Monday, September 17, 2018

ଚରିତ୍ରଂ ହି ପରଂ ବଳଂ” - ୬


ଗୋପବନ୍ଧୁ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତୁମ୍ଭର ଆତ୍ମା ଏ ସବୁଥିରେ ବ୍ୟାପ୍ତ । ପ୍ରାଣ ସର୍ବଦା ଆତ୍ମପ୍ରସାରରେ ଉନ୍ମୁକ୍ତ । ଏହି ବିସ୍ତୀର୍ଣ୍ଣ ଆତ୍ମା ହିଁ ତୁମ୍ଭର ବ୍ୟକ୍ତିତ୍ୱ । ଏଥିରେ ହିଁ ତୁମ୍ଭର ଚରିତ୍ର ପ୍ରତିଭାତ ହୁଏ । ତୁମ୍ଭର ପ୍ରତ୍ୟେକ କାର୍ଯ୍ୟ ନିମନ୍ତେ ତୁମ୍ଭେ ଏ ସମସ୍ତଙ୍କ ପାଖରେ ଦାୟୀ । ପବିତ୍ର ଭାରତ ସନ୍ତାନ, ତୁମ୍ଭର ଏ ମଧ୍ୟ ଗୋଟିଏ ବିଶେଷ ସୁଯୋଗ । ପରିବାର, ସମାଜ ଜାତି ଧର୍ମ ପ୍ରଭୃତି ଏ ଦେଶରେ ଆଜିର ନୁହେଁ, ବହୁ କାଳର ଅଭ୍ୟାସ ଓ ଭୂୟୋଦର୍ଶନ ଫଳରେ ଏସବୁ ଏକ ପ୍ରକାର ସ୍ଥିର ହୋଇ ଅଛି । ଏ ସବୁରେ କିପରି ଚଳିବାକୁ ହେବ, କି ଉଦ୍ଦେଶ୍ୟରେ କାର୍ଯ୍ୟ କରିବାକୁ ହେବ, ସେ ସବୁ ତୁମ୍ଭଙ୍କୁ ଶିଖିବାକୁ ହେବ ନାହିଁ । ଏ ସବୁରେ ତୁମ୍ଭର ଜୀବନର ଉଦ୍ଦେଶ୍ୟ ଗଢ଼ା ହୋଇ ଅଛି, କର୍ତ୍ତବ୍ୟ ନିଦ୍ଦିଷ୍ଟ ହୋଇ ଅଛି । ତୁମ୍ଭର ଅତୀତ ସ୍ମୃତି ଦୃଢ଼ ଅଛି ଏବଂ ସେହି ସ୍ମୃତିବଳରେ ପୁରୋଦୃଷ୍ଟି ଫିଟି ଅଛି । ସେ ଅତୀତ ଓ ଭବିଷ୍ୟତ କଳ୍ପନାରେ ନିଜର ସାଧୁ ଆଲୋଚନା ମିଶାଇ ତୁମ୍ଭେ ଜୀବନର ଉଦ୍ଦେଶ୍ୟ ସ୍ଥିର କରିବ ଏବଂ ସେହି ଉଦ୍ଦେଶ୍ୟ ନିକଟରେ ତୁମ୍ଭର ଇଚ୍ଛାଶକ୍ତିର ସଂଯମ ବିଧାନ କରିବ, ଚରିତ୍ର ଗଠନ କରିବ ।

କିନ୍ତୁ ସ୍ଥୁଳଭାବରେ ଦେଖିଲେ ଦେଖା ଯାଏ, ଜଗତରେ କୌଣସି ଦୁଇ ବ୍ୟକ୍ତିର ଉଦ୍ଦେଶ୍ୟ ସମାନ ନୁହେଁ । ତୁମ୍ଭ ମଧ୍ୟରେ ମଧ୍ୟ ପ୍ରତ୍ୟେକର ସ୍ୱତନ୍ତ୍ର ଉଦ୍ଦେଶ୍ୟ ଥିବ । ସେଥିରେ କାର୍ଯ୍ୟ ମଧ୍ୟ ସ୍ୱତନ୍ତ୍ର ହେବ । କିଏ ଇଞ୍ଜିନିଅର ହେବ ବୋଲି ଅଙ୍କ ପ୍ରତି ଏହି ଦିନୁ ବିଶେଷ ଶ୍ରଦ୍ଧାବାନ୍ । କିଏ ଡାକ୍ତର ହେବ ବୋଲି ସ୍ୱାସ୍ଥ୍ୟରକ୍ଷା ଭଲ କରି ଆଲୋଚନା କରେ । କିଏ ବା ବଣିକ କିମ୍ୱା ବ୍ୟବସ୍ଥାଦାତା ହେବା ପାଇଁ ଭୂଗୋଳ ଓ ଇତିହାସରେ ବେଶି ଶ୍ରଦ୍ଧା ଦେଖାନ୍ତି । 

