ନୁହେଁ । ଏହାକୁ ବର‌ଂ ନୈତିକ ମରଣର ଭୟ ବୋଲି କୁହା ଯାଇ ପାରେ । କାର୍ଯ୍ୟଟି କରି ଉଦ୍ଦେଶ୍ୟରୁ ଭ୍ରଷ୍ଟ ହେଲେ, ଆମ୍ଭେ ବିଚାରୁ ଜୀବନ ଲକ୍ଷ୍ୟପଥ ହୁଡ଼ି ବିପଥକୁ ଯିବ ଏବଂ ନଷ୍ଟ ହୋଇ ଯିବ । ଅର୍ଥାତ୍, ଆମ୍ଭେ ଯେଉଁ ଜୀବନ ଲାଭ କରିବୁ ବୋଲି ବିଚାରିଛୁ, ସେ ଜୀବନ ପାଇବୁ ନାହିଁ । ଏହି ଈପ୍‌ସିତ ଜୀବନନାଶ ଭୟ ସବୁବେଳେ ଆମ୍ଭେମାନେ ଜୀବନର କ୍ରିୟା ବିଧାନ କରୁଅଛି । 

ସ୍ଥୂଳତଃ ଈପ୍‌ପିତ ଜୀବନର ଶ୍ରୀବୃଦ୍ଧି ସାଧନ କରିବା ହିଁ ଆମ୍ଭମାନଙ୍କର ଉଦ୍ଦେଶ୍ୟ । ସେହି ଉଦ୍ଦେଶ୍ୟ ଘେନି ଆମ୍ଭେମାନେ ନିରବଚ୍ଛିନ୍ନ କର୍ମ ପରମ୍ପରାରେ ଜୀବନ ଚଳାଉଅଛୁ । ଆଗରେ ଯେପରିକି ଗୋଟିଏ ଆଦର୍ଶ ଅଛି । ଆମ୍ଭେମାନେ ବିଚାରୁଛୁ ଆମ୍ଭେ ଜୀବନରେ ଏହା ହେବୁ ବା ପାଇବୁ ଏବଂ ସେହି ଆଦର୍ଶ ଲଭିବାକୁ ହିଁ ଜୀବନର ସମସ୍ତ କାର୍ଯ୍ୟ ଲକ୍ଷ୍ୟ କରୁଅଛୁ । ଜୀବନର ସମସ୍ତ କ୍ରିୟା ଓ ଇଚ୍ଛା ସଂଯମର ଲକ୍ଷ୍ୟ ସ୍ୱରୂପ ସେହି ଆଦର୍ଶ ତେବେ କଅଣ ?

ବିଧାତାଙ୍କ ନିର୍ଦ୍ଦିଷ୍ଟ ବିଧାନରେ ଜୀବନ ହିଁ ଜୀବନର ଆଦର୍ଶ । ବଞ୍ଚି ରହିବା ହିଁ ପ୍ରାଣୀ ମାତ୍ରର ଚରମ ଲକ୍ଷ୍ୟ । ପକ୍ଷାନ୍ତରେ ମରଣ ଜୀବନର ହେୟ ଓ ପରିତ୍ୟାଜ୍ୟ । ପ୍ରାଣୀ ମରଣ ଇଚ୍ଛା କରେ ନାହିଁ । ମରଣ ହିଁ ତାହାର ମୁଖ୍ୟତଃ ଓ ସ୍ଥୂଳତଃ ସମସ୍ତ ଭୟର ହେତୁ । ସେହି ମରଣ ଏଡ଼ିବା ପାଇଁ ତଥା ବଞ୍ଚି ରହିବାର ସୁବିଧା ପାଇଁ ପ୍ରାଣୀ ସବୁବେଳେ ନିଜର ନିତ୍ୟ ସମ୍ୱନ୍ଧ । ପ୍ରାଣୀର ଜୀବନ ସୁଖ ଓ ମରଣ ଦୁଃଖ । ସୁଖ ପାଇଲେ ମନେ ହୁଏ, ଜୀବନର ଅଭିବୃଦ୍ଧି ହେଉ ଅଛି । ଜୀବନ ଓ ମରଣ ସଙ୍ଗେ ସୁଖ ଓ ଦୁଃଖର ନିତ୍ୟ ସମ୍ୱନ୍ଧ । ପ୍ରାଣୀର ଜୀବନ ସୁଖ ଓ ମରଣ ଦୁଃଖ । ସୁଖ ପାଇଲେ ମନେ ହୁଏ, ଜୀବନର ଅଭିବୃଦ୍ଧି ହେଉ ଅଛି । ଦୁଃଖ ପାଇଲେ ମନେ ହୁଏ, ଜୀବନ ନାଶ ପାଉ ଅଛି ।

