Tuesday, September 11, 2018

ଚରିତ୍ରଂ ହି ପରଂ ବଳଂ” - ୨


ଗୋପବନ୍ଧୁ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବାଳକମାନେ ତୁମ୍ଭମାନଙ୍କ ପକ୍ଷରେ ଏ କଥା ବୁଝିବା ଟିକିଏ କଷ୍ଟସାଧ୍ୟ ହୋଇ ପାରେ । କିନ୍ତୁ ଭାବ ଦେଖି, ତୁମ୍ଭର କୌଣସି କାରଣରୁ ହେଉ ବା ଲୋଭରେ ହେଉ, କିମ୍ୱା ଅନ୍ୟର ପ୍ରବର୍ତ୍ତନାରେ ହେଉ, ତୁମ୍ଭେ ସେ କାର୍ଯ୍ୟ କରିବାକୁ ଗଲ । ହୁଏ ତ କହିଲ ବା ମନେ କଲ, ମୁଁ ଅନିଚ୍ଛାରେ ଏ କାର୍ଯ୍ୟ କଲି । କିନ୍ତୁ ଭାବ ଦେଖି, ଅନିଚ୍ଛାରେ କଲି ଏ କଥାର ଅର୍ଥ କଅଣ ? ତୁମ୍ଭର ତ କାର୍ଯ୍ୟଟି କରିବାକୁ ଇଚ୍ଛା ନ ଥିଲା; ତୁମ୍ଭେ କରିବାରେ ପ୍ରବର୍ତ୍ତିଲ କିପରି ? ଇଚ୍ଛା ନ ଥିଲା ନୁହେଁ । ତୁମ୍ଭେ ବରଂ କହି ପାର, ଅନିଚ୍ଛା ସତ୍ତ୍ୱେ ତୁମ୍ଭେ କାର୍ଯ୍ୟରେ ପ୍ରବର୍ତ୍ତିଲ । ତାହାର ଅର୍ଥ, ପ୍ରଥମେ ତୁମ୍ଭର କୌଣସି ପ୍ରକାରେ ଇଚ୍ଛା ସେହି ଆଡ଼କୁ ହୋଇ ନ ଥିଲା କି ? ଇଚ୍ଛା ନ ଥାଇ କାର୍ଯ୍ୟଟି କରି ଅଛ କି? କାର୍ଯ୍ୟଟି କରିବାକୁ ଇଚ୍ଛାର ଉଦ୍ରେକ ଆଦୌ ହୋଇ ନ ଥିଲେ, ତୁମ୍ଭେ ସେ କାର୍ଯ୍ୟ କରିବାକୁ କେବେ ପ୍ରବର୍ତ୍ତିଥାଆନ୍ତ କି 

ଠିକ ଆଲୋଚନା କରି ଦେଖ ବୁଝିବ, ଭୟରେ ହେଉ, ଶ୍ରଦ୍ଧାରେ ହେଉ, ଲୋଭରେ ହେଉ ବା ପ୍ରବର୍ତ୍ତନାରେ ହେଉ, ତୁମ୍ଭେ ପ୍ରଥମେ ମନ ମଧ୍ୟରେ ଇଚ୍ଛାକୁ ସେହି କାର୍ଯ୍ୟ ଆଡ଼କୁ ଫେରାଇ ଅଛ ଏବଂ ତତ୍ ପରେ କାର୍ଯ୍ୟ ହୋଇ ଅଛି । ଇଚ୍ଛାଟି ସେହି ଆଡ଼କୁ କରି ନ ଥିଲେ କାର୍ଯ୍ୟଟି କରି ପାରି ନ ଥାଆନ୍ତ ।

ଏଠାରେ ଗୋଟିଏ କଥା ତୁମ୍ଭମାନଙ୍କ ମନରେ ହୋଇ ପାରେ । କାର୍ଯ୍ୟତଃ କେବଳ ମନୁଷ୍ୟ ଏକା କରେ ନାହିଁ । ପଶୁପକ୍ଷୀ ପ୍ରଭୃତି ସମସ୍ତ ପ୍ରାଣୀ ସର୍ବଦା କାର୍ଯ୍ୟ କରୁ ଅଛନ୍ତି । ଟିକିଏ ବୈଜ୍ଞାନିକ ଦୃଷ୍ଟିରେ ଦେଖିଲେ ଜଣା ଯିବ, ବୃକ୍ଷଲତାଦି ସ୍ଥାବର ଜୀବମାନଙ୍କର ଜୀବନ ମଧ୍ୟ ଆମ୍ଭମାନଙ୍କ ଜୀବନ ପରି ଗୋଟିଏ ଗୋଟିଏ କର୍ମପରମ୍ପରା । ତେବେ ସେମାନେ କଅଣ ସମସ୍ତେ ଆମ୍ଭରି ପରି ଇଚ୍ଛାର ଅଧୀନ ହୋଇ କାର୍ଯ୍ୟ କରନ୍ତି ? ଏ ପ୍ରଶ୍ନର ଅବଶ୍ୟ ସନୋଷଜନକ ଉତ୍ତର ନାହିଁ । ପଶୁପକ୍ଷୀ ପ୍ରଭୃତି ଇତର ଜନ୍ତୁମାନଙ୍କର ମନର ଗତି କ୍ରିୟାର ମୂଳ ଜାଣିବାର ଅଧିକାର ମନୁଷ୍ୟର ଅଛି ବୋଲି କୁହାଯାଇ ନ ପାରେ । ଆମ୍ଭେମାନେ ନିଜ ଅନୁସାରେ ଅପର ମନୁଷ୍ୟର କ୍ରିୟାମାନ ମନର ଗତି ଓ ହୃଦୟର ଭାବ ପ୍ରଭୃତି ଆଲୋଚନା କରି ଯାଉ ଏବଂ ସେହି ମାନଦଣ୍ଡ ଘେନି ଇତର ଜନ୍ତୁମାନଙ୍କ ମନ ବିଷୟରେ କେତେକ କଥା ଅନୁମାନ କରୁ । ମାତ୍ର ସେହି ଅନୁସାରେ ଯେତିକି ଜଣା ପଡ଼ିବ, ସେତିକିରୁ ମୁଁ ଏଠାରେ କିଞ୍ଚିତ କହିବି ।