ଏଥିରେ ଯେ ଚରିତ୍ରର ସ୍ୱାତନ୍ତ୍ର୍ୟ ଫୁଟି ନ ଉଠେ ନୁହେଁ । ମାତ୍ର ଏ ସ୍ୱାତନ୍ତ୍ର୍ୟ ମାନବ ଚରିତ୍ରରେ ଗୌଣ ସ୍ୱାତନ୍ତ୍ର୍ୟ । ସାଧାରଣ ସାମାଜିକ ମାନବର କେତେକ ନିତ୍ୟ ଓ ସ୍ଥିର ଉଦ୍ଦେଶ୍ୟ ଅଛି, ଏବଂ ସେ ମଧ୍ୟରୁ କେତେକ ପୁଣି ସମସ୍ତ ମାନବ ଜାତି ପକ୍ଷରେ ଏକାନ୍ତ ଉପାଦେୟ । ସେଥିରେ ହିଁ ପ୍ରକୃତି ମାନବ ଚରିତ୍ରର ବିକାଶ । ସତ୍ୟ କହିବା, ବ୍ୟବହାରରେ ସତ୍ ହେବା, ମାନବ ପ୍ରତି ଅନୁକମ୍ପା ପ୍ରକାଶ କରିବା, ପ୍ରଭୃତି କେତେଗୁଡ଼ିକ କର୍ତ୍ତବ୍ୟ, ମାନବର ସ୍ଥିର ଚରିତ୍ରର ବିକାଶ । ଭାବ, ଦେଖିବ, ସେସବୁ ନ ହେଲେ ଦିନେ ମାନବର ସ୍ଥିତି ଅସମ୍ଭବ ହୋଇ ପଡ଼ିବ, କେହି କାହାରିକୁ ବିଶ୍ୱାସ କରିବେ ନାହିଁ । ଫଳରେ ମାନବସମାଜ ବିଶୃଙ୍ଖଳ ହେବ । ତେଣୁ ଏସବୁ ବିଧାତାଙ୍କର ବିଧାନ । ସେହି ମଙ୍ଗଳମୟଙ୍କ ନିର୍ଦ୍ଦେଶରେ ମାନବ ଏସବୁ କର୍ତ୍ତବ୍ୟର ଅଧିକାରୀ । ସେହି ନିର୍ଦ୍ଦେଶରେ ଜୀବ ଯନ୍ତ୍ର ପରି ଚଳେ, ମାତ୍ର ମାନବ ବୁଝିବିଚାରି ଉଦ୍ଦେଶ୍ୟରେ କ୍ରିୟା ଚଳାଏ ।

ଏ ସମସ୍ତ ମଧ୍ୟରେ ବିଧାତା ହିଁ ଆମ୍ଭର ଚରମ ଆଦର୍ଶ । ତାଙ୍କର ଅନନ୍ତ ଦୟା ଓ ଅନନ୍ତ ସ୍ନେହ କରୁଣା ଓ ପ୍ରେମରେ ସୃଷ୍ଟି ଚଳୁ ଅଛି । ସେ ଜଗତ ଚଳାଉ ଅଛନ୍ତି । ଜୀବ ଜଡ଼ । ସବୁ ସୃଷ୍ଟି କରି ସେ ସବୁକୁ ଚଳାଉ ଅଛନ୍ତି । ତାଙ୍କରି କରୁଣା ଓ ପ୍ରେମରେ ସୃଷ୍ଟି ମଧୁମୟ । ସେହି ପ୍ରେମ ନିର୍ଦ୍ଦେଶରେ ଯେପରି କି ସୂର୍ଯ୍ୟ ଜଗତକୁ କିରଣ ଦିଏ, ତାରାମାନେ ଜଳନ୍ତି, ଚନ୍ଦ୍ରିକା ପାଇଲେ କୁମୁଦିନୀ ହୃଦୟ ଫିଟାଇ ଦିଏ । ସେହି ପ୍ରେମବଳରେ ଡିମ୍ୱ ଦେବାର ସମୟ ହେଲେ, ପକ୍ଷୀ କାଠିକୁଟା ଲୋଡ଼େ । ଜୀବମାନଙ୍କ ପ୍ରତି ବିଧାତାଙ୍କର ଅନନ୍ତ ଦୟା ସେଥିରେ ସେ ସବୁ କରାଉ ଅଛନ୍ତି, ଚଳାଉ ଅଛନ୍ତି। ତାହା ନ ହେଲେ କେହି ରହିବେ ନାହିଁ । ସର୍ଗ ଚଳିବ ନାହିଁ । 