ସେଥି ପାଇଁ ସୁଖ ହିଁ ଜୀବନର ନିକଟତମ ଉପେୟ । ସମସ୍ତେ ସୁଖ ପାଇବାକୁ ଇଚ୍ଛା କରନ୍ତି । ତେଣୁ ସୁଖ ପାଇବା ପନ୍ଥାରେ ବ୍ୟାଘାତ ହେଲେ କାର୍ଯ୍ୟରୁ ଇଚ୍ଛା ଫେରାଇବାର ଆପାତ ପ୍ରବୃତ୍ତି ମାନବ ମନରେ ହଠାତ୍ ଜାଗି ଉଠେ, କର୍ମହୀନ ହୋଇ ବସି ରହିବାକୁ ସୁଖ ଲାଗେ । ତେଣୁ ଅଳସୁଆ ହେବା ସହଜ ଇଚ୍ଛା । ସେଥିରୁ ଇଚ୍ଛା ଫେରାଇବାକୁ ସାଧନା ଆବଶ୍ୟକ ହୁଏ ।

ଏହି ଆପାତ ସୁଖ ଦୁଃଖ ରୂପ ମାପକାଠିରେ ବିଧାତାଙ୍କ ଜୀବରାଜ୍ୟ ଚଳୁଅଛି । ଜୀବ ମାତ୍ରେ ସୁଖ ଖୋଜୁ ଅଛନ୍ତି । ସୁଖ ପାଇଁ କର୍ମ କରନ୍ତି । ଦୁଃଖ ହେଲେ ତାହାର ନିବୃତ୍ତି ପାଇଁ ବ୍ୟାକୁଳ ହୁଅନ୍ତି ଏବଂ ସେହି ବ୍ୟାକୁଳତାରେ କ୍ରିୟା ବିଧାନ କରନ୍ତି । କ୍ଷୁଧା ଗୋଟିଏ ଦୁଃଖ । ତାହାର ନିବାରଣ ପାଇଁ ଜୀବ ମାତ୍ର ଆହାର ଅନ୍ୱେଷଣ କରି ବୁଲନ୍ତି । ଅତି ଶ୍ରମରେ ଶ୍ରାନ୍ତି ହୁଏ । ସେହି ଶ୍ରାନ୍ତି ଏକ ଦୁଃଖ ତାହାର ନିବାରଣ ପାଇଁ ଜୀବ ବିଶ୍ରାମ ଲୋଡ଼େ ଓ ଶୁଏ । ଏହିପରି ଦୈନନ୍ଦିନ କ୍ରିୟାରେ ଏହି ସାଧାରଣ ବା ସହଜ ଚରିତ୍ର ଦେଖା ଯାଏ । ଏହି ସହଜ ଚରିତ୍ର ହିସାବରେ ଦେଖିଲେ, ମାନବ ଇତର ଜନ୍ତୁ ସଙ୍ଗେ ସମାନ । ମାନବ ଯେତେ କାର୍ଯ୍ୟ କରେ ସବୁଥିରେ ତାହାର ଏହି ଉଦ୍ଦେଶ୍ୟ ଦେଖା ଯାଏ ।

ବି.ଦ୍ର.ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ 

Saturday, September 15, 2018

ଚରିତ୍ରଂ ହି ପରଂ ବଳଂ” - ୩


ଗୋପବନ୍ଧୁ ଦାସ


ଚିତ୍ର - 'ସ୍କେଚ୍ ଅଫ୍ ଏ ଟ୍ରି'
ଟିତ୍ରକର - ଲାଡ଼ିସ୍ଲାଭ୍ ମେଦ୍ଂନିଆନ୍‌ଜ୍‌ସ୍କି (୧୮୫୨-୧୯୧୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯାହାର ଆଭ୍ୟନ୍ତରିଣ ଇଚ୍ଛାଶକ୍ତି ବା କର୍ମପ୍ରୟାସ ଯେ ପରିମାଣରେ ସୁସଞ୍ଜତ, ସେ ସେହି ପରିମାଣରେ ଚରିତ୍ରବାନ । ମନ୍ଦ କାର୍ଯ୍ୟରୁ ନିବର୍ତ୍ତାଇ ଇଚ୍ଛାକୁ ଭଲ କାର୍ଯ୍ୟରେ ପ୍ରବର୍ତ୍ତାଇବାର ଚେଷ୍ଟା, ଚରିତ୍ରଗଠନର ମୂଳମନ୍ତ୍ର । ସେଥି ପାଇଁ କହୁଥିଲି, ଆଜି ଯେ ସଭାକୁ ଆସିବା ନ ଆସିବା ତୁମ୍ଭର ଇଚ୍ଛାଧୀନ ହୋଇ ଅଛି, ଏହି ସ୍ୱାଧୀନ ଇଚ୍ଛାର ସୁସଞ୍ଜମ ଓ ସୁପରିଚାଳନାରେ ତୁମ୍ଭେ ଚରିତ୍ରଗଠନର ଶ୍ରେଷ୍ଠ ଦୀକ୍ଷା ପାଇବ । ଯେବେ ସଭାକୁ ଆସିବା ତୁମ୍ଭ ଜୀବନ ପକ୍ଷରେ ଭଲ ନୁହେଁ ବୋଲି ଭାବ, ଯେବେ ଏଠାକୁ ଆସିଲେ ତୁମ୍ଭର କିଛି ଲାଭ ହେବ ନାହିଁ, ଜୀବନ ଉନ୍ନତିରେ କିଛି ସାହାଯ୍ୟ ମିଳିବ ନାହିଁ ବୋଲି ସ୍ଥିର କର, ତେବେ ସଭାକୁ ନ ଆସ । 