ଇତର ଜନ୍ତୁମାନେ କାର୍ଯ୍ୟ କରନ୍ତି । ଇଚ୍ଛା ବିନା କ୍ରିୟା ନାହିଁ । କାର୍ଯ୍ୟ କରିବା ପୂର୍ବରୁ ତାଙ୍କ ଭିତରେ ଇଚ୍ଛାର ଉଦ୍ରେକ ହୋଇ ଥିବ । ଇଚ୍ଛା ହୁଏତତ୍‌ପରେ ସେମାନେ କାର୍ଯ୍ୟ କରନ୍ତି । କିନ୍ତୁ ସେ ଇଚ୍ଛାକୁ ନିଜେ ନିଜେ ଚଳାଇବାରେ ଅଧିକାର ସେମାନଙ୍କର ନ ଥାଏ । ଯାହା ଯେତେବେଳେ ଇଚ୍ଛା ହେବାର ତାହା ସମ୍ଭବତଃ ସେମାନଙ୍କ ପାଇଁ ଭଗବାନ ନିର୍ଦ୍ଦେଶ କରି ରଖି ଅଛନ୍ତି । ଏକ ବିଚିତ୍ର ବିଧାନରେ ବାଧ୍ୟ ହୋଇ ଯେପରି କି ସବୁ ସେମାନେ କରୁ ଅଛନ୍ତି । ବିଧାତା ସବୁ କାର୍ଯ୍ୟରେ ଯେପରି କି ତାଙ୍କ ପନ୍ଥା ନିର୍ଦ୍ଦେଶ କରି ରଖି ଅଛନ୍ତି; କାହିଁକି, ସେମାନେ ଜାଣନ୍ତି ନାହିଁ । ଇଚ୍ଛା ଜନ୍ମେ । ଇଚ୍ଛା ଜନ୍ମିଲେ ତାହା ନିଜେ ନିଜେ କାର୍ଯ୍ୟରେ ପରିଣତ ହୁଏ । 

ସେମାନେ ବିଧାତାଙ୍କର କଳ ପରି । ଆମ୍ଭେ କଳରେ ଚକ ଚଳାଇ ଦେଉ, କଳ ଚାଲେ । ବିଧାତା ସେମାନଙ୍କର ଇଚ୍ଛା ଚଳାଇ ଦିଅନ୍ତି, ସେମାନେ କାର୍ଯ୍ୟ କରନ୍ତି । କ୍ଷୁଧା ହୁଏ. ଖାଇବାକୁ ଇଚ୍ଛା ହୁଏ, ଖାଦ୍ୟ ଅନ୍ୱେଷଣ କରିବାର ପ୍ରବୃତ୍ତି ହୁଏ । ସେମାନେ ତାହା କାର୍ଯ୍ୟରେ କରନ୍ତି । ପେଟ ପୂରିଗଲେ ବିଶ୍ରାମ କରନ୍ତି । ଡିମ୍ୱ ଦେବାର ସମୟ ହେଲେ ସେମାନେ ପ୍ରକୃତି ନିୟମରେ ଯେପରିକି ବସା ତିଆରି କରିବା ପାଇଁ କୁଟାକାଠି ଖୋଜି ବୁଲନ୍ତି । କୋକିଳର ଡିମ୍ୱ ଦେବା ସମୟ ହେଲେ ସେ ସେହି ସର୍ଗତନ୍ତ୍ରର ନିତ୍ୟ ନିୟମରେ ଚାଳିତ ହୋଇ ଲୁଚି କରି କୁଆ ବସାରେ ଡିମ୍ୱ ରଖି ଦେଇ ଆସେ । ଇତ୍ୟାଦି ।