ଭାବି ଦେଖ ବିଧାତାଙ୍କର ଯେ ମହିମାମୟ ଅନନ୍ତ କରୁଣା ଓ ପ୍ରେମ ଜଗତକୁ ନିତ୍ୟ ବିଭାସିତ କରି ରଖି କି ଅନନ୍ତ ନିଗୁଢ଼ ନିର୍ଦ୍ଦେଶରେ ଚଳାଉ ଅଛି, ସେହି ପ୍ରେମବଳରେ ମନୁଷ୍ୟ ମନରେ ବୁଦ୍ଧି ଓ ବିଚାରଶକ୍ତି ବିକଶି ଉଠେ । ଅର୍ଥାତ୍, ଯେଉଁ ବୃଦ୍ଧି ଓ ବିଚାର ମନୁଷ୍ୟର ସ୍ୱାତନ୍ତ୍ର୍ୟ, ତାହା ସେ ବିଧାତାଙ୍କର କରୁଣାରେ ପାଇ ଅଛି । ବିଧାତା ସ୍ନେହରେ ଦୟାରେ ସ୍ୱାଧୀନ ଇଚ୍ଛାକୁ ସଂଯତ କରିବାର ଅଧିକାର ତାହାକୁ ଦେଇ ଅଛନ୍ତି । ଇତର ପ୍ରାଣୀଙ୍କୁ ତାହା ଦେଇ ନାହାନ୍ତି । ସେଥି ପାଇଁ ମନୁଷ୍ୟ ଯେବେ ସେ ବୃଦ୍ଧି ଓ ବିଚାରରେ ଇଚ୍ଛାର ବିହିତ ସଂଯମ ନ କରେ, ତେବେ ସେ ଇତର ଜନ୍ମଠାରୁ ହୀନ । ସେ ବିଧାତ ସର୍ଜନାରେ ପତିତ, ହୀନ ଓ ପଥଭ୍ରଷ୍ଟ ।

ଚରିତ୍ର ଗଠନ କଲା ବେଳେ, ଉଦ୍ଦେଶ୍ୟରେ ଇଚ୍ଛାକୁ ସଂଯତ କଲା ବେଳେ, ଆମ୍ଭେମାନେ ବଡ଼ବଡ଼ ଉନ୍ନତ-ଚରିତ୍ର ଲୋକଙ୍କ କଥା ମନେ ପକାଉ। ସେହିମାନଙ୍କୁ ମନେ ମନେ ଆଦର୍ଶ କରୁ । ସେଥି ପାଇଁ ଇତିହାସ ଓ ଜୀବନଚରିତ ଆଲୋଚନା କଲେ, ଚରିତ୍ର ଉନ୍ନତ ହୁଏ ବୋଲି, ତୁମ୍ଭମାନଙ୍କୁ କେତେ ଉପଦେଶ ଦିଆ ଯାଏ । ବୁଦ୍ଧ, ଚୈତନ୍ୟ, ଇଶା, ଜନକକୃଷ୍ଣ, ରାମଚନ୍ଦ୍ର, ପ୍ରତାପ, ବିକ୍ରମାଦିତ୍ୟ ପ୍ରଭୃତିଙ୍କ ଚରିତ୍ରରୁ ଶିକ୍ଷା କରିବାକୁ ହୁଏ । ସେହିମାନଙ୍କ ଜୀବନକୁ ଉଦ୍ଦେଶ୍ୟ କରି ଇଚ୍ଛା ଗଢ଼ିବାକୁ ହୁଏ । ଆମ୍ଭେମାନେ କହୁଁ, ସେମାନେ ଈଶ୍ୱରାଂଶରେ ଲୋକ । ବାସ୍ତବିକ ସେ ସବୁ ଜୀବନରୁ ପଦେ ପଦେ ଆମ୍ଭର ଶିଖିବାର ଅଛି, ସେମାନଙ୍କ ଜୀବନ ଆଲୋଚନା କରି ଚରିତ୍ର ଗଢ଼ିବାର ଅଛି । ସେ କଥା ତୁମ୍ଭେମାନେ ଯଥାସାଧ୍ୟ କରୁଥିବ । କିନ୍ତୁ ଜୀବନର ଏ ସମସ୍ତ ଆଦର୍ଶର ଆଦର୍ଶ କିଏ ?

ବି.ଦ୍ର.ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ 

No comments:

Post a Comment