ପକ୍ଷାନ୍ତରେ ଯେବେ ସଭାକୁ ଆସିବା ସର୍ବତୋଭାବରେ ତୁମ୍ଭର ଉଚିତ ବୋଲି ତୁମ୍ଭେ ମନେ କରୁ ଅଛ, ଅଥଚ ଆଳସ୍ୟ ଅମନୋଯୋଗିତା ବା ଦୁରାଗ୍ରହ ବଶରୁ ସଭାକୁ ଆସିବାକୁ ତୁମ୍ଭର ଇଚ୍ଛା ହେଉ ନାହିଁ, ତେବେ ବଦ୍ଧପରିକର ହୋଇ ଆଳସ୍ୟଜନିତ ସେ ଅସଦିଚ୍ଛାକୁ ସଂଯତ କରି ସଭାକୁ ଆସିବା ଦିଗକୁ ତୁମ୍ଭର ଇଚ୍ଛା ଚଳାଅ । ଇଚ୍ଛାର ଏହି ସଂଯମ ଅଭ୍ୟାସ କରିବାର ତୁମ୍ଭର ଚରିତ୍ର ଦୃଢ଼ ସବଳ ଓ ଉନ୍ନତି ହୋଇ ଉଠିବ । ଥରେ ଇଚ୍ଛାକୁ ସୁସଞ୍ଜତ କରିବାକୁ ବଦ୍ଧପରିକର ହେଲେ, ଦୃଢ଼ତାର ସହିତ ତାକୁ ସୁମାର୍ଗରେ ଚଳାଇବାକୁ ଶିଖିଲେ, ଅଭ୍ୟାସରେ କ୍ରମେ ଏ ସଂଯମ ତୁମ୍ଭ ପକ୍ଷରେ ସୁରାମ ଓ ସୁକର ହେବ ତୁମ୍ଭର ଆଳସ୍ୟ ଓ ଦୁରାଗ୍ରହ ଅପସାରିତ ହେବ । 

କାଳରେ ତୁମ୍ଭେ କୌଣସି ସାଧନରେ ଏହି ନିଷ୍ଠା ଓ ଐକାନ୍ତିକତା ହିଁ ଚରିତ୍ରର ଏକମାତ୍ର ଲକ୍ଷଣ । ଏଥିରେ ହିଁ ମାନବର ପ୍ରକୃତ ମାନବତ୍ୱ । ଇଚ୍ଛାର ବିହିତ ସଂଯମ ନିମନ୍ତେ ଏହି ଯେ ଉଦ୍ୟମ ଓ ପ୍ରାଣପଣ ଯତ୍ନ ତାହା ହିଁ ଚରିତ୍ର ଗଠନରେ ସାଧନା । ଏ ସାଧନାରେ ଥରେ ସିଦ୍ଧି ଲଭି ପାରିଲେ, ଏ ଅଭ୍ୟାସ ସ୍ୱଭାବରେ ପରିଣତ ହେଲେ, କର୍ତ୍ତବ୍ୟ ହିଁ ମାନବର ସହଜ ଧର୍ମ ପରି ହୋଇଥାଏ । ସଂଯମରେ ଆଗ୍ରହ ଆତ୍ମାପ୍ରସାଦ ଆସେ, ଚରିତ୍ର ପୂର୍ଣ୍ଣ ବିକାଶ ପାଏ ।