ମାତ୍ର ଯେ କାରଣରୁ ହେଉ, ସେମାନଙ୍କର ପ୍ରଥମେ ଇଚ୍ଛାର ଉଦ୍ରେକ ହୁଏ, ପରେ କାର୍ଯ୍ୟ ହୁଏ । ଗାଈ ଆମ୍ଭର ଫସଲ ଖାଇବାକୁ ଆସୁଅଛି । ଭୟ ଦେଖାଇ ଦେଲେ ସେ ପଳାଇ ଯାଏ । ତାହାର ଇଚ୍ଛା ହୋଇ ଥିଲା, ଭୟରେ ତାହା ବଦଳି ଗଲା । ଏହି ପରି ବାହାରରୁ କୌଣସି ସାକ୍ଷାତ ବାଧ୍ୟା ନ ପାଇଲେ, ସେମାନଙ୍କର ଇଚ୍ଛା ବଦଳେ ନାହିଁ । ନିଜେ ଭୂତ ଭବିଷ୍ୟତ ଓ ଫଳାଫଳ ଆଲୋଚନା କରି ସେମାନେ ଇଚ୍ଛା ବଦଳାଇ ପାରନ୍ତି ନାହିଁ । ସେ ବଳ ବା ଅଧିକାର ସେମାନଙ୍କର ନାହିଁ । 

ସେଥି ପାଇଁ ସୃଷ୍ଟିର ଆଦ୍ୟକାଳରୁ ଏପର୍ଯ୍ୟନ୍ତ ସେମାନଙ୍କର ଜୀବନକ୍ରିୟା ପରମ୍ପରରେ କୌଣସି ବିଶେଷ ପରିବର୍ତ୍ତନ ଦେଖା ଯାଇ ନାହିଁ । ଜୀବନ କୌଣସି କାର୍ଯ୍ୟରେ ସେମାନଙ୍କର ପୁରୋଦୃଷ୍ଟି ମଧ୍ୟ ନାହିଁ । ଘାସ ଦେଖିଲେ ଛେଳିର ଖାଇବାକୁ ଇଚ୍ଛା ହୁଏ । ଲୋକେ ସେହି ଘାସ ଦେଖାଇ ଛେଳିକୁ ହାଣିବାକୁ ନେଇ ଯାଆନ୍ତି । ଘାସ ଦେଖି ଲୋଭରେ ଲୋକଟିର ଅନୁସରଣ କଲା ବେଳେ, ଛେଳି ବିଚାରି ପାରେ ନାହିଁ ଯେ, ହଣା ହେବା ହିଁ ଫଳ ହେବ ।

ତେବେ ବୁଝିଲ, ଇତର ଜନ୍ତୁମାନଙ୍କର ହୁଏ ତ ଇଚ୍ଛାଶକ୍ତି ଅଛି । କିନ୍ତୁ, ପୂର୍ବାପର ବିଚାରରେ ବା ପୁରୋଦୃଷ୍ଟି ବଳରେ ସେହି ଇଚ୍ଛାକୁ ସଂଯତ କରିବାର ଅଧିକାର ନାହିଁ । ମନୁଷ୍ୟର ସେହି ଅଧିକାର ହିଁ ବିଶେଷତ୍ୱ । ଜାଣିଥିବ ପୂର୍ବ ବିଚାର ବା ପୁରୋଦୃଷ୍ଟି ବଳରେ ନିଜର ଇଚ୍ଛା ତଥା କ୍ରିୟାକୁ ଯେ ଯେତିକି ସଂଯତ କରିପାରେ, ସେ ସେତିକି ପ୍ରକୃତରେ ମନୁଷ୍ୟ ପଦବାଚ୍ୟ ତାହାର ଚରିତ୍ର ସେତିକି ଦୃଢ଼ ଓ ଉନ୍ନତ । 

ଚରିତ୍ର କଥାଟି ଅନେକ ଦିନୁ ଶୁଣିଥିଲ: ଚରିତ୍ର ଭଲ କରିବାକୁ ହେବ; ଚରିତ୍ର ମାନବର ସର୍ବସ୍ୱ; ଚରିତ୍ର ନ ଥିଲେ ଜୀବନର ମୂଲ୍ୟ ନାହିଁ; ପ୍ରଭୃତି ଉପଦେଶ ସମସ୍ତେ ଶୁଣିଅଛ । ମାତ୍ର ସେ ଚରିତ୍ର କି ବସ୍ତୁ ? ମାନବ ଜୀବନରେ ତାହାର ପ୍ରକୃତି ପ୍ରକ୍ରିୟା କିପରି ଲକ୍ଷ୍ୟ କରା ଯିବ ? ଅନେକେ ଏ ସବୁ ସ୍ପଷ୍ଟତଃ ଜାଣି ନ ଥିବେ । ମୋଟାମୋଟି ଅଳ୍ପ କଥାରେ ମନେ ରଖ, ସୁସଂଯତ ଇଚ୍ଛା ଶକ୍ତି ହିଁ ଚରିତ୍ର ।

ବି. ଦ୍ର. - ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ, ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭, ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହି

No comments:

Post a Comment