ଇଚ୍ଛାକୁ ସଂଯମ ମାନବର କର୍ତ୍ତବ୍ୟ । ଏହି କର୍ତ୍ତବ୍ୟ ସାଧନାରେ ଚରିତ୍ର ଗଠିତ ହୁଏ ଏକଥା ତ ଶୁଣିଲ । କିନ୍ତୁ ଇଚ୍ଛାର କିପରି ସଂୟମ କରିବ ? କାହିଁକି ବା ତାହା କରିବ ଏ କଥା ହୁଏ ତ ଅନେକେ ବୁଝି ନାହଁ । ଟିକିଏ ବୁଝାଇ କହି ଦେବା ପ୍ରୟୋଜନ । ସଂଯମର ଗୋଟିଏ ମାନ ରହିବା ଉଚିତ । କର୍ତ୍ତବ୍ୟ ନିର୍ଦ୍ଦଷ୍ଟ ହେବା ବିଧେୟ । ତାହା ନ ହେଲେ ସ୍ୱାଧୀନ ମାନବର ଇଚ୍ଛା ତଥା କ୍ରିୟାରାଶି ଉଦ୍ଦାମ ଓ ବିଶୃଙ୍ଖଳ ହେବ । 

ସଂଯମର ସେ ମାନ, କର୍ତ୍ତବ୍ୟରେ ସେ ନିର୍ଦ୍ଦିଷ୍ଟତା ତେବେ କାହିଁରେ? ଇତର ପ୍ରାଣୀମାନଙ୍କ ମଧ୍ୟରେ କିଞ୍ଚିତ ଇଚ୍ଛାର ଆପାତ ସଂଯମ ଦେଖାଯାଏ । ଏହା ଶୁଣି ଅଛି ଏବଂ ବୋଧ ହୁଏ ବୁଝି ଅଛି କୌଣସି ଭୟର କାରଣ ସ୍ପଷ୍ଟ ଉପସ୍ଥିତ ହେଲେ, ସେମାନେ ସେହି ମୁହୂର୍ତ୍ତ ପାଇଁ ଇଚ୍ଛାର ଗତି ଫେରାଇ ଥାଆନ୍ତି । ବାଡି ଦେଖାଇ ଦେଲେ ବିରାଡି ଦୁଧ ପିଏ ନାହିଁ । ଟେକା ପକାଇଦେଲେ ମାଙ୍କଡ଼ ଫଳ ଖାଇବା ଛାଡି ପଳାଇ ଯାଏ । 

ଏମନ୍ତ କି ବୃକ୍ଷରାଜ୍ୟରେ ମଧ୍ୟ ତାହା ଦେଖାଯାଏ । ଗଛକୁ ଅନ୍ଧାରରେ ରଖି ଦେଲେ ତାହା ଆଲୁଅ ଆଡ଼କୁ ଡାଳ ମେଲାଇ ଦିଏ । ଖତ ଯେଉଁଠାରେ ଥାଏ, ଚେର ସେହି ଆଡ଼କୁ ସ୍ୱତଃ ଲମ୍ୱି ଯାଏ । ଆମ୍ଭେମାନେ ଯେତେ ଦୂର କହି ପାରୁ, ଏ ସବୁ ବିଧାତାଙ୍କର ନିତ୍ୟ ନିୟମରେ ହୁଏ । ତଥାପି ଏଠାରେ ମଧ୍ୟ ଇଚ୍ଛା ସଂଯମର ଗୋଟିଏ ନୀତି ଅନୁସନ୍ଧାନ କରା ଯାଇ ପାରିବ । କ୍ଲେଶ ବା ମରଣର ଭୟ ଏଡ଼ିବା ପାଇଁ ସେମାନେ ଇଚ୍ଛା ଫେରାଇ ଦିଅନ୍ତି । 

ଜୀବନର ଶ୍ରାବୃଦ୍ଧି ଅର୍ଥାତ୍ ବଞ୍ଚି ରହିବାର ବାସନା ସେମାନଙ୍କର ଯେପରି କି ଜୀବଲୀଳାର ଉପେୟ, ବଞ୍ଚିବାର ଉଦ୍ଦେଶ୍ୟ । ସେହି ଉପେୟ ଲାଭ ପନ୍ଥାରେ ବାଧା ଘଟିଲେ ସେମାନେ କର୍ମର ଗତି ଫେରାଇ ଦିଅନ୍ତି । ମୁହୂର୍ତ୍ତକ ପାଇଁ ସେମାନେ ଗତି ଫେରାଇ ଦିଅନ୍ତି ସତ, କିନ୍ତୁ ତାହା ସେମାନଙ୍କର ସ୍ଥାୟୀ ହୁଏ ନାହିଁ । ସେମାନଙ୍କର ଜ୍ଞାନ ମାତ୍ର ଥାଇ ପାରେ, ଚିନ୍ତା କରି ବିଚାର କରି କାର୍ଯ୍ୟ କରିବାର ଶକ୍ତି ନାହିଁ । ଯେଉଁ ଭୟରେ ସେମାନେ କ୍ରିୟାର ଗତି ଫେରାନ୍ତି, ତାହା କେବଳ ଭୌତିକ ଭୟ ମାଡ଼ ଖାଇବାର ଭୟ ବା ମରି ଯିବାର ଭୟ ।

ବି.ଦ୍ର.ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